ବାରବୁଲା

 

 

 

 

 

 

 

 

 

 

 

ବାରବୁଲା

ଶ୍ରୀ ଉମେଶ ଚନ୍ଦ୍ର ଦତ୍ତ

 

ବାରବୁଲା

 

ଶରତର ରୂପେଲି ଚାନ୍ଦ ।

 

ମାନିଆ କଡ଼େ ନିଦ ଶୋଇ ଉଠିଲାଣି । ଦିହଟା ତାର ଜଳୁଛି । ମଶାଗୁଡ଼ାକ ଏତେ ଜୋରରେ କାମୁଡ଼ି ପକାଇଛନ୍ତି ! ଅନ୍ଧାରରେ ତାଙ୍କରି ତ ରାଜତ୍ୱ ! ଧଡ଼ପଡ଼ ଉଠି ଘଷିଗୁଣ୍ଡ ମୁଠାଏ ଆଣି ଦୁଆର ମୁହଁରେ ଧୂଆଁ ଟିକିଏ ଲଗାଇ ବସିଲା । ପୁଣି ବିଲେଇଟି ଜାକିଜୁକି ହୋଇ ପାଖକୁ ଲାଗି ବସିଲାଣି ।

 

ବାଉରି ସାହି

 

ର ମଶାଣି ଆଡ଼କୁ ମାନିଆର କୁଡ଼ିଆ । ଭୂଇଁର ପତ୍ତନଠାରୁ ଟିକିଏ ତଳେ । ଗୋଟିଏ ବଖରା । ଦୁଆର ମୁହଁର ଉଚ୍ଚତା ଚାରିଫୁଟ । କାନ୍ଥଟି ଝାଟି ମାଟି । ଛାତଟି ତାଳପତ୍ରରେ ଛାଆଣି । ବାଉଁଶ ପାତିଆର କବାଟ । ଏ ବର୍ଷ ବର୍ଷା ଟିକିଏ ଛାଡ଼ୁନି । ଶରତ ସରିବାକୁ ବସିଲାଣି । ମାତ୍ର ଧାରା ଶିରାବଣ ପରି ଦିନଯାକ ତୁହାକୁ ତୁହା ମେଘ । ଚାରିପଟେ ସନ୍ତସନ୍ତିଆ ଖାଲ । ଚାକୁଣ୍ଡା ଗଛଗୁଡ଼ାକ ଖୁବ୍ ବଢ଼ିଛନ୍ତି । ବାଉରାଣୀମାନେ ବୋଝେ ବୋଝେ ନେଇ ସିଝାଉଛନ୍ତି; ତଥାପି ସେଗୁଡ଼ିକ ଧରାପୃଷ୍ଠରୁ ବିଦାୟ ନେବାକୁ ଅନିଚ୍ଛୁକ ।

 

ମାନିଆ ଭାବୁଛି–ଏଇ ବଣର ମଶାଗୁଡ଼ାକ ରାତି ହେଲେ ମୋରି ରକତ ଶୋଷିବାକୁ ଦଉଡ଼ି ଆସୁଛନ୍ତି । ରକତଗୁଡ଼ାକ ମୋ ଦେହରେ ସତେ ଯେପରି ସେମାନେ ମହଜୁ‍ଦ୍ କରିଛନ୍ତି । ମଣିଷ ସକାଳୁ ଉଠି ମାଛିକୁ ‘ମ’ ନ କହି ଯିବ ସାହୁକାରର କାମ କରି । ହାଡ଼ଭଙ୍ଗା କାମ ଚାରି ଘଣ୍ଟା କଲାପରେ ମିଳିବ ମୁଢ଼ିରୁ ପୁଳାଏ, ଆମ୍ବୁଲ ପାଣି ଟିକିଏ । ପୁଣି ଲାଗିବ କାମ । ବଇଶାଖର ଖରା, ଶିରାବଣର ମେଘ ସବୁ ସହିବ ଧିଅ । ବାରଟା ପରେ ଛୁଟି । ପେଟ ଜଳୁଥିବ । ଝଟପଟ ବୁଡ଼ି କୁଡ଼ିଆକୁ ଆସିଲେ ପଖାଳ ଖପରାଏ, ନୂଆହାଟର ପିତାଶୁଖୁଆ ପୋଡ଼ା, କଖାରୁ, ଚାକୁଣ୍ଡା ଶାଗରୁ ପୁଳାଏ–ତା’ ସାଙ୍ଗକୁ କୁଡ଼ିଆ ପଛଆଡ଼େ ବଢ଼ୁଥିବ ଲଙ୍କା ଗଛର ମରିଚଟିଏ । ଏଇଆକୁ ଖାଇ ଧିଅ ଧରିଛି ରକତ । ସେଇ ରକତକୁ ମଶାଙ୍କର ଆଖି ।

 

ମନଟା ତାର ବିଦ୍ରୋହି ହୋଇଉଠୁଛି । ସକାଳୁ ଏ ଚାକୁଣ୍ଡାବଣକୁ ନିପାତ ନ କଲେ ସେ କାହିଁ ଯିବନି । ସାହୁକାର ଚିଡ଼ିବ, ଚିଡ଼ୁ । ତା’ଠାରୁ କାମ ଆଦାୟ କରୁଛି ଏତେ, ଘର ଚାରିପଟଟା ସଫା କରାଇଦେବା କ’ଣ ତାର କାମ ନୁହେଁ ? କ’ଣ ଭାବିବା ଉଚିତ ନୁହେଁ–ମାନିଆ କିମିତି ଘରେ ରହିଛି–କେତେ ଥର ମୁଣ୍ଡ ତାର ନୁଆଣିଆ ଦୁଆର ବନ୍ଧରେ ବାଜୁଛି–ଘରର ତଳଟି କିପରି ସନ୍ତାଉଛି ?

 

ମାଲିକ କାହିଁକି ସେକଥା ଭାବିବ ? ସେ ତ ବରତନ ତୁଟାଇ ରଖିଛି । କାମ ନେବ, ବରତନ ଦେବ । ଆଉ ହଳିଆ ଶୁଖିଲା ଘରେ ରହୁଛି କି ଓଦା ଘରେ ରହୁଛି, ରାତିରେ ତାର ନିଦ ହେଉଚି କି ମଶାଙ୍କୁ ମାରି ମାରି ପିଠି ଫୁଲୁଛି–ଏ କଥାଗୁଡ଼ା ସାହୁକାର କେତେ ଭାବିବ ?

 

ନ ଭାବିଲେ ସାହୁକାର ହେବ କାହିଁକି ? ହଳିଆ କାମ କରି କରି ବଳ ସାରିବ । ସେଥିପାଇଁ ବରତନଟା କ’ଣ ଯଥେଷ୍ଟ ? ହଳିଆ ଭଲରେ ରହିଲେ ସିନା ଦେହରେ ବଳ, ବପୁ ବଢ଼ିବ । ସାହୁକାର ବେଶୀ ଖଟାଇ ଲାଭ ପାଇବ । ଶୁଖିଲାରେ କ’ଣ ସବୁବେଳେ ବାଳିଆ ପିଟିବ-?

 

ଧେତ୍‍ ! ଗୋଟାଏ ହଳିଆ ନ ପାରିଲେ ସାହୁକାରକୁ କ’ଣ ଆଉ ହଳିଆ ମିଳିବେନି ! ଗଣ୍ଡାକୁ ଗଣ୍ଡା । ସେଥିରେ ହଳିଆଙ୍କୁ ବଳୁଆ କରିଚି ସାହୁକାର !

 

ଧଡ଼୍‍କିନା ଶିକାଟା ଖସିପଡ଼ିଲା । ଖଣ୍ଡିଏ ବୋଲି ଶିକା । ପିତାଶୁଖୁଆ ବଣାଟି ତା’ ଉପରେ ଥାଏ । ପିମ୍ପୁଡିଗୁଡ଼ାକ ଆଉ ରଖେଇ ଥୋଇ ଦେଉ ନାହାନ୍ତି । ସେଥିପାଇଁ ମାନିଆ ଶିକାରେ ସେ ଗଣ୍ଡାକ ରଖେ । ପ୍ରତି ଦିନର ପ୍ରଧାନ ତରକାରୀ । ଆଜି ମୂଷାର ଶୁଭଦୃଷ୍ଟି । ଏ ମୂଷାଟା କେଡ଼େ ଓଲୁମ ! ବଣା ଭିତରୁ ତ ଖାଇବାର କାଢ଼ ନାହିଁ, ଆଉ ଶିକାଟା କାଟି ପକାଇଲା । ପୁଷିର ସରଳତା ଲାଗି ମୂଷାର ଏପରି ଦାଉ । ଆରେ, ସବୁବେଳେ ଏପରି ସରଳ ହେଲେ କିମିତି ହେବ ?

 

ପୁଷିକୁ ଚଢ଼ାଇଦେଲା ଉପରକୁ । ବାଘର ବଚା, ନିଶକୁ ଫୁଲାଇ, ଲାଙ୍ଗୁଡ଼କୁ ମୋଟ କରି ଚଢ଼ିଗଲା । ବହୁ ଆରମ୍ଭେ ଲଘୁକ୍ରିୟା । ମୂଷା ମାରିଲାଣି ଚମ୍ପଟ । ପୁଷି ତାଳପତ୍ର ଛାତ ଆଡ଼କୁ ଉଠୁ ଉଠୁ ତଳେ ଦୁମ୍‍କିନା ପଡ଼ିଗଲା । ମାନିଆ ମନରେ ଅସୀମ ଦୟା । ସାଥୀହରା ଦୁନିଆରେ ପୁଷିଟି ତାର ସାଥୀ । ଜୀବନରୁ ବଳ ମାନିଆ ତାକୁ ଭଲ ପାଏ । ହଠାତ୍‍ ଉଠି ପଡ଼ି, କାଉଁରିଆ ଖଣ୍ଡେ ଘଷି ନିଆଁରେ ଗୁଞ୍ଜି ଫୁଙ୍କିଦେଲା । କାଉଁରିଆ ଜଳି ଉଠିଲା । ପୁଷିକୁ ଆଉଁଷି ପକାଇ ଦିଟା ଶୁଖୁଆ ତା’ ଆଡ଼କୁ ପକାଇଦେଲା । ବଣାଟି ଭାଙ୍ଗି ଛିନ୍‍ଛତ୍ର ହୋଇଯାଇଛି । ଶୁଖୁଆଗୁଡ଼ିକ ଗୋଟାଇ ଖାଳୋଇ ଭିତରେ ରଖି ଟାଙ୍କିଦେଲା ।

 

ଆଖିଟା ମାଡ଼ି ମାଡ଼ି ପଡୁଥାଏ । ନଡ଼ିଆପତ୍ର ଚାଞ୍ଚ ଉପରେ ଅଖାର ଶେଯ । ତାରି ଉପରେ ପୁଣି ଲୋଟାଇଦେଲା ନିଜକୁ ।

 

ପୁଷି ସଙ୍ଗେ ଭୁଆ ବିଲେଇଟି ଖୁବ୍‍ ଜୋର କଳି ଲଗେଇଛି । କାନ ଅତରା ପଡ଼ୁଛି । ରାତି ପାହିଗଲାଣି ବୋଧେ । ମାନିଆ ତଥାପି ଶୋଇବାକୁ ଇଚ୍ଛା କରୁଛି । ମୁଣ୍ଡଟା ବଥାରେ ଭରା । ଧିଅଟା ତାତିରେ ଖଇ ଫୁଟୁଛି । କ’ଣ ଅଛି ଯେ ଘୋଡ଼ି ହେବ ? କିଏ ଅଛି ଯେ ମୁଣ୍ଡ ଚିପିଦେବ ?

 

ଆଖି ଫିଟାଇ ଦେଖିଲା ଦିନ ହୋଇଗଲାଣି । ଝିପି ଝିପି ମେଘ । ପକ୍ଷିଆ ଖଣ୍ଡିଏ ଖଣ୍ଡିଏ ମୁଣ୍ଡରେ ଥୋଇ ବାଉରାଣୀମାନେ କାମକୁ ବାହାରିଲେଣି । ମଝିରେ ଧାଙ୍ଗଡ଼ୀ ପଂଝାଏ । ମନମତାଣିଆ ଗୀତ । ବାଉରି ଘର ଝିଅ ହେଲେ ବି ସବୁ ଝିଅର ତ ଯୌବନ ଅଛି, ଉନ୍ମାଦ ଅଛି । ରାସ୍ତାର ଦୁଇକଡ଼ରେ ହରଗଉରା ଗଛଗୁଡ଼ିକ ଫୁଲରେ ଖୁନ୍ଦି ହୋଇଛନ୍ତି । ତାରି ପତ୍ରରେ ଝିଅମାନେ ହାତ, ନଖ ପଚେଇଅଛନ୍ତି । ସଭ୍ୟ ଜଗତରେ ଅବଶ୍ୟ ନେଲ୍‍ପଲିସ୍‍ ବାହାରିଲାଣି ।

 

ଗୀତଗୁଡ଼ିକ ମାଦକଭରା । ତରୁଣୀ ମନରେ ତରୁଣ ଆଶା । କେଉଁ କବିର ରଚନା ସ୍ଥିର କରିବା ମୁସ୍କିଲ ; ମାତ୍ର ପଲ୍ଲୀ ଝିଅର ଏକ ନିଖୁଣ ମନୋଭାବ ଫୁଟିଉଠେ ସେଇ ଗାନରେ । ପଛକୁ ପଡ଼ିଯାଇଛି କମି । ମା’ ଛେଉଣ୍ଡ ଝିଅଟିଏ । ଖୁଡ଼ୀ ପାଳିଛି ତାକୁ ବହୁତ ଦହଗଞ୍ଜ କରି । ହେଲେ କମିକୁ ପାଳି କାହାରି କ୍ଷତି ହୋଇନି । ଖାସା ପିଲାଟାଏ । ବାହାର କାମ ଯେମିତି, ଘରକାମ ସେମିତି । ଖୁଡ଼ୀ ତାର ଅୟସ କରୁଛି । ଘରେ ରହି ରନ୍ଧାବଢ଼ା କରେ । ଅନ୍ୟ ବାଉରାଣୀ ପରି ବିଲ-ବାଡ଼ି କରେନି । ସେଥିପାଇଁ ବାଉରାଣୀମାନେ ନାକ ଟେକନ୍ତି । ଦେଖେଇ ଶିଖେଇ ବହୁତ କଥାଥା କହନ୍ତି । କେତେବେଳେ କମିକୁ ଦେଖିଲେ କେତେ କଥା କହନ୍ତି ଖୁଡ଼ୀ ବିରୁଦ୍ଧରେ । ଏଇଟା ସହାନୁଭୂତି ନା ଇର୍ଷା କମି ବୁଝିପାରେନି । ମା ନାହିଁ, ଖୁଡ଼ୀ ପାଳିଛି । ମାଡ଼ ଦେଉ, ଗାଳି ଦେଉ, ମଣିଷ କରିଚି ସେ । କାହା କଥାକୁ କାନ ନ ଦେଇ କାମ କରିଯାଏ ।

 

ବାପା ତାର କହିଯାଇଛି–ଦାଦି ଖୁଡ଼ୀଙ୍କୁ ମାନି ଚଳିବୁ । କାହା କଥା ଶୁଣିବୁନି ।

 

ମାନିଆ ଡାକ ପକାଇଲା–କମି, କମି, ଅଇଲୁ ଟିକିଏ ! ସେଇ ଡାକରେ ଯେପରି ବିକଳ ଭରି ରହିଛି । କମି ମନରେ କାହିଁକି ଗୋଟାଏ ସହାନୁଭୂତିର ଢେଉ ଖେଳିଗଲା । ଆରେ ! ମାନିଆ ଏତେବେଳେ ଯାଏ କାମକୁ ଯାଇନି । ସାହୁକାରର ଠିକ୍‍ ହୁଲିଆ । ସବୁବେଳେ ଆଗ ସୁନା ପାଗ । କେତେ ଥର ସାହୁକାର ଧରମୁ ମୁହଁରୁ କମି ଶୁଣିଛି ମାନିଆର ପ୍ରଶଂସା । ଧିଅ କ’ଣ ଖରାପ ହେଲା ବୋଧେ ! ହବ ନାହିଁ, ମରଦ ପୁଅ । ଦିନଯାକ ଖଟୁଛି । ପୁଣି ନିଜେ ଫୁଟାଇ ଖାଉଛି । ସନ୍ତସନ୍ତିଆ ଜାଗା ।

 

କମି ଆଗ ପଛକୁ ଭାବିଲା । ଯିବ କି ନାହିଁ ! ଆଗରେ ଯେଉଁ ଟୋକୀ ପଂଝାକ ଯାଉଛନ୍ତି, ଡବଡ଼ବିଗୁଡ଼ାକ । ନ ଥିଲା କଥାରେ କଥା ଉଠାଇବେ । ସୂତାରୁ ଖିଅ କାଢ଼ିବେ । ଦାଦି କ’ଣ ଭାବିବେ ! ଖୁଡ଼ୀ କ’ଣ କହିବେ ! ଯିଏ ଯାହା କହୁ । ମଣିଷ ବିପଦରେ ପଡ଼ିଲେ ମଣିଷ ଅନେଇବ ନାଇଁ ତ ଆଉ କିଏ ଅନେଇବ ? ନା, ସେ ଯିବ । କେତେ ବିକଳରେ ମାନିଆ ଡାକୁଛି । କ’ଣ ଆଉ କେବେ ଡାକୁଥିଲା ?

 

ଟୋକୀଗୁଡ଼ାକ ଦୂରେଇ ଗଲେଣି । କମି ଭିତରକୁ ଗଲା । ମାନିଆ କାନ୍ଥକୁ ଆଉଜି ବସିଛି । ମୁଣ୍ଡରେ ଠେକା ଭିଡ଼ିଛି । ଅ-ଅ ହୋଇ ବାନ୍ତି ମାଡ଼ିଛି । ସେଇକ୍ଷଣି ବାନ୍ତି କରି ପକାଇଲା ସେଇ ଘରଟା ଭିତରେ । “କ’ଣ କହୁଚୁ, ମାନିଆ ଦାଦା ?”

 

“କମି, ନିଆଁ ଟିକିଏ ଜାଳିଦେ, ସାହୁକାରକୁ କହିଦେବୁ ଭାରି ଜର । କାମକୁ ଯାଇପାରିବିନି ।”

 

କମି ଧଡ଼୍‍ପଡ଼୍‍ କରି ବାନ୍ତି ପୋଛି ପକାଇଦେଲା । ନିଆଁ ଟିକିଏ ଲଗାଇଦେଇ ମାନିଆର ମୁଣ୍ଡ ଚିପିଦେଲା । ବେଳ ଡେରି ହୋଇଯାଉଚି । ପର ଝିଅ, ପାଇଟି କରି ପଇସା ନ ଆଣିଲେ ଖୁଡ଼ୀ ଚିଡ଼ିବେ । ବେଶୀ ବେଳ କାମ କଲେ ଲୋକେ ଥଟ୍ଟା କରିବେ । ସହାନୁଭୂତି–ଲୋକଭୟ ମଧ୍ୟରେ କନ୍ଦଳ । ମଣିଷ ଯେ ମଣିଷ ପରି କାମ କରିବ । ଡରିବ ଗୋଟାଏ କଅଣ ?

 

କମି ସବୁ ସୁବିଧା କରି ସାହୁକାର ଘରକୁ ଧପଡ଼ିଲା । ସେତେବେଳକୁ ପାଇଟିଆମାନେ ପାଇଟି ଆରମ୍ଭ କରି ଦେଲେଣି । ସାହୁକାର କମିକୁ ଦେଖି କହିଲା, “ହଇଲୋ ଶାଳୀ, ଏତେବେଳ ଯାଏ କୁଆଡ଼େ ଯାଇଥିଲୁ ? ନିଦ ଟିକିଏ ସଅଳ ଭାଙ୍ଗିଲା ନାହିଁ କି ?”

 

କମି ଟିକିଏ ହସିଦେଇ କହିଲା, “ନାହିଁ ଅଜା, ମୁଁ କେତେବେଳୁ ଉଠିଲିଣି । ମାନିଆକୁ ଜର, ବାଟରୁ ଡାକିଲା ବୋଲି ଟିକିଏ ସେଇଠିକି ଯାଇଥିଲା । ଯେଉଁ ବାନ୍ତି, ନିଆଁ ଟିକିଏ ଜାରିଦେଇ ଆଉଚି ଅଜା !”

 

“ମାନିଆକୁ ତା’ ହେଲେ ସତରେ ଜର ! ଏପରି ହଳିଆକୁ ଜର ଦେବା ଭଗବାନଙ୍କର ଗୋଟାଏ ମସ୍ତବଡ଼ ଭୁଲ୍‍ । ଯେ କାମ କରେ, ଯେ ଖାଣ୍ଟିଲୋକ, ତାକୁ ଏତେ ବିପଦ ଦେବାଟା କେଉଁ ନୀତି ?”

 

ବିଲକାମ ଚାଲିଛି । ପଞ୍ଚବାର୍ଷିକ ଯୋଜନା ପରି ସାହୁକାରର ବହୁତ ଯୋଜନା ।

 

ମୁହଁମାଡ଼ି ମାନିଆ ପଡ଼ିଥାଏ । ପାଞ୍ଚ ଫୁଟ ଛଅ ଇଞ୍ଚର ମରଦ । ଶାବଳ ପରି ନିଦା, ବଳିଷ୍ଠ ବାହୁ, ତାକତ ଦେହ । ସେଥିପାଇଁ କେଉଁ କଥାକୁ ଖାତିର୍‍ ନ ଥାଏ । କାମର ମଣିଷ । ନିଜ ଶିଙ୍ଗରେ ମାଟି ତାଡ଼ି ବେଶ୍‍ ଚଳୁଥାଏ । ଆଜି କିନ୍ତୁ ସେ ବୁଝିଛି–ଜୀବନର ସାଥୀ ଲୋଡ଼ା । ମଣିଷ ଜନ୍ମିଛି ଏକା, ଯିବ ଏକା; ମାତ୍ର ଏଇ ସଂସାରରେ ସେ ଏକା ଚଳିବା ଅସମ୍ଭବ । ଆଜି ସେ ଅନୁଭବ କରିଚି ମଣିଷର ଅଭାବ । ପାଖରେ କିଏ ବସି ପାଣି ଟୋପିଏ ଦିଅନ୍ତା, ଗୋଡ଼ଟା ଟିକିଏ ଘଷିଦିଅନ୍ତା, ଆହା ବୋଲି ପଦେ କହନ୍ତା ।

 

ରୋଗୀର ଲୋଡ଼ା ଶୁଖିଲାଘର, କୋମଳବିଛଣା, ପଥି ପାଚନ ଓ ସେବା । ଦଶ ମାଇଲ ବା ପନ୍ଦର ମାଇଲ ବ୍ୟବଧାନରେ କେଉଁଠି ଗୋଟିଏ ଡାକ୍ତରଖାନା । ସିଟ ବହୁତ କମ୍‍, ଔଷଧ ପତ୍ର ବହୁତ କମ୍‍ । ସେଥିରୁ ଗରିବ ଲୋକ ପାଏ ଖୁବ୍‍ କମ୍‍ । ପାଣିର ମାତ୍ର ଟିକିଏ ଅଧିକ । ସେଇ ଦେଶ ରେ ମାନିଆ ପରି ଲୋକ ବଞ୍ଚିବ କିପରି ? ଭାବିବାର କଥା ।

 

ବେଳ ଆସି ବାର ହେଲାଣି । ମୂଲିଆମାନେ ଫେରୁଛନ୍ତି । ମାନିଆ ଦାଣ୍ଡକୁ ଚାହିଁ ବସିଛି କମି କାଳେ ଏଇବାଟେ ଘରକୁ ଫେରିବ । ପୁଣି ଟିକେ ତାକୁ ଡାକିବ । ଭୋକ ହେଲାଣି । ଶୋଷରେ ତଣ୍ଟି ଶୁଖିଯାଉଚି । ଚାରିଆଡ଼କୁ ଚାହିଁଛି । ଚଢ଼େଇଟିଏ ଆଧାର ନେଇ ଦେଉଛି ଛୁଆକୁ-। ସାଥୀ ଅଛି ତାର । ମାନିଆର କେହି ନାହିଁ ।

 

ମା’ ତା’ର ଯାଇଥିଲା ଏନ୍ତୁଳିଶାଳରୁ । ବାପା ଯାଇଥିଲେ ପାଞ୍ଚ ବର୍ଷ ତଳେ । ତା’ ପରେ ମାନିଆ ବୁଲୁଥିଲା କେଇଦିନ ଏ ପନ୍ଦାର ସେ ପନ୍ଦାର । ଆସ୍ତେ ଆସ୍ତେ ବଡ଼ ହେଲା । ମାନିଆ କାମ କରି ମଣିଷ ପରି ରହିବାକୁ ଇଚ୍ଛା କରି ରହିଛି ଏଇଠାରେ କୁଡ଼ିଆ ଖଣ୍ଡେ ପକାଇ ।

 

କମିର ମନ ଆଜି କାମରେ ଲାଗୁ ନାହିଁ । ମାନିଆଟି ନିରିମାଖି ପରି ପଡ଼ିଥିବ । ଦିହ ହାତ ତା’ର ବିନ୍ଧୁଥିବ । ଶୋଷ ହେବଣି । ଫୁଟିଆଣି ପାଣି ଟିକେ କିଏ ଦେବ ତାକୁ ? କ’ଣ କରିବ ପର ଘରର ଝିଅ । ମା’ ନାହିଁ ବାପା ଯାଇ ଦୂର ବିଦେଶରେ । ଦାଦୀ ଖୁଡ଼ୀଙ୍କ ଶାସନ । ଟିକିଏ କିପରି ଯାଇ ମାନିଆର କାମ କରିଦେବ ?

 

ଧରମୁ ବି ବେଶୀ ଚିନ୍ତାକୁଳ ମାନିଆ ଲାଗି । ସେବାଧର୍ମ ଲାଗି ନୁହେଁ, ନିଜର କ୍ଷତି ଆଶଙ୍କାରେ । ମାନିଆ ପରି ଚାକର ପନ୍ଦର ଦିନ ପଡ଼ିଗଲେ ଏପରି ସାହୁକାରର ବିଚରା କ୍ଷତିଗ୍ରସ୍ତ ହୋଇପଡ଼ିବ । ହେଲେ ବି ଟିକିଏ ଯାଇ ଦେଖି ଆସିବାକୁ ଧରମୁଙ୍କର ଇଚ୍ଛା ହୋଇନି ।

 

କାମ ସାରି କମି ଫେରିଲାବେଳକୁ ସାହୁକାର ତା’ ହାତରେ ନିଭାକୁଇନ୍‍ ତିନି ବଟିକା,ବାର୍ଲି,ଓ ଚିନି ଟିକିଏ ଦେଲେ । ରୋଗୀ ଖୋଜୁଥିଲା ଯାହା ବଇଦ ବତାଇଲା ତାହା । କମି ଓର ଉଣ୍ଡୁଥିଲା–କିପରି ଟିକେ ମାନିଆକୁ ଦେଖିକରି ଯିବି । କେବଳ ଡର ତାକୁ ଗାଁ ଟୋକୀଗୁଡ଼ାକୁ ଓ ତୁଣ୍ଡ ବାଇଦକୁ । ଏବେ କିନ୍ତୁ କମି ବେଫିକର । ସାହୁକାର ତା’ ହାତରେ ଔଷଧ ଓ ପଥି ପଠେଇଛି । ନେଇ ନଦେଲେ ଚଳିବ ? ସାହୁକାର ହୁକୁମ ଚାଲୁ କଲେ ଦାଦୀଖୁଡ଼ୀ ଚୁପ୍‍ ।

 

ଏଇଟା କ’ଣ ଠିକ୍‍ ? ଧନ ଅଛି ବୋଲି ଯାହା କଲେ ଚୁପ୍‍ । ଗରିବ ହୋଇ ଭଲ କାମଟାଏ କଲେ ସମସ୍ତେ ଖପା, ଛି ଛା ।

 

କମି ବେଗେ ବେଗେ ଆସି ମାନିଆକୁ ସବୁ ଜିନିଷ ଦେଇଗଲା । ପାଣି ବି ଆଣିଲା । ବାର୍ଲି ଟିକକ ସାହୁକାର ବତାଇବା ଅନୁସାରେ ତିଆରି କରି ଦେଲା । ତା’ ପରେ ବାହାରିଲା ନାଳକୁ ଗାଧୋଇବାକୁ ଆଉ କହିଲା, ‘‘ମାନିଆ ଦାଦା, ଔଷଧ ଖାଇଦେବୁ । ଖାଲି ପେଟରେ ଖାଇବୁନି । ବାଲି ଥଣ୍ଡା ହୋଇଗଲେ ଖାଇବୁ । ତା’ପରେ ଔଷଧ ପାଟିରେ ରଖି ଗିଳିଦବୁ । ବେଳ ଉସୁରୁଲେ ମୁଁ ପୁଣି ଆସିବି ଯେ ।’’

 

ଏତକ କହି କିମି ବାହାରିଗଲା । ପୁଣି ଘୋଟି ଆସିଲାମାନିଆକୁ କେତେ ଭାବନା । ଜର ବେଳେ କମିଟା ଥିଲେ କେତେ ଭଲଲାଗେ ମ । ସେ ତ ଗୋଟାଏ ଔଷଧ ତା’ର କଅଁଳିଆ କଥା ସତେ ଯେମିତି ଅମୃତ । ଚାଲିଗଲେ ମୁଣ୍ଡ ବେଶୀ ବଥାଉଚି । ଗୋଡ଼ ବେଶୀ ଘୋଳି ହେଉଚି-। ବିପଦ ବେଳେ ମଣିଷ ପାଖେ ମଣିଷଟିଏ ରହିବା ଦରକାର ।

 

ଯାହାହେଉ ମାନିଆ ବାର୍ଲି ଟିକିଏ ପିଇଲା । ଓକାର ଦେଖଉଥାଏ । ତଥାପି ମାଡ଼ି-ମକଚି ଟିକିଏ ନ ପିଇଲେ ଚଳିବ । ଔଷଧ ବି ଖାଇଲା ସଞ୍ଜ ବେଳକୁ ଟିକିଏ ଆରାମ ଲାଗୁଥାଏ । ସକାଳକୁ ବୋଧେ ପୂରା ଛାଡ଼ିଯିବ । ମାନିଆ ଉଠିବ । ଆଗ ତା’ର ଚାରିପଟ ସଫା କରିବ । ଏତେ ମଇଳାରେ ମଣିଷ ରହେ ? ମାତ୍ର ତାର ରାତିଟା ତା’ର କଟିବ କିପରି ? ଅନ୍ଧାର–ଜରୁଆ ଧିଅ ।

 

କମି କାମରୁ ଫେରିଲା । ମହମବତୀଟିଏ ସାହୁକାରୁ ଘରୁ ଆଣି ଦେଇଥାଏ । ମାନିଆ ହୃଦୟରୁ ଟିକେ ଅହେତୁକ ସ୍ନେହ ଜାଗି ଉଠିଲା । ଜର ଦେହରେ ବି କହିପକାଇଲା–‘‘କମି ତୋର ଧାରୁଆ ହେଲି,, କିପରି ସୁଝିବି” ?

 

କମି କହିଲା–“ଆଗ ନିଜେ ଭଲ ହୋଇଯା । ପଛେ ଧାର ସୁଝିବୁ । ବେଳ କ’ଣ ପରେଇ ଯାଉଚି ?”

 

ପୁଷି ବିଲେଇଟି ଛଟପଟ । ହେଲେ ବି ସେ ବୁଝୁଛି ମୁନିବ ତା’ର ଅସୁଖ । ପୁଷିର ମନ ବି ଭଲ ନାହିଁ । କୁଆଡ଼େ ଛାଡ଼ି ଯାଉନି । ମାନିଆ ବେଶି ବ୍ୟସ୍ତ ହେଲେ ମ୍ୟାଉଁ ମାଉଁ କରି ଟିକିଏ ଦାଣ୍ଡକୁ ଯାଉଚି, ଟିକିଏ ଘରକୁ ଆସୁଛି । ଦେଖିଲେ ଜଣାପଡ଼ୁଛି ସତେ ଯେପରି କାହାକୁ ଡାକୁଛି ମୁନିବର ଦୁଃଖ ଦେଖିବାକୁ ।

 

ମୁଣ୍ଡବଥା ପୂରା କମିଗଲାଣି । ମାନିଆ ପଖାଳଭାତରେ ଶୁଖୁଆ ଗୋଳାଇ ପୁଷିକୁ ବେଶ ମୁଠାଏ ଖାଇବାକୁ ଦେଲା । ନିଜେ ବାର୍ଲି ଟିକକ ପିଇ ବିଛଣା ରେ ପଡ଼ିରହିଲା । ବିପଦରେ ଜୀବନ ପ୍ରତି ବୈରାଗ୍ୟ । କୁଆଡ଼ୁ କେତେ ଗୀତ ମନେ ପଡ଼ୁଥାଏ । ଆଜି ଆଉ ମାନିଆର ରସ ରସିଆ ଗୀତ ଗାଇବାକୁ ମାନିଆର ଇଚ୍ଛା ହେଉନି । ମନବୋଧ ଚଉତିଷାରୁ ଏଠୁ ପଦେ ସେଠୁ ପଦେ ଛୁଟିଛି ମାନିଆ ପାଟିରୁ–

 

କହଇ ମନ ଆରେ ମୋ ବୋଲ କର

 

ଛଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା

 

ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି ।

 

ଇମିତି ଏଥିରୁ ସେଥିରୁ ଗାଉ ଗାଉ ନିଦ ହୋଇଯାଉଚି । ମହମବତୀ ଜଳି ଜଳି ଶେଷ ହୋଇଛି କେତେବେଳେ । ମାନିଆ ଦେଖିଛି ସୁଖ-ସ୍ୱପ୍ନ–କୁଡ଼ିଆ ବଦଳରେ ଚାରି ବଖରା ଘର ହୋଇଛି । କମି ଆସିଛି ତା’ ଘରକୁ ଘରଣୀ ହୋଇ । କି ସୁନ୍ଦର ଚାଲି, ଗଜଗମନ । ବାଉରି କୁଳରେ ଜନ୍ମ ହେଲେ କ’ଣ ହେଲା । ପଙ୍କରୁ ପଦ୍ମ । ଖତଗଦାରୁ ଫୁଲ ପରି କମି ରୂପ ଆଣିଛି । ମାନିଆର ଅଭାବ ନାହିଁ । ଦିହେଁ କମେଇ ଘରେ ଧନ ଭରି ଦେଲେଣି । କମି ପାଖରେ ଶୋଇଛି । ତୁନି ତୁନି କେତେ କଥା କହୁଛି ମାନିଆ ଆନନ୍ଦରେ ବିଭୋର ।

ହଠାତ୍‍ ପୁଷି ବିଲେଇର ରଡ଼ିରେ ନିଦ ଭାଙ୍ଗିଲା । ଦେଖିଲାବେଳକୁ ପୁଷି ଧରିଛି ଜବର ମୂଷାଟାଏ । ଆଜି ପାରିବାରପଣିଆ ଦେଖାଇଚି ଏକା । ମାନିଆକୁ ନିସତ ଲାଗୁଛି । ଜର ନ ଥିଲେ ବି ଦେହଟା ନିଜୋର ଲାଗୁଛି । ଯାହା ହେଉ ଶୋଇରହିଲେ ଆଉ ଚଳିବ ? ସାହୁକାର ଘର କାମ ପଡ଼ିଆ ରହିଛି । ଟିକିଏ ମୁହଁ ମାରି ଆସିଲେ ହେବ ।

ଉଠି ଧୀରେ ଧୀରେ ଚାଲିଲା ।

ସାହୁକାର ଘରର ସେତେବେଳକୁ କେହି ଉଠିନାହାନ୍ତି । ମାନିଆ ପିଣ୍ଡାରେ ବସିପଡ଼ିଲା-। ଟିକିଏ ପରେ କବାଟଟା ଧଡ଼୍‍କିନା ଖୋଲିଲା । ଧରମୁ ପଦକୁ ବାହାରି ଦେଖିଲେ–ମାନିଆ ବସିଛି-। ଆନନ୍ଦରେ ବିଭୋର ହୋଇପଡ଼ିଲେ । ସଚ୍ଚା ପୁଅ । ଏଇପରି ଚାକର ଯେ ଠିକ୍‍ ।

ପୁଣି ଦେଖିଲେ ମାନିଅ ଟିକିଏ ଶୁଖିଯାଇଛି । ହଠାତ ପାଣି କାଦୁଅରେ ଲଗେଇଦେଲେ ଜର ଲେଉଟିବ । ଭଙ୍ଗା ଧିଅ । ତାକୁ ଝୋଟଦଉଡ଼ି ବଳିବାକୁ ଦେଲେ । ଘରେ କହିଗଲେ–ଚୁଡ଼ା ଭଜା ଦି’ଟା, ଆଉ ଚାହା ଟିକିଏ ଦେବାକୁ । ତା’ର ପରା ଚାକର ହାରିଗଲେ ଅବସ୍ଥା ବାରଣ୍ଡା ଦି’କଡ଼ା ।

ମାନିଆ ଟିକିଏ ଆଶ୍ୱସ୍ତି ମାରିଲା । ବସି ବସି ଦଉଡ଼ି ବଳୁଛି | ଚୁଡ଼ାଭଜା ଓ ଚାହା ପେଟରେ ପଡ଼ିଲାରୁ ଦେହରେ ଟିକିଏ ତାକତ ହେଲାଣି । ସାଉକାରିଆଣୀ ଏତେବେଳେ ଦୁଇଟା ସଢ଼େଇ ଦେଇଗଲେଣି ଡଙ୍କା ଦୁଇଟା ବନାଇ ଦେବାକୁ । ଦୋକାନକୁ ଯେଉଁ ହରଡ଼ ଡାଲିଟା ଆସିଛି, ଯେତେ ସିଝେଇଲେ ସିଜୁନି । ପତର ଜାଳି ଜାଳି କେତେ ସିଝାଇବି । ଡଙ୍କାଟାଏ ହୋଇଗଲେ ଘୋରିବାକୁ ପଡ଼ିବ ।

 

ପ୍ରତିବାଦ କରିନି । ଆଗଭର ହୋଇ ଫୋଡ଼ି ବସିଛି ଡଙ୍କା । ତୁନି ତୁନି କରି ଶୁଣାଇ ଦେଇଚି ମାନିଆ– ମା, ଆଜି ଭାତ’ଦିଟା ଖାଇବାକୁ ଦେବ । ପାଟିକି କିଛି ରୁଚୁନି । ନିଚିପର କରି ବତା ଖଣ୍ଡେ ସାଉଁଳାଇ ଦେଲା । କି ସୁନ୍ଦର ଡଙ୍କା ! ମାନିଆ ଡଙ୍କାକୁ ସାଉକାରିଆଣୀଙ୍କର ବଡ଼ ଆଦର ।

 

ଦୁର୍ବଳ ଧିଅରେ ବି ମାନିଆ ଖୁବ୍‍ କାମ କରିଚି । ଛାଇତଳେ କରିଥିବାରୁ ବି ବାଧୁନି । ଖରା ବର୍ଷାର ମାଡ଼ ଖାଇ ଯେ କାମ କରେ, ଦିନେ ଛାଇତଳେ କାମ କଲେ ବି ତାକୁ ବିଶ୍ରାମ ମିଳେ-

 

ସାହୁକାର ବିଲରୁ ଫେରିଲେ । ଆଜି ପାଣି ଭଣ୍ଡାର ଚକଡ଼ାଟା ବଛା ସରିଲା । ଆଗ ଟିକିଏ ମାନିଆ ଆଗରେ ଦୁଇ ପଦ ବର୍ଣ୍ଣନା କରି ପକାଇଲା । ମନେ ପଡ଼ିଗଲା– ବହୁତ ଉଛୁର ହେଲାଣି । ମାନିଆ ଗଲେ ରାନ୍ଧି ଖାଇବ । “ଯାରେ ମାନିଆ ଯା, ଭଙ୍ଗା ଦେହ । କ’ଣ ଫୁଟାଇ ଦି’ଟା ଖାଇବୁ । ଅନ୍ନମୟୀ ପିଣ୍ଡ । ଅନ୍ନ ନ ପଡ଼ିଲେ ବଳ ଆସିବ କେଉଁଠୁ ? ବାଡ଼ିରୁ ଦି’ଟା ବାଇଗଣ ନେଇଯିବୁ ।’’

 

“ମାନିଆ ଏଇଠି ଆଜି ଖାଇବଟି ଯିବ, କୁଆଡ଼େ ? କହି ସୁଲୋଚନା ଗୋରୁ ହାଣ୍ଡିରୁ ପେଜ ଢାଳିଦେଲେ । ଝଲକାଏ ସେଥିରୁ ଗୋଡ଼ରେ ପଡ଼ିଗଲା । ସୁଲୋଚନା ପାଟି କରିଉଠିଲେ–ଜଳିଗଲା–ଜଳିଗଲା ।

 

ଧରମୁ ଦଉଡ଼ି ଯାଇ ଦୋକାନରୁ ବର୍ଣ୍ଣେଲ୍‍ ପୁଡ଼ିଆଟିଏ ଆଣି ସେ ସ୍ଥାନରେ ଲଗାଇଦେଲା । ମାନିଆ ଦୁଃଖିତ । ମା’ ପରଷିଥାନ୍ତେ ସେ ପେଟେ ଖାଇଥାନ୍ତା । ଯାହା ହେଉ ସାହୁକାର ନିଜେ ଖାଇବାକୁ ଦେଲେ ।

 

ବଡ଼ କଦଳୀପତ୍ର ଖଣ୍ଡିଏ । ସରୁ ଭାତ ଖଟା-ମିଠାଦିଆ ଡାଲି, ଆଳୁ ବାଇଗଣ ଭଜା, ମହୁରାଡ଼ି ମାଛର ରାଇ, ଲେମ୍ବୁ ଆଚାର, କଳା ଲଙ୍କାରୁ ଗୋଟେ ସାହୁକାର ଥୋଇଦେଲେ । ଦେଖୁ ଦେଖୁ ମାନିଆ ପାଟିରୁ ଲାଳ ବୋହିଲା । ଆଘ୍ରାଣେ ଅର୍ଦ୍ଧଭୋଜନ । ଯାହାହେଉ କେତେଦିନ ପରେ ଗଣ୍ଡିଏ ଖାଇବାକୁ ମିଳିଛି । ଗରିବ ରୋଗୀ ପକ୍ଷେ ଏ ତ ଅତି ମୂଲ୍ୟବାନ । ଧନୀ ହୋଇଥିଲେ କମ୍‍ଳା, ଅଙ୍ଗୁର, ଲୋଫ୍‍ ଆଦି ରୋଗୀ ଖାଆନ୍ତା । ଡାକ୍ତର ବଇଦ, ଇଞ୍ଜେକ୍‍ସନ୍‍ ଯାହାକୁ ଯେତେ । ମାନିଆ କୁଆଡ଼ୁ ପାଇବ ?

 

ବଦହଜମ ହେଲେ ହେବ, ଜର ଲେଉଟିଲେ ପଛେ ଲେଉଟିବ । ପେଟେ ଠୁଙ୍କିଲା ମାନିଆ । ଧରମୁ ବି ମନ ଜାଣି ସବୁ ଜିନିଷ ପଚାରି ଦୁଇତିନି ଥର ଦେଲାଣି । ସୁଲୋଚନା ବି ଗୋଡ଼କୁ ଦଶଥର ଆଉଁଷି ଆଉଁଷି ମାନିଆର ଖାଇବା ତତ୍ତ୍ୱ ନେଉଥାନ୍ତି । ପେଟ ପୂରିଲା ପରେ ମାନିଆର ଉଠିବା କାଠିକର ପାଠ । ଖାଲି ପେଟ । କଁ କଁ ଡାକୁଥାଏ । ଦେହଟା ବୁଲେଇ ଦେଉଥାଏ । ଘଡ଼ିଏ ଥକାପାରି ସେଇଠି ବସିଗଲା । ତା’ପରେ ଆସ୍ତେ ଆସ୍ତେ ଗୋଟିଇ ଅଇଁଠା ପତ୍ରଟି ଧରିଲା । ପୁଷି ପାଇଁ ହୋଇଯିବ । ଗୋବର ଟିକିଏ ଘଷିଦେଇ ମାନିଆ ଫେରିଲା। ଗଲାବେଳେ କହିଗଲା–‘‘ଆଜିକ ସାଉ, ଉପରଓରି ଆସି ପାରିବିନି । କାଲିକି ଆସିବି ।’’

 

ଧରମୁ ଉପରେ ହଁ କରିଦେଲେ । ମନେ ମନେ ଭାବିଲେ–ଆଜିକାଲି ଉପକାର ଯୋଗାଏ ନାହିଁ। ଔଷଧ ଦେଲି, ପଥି ଦେଲି, ଗ୍ରାସେ ଭୋଜନ ବି । ସେଥିରେ ମନଦେଇ କାମ କରିବାକୁ ଆସନ୍ତା କ’ଣ, ପୁଣି ଉପରବେଳା ଆସିବିନି । ଏଇ ଲୋକଗୁଡ଼ାକ ମୁହଁ ବଢ଼ାଇ ଦେଲେଣି । ଅଧା ଖଦଡ଼ ଅଧା ମିଲ୍‍ପୋଷାକ ପିନ୍ଧି ଦଳେ ନେତା ସେବକ ବନି ଯାଉଛନ୍ତି । ଖାଲି ମତାଇବାରେ ବ୍ୟସ୍ତ । ମୂଲିଆଙ୍କ ମୂଲ୍ୟ ବଢ଼ାଏ । ସାତ ଦିନରେ ଥରେ ଛୁଟି ଦିଅ, ତାଙ୍କ ପାଇଁ ଘର ତୋଳିଦିଅ । ଆରେ ପଇସାଗୁଡ଼ାକ କ’ଣ ମୋଫତ ପଡ଼ିଛି । ପଇସା କରିବାରେ ସାହୁକାର କ’ଣକମ୍‍ ଖଟୁଛି ? ସେମିତି କାମ କଲେ ସିନା ବଢ଼ାଇବ ? ଆଉ ସ୍ୱାଧୀନ ସ୍ୱାଧୀନ କହି, କାମରେ ଠକି, ମେଳି ବାନ୍ଧି, ଧର୍ମଘଟ କରି ପଇସା ବଢ଼ାଅ କହିଲେ କିଏ କରିବ ବାବୁ ।

 

ମାନିଆ ଧୀରେ ଧୀରେ ଯାଇ କୁଡ଼ିଆରେ ପହଞ୍ଚିଲା । ପୁଷି ବିଲେଇ ଦାଣ୍ଡ ପିଣ୍ଡାରେ ଏକଲୟରେ ଚାହିଁଥାଏ । ମୁନିବ ତା’ର ଆସିନି । ପଶୁର ବି ପ୍ରଭୁଭକ୍ତି ।

 

ମୁନିବକୁ ଦେଖିଲା କ୍ଷଣି ଧଡ଼ପଡ଼ ହୋଇ ଦଉଡ଼ି ଗଲା । ଗୋଡ଼ ସନ୍ଧିରେ ଗଳିପଡ଼ି ଟିକିଏ ଘଷିହୋଇ ମ୍ୟାଉଁ ମ୍ୟାଉଁ ଦିପଦ ବୋବାଇ ଦେଲା । ମାନିଆ କଦଳୀ ପତ୍ରଟି ତା’ ପାଖରେ ଥୋଇଦେଇ ଘର ଫିଟାଉଥାଏ । । ପୁଷି ଖୁସିରେ ଖାଇବାକୁ ବ୍ୟସ୍ତ । କାଳିଆ କୁକୁର ଜିଭ ଲହ ଲହ କରି ଗାଉଁ ଗାଉଁ କରି ମାଡ଼ି ଆସୁଥାଏ । ମାନିଆର ବଡ଼ ରାଗ ହେଲା । ତା’ ବାପା ଏ ଭାତ କମାଇଥିଲା କି ? ଖଣ୍ତିଏ ଟେକା ଧରି ଏପରି ଜୋରରେ ମାରିଲା ଯେ କାଳିଆ କୁକୁରଟିର ପଛପଟ ଗୋଡ଼ଟି ଛୋଟା । ଛୋଟେଇ ଛୋଟେଇ କାଳିଆ ପାର ସେଇଠୁ । ପୁଷି ଆରାମରେ ଖାଇ ମୁନିବ ପାଖରେ ଶୋଇଗଲା ।

 

ଅଳସ ଅଳସ ଲାଗୁଛି ମାନିଆ ନିଘୋଡ଼ ନିଦରେ ଶୋଇପଡ଼ିଲା । ବେଳ ଗଡ଼ି ଗଲାଣି-। ପାଇଟିଆ ମାନେ ଗୋଟିଏ ଗୋଟିଏ ଗଡ଼ୁଥାନ୍ତି । ମନଟା ତା’ର ହଜିଲା ହଜିଲାପରି ଲାଗୁଛି-। ଆଜି ଏତେବେଳଯାଏ କମିକୁ ଦେଖିନି । କମି ତାର ସେବାକାରିଣୀ ଆଖିର ନିଧି । ତା’ ଯୋଗୁ ସେ କାଲି ପାଇଛି ଜୀବନ । ଅଇଛୁକା ଏଇ ବାଟେ ଯିବ ବୋଧେ । କାମକୁ ତ ଆଜି ଯିବନି-। ହେଲେ ଏ ଚାକୁଣ୍ଡା ବଣଟାକୁ ସଫା କରିଦେଲେ ହେବ । ଘର ସଫା ହେବ, କମି ସଙ୍ଗେ ଦେଖା ମିଳିବ ।

 

ମାନିଆ ଉଠିଲା, ପଦାକୁ ବାହାରିଲାବେଳକୁ ମୁଣ୍ଡଟା ଦୁଆର ବନ୍ଧରେ ଢାଏକିନା ପିଟି ହୋଇଗଲା। ଭ୍ରମିଗଲା ମୁଣ୍ଡ । ଘଡ଼ିଏ ଥକା ହୋଇ ବସିପଡ଼ିଲା । କଥାରେ କହନ୍ତି ଘରେ ନ ପଶୁଣୁ ଚାଳ ବାଜିଲା । ଗୋଟିଏ କାମ କରିବାକୁ ଗଲାବେଳକୁ ଅଶୁଭ ସଂକେତ । କିଛି ବିଘ୍ନ ଘଟିବ ବୋଧେ, ବିଘ୍ନ ଗୋଟେ କ’ଣ ? ଅସାବଧାନ ହୋଇ ବାହାରି ପଡ଼ୁଥିଲା, ମୁଣ୍ଡ ବାଜିଗଲା । ସେଥିରେ ଶୁଭ ଅଶୁଭ କ’ଣ ।

 

ପୁଣି ମାନିଆ ବାହାରିଲା । ଚାକୁଣ୍ଡାଗୁଡ଼ାକ ଉପାଡ଼ି ଗଦାଇ ଦେଉଥାଏ । ବାଉରାଣୀମାନେ ସେଇବାଟେ ଯାଉଥାନ୍ତି । କହୁଥାନ୍ତି–ମଲା ମୋର ! ଶାଗ ଦିଟା ମନିଷ ଖାଉଥିଲା । ଏଗୁଡ଼ାକ ଉପାରି ପକାଉଛି କାହିଁକି ମ ? ପୁଅକୁ ଥାନ ଦେଲାରୁ କୁରୁରୁଚି ।

 

ମାନିଆର କାହା କଥାକୁ ଖାତିର ନାହିଁ । ସେ ଯାହା ବୁଝୁଚି ତାହା କରିବ । ମଶାଗୁରା ତାକୁ କାମୁଡ଼ିଲା ବେଳେ ବାଉରାଣୀମାନେ ହୁରୁଡ଼ାଛନ୍ତି କି ? ସେ ଏମାନଙ୍କ କଥା ଶୁଣି ଡରିଯିବ । ତା’ କାମ ଚାଲିଥାଏ । ଧାଙ୍ଗଡ଼ୀ ଦଳେ ଗୀତ ଗଇ ଗାଇ ଚାଲିଗଲେ । ଜଣେ କହୁଛି–କମି ଆସିନି କିଲୋ ?

 

ଆଉ ଜଣେ କହୁଛି– କମି ଏବେ ଧାଙ୍ଗଡ଼ୀ ଛାଡ଼ି ଧାଙ୍ଗଡ଼ା ସାଙ୍ଗ ଧରୁଚି ପରା । ସେ ପଛେଇ କରି ଆସିବ । ନ ହେଲେ ନାଗର ଭେଟ କରିବେ କିମିତି ।

 

ବେଶୀ ଉପରିଠାଉରୀ ଝିଅଗୁଡ଼ାକ । ଧିଅରେ ଯାଉନି ପରା ! ସଫା କରିକରି ମାନିଆ ଗୋଟାଏ କିଆବାଡ଼ ପାଖେ ପହଞ୍ଚି ଗଲାଣି । ଦୂରରୁ ଆସୁଛି କମି । ଆହା ଚମ୍ପା ଫୁଲଟିଏ ତ । କିମିତି ଢଳି ଢ଼ଳି ଆସୁଚି । ଏକଲୟରେ ଅନେଇଛି ମାନିଆ । କପାଳ ଲିଖନ କେ କରିବ ଆନ । ଓହୋ ! ମଲି ଲୋ, କହି ପଡ଼ିଗଲା ମାନିଆ ଚାକୁଣ୍ଡା ଗଦା ଉପରେ ।

 

ଚମକି ପଡ଼ିଲା ଗଉରା ଭୋଇ । ମାନିଆର କ’ଣ ହେଲା ? ଓଃ ତମ୍ପ ସାପଟା ଚୋଟ ମାରି ପଳାଇଲା । କମି ଆସି ପହଞ୍ଚି ଗଲା କ’ଣ ହେଲା, କ’ଣ ହେଲା ଗୌରା ଦାଦା ?

 

ଆଲୋ ବେଗେ ଦଉଡ଼ୁ ସାହୁକାର କତିକି । ମାନିଆକୁ ତମ୍ପ ସାପ କାମୁଡ଼ିଛି ଲୋ । ସଅଳ ନଗଲେ ବିଚରା ମରିଯିବ। ଦିଅଁଙ୍କ ଚାକୁଣ୍ଡା ବଣ । କାହାକୁ ନ ପଚାରି ଉପାରି ପକାଇଲା । ଏବେ ପାଇଲା ।

 

ଆହା ମଣିଷ ଜୀବନ । କେତେବେଳେ କ’ଣ ଘଟିଯାଉଚି । କାଲି ବିଚରା ଜରରେ ଗଡ଼ୁଥିଲା, ଆଜି ପୁଣି ତମ୍ପ ସାପର ଦାଉ । କା’ର କ’ଣ କ୍ଷତି କରିଚି ବିଚରା । ଭଲ କାମଟାଏ ତ କରୁଥିଲା, ଝଅଟି ଧପଡ଼ିଲା କମି ସାହୁକାର ଦୋକାନକୁ।

 

ସାହୁକାର ରାମାୟଣରୁ ଦି’ ପଦ ଗାନ କରୁଥାନ୍ତି । ସଇଁସଇଁ ହୋଇ ଯାଇ କମି କହିଲା–ଅଜା, ଅଜା ମାନିଆକୁ ତମ୍ପ ସାପ କାମୁଡ଼ିଛି ।

 

ହେଁ ! ଚମକି ଉଠିଲେ ଧରମୁ । ଟୁଣୁକା ଟୁଣୁକି ଧରି ଧାଇଁଲେ । ମାନିଆ ପରା ଚାକର-। ଆଗରୁ ବରଷକର ବରତନ ନେଇଯାଇଛି । ମରିଗଲେ ଇହାପ ବହୁତ କ୍ଷତି । ଗଲାବେଳକୁ ଗଉରା ତାକୁ ଟେକି ପିଣ୍ତାରେ ପକାଇଛି । ହୋସ୍‍ ଆସିନି । ‘‘ଆରେ ! ଆଗ ଗୋଡ଼ଟାକୁ ବାନ୍ଧିଦିଅ-।’’ କହି ଗାମୁଛାଟିଏ ପକାଇଦେଲେ ।

 

ନାଥ ଗୁଣିଆ ଝାଡ଼ିବାରେ ବ୍ୟସ୍ତ । କାହିଁ ହୋସ୍‍ ଆସୁନି । ବିଷ ଦେହରେ ଚରିଗଲାଣି ବୋଧେ । ସମସ୍ତେ ବ୍ୟସ୍ତ ହେଉଥାଆନ୍ତି । ବାଇସାଇକେଲ ଚଢ଼ି ସମସ୍ତେ ସେଇବାଟେ ଯାଉଥାନ୍ତି କର୍ମୀ ଦେବେନ୍ଦ୍ର– ଗାନ୍ଧିଙ୍କ ପଟ୍ଟଶିଷ୍ୟ । ଭୋଟ ପାଇବା ଆଶାରେ ନୁହେଁ, ମନ୍ତ୍ରୀ ଏମ୍‍. ଏଲ.ଏ ହେବା ଉଦ୍ଦେଶ୍ୟରେ ନୁହେଁ, ଜନତା ସେବାରେ ସେ ଦିନକୁ ପାଞ୍ଚ ଘଣ୍ଟା ଦିଅନ୍ତି । ହୋମିଓପାଥି ଦୋକାନ। ଆୟ ସଂସ୍ଥାରେ ଛଅ ଘଣ୍ଟା । ବାକି ସମୟ ବିଶ୍ରାମ ଓ ଉନ୍ନତ ଭାବନା ।

 

ଏତେଗୁଡ଼ାଏ ଲୋକ କାହିଁକି ରୁଣ୍ଡ ହୋଇଛନ୍ତି ବୋଲି ଧଅସି ଓହ୍ଲାଇପଡ଼ି ସେଠାକୁ ଗଲେ । ଅବସ୍ଥା ବୁଝିବାକୁ ବେଶୀ ବେଳ ଲାଗିଲାନି। ଲୋକମାନଙ୍କୁ ଆଡ଼େଇ ଦେବାକୁ କହି ଔଷଧ ବାକ୍ସରୁ ଇଞ୍ଜେକ୍‍ସନ ଟିଏ କାଢ଼ି ଫୋଡ଼ିଦେଲେ । ପାଞ୍ଚମିନିଟ ପରେ ହୋସ୍‍ ଆସିଲା । ଔଷଧ ପରେ ଔଷଧ ଦିଆ ଚାଲିଥାଏ ।

 

ଘଡ଼ିକୁ ଘଡ଼ି ନିମ୍ବପତ୍ର ଚାଖିବାକୁ ଦିଆଯାଉଥାଏ । ମାନିଆ କ୍ଷୀଣ କଣ୍ଠରେ କହୁଥାଏ– ମଧୁର ଲାଗୁଚି ।

 

ସମସ୍ତେ ଜଗି ରହିଛନ୍ତି ।

 

ବେଳ ରତରତ । ଆଜି ବଡ଼ ଶୁଖିଲା ପାଗ । ଆକାଶ ମେଘମୁକ୍ତ । ଶରତର ଅଷ୍ଟମୀ ଜହ୍ନ ଉଇଁ ଆସିଲାଣି । ବାଉରି ସାହିରେ ଏଇନା ଘୁମୁରା ମାଡ଼ ଆରମ୍ଭ ହୋଇଯାଆନ୍ତାଣି । କିନ୍ତୁ ଏ ବିପଦବେଳେ ସବୁ ଲୋକ ସେଇଠି । କିଏ ଥାନ୍ତେ କି ନଥାନ୍ତେ– ଦେବେନ୍ଦ୍ର ବାବୁ ଯେତେବେଳେ ବିରାଜମାନ କରୁଛନ୍ତି କିଏ ଯାଉଚି । ଭାରି ଖାଣ୍ଟି ଲୋକ । ମୁହେଁ ମୁହେଁ ସବୁ ବତାଇଦେବେ–ମଣିଷ ନା ପଶୁଗୁଡ଼ାଏ ତମେ,ବିପଦରେ ଜଣେ ପଡ଼ିଛି, ତାକୁ ଛାଡ଼ି ପଳାଇବ ? ଧରମୁ ବି ଛଟପଟ । ସିଆଡ଼େ ପୋଢ଼ୁଅ, ବଳଦ ବନ୍ଧା ହେଲେଣି କି ନାହିଁ । ଦୋକାନରେ କେତେ କ’ଣ ବିକ୍ରିବଟା ହୁଅନ୍ତାଣି । ଏଇ ମାନିଆ ଯେଉଁଠି ଥିବ ଟିକିଏ ଚେରେଇଲେ ଅବାନ୍ତର କାମ କରିବ । ଚାଲିଲା ଶଗଡ଼ରେ ହାତ ଦବ । ଶେଷକୁ ନିଜେ ହରକତ ହେବ– ଆଉ ପାଞ୍ଚ ଜଣଙ୍କୁ ହରକତ କରିବ ।

 

ଦେବେନ୍ଦ୍ର ବାବୁକୁ ଧରମୁର ହାଲ୍‍ଡର । ଦେବେନ୍ଦ୍ରବାବୁ କ’ଣ ବିନୋବା ଆନ୍ଦୋଳନରେ ମିଶିଛନ୍ତି, କେତେବେଳେ ଜମି ମାଗିବେ । ମୂଲିଆମାନଙ୍କୁ ବି ମତାନ୍ତି–କ’ଣ ମତାଇଦେବେ । ଜିନିଷ ପତ୍ର ଦରଦାମ ବି ବତାନ୍ତି । କେତେବେଳେ ଦୋକାନର କ୍ଷତି ହୋଇଯିବ । ଦେବେନ୍ଦ୍ର ବାବୁ ଡାକପକାଇଲେ– ଧରମୁ ।

 

“ଆଜ୍ଞା’’ କହି ହାତଯୋଡ଼ି ହୋଇ ଧରମୁ ଠିଆ ହେଲେ ।

 

‘‘ଯାଅ, ଗୋଟାଏ ଲଣ୍ଠନ ଆଣ । ଏପରି ରୋଗୀ କ’ଣ ଅନ୍ଧାରରେ ପଡ଼ିଥିବେ ?’’

 

“ହଉ ଆଜ୍ଞା!’’ କହି ଧରମୁ ଦଉଡ଼ିଲେ । ସୁଲୋଚନାକୁ ଲଣ୍ଠନଟି ଲଗାଅ କହି ଟିକିଏ ଗୁହାଳଆଡ଼େ ଆଖି ପକାଇଦେଲେ । ସବୁ ଠିକ୍‍ ଅଛି । ସୁଲୋଚନା ଲଣ୍ଠନଟି ଲଗାଇବାକୁ ଗଲାବେଳକୁ ଫିତା ନାହିଁ । ନସରପସର ହୋଇ ଆସି କହିଲେ–ହଇହେ ! ଫିତା ପରା ନାହିଁ ।

 

ଧରମୁ ଟିକିଏ ବିଗିଡ଼ିଗଲେ । ଚିଡ଼ିଉଠି କହିଲେ– ତମର ଯଉେଁ ଘରକରଣା ବୁଦ୍ଧି । ବୁଢ଼ୀଟିଏ ହେଲଣି– ଅକଲ ଟିକେ ନାଇଁ । ବାହାଘରବେଳକୁ ବାଇଗଣ ରୋଉଥିବ ।

 

ସୁଲୋଚନା କହିଲେ– ମୁଁ କ’ଣ କରିବି ? ଏଇ କେତେଦିନ ହେଲା ତ ଲଣ୍ଠନ ଜଳୁନି । ପୋଲାଙ୍ଗ ତେଲ ଦୀପରେ କାମ ଚଳୁଛି । ଲଣ୍ଠନଟି କିଏ ଦେଖିଥିଲା କି ଆଗରୁ ଫିତା ଅଛି କି ନାହିଁ ଦେଖିଥାଆନ୍ତା ? ତମର ତ ସରିଯିବ ବୋଲି କିରାସିନି ଟିକେ ଦଉନ ଯେ ମଣିଷ ଯୋଉ ହଇରାଣ ହୋଇ ସବୁ କାମ ଚଳାଉଛି । ଏତେ ରାଗ କାହିଁକି ମ ? କେଉଁ ବସେଇ ପୋଷୁଛ କି ? ହକ୍‍ ତ ଗୁହାଳ ଗୋବରଠୁଁ ସବୁ କଲେ ଦି’ବେଳା ଦି’ଥର ଖାଉଛି । ବୋରାବୋରି ଏତେ କାହିଁକି ମ-?

 

ଧରମୁ ଟିକିଏ ଦବିଯାଇ କହିଲେ– ହଉ ହଉ, ଅବତରିବାଟା ପଛକୁ ଥାଉ । ଆଗ ଚାବିଟା ଦବଟି ଫିତା ଖଣ୍ଡେ ଆଣେ ।

 

ରାଗିଯାଇ ସୁଲୋଚନା କହିଲେ– ଚାବିଫାବି ମୁଁ କିଛି ଦେଖିନି ।

 

ଧରମୁ ଯାଇ ଥାକଟି ଦରାଣ୍ଡିଲେ– ଚାବି ନାହିଁ। ଆରେ ଚାବିଟା କୁଆଡ଼େ ଗଲା ? ଏଇଠି ତ ସବୁଦିନ ରଖିଥାଏ । ଆଉ ହେବ ନାହିଁ । ଏ ଘରେ ସବୁ ହରଣଚାଳ ।

 

ପୁଣି ସୁଲୋଚନା ଚିହିଁକି ଉଠିଲେ । ଏ ଘରେ ସବୁ ଚୋରଣୀ ଭରତି ହୋଇଛନ୍ତି ଯେ ସବୁ ହରଣଚାଳ ହୋଇଯାଉଚି । ତୁମେ ତ ଦୋକାନରୁ ମାନିଆ ପାଖକୁ ଯାଇ ମଲ ଯେ ଏତେବେଳକୁ ଆଉଚ । ଚାବି କେତେବେଳେ ଥାକରେ ରଖିଲ ?

 

ଠିକ୍‍ ମନେ ପଡ଼ିଲା, ଧରମୁ ଅଣ୍ଟା ଦରାଣ୍ଡିଲେ– ଅଣ୍ଟାରେ ଚାବି । ଆରେ, ହରବରବେଳେ ହୋଇ ମଣିଷ ଏପରି ହୁଏ । କିଛି ନ କହି ଦୋକାନକୁ ଚାଲିଗଲେ । ଫିତା ଖଣ୍ଡେ ଦୋକାନରୁ ଆଣି ଲଣ୍ଠନ ନିଜେ ସଜାଡ଼ି ବସିଲେ ।

 

ସୁଲୋଚନା ମୁହଁକୁ ଫଣ ଫଣ କରି ପଚାରିଲେ– ଚାବି କେଉଁଠି ଥିଲା ?

 

ଧରମୁ ବିଚରା ଟିକିଏ ଡରିଗଲେ । ହସି ହସି କହି ପକାଇଲା–ଥାକ ଉପରେ ।

 

ଥାକ ଉପରେ ! ଲାଜ ନାହିଁ ସେ ମୁହଁକୁ । ଏପରି ଲଙ୍ଗଳା ମଣିଷ ! ନିଜ ଦୋଷ, ଆଉ କାହାର ହୋଇଥିଲେ ଏଇନା ଲଙ୍କା ଗଡ଼ରେ ନିଆଁ ଲାଗିଥାନ୍ତା ।

 

ଧରମୁ ହାତଟା ନେଇ ଟିକିଏ ସୁଲୋଚନା ଙ୍କ ଗାଲରେ ଲଗାଇଦେଲେ । ‘ଯା ବେ ଯା ରସିକ ପଣିଆ ।’

 

ବହୁତ ଡେରି ହୋଇଗଲାଣି । ଦେବେନ୍ଦ୍ର ବାବୁ ରାଗୁଥିବେ । ଲଣ୍ଠନଟି ଲଗାଇ ଧରମୁ ଦଉଡ଼ିଲେ । ପବନ ଟିକିଏ ଦଉଥାଏ ବାଟରେ ଲଣ୍ଠନଟି ଲିଭିଗଲା । ସେଇଠାରେ ଲଗାଇବ କହି ଧାଇଁଲା ସମସ୍ତେ ଅନାଇଥାନ୍ତି । କାହିଁ ଆଲୁଅତ ଦିଶୁନି । ଧରମୁ ପହଞ୍ଚିଲେ ଲଣ୍ଠନ ସେଠାରେ ଲଗାଇଲେ।

ଗଉରା ଡବଡ଼ବାଟା କହିପକାଇଲା– ସାହୁକାର ଆମର କେଡ଼େ ଚାଲାକ । ଲଗେଇ କରି ଆସିଲେ ବାଟରେ ତେଲ ସରିଯିବ, ସେଥିପାଇଁ ସାଉ ଖାଲି ଲଣ୍ଠନ ଧରି ଆସିଛନ୍ତି ।

ଦେବେନ୍ଦ୍ରବାବୁ ବି ହସି ପକାଇଲେ । ଆଉମାନେ ହସି ଦେଲେ । ଧରମୁ ଟିକିଏ ଲଜ୍ଜିତ ହେଲେ । ପବନରେ ଲଣ୍ଠନ ଲିଭିଲା, ଥଟ୍ଟାରେ ସମସ୍ତେ ଉଡ଼ାଇଦେଲେ । ସମାଲୋଚନାର ଯୁଗ । ତିନି ତୁଣ୍ଡରେ ଛେଳିକୁକୁର । ଧରମୁ ତୁନିପଡ଼ିଲେ ଗଉରା ମଡ଼କ ମାରିବେ ।

ନିମ୍ବପିତା ଲାଗିଲା ମାନିଆକୁ । ବିଷ ଛାଡ଼ିଲା । ସମସ୍ତଙ୍କ ମୁହଁରେ ଆନନ୍ଦ । ବାର୍ଲି ଟିକିଏ କରିଦିଅ କିଏ । ଦେବେନ୍ଦ୍ର ବାବୁ କହୁଛନ୍ତି ଝିଅ ପିଲା ତ କେହି ନାହିଁ । ଏକା କମି । ଦେବେନ୍ଦ୍ର ବାବୁ କହିଲେ– କମି ଯା’ ଚୁଲିଟା ଲଗା ।

କମି ଧଡ଼ପଡ଼ ହୋଇଗଲା । ଚୁଲି ଲଗାଇଦେଲା । ବାର୍ଲି ତିଆରି ହୋଇଗଲା । ଆସ୍ତେ ଆସ୍ତେ ଲୋକେ ଯେ ଯୁଆଡ଼େ ଗଲେ । ଏକା ରହିଲା କମି । ବାର୍ଲି ପିଆଇ କରି ଯିବ ।

ଧରମୁ ଟର୍ଚ୍ଚଟି ମାରି ଦେବେନ୍ଦ୍ରବାବୁଙ୍କୁ ଛାଡ଼ିବାକୁ ଗଲା । ଯେଉଁଠି ଅନ୍ଧାରିଆ ପଡ଼େ ସେଠି ଟର୍ଚ୍ଚ ମାରନ୍ତି । ବାକି ଜହ୍ନ ଆଲୁଅରେ ଦୁହେଁ ଯାଉଥାନ୍ତି । ଦେବେନ୍ଦ୍ର ବାବୁ କହିଲେ– ଦେଖେ ଧରମୁ ମାନିଆଟି ତୁମର ଭଲ ହଳିଆ । ତା’ ପାଇଁ ଭଲ ଘର ଖଣ୍ଡେ କରିଦିଅ । ତୁମର ଏତେଆଡ଼େ ଏତେ ଥାନ ପଡ଼ିଛି, ତାକୁ ଏ ଅରମା ଜାଗାରେ ତାକୁ ରଖନି । ଯାହାଠୁ କାମ ଆଦାୟ କରିବା ତାଠୁ ସୁଖ ଦେଖିଲେ ଆମର କିଛି କ୍ଷତି ହେବନି । କୃତଜ୍ଞ ହୋଇ ବରଂ ସେ ଆମକୁ ଅଧିକ ଲାଭ ଦେବ । ବିପଦବେଳେ ଜୀବନ ଦେବ ।

ଏସବୁ କଥା ଧରମୁକୁ ଆଦୌ ଭଲ ଲାଗୁନି । ତଥାପି ଦେବେନ୍ଦ୍ର ବାବୁଙ୍କୁ ଉତ୍ତର ଦେବାକୁ ପଡ଼ିବ । କହିଲେ– ହଁ ଆଜ୍ଞା ମାତ୍ର ସେ ପିଲାଟି ବୁଝେନି । ତାକୁ ଅନେକଥର କହିଲିଣି ଆମ ଗୁହାଳ ଘରକୁ ଲାଗିଥିବା ଘରେ ରହିବାକୁ । ସେ ମଙ୍ଗୁନି ।

ଦେବେନ୍ଦ୍ରବାବୁ ଟିକିଏ ହସି କହିଲେ–ବୁଝିଲନି ଧରମୁ ! ସ୍ୱାଧୀନତାର ଆସ୍ୱାଦ ସମସ୍ତେ ପାଇବାକୁ ଚାହାଁନ୍ତି, ତୁମ ଘରପାଖେ ରହିଲେ ତୁମେ ସବୁବେଳେ କାମ ବତାଇବ । ହେଲେ ସେ ଆଉ ମନଇଚ୍ଛା କେତେବେଳେ ଚଳିବ ? ସେଥିପାଇଁ ସେ ଦୂରରେ ରହିବାକୁ ଚାହିଁବ । ତୁମ ଦୂରରେ ଥିବା ଡିହରେ ଘର ତୋଳିଦିଅ ।

‘‘ହଉ ଦେଖିବିଆଜ୍ଞା !’’ କହି ଧରମୁ କହି ବିଦାୟ ନେଇ ଘରକୁ ଗଲା । ଭାବୁଥାଏ–ଦେବେନ୍ଦ୍ର ବାବୁଙ୍କର ଏ କଥାଗୁଡ଼ାକ ଅଡ଼ୁଆ । ହଳିଆ ତ ତା’ର ମାସିକ ବେତନ ଓ ବରତନ ସବୁ ନେଉଛି, । ତା’ ଘରେ ସେ ଯେମିତି ରହିବ । ମୁଁ ଗୋଟାଏ ଘର ତୋଳି ଦେବି କାହିଁକି ।

ସରକାରୀ ଚାକିରିଆ ବି ତ ସମସ୍ତେ ସରକାରଙ୍କ ତୋଳା ଘର ପାଉ ନାହାନ୍ତି । ମୁଁ ଗୋଟାଏ କେଉଁ ଚାଷୀର ଚାଷୀ । ପୁଣି ବିନୋବା ଆନ୍ଦୋଳନ ଏଇଠି ଲାଗିଲେ କେତେ ଯିବ । ସେଥିରେ ମାନିଆ ପାଇଁ ଘରଟିଏ ତୋଳିବି । କାଲି ଗଉରା ପାଇଁ, ପରଦିନ କମି ପାଇଁ । ପାରିବି ନାହିଁଲୋ ବାପା । କାଦୁଅରେ ଗୋଡ଼ ପୂରାଇବି କାହିଁକି, ଗୋଡ଼ ଲାଖିବ କାହିଁକି ।

 

ଏଇପରି ଭାବି ଭାବି ଚାଲିଛନ୍ତି ଆଗକୁ । ସଡ଼କ ଉପରେ କିଏ ଗୋଟିଏ କଣ୍ଟା ଡାଳଟିଏ ଛାଡ଼ିଯାଇଛି । ପଡ଼ିଗଲା ପାଦ ଗଳିଗଲା ତିନିଟା କଣ୍ଟା । ଛୋଟେଇ ଛୋଟେଇ ଘରକୁ ପଶିଗଲେ । ମରିଗଲି ଲୋ ହେ, ମରିଗଲି ଲୋ ହେ ।

 

ରାଗରେ ଶୋଇଥିଲା ସୁଲୋଚନା । ରାନ୍ଧ ନାହିଁକି ବଢ଼ା ନାହିଁ । ସ୍ୱାମୀଙ୍କର ଏପରି ଚିତ୍କାରରେ ନିଦଟା ଝଟ୍‍କିନ ଭାଙ୍ଗିଗଲା । ଛାତିଟା ଧପ୍‍ ଧପ୍‍ ପଡ଼ିଲା ଉଠିଲା । କ’ଣ ଅଘଟଣ ଘଟିଲା କି? ଯେତେ ରାଗିଲେ ବି ସେ ଯେ ସୁଲୋଚନାଙ୍କ ମଥାର ସିନ୍ଦୂର, ହାତର କାଚ । ତାଙ୍କ ଯୋଗୁ ସବୁ । ଧଡ଼ପଡ଼ କରି କବାଟ ଖୋଲିଦେଲା । ଝରଝର ହୋଇ ରକତ ବୋହିଯାଉଚି । ଦୀପଟା ଆଣି କ’ଣ ହେଲା– କ’ଣ ହେଲା ବୋଲି ରନ୍ଥାଳି ହୋଇଗଲେ ।

 

କରୁଣ ସ୍ୱରରେ ଧରମୁ କହିଲେ–ଗୋଡ଼ରେ ତିନିଟା କଣ୍ଟା ଗଳିଯାଇଛି । ବଡ଼ ବିନ୍ଧୁଚି । ଟିକିଏ ରଘୁ ବାରିକକୁ ନ ଡାକିଲେ ଚଳିବନି । ସୁଲୋଚନା ଧଅସି ଦଉଡ଼ିଗଲେ ଦୁଆର ମୁହଁରେ ପାହାଚରେ ବୁଢ଼ା ଆଙ୍ଗୁଟିଟା ବାଡ଼େଇ ହୋଇଗଲା । ଟିକିଏ ଫାଟିଯାଇ ରକତ ବି ବୋହୁଛି । ହେଲେ ବି ସୁଲୋଚନା ସେତିକି ଖାତିର୍‍ ନ କରି ଧାଇଁଗଲେ ରଘୁ ବାରିକ ଘରକୁ । ଦାଣ୍ଡରେ ଡାକିଲେ– ରଘୁଆ ରଘୁଆ !

 

ରଘୁଆ ଯାଇଥିଲା ଆମ୍ପରକୁ ନିମିତ୍ତ ଖାଇ । ବିରିଡାଲି ଟିକିଏ ଜୋରେ ଚଢ଼ାଇ ଦେଇଥାଏ । ପେଟକୁ ମାରୁଛି । ମା ଲୋ, ବୋପା ଲୋ ବୋଲି ଗଡ଼ୁଛି । ତା’ ମା’ ଆସି କବାଟ ଫିଟାଇଲା । ‘‘ସାଉଆଣୀ ଏତେବେଳେ କ’ଣ, ଗରଜ ପଡ଼ିଲା ।

 

ସାଉଆଣୀ ସବୁ କହିଲେ । ରଘୁଆ ମନାକଲା ପାରିବନି । ଅନ୍ଧାରକଣା, ପୁଣି ପେଟ ମାରୁଛି । ନିଜେ ରଘୁଆମା’ ନହୁରାଣୀ ଧରି ଆସିଲା । ଗୋଡ଼ରୁ କଣ୍ଟାଗୁଡ଼ାକ ବାହାର କରିଦେଲା । ଅମୃତାଞ୍ଜନ ଟିକିଏ ଧରମୁ ଲଗାଇଦେଲେ । ସେତେବେଳକୁ ତାଙ୍କର ଦୃଷ୍ଟିପଡ଼ିଲା ସୁଲୋଚନାଙ୍କ ଗୋଡ଼ ଆଙ୍ଗୁଠି ଉପରେ ।

 

“ତୁମର କ’ଣ ହେଲା ? ଅମୃତାଞ୍ଜନ ଲଗାଇ ବାନ୍ଧିଦିଅ । “ନାଇଁଲୋ ମାଆ, ଯୋଉଁ ପୋଡ଼ିବ–ମୋର ଦରକାର ନାହିଁ । ଆରେ ! ତମେ ଏତେ ଡରକୁଳୀ । ନଇଲେ ଚିନି ଟିକିଏ ଗୋଡ଼ରେ ଦେଇ ବାନ୍ଧିଦିଅ ।’’

 

ରଘୁଆମା’ ସେତିକି କରିଦେଲା । ଗଲାବେଳକୁ ଚାରି ପଇସା, ଆମ୍ବ ଆଚାର ଟିକିଏ ସୁଲୋଚନା ଧରାଇ ଦେଲେ । ରଘୁଆମା’ ସେତକି ଧରି ପୁଅ ପେଟବଥା ପାଇଁ ଔଷଧ ମାଗିଲା । ଧରମୁ ପେଟମରା ପାଉଡ଼ରରୁ ପାନେ ଦେଲେ । ଖାଇ ଗରମ ପାଣି ପିଇଦେବ । ରଘୁଆମା’ ଝପଟିଲା ।

 

ଧରମୁକୁ ପ୍ରବଳ ଭୋକ । ‘‘କ’ଣ କରିଛ, ଆଣ ଖାଇବା । ସୁଲୋଚନା ହାତେ ଜିଭ କାମୁଡ଼ି ଠିଆ ହେଲେ ।

 

ନିଶାରେ ମସଗୁଲ ରଥିଆ । ବିଚ୍‍ ସଡ଼କ ଉପରେ ଏପଟକୁ ସେପଟ ଢଳିଢଳି ଚାଲିଛି-। କେତେବେଳେ କେତେ ଗୀତ । ହସ ସେ ପୁଣି ଚହଟି ଆସୁଛି । କେତେବେଳେ କାନ୍ଦି ପକାଉଛି । ଆଉ ମଝିରେ ମଝିରେ ରାଗି ଯାଉଚି । ଭଦ୍ରଲୋକ ସେଇବାଟେ ଯିବାକୁ ଡରିଲେଣି ।

 

ଟାଟା ସହର । କେତେପ୍ରକାର ବାବୁ, ବାବୁଆଣୀ ସାନ୍ଧ୍ୟ ଭ୍ରମଣରେ ବାହାରନ୍ତି । ଇଏ ଗୋଟାଏ କ’ଣ ବାଟରେ ନିଶାରେ ଢଳୁଥିବ । ବାବୁଆଣୀ ରାଗିଯାନ୍ତି । ନିଶା ଜିନିଷଗୁଡ଼ାକ ସରକାର ବନ୍ଦ କରୁ ନାହାନ୍ତି କାହିଁକି ? କିନ୍ତୁ ନିଜ ସ୍ୱାମୀ ଯେତେବେଳେ ବିଲାତି ମଦ ଟିକିଏ ପିଇ ଆଖିଲାଲ ଲାଲ କରନ୍ତି । ସେତେବେଳେ କିଛି କରିପାରନ୍ତିନି । ପାଇଲେ ନିଜେ ବି ଦିନେ ଦିନେ ଅଧା ବୋତଲ ଚଲାନ୍ତି ।

 

ସେଇଟା ନିଆରା–ଏଇଟା ନିଆରା । ନିଜ ଘରେ ଯିଏ ଯାହା କରୁ । ୟା ବୋଲି କ’ଣ ଦାଣ୍ଡରେ ବାଟ ରେ ଏପରି ହେବ । ଲୋକେ କ’ଣ ଭାବିବେ ?

 

ତା’ କିମିତି ହେବ । ନିଜ ଘରେ ଯାହା ମନ ତାହା କେମିତି କରିପାରିବ । ବାବୁ ବାବୁଆଣୀ ଯଦି ସଭ୍ୟତା କାଇଦାରେ ବିଲାତି ମଦ ପିଇବେ, କୁଲି-ମଜଦୁର ଲୋକ କ’ଣ ଶିଖିବେ-

 

ସ୍ତ୍ରୀଟି ଯେଉଁଦିନ ଚାଲିଗଲା । ରଥିଆକୁ ପୃଥ୍ୱୀ ପିତା ଲାଗିଲା । ଝିଅଟି ଛାଡ଼ି ଦେଇଗଲା । କିଏ ତାକୁ ସମ୍ଭାଳିବ । ଦାଦି ଖୁଡ଼ୀଙ୍କୁ ସମର୍ପି ଦେଇ ବାହାରିଲା ଟାଟା । ଦିନ ଯାକ ହାଡ଼ ବନ୍ଧା କାମ କରେ । ଦେହ ବଥାଏ । ଘରଟା ତ ଖାଲି । କାହା ପାଖରେ ବସି ଦେହର ବ୍ୟଥା ତୁଟାଇବ । କମିବୋଉ ଥାଆନ୍ତା, ତେଲ ଟିକେ ଘଷିଦେଇ ମିଠା କଥା କହନ୍ତା । ତା’ ପାଖରେ ମଣିଷର ନରମ ସ୍ପର୍ଶ ପାଇ ରଥିଆର ଶିଥିଳ ରକ୍ତ ପୁଣି ଗରମ ହୋଇଉଠନ୍ତା । ଖସଡ଼ା ବାଟକୁ ଗୋଡ଼ ମୋଟେ ବଢ଼ାନ୍ତାନି ।

 

ଏବେ ସେପରି କିଛି ନାହିଁ । ମଦ ପାଣିରେ ଭାଗ ହେବା ଲାଗି ଗେଲୀ ଘାସିଆଣୀଟା କେବେ କିମିତି ରଥିଆ ସାଙ୍ଗରେ ଲଟରପଟର ହେଉଚି । ସେଥିରେ କ’ଣ ମନର ଓରମନା ମେଣ୍ଟିବ ? ଦେହର ପରାଶ କମିବ ? ସେଥିପାଇଁ ରଥିଆ ଏବେ ନିତି ସଞ୍ଜବେଳେ ମଦ ପିଏ । ନିଶା ଲାଗିଥିବା ସଡ଼କ ସେ ଦୁନିଆକୁ ଭୁଲେ । କେତେବେଳେ ରଜା, କେତେବେଳେ ନବାବ ବନେ । କେତେବେଳେ ମଧୁର ଦାମ୍ପତ୍ୟ-ସୁଖ ଅନୁଭବ କରେ ।

 

ସେଦିନ ସାତଦିନିଆ ଦରମା ମିଳିଥାଏ । ରଥିଆ ଟିକିଏ ଅତିମାତ୍ରାରେ ପିଇ ଦେଇଚି । ସେଥିପାଇଁ ସଡ଼କରେ ତାର ଦୌରାତ୍ମ୍ୟ ବଢ଼ିଛି ।

 

ଯାହା ହେଉ ରାଜପଥ । ଏପରି ଢଙ୍ଗ ସ୍ପୃହଣୀୟ ନୁହେଁ । ପୁଲିସବାଲା ଖେଦିଦେଲା ରଥିଆକୁ । ବେଶି ଉଦ୍ଧତ ହେବାରୁ ଠେଙ୍ଗାଏ ବି ପକାଇଛି, କାଟିନି ।

 

ଶୋଇଯାଇଛି ନିଜ କୋଠରୀ ଭିତରେ । ନିଶା ଛାଡ଼ି ଆସିଲାଣି । ମାଡ଼ ଖାଇଥିବା ଜାଗାଟି ବଥାଉଛି । ରଥିଆ ନିଜକୁ ବହୁତ ଗାଳିଦେଲା । ଏତେଦିନ ହେଲା ଜନମଥାନ ଛାଡ଼ି ଆସିଲାଣି ! ଝିଅଟାକୁ ଦାଦି ଖୁଡ଼ୀଙ୍କ ଜିମା ଦେଇଆସିଛି । ଯେତେହେଲେ ମା’-ବାପା ଆଉ ଦାଦୀ ଖୁଡ଼ୀ । ଟିକିଏ ହେଲେ ଦେଖିଆସିଲିନି । ଏଇଠି ସବୁ ଖାଲି ମଦପିଇ ଉଡ଼ାଉଛି ।

 

ଦଶହରା ପାଖେଇ ଆସୁଥାଏ । ରଥିଆ ଘରକୁ ଫେରିବ । ଖାଲି ହାତରେ ଗଲେ ଲୋକକ’ଣ କହିବେ । କୁଲି-ସର୍ଦ୍ଦାରଙ୍କ ଅଧୀନରେ । ତାଙ୍କୁ ସବୁ କଥା ଜଣାଇଲା । ମଙ୍ଗରାଜେ ଖୁବ୍‍ ପଇସା କମେଇଲେଣି । ତାଙ୍କର ଗୋଟିଏ ଆଲମାରୀ ବିଲାତି ମଦରେ ଭରା । ନିତି ତାଙ୍କର ନବତରୁଣୀଙ୍କର ଗୋଲାପୀ ଅଧରପାନ । ବେଳ ଉଣ୍ଡି ଯଦି ଯିଏ କହିଯାଇଛି, ସେ ବହୁତ କିଛି ପାଇଯାଏ ।

 

ଦିନେ ସଞ୍ଜରୁ ଟିକିଏ ଗଡ଼ିଗଲାଣି । ମଙ୍ଗରାଜ ଦୁଇବୋତଲ ଚଢ଼େଇଦେଇ ଢଳିବାକୁ ଲାଗିଲେଣି । ରଥିଆ ଜଣାଇଲା– ହଜୁର, ଝିଅକୁ ଦେଖିବାକୁ ଗାଁକୁ ଯିବି, କିଛି ପଇସା– ।

 

ଢଳି ଢଳି ମଙ୍ଗରାଜେ କହିଲେ–ଝିଅ, ଝିଅ, ନେଇଯା ଝିଅ କୁ ଧରିକି ଆସିବୁ ।

 

ପଚାଶ ଟଙ୍କା । ଖୁବ୍‍ ଦେଇଦେଲା ସର୍ଦ୍ଦାର ନିଶା ଭୋଳରେ । ଅମୀର ମିଞ୍ଜସ, କାହିଁକୁ ପରୁଆ ନାହିଁ ।

ମହାଷ୍ଟମୀକୁ ପହଞ୍ଚିବ ଗାଁରେ । ଝିଅ, ଭାଇବୋହୂ, ଭାଇ ପାଇଁ କପଡ଼ା କିଣିଲା । ସୁଟ୍‍କେଶ ଖଣ୍ତିଏ, ଲଣ୍ଠନଟିଏ କିଣି ରଥିଆ ଛୁଟିଲା ଗାଁ । ରେଳରେ ଯିବ ଦେଢ଼ଦିନ–ପୁଣି ଚାଲିକରି ଯିବ ଦିନେ ।

 

ମହାଷ୍ଟମୀଦିନ ସାହୁକାର ଦାଣ୍ଡରେ ପୂଜା । ଠାକୁରାଣୀଙ୍କ ଠାରେ ଆଠ ଦଶଟା ବୋଦା ପଡ଼େ । ଭୋଜି ଭାତ ହୁଏ । ଏ ବର୍ଷ ଦେବେନ୍ଦ୍ର ବାବୁ ସେତକ ବନ୍ଦ କରିବାକୁ ବସିଛନ୍ତି । ତଥାପି ଧରମୁ ଦାଣ୍ଡ ସଫା କରି ଛାମୁଣ୍ଡିଆ ବାନ୍ଧୁଛି। ମାନିଆ ଛାମୁଣ୍ଡିଆ ବାନ୍ଧୁଛି । କମି ଦାଣ୍ଡଟିରେ ଗୋବର ଦେଇ ଲିପୁଛି । ବେଳେ ବେଳେ କମି ମାନିଆକୁ ଚାହିଁ ହସୁଛି, ମାନିଆ ବି କମିକୁ ଚାହିଁ ହସୁଛି ।

 

ତରୁଣ ହୃଦୟରେ ହସ ଢେଉ । ମିଳନର ସେ ବି ତ ଗୋଟାଏ ଛନ୍ଦ ।

 

ଧରମୁ କୁରୁଚି ଉପରେ ବସିଥାନ୍ତି ।

 

ରଥିଆ ଆସି ଜୁହାର କଲା– ସାହୁ

 

ଧରମୁ ଡାକ ଛାଡ଼ିଲା– ଆଲୋ ନାତୁଣୀ, ତୋ ବାପା ଅଇଲାଣି ଲୋ, ତୋ ବାପା ଅଇଲାଣି ।

 

ଚମକି ପଡ଼ିଲା କମି, ବାପା ! କେତେଦିନର ସ୍ମୃତି । କେଡ଼େ ଛୁଆଟିଏ ଥିଲା–ବାପା ଚାଲିଗଲା ଟାଟା । ଚିହ୍ନିବାର ଶକ୍ତି ନାହିଁ । ଶୁଣିଲାକ୍ଷଣି ମନରେ ତା’ର ଗୋଟାଏ ଅଜଣା ଆନନ୍ଦର ସୁଅ ଖେଳିଗଲା । ଉଠିପଡ଼ି କମି ଗୋଡ଼ତଳେ ପଡ଼ିଲା ବାପର ।

 

ରଥିଆର ଛାତି କୁଣ୍ଢେମୋଟ । ଏଇ ତାର ବଂଶର ପ୍ରତୀକ । ତା’ ସ୍ତ୍ରୀର ଅବିକଳ ନକଲ-। କେଡ଼ୁଟିଏ ହେଲାଣି । ଆଜିଯାଏ ମା’କୁ ମୋର ଦେଖି ନାହିଁ ବୋଲି କୁଣ୍ଢାଇପକାଇଲା । କି ମଧୁର ସେ ମିଳନ ! ହୃଦୟସ୍ପର୍ଶୀ !!

 

ନସର ପସର ହୋଇ କମି ଚାଲିଲା ବାପା ପଛେ ପଛେ । ବାଟରେ ବାପା କେତେ କଥା ପଚାରୁଥାଏ–ସବୁ କଥାର ଭଲ ଭଲ ଉତ୍ତର ଦେଇ କମି ପଛେ ପଛେ ଯାଉଥାଏ । ବାଟରେ ଯାଉଁ ଯାଉଁ ପଡ଼ିଲା ମାନିଆର କୁଡ଼ିଆ । ସେଇଠି ପଚାରିଲା ରଥିଆ– ହଇଲୋ ଝିଅ, ଏଠି ପୁଣି କିଏ ଘର କଲାଣି ?

 

ମନରେ ଅପୂର୍ବ ଆନନ୍ଦ । କମି କହିଚାଲିଲା– ଏଇଟାପରା ମାନିଆ ଦାଦାର ଘର ।

 

“ମାନିଆ ! ହଁ ହଁ ଗୋଟେ ଅନାଥ ବାଳକ ଏହି ସାହୀକୁ ବହୁତ ଦିନ ତଳେ ଆସିଥିଲା । ଏ ପନ୍ଦାର ସେ ପନ୍ଦାର ହେଉଥିଲା । ସେ ମାନିଆ ଘର ଖଣ୍ଡିଏ କଲାଣି ? ଭଲ ହେଲା, କି କାମ କରୁଛି ଏଇନା ?’’

 

କମିକହିଲା– ‘‘ସାହୁକାରର ସେ ଏଇନା ବଡ଼ ହଳିଆ । ’’

 

‘‘ହଁ, ଭଗବାନ କରନ୍ତୁ– “ଅରଖିତକୁ ଦଇବ ସାହା ’’।

 

ବାପ ଝିଅ ଦୁହେଁ ଯାଇ ଘରେ ପହଞ୍ଚିଲେ । ଦାଦି ଖୁଡ଼ୀ ମଧ୍ୟ ଭାରି ଖୁସି । ଏତେଦିନକେ ଭାଇ ଆସିଛନ୍ତି– ଭାଇବୋହୂଙ୍କର ସାଆନ୍ତେ ଆସିଛନ୍ତି । ଯେତେବେଳେ ଲୁଗାପଟାସବୁ ରଥିଆ ଦେଖେଇଲା ଖୁସିଟା ଅତିମାତ୍ରାରେ ବଢ଼ିଗଲା । ସାହୁକାରଙ୍କ ଦାଣ୍ତରେ ଯନ୍ତାଳ ଭୋଜି ଲାଗି ଘରେ ସେମିତି ରନ୍ଧାବଢ଼ା ହୋଇନି । ଭାଇ ଯେତେବେଳେ ଆସି ପହଞ୍ଚିଲେଣି, ସେତେବେଳେଯାଏ କ’ଣ ଉପାସରେ ବସିଥିବେ ।

 

ଧଡ଼ପଡ଼ କରି ଭାଇବୋହୂ ପାଳ ଦିଟା ଲଗାଇ ତାମ୍ପଡ଼ା ଦିଅଣ୍ତା ପୋଡ଼ିଦେଲେ । ରଥିଆ କାମଦାମ ସାରି ପଖାଳ ଦିଟା ଖାଇଲା । ଥକି ପଡ଼ିଥାଏ । ବୋତଲ ଫିଟାଇ ପାନେ ଚଢ଼ାଇଲା । ସମସ୍ତଙ୍କୁ କହିଲା ଔଷଧ । କମି ବାପର ଗୋଡ଼କୁ ଘଷିଦେଲା । ଆରାମରେ ଶୋଇଲା ରଥିଆ ।

 

ଏଣେ ସାହୁକାର ଦାଣ୍ଡରେ ଲାଗିଛି ନିଶାପ । କେତେପୁରୁଷର ଚଳଣି ବଳିପ୍ରଥା କିପରି ବନ୍ଦ ରହିବ ? ସେ ବର୍ଷ ବନ୍ଦ ହୋଇଥିଲା ଯେ, ଗାଁଯାକ ଘର ପୋଡ଼ିଗଲା । ଗ୍ରାମଦେବତା ରାଗିବେ । ରିଷ୍ଟ ଘଟିବ । ଏ କଥାରେ ଦେବେନ୍ଦ୍ର ବାବୁଙ୍କୁ ମାନିବାକୁ ହେବନି ।

 

ଦେବେନ୍ଦ୍ର ବାବୁ ବୁଝାଉଥାନ୍ତି । ଏଗୁଡ଼ାକ କୁପ୍ରଥା । ଦେବୀ କେବେ ବଳି ଚାହେନା । ସେ ପରା ମା’ । ଏଇଟା ମଣିଷର ମନ ଗଢ଼ା ଫିକର । ଧର୍ମ ନାମରେ ବ୍ୟଭିଚାର–ହିଂସାର ସମର୍ଥନ । ସେପରି କରନି ।

 

ଭୋଜି ଖାଅ । ମାଂସ ଖାଅ । ମାତ୍ର ଦିଅଁ ନାଁରେ ବଳି ଦେଇ ଖାଅନି ।

 

ବହୁତ ବାଦ ବିସମ୍ୱାଦ ପରେ ଠିକ୍‍ ହେଲା–ବଳିଦାନ ହେବନି । ଠାକୁରାଣୀଙ୍କ ପୂଜା ନୈବେଦ୍ୟ ନିରାମିଷ ଦ୍ରବ୍ୟରେ ସାମାପ୍ତ ହେଲା । ଭୋଜି ମଧ୍ୟ ବଡ଼ ଧରଣରେ କରିବା ମନା ହେଲା । ଦେବେନ୍ଦ୍ର ବାବୁ ବୁଝାଇଲେ–କାହାର ଅଛି, କାହାର ନାହିଁ । ସମସ୍ତେ ଚାନ୍ଦ ଦେବେ । ଗୁଡ଼ାଏ ଜିନିଷ ସିଝା ହେବ । ସବୁ ହୋଇ ଖାଇଲା ବେଳକୁ ରାତି ଶେଷ ଭାଗ । ଦେହ ଖରାପ, ନାନାପ୍ରକାର ଅସୁବିଧା । କେବଳ ସାମାନ୍ୟ ଭୋଗଭାଗ ହେଉ । ପ୍ରସାଦ ବଣ୍ଟାଯାଉ । ଆମୋଦ ପ୍ରମୋଦ କର । ନାଟ କୀର୍ତ୍ତନ ହେଉ । ଅଯଥା ଖର୍ଚ୍ଚଗୁଡ଼ା କରିବା ଅନୁଚିତ ।

 

ଏକଥା କେତେକଙ୍କ ମନକୁ ପାଇଲା । ଆଉ କେତେକଙ୍କ ମନକୁ ପାଇଲାନି । ରଘୁଆମା’ ଟିପପ୍‍ଣୀ ଝାଡ଼ିଲା–ବରଷକେ ଥରେ ଠାକୁରାଣୀ ପାଉଥିଲା । ସମସ୍ତଙ୍କୁ ପାଟିରେ ନାଳଭାଜି ତିଅଣ ଟିକିଏ ବାଜୁଥିଲା । ଏଇ ଅପାଣ୍ଡବ ଗାଁରେ ମାଉଁସ ଟିକେ ଖାଇବ କହିଲେ କ’ଣ ବରଷକେ ଥରେ ହେଲେ ମିଳିବ ? ସେ ଗଲା ବନ୍ଦ । ପଇସା ଖାଲି ସମସ୍ତଙ୍କର ସରିଯାଉଚି ।

 

ଯେମିତି ମାଙ୍କଡ଼ଗୁଡ଼ା ଫସଲ ଖାଇଗଲେ ବୋଲି ସବୁ ମାରିଦେଲେ । ଫସଲ ଖାଲି ଫଳୁଛି । ଧୋଇଯାଉଚି ବଢ଼ିରେ । କୁଆଡ଼ୁର ପୋକଗୁଡ଼ାକ ଆସି ସବୁ ସତ୍ୟାନାଶ କରୁଛନ୍ତି । ଅଦିନରେ ମେଘ–ଚଷାପୁଅ ର ବୁଦ୍ଧି ବଣା ।

 

ଏବେ ଠାକୁରାଣୀଙ୍କ ମାଜଣା ବନ୍ଦ କରାଗଲା । ଦେଖ ଏ ଗାଁକୁ ବିପତ୍ତି ପଡ଼ୁଛି ।

 

ମନା ସୋଇଁ, ଜଗୁ ନାଏକ, ରାଧୁ ସାହୁ, ନୀଳମଣି ଦାସ ବଡ଼ ଆଶା ରଖିଥିଲେ । ଧରମୁ ସାହୁକାରଠାରୁ ଗଞ୍ଜେଇ ଦୁଇ କଲି ମିଳୁଥାଏ । ଚିଲମସଜଡ଼ା ହୋଇ ସେମାନଙ୍କ ଧୁମ୍‍ ଚାଲିଥାଏ । ଠାକୁରାଣୀଙ୍କର ପୂଜାକୀର୍ତ୍ତନ ରେ ସେମାନଙ୍କର ଯାଏ ଆସେନି । ନିସ୍ତୁକ୍‍ ଗଞ୍ଜେଇ ପିଇ ଏମାନେ ଢଳାନ୍ତି । ଭୋଜିଭାତ ଦିଟା ଖାଇ ମଜାରେ ରାତି କଟାନ୍ତି । ସେତକ ବନ୍ଦ ହେବା ଶୁଣି ସେମାନେ ରାଗରେ ଜରଜର– ଆଚ୍ଛା ଦେବେନ୍ଦ୍ର ବାବୁ ହୋଇଛନ୍ତି । ଲୋକ ବେମାର ପଡ଼ିଲେ ୟାଙ୍କର ଲାଭ ନା କ୍ଷତି । ଔଷଧ ପାଇଁ ତ ଲୋକେ ଦଉଡ଼ିବେ । ମିଠା ଗୁଣ୍ଡ ଟିକିଏ କାଗଜରେ ବାନ୍ଧିଦେଇ ପୁଡ଼ିଆକୁ । ଅଣାଏ ହିସାବରେ କଷିନେବେ । ଏତେ ପାଲା କାହିଁକି । କେଊମ ସପତ ପୁରୁଷ ଅମଳରୁ ଏ ପୂଜା ହୋଇଆସୁଛି । ଏଇଟା ବନ୍ଦ କର । ସବୁ ଭାଙ୍ଗିବା କାମ । କାହିଁ କାଢ଼ ଅଛି ତ କଣାରଖ ଦେଉଳ ଭାଙ୍ଗିଯାଇଛି–ଗଢ଼ାଇ ଦେଉନ? ସେଥିକୁ ପୁଅର ଯୁ ନାହିଁ । ଖାଲି ବଳି ବନ୍ଦ କର– ଭୋଜି ବନ୍ଦ କର ।

 

ଦେବେନ୍ଦ୍ର ବୁଝିଲେ– ଏ ଗଞ୍ଜେଇର ପ୍ରଭାବରେ ଚାଲିଛି । ନୀରବ ରହିଲେ । ପୂଜାଟା ଗୋଳମାଳିଆ ସବୁ ହୋଇଗଲା । ଅନେକ ଲୋକ ପଳାଇଗଲେ । ବାକି କେତେଜଣକୁ ଧରି କୀର୍ତ୍ତନ ଚାଲିଲା ।

 

ମାନିଆର ଆଜି ରୋଷେଇ ହୁଏନି । ସାହୁକାର ଘରେ ସଞ୍ଜବେଳେ ଗଣ୍ଡାଏ ଖାଏ । ରାତିରେ ତ ଭୋଜିଭାତ । ସାହୁକାରର ଟିକକ କାମକୁ ହାଜର ଥାଏ । ଏ ଗୋଳମାଳରେ ତାର କିଛି ଯାଏ ଆସେନି । ଧରମୁ ତାର ସାହୁକାର । ଦେବେନ୍ଦ୍ର ବାବୁ ତାର ଉପକାରୀ ବନ୍ଧୁ । ନୀରବ ନିଶ୍ଚଳ । କେବଳ ଆଜ୍ଞାବହ ଭୃତ୍ୟ ।

 

ଯାହା କିଛି ପ୍ରସାଦ ସେବନ ପରେ ଅଖା ଖଣ୍ଡିଏ ପକାଇବସି ପଡ଼ିଲା । ମାନିଆ କୀର୍ତ୍ତନ ଗୀତ ଶୁଣିବାକୁ । ଗାଁର କେତେ ଝିଅ ଆସି ସାହୁକାର ପିଣ୍ତାରେ ଜମା ହେଲେଣି । ବାଉରାଣୀ ଝିଅମାନେ ଆସି ତଳେ ଗୋଟାଏ ପାଖରେ ଠିଆ ହୋଇଥାନ୍ତି । ଏମାନଙ୍କର ପିଣ୍ତା ଉପରେ ବସିବାର କ୍ଷମତା ନାହିଁ। ସାମାଜିକ ବ୍ୟବଧାନ–ଅସ୍ପୃଶ୍ୟ । ଏ କଥାଟା ମାନିଆକୁ ବଡ଼ ବାଧିଲା । ଦୃଷ୍ଟି ପଡ଼ିଲା କମି ଉପରେ କେଡ଼େ ସୁନ୍ଦର ରଙ୍ଗର ଶାଢ଼ି ପନ୍ଧିଛି । ବାପା ଆଣିଛି ବୋଧେ । କମି ଯଦି ତା’କୁଡ଼ିଆରେ ନିତି ରହନ୍ତା, କୁଡ଼ିଆରେ ଆଉ ଆଲୁଅ ଦରକାର ହୁଅନ୍ତାନି । ସେ ଥିଲେ ତ ବଳେ ଆଲୁଅ ଦିଶିବ ଚାରିଆଡ଼େ । ମନଟା ତାର ହାଇଁପାଇଁ ହେଲା । କିମିତି କମି ସଙ୍ଗେ ଟିକିଏ ଭେଟ ପଡ଼ି କଥା ହୁଅନ୍ତା ।

 

କମି ଚାରିଆଡ଼େ ଚାହୁଁଛି । କେଉଁଠି ବସିଛି ମାନିଆ ? ତାର ଏ ବେଶ ଦେଖିଲେ ମାନିଆ କେଡ଼େ ଖୁସି ହେବ । ହଠାତ୍‍ ତାର ନଜର ପଡ଼ିଗଲା ମାନିଆ ବସିଛି ସାହୁକାର ପିଣ୍ତାତଳେ । ବାଁଆରେଇ ହୋଇ ସିଆଡ଼େ ଚାଲିଗଲା । ଠାରିଲା ମାନିଆକୁ ବେଳଉଣ୍ଡି ମାନିଆ ଉଠିଗଲା ।

 

ଅନ୍ଧାରିଆ ନିରୋଳା ଥାନରେ ଦୁହିଁଙ୍କର ଭେଟ । ବଡ଼ ସୁନ୍ଦରୀ ଦିଶୁଛୁ କମି । ଆଜି ଟିକିଏ ଯଦି ମୋ ପାଖରେ ରୁହନ୍ତୁ, ଆହୁରି କେମିତି ଦିଶନ୍ତୁ ।

 

କମି ହସିଲା । ପାଖକୁ ଲାଗିଆସି ଆଉଜି ପଡ଼ିଲା ମାନିଆ ଉପରେ–ମାନିଆ ଦାଦା । ମୋତେ ତୋର ଘରମଣିଷ କରିବୁ କିରେ ? ବାପା ଆଇଚି କହୁନୁ । ସାହୁକାରକୁ କହିବୁ । ସେ କରେଇଦେବ ମ !

 

ନିରାଶ୍ରୟ ଅନାଅ ମାନିଆ । ତରୁଣୀର ପ୍ରଥମ ପରାଶ । ସର୍ବାଙ୍ଗରେ ଅପୂର୍ବ ଉନ୍ମାଦନା-। ଚାପି ଧରି ଆଙ୍କି ଦେଲା ଗଣ୍ଡଦେଶରେ ଉଷ୍ମ ଚୁମ୍ବନ ।

 

ହଠାତ୍‍ ନାରଣ ମଳିକର ପାଟି ଶୁଭିଲା। ଦୁହେଁ ଅଲଗା ହୋଇଯାଇ ଅନ୍ଧାରରେ ଲୁଚିଗଲେ । ସାକ୍ଷୀ କେବଳ ଅନନ୍ତ ଆକାଶ, ଅଗଣିତ ତାରା ।

 

ରଥିଆ କାତେ ନିଦ ଶୋଇ ସକାଳ ପୁହାକୁ ଉଠିଲା । କେତେଦିନ ପରେ ଗାଁକୁ ଫେରିଛି । ଟାଟା ସହରର ଗହଳ ଚହଳ ନାହିଁ । ଧାନ କିଆରିରେ ସୁନାର ଲହରୀ ଖେଳୁଛି । କେଡ଼େ ଶାନ୍ତ କେଡ଼େ ନୀରବ ।

 

ଦାଣ୍ଡ ପିଣ୍ତାରେ ବସିଛି । ଝିଅ ପାଣି,ଦାନ୍ତକାଠି ଆଣି ଦେଇଗଲାଣି । ଭାଇବୋହୂ ନସର ପସର । ସାଆନ୍ତେ ଚାହା ଆଣିଛନ୍ତି । ବିଦେଶରେ କାମ କରନ୍ତି । ମଉଜରେ ଖାଆନ୍ତି । ଚା’ ଟିକିଏ ତିଆରି କଲା । କଳାଚାହା । ଦୁଧ କେଉଁଠୁ ପାଇବ।

 

କିଛି ଦିନ ରଥିଆ ମଉଜରେ ଖାଇଲା । ଗାଁର ଲୋକମାନଙ୍କ ପାଖେ ବସି ଟାଟାର କଥା ଖାଲି ଗପେ । ସମସ୍ତେ ରଥିଆକୁ ବଡ଼ ଚାଲାକ ଓ ଜ୍ଞାନୀ ବୋଲି ଭାବନ୍ତି । ପାଞ୍ଚ ଲୋକଙ୍କଠି ବସି ପାଞ୍ଚ କଥା ଶୁଣେ । ଖଚ, ମିଛ, ଇର୍ଷାର ତ ଅଭାବ ନାହିଁ । କେତେ ଲୋକ କହିଲେଣି ମାନିଆର ଟିକିଏ ପାପ ସମ୍ପର୍କ ବଢ଼ୁଛି । ଏଡ଼େ ସୁନ୍ଦର ଝିଅ। ମାନିଆଟା କୁଆଡ଼ର ବାରବୁଲା । ଜାତି ପତି ଠିକ୍‍ ନାହିଁ । କମିକୁ ଯଦି ରଖିନିଏ ଭଲହେବ କି ରଥିଆ ମଉସା ?

ରଥିଆ ସେ ବିଷୟରେ ବହୁତ ବାର ମନେ ମନେ ଭାବିଲାଣି । ମା’ ଛେଉଣ୍ଡ ଝିଅ । ମନର ଖୁସି ଲାଗି କ’ଣ ଅବା କରୁଥିବ ଯଦି ମାନିଆକୁ ଭଲ ପାଉଥିବ,ବିବାହଟା କରିଦେଲେ ତୁଟିଯିବ । ଦିନେ ସଞ୍ଜବେଳେ ଭାଇକୁ ସବୁ ହାଲ ପଚାରିଲା । ଦାଦି ସେ ନିଜ ଗାଁ ର, ବାରବୁଲା ମାନିଆ ହାତରେ କ’ଣ କମିକୁ ବାନ୍ଧି ଦେବ ? ଦାଦି ମନା କଲା । ମନା କରିବାର ଅନ୍ୟ ଉଦ୍ଦେଶ୍ୟ ଥିଲା । କମି କାମିକା ପିଲା । ବାହାରର ସବୁ ପାଇଟି କରି ଦାଣ୍ଡରୁ ମୂଲ ଆଣେ । ଖୁଡ଼ୀ ଘରେ ବସି ମା ସାଆନ୍ତାଣୀ ସାଜିଛି । କମି ଯଦି ସଅଳ ପରଘରୀ ହୁଏ ତେବେ ଅସୁବିଧା ପଡ଼ିବ ତେଣୁ ଯୁଆଡ଼ୁ ଯେମିତି ଡେରି କରିବା କଥା ।

ବହୁ ଆଡ଼କୁ ଭାବି ପୁଣି ରଥିଆ ପଚାରିଲା–ବଢ଼ିଲାଝିଅ ପର ଝିଅକୁ ପରପୁଅ ବିହି ଗଢ଼ିଛି । ପାଞ୍ଚ କଥା ବାହାରୁ ଶୁଣୁଛି, । ବେଳସୁଁ ଯଦି ତାର ଗୋଟାଏ କିନାରା ନ କରା ନ ଯାଏ ତେବେ କାଲିକୁ ହାନି ଥାଏ, ଲାଭ ଥାଏ । ପିଲାଟା ମୋର......

କଥାକୁ ଛଡ଼ାଇନେଇ ଭାଇ ଉତ୍ତର ଦେଲା–ପିଲାଟା ଖାଲି ତମର ଆଉ ଆମର ନୁହେଁ-? କିଏ ଏଡ଼ୁଟିରୁ ଏଡ଼େ କଲା ? ବଢ଼େଇ କୁଡ଼େଇ ପାଳିଲାରୁ କ’ଣ ନା ପିଲାଟା ଏତେ ବେଳକୁ ମୋର । ହଉ ଯାହା କରିବ କର । ଆମକୁକିଛି ପଚାର ନାହିଁ ।

 

ରଥିଆକୁ ବଡ଼ ବାଧିଲା । କମିବୋଉ ଯେପରି ତା’ ଆଖି ଆଗରେ ନାଚି ଉଠିଲା। କୋଇଲି ଡିମ୍ବ ପାରେ, କାଉ ଫୁଟାଏ ଛୁଆ । ମାତ୍ର ଛୁଆ ହୁଏ କାହାର ? କୋଇଲିର ତ ଏଥିପାଇଁ ତାର ସାନ ଭାଇ ଏତେ ରାଗିଲା କାହିଁକି ? ମନେ ପଡ଼ିଲା ତାର ଯୁବ କାଳର କଥା । କମି ବୋଉକୁ ସେହିପରି ଆଉ ଜଣେ ନେଇଯିବ ବୋଲି ବସିଥିଲା । କେତେ ଅସୁବିଧା ଭୋଗି ରଥିଆ ଆଣିଥିଲା ତାକୁ । କାହିଁକି ? ମନ ମାନିଥିଲା ବୋଲି ତ ।

 

ସେଇ ସୁବିଧା ସେ ଝିଅକୁ ଦେବ । ମାତ୍ର ଏ ଥର ନୁହେଁ । ସେ ଯିବ ଆଉଥରେ ଟାଟା-। ଝିଅକୁ ବି ନେବ ଏଥର । କାମଦାମ କରି ପଇସା ସଞ୍ଚିବେ । ପଇସା ହେଲେ ବାହା କରିବ ସେ ଝିଅକୁ ମାନିଆ ସାଙ୍ଗରେ । ଟାଟା ରେ କେତେ ଆଡ଼ମ୍ବରରେ ବିବାହ ସବୁ ଦେଖିଛି । ସେଥିରୁ କାଣିଚିଏ ହେଲେ ତ କରିବ ! ନ ହେଲେ ଲୋକ କ’ଣ କହିବେ ? ଛ’ଟା ନା ନ’ଟା ଯେ !

 

ଏଇପରି ଭାବି ରଥିଆ ଶୁଣାଇ ଦେଇଚି କମିକୁ । କମିକୁ ଭଲ ଲାଗିଛି କି ଖରାପ ଲାଗିଛି କି ଖରାପ ଲାଗୁଛି ଜାଣିବା ମୁସ୍କିଲ । ଦାଦି ଖୁଡ଼ୀଙ୍କ ଦାଉ ରୁ ରକ୍ଷା । ବାପାର ସ୍ନେହ । ନୂଆ ସହର ନୂଆ କଥା । ଭଲ ପଇସା ଭଲ ଅଳଙ୍କାର । ମାନିଆ ସଙ୍ଗରେ ଶେଷରେ ଶୁଭ ପରିଣୟ ।

 

ଏଣେ,ମାନିଆଠାରୁ ଦୂରରେ ରହିବ । ମନଟା ଖାଲି ଛୁଆଖାଈ ବିଲେଇ ପରି ହେବ । ମରଦ ପୁଅ କେତେବେଳେ ମନ କୁଆଡ଼ିକୁ ଢଳିବ । ଆଉ କ’ଣ ଝିଅ ନାହାନ୍ତି ? ମାନିଆ ଯଦି ଅନ୍ୟ ଝିଅ ଧରି ଘର କରେ ସଂସାର କିପରି ହେବ ?

 

ଦୁଃଖ ଆନନ୍ଦର ଏହି ଜୁଆର ଭଟ୍ଟା ମଧ୍ୟରେ କମି ବାପା ସାଙ୍ଗରେ ଯିବାକୁ ଭାବିଲା । ମାନିଆକୁ ବୁଝାଇ କହିଯିବ । ସେ ପଇସା ଧରି ଫେରି ଆସିବ । ତାକୁ ବିବାହ କରି ତାର ଗୋଟାପଣେ ହେବ । ଏଇ କୁଡ଼ିଆ ଉପରେ ଠିଆ ହେବ ଗୋଟେ ଖାସା ଘର । ଚାରିଆଡ଼େ ନିଚିପର ଦିଶିବ ।

 

ତଥାପି ଯଦି ପୂର୍ବରୁ କମି ସାହୁକାର କାମ କରିବାକୁ ଯାଉଥାଏ । ହେଲେ ବି କମି ମନରେ ସେ ପୂର୍ବ ସରାଗ ଆଉ ନାହିଁ । ମନ ତ ଗୋଟାଏ । ତାର ବି ଅଛି ନିଶା । ଯୁଆଡ଼େ ଝୁଙ୍କିଛି ସିଆଡ଼େ । ମାନିଆ ବା ତାର କ’ଣ କଲା ? ବିପଦରେ ମାନିଆର କେଇଟା ଦିନ ସେବା କଲା । ସେଇଥିରେ ଆସିଛି ଗୋଟାଏ ଘନିଷ୍ଠତା । ପ୍ରାଣ ପାଖେ ବନ୍ଧା ସହାନୁଭୂତର ସେତିକି ନଥିଲେ ମଣିଷ ପଶୁ ମଧ୍ୟ ରେ ତଫାତ୍‍ ଥାଆନ୍ତା କ’ଣ ? ଆଉ ରହିଲା ଦୁଇଦିନ । ଦୁଇ ଦିନ ପରେ କମି ଛାଡ଼ି ଚାଲି ଯିବ ତାର ପଲ୍ଲୀ ଗାଁ । ସାହୁକାରର ବିଲ । ମାନିଆର ସାଙ୍ଗ । ସହରର ଦେଖିବ । ଗାଡ଼ି ଚଢ଼ିବ । ଧୂଆଁରେ ଘୂରିବ । ବଡ଼ ବଡ଼ କଥା ଦେଖି ମନ ତାର ଉପରକୁ ଉପର ଯିବ । ସଫା ଲୁଗା ପିନ୍ଧିବ । କେତେ ଢଙ୍ଗ ଶିଖିବ । ଚପଲ ମଡ଼େଇବ । ତା’ପରେ ଫେରିବ ସହରୀ ଜୀବ ହୋଇ ପୁଣି ଏଇ ପଲ୍ଲୀର ମାନିଆ ପାଖକୁ ମିଳନ ଆଶାରେ । ରୁଚିବ ?

 

ଏତେ ଆଗତ ଭବିଷ୍ୟ ଚିନ୍ତା କାହିଁକି ?

 

ଯିବାର ପୂର୍ବଦିନ ଠିକ୍‍ ମଉକା ମିଳିଲା । ମାନିଆ ସାହୁକାର ବାରିରେ ବାଡ଼ ବୁଜୁଥାଏ, କାମଡ଼ା ଭିଡ଼ୁଥାଏ । ଗୋଟିଏ ପଟେ କମି ଥାଇ ପଟ ବଢ଼ାଉଥାଏ । ମାନିଆ ଟିକିଏ ଟିକିଏ ଶୁଣା ପାଇଲାଣି କମିଯାଉଚି ଟାଟା । ପଚାରିବ ପଚାରିବ ବୋଲି ଗୋଟେ ମଉକା ଉଣ୍ଡୁଥିଲା । କାମ ଚାଲୁଥିଲାବେଳେ ମାନିଆ ପଚାରିଲା–କମି, ତୁ ପରା ସହର ଯାଉଛୁ ଲୋ ! ଆଚ୍ଛା ବାବୁଆଣୀଟିଏ ହୋଇଯିବୁ । ସେତେବେଳେ ମାନିଆ ଦାଦା ଆଉ କ’ଣ ପାସଙ୍ଗ ରେ ପଡ଼ିବ ?

 

କମି ତ ଆଉ ପିଲା ନୁହେଁ । ଠିକ୍‍ ବୁଝିଛି ମାନିଆ ଦାଦା ତା’ର ଅଭିମାନ କରି ଇମିତି କହୁଚି । ମନ ଦୁଃଖ କରି କହିଲା– ନାଇଁ ଦାଦା, ହାତୀ ବନସ୍ତରେ ଥିଲେ ବି ରଜାଙ୍କର । କମି ଯେଉଁଠି ଥିଲେ ବି ତୋର । ତୋତେ କ’ଣ ଭୁଲିପାରିବ ଦାଦା ! ତୋରି ଲାଗି ପରା ସହର ଯାଉଚି-! ପଇସା ଆଣିଲେ ଗୋଟାସୁଦ୍ଧା ତାର ।

 

ମୁହଁଟି ତାର ଦୁଃଖରେ ଭରିଗଲା । ମାନିଆ କହିଲା– ତିରିଲାମାନେ ସେମିତି କହନ୍ତି ଉପର ମନରେ । ଏକ୍ଷଣି ପାଖରେ ଅଛୁ ବୋଲି ଏମିତି କହୁଛୁ । ସହର ଗଲେ କେତେ କ’ଣ ଦେଖିବୁ । ମାନିଆ ଠୁ ବଳି କେତେ ଦାଦା ମିଳିବେ । ଆଉ ମନେ ରଖିବୁ ?

 

କମିର ଛାତିଟା ପଡ଼ିଲା ଉଠିଲା । କାନ୍ଦ କାନ୍ଦ ହୋଇ କହିଲା–ପରତେ ଯାଉନୁ ? ମୋ ଆଖି ରାଣ, କାନ ରାଣ । ତୋତେ ଜମାରୁ ଭୁଲିବିନି । ତୁ ତ ମୋର ରଙ୍କ ସଙ୍ଖାଳି !

 

ମାନିଆ ଗୋଟାଏ ପ୍ରାଣହୀନ ହସ ହସିଲା । କମି ପରଝିଅ । ବାପ ତାର ବଞ୍ଚିଛି । ବାପାର କଥା ଅନୁସାରେ ତାକୁ ଚଳିବାକୁ ପଡ଼ିବ । କେଉଁ ଭରସା ରେ ଅବା ବାରବୁଲା ମାନିଆ ଉପରେ ଭରସା ରଖି ଘରେ ଛାଡ଼ିବନି ? ଯାଉ ଯାଉ ତାର ବାପା ସଙ୍ଗେ ସାଙ୍ଗ ହୋଇ ଆସୁଥିଲା-। ଆପଣାର ହୋଇ ଆସୁଥିଲା । ଦୂରେଇ ଯିବ । ସେଥିପାଇଁ ଭାବନା କ’ଣ । ତାର ଦେହରେ ବଳ ଅଛି, ମନରେ ପ୍ରେରଣା ଅଛି, ହୃଦରେ ସ୍ନେହ ଅଛି । କେତେ କମି ମିଳିଯିବେ । ସେଥିପାଇଁ ଯୋଗ୍ୟ ହେଉ ଆଗେ ।

 

ଭାବର ଆବେଗରେ ବାଡ଼ କାମ ବେଶୀ ହୋଇନି । ମାନିଆର ଚେତା ପଶିଲା । ନିଜର କଥା କାମ ନଥିବା ବେଳେ ଭାବିଥାନ୍ତା । ସାହୁକାର କାମ ଖଇଚା କଲେ ଅନ୍ୟାୟ ହେବ । ମୂଲ ହଜମ ହେବ କିପରି ? ଲାଗି ପଡ଼ିଲା କାମରେ । ସାହୁକାର ବିଲରୁ ଫେରିବା ଯାଏ ବି ମାନିଆ ଏକା ଏକା କାମରେ ଲାଗିଛି । କମି ଗଲାଣି କେତେବେଳୁ ।

 

ଧରମୁଙ୍କ ମନରେ ଅସୀମ ଆନନ୍ଦ । ମାନିଆ ପରି ନିକମସଚ୍ଚା ଚାକର ଭାଗ୍ୟରେ ଥିଲେ ମିଳେ । ଏତେବେଳେ ଯାଏଁ କ’ଣ ପଖାଳ ଖାଇବ । ଧରମୁ ବାଡି ଆଡ଼କୁ ଆସି କହିଲେ– ଯାଅ ମାନିଆ ବାରି ଟୁବରେ ବୁଡ଼ି ପଡ଼ । ଏଇଠି ଦିଟା ଖାଅନବୁ, ବେଳ ଗଡ଼ି ଗଲାଣି ।

 

କୁଆଡ଼ୁ ଘୋଡ଼ାଗାଡ଼ି । ମଲା ମର, ଏ ସହରରେ ଚାଲନ୍ତି ଏମିତି ।ବାପା ବତଇ ଦେଲା ବାଁ ପଟେ ଚାଅଲୁଥିବୁ । ଚମକି ପଡ଼ି ଏପଟ ସେପଟ ହେବୁନି ! ଗାଡ଼ି ମାଡ଼ିଯିବ । ଏଇଟାତ ଛୋଟ ସହର ଟାଟାରେ କେତେ ରକମର ଗାଡ଼ି ।

 

ଷ୍ଟେସନ ପାଖେଇ ଆସିଲା । କମି ଚମକିପଡ଼ି ବାପାକୁ ଜାବୁଡ଼ି ଧରିଲା । ‘କ’ଣ କିଲୋ କମି?’ କହି ବାପା ଟିକିଏ ହସି ଦେଇ ଆଉଁସି ପଚାରିଲେ ।

 

ଦିହଟା ତା’ର ବରଡ଼ା ପତର ପରି ଥରୁଥାଏ । ବାପା ବୁଝାଇଲେ ସେ ରଡ଼ିଟା କିଛି ନୁହେଁ । ସେଇଟା ରେଳ ଇଞ୍ଜିନର ଶବ୍ଦ ଏମିତି କେତେ ଶୁଣିବୁ । ସେ ଶବ୍ଦକୁ ଆଉ କାନେଇବୁନି ।

 

କମି ଦେହରେ ପ୍ରାଣ ପଶିଲା । ବାପା ଓ ଝିଅ ଦୁହେଁ ଯାଇ ଷ୍ଟେସନ୍‍ର ତୃତୀୟ ଶ୍ରେଣୀ ବିଶ୍ରାମ ଗୃହରେ ବସିଲେ । ଏଠି କମି ଦେଖିଲା ଜାତି ଅଜାତି ବିଚାର କିଛି ଜଣାପଡ଼ୁନି । ଯେ ଯେଉଁଠି ବସୁଛି । ନ ହେବ କାହିଁକି ? କେତେ ଆଡ଼ର କେତେ ଲୋକା । କିଏ କାହାକୁ ଚିହ୍ନିଛି ଯେ ଛୁଆଁ ଅଛୁଆଁ ବାରିବ । ବେଶୀ ଚିହ୍ନା ମଣିଷଙ୍କର ବେଶୀ ବାରଣ । ବେଶୀ ଚିହ୍ନା ହେଲେ ସିନା ବେଶୀ ଆପଣାର ହୁଅନ୍ତା, କିନ୍ତୁ ବେଶୀ ଘୃଣା ହଉଚି ।

 

ଗାଡ଼ି ସମୟ ପାଖେଇ ଆସିଲାରୁ ବାପା ଯାଇ ଟିକଟ କିଣି ଆଣିଲା । ମଦପାଣି ଟିକିଏ ସୁବିଧା ହୋଇନି । ବିଡ଼ିରେ ଗଞ୍ଜେଇ ଟିକିଏ ଦେଇ ଚାରିଥର ଶୋଷିଦେଲା ରଥିଆ । ସେ ତ ତାର ପ୍ରାଣ । ବାପା ଝିଅ ଗାଡ଼ିରେ ଚଢ଼ିଲେ । ଝିଅକୁ ସବୁ ନୂଆ ନୂଆ । ନିଦ ମାଡ଼ୁନି । ବାପା ତାର ଶୋଇପଡ଼ିଲା । କମି ସେମିତି ବସିଥାଏ । ମଝିରେ ମଝିରେ ଗାଡ଼ି ଅଟକୁଛି । ଲୋକ ଓହ୍ଲେଇ ଯାଉଛନ୍ତି ପୁଣି ନୂଆ ଲୋକ ଚଢ଼ୁଛନ୍ତି । ଡବାରେ ଟିକିଏ ହେଲେ ଜାଗା ନାହିଁ ।

 

ଲୋକଟାଏ ଠିକ୍‍ କମି ଦିହକୁ ଲାଗିକରି ବସିପଡ଼ିଲା । କମିକୁ ବଡ଼ ଅଡ଼ୁଆ ଲାଗିଲା । କିମିତିକା ଲୋକଟାଏ ମ ! ଜାଣିପାରୁନି ଯେ ତିରିଲା ଲୋକ ଦେହରେ ଲାଗି କରି ବସୁଛି । ସହରର କ’ଣ ଇମିତି ଢଙ୍ଗ କି ? ଆମ ଗାଁରେ ଇମିତି ନାହିଁ । ବୁଢ଼ା ଲୋକଟାଏ ତଳେ ବସିଥିଲା, କହିଦେଲା–ଜନାନା ଲୋକ ପାଖଟାରେ ବସୁଛ ? ଅନ୍ୟ ପଟେ ବସ ।

 

ସେ ଲୋକଟାର ଭଦ୍ରତା କେଉଁଠି ଅଛି ଯେ ସେ ମାନିବ । କହି ପକାଇଲା– ଜନାନା ପାଇଁ ଅଲଗା ଡବା ଅଛି । ଏଇ ଡବାରେ ସେପରି ବାଛ ବିଚାର କିଛି ନାହିଁ । ଦୁହିଁଙ୍କ ଭିତରେ ବଚସା ହେବାକୁ ଲାଗିଲା । ଆଉ ଟିକିଏ ପରେ ଦୁଇହାତିଆ ଚଳିଥାନ୍ତା । ଏଇ ଗଣ୍ଡଗୋଳ ଭିତରେ ରଥିଆର ନିଦ ଭାଙ୍ଗିଲା ଦେଖିଲା ପାଖରେ ବସିଥିବା ଲୋକଟା ମଙ୍ଗୁଳୁ । ଟାଟାରେ କାମ କରେ । ରଥିଆ କୋଠରୀକୁ ଲାଗି ତାର କୋଠରୀ । ଚିହ୍ନାଚିହ୍ନି ହୋଇଗଲେ । ମଙ୍ଗୁଳୁ ବୁଝିଗଲା କମି ରଥିଆର ଝିଅ । ତା’ ହେଲେ ମଙ୍ଗୁଳୁର ଭଉଣୀ ହେବ ।

 

‘ବସ ଭଉଣୀ ବସ’ କହି ସେମାନେ ମିଶିଗଲେ । ପାଟି କରୁଥିବା ବୁଢ଼ା ବି ଚୁପ୍‍ ରହିଗଲା । ଚାଲିଲା ଗାଡ଼ି ଖୁବ ଜୋରରେ । କୁଆଡ଼େ ଯାଇ କମିର ମାନିଆ । କମି କେଉଁଠି ? ମନରେ ତାର ଚକାଭଉଁରୀ ଖେଳ । ମାନିଆଟା ହେଲେ ସଙ୍ଗରେ ଆସିଥାନ୍ତା !

 

ବାପା ତ ସବୁବେଳେ ଶୋଉଛୁ । ମଙ୍ଗୁଳୁ ଉପରୁ କାହିଁକି କମିର ମୂଳରୁ ଗୋଟାଏ ସନ୍ଦେହ ଆସିଗଲାଣି ।

 

ସାଥୀହରା ସକାଳ ବୋଧେ ।

 

ମାନିଆ ଉଠି ଆଗ ଦାଣ୍ଡକୁ ବାହାରି ପଡ଼ିଲା । କମି ତା’ର ଯିବଣି ନା ଯିବ । ଝିଅମାନେ କାମକୁ ବାହାରି ପଡ଼ିଲେଣି । କମି ତ ଆସୁ ନାହିଁ। ଗଲାଣି ଭୋରି ବୋଧେ । କି ଥିବ ଏଇନା ବାହାରିବ । ଏଇପରି ଭାବନାର ଅସରନ୍ତି ଢେଉ ମଧ୍ୟରେ ଦାନ୍ତଘଷା ଚାଲିଛି ମାନିଆର । ବାଉରାଣୀ ଟୋକିଗୁଡ଼ାକ ଆଜି ଦେଖେଇ ଦେଖେଇ ହସୁଥାନ୍ତି । ତା’ ଭିତରେ ଜେମା ବୋଲି ଜଣକ ଉପରମୁହୀଁ । କହିଲା ପକାଉଥାଏ–ଆହା ! ଚିଡ଼ିଆଟା ତ ଉଡ଼ିଗଲା । କାହାକୁ ଧରିବୁରେ ବାଣୁଆ ।

 

ମାନିଆକୁ ବଡ଼ ରାଗ ଲାଗୁଥାଏ । କହିଦେବ କି– ତୋର ଧରିବି । ନା, ନା କିଏ କ’ଣ କହିବ । କୁଆଡ଼ୁ ଆସି ଏଠାରେ ବସା ବାନ୍ଧିଛି । ଏଇ ଗାଁର ଝିଅକୁ ନ ବୁଝି ନ ଚିହ୍ନି ଏପରି କହିଦେବାଟା ଠିକ୍‍ ହେବନି । ତେବେ ମାନିଆ ବୁଝିଲା, କମି ତାର ଚାଲିଗଲାଣି ।

 

କମିହରା ହଳିଆ ଜୀବନ । ଆଉ ଥରେ ଯଦି ଜର ଆସେ ! ଆଉ ଥରେ ଯଦି ସାପ କାମୁଡ଼େ । ସେ ଗୁଡ଼ା ଭାବିଲେ କ’ଣ ହେବ ? ଆଉ କ’ଣ ଅଚଳ ରହିବ କାହାଲାଗି ? ଜଣେ ଗଲେ ଜଣେ ଆସେ । ଅଟକେ ନାହିଁ କିଛି । କମି ବା ତା’ର କ’ଣ ? ସେ ବି କମିର କ’ଣ? କମି ଗଲେ ଜେମି ଆସିବ, ଜେମି ଗଲେ ଚେମି ଆସିବ । ଢ଼ିଙ୍କି ଗଲେ ବଗ ଆସିବ । ଆରେ ଇମିତି ଗୁଡ଼ାଏ ଚିନ୍ତା କରୁଥିବୁ ନା କ’ଣ ? ସାହୁକାର କାମକୁ ଯିବୁନି ନା କ’ଣ ?

 

ଖରା ପଡ଼ିଲାଣି । ଆରେ ଏତେବେଳ ହୋଇଗଲାଣି । ମାନିଆ ଝପଟିଲା । ସାହୁକାର ଖପା ହେଲେ । ଆଗେ ମାନିଆଟା ଟିକିଏ କାମ କରୁଥିଲା ବୋଲି ମଣିଷ ଭଲ କହିବାରୁ ଏତେ ବଡ଼ ଠକା ଠକୁଛି । କଳି ଯୁଗ ତ ! ଏ ଯୁଗରେ କ’ଣ ଧରମ ଅଛି ।

 

କିଛି ଜବାବ ନ ଦେଇ ମାନିଆ କାମରେ ଲାଗିଲା । ସାହୁକାର କୁଆଡ଼ୁ ବୁଝିବ ମାନିଆର ମନକଥା । ତାର କାମିକାପଣିଆର ମୂଲ କମି ଆଜି ନାହିଁ । ସବୁ କାମରେ ଗୋଟାଏ ପ୍ରେରଣା ଦରକାର ସେ ଗୋଟାଏ ନିଶା । ପ୍ରେରଣାର ମାତିଥିଲେ ଦେଶପ୍ରେମୀ ଛାତି ପତାଇଦିଏ ଗୁଳି ମୁହଁକୁ । ସୈନ୍ୟ ମାଡ଼ିଯାଏ ସଙ୍ଗୀନ୍‍ ମୁନ ଆଗକୁ । କବି ଲେଖିଯାଏ ପ୍ରାଣସ୍ପର୍ଶୀ କବିତା । ଆଉ ସେତକ ନ ଥିଲେ ମଣିଷ ଗୋଟାଏ ଶୁଖିଲା କାଠଗଡ଼ ପରି ।

 

ତଥାପି ସାହୁକାରର କାମ ଖଇଚା କରିବନି ମାନିଆ । କାମର ମଣିଷ । ଯେତିକି ଡେରି କରୁଛି ସେତିକି ଦାଉରେ କାମ କରିଗଲା । ଏକା ଗୋଟାଏ ଚକଡ଼ା ଜମି ସଫା କରି ବାଛି ଦେଇଚି-। ଗୋଟାଏ ବାଳୁଙ୍ଗା କିଏ କାଢ଼ିଦେଲେ ମାନିଆ ଦଶ ଚଟକଣା ଖାଇବ । ତା’ର କାମ ଦେଖି ସାହୁକାର ମନେ ମନେ ହସିଲେଣି । ଯେତେହେଲେ ମାନିଆ ଗୋଟାଏ ହଳିଆ-। ତାରି ସାମନାରେ ମୂଲିଆମାନଙ୍କ ଆଗରେ ଭୂରି ଭୂରି ପ୍ରଶଂସା ।

 

ମାନିଆ ସେଥିରେ ଗୌରବ ଅନୁଭବ କରେନି । ସେ ଠିକ୍‍ ବୁଝିଛି ଧରମୁଟା ଗୋଟିଏ ରକମର ମଣିଷ । କାମର ପିଆରା । ସେତକ ନ ହେଲେ ମଣିଷ ତାଠୁଁ କିଛି ପାଇପାରିବେନି ।

 

ଚାଲିଛି ଗାଡ଼ି । ଟପ୍‍ ଟପ୍‍ ଢପ୍‍ଢପ୍‍ । ରାତି ଖାଡ଼ା ଖାଡ଼ା ପାହିଗଲା । କମି ଆଖିକୁ ନିଦ ନାହିଁ । କେତେବେଳେ ଭାବୁଛି ମାନିଆର କୁଡ଼ିଆ । ଦାଦି ଖୁଡ଼ୀ । ସାହୁକାରର କ୍ଷେତ । ଗାଁର ଝରଣା ଆଉ କେତେବେଳେ ଟାଟା ସହର । ଗାଡ଼ି ଘୋଡ଼ା । ଫେସନ୍‍ ଫାସନ୍‍ । ଲୋକ ଅଦଳ ବଦଳ ବେଳେ କେତେପ୍ରକାର ଅନୂଭୂତି । ଅନ୍ଧଟିଏ ଆସି ଗୀତ ବୋଲୁଛି ପଇସା ପାଇଁ । ଗରିବ ମାଇକିନିଆଟିଏ ଛିଣ୍ଡାଲୁଗା ପିନ୍ଧି ହାତ ପତାଉଛି । କେତେବେଳେ ବାପ ତାର ଛୋଟ ଝିଅଟିକୁ ନଚାଉଛି ପେଟ ଖଣ୍ତିକ ପାଇଁ । ଆଉ କିଏ ଗୀତ ଗୋବିନ୍ଦ, ଗୋବିନ୍ଦ୍ର ଚନ୍ଦ୍ର, ନଈବଢ଼ି, ନେପାଳି-ବାବାଙ୍କ ଦୁର୍ଦ୍ଦଶା, ଆଜିକାଲି ଝିଅଙ୍କ ଫେସନ ନେଇ ଗୀତ ଗାଇ ବହି ବିକୁଛି । କେତେବେଳେ ଦଲାଲମାନେ ଛୁରୀ, ପାନିଆ, ନକଲି ସୁନାର ଅଳଙ୍କାର ନିଲାମ ଡାକୁଛନ୍ତି ।

 

ଏତେଗୁଡ଼ାଏ କଥା ରେଳ ଡବାରେ ! ଟିକେ ସାବଧାନ ନ ହେଲେ ମଣିଷର ବୁଦ୍ଧି ବାଉଳା । ଯାହା କିଛି ବାଟ ଖର୍ଚ୍ଚ ନେଇଥିବ ସବୁ ଶେଷ । କମି କାବା ହୋଇ ସବୁ ଦେଖୁଛି । ଦୁଃଖୀ ରଙ୍କି ଦେଖିଲେ ହୃଦ ତାର ବିକଳ ହୋଇଉଠୁଛି । ଜିନିଷ ପତ୍ର ଦେଖିଲେ କିଣିବାକୁ ଇଚ୍ଛା ହେଉଚି । ପୁଣି ପରେ ଭାବି ନେଉଛି–ଟାଟାରେ ସବୁ ଜିନିଷ ମିଳିବ । ଏଠୁ କାହିଁକି କିଣିବ?

 

ରେଳଡବା ଭିତରେ ଲୋକ ଝାଡ଼ା ଯାଉଛନ୍ତି ।, ପରିସ୍ରା କରିବାକୁ ବି ଯାଉଛନ୍ତି । ଦାନ୍ତ ବି ଘଷୁଛନ୍ତି । ବଡ଼ ସୁବିଧା ଗାଡ଼ି ତ । କମି ଥରେ ସେ ଘର ଭିତରକୁ ଗଲା । ନୂଆ ନୂଆ । ଗାଡ଼ି ଚାଲୁଥିଲେ ଦମ୍ଭ କରି ବସିପାରୁନି । ଏପଟେ ବାଡ଼େଇ ହୋଇଗଲେ ସେପଟେ ପିଟି ହୋଇଯାଉଚି-। ଏମିତିରେ ଆଉ ଝାଡ଼ା ହୁଏ ? କଷ୍ଟେମଷ୍ଟେ ସେ ଘରୁ ପଳାଇଆସି ନିଜ ଥାନରେ ବସି ପଡ଼ିଲା ।

 

କେତେ ସମୟ ପରେ ଗାଡ଼ି ଚାଲିଲା ଖଡଗପୁରରେ । ଏଇଠାରେ ଗାଡ଼ି ବଦଳ, ଛଅ ଘଣ୍ଟା ସମୟ ଡେରି । ବାପାସବୁ ବତାଇଦେଲା । ଝିଅ ପାଇଖାନାରେ ଝାଡ଼ା ବସିଲା । ଗାଧୁଆଘରେ ଗାଧେଇଲା । ହେଲେ ବି ଗାଁର ଖୋଲା ପଡ଼ିଆ ଆଉ ଝରଣା ପରି ଏଗୁଡ଼ା ଆରେଇଲାନି ଏତେ । ସହରରେ ଭାତ ଡାଲି ବିକା ହୁଏ । ଆଗରୁ ଶୁଣିଥିଲା କମି ସାହୁକାରଠାରୁ-। ଥରେ ଖାଇବା ପାଇଁ ମନଟା ସକ୍‍ସକ୍‍ ହଉଥାଏ । ବାପା ବି ହୋଟେଲରୁ ଗୋଟେ ମିଲ୍‍ କିଣି ଆଣି ଦେଲେ । ଭାତ, ଡାଲି, ତରକାରୀ, ଭଜା, ଖଟା । ବାଃ ବେଶ ଭଲ ଅଛି ତ । କମି ପେଟ ପୂରେଇ ଖାଇନେଲା, ଟିକିଏ ଏପଟ ସେପଟ ଦେଖିଲା । ଝିଅମାନେ କିପରି ଜାମା ପିନ୍ଧି ଚପଲ ମାଡ଼ି ଫିଟ୍‍ଫାଟ୍‍ ହୋଇ ଯାଉଛନ୍ତି । ସେମାନଙ୍କର ଡର ନାହିଁ । ସହରରେ ରହିଲେ ସଭିଏଁ ଇମିତି ହୁଅନ୍ତି । କମି ମନେ ମନେ ଖୁସି ହେଉଥାଏ । ଏଇପରି ସହରଝିଅ ହୋଇ ସେ ଗାଁ କୁ ଫେରିବ-। ଫିଟ୍‍ଫାଟ୍‍ ହୋଇ ଚାଲିବ । ସମସ୍ତେ କାବା ହୋଇ ଚାହିଁବେ । ମାନିଆ ଅଧିବ ଭଲ ପାଇବ-। ବାହା ହେବ । ଆଦର କରିବ । ସୁଖର ସଂସାର । ଆନନ୍ଦର ଢେଉ । ତାଳେ ତାଳ ଦେଇ ନାଚି ଉଠିବ ।

 

ଟାଟାକୁ ଯିବା ଗାଡ଼ି ଆସି ଷ୍ଟେସନରେ ଲାଗିଲା। କମି, ରଥିଆ ଓ ମଙ୍ଗୁଳୁ ଚଢ଼ିଲେ ଗୋଟାଏ ଡବାରେ । ଗାଡ଼ି ଚାଲିଲା । ଦୁଇପଟକ୍ଷେତ, ଗଛ ସବୁ ଦଉଡ଼ିଲେ । କମି ଆଚମ୍ବିତ ହେଉଥାଏ । ଠାଏ ଠାଏ ଗାଡ଼ି ଅଟକେ । ଆରପଟୁ ଆଉ ଗାଡ଼ି ଆସେ । ସେଥିରେ ବି ଲୋକ ବସିଥାନ୍ତି । କମି ଉଠିପଡ଼ି ସମସ୍ତଙ୍କୁ ଚାହେଁ । ସମସ୍ତେ ତାକୁ ମାନିଆ ପରି ଦିଶନ୍ତି ।

 

ଏଇପରି କେତେ ଦୃଶ୍ୟ ପାର ହୋଇ ଗାଡ଼ି ଲାଗିଲା ଟାଟାରେ । ବଡ଼ ସହର, କଳକାରଖାନା, ଚେଁ ଭେଁ । କମି ଓହ୍ଲାଇଲା ।

 

ସମସ୍ତେ ଚାଲିଲେ କୁଲି ବସ୍ତିଆଡ଼କୁ। ବାପ ଓ ମଙ୍ଗୁଳୁର ସାଙ୍ଗମାନେ ଅନେଇ ଥାନ୍ତି । କେତେ ଘରୁ ମାଇପି ଲୋକ ବି ଉଙ୍କି ମାରୁଥନ୍ତି । ରଥିଆତା କୋଠରୀକୁ ପଶିଲା । ଝିଅକୁ ସବୁ କଥା ବତାଇଦେଲା । ପାଣିକଳ-ରୁ ପାଣି ଆଣିବ । ସେଇ ପାଇଖାନାକୁ ଝାଡ଼ା ଯିବ । ଏଇ ଥାନରେ ଗାଧେଇବ । ଝିଅକୁ ପାଣି ଆଣିବାକୁ କହି ରଥିଆ ଆଗ ବାହାରିଗଲା କିରଣ ସେଠ ଦୋକାନକୁ । ସେଇଠାରୁ କାଳିବାସୀର ସଉଦା ଆଣେ ।

 

ସେଠକୁ ଯାଇ ସରୁ ଜୁହାରଟିଏ କଲା । ସେଠ ପ୍ରତି ନମସ୍କାର ଜଣାଇ କହିଲେ–ଏବେ ଆସିଗଲୁ । କାମ-ଧନ୍ଦା କରି ମୋପଇସା ଶୁଝିଦେ ।

 

ରଥିଆ କହିଲା–ସେକଥା ଆଉ କହୁଛି କି ମୋତେ ? ଏଥର ଆମେ ଦୁଇ ଜଣ । ସଙ୍ଗରେ ଝିଅ ମୋର ଆସିଛି । ଦିହେଁ କାମକରି ଆପଣଙ୍କ ପଇସା ଦେଇଦେବୁ । ଆଜି ଆଉ କିଛି ସଉଦା ଦିଅନ୍ତୁ ।

 

‘ଲେଇଯାଅ’ ବୋଲି ସେଠ ଆଦେଶ ଦେଇଦେଲା । ବ୍ୟବସାୟ ସେପରି ଚଳୁଛି । କାଳିବାସୀ,ବିଶ୍ୱାସ ଉପରେ ବ୍ୟବସାୟ ଚାଲିଛି । କେବେ କେବେ ପଇସା ବୁଡ଼ିବି ଯାଉଚି । କେବେ କେବେ ସେଠଙ୍କ ର ସେଥିପ୍ରତି ଭୟ ନାହିଁ । ବର୍ଷକେ ଯାହା ବୁଡ଼ି ଯାଉଚି ସେ ହାତ ସଫେଇର, ନୋଚେତ ଖାଣ୍ଟି ସୋରିଷ ତେଲରେ ବାଦାମତେଲ ମିଶାଇ ଖାଣ୍ଟି ବୋଲି ବିକିବାରେ ଉଠାଇ ନେଉଛନ୍ତି । କୁଲି ଦଳର ଅଧିକାଂଶ ଲୋକ ଏଠୁ ସଉଦା ନିଅନ୍ତି । ସେଠ କାଲି ବାସୀ ର ଉଦା ଦିଅନ୍ତି ସପ୍ତାହକୁ ସପ୍ତାହ ପଇସା ଆସି ଆଦାୟକରି ନିଅନ୍ତି । ରଥିଆ ଚାଉଳ ଡାଲି, ଆଳୁ ନେଇ ଝିଅକୁ ଦେଲା । କାଠ ବି ଦେଲା । ସବୁ ସୁବିଧା କରି ବାହାରିଗଲା ଟିକେ ବୁଲି।

 

ଏକାଟିଆ ନୂଆ ଥାନ ରେ ମାଡ଼ି ମାଡ଼ି ପଡୁଥାଏ କମିକୁ । ହେଲେ ବି ଚାରିଆଡ଼େ ବିଜୁଳିବତୀ । ଏପଟେ ସେପଟେ କୁଲି ବସ୍ତି । ଡର କ’ଣ କମି ରାନ୍ଧୁଛି । ଗାଁ ର ଲୋକ ମନେ ପଡ଼ୁଥାନ୍ତି। ମାନିଆ ବି ଏବେ କ’ଣ ଗୋଟେ ଫୁଟାଉଥିବ । ଭାତ ଦିଟା ହେଇଗଲେ ତାର ହୋଇଯାଏ । ଶୁଖୁଆ ବଣା ତ ଭରା । କମି ଆଜି ଭାତ ରାନ୍ଧିବ, ଡାଲି ରାନ୍ଧିବ ଆଳୁ ଭରତା କରିବ-। ପାଖ ହୋଇଥିଲେ ଟିକିଏ ପଠାଇଦିଅନ୍ତା । ଆଜି ତ ଆଉ ଦାଦୀ ଖୁଡ଼ୀ ଅଧୀନ ରେ କମି ନାହିଁ ଡର କାହାକୁ ? ଏଇପରି ଭାବନା ମଧ୍ୟରେ କମି ରାନ୍ଧି ଚାଲିଛି ।

 

ସାଇପଡ଼ିଶା ଆସି କେତେ କଥା ପଚାରୁଥାନ୍ତି । ଝିଅ, କେତେବେଳୁ ବାହାରିଥିଲୁ । ମା ଅଛି କି ନାହିଁ, ଆଉ କିଏ ଘରେ ଅଛି ? ଅଇଲୁ ଖାସା ହେଲା । ବାପାଟା ରାନ୍ଧି ରାନ୍ଧି ହରକତ ହେଉଥିଲା । ନୂଆ ଭୁଆ ତୁ, ହୁସିଆର ହୋଇ ଚଳୁଥିବୁ । ସହର ଏ ବଜାତି ଲୋକଙ୍କ ଆଡ଼୍‍ଡା ଏଠି କମ୍‍ ନୁହେଁ । ହେଲେ ଆମେ ସବୁ ଅଛୁ ଖାତିର କ’ଣ ।

 

ସେପଟ ଘରେ ମଙ୍ଗୁଳୁ ଶୁଣୁଥାଏ । ରାଣ୍ଡୀ ବୁଢ଼ି ଏଇ କଥାଗୁଡ଼ାକ କହୁଚି । କେଡ଼େ ସତୀଟା ! ଘରେ ଦୁଇଟା ଖାନିକ ରଖିଛି ଝିଅ ବୋଲି କହି । ମଦୁଆମାନଙ୍କରେ ସେଇଠି ମେଳା । ଆଉ ଏଠି ଆସି ଭଲେଇ ହଉଚି ।

 

ଗାଁଟାରେ ରଥିଆ ମଦପାଣି ଟିକିଏ ପାଇ ପାରୁନଥିଲା । ଆଜି ଯାଇ ପେଟେ ପିଇଲା-। ଭାଟିଦାର ବି କାଳିବାସୀରେ ଦଉଚି । ଏକାବେଳକେ ସର୍ଦ୍ଦାର ପାଖରୁ ସବୁ କୁଲିଙ୍କ ପଇସା ଅସୁଲ କରି ଆଣିବ । ମାଗଣାରେ ସବୁଦିନ ଯେତେ ଦରକାର ଆଣି ପିଏ । ସେବାଟେ ଭାଟିଦାରର ଯାହା ଖର୍ଚ୍ଚ ହୁଏ, ସବୁ ଅସୁଲ ହୋଇଯାଏ ଏହି କୁଲିଙ୍କଠାରୁ । ଜାଲ ଫିସାଦିର ବସା ଏଇଟା ନା କ’ଣ-

 

ରଥିଆ ଟିକେ ଗେଲି ଘାସୀଆଣୀକୁ ସଙ୍ଖୋଳି ଦେବାକୁ ଗଲା । ଗେଲିର ବର ସାହେବ ଘରୁ ଫେରି ନଥାଏ । ରଥିଆ ଗୋଟେ ତାର ସଚ୍ଚା ପ୍ରେମିକ । ରଥି ଗାଁ କଥା କହିଗଲା । ଝିଅକୁ ଆଣିଛି । କାଲି ଯାଇ ଦେଖିଆସିବାକୁ କହିଲା । ଦୁହେଁ ଟିକିଏ ପାଖାପାଖା ବସି ହଜିଲା ଦିନର କଥା ଭାବିଗଲେ । ଗେଲି ଢଳି ପଡ଼ିଲା ରଥିଆ ଉପରେ । ନିଶାର ଝୁଙ୍କ୍‍ରେ ପାପଗୁଡ଼ାଏ କରି ପକାଇ ରଥିଆ ଫେରିଲା ବସା ଆଡ଼େ । ଅଧା ନିଶାଭୋଳ ଅଧା ଚେତା, ଢଳି ଢଳି ଆସି ପହଞ୍ଚିଲା-। ମୁହଁଟା ଭଣ ଭଣ ଗନ୍ଧ । କଥାଗୁଡ଼ାକ କମିତିକା କମିତିକା । କମି ଟିକିଏ ଶଙ୍କି ଯାଉଥାଏ-। ସହରରେ ବାପା ଏମିତି କ’ଣ ହଉଛି ? ଏଇଟା ଭଲ ନା ଖରାପ ?

 

ଆଜି ତ ଆସି ମୋଟେ ପହଞ୍ଚିଛି । ଆଗ ଟିକିଏ କେତେଦିନ ଦେଖିନେଉ । ପରେ ବାପାକୁ କହିବ । ବଦଳାଇ ଦେବ । ଖାଇବାକୁ ବାଢ଼ି ଦେଲା । ବାପା ଖାଇପିଇ ଶୋଇପଡ଼ିଲା ।

 

ପରେ କମି ଦୁଇଟା ଖାଇ ବିଛଣା ଧରିଲା । ଦୁଇ ଦିନର ରେଳଯାତ୍ରା । ବାଧା ଲାଗୁଥାଏ । ନିଦ ମାଡ଼ି ମାଡ଼ି ପଡ଼ୁଥାଏ ।

 

ସେପଟେ ମଙ୍ଗୁଳୁ ଛାଡ଼ିଥାଏ ସଙ୍ଗୀତ । କେଡ଼େ ବେହିଆଟା ମ ! ଦେଖେଇ ଦେଖେଇ ପ୍ରୀତି ଗୀତଗୁଡ଼ାକ ଗାଉଛି । ଏଇଟା ସେତେ ଭଲଲୋକ ନୁହେଁ । ଆଗରୁ ଜାଣିନେଇଛି କମି । କେତେ ଘଣ୍ଟା ଅନୁଭୂତିରୁ ସହରଟା ଉପରେ କାହିଁକି କମିର ଗୋଟିଏ ସନ୍ଦେହ ଆସିଗଲାଣି । ଯାହା ହେଉ ନିଦ ହେଇଗଲା ।

 

କମି ଯିବାର ଆସି ମାସେ ହେଲାଣି । ମାନିଆକୁ ଯୁଗ ପରି ଲାଗୁଛି । ସବୁ ଗଛ ପତ୍ରରେ ଦେଖାଯାଉଚି କମି । ସକାଳହେଲେ ଝିଅ ମାନଙ୍କ ପଛରେ ଯାଉଚି କମି । ଝରଣା କୂଳରେ ଗାଧୋଉଚି କମି । ସାହୁକାରର ବାଡ଼ି ଦିଆ ହେଲାଠି କମି ।

 

ମିଛ କଥା କମି ଯାଇ ରହିଲାଣି ଟାଟା ସହରରେ । ପକ୍କା କୋଠରୀ, କଳପାଣି ବିଜୁଳି ଆଲୁଅ; ଆଉ ଏଠେଇଁ କୁଆଡ଼େ ଅଛି ?

 

ଭୁଲିବାକୁ ଚେଷ୍ଟା କଲାଣି ମାନିଆ । କିନ୍ତୁ ସେ ଯେ ଅପାସୋରା । ଏବେ ଧାନ କଟା ଆରମ୍ଭ ହେଲାଣି । ଧାନକଟାକୁ ମାନିଆ ବଳେଇଲା ପରି ପୁଅ କିଏ ? ଦାଦା ଧରିଲେ ଚାଲିଲା । ଏକା ମାନିଆ ଧରେ ଗୋଟାଏ କିଆରୀ । ମାନିଆର ସରିଲାବେଳକୁ ଝିଅମାନଙ୍କର ଅଧା ବି ହୋଇନଥାଏ । ମାନିଆ ମନେ ମନେ କହେ– ଝିଅ ଗୁଡ଼ାକ କି ଅଳସେଇ ମ ! ଖାଲି ସଉକି ହେବାକୁ, ଗୀତ ବୋଲିବାକୁ ଡାକିଥିବ ଏମାନଙ୍କୁ । କାମବେଳକୁ ହାଡ଼ି ପରି ।

 

ଜେମି ତା’ ମାଆର ଗୋଟିଏ ବୋଲି ଝିଅ । ବାପା ଯାଇଥିଲା ରେଙ୍ଗୁନ ଦେଶ । ଆଜିଯାଏ ଆଉ ଫେରିଲାନି । ଆର ଯୁଦ୍ଧବେଳେ ବୋଧେ ସେ ମରିଗଲା । ତଥାପି ତା’ ମା’ ମନରେ ସନ୍ଦେହ । କାଚ ସିନ୍ଦୂର ନାଇଚି, ବଞ୍ଚୀଥିବ ଯଦି ଆସିବ । ଆଚରଣ ଟା ଟିକେ ଭଲ ନୁହେଁ ବେଳେ ବେଳେ ସାହୁକାରଙ୍କର ଲୋଭଦୃଷ୍ଟି ପଡ଼େ ସିଆଡ଼େ । ଏବେ ମା’ଟା ତାର ବୁଢ଼ୀ ହୋଇଗଲାଣି । ଝିଅଟା ବଢ଼ିଛି ମଜ୍‍ଭୂତିଆ ହୋଇ । ଦି ପୁରିଆ ଦିହ । ମୋଟା ଯେମିତି, ବଳୁଆ ସେମିତି । ଦେଖିବାକୁ ମନ୍ଦ ନୁହେଁ । ସାହୁକାର ଥରେ ଦି’ଥର ହାତ ପକାଇବାକୁ ଚେଷ୍ଟା କଲେଣି ସେକଥାକୁ ଜେମିର ଖାତିର ନାହିଁ । ବହିକାଲିଆ ହୋଇ ମରଦମାନଙ୍କ ପାଖକୁ ଯାଉଥିବ । ହସି ପକାଇ ଜିଭଟା ହାତେ କାଢ଼ି ପକାଉଥିବ । ଦାନ୍ତଗୁଡ଼ିକ ଦେଖାଇ ଦେଉଥିବ ।

 

ଏବେ ତାର ଆଖି ପଡ଼ିଛି ମାନିଆ ଉପରେ । ମା’ ପରି ବ୍ୟଭିଚାର କେତେ ଦିନ କରିବ-। ସେଥିରେ ଗୋଟାଏ ଆନନ୍ଦ କ’ଣ ? ପଶୁ ପରି ସେମାନେ । ପଇସା କେତେଟା ପକାଇଦେବେ-। କ୍ଷଣିକ ଉତ୍ତେଜନା ପୂରଣ କରି ପକାଇବେ । ପୁଣି କେତେଦିନ ! ଯୌବନ ଟିକକ ଥିବା ଯାଏ-। ଚହଟ ଚିକ୍‍କଣ ଦିଶୁଥିବା ଯାଏ । ଟିକିଏ ଚମ ହୁଗୁଳା ହେଲେ ସବୁ ଗଲା । ମାନିଆଟି କାମିକା-। ବାଉରି କୁଳରେ ବାବୁଗିରି କଲେ ଖାଇବ କୁଆଡ଼ୁ ? ଜମି ନା ବାଡ଼ି ? ସେଇ ପାଇଟି କରିବ ତ, ଖାଇବ । ଗେଣ୍ଡା, କୋଚିଆର ମାଉଁସ, ବଗଡ଼ା ଭାତ ଦିଟା ହେଲେ ବାଉରି ଧିଅରେ ଛୁଟେ ରକତ ସୁଅ । କାମ କରେ ସେ ମୁଣ୍ଡ ଝାଳ ତୁଣ୍ଡେ ମାରି । ସାହୁକାର ମଜା ମାରେ ଭଲଖାଏ । କିନ୍ତୁ ହେଲେ ବି ତା ଦେହରେ ନିର୍ମଳ ରକତ କାହିଁ ?

 

ମାନିଆ ନ ଚାହିଁଲେ ବି ଜେମି ତା ପାଖେ ପାଖେ କାମ କରୁଛି । ଦେଖେଇ ଶିଖେଇ ଥଟ୍ଟା କରୁଛି– ଗୋଟାଏ ଚିଡ଼ିଆ ଉଡ଼ିଗଲେ ବାଣୁଆ କ’ଣ ଖାଲି ଭାବି ହୁଏ । ନୂଆ ନୂଆ ଚିଡ଼ିଆ ତ ଯାହାକୁ ଯେତେ ।

 

ଏବେ ନିତି କାଠ ଗୋଛାଏ ଆଣି ଜେମି ମାନିଆକୁ ଦିଏ । ମାନିଆ ପଇସା ଜାଚିଲେ ନିଏନି । କହେ– ତୁ ତ ମୋର ଘର ମଣିଷ । ତୋଠୁ କ’ଣ ପଇସା ନେବି ?

 

ମାନିଆ ଭାବେ– କେତେ ନିଲଠୀଟା ମ ! କମି ତ ଏପରି କେବେ କହେନି ।

 

ଯୌବନର ଉନ୍ମାଦକୁ ବଢ଼ାଇ ଚାଲିଛନ୍ତି ଜେମି ଓ କମି । ମାନିଆ ଜୀବନ-ସରଣୀ ପ୍ରତିପଦରେ ଉତ୍‍ଥଳ ।

 

ମାଘ ମାସର ଜାଡ଼ । ଆଜି ସାହୁକାର କେତେ କ’ଣ ଚିଜ ଆଣି ଜେମିମା’ କୁ ଦେଇଚି । ମାଅ କେତେଥର ଝିଅକୁ ଫୁସ୍‍ଫୁସ୍‍ କରି କହିଲାଣି–ଗମ୍ଭୀରି ଘରକୁ ଯା । ଜେମିର ମନଟା କାହିଁକି କେମିତି ହଉଚି । ଏ ସାହୁକାର ବାପା ସମାନ । ସବୁବେଳେ ଗୋଟାଏ ପାପ କଥା କ’ଣ ? ଟିକିଏ ଝାଡ଼ା ଆସି କହି ଜେମି ପଦାକୁ ବାହାରିଲା । ସାହୁକାର ଅପେକ୍ଷା କଲେ କ’ଣ ଅଛି ଶୀତ ଦିନ ରାତି ତ । ଘରେ ବୁଢ଼ୀ ସନ୍ଦେହ କରିବାର କାରଣ ନାହିଁ । କାରଣ ଧାନ କାଟିବା ପାଇଁ ମୂଲିଆ ଠିକ୍‍ କରିବାକୁ ନିତି ଯାଆନ୍ତି ଧରମୁ ବାଉରି ସାହି । ଜେମି ଫେରିବା ଯାଏଁ ଜେମି ମାସାଙ୍ଗରେ ଥଟ୍ଟା ଟାପରା ଚାଲିଛି–ଜେମିକୁ ବାହା ଦେ’ନା ଲୋ ଜେମି ମା’ ! ଏଇପରି ଧାଙ୍ଗଡ଼ୀ ଥାଉ । କ୍ଷତି କ’ଣ ? ଧନ ପାଇବ । ତିରିଲା ଝିଅର ଯାହା ଦରକାର ସବୁ ମିଳିବ ।

 

ଜେମି ବୋଉ ଟିକିଏ ଭାବି କହୁଥାଏ– ସେମିତି କିମିତି ହବ ସାହୁ ଅଘଟଣ କଥାଟାଏ ହୋଇଗଲେ ଲୋକେ ଛି ଛି କରିବେ, ଅଜାତି କରିବେ ।

 

ସେଥିପାଇଁ ଡର ? ମୋ ପାଖରେ ଔଷଧ ଅଛି । ଖୁଆଇଦେଲେ ସେସବୁ ଭୟ ରହିବନି । କହି କମି ବୋଉକୁ ଟିକିଏ ଜାକି ଧରିଲେ ସାହୁ।

 

ବସି ବସି ରାତି କେତେ ହେଲାଣି । ଜେମି କାଇଁ ।

 

ଦିଟା କ’ଣ ଖାଇଦେଇ ମାନିଆ ଶୋଇଲାଣି । ହଠାତ୍‍ ତାଟିରେ କାହାର ହାତବାଡ଼ିଆ ଶବ୍ଦ ଶୁଣି ଚମକି ପଡ଼ିଲା ମାନିଆ । ‘‘କିଏ ?’’ କାହାର ହାତବାଡ଼ିଆ ଶବ୍ଦ ଶୁଣି ଚମକି ପଡ଼ିଲା ମାନିଆ ।

 

‘‘ମାନିଆ ଦାଦା, ମୁଁ ଜେମି । ବଡ଼ ବିପଦରେ ପଡ଼ିଛି । ଫିଟା ତ ଟିକିଏ ।’’

 

‘‘ତୁ ଟା ନିଲଠୀ ଲୋ ! ନିଜେ ମରିବୁ, ଆଉ ପାଞ୍ଚ ଜଣଙ୍କୁ ମାରିବୁ । ଯା ଫେରିଯା । ଦେଖେଇ ହଉଚି ମୁଁ ଏତେ ସୁନ୍ଦରୀ !’’

 

‘‘ଖରାପ ଭାବିବୁନି ମାନିଆ ଦାଦା, ଆଗ ଫିଟା, କଥାଟା ଶୁଣ୍‍ ।’’ ଜେମିର ସ୍ୱରରେ ଯେପରି ଗୋଟିଏ କାରୁଣ୍ୟ ।

 

ମାନିଆ କବାଟ ଫିଟାଇଲା । ଜେମି ପଶିଯାଇ କବାଟଟା କିଳିଦେଲା । ମାନିଆ କିଛି ବୁଝିପାରୁ ନ ଥାଏ । ‘‘କ’ଣ ହେଇଚି କିଲୋ ଜେମି?’’

 

‘‘କହନା ମାନିଆ ଦାଦା ! ନିଜ ଘର କଥା କ’ଣ କହିବି ? ସାହୁକାର କେତେ କ’ଣ ଭଲ ଚିଜ ମା’କୁ ଦେଇ ମୋ ଉପରେ ପାପ କାମ କରିବ ବୋଲି କହୁଛି । ଇମିତି ଥରେ ଦିଥର କରି ସାରିଲାଣି । ପାଟିଟା ତାର ଯେଉଁ ଗନ୍ଧ, କ’ଣ ପିଏ କେଜାଣି ? ଆଖି ଲାଲ ଲାଲ କରି ବଡ଼ ହରବର କରେ ଆଜି ସେମିତି ମତଲବରେ ଆସି ବସିଛି । ମୁଁ ଝାଡ଼ା ଆସେ କହି ପଳାଇ ଆସିଚି ।

 

ମାନିଆ ମନରେ ବିଦ୍ରୋହ କରି ଉଠିଲା । ଯେ ରକ୍ଷକ ସେ ଭକ୍ଷକ । ସାହୁକାର, ତାର ତ ପତ୍ନୀ ଅଛି । ଯଦି ବ୍ୟଭିଚାର କରିବାକୁ ମନ ବଳିଲା, ବଡ଼ ଘରେ କଲାନି, ଏଇ ଗରିବ ବାଉରି ଘରେ.........

 

କେତେ ସମୟ ବସିଲା ଜେମି । ମନରେ ତାର ଦମ୍ଭ–ମାନିଆ ପରି ମରଦ ଅଛି । କହି ପକାଇଲା–ମାନିଆ ଦାଦା କମି ତ ତୋତେ ବାହା ହବନି । ଦାଦି ତାର ମନା କରୁଛି । ତୁ ମୋତେ ବାହା ହେଇଯା । ସାହୁକାର ଦାଉରୁ ମୋତେ ରକ୍ଷା ମିଳିବ ।

 

ମାନିଆ ଚିଡ଼ି ଉଠିଲା । ଏତେ ବହକାଲିଆ ଝିଅଟା । କହୁଛି କ’ଣ ମୋତେ ବାହା ହୋଇପଡ଼ । ମାନିଆ ଶୁଣାଇ କହିଲା– ନା, ନା, ତୁ ସାହୁକାର କୁ ବାହା ହେଇପଡ଼ ।

 

ମା’ ତା’ର ଡାକ ଛାଡ଼ି ଆସୁଛି–ଜେମି, କୁଆଡ଼େ ଗଲୁ ଲୋ ! ଡାହାଣୀ ଖାଇଗଲା କି ମୋ ଝୁଅକୁ । ଆସି ଆସି ମଶାଣିଯାଏ ଅଇଲାଣି । ଗୁଣିଗାରଡ଼ି ବି ଟିକିଏ ଜଣା । ଡାକ ପକାଇଲା– ମାନିଆ ପୁଅ,ମାନିଆ ପୁଅ !

 

ମାନିଆ କହିଲା, ‘‘କ’ଣ କିଲୋ ରେଙ୍ଗୁନିଆ ମାଉସୀ!’’

 

‘‘ଆରେ ପୁଅ, ଝିଅଟା ଝାଡ଼ା ଅଇଲା ଯେ କୁଆଡ଼େ ଗଲା ?’’

 

‘‘ଆଗକୁ ଟିକିଏ ଯା ଦେଖିବୁ । ଝରଣା କୂଳେ ଆଡ଼େ ଅବା ଯାଇଥିବ !’’

 

ଏତିକି ବେଳେ ମାନିଆ ଜେମିକୁ କହିଲା–ପଳା, ପଳା । ତୋ ମା ଜାଣିଲେ ଏଠି ମୋତେ ଠାବ ମିଳିବନି ।

 

ସାହୁକାର ଗଲାଣି କି ନା ଭାବି ଭାବି ଜେମି ଘରକୁ ଫେରିଲା । ସାହୁକାର କାହିଁକି ଯିବ-? ତାର ତ ନିଶା ଲାଗିଛି । ଜେମି ଯେମିତି ପଶିଗଲା, ଜାବୁଡ଼ି ଧରିଲା । ଜେମି ଠିକ୍‍ କରି ପାରିଲାନି କ’ଣ କରିବ ? ପାଟି କଲେ ସ ଭିଏଁ ଜାଣିବେ । କୁଳକୁ ନିନ୍ଦା । ଜାତିଭାଇ ଅଜାତି କରିବେ । କିନ୍ତୁ କେବେ ବି ସେ ଆଜି ସାହୁକାର ପାଖରେ ନିଜର ଇଜ୍ଜତ ଦେବନି । ଚତୁରତା ଦରକାର । ପୋଷାମନା ବିଲେଇଟି ପରି ପଡ଼ି ରହିଲା । ସାହୁକାରଙ୍କ ଉନ୍ମାଦ ଶତଗୁଣ ବଢ଼ି ଯାଇଥାଏ । ପାଶବିକ ପ୍ରେମର ଜୁଆର। ମାତ୍ର ଲଙ୍ଘିବାକୁ ଯିବାବେଳେ କାମୁଡ଼ି ଦେଲା ଜେମି ।

 

ଝରଝର ରକତ । ନିଶା ଛାଡ଼ିଗଲା । ଲାଜ କଥା କାହାକୁ କହିବେ ? ତରବର ହୋଇ ଉଠି ପଳାଇଗଲେ । ମୁଣ୍ଡ ପିଟି ହୋଇଗଲା ଦୁଆର ବନ୍ଧରେ । ତଥାପି ପଳାଇଲେ । ବାଟରେ ଭେଟ ହେଲା ଜେମିବୋଉ । କହିଲା– ଜେମି ଆସିଲା ସାହୁ ?

 

“ହଁ

 

‘‘କ’ଣ ମନକାମନା ପୂରିଲା ?”

 

‘‘ସେକଥା ପଚାରନା ।’’ କହି ସାହୁ ଛୁଟିଲେ ।

 

‘‘ମାନିଆରେ,ମାନିଆ !’’

 

ସାହୁର ପାଟି ବୋଧେ । କ’ଣ ହେଲା ? କାବାଟ ଫିଟାଇଆସିଲା । ରକତ ବୋହୁଛି । ‘‘କ’ଣ ସାହୁ ?’’

 

“ବିଲେଇଟା କାମୁଡ଼ି ଦେଲାରେ ପୁଅ !’’

 

ମାନିଆ କଥାଟା ଅନୁମାନ କରିନେଲା । ବିଲେଇ କାହିଁକି କାମୁଡ଼ିବ ? ସାହୁକୁ ଧରି ଘରେ ଛାଡ଼ି ଆସିଲା ।

 

ଯେମିତି କବାଟ ଫିଟିଛି ସାହୁଆଣୀ ପାଟିକରି ଉଠିଲେ– କେଉଁ ଗାତକୁ ଯାଇଥିଲ ? ରାତି ଆସି ଏତେ ହେଲାଣି । ମୁହଁଟା କାହିଁକି ଗନ୍ଧାଉଛି ? ଏ କି ବୁଦ୍ଧି ବୁଢ଼ାକାଳକୁ ? ବାପ ଅଜା ସାତ ପୁରୁଷ କେହି ଏମାନ ଧାର ଧାରୁ ନଥିଲେ । ଏ ସବୁ କ’ଣ ? ଇଲୋ ମାଆ ଲୋ, ହାତ କ’ଣ ହେଲା ମ ?

 

ମାନିଆ କହିଲା– ବାଉରି ସାହିରେ କେଉଁଠି ବିଲେଇ କାମୁଡ଼ିଦେଲା ।

ମାଡ଼ି ମାରିଲା ପରି କଥାଟା ଲାଗିଲା ସାହୁଙ୍କୁ । କିନ୍ତୁ ଅକସ ନେବାର ମୁର୍ହୂତ୍ତ ଏଇଟା ନୁହଁ । ପଞ୍ଚଗୁଣା ଟିକିଏ ମାଲିସ୍‍ କରି ନିଆଁରେ ହାତ ସେକାଗଲା । ରାତିଯାକ ବିନ୍ଧା ଛିଟିକା–ଲୀଳେଇ ଲୀଳା ।

ସୁଲୋଚନା ରାତିଯାକ ଅନିଦ୍ରା ।

ପାପର ଫଳ ପାଇଛନ୍ତି ଧରମୁ ସାହୁ । ମାତ୍ର ଗରିବ ଜେମି କ’ଣ ବଳେଇଯିବ ? ହାତଟା ଟିକିଏ ଭଲ ହେଇଯାଉ ସାହୁ ମେଲିବେ କେତେ ଜାଲ । ଧରା ନ ପଡ଼ି ଯିବ କୁଆଡ଼େ ? ବହକାଲିଆ ଟୋକୀ ଦେଖେଇ ହଉଚି ରୂପବିଭବ । ବେଶୀ ଟଙ୍କା ମାଗିଥିଲେ ନେଇଥାନ୍ତା । ଆଉ ଇମିତି ହଟହଟା !

ଓହୋ ବିନ୍ଧିଲା ବିନ୍ଧିଲା,

ସୁଲୋଚନା ପାଖରେ ଥାଇ ହାତକୁ ଟେକି ଧରିଛନ୍ତି । ପଞ୍ଚଗୁଣା ଘଷିଛନ୍ତି । ନିଆଁରେ ସେକା ଚାଲିଛି ।

ପ୍ରଣୟର ଅଭିସାର ପରା !

ସକାଳୁ ଉଠି ମାନିଆ ବିଲେଇ କାମୁଡ଼ିବା ବିଷୟ ସ୍ଥିର କରିବାକୁ ଭାବୁଚି, ଜେଜିମା ଆସି ଡାକପକାଇଲା–ମାନିଆ ପୁଅ, ଆସିବୁଟି ଝିଅଟା କାହିଁକି ସାହୁକାର କାମକୁ ଯିବାକୁ ମଙ୍ଗୁନି, କରୁଛି ଟିକିଏ ବୁଝାଇ କରି ନେଇଯିବୁ ।

ମାନିଆ କହୁଛି–ମାଉସୀ, ସେ କ’ଣ କହୁଚି ?

ସେ କହୁଛି, ବୁଝିଲି ପୁଅ, ମୁଁ କାଲି ଯେତେବେଳେ ଜେମିକୁ, ସେ କେଉଁବାଟେ ଯାଇ ଘରେ ଖୋଜିବାକୁ ଆସିଥିଲି ଜେମିକୁ, ସେ କେଉଁବାଟେ ଯାଇ ଘରେ ପହଞ୍ଚିଲା । ସାହୁକାର ମୂଲିଆ ଖୋଜି ଆସି ସେଇଠି ବସିଥିଲା । କ’ଣ ଟିକିଏ କରିବାକୁ ଯିବାରୁ କାମୁଡ଼ି ଦେଇଚି ଜେମି । ସେଥିପାଇଁ ଡରିକରି ଯାଉନି ।

 

ମାନିଆ ଟିକିଏ ଗମ୍ଭୀର ହୋଇ ପଚାରିଲା–ସାହୁକାର କ’ଣ ଏପରି ସବୁବେଳେ କରେ-?

 

ଜେମି ମା ରାଣ ପକାଇ କହିଲା–ଛିଆ, ଛିଆ ବଡ଼ଲୋକ । ସଦାବେଳେ ଇମିତି କରିବ-? କେତେବେଳେ କ’ଣ ଟିକିଏ ମନ ହେଇଯାଇଥିବ ନା !

 

ମାନିଆ କହିଲା– ହଉ ଯାଅ, କହିଦେବ ମାନିଆ ଦାଦା କହିଛି କାମକୁ ଯିବ, ନୋଚେତ୍‍ କଥାଟା ବଢ଼ିବ ।

 

ଏପରି ଖବର ଦେଇ ମାନିଆ କାମ କରିବାକୁ ସାହୁକାର ଘରକୁ ଗଲା । ସାହୁଆଣୀ କହିଲେ– ବୁଝିଲୁ ପୁଅ, ହାତୁଟା ବିତିଗଲାଣି । ଫୁଲିଛି କେଡ଼େଇଁ । ଯାଅ ଦେବେନ୍ଦ୍ର ବାବୁଙ୍କୁ ଡାକି ଆଣ । ଫିସ୍‍ ଦୁଇ ଟଙ୍କା ନେଇଯା । ମାନିଆ ଟଙ୍କା ଦୁଇଟି ଧରି ଏକାଦମେ ଝପଟିଲା ଦେବେନ୍ଦ୍ର ବାବୁଙ୍କ ପାଖକୁ । ହୋମିଓପାଥି ବ୍ୟବସାୟ ଟା ଦେବେନ୍ଦ୍ର ବାବୁଙ୍କ ର ଗୋଟେ ସଉକି । ନୋହିଲେ ଅଧିକ ସମୟଯାଏ ଦେଶ ଚିନ୍ତାରେ । ମାନିଆ ଗଲାବେଳକୁ ପାଞ୍ଚ ଜଣ ବସିଛନ୍ତି ପାଖରେ । ସବୁଯାକ ଖଜୁରିଆ । ତାଙ୍କ ଆପତ୍ତି– ଆମ ଅଞ୍ଚଳରେ ପାଞ୍ଚ ଶହ ଖଣ୍ଡେ ଖଜୁରୀ ଗଛ । ତାଡ଼ି ବାହାର କରି ଆମେ ଚଳୁଥିଲୁ। ଏବେ ସରକାର ସେଇଟା ଏଠି ବନ୍ଦ ଦେଲେ । ଆମର ଦାନା ମଲା-। ଖାଇବା ଲୋକେ ଚୋରେଇ ଲୁଚେଇ ଖାଉଛନ୍ତି । ବଡ଼ ବଡ଼ ଲୋକ ଖଜୁରୀ ରସ ପିଇବା ବାହାନରେ ଲୁଚାଇ ଲୁଚାଇ ମଦ ପିଉଛନ୍ତି । ତା’ପରେ ସବୁଆଡ଼େ କ’ଣ ଏଇଠା ଉଠିଛି-। ସେପଟେ ଗଡ଼ଜାତ ଇଲାକାରେ ମଦ କାରବାର ଚାଲିଛି । ଚୋରାରେ ମାଠିଆକୁ ମାଠିଆ ଆସୁଛି-। ସବୁ ତ ଚାଲିଛି-। ଆମ ଦାନା ସରକାର ତ ବନ୍ଦ କରିଲେ ଆମେ କରିବୁ କ’ଣ ?

 

ଦେବେନ୍ଦ୍ରବାବୁ ବୁଝାଉଛନ୍ତି– ତାଡ଼ିପିଆ ଆମ ଦେଶରୁ ଉଠାଇବାକୁ ପଡ଼ିବ । ବୁଝୁନ ତୁମ ପାଞ୍ଚ ଜଣଙ୍କ ବ୍ୟବସାୟ ସିନା ଯିବ, କିନ୍ତୁ ପାଞ୍ଚ ଶହ ଜଣ ମଣିଷ ପରି ଚଳିବେ । ନିଶାଖୋର ହୋଇ ଲୋକ ସତ୍ୟାନାଶ ହୋଇ ଯାଉଛନ୍ତି । ଚୋରି, ନାରୀ ଧପ୍‍ପାବାଜ ବଢ଼ୁଛି । ଏଇଟା ସରକାର ଯାହା କରିଛନ୍ତି, ଭଲ ପାଇଁ ।

 

ତୁମ ପାଞ୍ଚଜଣ ଯେ କାମ ବିନା ମରିବ, ସେ କଥା ସରକାର ଚାହାଁନ୍ତିନି । ତୁମେ ଚାଷ କର । ଦୋସରା କାମ ଧର । ପେଟ ଅପୋଷା ରହିବନି । ମୁଁ ଏ ଭିତରେ ମନ୍ତ୍ରୀ ଙ୍କୁ ଭେଟିବି। ତୁମ ସେଇ ଅଞ୍ଚଳ ରେ ଯେପରି ଖଜୁରୀ ଗୁଡ଼ ତିଆରି ପାଇଁ ଯୋଜନା ହୋଇପାରିବ ତା’ର ବ୍ୟବସ୍ଥା କରିବି । ଆଚ୍ଛା ତୁମେ ଆଜି ଯାଅ କାଲି ମୁଁ ତୁମ ଅଞ୍ଚଳକୁ ମୁଁ କାଲି ଯିବି ।

 

ମାନିଆ ଆସି ଜୁହାର କଲା ।

 

ଦେବେନ୍ଦ୍ରବାବୁ ପଚାରିଲେ–କୁଆଡ଼େ ମାନିଆ ?

 

ମାନିଆ ଉତ୍ତର ଦେଲା–ଆଜ୍ଞା, ସାହୁକାରକୁ ବିଲେଇ କାମୁଡ଼ିଛି ଯେ ହାତଟା ବିନ୍ଧୁଛି । ଫୁଲିଯାଇଛି ଏଡ଼େ ହୋଇ । ସାହୁଆଣୀ ପଠାଇଛନ୍ତି । ସଅଳ ଟିକେ ଆସନ୍ତୁ । ଏଇ ଫିସ୍‍ ଦୁଇ ଟଙ୍କା ପଠାଇ ଦେଇଛନ୍ତି ।

 

ଦେବେନ୍ଦ୍ର ବାବୁ ଭାବିଲେ ଧରମୁ ତ ଧନୀ । ତା’ଠାରୁ ଫିସ୍‍ ଟଙ୍କା ନେବା ଅନ୍ୟାୟ ନୁହେଁ । ଫିସ ଟଙ୍କା ପକେଟରେ ପୂରେଇ ଔଷଧ ବ୍ୟାଗଟା ହାତରେ ଧରି ବାହାରି ପଡ଼ିଲେ । ବାଟରେ ପଚାରିଲେ– ମାନିଆ, ବିଲେଇ କେମିତି କାମୁଡ଼ିଲା? ସେ ବିଲେଇ ତା ଘରର ନା ?

 

ମାନିଆ ଥଙ୍ଗେଇ ଥଙ୍ଗେଇ କହିଲା– ମୁଁ କିଛି ଜାଣିନି ଆଜ୍ଞା ।

 

ସାଇକେଲ ଚଢ଼ି ଦେବେନ୍ଦ୍ର ବାବୁ ଛୁଟିଲେ ଧରମୁଙ୍କ ଘରକୁ । ପଶିଯାଇ କହିଲେ–କ’ଣ ହେଲା ଧରମୁ ବିଲେଇ ଟା କେମିତି କାମୁଡ଼ିଲା ମ ? କ’ଣ ତା ପାଟିରୁ ମୁହଁରୁ ମାଛ ଛଡ଼ାଇଲ କି? କାଇଁ ଦେଖି?

 

ଧରମୁ ହାତ ବଢ଼ାଇଦେଲା । ଦେବେନ୍ଦ୍ର ବାବୁ ପ୍ରଚକ୍ଷୁ ଲଗାଇ ଭଲ କରି ଦେଖିଲେ । ସନ୍ଦେହ ହେଲା । ଏ ତ ବିଲେଇ କାମୁଡ଼ା ନୁହେଁ ! ମଣିଷ ଦାନ୍ତର ଚିହ୍ନ । ବୋଧେ ସାହୁ–ସାହୁଆଣୀଙ୍କର କଳି ଫଳରେ ସାହୁଆଣୀ ଏପରି ଅପକର୍ମ କରିଛନ୍ତି ।

 

ଦେବେନ୍ଦ୍ର ବାବୁ ସଫା ସଫା ବତାଇଦେଲେ–ଧରମୁ ହୋମିଓପାଥି ଔଷଧଟା ଇମିତି, ଠିକ୍‍ ରୋଗଟା ଜାଣିପାରିଲେ ଔଷଧ ଦେଲାମାତ୍ରେ ଛାଡ଼ିବ । ଅନ୍ଧାରରେ ବାଡ଼ି ବୁଲାଇଲେ ଶିଶି ଶିଶି ମିଠା ବଟିକା ସରିଯିବ ସିନା, ଲାଭ ପାହୁଲାଟିକର ନାହିଁ ତେବେ ମୋର ସନ୍ଦେହ ହଉଛି ଏଟା ମଣିଷର ଦାଗ । ସତ କହିବା ଦରକାର ଡାକ୍ତର ଆଗରେ ।

 

ଧରମୁ ମୁହଁକୁ ତଳକୁ ପୋତି କହିଲେ– ହଁ ।

 

ସୁଲୋଚନା ହାତେ ଜିଭ କାଢ଼ି ପକାଇଲେ ।

 

ଦେବେନ୍ଦ୍ର ବାବୁ ବି ପ୍ରଶ୍ନ ପଚାରି ସୁଲୋଚନାଙ୍କ ଆଡ଼କୁ ଚାହିଁଲେ । ଡାକ୍ତରମାନେ ବି ଭାରି ସନ୍ଦେହୀ, ଠାଉରାଇ ନେଲେ ଏ କାମୁଡ଼ାଟା ସୁଲୋଚନାଙ୍କ କୀର୍ତ୍ତି । ଘର କଥା ଆଉ ବେଶୀ ଉଖାରିଲେ ଖରାପ ହେବ । ଏଣୁ ଔଷଧ ଦୁଇ ପାନ ଦେଇ ଆଠଅଣା ପଇସା ନେଲେ; କାରଣ ଔଷଧଗୁଡ଼ିକ ଉଚ୍ଚଶକ୍ତିର ।

 

ଝଟାପଟ ଔଷଧ ଦେଇ ଲେଉଟିଲେ ଦେବେନ୍ଦ୍ରବାବୁ । ବାଟରେ ଭେଟ ପଡ଼ିଲା ମାନିଆ-। “ଔଷଧ ଦେଲେ, ବାବୁ ?’’ ମାନିଆ ପଚାରିଲା ।

 

“ହଁ ଔଷଧ ଦେଲି, ମାତ୍ର ସେ ଔଷଧ ବିଲେଇ କାମୁଡ଼ା ପାଇଁ ନୁହେଁ, ମଣିଷ କାମୁଡ଼ା ପାଇଁ । କହି ସାଇକେଲ ଛୁଟାଇଦେଲେ ।

 

ମାନିଆର ଅନୁମାନ ଠିକ୍‍। ଜେମି ଭଲ ପାନେ ଦେଇଚି । ସାହୁକାର ହୋଇଛି କ’ଣ କାମିକା ମା ଭଉଣୀମାନଙ୍କର ଇଜ୍ଜତ ନେବ ବୋଲି । ଆଜିଯାଏ ମାନିଆ ତୁନି ପଡ଼ିଥିଲା । ଏଣିକି ସାହୁକାର ଅନ୍ୟାୟ କଲେ ଲଢ଼ିବ–ଜରୁର୍‍ ଲଢ଼ିବ ।

 

ଯାଇ ପହଞ୍ଚିଲାବେଳେ ଲାଗିଚି ପାଲା ସାହୁକାରିଆଣୀ ଓ ସାହୁର । “କଥା କ’ଣ ? ସାହୁ ଧିଅ ଭଲ ନାହିଁ । ପାଟି କରୁଚ କାହିଁକି?’’ ବୋଲି ମାନିଆ ପଚାରିଲା ।

 

ସୁଲୋଚନା ମୁହଁକୁ ହଲେଇ ହଲେଇ କହିଲେ–ପୁଅ,ସେ ଡାକ୍ତର ପଚାରୁଛି ମଣିଷ କାମୁଡ଼ିଛି କି? ଏ ମଣିଷଟା କହୁଛି ହଁ । ମୋର ମହତ ରହିଲା କି ଗଲା ?ସେ ଡାକ୍ତର ଅନେଇ ମୋ ଆଡ଼କୁ ହସିଦେଲେ । କ’ଣ ଭାବିଥିବ ମାଇପ ବୋଧେ ଘଇତାକୁ ଇମିତି କାମୁଡ଼ି ଦେଇଚି ।

 

କେଉଁ ମାଇପ କାମୁଡ଼ିଛି କହୁନ ? କୁହ ? ଏଠି ଆଉ କିଏ ଅଛି ? ପୁଅଟା ତ ଅଛି । ଜାଣିଲେ ତ ମଣିଷ ହୁସିଆର ହେବ ।

 

ସବୁ ମିଛ ମ, ମିଛ ସେ ଡାକ୍ତରଟା ପରେ ମୋର ଜମା ବିଶ୍ୱାସ ନାହିଁ । ଯେଉଁଦିନୁ ମହାଷ୍ଟମୀ ବଳି ବନ୍ଦ କଲାଣି ମୋ ଉପରେ ସବୁ ବିପତ୍ତି । ଦେଖୁନ ଜାଣିଲାପରି କହୁଚି ମଣିଷ ଦାନ୍ତର ଦାଗ । ତାକୁ ଶୀଘ୍ର ବିଦା କରିବା ପାଇଁ ଏପରି କଲି ନା । କହି ଧରମୁ କଥାଟାର ମୋଡ଼ ବଦଳାଇବାକୁ ଚେଷ୍ଟା କଲା ।

 

ସାହୁଆଣୀଙ୍କର ଜିଦ୍‍ ଅଭିମାନ । ଏତେ ସହଳେ କୁଆଡ଼େ ବଦଳାଇ ହେବ ?

 

ମାନିଆ ସମସ୍ତଙ୍କୁ ବୁଝାଇଦେଇ କାମ ଦେଖିବାକୁ ଗଲା । କାମିକାମାନଙ୍କର ମଜା । ସାହୁକାର ନାହିଁ । ସାହୁକାର ତଳକୁ ମାନିଆକୁ ସବୁ କାମିକାର ଡର । ସେ ବି ନ ଥିଲା ଏତେବେଳେ ଯାଏ । ମଜାରେ ଚାଲିଛି ଗପ । ମାନିଆ ପ୍ରଥମେ ଯାଇ ସମସ୍ତଙ୍କ ଉପରେ ରାଗିଗଲା । କାମିକାମାନେ ରାଗ ଶାନ୍ତ କରିବାକୁ ଚେଷ୍ଟା କଲେ । । ଗଉରା ଟିକିଏ ମାନିଆ ସଙ୍ଗେ ମିଶେ । କହିଲା– ମାନିଆ ଭାଇ, ସାହୁକାରକୁ କେଉଁ ବିଲେଇ କାମୁଡ଼ିଲା ମ ?

 

ମାନିଆ ଟିକିଏ ହସିଦେଲା । ପୁଣି ରାଗିଗଲା– ତୋର କ’ଣ ଯାଏ ? ସାହୁକାରର କାମ କରିବାକୁ ଆସିଚୁ ନା ଥଟ୍ଟା କରିବାକୁ ।

 

ଗଉରା ବି ଯୁଆନ ଟୋକା। ପିତ୍ତ ତାର ଚହଟିଗଲା । ଏଇ ମାନିଆ କୁଆଡ଼ର ବାରବୁଲାଟା । ଘର ନାହିଁ କି ଦୁଆର ନାହିଁ ମସାଣି ପାଖରେ ପଡ଼ିଛି । ଧରମୁର ଭାତ ଖାଇ ପୁଅ କେତେ ହାଙ୍କଡ଼ କାଢ଼ୁଛି ! କହି ପକାଇଲା–ଯା’ରେ, ତୋ ସାହୁକାର ତୋତେ ବଡ଼, ମୋତେ ନୁହେଁ-। ଆମେ କ’ଣ ବାରବୁଲା କିରେ ତୋ ପରି କାମ କରିବୁ ? ମନ ହେଲେ ଆଜି ଏଠି କାଲି ସେଠି ନହେଲେ ମାରିବୁ ଡିଆଁ ହୀରାକୁଦ କି ରାଉରକେଲା । ଦିମାକ ବଢ଼ିଯାଉଚି । ବାରବୁଲା କୁକୁର-। ରହ ତୋରା ମଜଗ ଠିକ୍‍ ନ କରିଚି, ବାପର ପୁଅ ନୁହେଁ ।

 

ମାନିଆ ଟକିଏ ଦବିଗଲା ପୁଣି ଭାବିଲା, ବାଉରି ସାଇରେ ତ ସବୁଗୁଡ଼ା ସତୀ । କିଏ ଜାଣେ ଗଉରା ବାପାର ପୁଅ ନା ମାଆରେ ପୁଅ । ସେଇଠି ତ ସବୁ ବିଲେଇ ବାହାରୁଛନ୍ତି । କାଳି ବିଲେଇ, ଗୋରୀ ବିଲେଇ, ଶଙ୍ଖୀ ବିଲେଇ । ଗୋଟାକୁ ଗୋଟା ମାଛ ଗିଳି ଶେଷରେ କେଉଟକୁ ବି ଗିଳି ପକାଉଛନ୍ତି ।

 

ମାନିଆ କାହାକୁ କାହିଁକି ଡରିବ ? ବାରବୁଲା ଗୋଟାଏ କ’ଣ ? ସାରା ଦେଶର ପ୍ରତି ଥାନ ତ ତାର । ଯେଉଁଠି ଖଟିବ ସେଇଠି ଖାଇବ, କୁଡ଼ିଆ ବାନ୍ଧିବ । ଗଉରା ଛାର ତାର କ’ଣ କରିବ ?

 

ନ ଡରି ପୁଣି ଜବାବ ଦେଲା–ଆବେ ଗଉରା, ମୋତେ ଡରେଇବୁ ପଛେ । ଆଗ ସାହୁକାରର କାମ ବନା । ନିମକସଚ୍ଚା ହଅ । ତେବେ ବଢ଼େଇ କାଢ଼ିବୁ । ରହ, କାଲିଠୁ ଠିକା କରି ଦଉଚି । ଯିଏ ଯେତେ ହଳା କାଟିବ କୋଡ଼ିଏ ହଳାରେ ଗୋଟିଏ ପାଇବ ।

 

ଗଉରା ପୁଣି କହିଲା– ତୋ ମନେ ମନେ କରୁଥା ଆଇନ୍‍ । ଏପରି କଲେ ତୁ ଏକ ସବୁ ଧାନ କାଟିବୁ ଏ ବର୍ଷ । ଆମେ କେହି କାରିବୁନି ।

 

ମାନିଆ କହିଲା–ମାନିଆ କାମର ମଣିଷ । ସେ କାହାକୁ ଡରେନି । କାମ ନ କରି ଠକି ସେ ପଇସା ନିଏନି । ମୁଁ ଅଲବତ ସେ ଆଇନ୍‍ ଜାରି କରାଇବି । ତୁମ ବାଉରିସାହିରେ ଲୋକ ନ ମିଳିଲେ ଢେର୍‍ ଲୋକ ମିଳିବେ ।

 

ଗଉରା କାମ ବନ୍ଦ କଲା । ସବୁ ମୂଲିଆଙ୍କୁ କହିଲା– ଦେଖ, ସମସ୍ତେ କାମ ଛାଡ଼ି ଆସ-। ସାହୁକାର ବିଚାର କରିସାରିଲେ କାମ କରିବା । ମାନିଆ ସିନା ତାର ହଳିଆ ତାର କୌଣସି କଥାରେ ହାନି ନାହିଁ କି ଲାଭ ନାହିଁ । ଆମେ ତ ମୂଲିଆ ଲୋକ । କ୍ଷତି ସହି କାହିଁକି କାମ କରିବା-?

 

ଏପରି ମତେଇଦେଲା ଯେ ସମସ୍ତେ ଉଠି ପଳାଇଲେ । ଗୋଠ ମାତିଲେ ଖଣ୍ଟିଆ ମାତନ୍ତି । ଏଠି କିନ୍ତୁ ଖଣ୍ଡିଆ ମାତିବାରୁ ଗୋଠ ମାତିଲେ ।

 

ମାନିଆ ବୋକାଟା ପରି ଚାହିଁ ରହିଲା । ଯେତିକି ଧାନ କଟା ହୋଇଥିଲା ସବୁ ନିଜେ ବାନ୍ଧି ସାହୁକାର ଖଳାକୁ ବୋହିଲା । ଶେଷରେ ସାହୁକୁ–କହିଗଲା ମୂଲିଆମାନେ ମେଳି ବାନ୍ଧି ପଳାଇ ଗଲେ । ମୁଁ ଖାଇକରି ଆସିଲେ ସବୁକଥା କହିବି । ଯାହା ଗୋଟେ ଉପାୟ ବାହାର କରିବା-

 

ଧରମୁ ଭାବିଲେ– କରମ ବାମ ହେଲେ ବୀରଶିଶୁ ଧୂଳିରେ ଲୋଟେ । ସବୁ ଦେବେନ୍ଦ୍ର ଡାକ୍ତର ଲାଗି । ମହାଷ୍ଟମୀ ବଳି ବନ୍ଦ କଲାରୁ ଏତେ ଦଶା ।

 

ଜେଜି ମା’ର ଆଜି ସବୁଆଡ଼ି କି ଭୟ । ସାହୁକାର ଚିଡ଼ିଥିବ । ଅଲକ୍ଷଣୀ ଝିଅଟା କ’ଣ ନ କଲା ? ଯଦି ସତୀ ହେବାକୁ ଇଚ୍ଛା ଥିଲା, ଆଗରୁ କାହିଁକି ଥରେ ଦୁଇଥର ଲଟର ପଟର ହେଲା-। କ’ଣ ନ କଲା ? କାମୁଡ଼ିଦେଲା ଦାନ୍ତରେ ! ବାଘୁଣୀଟି କି ଲୋ ମା !

 

କଥା କ’ଣ ଲୁଚିବ ? ମାନିଆ ଜାଣିଚି । କାନକୁ ଦି’କାନ ହେବ । ସମସ୍ତେ କ’ଣ କହିବେ ଜାତି ଭାଇ ଅଜାତି କରିବେ । ମୋର ସଖ୍ୟ କାହିଁ ପୁଣି ଜାତି ହେବାକୁ । ଯାହାଠୁ ପଇସା ପାତି ଆଣି ଜାତିଟାଏ ଅବା ହୁଅନ୍ତି, ସେ ତ ଖପା ।

 

ତା ବାପାଟା କ’ଣ ଫେରୁଚି ? ଖବରଟିଏ ହେଲେ କ’ଣ ଦେଉଚି? କାହିଁକି ଦେବ ? ସେଇଠି ମନକଲେ କାହାକୁ ଗୋଟେ ଧରି ରହିଲାଣି ନା କ’ଣ । ଆଉ ଏ ବାଉରାଣୀଟା କ’ଣ ମନେ ପଡ଼ୁଥିବ ? ସେ ଥିଲେ ଏତେ ଦଶା କାହିଁକି ହୁଅନ୍ତା ? ଝିଅଟା ଘରେ ଏତେଦିନଯାଏ କାହିଁକି ରହି ଏତେ ଅଡ଼ୁଆ ଭିଆଉଥାଆନ୍ତା? ନା କିମିତି କରି ଏଇଟାକୁ ଟେକିଦେଲେ ଗଲା ।

 

ମାନିଆ ଖାଇ ବସିଥାଏ । ଜେମିବୋଉ ଆସି ପଚାରିଲେ–ପୁଅ, ସାହୁ କ’ଣ କହୁଥିଲେ-?

 

ଘୃଣାରେ ମାନିଆ ମୁହଁଟା ଫୁଲିଉଠିଲା । ଏଇମାନଙ୍କର ଭଲ କଲେ କ’ଣ ଲାଭ ମିଳିବ-? କାଲି କେତେ ବିପଦରୁ ଜେମିକୁ ସେ ରଖିନାଇଁ ! କିନ୍ତୁ ସେ କଲା କ’ଣ ? ଲଫଙ୍ଗା ଗଉରାର କଥାରେ ଉଠି ପଳାଇ ଆସିଲା ।

 

ମାନିଆ କହିଲା– ହଁ, ସାହୁ ଭାରି ରାଗିଛନ୍ତି । ଆଉ ଜେମି କି ଜେମି ବୋଉକୁ କାମ କରାଇବେନି । ଘର ମାଡ଼ିବେନି କି ମଡ଼ାଇବେନି । ବେଶୀ ଯଦି କଥା ପଦାକୁ ବାହାରେ ପୋଲିସକୁ କହି ମକଦ୍ଦମା କରିବେ । ଜେମି ଯାଇ କଚେରୀ ହାକିମ ଆଗରେ ଠିଆ ହୋଇ ସବୁ କଥା କହିବ ।

 

ଜେମି ବୋଉ କାନ୍ଦି ପକାଇଲା । କି ବିପଦ କଥା ଏ ପୁଅ ! ସାହୁକାର କ’ଣ ସବୁ କଥା ଭୁଲିଗଲା । କେତେ ସୁଖ ନ କରିଚି ସେ ଜେମିବୋଉ ଘରେ ! ଜେମିବୋଉଠାରୁ ଆରମ୍ଭ କରି ବାଉରି ସାହିର ଯେତେକ ଝିଅ, ଯେତେକ ବୋହୂ ସବୁଙ୍କୁ ଆଖେଇଛନ୍ତି ସାହୁ । ସବୁ କାହାଲାଗି ? ଜେମିବୋଉ ଲାଗି ତ ! ପିଲାଟା କ’ଣ ଗୋଟାଏ କରିପକାଇଲା ଯେ ସାହୁ ଏତେ ରାଗୁଚି, ହଉ ଧରମ ଜାଣିବ ।

 

ମାନିଆ ଗୋଟେ ରୁକ୍ଷ ହସି ହସି କହିଲା –ହଁ ମାଉସୀ, ସାହୁ ନାଁ, ହଉଚି ଧରମୁ । ଧରମୁ ଧରମ ବେଶୀ କିଛି ତଫାତ୍‍ ନାହିଁ ।

 

ହଁ ରେ ପୁଅ ! ଥଟ୍ଟା କାହିଁକି ନ କରିବୁ ? ତୋର ଦଶା ବି କ’ଣ ହୋଇଥାନ୍ତା କେଜାଣି-? କମିଟା ଚାଲିଗଲା ବୋଲି ନା । ନଚେତ୍‍ ତୁ କ’ଣ ଆଜି ଛିଣ୍ଡେଇ ଛିଣ୍ଡେଇ କଥା କହୁଥାନ୍ତୁ କିରେ ପୁଅ? କହି ବୁଢ଼ୀ ଚାଲିଗଲା ।

 

ଜେମିବୋଉ ଭାବନା କରି କରି ଘରକୁ ଫେରୁଥାଏ । ଗଉରା ଦେଖିକରି କହିଲା–କୁଆଡ଼େ ଯାଇଥିଲୁ କିଲୋ ଜେମିବୋଉ ।

 

ଜେମି ବୋଉ କାନ୍ଦ କାନ୍ଦ ହୋଇ କହିଲା– ହଁରେ ପୁଅ ବାଘ ନ ଥିଲେ ମିରିଗ ନାଟ । ଆଜି ଜେମିବାପା ନ ଥିବାରୁ ସମସ୍ତେ ମୋତେ ଡରାଇଛନ୍ତି । ତେଣେ ସାହୁକାର ଏଣେ ମାନିଆ । ସାହୁକାର ଡିହରେ ଅବା ପଡ଼ିଛେଁ ସେ ରାଗିଲେ ସହିବା, ଆଉ ବାରବୁଲା ମାନିଆ କଥା ସହିବା ?

 

ଗଉରା ହସିଲା । କହିଲା– ସହିବନି, ସାହୁକାରର ବଡ଼ ହଳିଆ । ଏତିକିକ’ଣ ଦେଖ ସେ କ’ଣ କରୁଛି ।

 

ମାନିଆ ଖାଇସାରି ସାହୁକାର ପାଖେ ପହଞ୍ଚିଲା । ଆଜିକାର ସବୁ ଘଟଣା କହିଗଲା । ଏଣିକି ଏଇ କାମିକାମାନଙ୍କୁ ପାରି ହେବନି, ଠିକା ଛିଣ୍ଡାଇଦେଲେ ଯାଏ । କୋଡ଼ିଏ ହଳା କାଟିଲେ ହଳାଏ ଧ୍ୟାନନେବେ । ତାଙ୍କୁ ଆଉ ବେଶୀ ଜଗିବାକୁ ପଡ଼ିବନି ତାଙ୍କ କାମକୁ ।

 

ସାହୁକାର ରାଜି ସେଥିରେ ହାନି ବେଶୀ ନାହିଁ ।

 

ମାନିଆ ଯାଇ ବାଉରି ସାହିରେ ଶୁଣାଇଦେଇ ଆସିଲା– କାଲିଠାରୁ ଯେ ଧାନ କାଟିବାକୁ ଯିବ ସେ ଠିକାରେ ଯିବ । କୋଡ଼ିଏ ହଳାରେ ଗୋଟିଏ ହଳାଏ ନେବ ମୂଲିଆ, ଏଇଟା ସାହୁକାରର ହୁକୁମ ।ଏତକ ଶୁଣାଇଦେଇ ନିଶ ଚଲାଇ ମାନିଆ ଚାଲିଆସିଲା ।

 

ଗଉରାର ହାଡ଼ ଖାଲି କଡ଼ କଡ଼ ଡାକୁଥାଏ ।

 

ସେଇକ୍ଷଣି ଗଉରା ସମସ୍ତ ଙ୍କୁ ଠୁଳାଇଲା । କମିର ଦାଦୀକୁ ବହୁତଗୁଡ଼ାଏ ଶିଖାଇ ମଣେଇକହିଲା । ତାଙ୍କର ବି, ମାନିଆ ଉପରେ ରାଗ । କମିଟା ତା’ ଉପରେ ଭାବ କରିଲାରୁ କେତେ କଥା ଶୁଣାଇଲା । ଭାଇ ନେଇଗଲେ ଝିଅଟାକୁ । ମଣିଷ ହରକତ ହେଲା । ଘରେ ବସି ବସି ମଣିଷର ଅଭ୍ୟାସ ହେଗଲାଣି ଯେ ଆଉ ବାହାରକୁ କାମ କରିବାକୁ ଯିବାକୁ ଆରୋଉ ନାହିଁ । ଏକୁଟିଆ କାମ କରି କରି ଅଣ୍ଟୁନି ।

 

ସମସ୍ତେ ଏକଜୁଟ ହେଲେ– ସାହୁକାରର ନୂତନ ପ୍ରସ୍ତାବ ଅନୁସାରେ କେହି କାମ କରିବାନି । ଏଥିରେ ସାହୁକାରର ବେଶୀ ଦୋଷ ନାହିଁ । ଦୋଷ ହେଉଚି ମାନିଆର । କୁଆଡ଼ରର ବୁଲା କୁକୁରଟ ଏଇଠି ପଡ଼ିଛି । ତାକୁ ଉପରୋଧ କଲାରୁ ସେ ଏବେ ଚଢ଼ି ଆସିଲାଣି । କେହି ତା’ ଉପରେ କଥା ଭାଷା ହେବାନି । ସେ ପଡ଼ି ରହିଲେ ବି ଅନାଇବାନି । ପୁଅ ଯଦି ସିଧା ନ ବନେ, ତା’ ପରେ ଦେଖିଲେ କାମ କରାଯିବ ।

 

ଜେମିକୁ ଏ କଥା ବାଧୁଥାଏ । ମାନିଆଟା ଖାଣ୍ଟି ଲୋକ । ଅନ୍ୟାୟ କିଛି କରିନି । ଏମାନେ କାମରେ ଠକୁଥିଲେ ସେ ଠିକ୍‍ ଉପାୟାଟେ ଟାକଲା । ସେଥିରେ ମାଲିକ ଲାଭବାନ ହେବେ । କାମିକା ହଇରାଣ ହେବନି । ଆଉ ଏ ବାଉରା ପୁଅଙ୍କର ଭାରି ବୁଦ୍ଧି । ହଂସ କଥା କହିଦେବ କଥାଗୁଡ଼ାକ ସେ ମାନିଆକୁ ।

 

ସେମିତି କଲେ ଅବା ମାନିଆ ଭଲ ପାଇବ ।

 

ସହରରେ ଚେର ବାନ୍ଧିଲାଣି କମି ର । ଗାଁ ର ମଧୁର ସ୍ମୃତି ହଜି ହଜି ଆସିଲାଣି ।

 

ବାରବୁଲା

ରଥିଆ ଝିଅକୁ ନେଇ ସର୍ଦ୍ଦାରକୁ ଦେଖାଇଦେଲା । ସର୍ଦ୍ଦାର ତାଙ୍କର ଅଫିସ୍‍ ଘରେ ବସିଥାନ୍ତି । ନିଶାପାଣି ବେଳତକ ଛାଡ଼ିଦେଲେ ସେ ବାକୀ ସମୟ ରେ ବଡ଼ ବିଚକ୍ଷଣ । ସନ୍ଧାନୀ ଦୃଷ୍ଟି । ଗୋଟାଏ ଚାହାଣୀ ରେ ମଣିଷ ର ସାର ଚିପୁଡ଼ିଦେବେ । ଥରେ ଆଖି ବୁଲାଇନେଲେ କମି ଆଡ଼େ । କମି ଓଢ଼ଣା ପକାଇ ମୁହଁ ଲୁଚାଇ ଦେଉଥାଏ ।

 

ସର୍ଦ୍ଦାର ଠିକ୍‍ କରିନେଲେ କମି ଗୋଟେ ପଲ୍ଲୀପୁଷ୍ପ । ତାର ଠାଣିରେ ଭରିଚି ମାଦକତା-। ଅତି ସରଳ, ଅତି ପବିତ୍ର । ତା’ଠାରୁ ପ୍ରକୃତ ବିଶୁଦ୍ଧ ପ୍ରେମ ମିଳିପାରିବ । ସହରୀ ଆବିଳତା ବା ଛଳନାଭରା ପ୍ରେମ ତାଠି ନାହିଁ । ସେତକ ହାସଲ କରିବାକୁ ସମୟସାପେକ୍ଷେ । ସେ ବାରାଙ୍ଗନା ନୁହେଁ, ସହରୀ ନୁହେଁ । ମଫସଲୀ ଲଜ୍ଜା ତାର ଭୂଷଣ । ତାର ମନକୁ ଆସ୍ତେ ଆସ୍ତେ ଆକର୍ଷଣ କରିବାକୁ ପଡ଼ିବ । ସହରୀ ମାଦକତା ଟିକିଏ ଅଣାଇ ଦେବାକୁ ପଡ଼ିବ । ଗରିବ ଘର, ବାପଟା ଗଞ୍ଜଡ଼, ମଦୁଆ । କାମଟା ହାସଲ କରିବାକୁ ବେଶୀ ଦିନ ଲାଗିବନି ।

 

ସର୍ଦ୍ଦାରଙ୍କ ଦେଖା ହୋଇଯିବା ପରେ କମି ପାଈଁ କାମର ଯୋଗାଡ଼ ତାଙ୍କରି ଘରେ । ଘରୋଇ କାମ କରିବ । ବାପା ସାମ୍ନାରେ ସର୍ଦ୍ଦାର ଶୁଣାଇଦେଲେ– ଘର ଝାଡ଼ୁ କରିବ ଓ ବୋଲହାକ କରିବ । ପୋଷାକ ବଦଳାଇବାକୁ ପଡ଼ିବ । କାଲିଠାରୁ ଜଇନି କଲେ ପୋଷାକ ଯୋଗାଇ ଦିଆଯିବ । ମଫସଲୀ ଢଙ୍ଗ ଏକବାରେ ବଦଳାଇଦେବାକୁ ହେବ ।

କମି ମନେ ମନେ ନାହିଁ କରୁଥାଏ–ସହରୀ ପୋଷାକ ମୋତେ ଆରେଇବନି; କିନ୍ତୁ ଏକ୍ଷଣି କିଛି କହିପାରୁନି । ତୁଣ୍ଡ ତ ଫିଟୁନି । ରଥିଆ ନ ଫେରି ପୁଣି ଟିକେ ଠିଆ ହେଲା । ସର୍ଦ୍ଦାର ଜାଣିପାରିଲେ, ଶୁଣାଇଦେଲେ–ବେତନ ମାସକୁ ଚାଳିଶ । ବେଳାଏ ଖାଇବାକୁ ଦିଆଯିବ । ବର୍ଷକୁ ଚାରି ସାର ପୋଷାକ । କାମକୁ ଆସିଲା ବେଳେ ପୋଷାକ ପିନ୍ଧି ଆସିବାକୁ ହେବ ।

ରଥିଆ ମହା ଖୁସିରେ ଫେରିଲା । ଦାଣ୍ଡରେ ଗୋଟାଏ ବଡ଼ ଝିଅ ଯାଉଥାଏ । କିମିତି ରକମର ଜାମା ପିନ୍ଧିଥାଏ, ଗୋଡ଼ର ଆଣ୍ଠୁଯାଏ ଦିଶୁଚି, ପାଦରେ ଜୋତା, ହାତ ବି କହୁଣୀଯାଏ ଯାଏ ମେଲା । ଶାଢ଼ୀ ନାହିଁ, ମୁହଁ ଲୁଚୁ ନାହିଁ , ମୁଣ୍ଡରେ ବାଳ ବେଶୀ ନାହିଁ, ମାତ୍ର ଢଙ୍ଗଟା ଅଛି ।

ରଥିଆ ଦେଖେଇଦେଲା– ଏଇପରି ପୋଷାକ ପିନ୍ଧିବୁ ?

କମି ଭାବିଲା– ଛିଆ, ଲଙ୍ଗଳା ହବ ଗୋଟାଏ କ’ଣ ମାଇକିନିଆ ହୋଇ ? ମରଦଗୁଡ଼ା ଛାହୁଁଥିବେ । ପୁଣି ଭାବେ– ନା, ସହରରେ ବୋଧେ ଇମିତି ଚଳେ । କେହି ଚାହୁଁ ନ ଥିବେ ।

ମଙ୍ଗୁଳୁ ବି ସର୍ଦ୍ଦାର ବଗିଚାରେ କାମ କରେ । ସେ ଶୁଣିଲା, କମି ସର୍ଦ୍ଦାର ଘରେ କାମ କରିବ । ତାର ଆନନ୍ଦ ଯେ କହିଲେ ନ ସରେ । ସୁବିଧା ହେବ, କଥାଭାଷା ହେବାକୁ ମଉକା ମିଳିବ-। ଆଜିଠୁ ଦୋସ୍ତ ଜମେଇବ ବୁଢ଼ା ସାଙ୍ଗରେ । ମଦ ବୋତଲେ ହେଲେ ତ ହେଲା ।

 

ସର୍ଦ୍ଦାରଙ୍କୁ ନିଶାପାଣି ଯୋଗାଏ ମଙ୍ଗୁଳୁ । ଯେତେବେଳେ ସର୍ଦ୍ଦାର ନିଶାରେ ଟୁଳୁଟୁଳୁ ହୁଅନ୍ତି, ବିଲାତି ମଦ ବୋତଲ ବୋତଲ ଉଠାଇଆଣେ ମଙ୍ଗୁଳୁ ନିଜ ଘରକୁ । କାମ ସାରି ଶୋଇଲାବେଳକୁ ପିଏ ।

 

ସେଦିନ ରାତିରେ ନୂଆ ପାର୍ସଲ ଫିଟିଲା। ସର୍ଦ୍ଦାର ଫରାସୀ ଦେଶର ମଦ ପିଇ ବେଶ୍‍ ଅଭିନୟ ଆରମ୍ଭ କରିଦେଲେ। ଧରାବନ୍ଧା ତରୁଣୀ କେତେ ଥାଆନ୍ତି, ଜମା ହୋଇଗଲେ । ମଙ୍ଗୁଳୁ ନୂଆ ବୋତଲ ଗୋଟାଏ ଧରି ଧୀରେ ଖସି ଆସିଲା ।

 

ସେତେବେଳକୁ ରଥିଆ ବାହାରିଥାଏ ମଦଭାଟିକୁ । ମଙ୍ଗୁଳୁ କହିଲା–ରଥି ମଉସା, ଆ ବା, ଆଜି ବଢ଼ିଆ ମାଲ ଆଣିଛି । ହାତର ବୋତଲକୁ ଦେଖି ରଥିଆ ପାଟିରୁ ଲାଳ ବୋହିପଡ଼ିଲା । ଦୁହେଁ ମଙ୍ଗୁଳୁ କୋଠରୀକୁ ଗଲେ । ବୁଢ଼ାକୁ ଟିକିଏ ଅତିମାତ୍ରାରେ ପିଆଇ ନିଜେ ହିସାବ ଉପରେ ପିଇଲା । ରଥି ଆଜି ନବାବ ପରି ଚାଲିଲା ଗେଲୀ ଘରକୁ । ଘଇତା ତାର ସାହେବ ଘରୁ ଆସି ନ ଥିବ ।

 

ମଙ୍ଗୁଳୁ ଭାବିଛି, ଆଜି ଗୋଟାଏ ପରୀକ୍ଷା କରି ଦେଖିବ । ମଫସଲୀ କମିକୁ ସହରୀ ଚାଇଁ ଟିକିଏ ଶିଖାଇବ । ପରେ କ’ଣ କମି ଆଉ ଭଲ ଦିଶିବ ? ମଦୁଆ ସର୍ଦ୍ଦାର ଯାହାକୁ ଆଖେଇବ, ସେ ବେଶୀଦିନ ଉଧେଇବନି । ମଙ୍ଗୁଳୁ ଆଉରି ବି ଖବର ରଖିଚି, ଗେଲୀର ଘଇତା ଆଜି ସାହେବ ସଙ୍ଗେ ରାଉରକେଲା ଯାଇଛି । ରଥିଆ ଆଉ ନ ଫେରେ ।

 

କମି ରନ୍ଧାରନ୍ଧି ଦୁଇଟା ସାରିଦେଇ ମସିଣାଟା ଉପରେ ବସିପଡ଼ିଲା । ମଙ୍ଗୁଳୁ ଯାଇ ପହଞ୍ଚିଲା । କମି ଅବଶ୍ୟ ମଙ୍ଗୁଳୁକୁ ଡରେ । ଯେତେବେଳେ ପଡ଼ୋଶୀ, ମିଶିକରି ଚଳିବାକୁ ତ ହେବ । ମଙ୍ଗୁଳୁ ଗିଲାସେ ମଦ ବଢ଼ାଇଦେଇ କହିଲା–ଏ ସହରୀ ସରବତ ଟିକିଏ ପିଇଦେ ତ, ପାଟିରୁ ଛାଡ଼ିବନି । ପଲ୍ଲୀ ବାଳିକା, ସରଳ ବିଶ୍ୱାସରେ ପିଇଦେଲା । ସେଇଠି ବସି ଗପ କରୁ କରୁ ମୁଣ୍ଡଟା ତାର ଝାଙ୍କିଦେଲା । ମଙ୍ଗୁଳୁ କହିଲା–ସେଇଠି ଶୋଇପଡ଼ ଟିକିଏ ।

 

ଦାଣ୍ଡର ଗହଳ ଛାଡ଼ିନି । ରଥିଆ ଫେରିବାର ସମୟ ଯାଇନି । ମଙ୍ଗୁଳୁ ନିଜ କୋଠରୀକୁ ଯାଇ ରୁଟି ତରକାରୀ ଯାହା ଦୋକାନରୁ ଆଣିଥିଲା ଖାଇନେଲା । ତା’ପରେ ଦେଖୁଥାଏ ସୁଖର ସ୍ୱପ୍ନ–ରାତି ଶୂନ୍‍ଶାନ୍‍ ହେବ, ବସ୍ତିରେ ସମସ୍ତେ ଶୋଇପଡ଼ିବେ, କମି ତ ନିଶାରେ ଶୋଇଲାଣି, ଏକ୍ଷଣି ନିଶା ଛାଡ଼ିବନି, ତାର ଆଶା ସଫଳ ହେବ ନିଶ୍ଚୟ ।

 

ରଥିଆର ବେଳ ଗଡ଼ିଲାଣି । ଏଇ ଠିକ୍ ସମୟ । ମଙ୍ଗୁଳୁ ନିଜ କୋଠରୀ ଆଉଜାଇ କମି ପାଖକୁ ଗଲା । କି ସୁନ୍ଦର ମୁହଁ ! ନିଘୋଡ଼ ନିଦ । ଅତି ଅଧୀର ହୋଇ ପଡ଼ିଲାଣି ମଙ୍ଗୁଳୁ । ଆଗ ଗୋଟିଏ ସରୁ ଚୁମ୍ବନ ଆଙ୍କିଦେଲା । ଚେତା ନାହିଁ, କମି ବା ଚୁମ୍ବନର ପରଶ କେଉଁଠୁ ପାଉଚି-! ସାହସ ବଢ଼ିଲା ମଙ୍ଗୁଳୁର । ବାହୁବେଷ୍ଟନୀ ମଧ୍ୟରେ ଥରେ ଭିଡ଼ଧରିଲା କମିର ବକ୍ଷ ।

 

ଚାଉଁକିନା ନିଦ ଭାଙ୍ଗିଗଲା । କିଏ ? କିଏ ? ବାପା, ବାପା ! ଚିତ୍କାର କରିଉଠିଲା କମି-

 

କ’ଣ କିଲୋ କମି ? କହି ବୁଢ଼ା ପଶିଆସିଲା ବାହାରୁ ।

 

ମଙ୍ଗୁଳୁ ଝଟକିନା ଘରଟି ଅନ୍ଧାର କରି ପଳେଇଗଲା । ଥିରି ଥିରି ହୋଇ ତା’ କୋଠରୀ ଭିତରକୁ ପଶିଗଲା ।

 

ରଥିଆର ବହୁତ ଡେରି ହୋଇଗଲା ଗେଲୀ ପାଖରୁ ଆସୁ ଆସୁ । ନିଶା ଛାଡ଼ିନି, ସୁଇଚ୍‍ଟା ପାଉଚି କୁଆଡ଼ୁ ?

 

କମି ରଡ଼ି ଛାଡ଼ିଛି– କିଏ ଗୋଟେ ମାଡ଼ି ବସିଥିଲା ମୋତେ, ପଳାଇଗଲା ।

 

ରଥି ଡାକ ଛାଡ଼ିଲା–ମଙ୍ଗୁଳୁରେ ମଙ୍ଗୁଳୁ !

 

ମଙ୍ଗୁଳୁ ପ୍ରାଣରେ ଦମ୍ଭ ଆସିଲା । କେହି ଚିହ୍ନି ପାରି ନାହାନ୍ତି ।

 

“କ’ଣ ମଉସା, ଏତେ ଡେରିରେ ଆସିଲ ?” କହି ମଙ୍ଗୁଳୁ ବାହାରି ଆସିଲା ।

 

“ହଁରେ ପୁଅ, ଗୋଟାଏ ସେମିତି କାମ ପଡ଼ିଗଲା । ଦେଖିଲୁ, ଏ ବସ୍ତିରେ ଘର କରି ଆଉ ରହି ହେବନି । କିଏ ଗୋଟାଏ ଆସି ଝିଅଟାକୁ....” କହି ବୁଢ଼ା ମୁଣ୍ଡରେ ହାତ ଦେଇ ବସି ପଡ଼ୁ ପଡ଼ୁ ପିଣ୍ଡାତଳକୁ ଗଡ଼ିପଡ଼ିଲା । ମଙ୍ଗୁଳୁ ହଠାତ୍‍ ସୁଇଚ୍‍ଟି ଟିପିଦେଇ ବୁଢ଼ାକୁ ଉଠାଇନେଲା । କମିକୁ ବୋଧବାଧ ଦେଲା–ସହର ଜାଗା, ହୁସିଆର ହୋଇ ଚଳିବାକୁ ପଡ଼ିବ ।

 

କମିର ଜୀବନରେ ଗୋଟାଏ ଦକା ପଶିଗଲା । ଏ କି ସହର ଲୋ ମା, କି ଖରାପ କଥା !

 

ପହିଲି ଛାନିଆ ଆସ୍ତେ ଆସ୍ତେ କମି ଆସିଲାଣି । କମିକୁ ଏଇନା ମଙ୍ଗୁଳୁର ଭାରି ଡର । ସର୍ଦ୍ଦାରଙ୍କ ଅଡ଼ର୍ଲି କମି । ପୂରାପୂରି ସାହେବୀ କାଇଦାରେ ପୋଷାକ ପିନ୍ଧିଲାଣି । ଆସ୍ତେ ଆସ୍ତେ ସବୁ ଚଳନିରେ ତାଲିମ କରିଦେଲାଣି ସର୍ଦ୍ଦାର । ମଣିଷ ପିଲା, ତାଲିମ ପାଇଲେ କେଉଁଟା ନ ହେବ-?

 

ଆଦବ୍‍ କାଇଦା, ୟେସ୍‍, ନୋ, ଗୁଡ୍‍ମର୍ନିଂ , ଗୁଡ୍‍ବାଇ, ଥାଂକ୍‍ସ ସବୁ କହି ଶିଖିଲାଣି । ଅଧରରେ କୃତ୍ରିମ ହସର ଅଭିନୟ । ଯେତେବେଳେ ଯେଉଁ ଭଦ୍ରଲୋକ ଆସିବେ ସେତେବେଳେ ଏଗୁଡ଼ାକ ନ ଦେଖାଇଲେ କିମିତି ହବ ? କମ୍ପାନୀର ବଡ଼ ବଡ଼ ଅଫିସର ଆସନ୍ତି କୁଲି ସଂଗ୍ରହରେ-

 

ମଙ୍ଗୁଳୁ ସେଇ ମାଳୀ କାମରେ ପଡ଼ିଛି । କଳା ପେଣ୍ଟ, କଳା ଜାମା, ଝାଡ଼ୁ, କୋଡ଼ି, କୋଦାଳ, ପାଣି ମାଠିଆ ! ଏଇ ଭିତରେ ମଙ୍ଗୁଳୁ ବନ୍ଧା । ଭଲ ଭଲ ଫୁଲ ବଢ଼ାଇବା ତାର କାମ । ପିନ୍ଧିବ କିଏ ? ସଭା ସମିତିର ସଭାପତି, ଅତିଥି । ସେଥିରେ ତ ଗୌରବ ଅଛି । ଆଉରି ପିନ୍ଧନ୍ତି ସର୍ଦ୍ଦାରଙ୍କ ତରୁଣୀମାନେ । ମହକି ଉଠନ୍ତି ତ ଖାଲି । ମଙ୍ଗୁଳୁ ଯତନରେ ବଢ଼ାଇବ, ପିନ୍ଧିବେ ଏମାନେ । ଧନ୍ୟ ୟାଙ୍କର ଶକତି !

 

ରଙ୍ଗପାଣି କାରବାର ବେଳେ କିନ୍ତୁ ମଙ୍ଗୁଳୁର ଅଖଣ୍ଡ କ୍ଷମତା । ମଙ୍ଗୁଳୁ ବହୁତ ଥର ଭାବିଲାଣି ଏଇ ତରୁଣୀ ଭିତରୁ କିମିତି ଗୋଟାଏ ପାଆନ୍ତା ।

 

ବସ୍ତିର ମାଇକିନିଆମାନେ କାବା । ରଥିଆ ଝିଅଟାକୁ ଏବେ ଆଣିଲା । ମାସ କେଇଟାରେ ଝିଅଟାର ଛଇଟା ଦେଖ । ନ ହେବ କାହିଁକି ? ରୂପ ଯାହାର ଅଛି, ସେ ଯଦି ସେଇଟା ବିକିଲା, ଏଠି ତାକୁ କେଉଁ କଥା ଅଭାବ ? ହେଲେ ଜୀବନ ପଛେ ଯିବ, ନ ଖାଇ ପଛେ ତିନି ଓଳି ଉପାସ ରହିବ, ଏପରି କାମ କରି କ’ଣ ଗୋଟାଏ ବଞ୍ଚିବ ? ଯମ ମଲାକାଳରେ କ’ଣ କମ୍‍ ଦଣ୍ଡିବ-!

 

ଆଉ ଥୋକେ କହିଲେ–ଯା’ର ଇଚ୍ଛା ଯାହା ହେଲା ସେ କଲା, ଆମର ସେଥିରେ ଯାଏ ଆସେ କ’ଣ !

 

ଶୁଣେଇ ଶୁଣେଇ ଅନେକ ଥର କହିଲେଣି । ଶୁଣି ପକାଇଲା କ୍ଷଣି କମି ମନରେ ଗୋଟାଏ ଭୟ ଆସେ । ପୁଣି ଭାବେ–ନା, ନିଜେ ଠିକ୍‍ ରହିଲେ କିଏ କ’ଣ କରିପାରିବ ? ଦେଖି ନ ପାରିବା ଲୋକ ତ ସବୁଠାରେ ଥାନ୍ତି । ଗାଁରେ ଥିଲେ, ଏଠି ବି ଅଛନ୍ତି । ତେବେ ଲୋକଙ୍କ ସନ୍ଦେହଟା ଏକବାରେ ଅମୂଳକ ନୁହେଁ ।

 

ସର୍ଦ୍ଦାର ଏ ଯେଉଁ ଅନୁଗ୍ରହ ଦେଖାଇଚି, ଏକବାରେ ନିଃସ୍ୱାର୍ଥ ପରି ଜଣାପଡ଼େନି । ଯୌବନ-ପିପାସା ଗୋଟାଏ ଲୁଚି କରି ରହିଲା ପରି ଆଶଙ୍କା କରାଯାଏ । କାରଣ କମି ବରାବର ଲକ୍ଷ୍ୟ କରୁଛି–ସବୁ କାମରେ ସର୍ଦ୍ଦାର ଗୋଟାଏ କିପରି ଥଟ୍ଟା କରନ୍ତି । ଆଖିର ଭଙ୍ଗିରେ କିପରି ଗୋଟାଏ ଦୁଷ୍ଟାମି ରହିଥାଏ । ଏ ଚାହାଣୀ ମାନିଆର ଚାହାଣୀ ପରି ନିର୍ମଳ ନୁହେଁ, ପବିତ୍ର ନୁହେଁ । ଗୋଟାଏ କିମିତି ବାଘର ହିଂସ୍ର ଚାହାଣୀ । ଏମାନେ ହିଂସ୍ର ନୁହନ୍ତି ତ ଆଉ କ’ଣ ? କୁଲି ଯୋଗାଇ ତାଙ୍କରି ମୂଳରୁ ଉଠାନ୍ତି ମୁନାଫା । ସେଇ ମୁନାଫାରେ ମଦ ପିଇ ଲୁଣ୍ଠନ କରନ୍ତି ନାରୀର ସତୀତ୍ୱ କେବଳ ପାଶବିକ ପ୍ରବୃତ୍ତିରେ । ସେଥିରେ ଟିକିଏ ହେଲେ ନ ଥାଏ ପ୍ରେମ, ସ୍ନେହ ଭାବ ବିନିମୟ । ବିନିମୟ କେବଳ ଅର୍ଥ, ଅଙ୍ଗଲିପ୍‍ସା ଓ କ୍ଷଣିକ ଇନ୍ଦ୍ରିୟ ପରିତୃପ୍ତି ।

 

ସବୁକୁ ଜଗି ଚଳିବ କମି । କଥା ଦେଇ ଆସିଚି ମାନିଆକୁ–ପଇସା ନେବ, ଆୟ ଅଳଙ୍କାର ନେବ,ବିବାହ କରିବ ତାକୁ । ସେ ତାର ମନଲାଖି ବର । ସହରୀ ପେଞ୍ଚରେ ପଡ଼ିଲେ ସେ ଆଉ ସୁନା ହେବ ? ହେବ ବେଙ୍ଗି ପିତ୍ତଳ ।

 

ଏଇପରି ଗୁଡ଼ାଏ ଭାବରେ ମଧ୍ୟରେ କମି ଭାତ ରାନ୍ଧୁଚି । ବାପ ତାର ଆସିଲା ଢଳି ଢଳି-। ଘୋର ନିଶାରେ ବାପ ତାର କେଉଁଠି ପଡ଼ିଯାଇଥିଲା ବୋଧେ । ମୁଣ୍ଡଟା ଫାଟିଯାଇଚି, ରକ୍ତ ବହୁଚି । ହେଲେ ବି ନିଶାରେ କିଛି ଜାଣିପାରୁନି । କିପରି ଟିକିଏ ଔଷଧ ଦେଇ ମୁଣ୍ଡଟାରେ ପଟିଖଣ୍ଡେ ବାନ୍ଧିଦେଲେ ଭଲ ହୁଅନ୍ତା ।

 

ଆର ଘରେ ମଙ୍ଗୁଳୁ ଛାଡ଼ିଚି ଗୀତ । ସବୁବେଳେ ସେଇ ବଜାରିଆ ଗୀତ । ଭୂତଟାଏ ତ, ଲଗା ଅଛି ନା ପଘା ଅଛି ! ସେଇଟା ଭଲଲୋକ ନୁହେଁ । ନିଜେ ପୋଡ଼ାକନା ମୁଣ୍ଡରେ ଦେଇ ବାନ୍ଧିଦେଲା ।

 

ମଙ୍ଗୁଳୁ ଡାକୁଥାଏ–ଲୁଗା ପୋଡ଼ିଗଲା କିଲୋ କମି !

 

ମୂଲିଆମାନଙ୍କର ବିପ୍ଳବ । ନୂଆ ସର୍ତ୍ତରେ କେହି ଧାନ କାଟିବେ ନାହିଁ । ସାହୁକାର ହେଲା ବୋଲି କ’ଣ ଇଜ୍ଜତ ନେବ । ବାଉରିକୁଳରେ ଜନ୍ମ ବୋଲି ଲୋକର ମାନ ସମ୍ମାନ ନାହିଁ ! ସାହୁକାର କାହିଁକି ଜେମି ଉପରେ ଅତ୍ୟାଚାର କରିବାକୁ ଯାଉଥିଲା ! ଜେମି କାମୁଡ଼ିଲା ଯେ ଭଲ କଲା । ଖାଲି ସେତିକି କାହିଁକି ମାରି ଦେଇଥିଲେ ବି ବାଉରିକୁଳ ଠିଆ ହୋଇଥାନ୍ତା ଜେମି ପଛରେ-

 

ମାନିଆ ସାହୁ ପଟିଆ ଧରିଛି । ନ ଧରିବ ବା କାହିଁକି ? ସେ ତ ଆଉ ଖାଣ୍ଟି ବାଉରି ନୁହେଁ, କୁଆଡ଼ୁ ଆସି ରହିଚି । ସେ କାହୁଁ ବୁଝିବ ଏ କୁଳର ଇଜ୍ଜତ ! ନ ହେଲେ ଏପରି ସାହୁକାରର ଉପକାର ପାଇଁ ଲଢ଼ନ୍ତା !

 

ମାନିଆ ଠିକ୍‍ ବୁଝିଛି । ସେ ତାର କର୍ତ୍ତବ୍ୟ କରିଚି । ବାଉରି କୁଳ କାହିଁକି ସବୁ ଲୋକର ଇଜ୍ଜତ ରକ୍ଷା କରିବା ତାର ପ୍ରକୃତ ଉଦ୍ଦେଶ୍ୟ । ଭାବପ୍ରବଣତାରେ ଭାସିଉଠୁନି । ଜେମିର ଇଜ୍ଜତ ରକ୍ଷା ଲାଗି ସେ କମ୍‍ ଚେଷ୍ଟିତ ନୁହେଁ । ଏ ଦିଗରେ ସେ ସାହୁକାରକୁ ସମର୍ଥନ କରେନି । ମାତ୍ର ସେ ଚାହେଁ ମୂଲିଆମାନଙ୍କର ସାଧୁତା । ସାଧୁ ହେଲେ ତ ଅନ୍ୟାୟ ବିରୁଦ୍ଧରେ ଲଢ଼ି ହେବ । ଜେମି ଉପରେ ସାହୁକାର ଅନ୍ୟାୟ କରିଚି ଓ କରିବାକୁ ଯାଉଥିଲା । ସେଥିପାଇଁ ପ୍ରଶୟ ଦେଇଚି କିଏ ? ତାର ମା ନିଜେ । ଏ ଆତ୍ମପ୍ରବଞ୍ଚନା ଲାଗି କାହାକୁ ଦୋଷିବ ? ଆତ୍ମଶୁଦ୍ଧି ଦରକାର । ଗାନ୍ଧିଜୀ କହିଛନ୍ତି, କୌଣସି କାମ କରିବାକୁ ହେଲେ ନିଜ ଚରିତ୍ର ଆଗେ ନିର୍ମଳ କର । ଦେବେନ୍ଦ୍ର ବାବୁ ବହୁବାର ଏ କଥା କହିଥିବାର ମାନିଆ ଶୁଣିଚି । ଏଣୁ ବାଉରିକୁଳ ନିଜର ଭୁଲ୍‍ ନିଜେ ସଂଶୋଧନ କରୁ ।

 

ଯେ କେହି ବାଧ୍ୟ କଲେ ସେ ତାର ନିଷ୍ପତ୍ତିରୁ ତିଳେ ମାତ୍ର ଟଳିବନି ।

 

ସାହୁକାର ପଚାରିଲେ–ମାନିଆ, ମୂଲିଆମାନେ ଅଇଲେ ?

 

ମାନିଆ କହିଲା–ନା ।

 

ସାହୁକାର କହିଲେ–ଏ ଲୋକଗୁଡ଼ାଙ୍କର ମୁହଁ ବଢ଼ିଗଲାଣି । ଏଥିରେ ନେତା କିଏ ?

 

ମାନିଆ ଉତ୍ତର ଦେଲା–ଗଉରା ଭୋଇ ।

 

ସାହୁକାର ଗର୍ଜି ଉଠିଲେ–ଗଉରା ଭୋଇ ! ସେଦିନ ଥଟ୍ଟା କରିଥିଲା, ଆଜି ବିଦ୍ରୋହ କରୁଚି । ଆଚ୍ଛା ମାନିଆ ! ଗଉରା ଛଡ଼ା ଆଉ ସମସ୍ତଙ୍କୁ ପୂର୍ବ ସର୍ତ୍ତ ମତେ କାମ କରିବାକୁ ଡାକ ।

 

ମାନିଆ ସେଇଟା ଚାହେଁନା। ନୀତିରୁ ଟଳିଲେ ଭଲ ହେବନି । କହିଲା–ନାଇଁ ସାହୁ, ରହ ଟିକିଏ, ଢେର୍‍ ମୂଲିଆ ମିଳିବେ ।

 

ସାହୁକାର ଚୁପ୍‍ ରହିଲେ । ମନରେ ସନ୍ଦେହ, ମାନିଆ ଏଇଟା ସାହୁକାରର ଭଲ ପାଇଁ ଭେଇଚି ନା ଭେଲ ପାଇଁ ।

 

ସବୁ ବାଉରିଯାକ ଯାଇ ଦେବେନ୍ଦ୍ର ବାବୁ ଦୁଆରେ ରୁଣ୍ଡ । ଗଉରା ମଗଜ ଏକବାରେ ଗରମ । ଦେଖନ୍ତୁ ବାବୁ, ସାହୁକାର ହେଲା ବୋଲି ଝିଅ ବୋହୁଙ୍କ ଉପରେ ଆଖି ! କାଲି ଜେମିଟାକୁ କ’ଣ କରିବାକୁ ଯିବାରୁ ସେ କାମୁଡ଼ି ଦେଇଚି ।

 

ଦେବେନ୍ଦ୍ର ବାବୁ କାବା । ତାଙ୍କର ଧାରଣା, ଧରମୁ ଓ ସୁଲୋଚନା ମଧ୍ୟରେ କଳି ଲାଗି ସୁଲୋଚନା ଏପରି କରିଥିଲେ । ଧରମୁ ପ୍ରାୟ ବୁଢ଼ା ହେବାକୁ ବସିଲେଣି, ଏତେ ଈଶ୍ୱରଭକ୍ତି, ମହାଷ୍ଟମୀରେ ବଳି ନ ଦେଲେ ତାଙ୍କର ଧର୍ମ ଉପରେ ଆଞ୍ଚ ଆସେ । ଏଣେ ଲୁଚେଇ ଲୁଚେଇ ପରଝିଅ, ପରବୋହୂକୁ ନଜର ଦେବାଟା ତାଙ୍କ ମତରେ ପାପ ନୁହେଁ ।

 

ଗଉରା ପୁଣି କହିଚାଲିଲା–କେବଳ ସେତିକି ନୁହେଁ, ଆପଣ କହିବା ଦିନୁ ଆମ ବାଉରିସାହିରେ କେହି ଦାରୁ ପିଉନୁ । କେବଳ ସେ ରଥିଆ ବୁଢ଼ା ଆସିଥିଲା ଯେ ପିଉଥିଲା । ଟାଟାରେ ତାର ଅଭ୍ୟାସ । ଏବେ କିନ୍ତୁ ଧରମୁ ସାହୁକାର ସେ କାମଟା ଚଳାଇଛନ୍ତି । ନିଜେ ପିଉଛନ୍ତି ।

 

ଦେବେନ୍ଦ୍ର ବାବୁ ଉତ୍ତେଜିତ ହୋଇଉଠିଲେ, “ସତ କହୁଚୁ ଗଉରା, ଧରମୁ ମଦ ପିଏ ?”

 

“ମୋ ଆଖିରାଣ ବାବୁ, ସତ ନ ହେଲେ ଆଖି ଫୁଟିଯିବ ।” ଗଉରା କହି ଏକବାରେ ସଁ ସଁ ହୋଇ ଯାଉଥାଏ ।

 

ଦେବେନ୍ଦ୍ର ରାଗିଗଲେ । ଆଉ ହବନି, ନିଶାଟା ସରକାର ପୂରାପୂରି ଉଠାଇଦେଲେ ସିନା ହେବ ! ଏଠୁ ଖଣ୍ଡେ, ସେଠୁ ବକଟେ ଉଠାଇଲେ କ’ଣ ଲାଭ ? କିଳାପୋତେଇ, ଚୋରାକାରବାର ବଢ଼ି ଚାଲିଛି । ଅବକାରୀ ବିଭାଗ କେତେ ରୋକୁଚି ?

 

ନା, ଶୀଘ୍ର ଯିବେ ସେ ମନ୍ତ୍ରୀଙ୍କ ପାଖକୁ । ଏମାନେ ନିର୍ବାଚନ ବେଳେ କହୁଛନ୍ତି ଗୋଟାଏ, ସରକାରୀ ଗାଦିରେ ବସିଲେ କରୁଛନ୍ତି ଗୋଟାଏ । ଇମିତି କ’ଣ ଗୋଟାଏ ? ଯେଉଁଟା କରିପାରିବ ସାଫ୍‍ ସାଫ୍‍ କହିବ, ଆଉ କରିବ । କହିବା କରିବା ମଧ୍ୟରେ ସମାନତା ଆସିଲେ ସିନା ସରକାର ଆସ୍ଥାବାନ ହେବେ !

 

ଗଉରା ପଚାରିଲା–ଏବେ ଦେଖନ୍ତୁ, ମାନିଆ ଆଉ ସାହୁକାର ମିଳି ଗୋଟାଏ ନୂଆ ଆଇନ୍‍ କରିଛନ୍ତି । କୋଡ଼ିଏଟା ହଳା ଧାନ କାଟିଲେ ମୂଲ ଗୋଟିଏ ହଳା । ଏ କେଉଁ ରାଇଜ କଥା-! କେଉଁ ଅମଳରୁ ଧାନ କାଟି ଆମେ ମୂଲ ନେଇଆସୁଚୁ । ଆଉ ଇଏ ଏବେ ନୂଆ ଆଇନ୍‍ କରୁଚି-

 

ଦେବେନ୍ଦ୍ର ଭାବିଲେ, ଏ ବିଷୟରେ ଧରାବନ୍ଧା ନିୟମ ନାହିଁ । କେଉଁଠି କି ପ୍ରକାର ନିୟମ । ଠିକାରେ କାମ କରାଇବାଟା ଏଇ କ୍ଷେତ୍ରରେ ମନ୍ଦ ନୁହେଁ ।

 

ବହୁତ ଭାବିବା ପରେ ଦେବେନ୍ଦ୍ର ବାବୁ କହିଲେ–ଏକ୍ଷଣି ଧାନ କାଟି ନ ଗଲେ ଚଳିପାରିବ ?

 

ଗଉରା କହିଲା–ସେଇଥିପାଇଁ ତ ଆପଣଙ୍କ ଆଇଚୁ ଆଜ୍ଞା !

 

ଦେବେନ୍ଦ୍ର କହିଲେ–ଅନ୍ୟ ଗାଁରେ କିପରି ହେଉଚି ବୁଝି କାମ କର । ହଠାତ୍‍ ଗୋଟାଏ ଆନ୍ଦୋଳନ କରି ବସନି । ସବୁଆଡ଼େ ବୁଝ । ତା’ ପରେ ଯାହା ଗୋଟାଏ କରିବା ।

 

ଗଉରା ମନକୁ କଥାଟା ପାଇଲାନି । ସମସ୍ତେ ସମାନ । ଦେବେନ୍ଦ୍ର ବାବୁଙ୍କର ବି ଜମି ଅଛି । ତାଙ୍କର ଲାଭ ହେବ । ସେ କାହିଁକି ମୂଲିଆଙ୍କ ପାଇଁ ଲଢ଼ିବେ ? ଭାବପ୍ରବଣ ହୋଇ ଗଉରା କହିଲା–ମୂଲିଆ ଭାଇ, ନିଜ ଗୋଡ଼ରେ ନିଜେ ଠିଆ ହୁଅ । ନିଜର ଦାବୀ ପାଇଁ ନିଜେ ଆଗେଇଯାଅ । କେହି ତୁମ ପିଠିରେ ପଡ଼ିବେନି, ସମସ୍ତେ ଆଜିକ ଟାକ । ମୁଁ ବୁଝିଆସେ ଅପର ଗାଁରୁ ।

 

ବାଉରି, ବାଉରାଣୀମାନେ ଫେରିଲେ । ଗଉରା ଟୋକାଟା କ’ଣ କରିବ ବୋଲି ସମସ୍ତେ ସନ୍ଦିହାନ ।

 

ମାନିଆ ଦେଖିଲା ସାହୁକାରର କ୍ଷତି ହେଲେ ସାହୁକାର ସନ୍ଦେହ କରିବ । ଝପଟିଲା ଆଖପାଖ ଗାଁ । ବେକାର ଲୋକଙ୍କ ସଂଖ୍ୟା କମ୍‍ ନୁହେଁ । ସମସ୍ତିଙ୍କି ଶୁଣାଇଲା ମାନିଆ–କୋଡ଼ିଏ ହଳାରେ ଗୋଟିଏ ହଳା ମୂଲ । ବହୁତ ଲୋକ ରାଜି ହେଲେ ।

 

ଉପରବେଳାକୁ ପଚାଶ ସରିକି ମୂଲିଆ ଆସି ପହଞ୍ଚିଲେ । ସାହୁକାରର ଧାନ କଟା ଚାଲିଲା । ଧରମୁ ଖୁସି । ବାଉରିମାନଙ୍କ ମୁହଁ ବଢ଼ିଗଲାଣି । ନ ହେଲେ ବାଉରାଣୀ ଟୋକୀ ଏ କାଣ୍ଡଭିଆଇ ଥା’ନ୍ତା ? ସତୀ ସାବିତ୍ରୀ ହୋଇଚି ! ଆଗରୁ କାହିଁକି ପଇସା ଲୋଭରେ ସତୀତ୍ୱ ଲୁଣ୍ଠନ ପାଇଁ ରାଜି ହୋଇଗଲା ? ସୁଖ ଅନୁଭବ କରୁଥିଲା ସେଇଟା । ଏମାନଙ୍କୁ ଖାଇବାକୁ ନ ମିଳି ମଡ଼କ ମଲେ ଏମାନେ ଧରମୁ ସାହୁ ପାଖକୁ ଦଉଡ଼ିବେ । ରହ, ଧାନ କଟା ସରୁ । ପୁଏ କେତେ କାମ ପାଇବେ !

 

ଅପର ଗାଁର ମୂଲିଆ ଦେଖି ବାଉରିମାନେ ରାଗରେ ଜର ଜର । ମାଗିଖିଆଗୁଡ଼ା, ମୂଲିଆ ହୋଇ ମୂଲିଆ ଭାଇର ଓଜନ ଆପତ୍ତିକୁ ସମର୍ଥନ ନାହିଁ । ଏକତା ନ ଥିବାରୁ ସାହୁକାର ମନଖିଆଲ ମୂଲ ବଢ଼ଉଚି, କମଉଚି । ସରକାର ଏଥିକୁ କ’ଣ କରିବେ ? ଗଉରା ଦି ପଦ ଶୁଣାଇଲା–ଭଲ ଗତି ଥିଲେ ଆଉ ଏ ଗାଁକୁ କାମ କରି ଆସିବନି । ଆମେ କ’ଣ ତୁମ ଗାଁକୁ ଯାଉଛୁ-?

 

ଜୀବନ ସଂଗ୍ରାମ । ଯେଉଁଠି କାମ ମିଳିବ ସେଠିକି ଲୋକେ ଯିବେ । ଏ ଗାଁ, ସେ ଗାଁ ଗୋଟାଏ କ’ଣ ? ସେଥିରୁ ଜଣେ ଉଠି କହିଲା–ମୂଲିଆ ତ ସାରା ଦେଶର ମୂଲିଆ, ଏଥିରେ ଗାଁ ଗାଁ ବିବାଦ କ’ଣ ?

 

ଦେବେନ୍ଦ୍ର ବାବୁ ଦେଖିଲେ ନିଶା ଖାଇବା ଫଳରେ ଏଇ ଗାଁ ଖଣ୍ଡିକରେ ଧରମୁ ପରି ପୁରୁଣା କାଳିଆ ଲୋକେ ଖରାପ ହେଲେଣି । ଘନ ସୋଇଁ ଅଫିମ ଖାଇ ଖାଇ କଳାକାଠ ପଡ଼ିଲାଣି । ଜମିବାଡ଼ି ଯାହା ଥିଲା ସବୁ ବିକିସାରି ଏବେ ମାଇପର ଅଳଙ୍କାରକୁ ହାତ ଦେଲାଣି । ରଘୁଆ ବାରିକର ପେଟମରା । ତାକୁ କିଏ ବତାଇଲା ଯେ ଏବେ କଳାକୃଷ୍ଣ ସେବା ଆରମ୍ଭ କରି ଦେଇଚି ।

 

ସରକାର ଅଫିମିଆ କମାଇବାକୁ କାର୍ଡ଼ପ୍ରଥା କରିଛନ୍ତି । ପୁଣି ନୂଆ ଅଫିମିଆ ଅଫିମ ପାଉଛନ୍ତି କେଉଁଠୁ ? ନିଶ୍ଚୟ ଅଫିମ ଠିକାଦାର ଚୋରାରେ ବିକୁଛନ୍ତି । ହିସାବ ଉପରେ ଟ୍ରେଜେରୀରୁ ଅଫିମ ମିଳୁଚି । ସେଥିରେ କେତେ କ’ଣ ମିଶଉଛନ୍ତି ବୋଧେ । ଆଉ ଓଜନରେ ହାତସଫେଇ । ଏଇଟା ଅସାଧୁତା ନିଶ୍ଚୟ । ତେବେ ଏହି ଅସାଧୁତାକୁ ପ୍ରକାରାନ୍ତରେ ପ୍ରଶୟ ଦିଆଯାଉଚି । ଠିକାଦାରମାନେ ନିଲାମ ଧରୁଛନ୍ତି । ରାଜସ୍ୱ ଲୋଭରେ ଉଚ୍ଚ ଡାକ ବାଲା ଠିକା ପାଉଚି । ତେବେ ଭାବିବାର କଥା, ତାର ଲାଭ କେତେ ? ସେଥିରୁ ଡାକର ହାର ଟିକିଏ କମ୍‍ ହେବା ଉଚିତ । କିନ୍ତୁ ବେଶୀ ହେଲେ ଠିକା ଦିଆଯାଉଚି କିପରି ? ଲାଭ ନ ଥିଲେ ବଣିଜ କିଏ କଲାଣି ?

 

ନା, ଆଜି ଯିବାକୁ ହେବ ରାଜସ୍ୱମନ୍ତ୍ରୀଙ୍କ ପାଖକୁ । ସାଇକେଲ ଧରି ଛୁଟିଲେ ଦେବେନ୍ଦ୍ର-। ମେଘ କେତେ ଦିନ ହେଲା ଛାଡ଼ି ଯାଇଥାଏ । ଏଣୁ ରାସ୍ତା ଶୁଖିଲା । ଏପରି ଭାବି ବାହାରି ପଡ଼ିଲେ । ମାତ୍ର ପାଞ୍ଚମାଇଲ ବାଟ ଯାଇଛନ୍ତି କି ନାହିଁ ଅସରାଏ ମେଘ କୁଟି ଦେଲା-। ଅବସ୍ଥା ବାରଣ୍ଡା ଦି’କଡ଼ା । ଆଉ ସାଇକେଲ ଚଳୁଛି କେଉଁଠି ? ଚକରେ ମାଟି, ଏପରି କି ହାତରେ ଚଳାଇନେବା ବି କାଠିକର ପାଠ । ଦେବେନ୍ଦ୍ର ବୁଝିପାରିଲେ–ଏ ବୈଜ୍ଞାନିକ ଯାନଗୁଡ଼ିକ ବ୍ୟବହାର କରିବା ପାଇଁ ଆମ ଦେଶ ପୂରାପୂରି ଉପଯୁକ୍ତ ହୋଇନି । ଏପରି ରାସ୍ତା ! ମଣିଷ ଚାଲିବ କିମିତି-! ସେଥିପାଇଁ ବୋଧେ ବାପୁଜୀ ପଦଯାତ୍ରା ପସନ୍ଦ କରୁଥିଲେ । ମାତ୍ର ଦ୍ରୁତଗତିଶୀଳ ଯୁଗରେ ଆଉ କେତେ ପାଦରେ ଚାଲି ତାଳରେ ତାଳ ଦେଇହେବ ?

 

ଆଉ ହବନି ! ସାଇକେଲଟି ବାଟରେ ଗୋଟିଏ ଦୋକାନୀ ପାଖେ ରଖିଦେଇ ଦେବେନ୍ଦ୍ରବାବୁ ଚାଲି ଚାଲି ବାହାରିଗଲେ । ଗୋଟାଏ ଗୁରୁତର ପରିସ୍ଥିତି ନେଇ ସେ ବାହାରିଛନ୍ତି । କର୍ମୀ ସେ । ମେଘକୁ ଡରି ଅଟକିଗଲେ ନିଜ କର୍ତ୍ତବ୍ୟରେ ଦୃଢ଼ ହୋଇପାରିବେ ତ ? ଦିନଯାକ ଚାଲି ଚାଲି ରାତିରେ ପହଞ୍ଚିଲେ ସହରରେ । ରାଜସ୍ୱମନ୍ତ୍ରୀଙ୍କ ବାସଭବନକୁ ଗଲେ । ଶୁଣିଲେ ମନ୍ତ୍ରୀ ଯାଇଛନ୍ତି ଟାଉନହଲ କ’ଣ ଗୋଟାଏ ସାଂସ୍କୃତିକ ଉତ୍ସବରେ । ଦେବେନ୍ଦ୍ର ପଚାରିଲେ–କ’ଣ ଚାଲି କରି ଯାଇଛନ୍ତି ?

 

ଚପରାସି ଉତ୍ତର ଦେଲା–ମନ୍ତ୍ରୀଙ୍କର ମଟର ଅଛି । ସେମାନଙ୍କର କେତେଆଡ଼ୁ କେତେ ଡାକରା । ଚାଲିକରି ଗଲେ ସବୁ କାମ ତୁଲାଇ ପାରିବେ ?

 

ଦେବେନ୍ଦ୍ର ହସିଲେ । ମନେ ମନେ ଭାବିଲେ, ଆମ ଆଡ଼କୁ ଆଜି ମନ୍ତ୍ରୀଙ୍କର ଶୁଭାଗମନ ଲାଗି ଅନୁରୋଧ କରିବା । କିମିତି କାରରେ ଯିବେ ଦେଖିବା !

 

ଅଧଘଣ୍ଟାଏ ଅପେକ୍ଷା କରିବାପରେ ମନ୍ତ୍ରୀ ଆସି ଉପସ୍ଥିତ ହେଲେ । “ କିଓ ଦେବେନ୍ଦ୍ର ବାବୁ, କୁଆଡ଼ୁ ଆସିଗଲେ ?”

 

ଭୋଟବେଳେ ଟିକିଏ ନଜର ରଖି କାମ କରିବାକୁ ପଡ଼ିବ । ଏଣୁ କହି ପକାଇଲେ– “ବସନ୍ତୁ, ବସନ୍ତୁ ।”

 

ଦେବେନ୍ଦ୍ର ଆରମ୍ଭ କଲେ–ଆପଣମାନେ ତ ମଟର ଚଢ଼ି ପକ୍‍କା ସଡ଼କରେ ବୁଲିଲେ । ଆମେ ତ ସାଇକେଲ୍‍ ଖଣ୍ଡେ ଚଢ଼ି ଆସିବାକୁ ସଡ଼କ ମନାକଲା । ଚାଲି ଚାଲି ମଣିଷ ଅଥା । ୟା ବୋଲି ଚାଲିବାକୁ ଡରୁନୁ । କିନ୍ତୁ ଆପଣମାନଙ୍କର ସମୟ ପରି ଆମର ବି ସମୟର ଗୋଟାଏ ମୂଲ୍ୟ ଅଛି ।

 

ମନ୍ତ୍ରୀ ଟିକିଏ ହସିଲେ । କହିଲେ–କ’ଣ କରିବା ଦେବେନ୍ଦ୍ର ବାବୁ ଏତେ ବଡ଼ ଦେଶ । କେତେଆଡ଼େ କଚ୍ଚା ରାସ୍ତା । କୁଆଡ଼ୁ ଏବେ ? ଆପଣଙ୍କ ଅଞ୍ଚଳରେ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାରେ ସଡ଼କ ହୋଇଯିବ ।

 

ଦେବେନ୍ଦ୍ର ବାବୁ କହିଲେ–ଇମିତି ତ ଆମେ ଶୁଣି ଆସୁଚୁ ? ତେବେ ସେକଥା ଛାଡ଼ । ଆପଣମାନେ ଭୋଟପାଇଁ ବୁଲିଲା ବେଳେ ନିଶା ନିବାରଣ କରିବେ ବୋଲି କହିଥିଲେ । ଏବେ ତ ନୂଆ ଭୋଟ ଦେବାର ସମୟ ଆସିଲା । କେବେ ପୁଣି ଉଠିବ ?

 

ମନ୍ତ୍ରୀ ପୁଣି ଟିକିଏ ହସି କହିଲେ–ସେ କଥା କ’ଣ ଆମେ ଭାବୁନୁ ? ନିର୍ବାଚନ ଇସ୍ତାହାର କଥା ଏବେ ବି ମନେ ଅଛି । କ୍ଷମତାର ବାହାରେ ଥାଇ ଆମେ ସେପରି ଅସ୍ଫାଳନ କରୁଥିଲେ । ମାତ୍ର ଭିତରେ ଆସି ଦେଖିଲୁ ଏକାବେଳକେ ଉଠାଇଦେବା ଅସମ୍ଭବ । ରାଜସ୍ୱ ଆୟ ହେବ କୁଆଡ଼ୁ ? ଏ ଥାଟ ଚଳିବ କିମିତି ? ସେଥିପାଇଁ ଆଂଶିକ ଭାବେ ନିବାରଣ କରୁଛୁ ।

 

ଦେବେନ୍ଦ୍ର ଗମ୍ଭୀର ଭାବରେ କହିଲେ–ତେବେ ଆପଣମାନେ ଭୋଟପାଇବା ବେଳେ କହନ୍ତି ଗୋଟାଏ କଥା, ଆଉ ଗାଦି ପାଇଲେ କରନ୍ତି ଅନ୍ୟ ପ୍ରକାର ?

 

ଟିକିଏ ବିଚଳିତ ହୋଇ ମନ୍ତ୍ରୀ କହିଲେ–ନା, ନା, ଦେବେନ୍ଦ୍ର ବାବୁ, ଠିକ୍‍ ସେପରି ନୁହେଁ-। ଆମେ ଯାହା ଠିକ୍‍ ମନେ କରିଚୁ, କହିଚୁ । ଆମର କଥାଗୁଡ଼ିକ ଦେଶ-କାଳ-ପାତ୍ର ନେଇ ଟିକିଏ ଆସ୍ତେ ଆସ୍ତେ କରୁଚୁ ।

 

ଦେବେନ୍ଦ୍ର କହିଲେ–ସେପରି କରିବାରେ ମାନେ ନାହିଁ । ଏଠି ବନ୍ଦ କରି ସେଠି ଚାଲୁକଲେ କିଳାପୋତେଇ ତାର ଡେଣା ମେଲୁଛି । ଏଣୁ ନିଶା ମୋଟେ ବନ୍ଦ ହେଉନି । ଏ ଗଲା ମଦ କଥା ।

 

ଅଫିମ କଥା ଦେଖନ୍ତୁ । କାର୍ଡ଼ଥିବା ଲୋକ କେବଳ ପାଇବା ଉଚିତ । ଅନ୍ୟ ଲୋକେ ପାଉଚନ୍ତି କିପରି ?

 

ମାଡ଼ିବସି ନନ୍ତ୍ରୀ କହିଲେ–ସେ ସବୁ ଉନ୍ନତ ଲୋକଚରିତ୍ର ଉପରେ ନିର୍ଭର କରେ । ଅବକାରୀ ବିଭାଗ ଅବଶ୍ୟ କେତେଗୁଡ଼ାଏ ଧରୁଛନ୍ତି । ମାତ୍ର କେତେ ଧରିବେ ? କାଁ ଭାଁ ଚୋରା କାରବାର ହେଉଥିବ ।

 

ପୁଣି ଦେବେନ୍ଦ୍ର ଚଳେଇଲେ–ସେଥିରେ କ’ଣ ସରକାରଙ୍କର ଦୋଷ ନାହିଁ ? ନିର୍ଦ୍ଦିଷ୍ଟ ପରିମାଣରେ ଅଫିମ ଯୋଗାଇ ନିଲାମ ଟଙ୍କାର ପରିମାଣ ନିୟନ୍ତ୍ରଣ କରୁନାହାନ୍ତି ଆପଣମାନେ ?

 

ମନ୍ତ୍ରୀ ଟିକିଏ ଚିଡ଼ିଲା ପରି କହିଲେ–ଆପଣ ତ ପୁଣି ଆଦର୍ଶବାଦ ବାଢୁଛନ୍ତି । କହିଲି ପରା ରାଜସ୍ୱ ହଠାତ୍‍ କମିଗଲେ ଏ ଥାଟ ଚଳିବ କିପରି ?

 

ଦେବେନ୍ଦ୍ର ବି ଚଢ଼ାଗଳାରେ କହିଲେ–ଗାନ୍ଧିଜୀ କ’ଣ ଆପଣମାନଙ୍କୁ ଏଇଆ ଶିଖାଇଥିଲେ ?

 

ମନ୍ତ୍ରୀ ବଡ଼ ଅଡ଼ୁଆରେ ପଡ଼ିଲେ । କହିଲେ–ଆଚ୍ଛା କଥା । ଗାନ୍ଧିଜୀ ତୁମକୁ ଶିଖାଇଥିଲେ, ଆମକୁ ବି ସେଇଆ ଶିଖାଇଚନ୍ତି । ମାତ୍ର କରିବ କଅଣ ? ଏ ଗାଦିରେ ବସିଲେ କଥାଟା ବେଶ୍‍ ବୁଝି ହେବ ।

 

ଦେବେନ୍ଦ୍ର କହିଲେ–ସେ ଗାଦିରେ ବସିବାକୁ ଆମର ଆଗ୍ରହ ନାହିଁ । ବାହାରେ ଥାଇ ମଧ୍ୟ ବହୁତ କିଛି କରିହେବ ।

 

ମନ୍ତ୍ରୀ ପୁଣି ଆଶାନ୍ୱିତ ହୋଇ କହିଲେ–ସେଇଟା ଓ୍ୟାଜିବ କଥା । ସବୁକଥା ଆଇନ ବଳରେ ଭଲ ହୋଇପାରେନା । କେତେ ପ୍ରକାର କଥା ଅଛି । କେଉଁ ଜାତିର ନିଶା ନ ହେଲେ ଧର୍ମହାନି ହେବ । କେତେକଙ୍କର ମାଙ୍ଗଳିକ କାର୍ଯ୍ୟରେ ନିଶା ଦରକାର । ସେତିକି ନୁହେଁ, ବହୁ ବିଦେଶୀ ଭାରତକୁ ଆସୁଛନ୍ତି । ମଦ ସେମାନଙ୍କର ଅପରିହାର୍ଯ୍ୟ ଖାଦ୍ୟ । ସେମାନଙ୍କ କଥା ବିଚାର କରିବାକୁ ପଡ଼ିବ । ତେଣୁ ଆପଣ ବେସରକାରୀ ଭାବରେ ନିଶାଖୋରଙ୍କ ହୃଦୟରେ ପରିବର୍ତ୍ତନ ଆଣନ୍ତୁ । ନିଶା ପ୍ରତି ଗୋଟାଏ ଘୃଣାର ବାତାବରଣ ସୃଷ୍ଟି କରନ୍ତୁ । ଆମେମାନେ ପୁଣି ଆସ୍ତେ ଆସ୍ତେ ଆଇନର ଚାପା ବି ଦେବୁ ।

 

ଦେବେନ୍ଦ୍ର କହିଲେ–ଆମେ କ’ଣ ତାହା କରିବୁନି ନା କରୁନୁ ? ଆପଣମାନଙ୍କ କଥା ପଡ଼ିଛି ନା ? ଆଚ୍ଛା, ଖଜୁରୀ ତାଡ଼ି ଉଠାଇଦେବା ଫଳରେ ଯେଉଁ ଚମାରମାନେ ବେକାର ହେଲେ ସେମାନଙ୍କ ପାଇଁ କି ବ୍ୟବସ୍ଥା ?

 

ମନ୍ତ୍ରୀ ପୁଣି ରାଗିକରି କହିଲେ–ତୁମେ ଆଚ୍ଛା କହୁଚ ଦେବେନ୍ଦ୍ର ! ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା । ଏଣେ କହୁଚ ନିଶା ଉଠାଇଦିଅ, ତେଣେ କହୁଚ ବେକାର ଲୋକ କ’ଣ କରିବେ ?

 

ଦେବେନ୍ଦ୍ର ହସି ହସି କହିଲେ–ଆରେ ସେଇଟା ତୁମର କାମ ନୁହେ ବୋଲି ଭାବୁଚ ନା କ’ଣ ?

 

ମନ୍ତ୍ରୀ ବିରକ୍ତ ହୋଇ କହିଲେ–ଆରେ ବାବୁ, ସେ କଥା ବି ଆମେ ଭାବିଚୁ । ଆପଣ ସମବାୟ ରେଜିଷ୍ଟ୍ରାରଙ୍କ ସହ ସାକ୍ଷାତ କରନ୍ତୁ ।

 

ବହୁତ ଡେରି ହୋଇଗଲାଣି । ଶେଷରେ ଦେବେନ୍ଦ୍ର ଉଠିଲେ, କହିଲେ–ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ କରି ବ୍ୟସ୍ତ କରିଥିବାରୁ କ୍ଷମା କରିବେ । ଲୋକପ୍ରତିନିଧି ବୋଲି ଲୋକର ଯାହା ଦରକାର ସବୁ ଖୋଲାଖୋଲି କହିଗଲି ।

 

ସକାଳ ଆଠଟା । ଦେବେନ୍ଦ୍ର ବାବୁ ରେଜିଷ୍ଟ୍ରାରଙ୍କ ଘରକୁ ଗଲେ । ପ୍ରଥମେ ସେ ଫେରେଇଦେଇ ଅଫିସରେ ଦେଖାକରିବ ବୋଲି କହିବାକୁ ଭାବୁଥିଲେ, ପରେ ପୁଣି କ’ଣ ଭାବିଲେ କେଜାଣି ଦେଖା ଦେବାକୁ ଅନୁମତି ମିଳିଲା । ଦେବେନ୍ଦ୍ର ବାବୁ ସ୍ୱାଧୀନ ନାଗରିକ ହିସାବରେ ଦାବି କଲେ–ତାଙ୍କ ଗାଁ ପାଖେ ଖଜୁରୀ ତାଡ଼ି ଉଠିଯାଇଛି । ତାଡ଼ି ବିକାଳିମାନେ ବେକାର । ସେଠାରେ ଖଜୁରୀ ଗୁଡର ଗୋଟାଏ ସମବାୟ ପ୍ରତିଷ୍ଠାନ ପ୍ରତି ସୁବିଧା କରାଯାଉ ।

 

ରେଜିଷ୍ଟ୍ରାର ସହାନୁଭୂତିର ସହିତ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଲେ । ନିକଟରେ ଇନ୍‍ସପେକ୍ଟର ଯାଇ ପ୍ରାଥମିକ ବ୍ୟବସ୍ଥା କରିବେ । ତା’ପରେ ରେଜିଷ୍ଟ୍ରାର ସାହେବ କହିଲେ–ଦେଖନ୍ତୁ,ସମବାୟ ଅନୁଷ୍ଠାନଗୁଡ଼ିକ ଖୁବ୍‍ ଭଲ । ଦେଶରେ ବର୍ତ୍ତମାନ ସେପରି ଅନୁଷ୍ଠାନର ଯଥେଷ୍ଠ ଆବଶ୍ୟକତା ଅଛି । ମାତ୍ର ଆମ ଦେଶରେ ଏହି ଅନୁଷ୍ଠାନଗୁଡ଼ିକୁ ଅସାଧୁ ଲୋକଙ୍କ ଲାଗି ଭୁଷୁଡ଼ି ପଡ଼ିଛି । ଆପଣମାନେ ସେଥିପ୍ରତି ଟିକିଏ ସଜାଗ ରହିବେ ।

 

ଦେବେନ୍ଦ୍ର ବାବୁ କହିଲେ–ଆମେ ବି ଦେଖିବୁ, ଆପଣ ବି ଦେଖିବେ । ଆମରି ଦେଶରେ ଅସାଧୁ ଲୋକଙ୍କ ଲାଗି ସବୁ ହଉଚି କହି ତୁନି ହୋଇ ବସିଗଲେ ତ କିଛି ହେବନି । ଅସାଧୁତା କିପରି ଦୂର ହେବ, ସେସବୁ ଆମର ଦେଖିବା କଥା । ଆପଣଙ୍କ କର୍ମଚାରୀ ଯେପରି ହାକିମି ମନୋବୃତ୍ତିରେ ନ ଯାଇ ପ୍ରକୃତରେ ସହଯୋଗ ମନୋଭାବ ଓ ପରିବେଶ ଲୋକଙ୍କ ମନରେ ଖେଳାଇ ପାରିବେ ସେଥିପ୍ରତି ଚେଷ୍ଟା କରିବେ ।

 

ଏତିକି କହି ଦେବେନ୍ଦ୍ର ବାବୁ ସେଠାରୁ ଚାଲିଲେ । ରେଜିଷ୍ଟ୍ରାର ଭାବିଲେ–ଆଜିକାଲି ଯିଏ ପାରିଲା ସିଏ ଟିକିଏ ସରକାରୀ କର୍ମଚାରୀଙ୍କୁ କହିବାରେ ସିଦ୍ଧହସ୍ତ । କର୍ମଚାରୀଗୁଡ଼ାକ ଅବଶ୍ୟ ହାକିମ ମନୋବୃତ୍ତି ନ ଦେଖାଇ ସେବକ ମନୋବୃତ୍ତି ଦେଖାଇବା ଠିକ୍‍ କଥା । ୟା ବୋଲି ଯେ ପାରି ସେ କହିଦେବା ବି ଠିକ୍‍ ନୁହେଁ । କର୍ମଚାରୀର ବି ତ ଗୋଟାଏ ଆତ୍ମସମ୍ମାନ ଅଛି ।

 

ଦେବେନ୍ଦ୍ର ବାବୁ ଯାଉଥାନ୍ତି । ଗୋଟିଏ ଗହଳି ଛକ । ବହୁ ଲୋକଙ୍କ ସମାବେଶ । କଥା କ’ଣ ? ଅବକାରୀ ଇନ୍‍ସପେକ୍ଟରଙ୍କ ଅଦ୍ଭୁତ ସାହସ । ରେଲରେ ଲୁଗା ଗଣ୍ଠିଲା ଭିତରେ ପାଞ୍ଚସେର ଚୋରା ଗଞ୍ଜେଇ ସହ ଆସାମୀ ଗିରଫ । ଦେଖିବାକୁ ସମସ୍ତେ ରୁଣ୍ଡ । ସବୁଆଡ଼େ ଖାଲି ଚୋରା, ଚୋରା । ଏଗୁଡ଼ାକ ନ ବଦଳେଇଲେ ଆଉ ଚଳିବନି । କେଉଁଠି ଗୋଟାଏ ଦିଟା ଧରି ଦେଇ ଜୋରିମାନା କରିଦେଲେ ଏସବୁ ବନ୍ଦ ହେବନି । ଏ ଚୋରା କାରବାରର ଅସଲ ମତଲବ କଅଣ ? ଧନ ଲୋଭ, ବ୍ୟକ୍ତିଗତ ପୁଞ୍ଜିବାଦ, ମୁନାଫାଖୋରୀ ଲିପ୍‍ସା । ସମାଜ ଏଥିପାଇଁ ଦାୟୀ । ଏଥିପାଇଁ ନୂଆ ସମାଜ ଲୋଡ଼ା । ଅପରାଧୀର ମନସ୍ତାତ୍ତ୍ୱିକ ପରିବର୍ତ୍ତନ ଲୋଡ଼ା । ଏଥିପାଇଁ ସକ୍ରିୟ ଉଦ୍ୟମ ଲୋଡ଼ା । ଦୀର୍ଘ ବକ୍ତୃତା ବା ଭାବପ୍ରବଣତାର ଏଠାରେ ସ୍ଥାନ ନାହିଁ ।

 

ତା’ପରେ ଦେବେନ୍ଦ୍ର ବାବୁ ଟିକିଏ ଅବକାରୀ କର୍ତ୍ତୃପକ୍ଷଙ୍କୁ ଭେଟିଲେ । ଆଂଶିକ ନିଶାନିବାରଣ ପ୍ରଣାଳୀରେ କିପରି ଚୋରାରେ ଜିନିଷ ଚାଲାଣ ହୋଇଯାଉଚି, ସେଥିପ୍ରତି ଦୃଢ଼ ବ୍ୟବସ୍ଥା ନେଇ ଆଲୋଚନା କଲେ । କର୍ତ୍ତୃପକ୍ଷ କହିଲେ–ଲୋକେ ଏଥିରେ ସହଯୋଗ କରିବା ଉଚିତ । ଆମ ଦେଶରେ କେତେକ ଲୋକ ଛୁଆମାନଙ୍କୁ ଅଫିମ ଖୁଆନ୍ତି ପିଲା ଶୋଇବା ଆଶାରେ-। ହଳିଆମାନେ ତାକୁ କିଣି ନେଉ ନେଉ ଧରା ପଡ଼ନ୍ତି । ସେପରି ଲୋକଙ୍କୁ ଯଦି ଅବକାରୀ ବିଭାଗ ଧରୁଚି, ତେବେ ଲୋକେ ମୁସ୍କିଲ । କେଉଁଠି କିମିତି ମାଡ଼ ବି ବସୁଚି । ତଥାପି କଡ଼ା ବ୍ୟବସ୍ଥା କରିବାକୁ ସେ ପ୍ରତିଶ୍ରୁତି ଦେଲେ ।

 

ଦେବେନ୍ଦ୍ର ସେଠୁ ଫେରିଲେ । ଯେଉଁ ଅଫିସର ପାଖକୁ ଗଲେ ସେ ଲୋକମାନଙ୍କର କିଛି ନା କିଛି ଦୋଷ ଦେଖାଉଛନ୍ତି । ଠିକାଦାର ପାଖରୁ ବୁଝିଲେ ସେ ଲୁଚାଇ ଲୁଚାଇ କହିବ–ତାକୁ କେତେ ପାଉଣାଦେବାକୁ ପଡ଼ୁଛି । ଜାଣିଶୁଣି କେତେ ଲୋକଙ୍କୁ ଅଫିମ ବିକିବାକୁ କୁହାଯାଉଚି । ଲୋକଟି କିଣିକରି କିଛି ବାଟ ଯିବା ପରେ ଅବକାରୀ ବିଭାବ ବୀର ପରି ମାଡ଼ି ବସୁଛନ୍ତି ।

 

କାହା କଥା ସତ, କାହା କଥା ମିଛ । ନିଆଁ ନ ଥିଲେ ଧୂଆଁ ନ ଥାଏ । ସବୁଥିରେ ଟିକିଏ ଟିକିଏ ସତ ଥାଇପାରେ । ସବୁ ରହିଲାଣି ଲୋକଙ୍କ ନୈତିକତା ଉପରେ । ଅନ୍ଧ ପ୍ରଥା କେତେଦୂର କରାଇବାକୁ ହେବ ।

 

ପୁଣି ଚାଲିଲେ ଦେବେନ୍ଦ୍ର । ସହରକୁ ଆସିଛନ୍ତି । ସବୁଦିନ କ’ଣ ସହରକୁ ଧାଉଡ଼ି ଦଉଥିବେ ? ଖାଲି ମନ୍ତ୍ରୀ, ହାକିମଙ୍କ ପାଖକୁ ଦୌଡ଼ିଲେ କ’ଣ ହେବ ? କାମ ପ୍ରକୃତରେ ଗାଁ ଗହଳରେ କରିବାକୁ ହେବ । ଭାରତ ଗାଁ ଗହଳର ଦେଶ । ଟିକିଏ ଅର୍ଥମନ୍ତ୍ରୀଙ୍କ ଆଡ଼େ ମୁହଁ ମାରିଦେଇ ଯିବା । ଚଉକିଦାର, ଦଫାଦାରଗୁଡ଼ା ସବୁବେଳେ କହୁଛନ୍ତି, ତାଙ୍କ କଥା କ’ଣ ହେଲା ? ପ୍ରାଥମିକ ଶିକ୍ଷକମାନଙ୍କର ସବୁବେଳେ ଆପତ୍ତି, ପେଟ ପୂରୁନି । ଗାଁ ଗହଳରେ ସେମାନଙ୍କର ଗୋଟିଏ ଥାନ ଅଛି । ଜନମତ ଗଠନରେ ସେମାନେ ଖୁବ୍‍ ଭଲ ଭୂମିକା ଗ୍ରହଣ କରିପାରିବେ । ଯାଇ ଅର୍ଥମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେ । ସେତେବେଳକୁ ମନ୍ତ୍ରୀ ଅଫିସକୁ ଗଲେଣି । ପୁଣି ସେକ୍ରେଟାରୀଏଟ୍‍କୁ ଦୌଡ଼ ପକାଇଲେ ।

 

ସେଠି ଦେଖା କରିବାକୁ ଅନେକ ଲୋକ । ଗୋଟିଏ ପରେ ଗୋଟିଏ କାର୍ଡ଼ ପଡ଼ିଛି । ଯାହାହେଉ ଦେବେନ୍ଦ୍ର ବି କାର୍ଡ଼ ଖଣ୍ଡେ ପଠାଇଲେ । ଲଛମନ ସେଠ ବସିଥାନ୍ତି । କହି ପକାଇଲେ– ଆପଣ କ’ଣ କାର୍ଡ଼ ପଠାଇଲେ ? ସେମିତି ଚାଲି ଯାଇଥାନ୍ତେ । ମନ୍ତ୍ରୀଙ୍କ ଦଳର ଲୋକ ।

 

ଦେବେନ୍ଦ୍ର କାବା ହେଲେ । ଲୋକଟାର ଅଦ୍ଭୁତ ଧାରଣ । ମନ୍ତ୍ରୀ କ’ଣ ପାତର ଅନ୍ତର କରନ୍ତି ? ରାଜ୍ୟ ଯେ ଚଳାଇବ ସବୁ ଲୋକଙ୍କୁ ସମାନ ଚକ୍ଷୁର ଦେଖିବ । ସାକ୍ଷାତ ଦେବା ପାଇଁ ଯାହାର ଦରକାର ସେ ଆସିବ । କ୍ରମ ଅନୁସାରେ ମନ୍ତ୍ରୀ ଦେଖା ଦେବେ । ସେ କାହିଁକି ଅନ୍ୟାୟ ସୁବିଧା ହାସଲ କରିବ ?

 

ମନ୍ତ୍ରୀ ଜଣକ ପରେ ଜଣଙ୍କୁ ସାକ୍ଷାତ ଦେଲେ । ଦେବେନ୍ଦ୍ର ଙ୍କୁ ବି ଡାକରା ଆସିଲା । ଦେବେନ୍ଦ୍ର ଚୌକିଦାର, ଦଫାଦାରଙ୍କ କଥା ପଚାରିଲେ । ମନ୍ତ୍ରୀ କହିଲେ–ଖର୍ଚ୍ଚର ପନ୍ଥା ବଢ଼ାଇବାକୁ ସମସ୍ତେ ଆସି କହୁଚ । ଏଣେ ନୂଆ କର ବସାଇଲେ ପାଟି କରୁଚ । ବଢ଼ି ଅଞ୍ଚଳରେ ରାଜସ୍ୱ ଛାଡ଼ କର କହୁଚ । ଏସବୁ ଏକସଙ୍ଗେ ମନ୍ତ୍ରୀ କିପରି କରିବେ ? ଖରଚ ବଢ଼ିଲେ ଆୟ ବଢ଼ାଇବାକୁ ହେବ ।

 

ଦେବେନ୍ଦ୍ର ଟିକିଏ ବିକ୍ଷିପ୍ତ ହୋଇ କହିଲେ–ମୋଟା ବେତନ ପାଉଥିବା କର୍ମଚାରୀ କର୍ମଚାରୀଙ୍କ ସଂଖ୍ୟା ବଢ଼ିପାରୁଚି, ଆଉ ଯେଉଁମାନେ ପ୍ରକୃତ ଗାଁ ଗହଳରେ କାମ କରିବେ ସେମାନଙ୍କ ବେଳକୁ ଅର୍ଥ ନାହିଁ !

 

ମନ୍ତ୍ରୀ ଟିକିଏ ନିଠେଇ ନିଠେଇ କହିଲେ–ତୁମେ ବୁଝିନ ଦେବେନ୍ଦ୍ର ! ଶାସନକଳରେ ପଶିଲେ ଜାଣିବ ମୋଟା ବେତନ କର୍ମଚାରୀ କାହିଁକି ଦରକାର ?

 

ତେବେ ମୁଁ ଚୌକିଦାର, ଦଫାଦାର, ପ୍ରାଥମିକ ଶିକ୍ଷକଙ୍କ ପାଇଁ ସହୃଦୟ ବିଚାର କରୁଚି-। ନିକଟରେ କିଛି ନା କିଛି ଗୋଟାଏ ହୋଇଯିବ ।

 

ଆଉ ଗୋଟିଏ କଥା ଦେବେନ୍ଦ୍ର ! ଆମ ଦେଶରେ ଗୋଟିଏ କଥା ବଦଳାଇବାକୁ ହେବ-। ସ୍ତ୍ରୀମାନେ ପରଜୀବୀ ନ ହୋଇ କାମ କରିବା ଦରକାର । କିଛି ଆୟ କରିବା ଦରକାର-। ତା ନ ହେଲେ ସର୍ବନିମ୍ନ ଦରମାହାର ବହୁତ ବେଶୀ ରଖିବାକୁ ପଡ଼ିବ ।

 

ଦେବେନ୍ଦ୍ର କହିଲେ–ତା’ ସଙ୍ଗକୁ ଆଉ ଗୋଟିଏ କଥା ବି କରିବାକୁ ହେବ । କର୍ମଚାରୀଙ୍କ ମଧ୍ୟରେ ଦରମାର ବ୍ୟବଧାନ ଏତେ ରହିବା ଅନୁଚିତ । କାମ ଦୃଷ୍ଟିରୁ ସମସ୍ତଙ୍କ କାମର ମୂଲ୍ୟ ସମାନ । ହାକିମ, କିରାଣୀ, ଚପରାସି ମଧ୍ୟରେ ଦରମାର ଏତେ ତଫାତ୍‍ ମଧ୍ୟ ସ୍ପୃହଣୀୟ ନୁହେଁ ।

 

ମନ୍ତ୍ରୀ କହିଲେ–ସେସବୁ ମୁଁ ବୁଝୁଚି । ମୋର କଳ୍ପନାରେ ସେସବୁ ସ୍ଥାନ ପାଇଛି ମଧ୍ୟ । ତେବେ କାର୍ଯ୍ୟରେ ପରିଣତ ହେବାକୁ ସମୟ ଲାଗିବ । ତୁମେ ଯାଅ, କାମରେ ଲାଗିପଡ଼ । ମଝିରେ ମଝିରେ ଦେଖା କରୁଥିବ ।

 

ସେଦିନ ଆଉ ଗାଁ କୁ ଫେରିବାର ସୁବିଧା ହେଲାନି । ଗୋଟାଏ କଥା ଲକ୍ଷ୍ୟ କରିବା ତାଙ୍କର ଭାରି ଇଚ୍ଛା । ଯାଇ ବିଲାତି ମଦ ଦୋକାନ ପାଖେ ଟିକିଏ ବସିପଡ଼ିଲେ । କେତେ ପ୍ରକାର ଲୋକ ତାଙ୍କର ଭୃତ୍ୟମାନଙ୍କ ହସ୍ତରେ ରଙ୍ଗପାଣି କିଣି ପଠାଇଥାନ୍ତି । ସରକାରୀ କର୍ମଚାରୀ, ଓକିଲ, ବ୍ୟବସାୟୀ, ଜମିଦାର, ରାଜା ଠାରୁ ଆରମ୍ଭ କରି ହୋଟେଲ୍‍ବାଲା ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି କିଣି ପଠାଇଥାନ୍ତି ।

 

ଦେବେନ୍ଦ୍ର କାବା ହେଲେ । ଗାଁର ଧରମୁକୁ କ’ଣ ଦୋଷିବେ ? ଶିକ୍ଷିତ ଲୋକେ ବି ତ ରଙ୍ଗପାଣିର ସଦ୍‍ବ୍ୟବହାର କରୁଛନ୍ତି । ଲୋକଙ୍କର ତ ଅସ୍ଥି ମଜ୍ଜାଗତ ହୋଇଯାଇଛି, ଏସବୁ ସହଜେ ଉଠିବ କୁଆଡ଼ୁ ?

 

ଏଥିପାଇଁ ବିରାଟ ବିପ୍ଳବ ଲୋଡ଼ା । କେବଳ ଆଇନ୍‍ କରିଦେଲେ ହେବନି । ମନରେ ତାଙ୍କର ଯୋଜନାର ବିରାଟ ଛାପା । ଶାନ୍ତିପୂର୍ଣ୍ଣ ଉପାୟ, ମାତ୍ର ବୈପ୍ଳବିକ ଆଭିମୁଖ୍ୟ ନେଇ ତାଙ୍କ ଆନ୍ଦୋଳନ ପ୍ରବଳ ଚାଲିବ–ପ୍ରାଣୀର ମଙ୍ଗଳ ଲାଗି ; ଧରମୁ, ରଥିଆ ପରି ଲୋକର ଉତ୍‍ଥାନ ପାଇଁ; ଶିକ୍ଷିତ ସମାଜରେ ଏ ବ୍ୟଭିଚାରର ବିଲୋପ ପାଇଁ ।

 

ସେଦିନ ରାତିର ଭଲ ନିଦ ହେଲାନି । ସହରରେ ପାଣି ଜମି ମଶାଙ୍କ ପ୍ରଭାବ ବଢ଼ିଯାଇଛି । ମଶାରି ନେଇପାରି ନାହାନ୍ତି ଦେବେନ୍ଦ୍ର । ମାଟି ସଡ଼କରେ ବର୍ଷା ଲାଗି ନିଜେ ଚାଲିବା ତ ମୁସ୍କିଲ । ମଶାରି ଆଦି ବାଟରେ ସେଇ ଦୋକାନରେ ଛାଡ଼ି ଆସିଚନ୍ତି ।

 

ଯାହାହେଉ ସକାଳୁ ଗାଁ ଆଡ଼େ ପଦକ୍ଷେପ । ଗାଁ ହେଉଚି ତାଙ୍କର କର୍ମସ୍ଥାନ । ସହରୀ ବାଘ କେଇଟା । ଆଗ ଗାଁଟା ସଜାଡ଼ି ହୋଇଯାଉ, ପରେ ସହରକୁ ଆସିବେ ।

 

ବିଲାତି ଢାଞ୍ଚା ବଦଳାଇ ଦେବାକୁ ପଡ଼ିବ ।

 

ଗଉରାର ରାଗ ଜଳୁଚି । ପର ଗାଁର ମଜୁରିଆଦ୍ୱାରା ସାହୁକାର ସବୁ କରାଇନେବ, ଆଉ ଆମେ ଘର କରି ତା ଡିହରେ ପଡ଼ିଛୁ କାହିଁକି ? ନା, ସାହୁକାରକୁ ପାନେ ନ ଦେଲେ ଚଳିବନି-। ଜେମିର ଇଜ୍ଜତ ପାଇଁ ସେ ତିନି ହଜାର ଟଙ୍କା ଦେଉ । ନିଶାପ ସେ ଅଲବତ କରେଇବ ଏ କଥା-

 

ପଶ୍ଚିମ ଆକାଶକୁ ଗୋଲାପୀ କିରଣରେ ରଙ୍ଗାଇ ବୁଡ଼ି ଯାଉଥାନ୍ତି ଦିନମଣି । ନୀଡ଼ମୁଖୀ ବିହଙ୍ଗ । ଠିକ୍‍ ସେତିକିବେଳେ ପୁନେଇ ଚାନ୍ଦ ପରି ଚାଲିଯାଉଥାଏ ଜେମି । ରୂପ, ଯୌବନ ସତେ ଯେପରି ତାକୁ ଲୋଭନୀୟ କରି ଗଢ଼ିଛି । ଜିତେନ୍ଦ୍ରିୟ ନ ହେଲେ ନିଶ୍ଚେ ଅନେଇବ-। ଅହେତୁକ ସ୍ପନ୍ଦନ ଗୋଟାଏ ଖେଳିଯିବ ତଡ଼ିତ୍‍ ବେଗରେ ଦେହସାରା ।

 

ରାଗ ମଧ୍ୟରେ ବି ଗଉରାର ଗୋଟାଏ ଅନୁଭୂତି କି ପରିବର୍ତ୍ତନ । ଆଜି ସେ ଯିବ । ଜେମି ବୋଉର କେଉଁ କଥାକୁ ଆପତ୍ତି ନାହିଁ । ଜେମି ବା କେଉଁ ସତୀ ! ମରଦ ଦେଖିଲେ ତ ଘଷି ହୋଇ ପଳେଇବା ଝିଅ । ଟିକିଏ ସହାନୁଭୂତି ଦେଖାଇ ଗୋଟାଏ ମିଳନ ଖୋଜିବ । ଘରେ ସାଇତିଥାଏ ଗୋଟିଏ ଟଙ୍କା । ସେଥିରେ ଜେମି ପାଇଁ ଖାଦ୍ୟ ଜିନିଷ ନେଲା । କାମ ନାହିଁ, ଖାଇବାକୁ କେଉଁଠୁ ପାଉଥିବ ? ତାଳବଣ ଭିତରେ ପୋତିଥାଏ ଗଉରା ଗୋଟିଏ ଗଞ୍ଜେଇ ଗଛ ? ସାହୁକାରର ଡିହ । କେହି ଜାଣନ୍ତିନି, ଗଉରା ପତ୍ର ତୋଳି ଶୁଖାଇ ବିଡ଼ିରେ ନିତି ପିଏ । ତିନୋଟି ପିକା ତିଆରି କରିନେଲା । ଜେମିବୋଉ ବି ପିକା ଖାଏ । ଜେମି ବି ମା’ଠାରୁ ଦେଖି ସଉକରେ ଦିନେ ଦିନେ ପିଏ ।

 

ମୁହଁ ଅନ୍ଧାର । ଯେଝା ଘରେ ବାଉରିସାହିରେ ଯିଏ ରହିଲେଣି । କାମକୁ ଯାଇ ନାହାନ୍ତି-। ଘରେ ଯାହା ଥିଲା ସରିଲା ଆସି । କାଲି କାମକୁ ନ ଗଲେ ଚଳିବନି । ସେଇ କଥା ଭାଳି ହେଉଚନ୍ତି ।

 

ଗଉରା ଗଡ଼ିପଡ଼ିଲା ଜେମି ଘରକୁ । “କ’ଣ କରୁଚୁ କିଲୋ ମାଉସି” !

 

“କିଏ, ଆଲୋ ମୋର ପୁଅଟା, ବସ ବସ” କହି ବୁଢ଼ୀ ଖଜୁରୀ ପଟି ଖଣ୍ଡେ ପକାଇଦେଲା ।

 

ଗଉରା ଚାଉଳ, ଡାଲି ବଢ଼ାଇଦେଲା । କଥା କେତେଆଡ଼ୁ ଆରମ୍ଭ କରିଦେଲା । ଗଉରାର କେହିନାହିଁ । ଏକା ଚଳେ ମାନିଆ ପରି । ଆଜି ସେଇଠି ଖାଇବ ବୋଲି ଶୁଣାଇଦେଲା । କେତେ ଆଡ଼ୁ କେତେ କଥା ପଡ଼ିଲା । ସାହୁକାର ରାଗିଚି । କ’ଣ କହିବ ? ଘରେ କିଛି ବୋଲି କିଛି ନାହିଁ । ଜେମି, ଜେମିବୋଉ ଚଳିବେ କିପରି ?

 

ମଝିରେ ପିକା ଖଣ୍ଡିଏ ଖଣ୍ଡିଏ ବଢ଼ାଇ ଦେଲାଣି । ଗଉରା କହି ଚାଲିଛି–ପରବାୟ ନାହିଁ-। ମୋର ତ କେହି ନାହିଁ । ମୁଁ ତୁମକୁ ପୋଷିବି । ଖାଲି ମୋର ଗୋଟିଏ ଓଜର ଅଛି ।

 

ବୁଢ଼ୀ କହି ପକାଇଲା–କ’ଣ ? କହୁନୁ ?

 

ଗଉରା ସାହସ ବାନ୍ଧି କହିଲା–ଜେମିଟିକୁ ମୋତେ–

 

ବୁଢ଼ୀ ଖୁସି । “ସତେ ମୋର ସେ ଭାଗ୍ୟ ହେବ ! ହୋଇଯିବ । ବଇଶାଖ ହୋଇଯାଉ-।”

 

ରନ୍ଧାବଢ଼ା ସରିଲା । ଖାଇପିଇ ବୁଢ଼ୀ ଶୋଇଲା । ଜେମିକୁ ବି ନିଶା ଧଇଲାଣି । ଜେମି କାବା ହଉଚି । କେତେ କଡ଼ା ପିକା ଗଉରା ଖାଏ ମ ! ଜେମି ଝଟପଟ ଖାଇ ଶୋଇପଡ଼ିଲା । ଗଉରା କିନ୍ତୁ ହୁସିଆର । ତା’ର ପିକାଟି ସେ ଠିକ୍‍ ମାପରେ ଖଇଛି । ରାତି ଅଧ । ଚାରିଆଡ଼େ ଶୁନ୍‍ଶାନ୍‍ । ନିଶା ଗର୍ଜୁଛି । କାଁ ଭାଁ କୁକୁର ଭୁକୁଛନ୍ତି । ବିଲୁଆମାନେ ହୁକେ ହୋ କରି ସାରିଲେଣି ।

 

ଗଉରା ଭାବିଲା, ଏଇଟା ଠିକ୍‍ ସମୟ । ନିଶା ଛାଡ଼ୁ ବା ନ ଛାଡ଼ୁ ତା’ର ପିପାସା ସେ ମେଣ୍ଟାଇବ । ଏତେ ଚାଉଳ, ଡାଲି କ’ଣ ମାହାଳିଆ ଦେଇଚି ! ଜେମିର ଯେଉଁ ମାଂସଳ ଧିଅ, ତାକୁ କିଏ ଛାଡ଼େ !

 

ଚୁପ୍‍ ଚୁପ୍‍ ଯାଇ ଜେମି ପାଖରେ ପହଞ୍ଚିଲା । ହାତ ମାରିଲା । ଜେମିକୁ ନିଶା ଛାଡ଼ିନି । ତା’ର ପୃଥୁଳ ଶରୀରଟାକୁ ନିଜ କୋଳକୁ ଆଉଜାଇ ପକାଇ ଘନ ଘନ ଚୁମ୍ବନ ଛାଇଦେଲା । ପଶୁ ତ, ପ୍ରେମ କ’ଣ ସେ ଜାଣେ ! ତା’ପରେ ଚରିତାର୍ଥ କରିବାକୁ ବସିଲା ପ୍ରବୃତ୍ତି । ଅସୀମ ଉନ୍ମାଦନା । ଚେତା ଆସିଲା ଜେମିର । “କିଏ ଲୋ ମା” କହି ଡେଇଁପଡ଼ିଲା ଜେମି । କମ୍‍ ବଳ ନାହିଁ ତା ଧିଅରେ । ଜେମିବୋଉର ବି ଚେତା ହୋଇଗଲା । ଅନ୍ଧାର, କରିବେ କଅଣ ? ‘ଚୋର ଚୋର’ ବୋଲି ଜେମିବୋଉ ହୁରି ପକାଇଲା । ଏଇ ଭିତରେ ଗଉରା ଦୌଡ଼ ପଳାଇଯାଇ ପୁଣି ଲୋକଙ୍କ ସଙ୍ଗେ ମିଶି ହୁରି ଛାଡ଼ି ଆସିଲା ଜେମିଘରକୁ ।

 

ସମସ୍ତ ହୋ ହୋ ହେଲେ । କିଏ ଆସିଥିଲା ? ଚୋରି ତା’ର ଉଦ୍ଦେଶ୍ୟ ନୁହେଁ । ଜେମିବୋଉ ଘରେ କ’ଣ ଅଛି ଯେ ଚୋରି କରି ଆସିବ ? ନିଶ୍ଚୟ ଲୋକଟାର ପାପ ଉଦ୍ଦେଶ୍ୟ ଥିଲା ! ସେ ଆଉ କିଏ ହୋଇପାରେ ? ସାହୁକାର ତ ଆଉ ଏପରି କାମ କରିବାକୁ ବର୍ତ୍ତମାନ ଆସିବନି । ମାନିଆ ହୋଇଥିବ ! ଶଳାର ଦିମାକ ବଢ଼ି ଗଲାଣି । ଭାବିଚି ଏମିତି ଫିକର କରି ଜେମିକୁ ମାରିନେବ । ଫିକର କରିଥିଲା କମିକୁ ନେଇଯିବ ବୋଲି । ବିଚାରି ଟାଟା ପଳାଇ ରକ୍ଷା ପାଇଗଲା । ଏବେ ଆଖି ପଡ଼ିଚି ଜେମି ଉପରେ । ସେ କ’ଣ କରିବ ? ବାରବୁଲାଟା ତ । ବାପ ମାଆରେ ଠିକ୍‍ ନାହିଁ । ସେଥିରେ ପୁଣି ଯେଉଁ ସୁପୁରୁଷ ସାହୁକାର । ରଜା ଗୁଣେ ତ ପ୍ରଜା । ବେଶ୍‍ ନାଗର ସାଜିଛନ୍ତି । ଗୋପର କୃଷ୍ଣ ଏମାନେ । ବାଉରାଣୀମାନେ ମିଳିଲେ ଗୋପୀହେବାକୁ ! କଳିକାଳ ପରା ! ଖୁବ୍‍ ଜୋରରେ ଗର୍ଜୁଥାଏ ଗଉରା । ବେଟାକୁ କାଲି ଥାନାରେ ବନ୍ଧାଇ ନ ଦେଲେ ଚଳିବନି ।

 

ଖାଲି ଜେମି ଟିକିଏ ନାଁ ଧରିଦେଲେ ସବୁ ଫତେ ।

 

ଜେମିର ମନ ମାନିଲାନି । ମାନିଆ ସେପରି ପିଲା ନୁହେଁ । ମାନିଆ ପାଖେ ସେ ତ ନିଜେ ଧରା ଦେଇଥିଲା ବିପଦରେ । ମାନିଆ ଯାହା କରିଥିଲେ କିଛି ଆପତ୍ତି ନ ଥିଲା ତାହାର । ଲୋକଟା ଖାଡ଼ଙ୍ଗା ହୋଇକରି । ମାନିଆ ତ ଚପାକଷିଆ ମରଦ । ତା’ର କାହିଁକି ସନ୍ଦେହ ଗଉରା ଉପରେ । ଦିନେ ନାହିଁ କାଳେ ନାହିଁ, ଆଜି କାହିଁକି ଏତେ ଅନୁଗ୍ରହ ଅଜାଡ଼ି ଦେଇଥିଲା ! ତାରି କାମ ହୋଇଥିବ ।

 

ଭଗବାନ ବୁଝିବ ।

 

ବିଶ୍ୱାସରେ ବିଷ ଦେବା କଥା ଏଇଟା ।

 

ଭୋର୍‍ ଭୋର୍‍ ଜେମି ଝାଡ଼ା ଫେରି ବାହାରିଲା । ମାନିଆଟା ଭଲଲୋକ । ଗଉରା ତା’ ନାଁରେ କଳଙ୍କ ବୋଳିବାକୁ ଯାଉଚି । କଥାଟା ତାକୁ ଜଣାଇଦେବା ଅନ୍ତତଃ ମଣିଷପଣିଆ ହେବ । ଜେମି ଯାଇ ଡାକିଲା–ମାନିଆ ଦାଦା, ମାନିଆ ଦାଦା, ଶୁଣ ଗୋଟିଏ କଥା ।

 

ମାନିଆର ନିଦ ଭାଙ୍ଗିଥାଏ । ନିଃସଙ୍ଗ ଜୀବନଟା ଖାଲି ଖାଲି ଲାଗୁଥାଏ । ପୁଷି ବିଲେଇଟି ଯାହା ଗୁରୁଡ଼ୁ ଗୁରୁଡ଼ୁ ହେଉଥାଏ । ମାନିଆ ଭାବୁଥାଏ–କମି ତା’ର ସେଦିନୁ ଗଲାଣି । ଖବର ଟିକଏ ମିଳିଲାଣି । କମି କ’ଣ ଆଉ ମନେ ରଖିଥିବ ? ସହରରେ କେତେ କଥା ; ଭଲ ଚିଜ ଖାଇ, ପିନ୍ଧି, ଦେଖି ଭୁଲିଯିବଣି ଏ ବାରବୁଲା ମାନିଆଟାକୁ । ଝିଅ ଗୋଟାକରେ ଗୋଟାଏ ସେ । ହୀରାଟାଏ ତ । କ’ଣ ହେବ ? ବାମନ ହୋଇ ଚାନ୍ଦକୁ ଆଶା କରିବା ଆକାଶ କଇଁଆ ଚିଲିକା ମାଛ ପରି । ତଥାପି ମନରେ ସବୁବେଳେ ଥିବୁ କମି ! ତୋ’ର ସ୍ନେହଟା ଖାଣ୍ଟି ଲୋ !

 

ଜେମିର ଡାକରେ ଚମକି ପଡ଼ିଲା । ଧୂମକେତୁ ଏଇଟା, ଯୁଆଡ଼େ ଗଲେ ନିଆଁ ଲଗାଇବ । ପୁଣି କୁଆଡ଼େ ଆସିଚି ? “କ’ଣ କିଲୋ ଜେମି !”

 

“କବାଟ ଟିକିଏ ଫିଟେଇବୁନି ?” ବଡ଼ ଆକୁଳରେ ଡାକିଲା ଜେମି ।

 

ମାନିଆ ମନାକଲା–“ନାହିଁ ଲୋ ଜେମି, ମୋ ଉପରେ ତୁମ ସାଇଯାକ ରାଗିଚନ୍ତି । ତୁ ଏଇନା ଏଠି ଥିବାର ଦେଖିଲେ ନାନା କଥା ଉଠାଇବେ । ତୁ ଯା ପଳା ।”

 

“ଶୁଣ୍‍ ମାନିଆ ଦାଦା, ତୋରି ଭଲ ପାଇଁ ମୁଁ କହିବାକୁ ଆଇଚି । ଫିଟା ତ ଟିକିଏ ।” କହି ଜେମି କବାଟ ଠେଲିବାକୁ ଲାଗିଲା ।

 

ବଡ଼ ଅନିଚ୍ଛା ସତ୍ତ୍ୱେ ମାନିଆ କବାଟ ଫିଟାଇଲା । ଜେମି ସବୁ କହିଗଲା ରାତିର ଘଟଣା–“ଗଉରା ତୋତେ ସନ୍ଦେହ କରୁଚି ମାନିଆ ଦାଦା ! କିନ୍ତୁ ମୁଁ ଭାବୁଛି, ସେଇ ଏ ବଦମାସି କରିଚି ।”

 

“ହଉ ଯାଆ, ଦେଖାଯିବ” କହି ମାନିଆ ତଡ଼ିଦେଲା ଜେମିକୁ । ପଛେ ଭାବିଲା–ଜେମିଟା କି ରକମ୍‍ର ! କିପରି ସମସ୍ତଙ୍କ ଆଗେ କହୁଚି ତାର ଇଜ୍ଜତହାନି କଥା ! ଜବର ବେଧ ଏଇଟା । ନିଶ୍ଚେ ଦିନେ ଫାଶରେ ପକାଇବ ।

 

ଜେମି ଫେରି ଯାଉଥାଏ, ଦୃଷ୍ଟି ପଡ଼ିଗଲା କମି ଦାଦାର । ମନରେ ତାର ସନ୍ଦେହ ଖେଳିଗଲା ସନ୍ଦେହର ଢେଉ ।

 

ସକାଳୁ ଉଠି ମାନିଆ ତାର ଚାଲିଲା ସାହୁକାର ଘରକୁ । ଅନ୍ୟ ଗାଁରୁ ଢେର ମୂଲିଆ ଆସିଥାନ୍ତି । ଧାନ କଟା ବି ଚାଲିଲା ଜୋରସୋରରେ । ସାହୁକାର ଆଜି ବିଲକୁ ଗଲେଣି । ତାଙ୍କର ସାହୁକାରୀ ଠାଣିରେ କହୁଥାନ୍ତି–ଏଇ ଗାଁରେ ବାଉରିମାନେ ଆଜିକାଲି ରଜା ହେଲେଣି । ରଜାମାନେ ତ ଗଲେ, ଏବେ ଏଇମାନେ ହରିଜନ ରଜା ସାଜୁଛନ୍ତି । ଜିଦ୍‍ ଧରି କାମକୁ ଆସୁ ନାହାନ୍ତି । ନ ଆସିଲେ କାର କ’ଣ ଯାଏ ? ଆରେ ପଇସା ଥିଲେ ଏଇପରି କେତେ ବାଉରି କିଣାଯାଇପାରେ ।

 

ଅପର ଗାଁର ମୂଲିଆମାନେ କହୁଥାନ୍ତି – ହଁ ସାହୁଁ, ତେବେ ଆଜିକାଲି ଢଙ୍ଗ ଟିକିଏ ବଦଳିଗଲାଣି । ମୂଲିଆ ଏକଜୁଟ୍‍ ହୋଇଗଲେ ପଇସା ଥାଇ ବି କିଛି କରିହେବନି ।

 

ଏଠି ତୁମେ ଯେଉଁ ହାରରେ ଧାନ କଟଉଚ ସେଥିରେ ଅନ୍ୟାୟ ନାହିଁ ବୋଲି ଆମେ ସବୁ କରୁଚୁ ନା, ନଇଲେ କୁଆଡ଼ୁ ଆମକୁ ପାଇଥାନ୍ତ ?

 

ଧରମୁ ଟିକିଏ ଦବିଗଲେ ।

 

ମାନିଆ ମନେ ମନେ ଚିଡ଼ୁଥାଏ । ପଇସାର ବଡ଼େଇ । କାମଟା ସରିଗଲେ ପରେ ବଡ଼େଇ କାଢ଼ିଲେ ସିନା ସୁନ୍ଦର ହୁଅନ୍ତା ! ଏବେ ଯଦି ଟିକିଏ ଏ ଲୋକାଗୁଡ଼ା ବିଗିଡ଼ିଯିବେ ସାହୁଙ୍କର ଏ ପଇସା ବଡ଼ିମା ବିଲେଇ କାମୁଡ଼ାରେ ଯିବ । ହଠାତ୍‍ ଗୋଟାଏ ଜାତିକୁ ଆକ୍ରମଣ କରି ମନ୍ତବ୍ୟ ଦେବା ଠିକ୍‍ ନୁହେଁ । ସେପରି କେଉଁ ଲୋକେ କରିବେ ? ଯାର ନୈତିକ ବଳ ସେତେ ଜୋର ଥିବ । ଆଉ ଧରମୁ ପରି ହୀନଚରିତ୍ର ଲୋକ ଗୋଟାଏ ଜାତିକୁ ଆକ୍ରମଣ କଲେ ଜାତି ଏ ଅପମାନ ସହିବ ? ବାଉରି ବୋଲି ଜାତିର ଆତ୍ମସମ୍ମାନ ଅଛି । ପଇସାରେ ସବୁ କିଣା ଯାଇପାରେନା, ବରଂ ହୃଦୟରେ ସବୁ କରାଯାଇପାରେ ।

 

ହଠାତ୍‍ ନାରଣ ମଳିକ ଆସି ଡାକିଲା–ସାହୁ, ଦେବେନ୍ଦ୍ର ବାବୁ ମାନିଆକୁ ଡକାଇଛନ୍ତି ।

 

ଧରମୁ ମନେ ମନେ ଚିଡ଼ିଲେ । କହିଲେ–ଦେଖନି ମଳିକ ପୁଅ ! ଦେବେନ୍ଦ୍ର ବାବୁଙ୍କୁ ଆମେ ମାନୁଚୁ ବୋଲି ଆମର ଚାକରକୁ କାମବେଳେ ଡାକିବାଟା ସୁନ୍ଦର ହେଉଚି ?

 

ନାରଣ ମଳିକ କହିଲା–ନାଇଁ ସାହୁ ! ବାଉରିସାହିରେ କ’ଣ ଗଣ୍ଡଗୋଳ ଘଟିଚି । ଜେମିଘରେ କିଏ ରାତିରେ ପଶିଥିଲା, ସେଥିପାଇଁ କନ୍ଦଳ ଲାଗିଛି ।

 

ଧରମୁ ଭାବିଲେ–ସେ ଟୋକୀଟା ତ ସେମିତି । ମାନିଆ ବି ପଶିଲା ନା କ’ଣ ?

 

ଶୁଣାଇ କହିଲେ–ହଉ, ଯାଆରେ ମାନିଆ, ଶୁଣିଆ । କିନ୍ତୁ ସାବଧାନ ହୋଇ କଥା କହିବୁ । ବେଶୀ ବାଲିଙ୍ଗି ବତେଇଲେ ଖବର ଦବୁ । ଏଇମାନେ ଆଚ୍ଛା ଖଦଡ଼ ପିନ୍ଧ ସବୁ କଥାରେ ମୁଣ୍ଡ ଖେଳେଇଲେ । ବେଉସା ତ କିଛି ନାହିଁ, କ’ଣ କରିବେ ?

 

ମାନିଆର ପରୁଆ ନାହଁ । ସେ ତ କିଛି କରିନି, ଡରିବ କାହିଁକି ? କିନ୍ତୁ କିଛି ନ କରିଥିବା ଲୋକକୁ ବି ବେଳେ ବେଳେ ବିପଦ ପଡ଼େ । ସେଇ ତ ତାର ଦୃଢ଼ତାର ପରୀକ୍ଷା । ମାନିଆ ଯାଇ ଦେବେନ୍ଦ୍ର ବାବୁଙ୍କୁ ଜୁହାର କଲା ।

 

ଦେବେନ୍ଦ୍ର ବାବୁ ପଚାରିଲେ–ମାନିଆ, କାଲି ରାତିରେ ଜେମି ଘରେ କିଏ ପଶିବାର ଜାଣ ?

 

ମାନିଆ ସଦର୍ପେ ଉତ୍ତର ଦେଲା–ମୁଁ ଜାଣେନା । ଶୁଣିଛି କେବଳ କିଏ ପଶିଥିଲା ।

 

ଗଉରା କହୁଥାଏ–କେତେ ପଏଣ୍ଟ ରଖି କଥାଭାଷା କରୁଚି ! ସାହୁକାରର ପୂରା ଚେଲା-

 

ଦେବେନ୍ଦ୍ର ବାବୁ ଗଉରାକୁ ସତର୍କ କରିଦେଲେ–ଯାହାକୁ ପ୍ରଶ୍ନ ପଚରାଯିବ, ସେ କହିବ ।

ଗଉରା କାନ ମୁଣ୍ଡକୁ ଆଉଁସି ବସିପଡ଼ିଲା । ସମସ୍ତେ କହୁଛନ୍ତି–ତୁମେ ଏପରି ଅନ୍ୟାୟ କାମ କରିଛ । ମାନିଆ ନିଃସଙ୍କୋଚ ଭାବରେ ଉତ୍ତର ଦେଲା–ସମସ୍ତେ କହିବା କଥାଟା ସତ ନୁହେଁ-। ମୁଁ କେଉଁଠିକି ଯାଇନି ।

ପୁଣି ଗଉରା ଉଠିପଡ଼ି କହିଲା–ଆଜ୍ଞା, ଜେମିକୁ ପଚାର । ମାନିଆ ବି ସେଥିରେ ରାଜି ।

ଦେବେନ୍ଦ୍ର ବାବୁ ଜେମିକୁ ଡାକି ପଚାରିଲେ–ସତ କୁହ, କିଏ ଯାଇଥିଲା ?

ଜେମି ଉତ୍ତର ଦେଲା–ମାନିଆ ଯାଇଥିଲା ।

ମାନିଆର ମୁହଁ ଲାଲ ପଡ଼ିଗଲା ।

ଗଉରା ସେତେବେଳେ କୁରୁଳୁଥାଏ । ପୁଣି କହିଲା–ଆଜ୍ଞା, ପଚାରନ୍ତୁ କମି ଦାଦାକୁ, ସେ କ’ଣ ଦେଖିଛ ?

କମିର ଦାଦା ହଠାତ୍‍ ବାହାରିପଡ଼ି କହିଲା–ଆଜି ପାହାନ୍ତାରେ ଜେମି ମାନିଆ ଘରୁ ବାହାରି ଆସୁଥିଲା ।

ଦେବେନ୍ଦ୍ର ସନ୍ଦେହରେ ପଡ଼ିଲେ । ଜେମି ଯଦି ମାନିଆ ସଙ୍ଗେ ପାପ ପ୍ରଣୟରେ ଜାଣିଶୁଣି ଲିପ୍ତ, ତେବେ ରାତିରେ ଚିତ୍କାର କଲା କାହିଁକି ? ଯଦି ବଳ ପ୍ରୟୋଗ କରି ମାନିଆ କିଛି କରିଥିଲା, ପୁଣି ପାହାନ୍ତାରେ ଜେମି ମାନିଆ ବସାକୁ ଗଲା କାହିଁକି ?

 

ଦେବେନ୍ଦ୍ର ପଚାରିଲେ–ଏ ଘଟଣା ସତ୍ୟ ?

 

ରାଗରେ ମାନିଆର ଦେହ ଜଳି ଉଠୁଥାଏ । ସେ କିଛି ଉତ୍ତର ନ ଦେଇ ସିଧା ଟାଣି ଆଣିଲା ଜେମିକୁ । କଷିଦେଲା ବିଧା, ଚାପୁଡ଼ା ମନକୁ ଯେତେ ପାଇଲା । କହିଲା–ତୁ ଏଡ଼େ ବେଧେଈ, ଦାରୀ ? ମୁଁ ତୋତେ ଡାକୁଥିଲି ଆଜି ପାହାନ୍ତାରେ ଯାଇ ରାତିର କଥା କହିବାକୁ ? ସେଦିନ ଡାକିଥିଲି ଧରମୁ ସାହୁ କ’ଣ କରିବାକୁ ଯାଇଥିଲା ବୋଲି ? ମୁଁ ଜାଣିଥିଲି ତୁ ଗୋଟାଏ ଧୂମକେତୁ । ଯୁଆଡ଼େ ଯିବୁ ଲଙ୍କାଗଡେ ନିଆଁ ଲଗାଇବୁ । ଧର୍ମ ଥିଲେ ବୁଝିବ ।

 

ମାନିଆର ଏପରି ଦୁଃସାହସ ବାଉରିସାହି ଲୋକେ ସହୁଚନ୍ତି କେତେକେ ? ମଇଁଷି ଶିଙ୍ଘ ଫଟା, ଯୁଝିଲା ବେଳକୁ ଗୋଟା । ସମସ୍ତେ ଗୋଟାପଣେ ମିଶିଗଲେ । ଗଉରା ତ ପଡ଼ୁଥାଏ ଉଠୁଥାଏ । ଦଳେ ଦୌଡ଼ିଯାଇ ମାନିଆର କୁଡ଼ିଆ ଖଣ୍ଡିକରେ ନିଆଁ ଲଗାଇ ଶେଷ କରିଦେଲେ । ପୁଷି ବିଲେଇକି ନିସ୍ତୁକ୍‍ ଟାଙ୍କେ ଛେଚିଲେ ଯେ ବିଚରା ପଞ୍ଚତ୍ୱପ୍ରାପ୍ତ ହେଲା । ଜେମିର ମା ବାହୁନି ବାହୁନି କାନ୍ଦୁଥାଏ । ବର ଥିଲେ ଝିଅ ଆଜି ଏ ଦଶା ପାଇ ନ ଥାନ୍ତା । ସମସ୍ତେ ଠେଙ୍ଗାଧରି କୁଦି ପଡ଼ୁଥାନ୍ତି ମାନିଆ ଉପରକୁ । ରକତ ଚିତା ଘିନିବୁ, କ’ଣ କରି ପାଇଲା କି ବାରବୁଲା କୁକୁର ? ଆମରି ପଡ଼ାରେ ଡେରା ବାନ୍ଧି ଆମରି ଝିଅଙ୍କୁ ମାରିବ ?

 

ମାନିଆର ରାଗ ଟିକିଏ କମିଲାଣି । ସେ ଯାହା କରିଚି ଠିକ୍‍ କରିଚି । ନ୍ୟାୟ ପାଇଁ ଲଢ଼ି ଜିହଲ୍‍ ଗଲେ ବି ତାର ଖାତିର ନାହିଁ । ବାଉରିମାନେ ଯେପରି ମାତିଥିଲେ, ସେଇ ମୁହୂର୍ତ୍ତରେ ମାନିଆକୁ ନିଶ୍ଚିହ୍ନ କରି ଦେଇଥାନ୍ତେ । ମାତ୍ର ନାରଣ ମଳିକ ଆଉ ଦେବେନ୍ଦ୍ର ବାବୁଙ୍କ ଲାଗି ମାନିଆ ପ୍ରାଣ ପାଇଲା ।

 

ଦେବେନ୍ଦ୍ର ବାବୁ ବୁଝାଇଦେଲେ–ରାଗ ବେଳରେ କିଛି ନିଷ୍ପତି ହୋଇପାରିବନି । ସମସ୍ତେ ଯାଅ । ଆଜି ସନ୍ଧ୍ୟାରେ ଧରମୁ ସାହୁ ମଣ୍ଡପ ପାଖରେ ନିଶାପ ହେବ । ତା’ପରେ ଯେପରି ସୁବିଧା ମନେ କରାଯିବ, ସେପରି ବ୍ୟବସ୍ଥା କରାଯିବ ।

 

ଧରମୁ କାନରେ ସବୁ କଥା ବାଜିଲାଣି । ଜେମିକୁ ମାନିଆ ଚଢ଼େଇଚି ଶୁଣି ଧରମୁ ଖୁସି-। ମାତ୍ର ତାଙ୍କ ଗୁମର ପଦାରେ ପକାଇ ଦେଇଥିବାରୁ ସାହୁ ବି ରାଗିଛନ୍ତି ।

 

ମାନିଆର ମସୃଣ ପଥ ବନ୍ଧୁର ହୋଇଉଠିଛି । ଭୀଷଣ ପରୀକ୍ଷା ।

 

ଜେମିବୋଉ ଛାତିରେ ଛନକା । ଗଉରା କଥାରେ ପଡ଼ି ମାନିଆଠୁ ପରାଭବ ପାଇଲା ମଣିଷ । ସେଦିନ ରାତିରେ ଗଉରା ଛଢ଼ା କେହି ଇମିତି କାମ କରି ନ ଥିବେ । ସେଇ ତ ଦିନେ କାଳେ ନାହିଁ ଚାଉଳ, ଡାଲି ଆଣି ଥୋଇଦେଲା । କି ପିକା ପିଆଇଦେଲା ଯେ କାଳ ନିଦ ଘୋଟି ଆସିଲା । ଆଗରୁ ସାହୁକାର ରାଗିଛି, ଖାଇବାକୁ ନ ଥିଲେ କିଏ ଦବ ? ଯେଉଁ ଗଉରା ଦିନେ ଦଉ ଦଉ ଏତେ କାଣ୍ଡ ଭିଆଇପାରେ, ତାକୁ ଭରସା କରି ଚଳିବା ଯାହା ମଝି ନଈରେ ବୁଡ଼ିମରିବା ତାହା-

 

ଯା’ ହେବାର ହେବ, ସେ ସାହୁକାର ପାଖକୁ ଯିବ, ଦୋଷ ମାଗିବ । ନ ହେଲେ ଭୋକର ଦାଉ କାହୁଁ ସମ୍ଭାଳିବ ? ଝିଅଟା ଲାଗି ସମସ୍ତେ ଇମିତି ହଉଚନ୍ତି, ତାକୁ କୁଆଡ଼େ ଟେକିଦେଲେ ଯିବ ।

 

ଜେମିବୋଉ ଲୁଚି ଲୁଚି ସାହୁଙ୍କ ପାଖକୁ ଗଲା । ସାହୁଏ ପ୍ରଥମେ ତାକୁ କଥା କହୁ ନ ଥିଲେ । ବୁଢ଼ୀ ବହୁତ ନେହୁରା ହେଲା–ପଛ କଥାଗୁଡ଼ିକ ଧରିବନି ସାହୁ, ମୋତେ ଏବେ ସଭିଏଁ ମିଶି ମଝି ଦରିଆକୁ ଭସାଇ ଦଉଚନ୍ତି । ତୁମେ ନ ରଖିଲେ ଆଉ କିଏ ରଖିବ ?

 

ଧରମୁ ମନେ ମନେ ହସିଲେ । କୌଣସି ଉପାୟରେ ଜେମି ଉପରେ ଥରେ ପ୍ରତିଶୋଧ ନ ନେଲେ ତାଙ୍କର ରାଗ ଶାନ୍ତ ହେବନି । ଜେମି ସିନା ବିଲେଇ ପରି ତାଙ୍କୁ ଆଘାତ କରିଚି, ସେ ତାକୁ ବାଘ ପରି ଆକ୍ରମଣ କରିବେ । ତେବେ ଯାଇଁ ଝିଅ ବୁଝିବ ତାର ଅପରକର୍ମର ଫଳ । ଶୁଣାଇ କରି କହିଲେ–ଶୁଣ୍‍ ଜେମି ବୋଉ ! ତୋରି ଝିଅ ଲାଗି ଯାହା କିଛି ଗୋଳମାଳ । ତାକୁ ଆମ ଘରେ ଛାଡ଼ିଦେ । ଗୁହାଳ ଗୋବର ପୋଛିବ । ମୁଁ ଏଥର ଗୁଡ଼ାଏ କୁକୁଡ଼ା ରଖୁଚି, ସେମାନଙ୍କର ଯତ୍ନ ନେବ ।

 

ବୁଢ଼ୀ କହିଲା–ଝିଅଟାକୁ ଦି’ହାତ କରିଦେଲେ ସାହୁ, ମନରୁ ଗୋଟାଏ ଦକା ଯାଆନ୍ତା ।

 

ଧରମୁ ଟିକିଏ ଚାପା ଗଳାରେ କହିଲେ–ସେକଥା ସବୁ ଆସ୍ତେ ଆସ୍ତେ ହୋଇଯିବ । ମୁଁ ଚେଷ୍ଟା କରି ମାନିଆ ସଙ୍ଗେ କାମଟା ପଟେଇ ନେବି ।

 

ବୁଢ଼ୀ କାହାକୁ କିଛି ନ କହି ଘରକୁ ଫେରିଲା । ନିଶାପ ହେବ । ବୁଢ଼ୀ ତାଗିଦ୍‍ କରି ଝିଅକୁ କହିଲା–ସବୁବେଳେ ଗୋଟିଏ କଥା କହିବୁ ।

 

ତା’ପରେ ଜେମିବୋଉ ବାହୁନି କାନ୍ଦୁଥାଏ । ବର ତାର ରେଙ୍ଗାମରେ ମଜାକରି ରହିଲା–ତାକୁ ଏତେ ଦହଗଞ୍ଜ କରି ମାଇଲା । ଧରମୁ ବୁଝିବ ।

 

ଗଉରା ଭାବିଲା–ଠିକ୍‍ ଲାଗିଛି, ଅପକର୍ମ କରି ଯେ ସୁନାପୁଅ ହୋଇପାରିବ, ସେ ଏ ଯୁଗରେ ଠିକ୍‍ ଲୋକ ।

 

ଅପର ଗାଁର ଲୋକଙ୍କୁ ଗଉରା ମତାଇଦେଲା । ଭାଇମାନେ ତୁମକୁ ଢେର୍‍ କାମ ମିଳିବ । ଆମର ମାନ ଗଲା, ସାହୁକାରର ହଳିଆ ଆମର ଗୋଟିଏ ଝିଅ ଉପରେ ଲୁଚିକରି ଅପକର୍ମ କଲା । ଝିଅଟି ସମସ୍ତଙ୍କ ଆଗରେ କହିବାରୁ ତାକୁ ନିସ୍ତୁକ୍‍ ଛେଚି ଦେଇଚି । ସେଇଠି ମୁଁ ତାର ରକତି ଚିତା ଘେନିଥାନ୍ତି, ଖାଲି ଦେବେନ୍ଦ୍ର ବାବୁ ବାରଣ କଲେ ବୋଲି । ଆଜି ସଞ୍ଜରେ ନିଶାପ ହେବ ।

 

ମୂଲିଆମାନେ ଦେଖିଲେ–ଏଇଟା ଧାନକଟା ବେଳ । ସବୁ ଗାଁରୁ ଡାକରା ଆସୁଛି । ଗଣ୍ଡଗୋଳ ଗାଁଟାକୁ ନ ଗଲେ କ’ଣ ହୋଇଯିବ ? ଉପରଓଲିଠାରୁ କେହି କାମକୁ ବାହାରିଲେ ନାହିଁ । ମାନିଆ ଯେତେ ବୁଝାଇଲେ ବି କେହି ଶୁଣିଲେନି । ମାନିଆ ମୁଣ୍ଡରେ ଚକ ଘୂରିଲା । ଜୀବନଟା ହାହାକାର ପରି ଲାଗିଲା । ମା’ ନାହିଁ, ବାପା ନାହିଁ, କିଏ ପିଠିରେ ପଡ଼ିବ ? ସାହୁକାରର କାମ ଖଇଚା ହେଲେ ଚିଡ଼ିବ । ବାଉରିସାହିରେ ତ ସହାନୁଭୂତି ଆଶା କରିବା ବୃଥା ?

 

ଏଇଟା ଦୁର୍ବଳ ଭାବନା । ମାନିଆର ବାହୁ ସବଳ ଅଛି । ମାନିଆ ନ୍ୟାୟରେ ଅଛି । କିଏ ତାର କ’ଣ କରିପାରେ ? ରାଗନ୍ତୁ ସମସ୍ତେ । ସେ ଯାହା ଠିକ୍‍ ଭାବିଛି ତାହା ହିଁ କରିବ ।

 

ସଞ୍ଜବେଳକୁ ସଭାମଣ୍ଡପ ଭରପୂର । ମୁଦାଲା–ମାନିଆ । ମୁଦେଇ–ଜେମି । ସାକ୍ଷୀ-ଗଉରା, ଜେମିବୋଉ, କମିର ଦାଦି । ଏମାନେ ଜେମି ପକ୍ଷର ।

 

ମାନିଆ ମାନିଚି ସାକ୍ଷୀ ସେଇ ମୁଦେଇକୁ ।

 

ଦେବେନ୍ଦ୍ର ବାବୁ ଗମ୍ଭୀର ଭାବରେ ଶୁଣାଇଦେଲେ–ଗାନ୍ଧିଜୀ ଆମକୁ ସତ କହିବାକୁ ଶିଖାଇଚନ୍ତି । ମରିବ ପଛେ ସତ କହିବ । ଏଠି ନ୍ୟାୟ ଅନ୍ୟାୟର ବିଚାର । ମିଛ ଯିଏ କହିବ, ଆଜି ନ ହେଲେ ବି ଦିନେ ତାର ଫଳ ପାଇବ । ଏଇ କଥା ଶୁଣିଲା ବେଳକୁ ଜେମି ଡରି ଯାଉଥାଏ-। ଯାହା ହଉ ପଛେ ସେ ସତ କହିବ ।

 

ପ୍ରଥମେ ଜେମିକୁ ସବୁ ଘଟଣା କହିବାକୁ କୁହାଗଲା । ଜେମି ନିଖୁଣ ସତ କଥାଗୁଡ଼ିକ କହି ପକାଇଲା । କିଏ କ’ଣ ଭାବିବ ସେଥିପ୍ରତି ତାର ଆଉ ଭ୍ରୂକ୍ଷେପ ନାହିଁ । ସମସ୍ତେ ତ ତାର ମାନ ନେବାକୁ ବସିଛନ୍ତି । ସେ କହିଯିବ ସତ ।

 

ଜେମିବୋଉକୁ ପଚରାଗଲା–ତୁମେ ମାନିଆକୁ ସେଦିନ ରାତିରେ ନିଜ ଆଖିରେ ଦେଖିଛ ?

 

ଜେମିବୋଉ ଉତ୍ତର ଦେଲା–ନା ।

 

ଗଉରାକୁ ପ୍ରଶ୍ନ ହେଲା । ଗଉରା କହିଲା–ସେ କାହାକୁ ଦେଖିନି । କମିଦାଦି କହିଲେ–ସେ କେବଳ ପାହାନ୍ତାରେ ଜେମିକୁ ମାନିଆ କୁଡ଼ିଆରୁ ବାହାରି ଆସିବାର ଦେଖିଚନ୍ତି ।

 

ମାନିଆ ବି ରୋକ୍‍ ଠୋକ୍‍ ସତ୍ୟ କଥା କହିଗଲା ।

 

ଦେବେନ୍ଦ୍ର ବାବୁ ପୁଣି ଜେମିକୁ ପଚାରିଲେ–ତୁ କାହିଁକି ସକାଳେ ମାନିଆର ନାଁ ଧରିଲୁ-?

 

ଜେମି ଉତ୍ତର ଦେଲା–ଗଉରା ମୋତେ ଶିଖାଇଥିଲା ।

 

ଗଉରା ଉଠି ପଡ଼ି କହିଲା–ଦେଖୁଛ ଟିକି ଏ ଖାନିକିଟାର କଥା ! ବାପ ମାଆରେ ଠିକ୍‍ ନାହିଁ । ସମସ୍ତଙ୍କ ନାଁରେ ବାଟିଆ ଲଗାଉଚି । ସୁନ୍ଦରୀ ହୀରା । ଏଇନେ ଯାଇଁ ଦେଖେଇ ଦିଅନ୍ତି ଯେ ମଜାଟା ନିକିଲିଯାଆନ୍ତା ।

 

ଦେବେନ୍ଦ୍ର ବାବୁ ଶୁଣାଇଦେଲେ–ଯାହା ହେବାର ତ ହେଲାଣି, ଏକ୍ଷଣି ସମସ୍ତେ ମିଳିମିଶି ଚଳ । ମାନିଆର ଘରଟି ତିଆରି କରିଦିଅ ।

 

ମାନିଆ କହିଲା–ମୋର ପୋଡ଼ା ଘରକୁ ପୁଣି ଠିଆ କରିବାକୁ ମୋ ଦେହରେ ଯଥେଷ୍ଟ ବଳ ଅଛି । ମୋ ନାମରେ ଏମାନେ ଯେପରି ମିଛ କଥା ନ ଉଠାନ୍ତି, ସେଇଟା ଆପଣ ଟିକିଏ ଦେଖନ୍ତୁ ।

 

ତା’ପରେ ବାଉରିମାନେ ସାହୁକାରର କାମ କରିବା କଥା ପକାଇଲେ । ଦେବେନ୍ଦ୍ର ବାବୁ ଶୁଣାଇଲେ–ଯେଉଁ ହାରରେ ଧାନକଟା ମୂଲ ଠିକ୍‍ କରାହୋଇଛି ସେଥିରେ ଅନ୍ୟାୟ ନାହିଁ । ସମସ୍ତେ ଯାଇ କାମ କର ସକାଳୁ ।

 

ଗଉରା କହିଲା–ଭାଇମାନେ, ତୁମେ କାମ କରିବ ତ କର, ମୁଁ ଆଉ ନ ଯାଏ ।

 

ତୁ ନ ଗଲେ କାର କ’ଣ ଯାଏ ? କହି ବାଉରିମାନେ ଘରକୁ ଫେରିଲେ ।

 

ଗ୍ରାମର ବିବାଦ ଯଥାସାଧ୍ୟ ତୁଟାଇ ଦେବେନ୍ଦ୍ର ବାବୁ ଗୋଟାଏ ଯୁବସଂଘ ଗଢ଼ିବାର କଳ୍ପନା କଲେ । ସେଥିଲାଗି ଗୋଟିଏ ସଭା ଡାକି ପ୍ରଥମେ ସବୁ ଜାତିରୁ ଲୋକ ନେଇ କୋଡ଼ିଏ ଜଣିଆ ଦଳ ଗଢ଼ାଗଲା । ଏମାନେ ନିଜ ନିଜର କାମ କରିବେ । କେବଳ ଅବସର ସମୟରେ ଘଣ୍ଟାଏ ଦେଶ ପାଇଁ କାମ କରିବେ । ବର୍ତ୍ତମାନ ସଂଘର ମୁଖ୍ୟ ଉଦ୍ଦେଶ୍ୟ ହେଲା–ସମସ୍ତ ପ୍ରକାର ନିଶା କିପରି ନିବାରଣ କରାଯାଇପାରିବ । ଲୋକେ କିପରି ସୁସ୍ଥ ରହି ନିଜର କାମ ଧନ୍ଦା କରିବେ । ସେମାନଙ୍କ ଲାଗି ସମାଜରେ ଯେଉଁ କୁତ୍ସିତ ଲୀଳା ଲାଗୁଚି ସେଗୁଡ଼ିକ କମିବ । ସବୁ ଦୋଷ ସରକାର ବିଦେଶୀ ଇଂରେଜ ନୁହେଁ–ଆମରି ଲୋକପ୍ରତିନିଧି ସରକାର । ଆମେ ତାଙ୍କୁ କ୍ଷମତା ଦେଇଚେ । ସେମାନେ ଖରାପ କଲେ ଆମେ ସେମାନଙ୍କୁ ନିକାଲିଦେବା । ସବୁ କାମରେ ସରକାର ସଙ୍ଗେ ସହଯୋଗ କରିବା । ଏଇ ମର୍ମରେ ଠିକ୍‍ ହୋଇ କାମ ଆରମ୍ଭ ହେଲା ।

 

ମଧ୍ୟାହ୍ନବେଳେ ସେମାନେ ଖଜୁରିଆ ଗ୍ରାମମାନଙ୍କୁ ପ୍ରଥମେ ଗଲେ । ଦାଣ୍ଡମଝିରେ ଗୋପୀ ଚମାର ବେଶ୍‍ ଆଡ୍‍ଡ଼ା ଜମାଇଚି । ନିଶାରେ ଆଖି ତାର ରଙ୍ଗ ଟହଟହ । ମନ ଚମାର ନିଶାଜୋରରେ ତା ଭାରିଯାକୁ ପିଟୁଛି । ସେ ମାଆଲୋ, ବୋପାଲୋ ହୋଇ ଦାଣ୍ଡକୁ ପଳାଇ ଆସିଲାବେଳକୁ ଦେବେନ୍ଦ୍ର ବାବୁ ଦେଖିପାରିଲେ । ମନେ ମନେ ରାଗିଗଲେ । ସେକ୍ଷଣି ସବୁ ଚମାରକୁ ଠୁଳାଇଲେ । ପଚାରିଲେ–ଏଠି ତ ଖଜୁରୀ ତାଡ଼ି ଉଠାଇ ଦିଆଯାଇଛି । ଏ ମଦପିଆ ଚାଲୁଚି କିପରି ?

 

ସମସ୍ତେ ଶଙ୍କି ଗଲେଣି । ସେମାନଙ୍କର ମୁଖିଆ ଲୋକ କହିଲା–ଆଜ୍ଞା, ଆଜିଯାଏ ତ ଆମର ଚଳିବାର ସୁବିଧା ହେଲାନି । କିଏ କିମିତି ଲୁଚେଇ ଚୋରେଇ ତାଡ଼ି ଟିକିଏ କାଟୁଚି ଓ ବିକି ଦଉଚି । ଅଭ୍ୟାସ ତ ଗୋଟାଏ ଅଛି, ପିଇ ଦଉଚି ଟିକିଏ ।

 

ଦେବେନ୍ଦ୍ର ବାବୁ କହିଲେ–ଏ ତ ଅଡ଼ୁଆ କଥା । ଯଦି ଖଜୁରୀ ଗୁଡ଼ ବି କରାଯାଏ ସେଇପରି ତ କରିବ ? ତେବେ ମୁ ସବୁ ଖଜୁରୀ ଗଛ କଟାଇଦେବି ।

 

ମୁଖିଆ ଚମାର କହିଲା–ନାଇଁ ଆଜ୍ଞା, ଗୁଡ଼ କାମ ଲାଗିଗଲେ ସେସବୁ ହବନି । ସେଥିଲାଗି ମୁଁ ଦାୟୀ ରହିଲି ।

 

ଦେବେନ୍ଦ୍ର ବାବୁ କହିଲେ–ତେବେ ଆଜି ତୁମ ଗାଁରେ ପାଞ୍ଚଜଣିଆ ଦଳ ଗୋଟିଏ ଗଢ଼ । ସେମାନେ ଦେଖିବେ ଯେପରି କେହି ଚୋରାରେ ଖଜୁରୀ ରସ ନ କାଟେ । ଯଦି କେହି ନ ମାନି କାଟେ ସଙ୍ଗେ ସଙ୍ଗେ ଚଉକିଆକୁ କହିବ ।

 

ଗୋଟିଏ ଚମାର କହିଲା–ନାରଣ ମଳିକ ତ ମୋଟେ ଏ ଗାଁକୁ ଆସୁନି । କହିଲେ କହୁଚି ମାସକୁ ଛଅଟା ଟଙ୍କା ଯେ, କେତେ କରିବି । ପୁଣି ଅନ୍ୟ କାମ ଧନ୍ଦା ନ ଦେଖିଲେ କୁଟୁମ୍ବ ପୋଷା ହେବ କିମିତି ?

 

ପୁଣି ସେ ଯଉଁଦିନ ଆଉଚି, ନିଜେ ବି ତ ଟିକିଏ ପିଉଚି ।

 

ସେ କ’ଣ କରିବ ?

 

ଦେବେନ୍ଦ୍ର ବାବୁ ଭାବନାରେ ପଡ଼ିଲେ । ଚଉକିଆଙ୍କ ଦରମା ନେଇ ତ ମନ୍ତ୍ରୀ ସେଦିନ ଇମିତି କହିଥିଲେ । ତଥାପି ତାର କାମରେ ଅବହେଳା କରିବା ଅନ୍ୟାୟ । ଏଣୁ ଦେବେନ୍ଦ୍ର ବାବୁ କହିଲେ–ତୁମେ ତାକୁ ଜଣାଇ ଆମ ଯୁବସଂଘକୁ ବି ଜଣାଇଦେବ । ସବୁକଥା ଠିକ୍‍ ହୋଇଯିବ ।

 

ତା’ପରେ ଦେବେନ୍ଦ୍ର ବାବୁ ଲୋକଙ୍କୁ ବୁଝାଇଲେ–ନିଶା ଖାଇଲେ ଲୋକର ଦେହ ଖରାପ ହୋଇଯାଏ । ତାର ବୁଦ୍ଧି ନଷ୍ଟ ହୁଏ । ଦେଖୁନ ମନ ଚମାର କିମିତି ମାଇପଟାକୁ ବିନା କାରଣରେ ବାଡ଼ଉଚି ! ପଇସାପତ୍ର ସବୁ ନିଶା ଖାଇବାରେ ଯିବ । ଅଭାବ ହେଲେ ଲୋକ ତା’ ପରେ ଚୋରି କରିବ ।

 

ଆମେ ମଣିଷ । ସ୍ୱାଧୀନ ହେଲେଣି । ଏମିତି ଚଳିଲେ ଭଲ ହେବ ?

 

ସେତେବେଳକୁ ଗୋପୀ ଚମାର ଚଳେଇଚି ଚଉପଦୀ ।

 

ନଇଲେ କଉଚି–

 

ଆରେ ରଜା, ଛଡ଼ାଇବି ତୋର ମଜା । ତାଡ଼ି ଉଠାଇଲୁ, ବଜାଇବି କିରେ ବାଜା । ଧେଇକି ଧେଇ, ଜୁହାର ମା’, ବାପ ।

 

ସମସ୍ତେ ହସିଉଠିଲେ ।

 

ଦେବେନ୍ଦ୍ର ବାବୁ ବୁଝାଇଦେଲେ ନିଶା ଖାଇଲେ ଲୋକ କିପରି ଅଜ୍ଞାନୀ ହୋଇପଡ଼େ । ପାତ୍ର ଅପାତ୍ର, ଭଲ ମନ୍ଦ ବିଚାର କରିପାରେନି ।

ସେତିକିବେଳେ ମନ ଚମାର ସଭା ଭିତରକୁ ଧସେଇ ପଶି କହୁଥାଏ–ମୋ ମାଇପକୁ ମୁଁ ବାଡ଼େଇଲି, ତୁମର କ-ଅ-ଣ ଗ-ଲା-ବେ । ମୁଖିଆ ଚମାର ତାକୁ ଭିଡ଼ି ନେଇ ବସାଇଦେଲା ।

ଦେବେନ୍ଦ୍ର ବାବୁ କହିଲେ–ସେ ତ ନିଜେ ସେପରି କହୁନି, ତାଡ଼ି ଏପରି କହୁଚି । ସମସ୍ତେ ଏଥିପ୍ରତି ସଜାଗ ରହ । ନିକଟରେ ସୋସାଇଟି ବାବୁ ଆସିବେ । ଆମେ ଗୁଡ଼ କାରଖାନା କରିବା ।

ମଝିରେ ତୁମେ ସବୁ ଧାନ କଟାରେ ଲାଗିଯାଅ ।

ଯୁବଦଳ ଫେରିଲେ । ପାଞ୍ଚଜଣିଆ କମିଟି ଲାଗିପଡ଼ିଲେ କିପରି ଚୋରା ତାଡ଼ି କେହି କାଟିବେନି ।

ଗେଲି ଆଉ ବୁଡ଼ି ବୁଡ଼ି କେତେ ଦିନ ପାଣି ପିଇବ ! ହାଡ଼ିପଡ଼ାରେ ହାଟ ବସିଚି । ବୁଢ଼ାଦିନେ ଆଚ୍ଛା କନିଆଟେ କୁଉଠୁ ଆଣିଲା ଯେ ସବୁଥିରେ ଖୁଣ । ନିଶାପାଣି ଯାହା ତ ଖାଇଲା ଖାଇଲା, ସେଇଟା ତ ଆମ କୁଳରେ ଚଳୁଚି । ଆଉ ଗୋଟାଏ ଖାନିକି କାମ କ’ଣ ? ଏଇଟା କଅଣ ବେଶ୍ୟାପଡ଼ା ହେଇଚି ? ଯା’ର ସେମିତି କରିବାକୁ ଇଚ୍ଛା, ସେ ଯାଉନି ସେ ପଡ଼ାକୁ । ସେଠି ତ ଟାକି ବସିଛନ୍ତି । ଆମର ଏ ପଡ଼ା ଭିତରେ କୁଆଡ଼ୁ କି ଲୋକ ଆଣି ଭରୁଚି ଯେ, ବେଳସରିକି ମାନ ମହତ ଯିବ । ଏଇ କେତେଟାଙ୍କ ଲାଗି ସବୁ ଝିଅ ବୋହୂଙ୍କ ମାନ ମହତ ଯିବ । ବଡ଼ ଜାତି ଛୋଟ ଜାତି ଗୋଟାଏ । ତିରିଲା ଝିଅର ଯୋଉଟା ଭଲ ଗୁଣ ସେଇଟା ସବୁ ତିରିଲାଙ୍କ ଲାଗି ସମାନ । ଏବେ ଦେଖେଇ ଦେଖେଇ ସର୍ଦ୍ଦାର କେତେ ଥର କହିଲାଣି–ଲାଓ ଚିଡ଼ିଆ, ଲେଓ ରୁପିଆ-

ଭାଟିଦାର କଥା କ’ଣ କହିବ ଭାଇ ? ସେଠି ଯେଉଁ ଲୀଳା ଲାଗିଛି ଆଖିରେ ଦେଖିହେବନି କି କାନରେ ଶୁଣି ହେବନି । ମଦର ତ ଅଭାବ ନାହିଁ । ତା’ ସାଙ୍ଗକୁ କୁକୁଡ଼ା ଚାରି ପାଞ୍ଚଟି ନିତି ବିଦାୟ ନେଉଛନ୍ତି । ଆଉ ଲାଗିଚି ଛଇଛାଦିଆ ତରୁଣୀଙ୍କ ମେଳା । ସେ ବି ଦରାଣ୍ଡୁଚି ସେଥିଲାଗି ଝୁଅ ଏଇ ପଡ଼ାରୁ । ଏପରି ସାହସ କେବଳ ଗେଲି ଲାଗି ।

ଗେଲି ଚମତ୍କାର ଅଭିନୟ ଜାଣେ । ସ୍ୱାମୀଭକ୍ତିରେ କେଜାଣି ସାବିତ୍ରୀଙ୍କୁ ଜିତିଯିବ । ପଛ ଭାରିଯା ବୋଲି ସ୍ୱାମୀ ତାକୁ ବଡ଼ ଆଦର କରନ୍ତି । ଦୋଷ ଧରନ୍ତିନି । ମାତ୍ର ଗେଲି ଏଇ ବରର ହାତ ଧରିବା ପରେ ଠଉରାଇ ନେଇଚି ୟାଠାରୁ ସ୍ୱାମୀସୁଖ ମିଳିବା କଷ୍ଟ । ତେଣୁ ଟିକିଏ ଛଳନା କାଢ଼ି ତାକୁ ହାତ କରିନେଇ ଅବୈଧ ପ୍ରଣୟ ରଚିବାର ପଥ ସୁଗମ କରିଥାଏ ।

ତା’ ପରଦିନ ସ୍ୱାମୀ ଫେରିଲେ ରାଉରକେଲାରୁ । ଗେଲି ସତେ ଯେମିତି ତା ବାହୁଡ଼ା ପଥକୁ ଅନାଇଥାଏ । ପହଞ୍ଚିଲାକ୍ଷଣି ଗେଲି ଟିକିଏ ସକେଇ ପକେଇଲା–ଏକୁଟିଆ ଛାଡ଼ି ଏତେଦିନ କୁଆଡ଼େ ରହିଯାଉଚି ? ମୁଁ କେମିତି ଚଳିବି ? ଏ ପଡ଼ାରେ ତ କେହି କାହାର ଶିରୀ ଦେଖିପାରନ୍ତିନି-

ସ୍ୱାମୀ ତ ଏକବାରେ ତନ୍ମୟ । ଭଲ ଚିଜ ଆଣି ଦିଅନ୍ତି । ରନ୍ଧାବଢ଼ା ଖିଆ ପିଆ । ମଦଦ ବି ଟିକିଏ ଟିକଏ ଚାଲେ । ଗେଲି ବରର ଗୋଡ଼ ମୋଡ଼ିଦିଏ । ବର ବି ସୁଆଗ ଦେଖାଇ ସ୍ତ୍ରୀର ଗୋଡ଼, ହାତ ଚିପିଯିଏ । ସେତେବେଳେ ଗେଲି ମନା କରୁଥିବ–ଥାଉ, ଥାଉ ତୁମକୁ କିଏ କହିଲା ମୋ ଗୋଡ଼ ଧରିବାକୁ ? ଅଘଟଣ କଥା । ବର ମାନନ୍ତିନି–ଅଘଟଣ କାହିଁକି ହବ ଲୋ ମୋ ସୁନ୍ଦରୀ ! ତୁ ତ ମୋ ଆଦରର ଧନ । ତୋର ପ୍ରତ୍ୟେକ ଅଙ୍ଗ ଯେ ମୋର ଆନନ୍ଦ । ଇମିତି କେତେ ରଙ୍ଗ ରସ ଚାଲେ । ସ୍ୱାମୀ ନିଶାରେ ଘାରି ହୋଇପଡ଼ିଲେ ଗେଲି ତାର ପାପ କାମ ଚଲାଏ । ପଇସା କମାଏ । ଅଳଙ୍କାର ତିଆରି କରି ଲଗାଏ । ଦିନକୁ ତେର ସଜ ହେଉଥାଏ ।

 

ଦିନଯାକ ମଇଳା ଘାଣ୍ଟେ, ଗୁହ ପୋଛେ, ଗାଡ଼ିରେ ଅଜାଡ଼େ । ଦିହି, ହାତ ଗନ୍ଧେଇ ଯାଉଥିବ । କିନ୍ତୁ ସଞ୍ଜବେଳକୁ ଦେଖିବ, ବାସନାରେ ନାକ ଫାଟି ପଡ଼ିବ । ଭଳିକି ଭଳି ଅତର, ବାସନା ତେଲ, ସ୍ନୋ ।

 

ପଡ଼ାର ମୁଖିଆ ସନିଆ ଦିନେ ସଞ୍ଜବେଳେ ଗେଲି ବରକୁ ଡାକିଲା । ତାର ସ୍ତ୍ରୀ ଚରିତ୍ର ବିଷୟରେ ଦି’ପଦ ଶୁଣାଇ ସାବଧାନ ହେବାକୁ ପରାମର୍ଶ ଦେଲା ।

 

ବରର ମନଟା ମକଚି ହୋଇଗଲା । ଆଗର ସ୍ତ୍ରୀଟା କେତେ ଭଲ ମଣିଷ ଥିଲା ! ନିଜର କାମ ଦାମ ସାରି ସାଧାସିଧା ଚଳୁଥିଲା । ଆଉ ଗେଲିର ଏମନ୍ତ ଗୁଣ ? ଉପରେ ଉପରେ ତ ବଡ଼ ସୁଆଗ !

 

“ଯାହା ନ ଦେଖିବ ବେନି ନୟନେ, ପରତେ ନ ଯିବ ଗୁରୁ ବଚନେ ।” ପରୀକ୍ଷା କରିବ, ତେବେ ଯାଇ ଦୋଷୀମାନଙ୍କୁ ଉପଯୁକ୍ତ ଶାସ୍ତି । ଗୋଟିଏ ରାତିରେ ଗେଲିର ବର ଅତି ଆପଣାର ହୋଇ ପ୍ରେମର ସୁଅ ଖେଳାଇଦେଲା । କାଲି ସାହେବ ସଙ୍ଗରେ ପୁଣି ଯିବାକୁ ହେବ ହୀରାକୁଦ । ଗେଲି ଲୋ–ତତେ ଛାଡ଼ିକରି ଗଲେ ମନଟା ଖାଲି ଉଡ଼ିଗଲା ପରି ଲାଗେ । ଗେଲି ସେତେବେଳେ ଯାବୁଡ଼ି ଧରି ସକେଇ ପକେଇଲା । ମତେ ସାଙ୍ଗରେ ନଉନ, ମୁଁ ଟିକିଏ ହୀରାକୁଦ ଦେଖିଆସନ୍ତି !

 

ସେତେବେଳେ ବର ଦିହରେ ଯେପରି ନିଆଁ ଲାଗି ଯାଉଥାଏ । ମନେ ମନେ ଭାବୁଥାଏ ଏଇକ୍ଷଣି ବିଧାଟାଏ କଷି ଦେଇ ନାକ ଦଣ୍ଡିରୁ ରକତ ବୁହାଇ ଦିଅନ୍ତା । ପୁଣି ଥମିଯାଏ । ନା ପରୀକ୍ଷା କରିସାରିଲେ ଯାଇଁ ଯାହା କରିବ । ୟା ତା’ କଥା ମିଛ ହୋଇଥିବ ।

 

ସକାଳୁ ଗେଲି ବସ୍ତି ସଫା କରିବାକୁ ଅଇଲା । ନିତି ଆସି ସେ କମିକୁ ବହୁତ ଉପଦେଶ ଦିଏ । ଝିଅ ପରି ଦେଖେ । କେତେ ମାଇପେ କହିଥାନ୍ତି କମିକୁ–ଗେଲି ହଉଚି ତା’ ବାପର ରଖିଲା କନିଆ । ବାପ ଯେଉଁ ଥରେ ଥରେ ବହୁତ ରାତିରେ ଫେରେ ସେଦିନ ବାପ ଉପରେ କମିର ସନ୍ଦେହ । ହେଲେ ଗୁରୁଜନ ଲୋକ, କିମିତି କହିବ ? ସେଦିନ ସକାଳେ କହିଗଲା ଗେଲି–ତାର ସ୍ୱାମୀ ସାହେବ ସାଙ୍ଗେ ଯିବ । ବାପ କାନରେ ବାଜିଛି । ଏ କଥା କମି ଶୁଣିଲା । ତୁନିତାନ୍‍ ରହିଲା-। ଯେ ଯୁଆଡ଼େ କାମକୁ ଗଲେ ।

 

ସେଦିନ ଟିକିଏ ଡେରିରେ ସେ ସର୍ଦ୍ଦାର ଘରୁ ଫେରୁଥାଏ । ଅନ୍ୟ କେଉଁ ବସ୍ତିର ଦୁଇଟି କୁଲି ମଦ ପିଇ ଏକଦମ୍‍ ମାତାଲ। କମି ଆଡ଼କୁ ଝୁଙ୍କି ପଡ଼ୁଥାନ୍ତି । ସେଥିରୁ ଜଣଙ୍କର ଟିକିଏ ହୋସ ଥାଏ । ‘ଆ-ଲୋ-ଚି-ଡ଼ି-ଆ । ଚା-ଲ-ତ । ଭାଟିଦାର ଡାକୁଚି ।’

 

କମି ପ୍ରମାଦ ଗଣିଲାଣି । ମଦୁଆଗୁଡ଼ାକ ଝୁଙ୍କି ଝୁଙ୍କି ଆସୁଥାନ୍ତି । ଏକା ସେ କ’ଣ କରିବ ? କମି ପାଖରେ ଗୋଟିଏ ବଡ଼ ଛୁଞ୍ଚି ଥାଏ । ବେଶୀ ସେମିତି ଦରକାର ପଡ଼ିଲେ ଛୁଞ୍ଚିରେ ଜୋରରେ ଫୋଡ଼ିଦେବ । ଏମିତି ଭାବୁଥାଏ । ମଦୁଆଗୁଡ଼ାକ ଥରେ ଦୁଇ ଥର ହାତ ମାରିଦେଲେଣି କମି ଦିହରେ ।

 

ପଛଆଡ଼ୁ ସାଇକେଲ୍‍ ଛୁଟାଇ ଧୋବଧାଉଳିଆ ବାବୁ ଜଣେ ଆସୁଥାନ୍ତି । ଏଡେ ସୁନ୍ଦରୀ ବାଳିକାଟାଏ, ମଦୁଆଗୁଡ଼ାକ ତାକୁ ହଇରାଣ କରୁଛନ୍ତି ! ଓହ୍ଲାଇ ପଡ଼ିଲେ । ମଦୁଆମାନଙ୍କ ଆଡ଼କୁ ଟଙ୍କାଏ ପକାଇ କମିକୁ ସାଇକେଲ ପଛଆଡ଼େ ବସିବାକୁ କହିଲେ । ବସ୍ତି ପାଖ ହେବାରୁ କମି ଓହ୍ଲାଇଗଲା । ଯୁବକଟି ପଚାରିଲେ–ଏଇଠି ତୁମର ବସା ! ହଉ ପରେ ଦେଖାହେବ । ନମସ୍କାର ।

 

କମି ପ୍ରତି ନମସ୍କାର ଜଣାଇ ବସା ଭିତରକୁ ପଶିଗଲା । ତେଣେ ବାପା ଜାମାଯୋଡ଼ ହୋଇ ବାହାରିଥାଏ । କମି କହିଲା–କୁଆଡ଼େ ଯାଉଚ ବାପା ? ଆଜି ମୋର ଦିହଟା ଭଲ ନାହିଁ । ରହିଯାଅ ।

 

ପ୍ରଥମେ ମନଟା ରଥିଆର ଅବଶ୍ୟ ଖରାପ ହୋଇଗଲା । ମାତ୍ର ସେ ଝିଅକୁ ଜୀବନଠାରୁ ବଳି ଭଲ ପାଏ । ଏଣୁ ବେଳେ ବେଳେ ଝିଅ କଥା ଭାଙ୍ଗି ପାରେନି । ଛୋଟ ଛୁଆଟି ପରି ତା କଥା ମାନି ଚଳେ । ରଥିଆ ବସାରେ ରହି ରୋଷେଇବାସ କଲା ।

 

ଗେଲି ତେଣେ ଅଭିସାର ମେଲି ବସିଥାଏ । ରନ୍ଧାବଢ଼ାରେ ମନ ମୋଟେ ନାହିଁ । କବାଟଟା ଦରଆଉଜା । କିଛି ସମୟ ପରେ ଖଡ଼ ଖଡ଼ ଶୁଭିଲା । ତା’ ପରେ କବାଟ ମେଲା ହେଲା-। ଗେଲି ପାଟି କରି କହିଲା–ଦରଜା ବନ୍ଦ କରି ଆସ । ଏତେ ଡେରି !

 

ଆଜି ସାହେବ ଗଲେନି । ଗାଡ଼ି ଫେଲ୍‍ ହେଲେ । କହି ଗେଲିର ବର ପଶିଆସିଲା । ଗେଲି ମନରେ ଗୋଟାଏ ଛନକା ପଶିଗଲା ।

 

ଗେଲି ବର ଦେଖିଲେ କେହି ନାହିଁ । ମାତ୍ର ତାର ବେଶଭୂଷାରୁ ଜଣାପଡ଼ୁଛି ସେ କାହା ପାଇଁ ଅପେକ୍ଷା କରିଥିଲା । ସେ ଅପେକ୍ଷାଟା ତାରି ପାଇଁ କାହିଁକି ହୋଇ ନ ଥିବ ? ତା’ରି ପାଇଁ କିମିତି ହେବ ? ସେ ତ ସାହେବ ସଙ୍ଗେ ଯିବାର ଥିଲା । ଯାହାହେଉ ଆଖିରେ କିଛି ନ ଦେଖି କୌଣସି କଥାଟାଏ କରି ପକାଇବା ଠିକ୍‍ ହେବନି ।

 

‘ଖାଇବ କଅଣ ?’ ଗେଲି ପଚାରିଲା । ‘ତୁମର ବେଶଭୂଷା ।’ ବର ଉତ୍ତର ଦେଲା ।

 

‘ମଲା ମର, ସବୁବେଳେ କ’ଣ ସେଇ କଥା ମ ?’ କହି ଗେଲି ନସର ପସର ହୋଇ କ’ଣ ରାନ୍ଧିବ ବୋଲି ଯାଉଥିଲା । ସ୍ୱାମୀ ମନା କଲେ–ସେ ଖାଇଛନ୍ତି ।

 

ମଧୁରେ ମଧୁରେ ରାତି ପାହିଗଲା । ସନିଆ ବୁଢ଼ା ହିଂସାରେ କହିଗଲା ବୋଧେ । କମ୍‍ ନୁହେଁ ସେଇଟା ।

 

କମି ଏଣିକି ସଅଳ ଛୁଟି ପାଉଚି । ସର୍ଦ୍ଦାର ତାର ରୂପମାଧୁରୀ ଲୁଟି କରିପାରିବା ଆଗରୁ ମଦୁଆଗୁଡ଼ା ଏପରି ସବୁ ଅନ୍ୟାୟ କରିବା ଠିକ୍‍ ନୁହେଁ । ନିଜ କାର୍‍ରେ ପଠାଇଲେ ଡ୍ରାଇଭର ବାପୁଡା ହାତ ପକାଇବ । କମ୍‍ ନୁହନ୍ତି ଏମାନେ । ମାଲିକ ସଉକରେ ଗୋଟାଏ କ’ଣ କଲେ ଏମାନେ ତିନି ତିନିଟା କରି ପକାଉଛନ୍ତି ।

 

କମି ଏବେ ଭ୍ରମଣର ଉପକାରିତା ଶିଖିଲାଣି । ସେଥିପାଇଁ କାମରୁ ଫେରି ଏବେ ବୁଲି ଯାଉଚି । ସହରର ଚାକଚକ୍ୟ ଦେଖି ଦେଖି ତାକୁ କେତେ ଆରାମ ଲାଗୁଚି । ଆଉ କ’ଣ ଫେରବ ସେ ପଲ୍ଲୀ ଗାଁଟାକୁ ? ନ ଗଲେ ତାର ମନର ଦେବତା ମାନିଆକୁ ପାଇବ କିପରି ? ମଲା ଯା । ମାନିଆଟାକୁ କ’ଣ ବାହା ହବ ? ଗାଁର ମଳିମୁଣ୍ଡିଆ ମୂଲିଆ, ସେ କ’ଣ ଏବର କମିକୁ ବାହା ହବ ? କମିର ସୌନ୍ଦର୍ଯ୍ୟ, ରୂପ, ଲାବଣ୍ୟ, ଚାହାଁଣୀରେ ମାଦକତା । ଏଇଠି ତ କେତେ ବର ମିଳିବେ ! ସେପରି କିମିତି ହେବ ? ଥରେ ତ ଜଣକୁ ବର କରିବ ବୋଲି ଭାବିଚି । ଘଡ଼ିକୁ ଘଡ଼ି ଗୋଟାଏ ନୂଆ ବର କ’ଣ ବାଛିବ ? ସେଇଟା କ’ଣ ଭଲ କି ?

 

ଏପରି ଭାବ-ଭାବନା ମଧ୍ୟରେ କମି ପାର୍କରେ ବୁଲେ । କେତେ ଯୁବକ ଲୋଲୁପ ଦୃଷ୍ଟି ପକାନ୍ତି । କମି ଖୁବ୍‍ ବିରକ୍ତ ହୁଏ ଏମାନଙ୍କ ଉପରେ । ଆରେ, ସେ ତ ସେମାନଙ୍କ ଆଡ଼କୁ ଏତେ ଅନଉ ନାହିଁ । ଏମାନେ ଏତେ ତାଙ୍କୁ ଅନଉଛନ୍ତି କାହିଁକି ? ଛି ଛି, ଏ ସହରଟାରେ କାଇଦା ନାହିଁ ନା କ’ଣ ? ଗାଁ ରେ ଆମର କିଏ କ’ଣ ଟିକିଏ କରିଥିଲେ ସମସ୍ତେ ହେବେ ଫୁସ୍‍ଫାସ୍‍ । କେତେ ମନ୍ତ୍ରଣା ! କେତେ ନିଶାପ ! ଏଠି କିଛି ନାହିଁ । ବାଟରେ ମଦୁଆଗୁଡ଼ା ହଇରାଣ କରୁଛନ୍ତି ।

 

ଏ କି ସହର ଲୋ ମା !

 

ସଞ୍ଜରୁ ବୁଲି ଦିନେ ଫେରିଚି, ମଙ୍ଗୁଳୁ ଖବର ଦେଲା–ସର୍ଦ୍ଦାର ଡକେଇଚି । କ’ଣ ଆଜି କେତେ ହାକିମ ଆସିଛନ୍ତି । ଚା’ ଭୋଜି ହେବ । ସେଥିରେ ତୁ ନ ଗଲେ କିଛି ହୋଇପାରିବନି ।

 

କମି ମନେ ମନେ ବିରକ୍ତ ହେଲା । କାମ ବଜାଇ ତ ମଣିଷ ଫେରିଲା । ପୁଣି ଅଧିକ ଖାଟେଣି । କମ୍ପାନୀରେ ଓଭରଟାଇମ୍‍ ଖଟିଲେ ଅଧିକ ପଇସା ମିଳୁଛି । ଏଠି କ’ଣ ମିଳିବ ? ତଥାପି ନ ଗଲେ ଚଳିବନି ।

 

କମି ପଚାରିଲା–କାହା ସଙ୍ଗେ ଯିବି ?

 

ମଙ୍ଗୁଳୁ କହିଲା–ବାପ ସଙ୍ଗରେ ଯାଉନୁ !

 

କମି ବାପାକୁ ସଙ୍ଗରେ ଧରି ସର୍ଦ୍ଦାର ଘରକୁ ଗଲା । ସର୍ଦ୍ଦାର ତାଙ୍କର ବୈଠକ ଘରେ । ଆଉ ଜଣେ ହାକିମ ପରି କିଏ ବସିଛନ୍ତି । କମିକୁ ଦେଖି ସର୍ଦ୍ଦାର ଡାକ ଛାଡ଼ିଲେ–ଆସ କମି, ଆସ-

 

କମି ଭିତରକୁ ଗଲା ।

 

ସର୍ଦ୍ଦାର କହିଲେ–ଏ ହେଉଚି କମି ।

 

ହାକିମ ଟିକିଏ ଚାହିଁ ହସିଦେଲେ । ବେଶ୍‍ ଭଲ ବୋଲି ମନ୍ତବ୍ୟ ଦେଇଦେଲେ ।

 

ସର୍ଦ୍ଦାର କିଛି ବିଲାତି ମଦ ବୋତଲ ରଥିଆକୁ ଧରାଇଦେଇ ବିଦା କରିଦେଲେ । କହିଲେ–କମି ଟିକିଏ ଡେରିରେ ଫେରିବ ।

 

କମିକୁ ବରାଦ ହେଲା । ସବୁ ଖାଦ୍ୟଜିନିଷ ଆଣି କମି ଥୋଇଲା । ବାବୁ ଦୁହେଁ ଖାଇଲେ । ତା’ ପରେ ସର୍ଦ୍ଦାର ଇସାରା ଦେଲେ ବୋତଲରୁ ମଦ ଦେବା ପାଇଁ । କମି ସେଗୁଡ଼ା ଘୃଣା କରେ । ସେ କାମଟା ତ ମଙ୍ଗୁଳୁ ସବୁଦିନ କରେ, ଆଜି କମିକୁ ବରାଦ କାହିଁକି ? ପ୍ରମାଦ ଗଣିଲା ବିଚାରୀ । ସହର ଆସିଛି ନୌକରି କରିବାକୁ । କିନ୍ତୁ ଏପରି ଜଘନ୍ୟ କାମ ସବୁ କ’ଣ କରିବ ? ସବୁଠି ରଙ୍ଗାପାଣି, ବାପ ମଦୁଆ, ମଙ୍ଗୁଳୁ ମଦୁଆ, ସର୍ଦ୍ଦାର ମଦୁଆ, ହାକିମ ମଦୁଆ । ମଦ ଯେପରି ସାରା ସଂସାରକୁ ମାଡ଼ି ବସିଛି । ମନାକଲେ ମୁନିବର ମାନ ତଳେ ପଡ଼ିବ । ଦେବାକୁ ଆରମ୍ଭ କଲା । ସେତେବେଳକୁ ମଙ୍ଗୁଳୁ ଆସି ବାହାର ବାରଣ୍ଡାରେ ଡୁଙ୍ଗୁଚି । ବଡ଼ ସତୀ ଲୋ ଏଇ କମି ! ରଙ୍ଗାପାଣି ଦେବାରେ ତ ଟିକିଏ ଆହବୁ ନାହିଁ !

 

ରଙ୍ଗାପାଣି ପିଇ ସର୍ଦ୍ଦାର ଆଉ ହାକିମ ବେଦମ । ଏଥର ସେମାନଙ୍କ ଆଖି ପଡ଼ିଲାଣି କମିର ଅଧର ଅମୃତ ଆଡ଼େ । କିଏ ଟିକିଏ ହାତ ଧରି ପକାଉଚି ତ, କିଏ ଟିକିଏ ଆଉଜାଇ ପକାଉଚି । ଏ ତ ବିଷମ କଥା । କମି ବାହାରକୁ ଚାହିଁଲା । କାହିଁ କେହି ତ ଦିଶୁନି ! ବାବୁ ଦୁହିଁଙ୍କର ଦୌରାତ୍ମ୍ୟ ବଢ଼ି ବା ଦେଖି କମି ହଠାତ୍‍ ଘରର ସୁଇଚ୍‍ ଅଫ୍‍ କରି ଅନ୍ଧାର କରିଦେଲା । ବାବୁ ଦୁହେଁ ଦୁହିଁଙ୍କୁ ଧରାଧରି ହେଉଥିବା ବେଳେ ମାରିଲା ଚମ୍ପଟ । ପଳାଇ ଯାଉ ଯାଉ ବାହାରେ ପିଟି ହୋଇଗଲା କାହା ଦେହରେ । ସେଥିକୁ ଖାତିର୍‍ ନ କରି ଦଉଡ଼ିଲା କମି । ସହରୀ ବାଘଗୁଡ଼ା କାଳେ ଗୋଡ଼ାଇବେ ।

 

ମଙ୍ଗୁଳୁ ନିଜକୁ ଧନ୍ୟ ମନେ କଲା । ସର୍ଦ୍ଦାର ତ ପାରିଲାନି । ହାକିମଟା ତ ବେକୁବ୍‍ । ମଙ୍ଗୁଳୁ ତ ଆଗରୁ ଥରେ ଚେଷ୍ଟା କରି ପାରିନି । ଆଜି ଯାହାହେଉ ସ୍ପର୍ଶ ଟିକିଏ ହୋଇଗଲା । ସ୍ପର୍ଶଟା ଅବଶ୍ୟ କୋମଳ ନ ଥାଇ ଟାଣୁଆ ହୋଇଥିଲା । ମଙ୍ଗୁଳୁ ଭଳିଆ ଲୋକ ବେଶୀ ଗୋଟାଏ କ’ଣ ଆଶା କରିବ ?

 

ମଙ୍ଗୁଳୁ ପୁଣି ସୁଇଚ୍‍ ଅନ୍‍ କରି ଘରକୁ ପଶିଲା । ହାକିମ ଦୁଇଟିଙ୍କର ଚେତା ଚଇତନ ନାହିଁ । ଦୁହିଁଙ୍କୁ ଟେକି ଅଲଗା ଖଟରେ ଶୁଆଇଦେଲା । ଘରର ଚାକର ବାକରଙ୍କୁ ସତର୍କ କରାଇଦେଇ ମଙ୍ଗୁଳୁ ମଜାଟା ଦେଖିବାକୁ ଘରକୁ ଫେରିଲା ।

 

ଘରେ କମି କଇଁ କଇଁ ହୋଇ କାନ୍ଦୁଚି । ବାପଟା ଯେ ମଦ ପିଇ ଅଚେତ ହୋଇ ପଡ଼ିଚି-

 

ମଙ୍ଗୁଳୁ ନ ଜାଣିଲା ପରି ପଚାରିଲା–କ’ଣ କିଲୋ କମି ! କାହିଁକି କାନ୍ଦୁଚୁ ?

 

କମି ନିରୁତ୍ତର ।

 

ମଙ୍ଗୁଳୁ ମନେ ମନେ ବିକଟ ହସଟାଏ ହସୁଥାଏ ।

 

ରାତିରେ ଆଉ ନି ହୋଇ ନାହିଁ କମିକୁ । ସହରକୁ ଆସିଥିଲା ଭଲ ହେବ । ଭଲ କଥା ଶିଖି ଗାଁକୁ ଫେରିବ । ମାନିଆକୁ ବି ଆଧୁନିକ କରି ଗଢ଼ିବ । ଗାଁରେ ଦେବେନ୍ଦ୍ର ବାବୁ କେତେ ବଡ଼ ବଡ଼ କଥା କହନ୍ତି ! କାହିଁ ମ ଏ ସହରରେ ଯେତୋଟି ଦେଖିଲିଣି ଖାଲି ମଦୁଆ ଓ ପରଝିଅଠି ଏମାନଙ୍କର ଗୋଟାଏ କି ହୀନ ଆଖି । ଆରେ ମଣିଷସବୁ ଯଦି ଝିଅମାନଙ୍କୁ ଇମିତି ଗୋଟାଏ ଖିଆଲର ଖେଳନା କରିବେ, ତେବେ ମଣିଷ ବଞ୍ଚିବ କିମିତି ?

 

ସର୍ଦ୍ଦାର ସେ । ଧନୀ, ଜ୍ଞାନୀ ଓ ମାନୀ । ଏତେଗୁଡ଼ିଏ କୁଲିଙ୍କ ଚଳାଇବାର ଭାର ଗ୍ରହଣ କରିଚି । କ’ଣ ଶିଖାଉଚି ମ ଏଇଟା ? ମଦ, ମାଇକିନିଆ । ଏଥିରୁ ଅପାଠୁଆ କୁଲି ଶିଖିବ କଅଣ-? ସେଥିପାଇଁ ତା ବାପ ମଦୁଆ, ମଙ୍ଗୁଳୁ ମଦୁଆ, ସଭିଏଁ ମଦୁଆ ।

 

କମିର ଉପାୟ କ’ଣ ? କାନ୍ଦିବ ? ଗାଁକୁ ଫେରିଯାଇ ଧରମୁ ସାହୁର କାମ କରିବ ? ତାହାହେଲେ କମି ଡରକୁଳୀ ! କ’ଣ ସହଜ ପଡ଼ିଛି ନାରୀର ସତୀତ୍ୱ ! ମଦୁଆଗୁଡ଼ାଙ୍କ ପାଖରେ କମି ନଇଁଯିବ !! ପାଠ ପଢ଼ିନି, ହେଲେ ବି କମିର ମଣିଷପଣିଆ ଅଛି । ଲଢ଼ିବ ସେ । ବିପ୍ଳବିଣୀ ହେବ ସେ । ସେ ଆଣିବାକୁ ଚାହେଁ ସଂସ୍କାର । ମଦୁଆ ମନରେ ଅନୁତାପ । ସଭ୍ୟତାର ଶତ୍ରୁ ଏ ନିଶା । ଭାଙ୍ଗିବାକୁ ଚାହେଁ ସେ ଭାଟି, ବୋତଲ । କିଏ ଆଣୁଚି ସେଗୁଡ଼ା ଏଠାକୁ ? ତାର କ’ଣ ଟିକିଏ ବୁଦ୍ଧି ନାହିଁ ? ପାଗଳ ସେ ? ଲାଭ କରୁଚି, କିନ୍ତୁ କେତେ କ୍ଷତି ଯେ !

 

ଲୁହ ଶୁଖିଆସିଲା କମି ଆଖିରୁ । ଦେହରେ ଅସୀମ ଜାଗରଣ । କି ଶକ୍ତି ! କି ତେଜ ! ଦୁର୍ଗାମୂର୍ତ୍ତି କି ?

 

ପାହାନ୍ତି ପହର । ବଡ଼ ବଡ଼ ହାକିମମାନଙ୍କ ଘରୁ ରେଡ଼ିଓର ସ୍ୱର ଛୁଟିଲାଣି । ରାଷ୍ଟ୍ରର ଉନ୍ନତ ଯୋଜନାର ପ୍ରଚାର । ଖୁବ୍‍ ଆବେଗପୂର୍ଣ୍ଣ ଭାଷଣ । ନିଶା ଉଠାଇ ଦେବାକୁ ହେବ । ଆମର ବହୁ ଜନଶକ୍ତିର ଅପଚୟ ଘଟୁଚି । ରାଜସ୍ୱ କିଛି ମିଳିଲେ ମଧ୍ୟ କେତେ ଅମୂଲ୍ୟ ଜୀବନ ନଷ୍ଟ ହୋଇଯାଉଚି । ସେହି ମାନବର ଉପଯୁକ୍ତ ବିନିଯୋଗ ହେଲେ ଦେଶର ଆୟ ଯଥେଷ୍ଟ ବଢ଼ିବ । ଏଥିପାଇଁ ଜନତାର ସହଯୋଗ ଦରକାର, ଦୃଢ଼ତା ଦରକାର । ବିରାଟ ଆନ୍ଦୋଳନ ଲୋଡ଼ା ।

 

କମି ଉତ୍ତେଜିତ ହୋଇଉଠିଲା । କିଏ ଏ କଥା କହୁଚି ? କଥାରେ କହିଲେ ଖାଲି କ’ଣ ହେବ ? ଆସୁ, କାଲିଠାରୁ କାମ ଆରମ୍ଭ କରିଦେଉ । ନୋଚେତ୍‍ ଏ କୁଲି ସର୍ବସ୍ୱାନ୍ତ ହୋଇଯିବ । କିଏ ପିଲା ମାଇପ ଘରେ ଛାଡ଼ି ଆସିଚି । ସେମାନେ ଆଶା କରି ବସିଥିବେ–ଘରମଣିଷ ପଇସା ଧରି ଆସିବ, ଲୁଗା ଆଣିବ । ଘର ମଣିଷ ଏଣେ ଯାହା କମ୍‍ଉଚି, ସବୁ ନଉଚି ଭାଟିଦାର । ଆଉ ଯାହା ବଳୁଚି ତାହା ନେଉଛି କୁତ୍ସିତା ନାରୀ ।

 

ବାପର ନିଶା ଛାଡ଼ି ଗଲାଣି । ବାପ ପଚାରିଲା–କମି, କେତେବେଳେ ଆସିଲୁ ?

 

କମି ଆଜି ଝିଅ ନୁହେଁ । ନାରୀର ଆଦିଶକ୍ତି ତା’ଠାରେ ପ୍ରତିଭାତ । ଟିକିଏ ଚଢ଼ାଗଳାରେ କମି କହିଲା–ତୁମକୁ କ’ଣ ଲଗା ? ନିର୍ଧୁମ୍‍ ପିଇ ତୁମେ ସଂସାରଟାକୁ ଅଙ୍ଗୁରମୟ ଦେଖୁଛ । ମହୁଲମଦ, ଚାଉଳମଦ, ବିଲାତୀମଦର ପାର୍ଥକ୍ୟ ତୁଳୁଛ । ସଂସାର ବୁଡ଼ିଗଲେ ତୁମର ଜ୍ଞାନ ନାହିଁ । ତୁମେ କାହିଁକି ମୋତେ ଛାଡ଼ି ଆସିଲ ?

 

ବୁଢ଼ା ଟିକିଏ ଡରିଗଲାଣି । ସର୍ଦ୍ଦାରଟା ମଦୁଆ । ମାଇକିନିଆଙ୍କ ଉପରେ ବଡ଼ ଆଖି । କିଛି ହେଲା କି ? ବୁଢ଼ା କହିଲା–କମି, କ’ଣ, କିଛି ବିପଦ ପଡ଼ିଲା ? ହଁ, ବାପ ତୋର ମଦୁଆ ହୋଇଯାଇଛି ତୋର ମାଆର ସ୍ମୃତି ଭୁଲିବାକୁ, ହାଡ଼ଭଙ୍ଗା କାମର କଷ୍ଟ ଭୁଲିବାକୁ । ତଥାପି ଏବେ ବି ତାର ଚେତନା ଅଛି । ଯଦି କିଏ ମୋର ଝିଅଠି ହାତ ଲଗାଇବ, ତାର ଦାନ୍ତ ଉପାଡ଼ି ଦେବି ।

 

କହ କମି, କହ, କ’ଣ କରିଚି ସେ ପାଜି ସର୍ଦ୍ଦାର ?

 

କମି କହିଲା–ଏତେ ରାଗିଗଲେ କାମ ହବନି ବାପା ! ତୁମେ ନିଜେ ମଦ ଛାଡ଼ । ତେବେ ଯାଇ ଅନ୍ୟ ଉପରେ ଅକସ ସାଧିବ । ନଚେତ୍‍ ମଦର ଲୋଭ ଦେଖାଇ ସହରୀ ବାଘମାନେ ତୁମର, ମୋର, ମୋ ପରି ଭଉଣୀଙ୍କର ଇଜ୍ଜତ ନେବେ ନିହାତି ଏକ ହୀନ ଉପାୟରେ-। ଦେଖ ବାପା, ତୁମେ ଯଦି ନିଜକୁ ସଂଶୋଧନ ନ କର, କମି ତୁମ ସହିତ ସବୁ ସଂପର୍କ ତୁଟାଇ ଦେବ । କମି ହେବ ବିପ୍ଳବିଣୀ । ଭାଙ୍ଗିବ, ମାରିବ, ସବୁ ଭାଟିଦାର ନିର୍ମୂଳ କରିବ । ଫାଶି, ଜେଲ କିଛି ଦବାଇ ଦେବନି ତାକୁ ।

 

ମଙ୍ଗୁଳୁ ସେ ଘରେ ଭାବୁଛି–ଏଇଟା ସତୀତ୍ୱର ପ୍ରଳାପ ।

 

ଠିକ୍‍ ସମୟରେ କମି ଯୋଗ ଦେଇଚି କାମରେ । କିନ୍ତୁ ଶୁଣାଇ ଦେଇଚି ସର୍ଦ୍ଦାରକୁ–କମି ଠିକ୍‍ ସମୟରେ କାମ କରିବ, ଠିକ୍‍ ସମୟରେ । କୌଣସି ଅବାନ୍ତରେ କାମରେ ଯୋଗ ଦେଇପାରିବନି ।

 

ସର୍ଦ୍ଦାର କିଛି କହିପାରିନି । ନୂଆ ଝିଅଗୁଡ଼ିକ କିଛି ଦିନ ଏପରି ହୁଅନ୍ତି । ପରେ ପୁଣି ସେଇ ପାନ୍ଦରେ ପଡ଼ନ୍ତି । ଯାଉ କେତେ ଦିନ ।

 

ଗମ୍ଭୀର ଭାବରେ କାମ କରିଯାଉଚି କମି । ବେତନ ପାଇବା ଦିନ । ସର୍ଦ୍ଦାର ଲଫାପା ଭିତରେ କମିର ବେତନ ବଢ଼ାଇଦେଲେ । କମି ଅଣ୍ଟାରେ ଖୋସିଦେଇ ଘରକୁ ଫେରିଲା ।

 

କମି ଆସିବା ପରେ ସର୍ଦ୍ଦାର ମଙ୍ଗୁଳୁକୁ ଡାକିଲେ–କ’ଣ କହୁଥିଲା କମି ?

 

ମଙ୍ଗୁଳୁ କହିଲା–ପ୍ରଥମେ କାନ୍ଦିଲା, ପରେ କେତେ କ’ଣ ବକିଲା–ଏସା କରିବ, ତେସା କରିବ । ବାପ ବି ଚିହିଙ୍କି ଉଠୁଥାଏ ।

 

ସର୍ଦ୍ଦାର ହସିଲେ–ରଥିଆକୁ ହାତ କରିବା ବେଶୀ ବେଳ ନୁହେଁ । ଦେଇ ଚାଲ ମଦ ବୋତଲକୁ ବୋତଲ ।

 

ମଙ୍ଗୁଳୁ ହଁ କରି ବସାକୁ ଫେରିଲା ।

 

ସେଦିନ ରଥିଆ ବି ବେତନ ପାଇଚି । ଆଗରୁ ଗେଲୀ ଭେଟ ହୋଇଚି କାମ ପାଖରେ-। ରଥିଆ ଭାବିଲା–ଆଜି ତ ଝିଅ ମନା କରିଚି । ଛାଡ଼ିବାକୁ ପଡ଼ିବ ସବୁ । ତେବେ ଆଜିକ ଟିକିଏ ପିଇଦେଇ ଗେଲୀ ସଙ୍ଗେ ଭାବ ବଢ଼ାଇଦେବା । ଏଣିକି ଶୁଣାଇଦେବି ଗେଲୀ ଆଉ ତା ଆଶା କରିବନି ।

 

ଏପରି ଭାବି ରଥିଆ ଚାଲିଲା ଭାଟିକୁ । ଭାଟିଦାରକୁ ରଥିଆ ମନ ଦୁଃଖରେ ଜଣାଇଲା–ଠିକାଦାର ବାବୁ, ଆଜିକ ଯାହା ମୁଁ ମଦ ପିଇବି । ଏଣିକି ଆଉ ପିଇବିନି । ଭଲ କରି ଟିକେ ଦେଇଥା ।

 

ଭାଟିଦାର ବି ମନଜାଣି ଥୋଡ଼ାଏ ପିଆଇଲା । ରଥିଆ ପିଇ ଡାଉନ୍‍ । ଢଳି ଢଳି ଚାଲିଲା ଗେଲୀ ପାଖକୁ । ହୋସ୍‍ ତ ପୂରା ନାହିଁ । କେତେ ଗୀତ ଗାଇ ଗାଇ ଯାଉଚି ରଥିଆ । ଦୁର୍ଯ୍ୟୋଗ ତ ! ଗେଲୀ ବର ଯିବାର ଥିଲା କୁଆଡ଼େ, ମାତ୍ର ଫେରି ଆସିଚି । ଗେଲୀ ଆଉ ରଥିଆକୁ ଖବର ଦେବାକୁ ସୁବିଧା ପାଇନି ।

 

ପାହାଚେ ଉଠିଛି ରଥିଆ । ବସିଲା ଜବର ଠେଙ୍ଗା ମୁଣ୍ଡରେ । ପଡ଼ିଗଲା ରଥିଆ । ରକ୍ତ ସରସର ହୋଇ ବହିଯାଉଚି । ଡାକ ଛାଡ଼ିଲା ଗେଲୀବର । ଆରେ, ମଦୁଆଟା ପଡ଼ି ମରିଗଲା ରେ, ମରିଗଲା ରେ ! ପଥରରେ ମୁଣ୍ଡ ବାଜି ଯାଇଛି ।

 

ସନିଆ ଧାଇଁଲା । ଗୁଣମଣି ଗୁଣସାଗରଙ୍କ ଦଶା । ଭଲ ହୋଇଚି । ମାତ୍ର ଲୋକଟା ବେଶୀ ରକ୍ତ ବୋହିଗଲେ ମରିଯିବ । ସନିଆ ଦଉଡ଼ିଲା କମି ପାଖକୁ । କମି ଯେମିତି ଖବର ଶୁଣିଲା, ମୁଣ୍ଡ ତାର ଭ୍ରମିଗଲା । ଆଚ୍ଛା ସହରକୁ ଆସିଲା ! ତେବେ ନ ଡରି ରେକ୍‍ସା ଖଣ୍ଡିଏ ଧରି ଧାଇଁଲା । ଆଗ ବାପକୁ ଉଠାଇ ଡାକ୍ତରଖାନା ଝପଟିଲା ।

 

କମ୍ପାଉଣ୍ଡର ବିଚାରାଟି ଭଲ ଲୋକ । ସଙ୍ଗେ ସଙ୍ଗେ ପଟି ବାନ୍ଧିଦେଲା । ଡାକ୍ତରଙ୍କଠାରୁ ଅନୁମତି ଆଣି ଗୋଟିଏ ଖଟିଆରେ ରଖାଇ କହିଲା–ଭଲ ଅଙ୍ଗୁର ଆଣ । ଭୀଷଣ ରକ୍ତ କ୍ଷୟ ହୋଇଚି । ଦରକାର ପଡ଼ିଲେ ରକ୍ତ ଦେବାକୁ ପଡ଼ିବ ।

 

ଝିଅଟା ଏକୁଟିଆ କୁଆଡ଼କୁ ହେବ ? ମଙ୍ଗୁଳୁକୁ ସବୁ କଥା କହିଲା । ମଙ୍ଗୁଳୁ ଭାବିଲା–ଏତେବେଳକୁ ମଙ୍ଗୁଳୁକୁ ଖୋଜିବ, ଆଉ ଟିକିଏ ପ୍ରୀତି ଦେଲେ ୟାର ସରି ଯାଉଚି ! ଆଲୋ ଝିଅ ଜନମ ପାଇଛୁ କାହିଁକି ? ଏଇଟା ଗୋଟାଏ ଶୁଭ ଲକ୍ଷଣ । କାମ ଟିକିଏ ଖାଟିକରି କରିଦେଲେ ଅବା କମି ତାକୁ ଭଲ ପାଇବ ! କମି ଯଦି ତାକୁ ଭଲ ପାଇ ବାହା ହୋଇପଡ଼ନ୍ତା, ଆହା ମଙ୍ଗୁଳୁ ଇନ୍ଦ୍ରସୁଖ ପାଆନ୍ତା !

 

ଦୁହେଁ ଝପଟିଲେ । ସବୁ ଜିନିଷ ବ୍ୟବସ୍ଥା କରି ରାତିସାରା ଡାକ୍ତରଖାନାରେ ଜଗି ରହିଲେ ।

 

ସକାଳୁ ଡାକ୍ତର ଦେଖିଲେ ଅବସ୍ଥା ସାଙ୍ଘାତିକ । ରକ୍ତ ନ ଦେଲେ ରୋଗୀ ବଞ୍ଚିବା ଅସମ୍ଭବ । କମି କହିଲା–ମୋର ରକ୍ତ ଦିଅ । ମାତ୍ର ପରୀକ୍ଷା କରି ଡାକ୍ତର ମତ ଦେଲେ–ଏ ରକ୍ତ ସେତେ ବିଶୁଦ୍ଧ ନୁହେଁ ।

 

ମଙ୍ଗଳୁ ରକ୍ତ ଦେଲା । ଡାକ୍ତର ମଧ୍ୟ ସେଇ ରକ୍ତକୁ ପସନ୍ଦ କଲେ । ମଙ୍ଗୁଳୁ ନିଃସ୍ୱାର୍ଥପର ଭାବରେ ରକ୍ତ ଦେଇନି । ତାର ଏ ବଦାନ୍ୟତା ମୂଳରେ ରହିଚି–କମିର ରୂପ ଲାଳସା । ସୁନ୍ଦର ରୂପଟା କ’ଣ ଏତେ ବିପଜ୍ଜନକ !

 

ବହୁତ ଡେରି ହେଲାଣି । କମି କାମକୁ ଯାଇନି । ମଙ୍ଗୁଳୁ ବି ଯାଇନି । ସର୍ଦ୍ଦାରଙ୍କ ମନରେ ଭାବାନ୍ତର । କ’ଣ ସେମାନେ ସମସ୍ତେ ମିଶି କିଛି ମେଳି ବାନ୍ଧୁଛନ୍ତି ?

 

ଚକଚକିଆ ଗାଡ଼ି ଚଢ଼ି ସର୍ଦ୍ଦାର କୁଲିବସ୍ତି ବୁଲି ଆସିଲେ । କେହି କିଛି କହିପାରିଲେନି । ହାତୀ ପଡ଼ାରେ ପଚାରିଲେ–ଆରେ ପିଲାଏ ! ରଥିଆ, କମି ଏମାନେ କୁଆଡ଼େ ଗଲେ ?

 

ସିଆଡ଼ୁ ମଙ୍ଗୁଳୁ ପାଟିକରି ଦଉଡ଼ୁଚି–ସର୍ଦ୍ଦାରଜୀ, ରଥିଆ ବୋଧେ ଡାକ୍ତରଖାନାରେ ମରିଯିବ କି କ’ଣ ? ମଙ୍ଗୁଳୁକୁ ମଟରରେ ବସାଇ ସର୍ଦ୍ଦାର ଛୁଟିଲେ ଡାକ୍ତରଖାନା । ଡାକ୍ତରଙ୍କୁ, କମ୍ପାଉଣ୍ଡରମାନଙ୍କୁ କିଛି ହାତଗୁଞ୍ଜା ଦେଇ କୁଲିର ଜୀବନ ରକ୍ଷା କରିବାକୁ ଅନୁରୋଧ କଲେ । ପଇସାର ଅନୁରୋଧରେ ଡାକ୍ତରମାନେ ଲାଗି ପଡ଼ିଲେ । ଅବସ୍ଥା ଆଶାଜନକ ଦେଖାଗଲା । ସର୍ଦ୍ଦାରଜୀଙ୍କ ମୁଖ ଉଜ୍ଜ୍ୱଳ ହୋଇଉଠିଲା । ଡାକ୍ତରଖାନାରେ ସମସ୍ତେ ବୁଝିଲେ–ସର୍ଦ୍ଦାରଜୀଙ୍କର ଏଇଟା ବିରାଟ ମାନବିକତା–ବିଶୁଦ୍ଧ କୁଲି-ପ୍ରେମ । ଆଜିକାଲି ଯୁଗର ରୀତି । ସେଇ ଅନୁସାରେ ସର୍ଦ୍ଦାରମାନେ କୁଲିଙ୍କ ହାନି ଲାଭ ନ ଦେଖିଲେ ଏ ଧର୍ମଘଟ ଯୁଗରେ ସର୍ଦ୍ଦାର କି କଳ ମାଲିକ ଲାଭବାନ ହୋଇପାରିବେନି ।

 

ମଙ୍ଗୁଳୁ ବୁଝିଲା–ଏଥିରେ ଅଣୁମାତ୍ର ଦୟା ନାହିଁ । ଏ ଖାଲି ଥୋପ ପକାଇ ମାଛ ଧରିବା ନ୍ୟାୟ । ମଦୁଆ ସର୍ଦ୍ଦାରଜୀଙ୍କ ପାଶବିକ ପ୍ରେମର ଗୋଟାଏ ଶୁଭାରମ୍ଭ ।

 

ବିରାଟ ଧର୍ମଘଟର ଅବସାନ । ଗଉରାର ନେତୃତ୍ୱ ନିଷ୍ଫଳ । ତାତିଲା ପେଟରେ ଧର୍ମଘଟ ମୂଲ୍ୟହୀନ । ସାହୁକାର ବିଲରେ ବାଉରି, ବାଉରାଣୀ ସମସ୍ତେ କାମ ପାଇଁ ରୁଣ୍ଡ । ଗଉରା ଭାବୁଚି ଏଇଟା ମାନିଆର ବିଜୟ ।

 

ଜେମିବୋଉଟା ଏଡେ ଅଲାଜୁକୀ ! ପୁଣି ନେଇ ଝିଅକୁ ପହଞ୍ଚିଲା ଧରମୁ ଦୁଆରେ । ଘରର ପାଇଟିରେ ନିଯୁକ୍ତ ହେବେ । ସେଥିପାଇଁ ସୁଲୋଚନାଙ୍କ ମତ ନିହାତି ଦରକାର । ସୁଲୋଚନାଙ୍କ କାନରେ ସବୁ କଥା ପଡ଼ିଥାଏ । ସେଦିନ ରାତିରେ ବିଲେଇ ଏଇ ଜେମି । ଏମାନେ କାମୁଡ଼ା ଜନ୍ତୁ । ପୁଣି ଆଶ୍ରୟ ଦେଲେ ସେଇ ବିପଦ । ସୁଲୋଚନା କଡ଼ା କଡ଼ା ଦିପଦ ଶୁଣାଇଲେ–କ’ଣ ଏଇ ବିଲେଇମାନଙ୍କୁ ଘରେ ଥାନ ଦେବ ପୁଣି କାମୁଡ଼ିବାକୁ ?

 

ଜେମିବୋଉ ବହୁତ ନେହୁରା ହେଲା । ଦୋଷ ହୋଇଚି । ସବୁଦିନ କ’ଣ ସବୁକଥା ?

 

ବଡ଼ କଷ୍ଟରେ ସୁଲୋଚନା ରାଜି ହେଲେ । ଜେମି ପାଇଟି କରୁ । କିନ୍ତୁ ତା’ ଘରେ ସେ ରହୁ । ସବୁଦିନ କ’ଣ ଅଘଟଣ ଘଟୁଥିବ ? ନିଜେ ଠିକ୍‍ ଥିଲେ କାହା ଘରେ କିଏ ପଶି ଇମିତି କାମ କଲାଣି ? ଚୋର ତ ଆଉ ଧନ ପାଇଁ ଜେମିବୋଉ ଘରକୁ ଯିବେନି, ଯିବେ କନିଆ ସୁନା ପାଇଁ ।

 

ବେଳ ତ ପଡ଼ିଚି । ସବୁ ସହି ଜେମି କାମ କଲା ସାହୁଘରେ । ମନରେ ତାର ବିରାଟ ଘୃଣା ହିମାଳୟର ବରଫ ପରି ଜମାଟ ବାନ୍ଧିଛି । ତେବେ ଗୋଟାଏ ଆଶା ତାକୁ ଲାଞ୍ଛନା ତଳେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଚି । ମାନିଆର ସୁନାମରେ କଳଙ୍କ ଆଣିଲା ସେ ପରଶିଖାରେ । ପରଶିଖା କାମଟା କେତେ ଖରାପ ସତେ ! ମାନିଆ ମାଡ଼ ଦେଇଚି । ଜେମିକୁ ସେଇଟା କାଟିନି । ଜେମି ବୁଝିଛି, ମିଛ କହିଲେ ଏପରି ଦଣ୍ଡ ମିଳେ । ପୁଣି ସେ ମାନିଆର ମହତ ଫେରାଇ ଆଣିଚି । ପାଞ୍ଚ ଦଶ ଜଣଙ୍କ ଆଗରେ ମାନିଆ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଚି । କିନ୍ତୁ ମାଡ଼ର ପରାସ ସେତିକିରେ ଯାଇନି । ସେ ଚାହୁଁଚି ମାନିଆର ସାନିଧ୍ୟ । ସେ ମାନିଆକୁ ପତି ରୂପେ ପାଇବାକୁ ଚାହେଁ । ତା’ ପରି ବର ପାଇଲେ ଜେମିର ସବୁ ପାପ ଧୋଇଯିବ ।

 

ଜେମିର ଏଇଟା ଦୁରାଶା ନୁହେଁ ? ବିବାହ କ’ଣ ଖାଲି କାମଶକ୍ତିର ଚରିତାର୍ଥତା ! ମାନିଆ ପାଇଁ କି ତ୍ୟାଗ କରିଚି ଜେମି ? ସମସ୍ତେ କ’ଣ ଆଖିଦେଖାଣିଆ ରୂପରେ ଭୁଲିଯାନ୍ତି ? ପ୍ରେମର ପଥ ଏତେ ସରଳ ନୁହେଁ । ହୃଦୟରେ ହୃଦୟର ମିଳନ ହେଲେ ଯାଇଁ ପ୍ରେମ ପ୍ରକୃତ ରୂପ ନିଏ । ସେଥିରେ ଅଙ୍ଗଲିପ୍‍ସା, ଦୈହିକ ମିଳନ କେବଳ ଅଳୀକ ମାତ୍ର । ତା’ପରେ ଜେମି କ’ଣ ଜାଣେନି ମାନିଆ ପ୍ରତି କମିର ଆଗ୍ରହ, ତ୍ୟାଗ । ସେଥିପାଇଁ କମି ଯାଇଛି ବିଦେଶ । ପଇସା ଆଣିବ । ମାନିଆ ହେବ ତାର । କମିର ମଧୁର ମିଳନ ପଥରେ ଗୋଟାଏ ଦୁର୍ବହ ଧୂମକେତୁ ହେବା କ’ଣ ଜେମିର ସହୃଦୟତା !

 

ମାନିଆର ସାହୁ ଉପରେ ଘୃଣା । ଏ ଲୋକଟାର ଲଡ଼ବଡ଼ିଆ ପ୍ରକୃତି । ପୁଣି ଜେମିକୁ ପାଖରେ ପୂରାଉଚି । ଯେଉଁ ବାଘୁଣୀ ଥରେ ମଣିଷ ଖାଏ, ସେ ସବୁବେଳେ ମଣିଷ ମାଂସକୁ ଚାହେଁ-। ପୁଣି ଜେମିକୁ ଆଶା କରିଚି ସାହୁ । କାମୁଡ଼ା ପାଇଲେ ବୁଦ୍ଧି ବାଉଳା ।

 

ଜେମି କେତେ ଭଙ୍ଗି ଦେଖଉଚି ମାନିଆ ଆଗରେ । ହସେଇବାକୁ ଚେଷ୍ଟା କରୁଚି । ବେଳେ ବେଳେ ଆପସରା ମାରି କହୁଚି–ମାନିଆ ଦାଦା ରାଗିଚି । କେତେ ରାଗ ବା ? ଧାନୁଆ ଲଙ୍କା ପରି ନା ଦକ୍ଷିଣୀ ଲଙ୍କା ପରି !

 

ମାନିଆ ସବୁ ଶୁଣେ । ପଥର ସେ । ଏପରି ନୀତିହୀନା ଜେମିର ଛାଇ ଯାହାଠି ପଡ଼ିବ, ସେ ଉଧେଇବନି । କି କୁକ୍ଷଣରେ ଜନ୍ମିଥିଲା କେଜାଣି ?

ତା’ କଥା ସେ କରୁଥାଉ କହି ମାନିଆ କରିଯାଏ ତାର କାମ । ମଣିଷର ଅବୁଝାମଣା ପ୍ରକୃତି । ହଠାତ୍‍ ରାଗ । ଲୋକର ସୁଖ ଦୁଃଖରେ କେଡେ ମାରାତ୍ମକ । ମାନିଆ କାହାର ବା କ’ଣ କରିଥିଲା ? ମୂଲିଆମାନଙ୍କର ନୈତିକତା ବଢ଼ାଇବା ତାର ଲକ୍ଷ୍ୟ । ତେବେ ଯାଇ ମୂଲିଆର ଦାବି ହାସଲ ହେବ । କାମରେ ଠକି ବେଶୀ ପାଇବା ଆଶା କରିବା ଚୋରି ସଙ୍ଗେ ସମାନ । କୁଡ଼ିଆଟି ଠକି ବେଶୀ ପାଇବା ଆଶା କରିବା ଚୋରି ସଙ୍ଗେ ସମାନ । କୁଡ଼ିଆଟି ତାର ରାଗର ନିଆଁରେ ଜଳି ଯାଇଚି । ତଥାପି ମାନିଆ କାହା ପିଣ୍ଡାକୁ ଆଶ୍ରା କରିନି । ବରଗଛର ଛାଇ ପରି, ମାରୁଆଡ଼ିର ଧର୍ମଶାଳା ପରି, ଗାଁର ଡେରା ଘର ପରି, ଗଉନ୍ତିଆ ମକଦ୍ଦମଙ୍କ ଦିଅଁ ମଣ୍ଡପ ପରି ମାନିଆ ପର ଆଶ୍ରା ପସନ୍ଦ କରୁନି । କରୁଥିଲା ଯେତେବେଳେ ଅଜ୍ଞାନ ଥିଲା, ବାହୁରେ ବଳ ନ ଥିଲା ।

ଏବେ ମାନିଆ ମଣିଷ । ମଣିଷ ପରି ବଞ୍ଚିବାକୁ ତାର ଉଦ୍ୟମ । ସେଇଦିନ ସେ ତାଳପତ୍ର ଛାତ ତିଆରି କରି ତାରି ତଳେ ଶୋଇଚି । ନିତି ଦି’ପହରେ ଘରର କାନ୍ଥ ଦଉଚି । ଝାଟି ପୋତା ସରିଲାଣି । ଆସ୍ତେ ଆସ୍ତେ ମାଟି ଛଟା ଚାଲିଚି । କେତେ ଥର ଜେମିବୋଉ ପଚାରିଗଲାଣି–ପୁଅ, ହଇରାଣ କାହିଁକି ହଉଚୁ ? ଆମ ଘରେ କେଇ ଦିନ ଥାଆ । ତୁ ଓ ମୁଁ ମିଶିକରି ଘରେ ମାଟି ଛାଟି ଲିପିବା । ଶୁଖିଗଲେ ଆସି ଏଇଠି ରହିବୁ ।

ମାନିଆ ସିଧା ସିଧା ବତାଏ–ମାନିଆ କାହାର ଦୟା ଚାହେଁନା, ବିଶେଷ କରି ଚରିତ୍ରହୀନା ଦାରୀଙ୍କଠାରୁ । ବୁଢ଼ୀ ପଳାଏ । ମନେ ମନେ କେତେ ସମ୍ପେ । ପିଲାର ମୁହଁ ଉପରକୁ ହୋଇଗଲାଣି । କେଡ଼େ ଟାଣ କଥା କହିଦେଉଚି !

ମାନିଆ ଭାବେ, ଏପରି ଲୋକଙ୍କୁ ପାଖେ ପୂରାଇବା ମାନେ କାଳସର୍ପ ଘରେ ପୋଷିବା-। ଯେ ମିଛ କହିପାରେ, ଯେ ଅନ୍ୟର ଇଙ୍ଗିତରେ ନ ଭାବି ନ ଚିନ୍ତି ଲୋକର ମାନ ନେଇପାରେ, ସେପରି ଲୋକଙ୍କ ସଙ୍ଗେ କଲେ ଅଭାବ ହିଁ ସାର ହେବ ।

 

ଜୀବନର ନୀତି ନେଇ ସେ ରହିବ । ନିଜ ବାହୁରେ ବଳ ଥିବାଯାଏ ସେ କାହାର ସାହାଯ୍ୟ ଲୋଡ଼ିବନି । ଚାଲୁ ଜୀବନର ଗତି ତାର ସ୍ୱଚ୍ଛନ୍ଦ ସାବଲୀଳ ଗତିରେ ।

 

ହେଲେ ତାର ମାନସୀ କମି କୁଆଡ଼େ ଗଲା ? କେବେ ଆସିବ ? ଖବର ଟିକିଏ ହେଲେ ବି ମିଳିଲାନି ।

 

ଏଇ ଲୋକଗୁଡ଼ାଙ୍କର କଥାରେ ଠିକ୍‍ ନାହିଁ । ଆନ୍ଦୋଳନଟା ଦୁଇ ଦିନ ଚଳାଇ ପାରିଲାନି । କି ମରଦାନି ତାର !

 

ହେଲେ ଧରମୁ ସାହୁକୁ ପାନେ ନ ଦେଲେ ଗଉରା ବାପର ପୁଅ ନୁହେଁ । ଗଉରା ଚାଲିଲା ନୂଆ ପଲମ ହାଟ ।

 

ଅବକାରୀ ବାବୁ ସେଠିକି ପ୍ରତି ପାଳି ଆସନ୍ତି । ସେଠ ଭରତିଆ ଚୋରା ଅଫିମ ବିକେ-। ଅନେକ ଲୋକ ଜାଣନ୍ତି । ଅବକାରୀ ବାବୁ ବି ନ ଜାଣନ୍ତି ଏପରି ନୁହେଁ । ତାଙ୍କର ଗୋଟାଏ ପାଉଣା ମିଳେ । ବାହାରେ ବାବୁ ଭାରି କଡ଼ା ଆଇନ ଜାରି କରନ୍ତି । ଚପରାସୀମାନଙ୍କୁ ତାକିଦ୍‍ କରି କହନ୍ତି, ଦେଖ, କାର୍ଡ଼ ନ ଥିବା ଲୋକେ ଅଫିମ ନେଲେ ପକଡ଼ । କିଏ କେଉଁଠି ଲୁଚେଇ କରି ଏସବୁ ବିକୁଥିଲେ ଧରିଆଣ । ସାଙ୍ଗେ ସାଙ୍ଗେ ହାତକଡ଼ି ।

 

ଭରତ ବାବୁଙ୍କ ପାଖରେ ବସି ଠିକ୍‍ ଠିକ୍‍ କହେ–ଏତେ ହାକିମ ଆସିଥିଲେ, ଏପରି କଡ଼ା ଓ ଖାଣ୍ଟି ଲୋକ ଆମେ ଦେଖିନୁ । ଟିକିଏ ଗଲେ ପାନ ଦି’ଟା ଆଣିଦିଏ । ଚାହା ଫାହା ଟିକିଏ ବୋଲି ପଚାରେ । ହାଟ ମଝିରେ ଏତେ ଲୋକ ସାମନାରେ ଭରତଠୁ ଖାଇଲେ ଲୋକେ କ’ଣ କହିବେ ? ଅବକାରୀ ବାବୁଙ୍କୁ ଭରତ ହାତରେ ରଖି ବେଫିକର ବେଆଇନ୍‍ କାରବାର ଚଳାଇଚି । ଏଣୁ ଉପରେ ରାଗିକରି କହନ୍ତି–ଖାଇବାର ଇଚ୍ଛା ହେଲେ ମୁଁ କିଣି ଖାଇବି । ମୋର ପଇସା ଅଛି ।

ବାରବୁଲା

 

ଏକ୍‍ଦମ୍‍ ଖାଣ୍ଟି ଲୋକ ପରା ! କାହାଠୁ ଲୁଣ ରୁଆଟେ ବି ଖାଇବେନି । ସେ ପରିଡ଼ା ବାବୁଟା ଥିଲା ଯେ ତାହାର ଡାହାଣ ବାଁ ଦୁଇ ହାତରେ ଚାଲେ । କେତେ ଜମି କରିଗଲା । କୁଡ଼ିଆ ଘର ଉପରେ ପକ୍‍କା ଘର ତୋଳିଲା । ମାଇପକୁ ଦେଖିବ କ’ଣ ସୁନା । କୋଡ଼ିଏ ଭରିରୁ କମ୍ ହେବନି । ବେ କ’ଣ ବଡ଼ କାମରେ ଚାଲିଗଲା । ଆଜିକାଲି ନେଇଆଣି ଥୋଇ ଜାଣିଲେ ଚୋରିବିଦ୍ୟା ଭଲ ।

 

ବାବୁ ଖାଲି ମନେ ମନେ ହସୁଥିବେ । ଭରତ ଟିକିଏ ହାଟ ସେପଟକୁ ଯାଇ ତା କାରବାର ଚଳାଇଥିବ । ଭଲ କୁକୁଡ଼ା ଦି’ଟା କିଣିଥିବ । ବାବୁଙ୍କ ପାଦ ଘରେ ନ ପକାଇ କ’ଣ ଛାଡ଼ିବ ? ସଞ୍ଜ ହୁଏ । ହାଟୁଆମାନେ ଘରକୁ ଫେରନ୍ତି । ବାଉରାଣୀମାନେ ଶୁଖୁଆ, ଖଡ଼ା ଓ ମୁଣ୍ଡରେ ପିନ୍ଧିବା ପାଇଁ ଟିକିଲି କିଣି ଘରକୁ ଯାଆନ୍ତି । ସେତେବେଳେ ଅବକାରି ବାବୁ ଛୁଟାନ୍ତି ସାଇକେଲ । ବାଟରେ ଏମିତି ଗୋଟାଏ କଟ୍‍ ଦେଖାନ୍ତି ଯେ ବାଉରାଣୀମାନେ କିଲିକାଲିଆ ହୋଇ ସଡ଼କର ଏପଟ ସେପଟ ହୋଇଯାଆନ୍ତି । ସେଥିରେ ବାବୁ ପାଆନ୍ତି ଗୋଟାଏ ଆନନ୍ଦ ।

 

ମାତ୍ର ଭରତ ଅନୁନୟ କରେ । ବାବୁ ତା’ ଘରେ ରହନ୍ତି । ସେଦିନ ବାବୁଙ୍କୁ ପଞ୍ଚ ମକାର ମିଳେ । ବାବୁ ତୃପ୍ତ ହୋଇ ସକାଳୁ ଫେରନ୍ତି ଅନ୍ୟଆଡ଼େ । ଏଇଟା ବାବୁଙ୍କର ସାତଦିନିଆ ଭୋଗ-

 

ଏତିକି ଭୋଗ ଲଗାଇ ଭରତ ତାର ଠାକୁରଙ୍କୁ ତୃପ୍ତ କରେ । ତାର ଏ ପଥର ଦିଅଁଗୁଡ଼ାକ ଉପରେ ଆସ୍ଥା ନାହିଁ । ସେ ଭାବେ, ପଥରଗୁଡ଼ାକୁ ଯେତେ କହିଲେ କ’ଣ କରିବେ ? ମଣିଷ ହେଲେ ନରନାରାୟଣ । ସେଥିରେ ହାକିମମାନେ ଠିକ୍ ଦେବତା । ଏଇ ଦେବତାମାନଙ୍କୁ ପୂଜା କରି ଭରତ ପେଟ ପୋଷୁଚି । ଘରେ ଦୁଇ ଦୁଇଟା ସ୍ତ୍ରୀ, ପିଲାପିଚିକା ସବୁ ଚଳାଇଚି । କେବଳ ସେତିକି ନୁହେଁ, ନିଜେ ବି ଶ୍ୱାସରୋଗରୁ ଆରାମ ଲାଭ କରୁଚି କଳାକୃଷ୍ଣ ସେବା କଲା ଦିନଠୁଁ ।

 

ଗଉରା ବି ଭରତର ଗୋଟାଏ ପ୍ରିୟ ଲୋକ । ସେ ଗଞ୍ଜେଇ ଯୋଗାଏ ଭରତକୁ । କଞ୍ଚାପତ୍ରର ଗ୍ରାହକ କେତେ ଥାନ୍ତି । ସେଥିରେ ଭରତର ବେଶ୍‍ ଦି ପଇସା ହୁଏ । ଗଉରା ଆଜି ଠାବ ଉଣ୍ଡି ପହଞ୍ଚିଛି । ଧରମୁ ସାହୁର ମୁହଁ ବଢ଼ିଯାଉଚି । ତାକୁ ପାନେ ନ ଦେଲେ ହବନି । ଗଉରା କହିଲା–ମୁଁ ତାର ତାଳ ବଣରେ ଗଞ୍ଜେଇ ଲଗେଇଚି । ସେଥିରୁ ଗୋଟାଏ ଗଛ ନେଇ ତା’ ବାରିରେ ହାଣ୍ଡି ସହ ଲଗାଇଦେବି । କିଛି ମଉଳିବନି । ବାବୁ ସକାଳୁ ସକାଳୁ ପହଞ୍ଚିବେ । ପୁଅ ଥଣ୍ଡା ହୋଇଯିବ । କିଛି ନ ହେଲେ ପାଞ୍ଚ ଶହ ସାତ ଶହ ହଗିବ ତ !

 

ବାବୁ ବି ଭାରି ଖୁସି । ଡାଏରୀ ଲେଖିବାକୁ ସୁବିଧା । ଭରତ ଗାଁରେ ରହିବାର କାରଣ କେସ୍‍ ଅନୁସନ୍ଧାନ । ବାବୁ ସେଦିନ ଚୋସ୍ତ ଖାଇଲେ । ଭରତଙ୍କ ତରୁଣୀ ଭାର୍ଯ୍ୟାଙ୍କୁ ଉପଭୋଗ କଲେ । ସେଇଟା ତ କରିବା ପାଇଁ ଭରତ ଦୁଇ ଦୁଇଟା ମାଇପ ବାନ୍ଧିଛି । ନଇଲେ ଭରତର ଧିଅ ଯାହା ସେ ଗୋଟାଏ ଭାରିଯା ରଖିବାକୁ ଅନୁପଯୁକ୍ତ ।

 

ଶୀତ କମି ଚୋରାବସନ୍ତ ଟିକିଏ ଟିକିଏ ବହିଲାଣି । ହେଲେ ବି ଧରମୁଙ୍କର ଧାନକଟା ସରିନି । ଧାନକଟା ଚାଲିଥାଏ । ତରୁଣୀମାନଙ୍କର ମତାଣିଆ ଗୀତ । ଚର ଚର ଧାନ କଟା ଚାଲିଛି-। ସାହୁଏ ଖଣ୍ଡିଏ ଛୋଟ ଖଟିଆ ପକାଇ ମଉଜରେ ଗୀତ ଶୁଣୁଛନ୍ତି । ଅଜା ଭାବରେ କେତେବେଳେ କେଉଁ ବାଉରାଣୀ ଝିଅକୁ ଦିପଦ ନକଲିଆ କଥା ଶୁଣାଉଥାନ୍ତି । ବାଉରାଣୀ ଝିଅମାନେ ଏବେ ଗୋଟିଏ ନୂଆ ଗୀତ ବାନ୍ଧିଛନ୍ତି । ସେ ଗୀତର ମର୍ମ–ଭୁଆକୁ ବିଲେଇ କାମୁଡିଦେଲା । ମନକୁ ପାଇଲାନି ବୋଧେ । ଭୁଆଟା ବୁଢ଼ା ହୋଇଗଲାଣି । ଏଇଟା ଜେମିକୁ ଦେଖେଇ ସମସ୍ତେ ଗାଆନ୍ତି । ସେତେବେଳେ ଧରମୁ ମୋଟେ ରାଗନ୍ତିନି । ସେ ଗୀତ ଶୁଣିଲେ ତାଙ୍କ ଇହରେ ପ୍ରେମର ମନ୍ଦାକିନୀ ପ୍ରବାହିତ ହୁଏ । ସେ ସ୍ୱପ୍ନବିହ୍ୱଳ ହୋଇ ମନେ ମନେ ଉପଭୋଗ କରନ୍ତି ଜେମିର ଚମ୍ପକଗୌର ପୃଥୁଳ ଦେହ ।

 

ଏଇପରି ଉପଭୋଗ କରୁଥିବାବେଳେ ନାରଣ ମଳିକର ଭୟ ବିହ୍ୱଳ ଡାକରେ ଚମକି ପଡ଼ିଲେ ଧରମୁ । ନାରଣ କହିଲା–ସାହୁ, ବେଗି ଚାଲ । ଅବକାରୀ ବାବୁ ଦଳେ ପିଅନ ଧରି ତୁମକୁ ଡାକୁଛନ୍ତି । ଧରମୁ ବିଚଳିତ ହେଲେ । ତଲାସ କଲେ ଅଫିମ ବି ବାହାରିବ । ହଉ, ଟଙ୍କା ଥୋଡ଼ାଏ ଧରାଇଦେଲେ ପଳାଇବ ଯେ ।

 

ମାନିଆକୁ ସଙ୍ଗରେ ନେଇ ଧରମୁ ଚାଲିଲେ । ଲମ୍ବାଚଉଡ଼ା ନମସ୍କାର କରି କହିଲେ–ବସନ୍ତୁ । ମାନିଆକୁ କହିଲେ–ଦେ, ପଇଡ଼ ଦି’ଟା ତୋଳ । ଏତେ ଦିନେ ବାବୁଙ୍କ ପାଦ ପଡ଼ିଚି ।

 

ବାବୁ ବଡ଼ ଗମ୍ଭୀର । ଚାଲ ତୁମ ବାରିଆଡ଼େ । ଲୋକେ ଘେରି ଗଲେଣି । ଭରତ, ଗଉରା ବି ଆଗେଇ ଚାଲିଥାନ୍ତି । ସମସ୍ତେ ଗଲେ । ଚାରି ଫୁଟର ଗଞ୍ଜେଇ ଗଛ ବାରିଆଡ଼େ ପୋଖରୀହୁଡ଼ା ବରକୋଳି ଗଛ ପାଖରେ । ଧରମୁଙ୍କ ଆଖି ଖୋସି ହୋଇଗଲା । ସେ ତ ଏ ଗଛ ଲଗାଇ ନାହାନ୍ତି । କ’ଣ ମାନିଆ ଏପରି କରିଚି ? ନା, ମାନିଆ ତ ସେପରି ପିଲା ନୁହେଁ । ଏମାନ ତ ସେ ଖାଏନି ।

 

ବର୍ତ୍ତମାନ ବାବୁ ହାତକଡ଼ି ବାହାର କଲେ । ଧରମୁଙ୍କ ହାତରେ ବନ୍ଧାହେବ । ମାନିଆର ଦେହ ଜଳିଗଲା । ହିଂସାରେ କିଏ ଏମାନ କରିଚି । ହେଲେ ସେ ଥାଉଁ ଥାଉଁ ସାହୁ ତାର ବନ୍ଧା ହେବ । ଆଗକୁ ଆସି କହିଲା– ସେଇଟା ମୁଁ କରିଚି ମୋତେ ବାନ୍ଧ । ସମସ୍ତେ କାବ ହୋଇଗଲା । ମାନିଆ କାହିଁକି ଜାଣି ଜାଣି ବିପଦକୁ ବରଣ କରୁଛି । ବାବୁ କହିଲେ ନା ନା ଯାହା ବାରିରୁ ବାହାରିଲା ଆମେ ତାକୁ ଧରିବୁ ।

 

ଧରମୁ କହିଲେ–ଘରକୁ ଚାଲନ୍ତୁ । ନାରଣ ମଳିକଲୋକ ମାନଙ୍କୁ ଘଉଡ଼ାଇ ଦେଲା । ଧରମୁ ଗଣି ଗଣି ଦେଲେ ଶହ ଶହ ପାଞ୍ଚ ଶହ ଟଙ୍କା । ବାବୁ ଟିକିଏ ବାଗେଇଦେବେ । ଗଞ୍ଜେଇ ଗଛ ମାନିଆ ବାରିରୁ ବାହାରିଲାତାକୁ ଯେମିତି ଖାଲି ଜୋରିମାନା ହୋଇଯିବ । ସେତିକି ଧରମୁ ଦେବେ । ତାର ସମ୍ମାନଟା ଯେମିତି ବାବୁ ରକ୍ଷା କରିବେ ।

 

ପାଞ୍ଚଶହ ଟଙ୍କା କିଏ ଛାଡ଼େ । ମାନିଆ ହାତରେ କଡ଼ି ବନ୍ଧା ହୋଇ ଚାଲାଣ ହେଲା । ସାହୁଏ ପଛେ ପଛେ ଟଙ୍କା ବିଡ଼ା ଧରି ବାହାରିଲେ ଜାମିନରେ ଆଣିବା ଲାଗି ।

 

ଗାଁଯାକ ହାଲୋଲ ପଡ଼ିଗଲା । ମାନିଆ ସାହୁ ଲାଗି କି କାମ କରିଚ ଯେ ସାହୁ ତାକୁ ଏତେ ଭଲ ପାଏ !

 

ଗଉରା କୁରୁଳୁଛି । ହସ ମାସ । ଠିକ୍‍ ହୋଇଚି । ଧରମୁ ସାହୁ ଟଙ୍କା ହଗିଚି । ମାନିଆ ବନ୍ଧା ହୋଇଯାଇଚି । ଆଜି ଜେମିର ସାହାପକ୍ଷ କିଏ ? ଗଉରା ।

 

ରହ ଲୋ ଜେମି ଆଜି କାହାପାଖେ ଏ ରୂପବିଭବ ଅଜାଡ଼ି ଦେବୁ ? ଏକମାତ୍ର ଗଉରା ଆଜି ତୋ ରୂପରେ ପାଗଳ । କଞ୍ଚା ଗଞ୍ଜେଇପତ୍ର ବାଟି ଟିକିଏ ଆଜି ନ ପିଇଲେ ଗଡ଼ ଜିଣିଲା ପରି ଲାଗିବ କିମିତି ।

 

ସୁଲୋଚନାଙ୍କ ଆଖିରେ ଲୁହ । ମାନିଆ ଛେଉଣ୍ଡ ପିଲା । ହାତରେ ତାର କଡ଼ି । ମାହାପୁରୁ, ସାହାପକ୍ଷ ହୋଇଥିବ।

 

ଜେମି ମନରେ ଟିକିଏ ହେଲେ ସୁଖ ନାହିଁ । କିଏ ପୋତିଲା ଗଞ୍ଜେଇ ଗଛ, କିଏ ବନ୍ଧା ହେଲା ? ସାହୁକାରର ମାନ ମହତକୁ ଜଗିବାକୁ ମାନିଆ ଏପରି ବିପଦକୁ ନିଜେ ବରିଲା । ପ୍ରଭୁ ଭକ୍ତି ମାତ୍ର ମିଛ କହିନି ତ । ଏ ଯୁଗରେ ଧର୍ମ ନାହିଁ ? ଧର୍ମ ଥିଲେ ନିର୍ଦ୍ଦୋଷ ପ୍ରାଣୀ ଏପରି ଅସୁବିଧାରେ ପଡ଼ନ୍ତେ । ଧର୍ମ ନାହିଁ ବୋଲି କହିପାରିବନି । କିଏ ଜାଣେ ମାନିଆର ଉଦ୍ଦେଶ୍ୟ ।

 

ଭାବନାର ଏ ଗୋଲକଧନ୍ଦା ଭିତର ଦେଇ ଜେମି ତାର ଖଜୁରୀ ପଟ ଉପରେ ଗଡ଼ପଡ଼ ହେଉଚି । ମା ବୁଢ଼ୀ ଶୋଇଚି ଦାଣ୍ଡ ଘରେ । ସବୁବେଳେ ସେଇଠି ଶୁଏ । କିଏ ଜଣେ ତ ବୁଢ଼ୀ ସଙ୍ଗେ କଥାଭାଷା ହେଲାଣି । ଏଇ ବୁଢ଼ୀଟା ମା’ ହୋଇ ନିଜ ଝିଅକୁ ଅସତ୍‍ ପଥରେ ଯିବାକୁ ସବୁବେଳେ ଚେଷ୍ଟା କରୁଛି କେମିତି ? ଯେଉଁ ଧରମୁ ସାହୁ ତାର ଏତେ ଅବସ୍ଥା କରିବାକୁ ଯାଉଥିଲା, ପୁଣି ତା’ ଘରେ ଚାକିରି କରାଇଲା । ମାନିଆ ପରି ଯୁବା ସଙ୍ଗେ ଅପଡ଼ । ଏବେ ମାନିଆଅ ଜେଲ ଗଲେ ଧରମୁ ଜେମି ଉପରେ କି ଅତ୍ୟାଚାର କରିବ କେଜାଣି, ଏ ତ ଗଉରା ର ପାଟି । ତାକୁ ଘରେ ପୂରାଇଚି କାହିଁକି ? ଜେମି ଛପି ଛପି ଯାଇ ବାହାରେ ଶୁଣିଲା ଗଉରା ଗପି ଚାଲିଛି । ଦେଖିଲୁ ମାଉସୀ ଗଉରା ବୁଦ୍ଧି କି କେହି ପାରିବେନି । ମାନିଆ ଶିଖାରେ ପଡ଼ି ଜେମି ସିନା ମୋ ନାଁରେ ମିଛ କହିବାରୁ ମାନିଆ ଖସିଗଲା । ହେଲେ ଜିମି ଉପରେ ମୋର ରାଗ ନାହିଁ ଏବେ ଦେଇଚି ପାନେ ।

 

ବୁଢ଼ୀ ମଶାଟିଏ ବାଡ଼େଇ କହିଲା ପୁଅ, ସେ ବରଗଛ ମୂଳେ କେବେ ଆମେ ଗଞ୍ଜେଇ ଗଛ ଦେଖି ନଥିଲୁ । ଆଜି କୁଆଡ଼ୁ ଆସିଲା । ଗଉରା ହସି ହସି କହିଲା ତୁ ତ ବିଶ୍ୱାସୀ ଲୋକ ତୋ ଠି କ’ଣ ଲୁଚେଇବି ? ସାହୁର ତାଳ ବଣରେ ମୁଁ ଗଞ୍ଜେଇ ଗଛ ଲଗେଇଛି । ହଇରାଣ କରିବାରୁ ସେଥିରୁ ନେଇ ଗୋଟାଏ ଲଗେଇଲି । ଖାସ ଜେମିଲାଗି କଲି ମାଉସୀ, ସାହୁକାରର ବହପ ବଢ଼ି ଯାଉଚି ।

 

ବୁଢ଼ୀ କହିଲା ମାନିଆ ପିଲାଟା ଏଥିରେ ନାହିଁ । ବିଚାରା ହାତକଡ଼ି ପାଇଲା । ଗଉରା କହିଲା ସେଇଟା ଦୋଷ । ସାହୁ ସୁଆଗ ଦେଖେଇ କହିଛି । ପାଉ । ମାନିଆଟା ଏଥିରେ ସିନା ନାହିଁ କହୁଛି, ନ ହେଲେ ତାର ବହୁତ ଦୋଷ ରହୁଛି । ଭଗବାନ ସବୁଥିରୁ ସବୁଥିରୁ କରିକି ଏକାବେଳକେ ଦେଖାଏ ନା ।

 

ଆଉ କ’ଣ ମାଉସୀ ଏବେ ଜେମିଟାକୁ ମୋ ହାତରେ ଛନ୍ଦି ଦେ । ଏକୁଟିଆଟା କେତେ ଚଳିବି, ମୁଁ ତୋତେ ବି ପୋଷିବି ।

 

ବୁଢ଼ୀ କହିଲା– ବଢ଼ିଲା ଝିଅ । ତାର ମନଜାଣି ସିନା କାହାକୁ ଦେଇଦେବି । ତୁ ତା ମନା ।

 

ଗଉରା ପୂରା ମୁରବି ସାଜି ଚାଲିଲା ଜେମିଆଡ଼େ । ଜେମି ସେତେବେଳକୁ ଚାଲିଗଲାଣି-। ଜେମି ଜାଣିଚି ଗଉରା ଆସିବମାନେ ବିପଦ । ତାର ଶୋଇବା ଘରେ ଲୁଗାଟିଏ ସଜେଇଦେଲା କିଏ ଶୋଇବ ପରି । ନିଜେ ଯାଇ ଖଣ୍ଡିଏ ହେଁସ ଭିତରେ ଲୁଚିଗଲା । ଗଉରା ଯାଇ ଦୁଆର ମୁହଁରେ କହିଲା ଜେମି ମୁଁ ଜାଣେ ତୁ ରାଗିଥିବୁ ଲୋ, ହେଲେ ସେଦିନ ରାତିରେ ମୁଁ ଆଇଥିଲି ବା ଆଇଥିଲି । ତୋଠାରେ ମୋର ଭାରି ମନ । କହ କାଲି ବାହା ହୋଇ ପଡ଼ିବା ତା’ ହେଲେ ଧରମୁ ସାହୁକୁ ଠିକ୍‍ କରିପାରିବା ଲୋ ।

 

ଜେମି ତୁନି ପଡ଼ିବା ଦେଖି ଗଉରା ଭାବିଲା–ମଉନେ ସମ୍ମତି ଲକ୍ଷଣ ବୋଲି ପଠୁଆମାନେ କୁହନ୍ତି । ଜେମି ରାଜି ବୋଧେ ହଉ ଯାଉଚି ଲୋ ଜେମି !

 

ଇମିତି କହି ଗଉରା ଫେରୁଥାଏ । ପଛଆଡ଼ୁ ଅନ୍ଧାରଟାରେ ଭୀଷଣ ଚିତ୍କାର କରି ଜେମି ଧାଇଁ ଆସି ଗଉରାକୁ ରାମ୍ପୁଡ଼ି ଦେଲା । ଇଲୋ ମା ଲୋ ତୋ ଘରେ ପିତୁଣି ଲୋ ମାଉସୀ କହି ଚିରାକେ ଦଉଡ଼ି ଗଲା ଗଉରା । ତାର ପିଳେହେ ପାଣି ଜେମି ବୋଉର ଛାତିଟା ବି ଦପ୍‍ ଦପ୍‍ ପଡ଼ୁଥାଏ । ଆଲୋ ମୋ ଝିଅ କୁଆଡ଼େ ଗଲା ? ଏଇ ପେତେଣି ଟ ମୋ ବଡ଼ ଯାଆ । ବହୁତ ଦିନ ହେଲା ନଥିଲା, କିଳା ମରା ହୋଇଥିଲା, ବୋଧେ ଫିଟିଗଲାଣି କି କ’ଣ ? ଆଲୋ ଜେମି ଜେମି !

 

ଜେମି ସେତେବେଳକୁ ପ୍ରକୃତିସ୍ଥ ହୋଇସାରି କହୁଛି କ’ଣ ବୋଉ କ’ଣ ? ବୁଢ଼ୀ କହିଲା–ଆଲୋ ଝିଅ, ଗଉରା ତୋତେ କ’ଣ ପଚାରି ଆଇଥିଲା । ଫେରିଲାବେଳକୁ କ’ଣ ପେତେଣି ମାଡ଼ିବସିଲା ।

 

ଜେମି କହିଲା –ମୁଁ କିଛି ଜାଣିନି । ମୋତେ ତ ନିଘୋଡ଼ ନିଦ । ଗଉରା କାହିଁକି ଆସିଥିଲା ?

 

ବୁଢ଼ୀ ଟିକିଏ ଥଙ୍ଗେଇ ଥଙ୍ଗେଇ କହିଲା କ’ଣ ସେ କହୁଛି ତୋତେ ବାହା ହେବ ବୋଲି ତୋତେ । ତୋର ସେତିକି କାମ ସରିଲେ ମୁଁ ଆଖି ବୁଜିବି ।

 

ଜେମି କହିଲା– ବୋଉ, ତୁ ଏମିତି ଏଣୁ ତେଣୁ ଲୋକଙ୍କୁ ଘରେ ପୂରାନା । ମୋର ବିଭା କଥା ଏତେ ଭାବନା । ମୁଁ ସେକଥା ମୋର ବୁଝିବି । ମାତ୍ର ଆଜିଠୁ ଯଦି ଦେଖେ ତୁ ଏଣେ ତେଣେ ଲୋକଙ୍କୁ ଘରେ ପୂରାଉ ମୁଁ, ଏ ଘରେ ନିଆଁ ଲଗେଇଦେବି । ମୁଁ କିଛି ମାନିବିନି । ମା’ ବୋଲି ଟିକିଏ ଡରିବିନି । ମୋତେ ସେ ସବୁ କଥା ଭଲ ଲାଗୁନି ।

 

ବୁଢ଼ୀ ଡରିଗଲାଣି । ବୁଢ଼ୀର ଗୋଟାଏ ଭିନ୍ନ ଆଶା ଥିଲା । ଝିଅର ଯୌବନ ବିକି କିଛି ପଇସା କମେଇବ । ପରେ ଝିଅଟିକୁ ଟେକି ଦେଇ ନିଜେ ଶେଷ ସମୟତକ ଚଳିବ । ବଡ଼ କୁତ୍ସିତ ଧାରଣା । ମାଆ ହୋଇ ଏପରି କଳ୍ପନା କେହି କରିପାରେ? ଗରିବ ହେଲେ ଏପରି ରୋଗ ବାହାରେ । ଘରର ମୁନିବ ଢିଲା ହେଲେ ଏପରି ହୁଏ । କେତେକଙ୍କର ପ୍ରକୃତିଗତ ଦୋଷ ବି ଥାଏ-

 

ସମସ୍ତେ ଜେମି କୁ କହନ୍ତି ଡବଡ଼ବି ଦାରି । ମାତ୍ର ସେ ଧାରଣା ଠିକ୍‍ ନାହିଁ । ଯାହା କିଛି ହୀନକାମ ପୁରୁଷ ତାଉପରେ କରିଚି ତାର ସଂଜ୍ଞାହୀନ ଅବସ୍ଥାରେ । କିନ୍ତୁ ଜାଣିଶୁଣି ସେ ଏମିତି ହୀନ କାମକୁ ପ୍ରଶୟ ଦେଇନି । ପ୍ରତିରୋଧ କରିଚି ତାର ସହଜ ସମ୍ଭବ ଅବସ୍ଥାରେ । ସମାଜ ତ ତାକୁ ଅବଳା କରି ଗଢ଼ିଛି । ତାର ପ୍ରତିଶୋଧ ଶକ୍ତିକୁ ଚପାଇ ଦେଇଚି । ତାକୁ ଭୋଗବିଳାସର ବସ୍ତୁ କରିଚି । ପଇସା ଲୋଭ ଦେଖାଇ ତାର ଚରିତ୍ରରେ କାଳିମା ବୋଳିଛି । ବେଶ୍ୟାଳୟକୁ ପ୍ରଶୟ ଦେଇଚି । ନିଶାଖୋର, ମତୁଆଲ ହୋଇ ନରକର ଲୀଳାକୁ ଆଖିବୁଜି ମାନି ନେଇଚି ।

 

ସମାଜର ଯଦି ସତସାହାସ ଅଛି, ପୁରୁଷ ର ଯଦି ସତଚାରିତା ଅଛି, ସରକାରଙ୍କର ଯଦି ପ୍ରଗତିଶୀଳ ମନୋଭାବ ଅଛି, ତେବେ ବେଶ୍ୟାଳୟ ଭାଙ୍ଗି ଦେଉନି ! ନିଶାକୁ ପୂରା ବନ୍ଦ କରିଦଉନି ! ଜେମିକୁ ପ୍ରତିରୋଧ କରିବାର ଶକ୍ତି ଦେଉନି !ସ୍ୱାଧୀନ ଭାବରେ ଇଚ୍ଛା ବରଣ କରିବାକୁ ଦଉନି ! ପ୍ରେମ କରିବାର ଅଛି ହୃଦୟକୁ ଜୟ କରୁନି !

 

ଗଉରା ପରି ହୀନ ସାହୁ ପରି ହୀନ ପନ୍ଥା କ’ଣ ? ପଶୁ ପ୍ରବୃତ୍ତି କ’ଣ ? ଚୋର ପରି ଲୁଚାଲୁଚି କ’ଣ ?

 

ଜେମି ଯେପରି ପାଗଳୀ ଉନ୍ମାଦିନୀ । ପ୍ରଳାପ କରୁଛି ସେ । ମା’କୁ ଦେଇଚି ଚେତାବନୀ-। ଧରମୁ ଗଉରାର ସପ୍ତପୁରୁଷ ଉଦ୍ଧାର କରୁଛି ତାର ରାହାବାଣ । କତୁରୀ ଦାଢ଼ ମୁହଁରେ-। କେତେବେଳେ ପାଗଳୀଙ୍କ ପରି ଉଚ୍ଚାଟ ହୋଇଉଠିଚି– ମାରିବି, ଖାଇବି, ହାଣିବି, କାମୁଡ଼ିବି, ରାମ୍ପୁବି । ଡେଇଁଚି ଯେତିକି ଆଖି କଟମଟ କରି ଦଉଡ଼ିଚି ସେତିକି ।

 

ଜେମି ବୋଉ ଭୀଷଣ ଡରିଯାଇ ସାହିଯାକ ଡାକି ପକାଇଲା । ସମସ୍ତେ ଦେଖିଲେ । କିଏ କହିଲେ– ଉନ୍ମାଦ । କିଏ କହିଲା–ଜେମି ଡରିଚି କେଉଁଠି । ସେତେବେଳେ ଗଉରା କହି ପକାଉଥାଏ–ମୁଁ ପରା ଯାଇଥିଲି ଯେ ଡରି ପଳାଇ ଆସିଲି । କିଏ ଗୋଟାଏ ରାମ୍ପୁଡ଼ି ପକାଇଲା, ସେହି ପେତେଣୀ ବୋଧେ ପ୍ରବେଶ ହୋଇଚି ତା’ଠେଇଁ ।

 

ସେତିକିବେଳେ ଜେମି ନାଚି ନାଚି ଦଉଡ଼ିଗଲା ଗଉରା ଆଡ଼େ–ତୁ ବେକୁବ୍‍, ତୁ ଠକ । ପର ଝିଅକୁ ଅନଉଛୁ । ମିଛ ମକଦ୍ଦମା ଗାଁରେ ଲଗଉଛୁ । ତତୋ ମୁଁ ଆଗ ଖାଇବି । ମୁଁ ଝାଡ଼ଖାଈ-। ମୁଁ ନ ମାତିବାରୁ ତମର ବହପ ବଢ଼ି ଗଲାଣି ।

 

ଗଉରା ପ୍ରାଣରେ ଆତଙ୍କ । ‘‘ନାଇଁ ଲୋ ମାଆ, ତୁ ଶାନ୍ତ ପଡ଼ିଯା । ଗୋଟିଏ ବୋଦା ଦେବି।’’

 

ବୋଦା ଦବୁ, ଦବୁ ବୋଦା ମୁଁ ଖାଏ ? ତୋରି ପରି ଅପଦାର୍ଥମାନେ ମୋ’ଠାରେ ବୋଦା ପକାନ୍ତି । ମୁଁ ତୋତେ ଖାଇବି । ତୁ ଯଦି କ’ଣ ପାପ କରିଚୁ ନ କହୁ ଖାଇବି । ତେବେ ଗାଁରୁ ପାପ ଯିବ । ଆଉ ସେ ଧରମୁ ସାହୁ, ବୁଢ଼ାର ବହପ ବଢ଼ୁଚି । ତାକୁ ବି ଟିକିଏ ଦେଖିବି ।

 

ଆରେ, ମୁଁ ଅନାଥରେ ବନ୍ଧା ରେ ! ଆରେ, ମାନିଆର କୁଡ଼ିଆ କାହିଁକି ପୋଡ଼ିଲ ରେ ! ତୁମର କୁଡ଼ିଆ ସବୁ ପୋଡ଼ିଯିବ, ବାଡ଼ି ପେଶିବି । ବସନ୍ତ ଠାକୁରାଣୀକୁ ଡାକିବି । ପୁତେ, ଧର୍ମରେ ଚଳରେ ନ୍ୟାୟରେ ଚଳ । ଇମିତି କାହିଁକି ଅହନ୍ତା କରୁଛ ?

 

ଅଚେତ ହୋଇପଡ଼ିଲା ଜେମି । ମାନସିକ ବିକାର । ମାତ୍ର ଦୁଷ୍ଟମନରେ ଆସିଲା ଗୋଟାଏ ଦକ ।

 

ବସନ୍ତର ମନ୍ଦ ମଳୟ । ବୃକ୍ଷରାଜି ନବ ପଲ୍ଲବିତ । ମିଳନର ଉନ୍ମାଦ ନେଇ ତରୁଣ-ତରୁଣୀ ଆଗଭର । କମି କିନ୍ତୁ ଆଶାଶୂନ୍ୟ । ବାପା ପଇସାରୁ କିଛି ତ ପାଇ ନଥିଲା । ବାପା ତ ଅଧିକ ଉଡ଼ାଇ ଦଉଥିଲା ନିଶା ପାଣିରେ । ନିଜ ପଇସାରୁ ଖେଣ୍ଟି କରି ଯାହା କିଛି ରଖିଥିଲା ମାନିଆର ମିଳନ ପାଇଁ ସେତିକି ଶେଷ । ବାପର ମାତାଲ ହେବାର ଫଳ । ବହୁତ ସେବା ଓ ତା’ ଉପରେ ବହୁ ପଇସା ବ୍ୟୟ ପରେ ବାପ ଜୀବନ ଧରି ଡାକ୍ତରଖାନାରୁ ଫେରିଚି । ବାପା ଛଡ଼ା ଏକ୍ଷଣି ଦୁନିଆରେ ଆପଣାର କିଏ ଅଛି ? ସେଥିପାଇଁ ସର୍ବସ୍ୱ ଖର୍ଚ୍ଚ କରି କମି ଫେରାଇ ଆଣିଚିବାପକୁ ତାର ଯମ ମୁହଁରୁ ।

 

କମି ବାପାକୁ ଭଲ ଖାଇବାକୁ ଦଉଚି । ବହୁତ ବୁଝାଇଚି ନିଶା ଛାଡ଼ିବାକୁ । ରଥିଆ ବି ବୁଝି ପାରିଚି । ଝିଅକୁ ଧରି ସେ କାହିଁକି ଆସିଥିଲା ଟାଟା ? କ’ଣ ଝିଅକୁ ଖଟାଇ, ନିଜେ ଖଟି ସବୁ ପଇସାରେ ନିଜର ମଦ ଖର୍ଚ୍ଚ ଉଠାଇବାକୁ ? ସର୍ଦ୍ଦାରକୁ କିଏ ନ ଚିହ୍ନେ ? ଯେଉଁଥିପାଇଁ କମିକୁ ଏତେ ଅନୁଗ୍ରହ ଢାଳି ଦେଇଚି, ସେ କଥା କ’ଣ ରଥି କରେଇଦେବ ? ବାଉରିକୁଳ ବୋଲି କ’ଣ ଗୋଟେ ସମ୍ମାନ ନାହିଁ । ଏ ଯୁଗରେ ବାଉରି କ’ଣ? ବ୍ରାହ୍ମଣ କ’ଣ ? ସମସ୍ତେ ମଣିଷ । ସମସ୍ତେ ଭୋଟ ଦେବା ଅଧିକାର ପାଇଛନ୍ତି । ଅବୈଧ ପ୍ରଣୟ ପାଇଁ କେବେ ସର୍ଦ୍ଦାର ଶିକାର କରାଇ ଦେବନି ରଥିଆ । ଆଉ ନିଜେ କ’ଣ ଗେଲି ସଙ୍ଗେ ଭାବ ରଖିବ ? ଛି, ସେମିତି କଲେ କେଉଁ ଆର୍ଦଶ ରଥିଆ ଦେଖେଇବ ସେମିତି ହେଲେ ଲୋକ କହିବେ–

 

ଦିନବେଳେ ହରିମନ୍ଦିର ଚିତା

 

ରାତି ହେଲେ ତାକ୍‍ ଧିନିତା ।

 

ସେ ଗୋଟାଏ ଦୁର୍ବଳ ମୁହୂର୍ତ୍ତ । ମଣିଷର ବାସନା । ସେ ମଣିଷ ଖୋଜେ । ସେ ସବୁ ଛାଡ଼ି କେତେଜଣ ବାବାଜୀ ହେବାକୁ ଚାହାନ୍ତି । ବାବାଜୀ ହୋଇଗଲେ ଗେରୁଆ ଲୁଗାପିନ୍ଧା ଭଣ୍ଡ ଲୋକ ନୁହଁନ୍ତି । ଯେ ତ୍ୟାଗୀ, ଯେ ସବୁ ଭୋଗ ଛାଡ଼ି ଇଶ୍ୱର ଆରଧନା କରେ । ରଥିଆ ସେପରି ହେବାକୁ ଆଶା ରଖିନି । କମି ବୋଉର କାଳ ହେବା ପରେ ମନରେ ତାର ଗୋଟେ ବୈରାଗ୍ୟ ଆସି ଯାଇଥିଲା ସେଥିପାଇଁ ଆଉ ବାହା ହୋଇନି । ନ ହେଲେ ବାଉରି କୂଳରେ ତାକୁ ଦ୍ୱିତୀୟ ହେବାକୁ ପଡ଼ିଥାନ୍ତା । ଏକାକୀ ନିଃସଙ୍ଗ ଜୀବନକୁ ସରସ କରିବା ପାଇଁ ସଙ୍ଗ ମେଳରେ ପିଇଲା ମଦ । ଖରାପ କଥା ତ ପ୍ରଥମେ ଭଲ ଲାଗେ । ଆହୁରି ଆହୁରି କରିବା ପାଇଁ ଲୋକକୁ ମତାଏ । ସେଇ ସୁଅରେ ଭାସିଗଲା । ସେଇ ପାପକୁ ବଢ଼ାଇଦେବାକୁ ଗେଲୀ ନାନା ସଜ ହୋଇ ରଥିଆର ମନଟା ବିଚଳିତ କରିଦେଇ ଟାଣି ନେଇଥିଲା ନରକ ପଥକୁ ।

 

ଏବେ ଠିକ୍‍ ହୋଇଛି । ବେଳ ଉଣ୍ଡି ସେ ପାନେ ପାଇଚି । ଯେ ମାଡ଼ ଦେଉ, ସେ ତାକୁ ଦୋଷିବନି । ଦଣ୍ଡିବନି । ସେଇ ଯେପରି ତାର ଦେବତା, ଗୁରୁ । ଗୋଟାଏ ଦିଗ ଦେଖେଇ ଦେଇଛନ୍ତି ।

 

ଆଜି ଶପଥ ନେଲା । ରଥିଆ ସୂର୍ଯ୍ୟଙ୍କୁ ଅନାଇଲା । ଝିଅ ମୁହଁଙ୍କୁ ଚାହିଁଲା । ଆଜିଠାରୁ ସେ ମଦ ପିଇବନି, । ଆଉ ତାର ସାଙ୍ଗ ସାଥି ଦେଖି ମନା କରିବ ଏ କାମ କରିବାକୁ ।

 

ଏଇ ମର୍ମରେ ରଥିଆ କାମ ଆରମ୍ଭ କରିଦେଲା । ଭାଟିଦାରର ପଡ଼ିଲା ଭାଳେଣି । ବେଶୀ ମଦ ତାର କାଟତି ଏଇ କୁଲି ମଜୁରିଆ ଶ୍ରେଣୀରେ । ବଡ଼ ବଡ଼ ଲୋକ ବେଶୀ ବିଲାତି ମଦ ନେଉଛନ୍ତି । ଏ ଅବସ୍ଥାରେ ସେ ସରକାରଙ୍କୁ ତାର ଖଜଣା ଦେବ କେମିତି ? ଖାଲି ସେତିକି ତ ନୁହେଁ, ବେଆଇନ୍‍ ପାଉଣା ପୁଣି କେତେ ଦେବାକୁ ପଡ଼ିବ ? ନଇଲେ ପଦେ ପଦେ ବିପଦ ।

 

ଭାଟିଦାର ଏଇ ବିଷୟ ନେଇ ଅବିକାରୀ ବିଭାଗକ ବହୁବାର କହିଲାଣି । ମାତ୍ର ସେମାନେ କ’ଣ କରିବେ ? ରଥିଆ ତ ମଦ ଦୋକାନ ଆଗରେ ପିକେଟିଙ୍ଗ୍‍ କରୁନି । ବାହାରେ ପ୍ରଚାର କରୁଚି । ସେଇଟା ତ ସରକାର ଚାହାନ୍ତି । ନିଶା ତ କ୍ରମେ କ୍ରମେ ଉଠାଇଦେବେ ସରକାରୀ ନୀତି । ଭାଟିଦାର ସବୁଥିରେ ବିଫଳ ହୋଇ ପରେ ରଥିଆକୁ ବହୁତ ଲୋଭ ଦେଖାଇଚି । କହିଛି ସବୁଦିନ ତାକୁ ମାଗଣାରେ ମଦ ପିଇବାକୁ ଦେବ । ସେ ଆଉ ଲୋକଗୁଡ଼ାଙ୍କୁ ମତାଇ ତାର ବ୍ୟବସାୟ ମାଟି ନ କରୁ । ରଥିଆ କିନ୍ତୁ ତା ପାଲରେ ପଡ଼ିନି । ସେ ବୁଝାଇ ଦେଇଚି ଭାଟିଦାର ର ବ୍ୟବସାୟ ଚୁଲି କି ଯାଉ । ତାର ଭାଇମାନେ ମଣିଷ ପରି ରୁହନ୍ତୁ । ପିଲାକୁଟୁମ୍ବ ଧରି ସସମ୍ମାନ ଚଳନ୍ତୁ । ପିଲା କୁଟୁମ୍ବଙ୍କୁ ଉପାସ ପକାଇ ଏଇ ନିଶା ପାଣିରେ ବିନର୍ବୟ କରିବା ନିହାତି ଖରାପ କଥା ।

 

ଭାଟିଦାର ଆହୁରି ଚେଷ୍ଟା କରିଚି ତା ଝିଅ ର ବାହାଘର ପାଇଁ ସବୁ ଖର୍ଚ୍ଚ ବହନ କରିବ-

 

ପରର ଟଙ୍କାରେ ରଥିଆ ଝିଅ ବାହା କରି କନ୍ୟାଦାନ ପୁଣ୍ୟ ଅର୍ଜ୍ଜନ କରିବ । ଲାଭ କ’ଣ ? ତାରି ଅର୍ଜ୍ଜନରେ ସେ ସୁବିଧାରେ ଚଳିଲେ ଝିଅଟାକୁ କ’ଣ ବାହା ଦେଇପାରିବନି ? ଏବେ ସିନା ତାର ଅଯୋଗ୍ୟ ପଣରୁ ତାର ସବୁ ଯାଇଚି । ତଥାପି ବାହୁ ଅଛି । ସେ ଲାଗିଯିବ କାମରେ । ଝିଅ ବୋଝ ଶେଷ କରି ରଥିଆ ତୀର୍ଥ କରିବ । ଜୀବନର ଶେଷ ସମୟଟି ପୁରାଣ ପଢ଼ି, ପରର ଉପକାର କଟାଇ ଦେବ ।

 

ସବୁଆଡ଼ୁ ନିରାଶ, ଅର୍ଥହାନି–ଅକଥା ଭାଟିଦାର କୁଆଡ଼ୁ ସମ୍ଭାଳୁଚି ! ସେ ବେଆଇନ୍‍ ପାଉଣା ଦେବା ବନ୍ଦ କରିଚି । ମଦୁଆମାନଙ୍କୁ ଠୁଳ କରି ରଥିଆକୁ କିପରି ନିକାଲିବାକୁ ହେବ ତାର ହୀନ ଉପାୟ କରିଚି । କଥା ହେଲା ଶେଷରେ–କୁଲି ସର୍ଦ୍ଦାର ମଙ୍ଗରାଜଙ୍କୁ ଏ ବିଷୟରେ ପ୍ରଥମେ କୁହାଯିବ । ସେଥିରେ ନହେଲେ ଦେଖିଲା କାମ କିଛି କରାଯିବ ।

 

କାହାର ସ୍ୱାର୍ଥ କିଏ ଛାଡ଼ୁଚି ।

 

ସର୍ଦ୍ଦାର ଏକୁଟିଆ ବସିଛନ୍ତି । ଦିବାସ୍ୱପ୍ନ ଦେଖୁଥାନ୍ତି । ଏଥର କମି ତାଙ୍କ ପାଲରେ ପଡ଼ିବ । ଅଭାବଗ୍ରସ୍ତା । ଟଙ୍କାର ଲୋଭରେ ତାର ରୂପ ଯୌବନକୁ କିଣି ଉପଭୋଗ କରିବ । କମିର କୃତଜ୍ଞତା ସ୍ୱରୂପ ଏଇଟା କରିବା ଉଚିତ । କାରଣ ମଫସଲରେ କେଉଁ ବଣରେ ସଢ଼ି ସଢ଼ି ନଷ୍ଟ ହୋଇଥାନ୍ତା । ପୋଷାକ ପିନ୍ଧି ଆସୁନଥିଲା । କଥା କହି ପାରୁନ ଥିଲେ । ମାର୍ଜିତ ଭାଷା । ତାର ପ୍ରାକୃତିକ ସୌନ୍ଦଯ୍ୟ କୁ କହିବା ଆସୁ ନଥିଲା । ସର୍ଦ୍ଦାର ଦେଇଚି ପୋଷାକ । ମୁହଁରେ ବଢ଼ାଇଛନ୍ତି ସର୍ଦ୍ଦାର । ଆଜି ସେ ସର୍ଦ୍ଦାରଙ୍କ ଇଂରାଜୀ ଭାଷାରେ– ସୁଇଟ୍‍ ରୋଜ । ଯାହାର ଅନୁଗ୍ରହ ରୁ କମି ଆଜି ଏକ ସୁଇଟ୍‍ ରୋଜ ତାଙ୍କ ଉପଭୋଗ କରିବା ପାଇଁ କମିକୁ କିଛି ତ ଦେବାକୁ ପଡ଼ିବ-। ଖାଲି ସେତିକି ନୁହେଁ ତା ର ବାପା ମରିଯାଇଥାନ୍ତା, ପଇସା ଖର୍ଚ୍ଚ କରି ବଞ୍ଚାଇଛନ୍ତି ।

 

ପ୍ରତିଦାନ ଆଶାରେ ଯେଉ ଦାନ ଦିଆଯାଏ, ସେଥିରେ ପୁଣ୍ୟ ଥାଏ କି ?

 

ଭାଟିଦାର ଉପସ୍ଥିତ ହେଲେ । ତାଙ୍କୁ ଦେଖୁଁ ଦେଖୁଁ ସର୍ଦ୍ଦାର କହି ପକାଇଲା–ଆପଣଙ୍କ ବିଲଟି ପଠାଇଦେବେ ।

 

ମସ୍ତବଡ଼ ହେଉଡ଼ି ମାରି ଭାଟିଦାର କହିଲେ ସର୍ଦ୍ଦାର ଦେଇଚି ପୋଷାକ । –ସେଥିପାଇଁ କିଛି ଚିନ୍ତା ନାହିଁ । ସର୍ଦ୍ଦାର ଜୀ ଆଉ ଏକ ବଡ଼ କାମ ରେ ଆସିଛି ।

 

କ’ଣ ? କହି ସର୍ଦ୍ଦାରଜୀ କଫି ଆଣିବାକୁ ମଙ୍ଗୁଳୁକୁ ବରାଦ କଲେ ।

 

ଭାଟିଦାର ଆରମ୍ଭ କଲେ–ଦେଖନ୍ତୁ, ରଥିଆ ଆପଣଙ୍କ ଅଧୀନସ୍ଥ କୁଲି । ସେ ଖୁବ୍‍ ମଦ ପିଉଥିଲା । ମାଡ଼ଖାଇ ଡାକ୍ତରଖାନାରୁ ଫେରିଲା ଦିନୁ ସେ ମଦ ପିଇବା ଛାଡ଼ି ଦେଇଚି । ଭଲ କଥା । ମାତ୍ର ସେ ଅନ୍ୟମାନଙ୍କୁ ମତାଇ ମଦପିଇବା ବନ୍ଦ କରି ଦେଇଚି । ସରକାର ସେ କଥାକୁ କାନଉ ନାହିଁ । ୟାଡ଼େ ନିଲାମ ଯେତିକି ଟଙ୍କା ଧରିଛି ସେତିକି ଟଙ୍କା ନ ଦେଲେ ନଛାଡେ । ଲୋକ ଯଦି ପିଇବାକୁ ନଯିବେ ମୋର ଲାଭ ହେବ କୁଆଡ଼େ ? ଏଣୁ ତାକୁ ଟିକିଏ ଆପଣ ବୁଝାଇଦିଅନ୍ତୁ ।

 

ସର୍ଦ୍ଦାର ଜୀ ହସିଉଠିଲେ । ଏ ଗୋଟାଏ ପୋଖାତ ବୈରାଗ୍ୟ ମିଆଁ ସାହେବ । ସ୍ତ୍ରୀ ଲୋକପିଲାଜନ୍ମ କରିସାରିଲା ପରେ ଯେମିତି ଦୈହିକ ଭୋଗ ଲାଗି ବିରାଗ ଦେଖାନ୍ତି, ରଥିଆ ର ସେହିପରି ହୋଇଥିବ । କିନ୍ତୁ ଦେଖ ମିଆଁ ସାହେବ ସେ ହି ସ୍ତ୍ରୀ ଲୋକ କିଛିଦିନ ଗଲେ ପୁଣି ଦୈହିକ ମିଳନ ରେ ବୁଡ଼ି ରୁହନ୍ତି । ସେପରି ରଥିଆ ରଙ୍ଗ ପାଣୀ ଚାଡିପାରିବନି । ସେ ବିଷୟ ମୁଁ ଦେଖୁଛି ମିଆଁ ।

 

ଭାଟିଦାର ବିଦାୟ ନେଲେ ।

 

ସର୍ଦ୍ଦାରଙ୍କ ପୁଣି ନୂତନ କଳ୍ପନା । କମିକୁ ଶୀଘ୍ର ଉପଭୋଗ କରିବାକୁ ହେବ । ଆଜି ତାକୁ ସାଫ୍‍ସାଫ୍‍ ନିଜର ଅଭିଳାଶ ପ୍ରକାଶ କ୍ରିବାକୁ ହେବ । ଯଦି ସେ ରାଜି ଖୁସି ରେ ଧରା ଦିଏ ତ ଭଲ, ଯଦି ନ ଦିଏ –ତୁନି ପଡ଼ିଗଲେ ସର୍ଦ୍ଦାରଜୀ । କମି ଆସି ପହଞ୍ଚିଗଲା ପଚାରିଲା –। ସର୍ଦ୍ଦାର ଜୀ ଆଜି କି କି ବିଶେଷ କାମ ଅଛି ।

 

ସର୍ଦ୍ଦାର ଅଧୀର । କି ସୁନ୍ଦର କଣ୍ଠ ୟାର । କୋଇଲିର କଣ୍ଠ ଆଣିଚି । ହଳଦୀବସନ୍ତ ରୂପ । ଅଦ୍ଭୁତ ସମାବେଶ । ଏଇଟା ବାଉରି କୂଳରେ କିପରି ଜାତ ହେଲା ? ବାଉରି ଗୋଟାଏ କ’ଣ ? ସେଇ ମଣିଷ ତ ! ପଙ୍କରୁ ପଦ୍ମ ଫୁଟିଛି । କମି ସେଇପରି ଗୋଟେ ସୁଇଟ ରୋଜ ।

 

‘ବିଶେଷ କାମ ଅଛି, ବସ’, କହି ସର୍ଦ୍ଦାର କଫି ଟିକିଏ ପିଇନେଲେ । ତା’ ପରେ କହି ବସିଲେ–କମି, ତୁମକୁ ଆଉ ଚାକରାଣୀ ପରି ରଖିବାକ ମୁଁ ଚାହେଁନି । ମୁଁ ତୁମ ରୂପରେ ପାଗଳ, କମି ! ତୁମକୁ ମୁଁ ଉପଭୋଗ୍ୟ କରିବାକୁ ଚାହେଁ । କ୍ଷତି କ’ଣ କମି ? ତୁମ ଅଧରର ରକ୍ତିମା କେହି ଜଣେ ମଫସଲ ଅସନା ଲୋକ ଉପଭୋଗ କରିଥାନ୍ତା । ତାକୁ ଆର୍ଟ ଜଣା ନାହିଁ, ମାନେ ଉପଭୋଗ କରିବାର ଶୈଳୀ ଜଣା ନାହିଁ ।

 

କମି ସମ୍ଭାଳି ନପାରି କହିଲା–ତୁମ ପରି ସହରୀ ବାଘଠୁଁ କିନ୍ତୁ ସେ ଶତ ଗୁଣରେ ସରଳ ମଧୁର, ସର୍ଦ୍ଦାରଜୀ !

 

ସର୍ଦ୍ଦାରଜୀ ଆଜି ଭାବପ୍ରବଣ ହୋଇ କହିଉଠିଲେ– ସରଳତାର କିଛି ମାନେ ନାହିଁ କମି-! ଦୁନିଆଟା ଜଟିଳ। ଦେଖୁନୁ– କେତେ ରକମ ଦେଶୀ ବିଦେଶୀ ରଙ୍ଗାପାଣି, ଅଫିମ, ଗଞ୍ଜେଇ ଏମାନେ ସରଳ ନା ଜଟିଳ ! କିନ୍ତୁ ଏମାନଙ୍କୁ ଧରି ମଣିଷ କି ସୁଖ ପାଏ ? ସେଇପରି ମୁଁ ରଙ୍ଗାପାଣି, ବିଦେଶୀ ରଙ୍ଗପାଣି ସଙ୍ଗେ ତରୁଣୀମାନଙ୍କୁ ଧରି ଜଟିଳ ଜୀବନକୁ ଉପଭୋଗ କରେ-। ଆଉ ତୁମେ ଅଛ । ଆସ ମୁଁ ତୁମକୁ ସର୍ବୋଚ୍ଚ ଆସନ ଦେବି ।

 

କମି କହିଲା–ସର୍ଦ୍ଦାରଜୀ ତୁମର ଇଚ୍ଛା ପାଇଁ ଧନ୍ୟବାଦ । ମୋ କଥା ଯେ ମାନିବ, ମୁଁ ତାକୁ ଭଲ ପାଇବି । ଭଲ ପାଇବାର ଗୋଟାଏ ଅବସ୍ଥା ଆସିଲେ ମୁଁ ପଶୁତ୍ୱ ପାଖରେ ହାର ମାନିବି-

 

ସର୍ଦ୍ଦାର କହିଲେ–ତୁମେ ଯାହା କହିବ ମୁଁ ମାନିବି ! ହୀରା ନୀଳା ,ମୋତି, ମାଣିକ୍ୟ ଚାହିଁଲେ ମୁଁ ଆଣି ଦେଇପାରିବି ଯଦି ଥରେ ତୁମେ–

 

କମି କହିଲା– ସେ ଗୁଡ଼ା କ’ଣ ହେବ ? ହୀରା ନୀଳା ମୋତି ଯଦି ତମକୁ ଆନନ୍ଦ ଦେଇପାରୁନି, ତୁମେ ଯଦି ତା’ ବଦଳରେ ମୋ ପରି ଜଣେ ଯୁବତୀକୁ ଅଧିକ ମୂଲ୍ୟବାନ୍‍ ମନେ କରୁଛ, ତେବେ ହୀରା ନୀଳା କ’ଣ ମୋ ଠାରୁ ବେଶୀ ଲୋଭନୀୟ ସର୍ଦ୍ଦାରଜୀ ! ସେ କଥା ନୁହେଁ । ମୁଁ ଯାହା କହିବି ତା’ ଯଦି ତୁମେ ମାନିବ ତେବେ ମୁଁ ଦିନକ ପାଇଁ ନୁହେଁ, ସବୁଦିନ ପାଇଁ ବନ୍ଧା ରହିବି ।

 

ସର୍ଦ୍ଦାର କହିଲେ– ତୁମ କଥା ନିଶ୍ଚୟ ମାନିବି । ଆଜିଠାରୁ ଧ୍ରୁବ ସତ୍ୟ ।

 

ପୁଣି କମି କହିଲା–ଦେଖ ସର୍ଦ୍ଦାର, ଯଦି ଦିନେ ଅମାନ୍ୟ କର, ଯଦି ଲୁଚାଇ କରି କିଛି କର, ତେବେ ତୁମର ସାଧନା ଭାଙ୍ଗିଯିବ । ସେତେବେଳେ କମି ତୁମର ହେବନି ।

 

ସର୍ଦ୍ଦାର ହଁ କଲେ ।

 

କମି କହିଲା– ଏବେ ମଙ୍ଗୁଳୁ ବଦଳରେ ମୁଁ ତୁମକୁ ମଦ ପିଆଇବି । ତେବେ ସିନା ମଦ ମଧୁର ଲାଗିବ !

 

ସର୍ଦ୍ଦାରଜୀ ଏକାବାରେ ନିଜକୁ ଭୁଲି ଯାଇଥାନ୍ତି । କମି ଆଜି ନିଜେ ନିଜେ ଧରା ଦେଇଚି । ଯେଉଁ କଥା ବହୁତ ଆଗରୁ କମିକୁ କହିବେ ବୋଲି ଭାବୁଥିଲେ, କମି ଆଜି ନିଜେ ନିଜେ ସେଇ କଥା କହି ପକାଇଛି । ସ୍ୱର୍ଗର ଅପସରୀ କମି । ମନର ପରୀ । ବସନ୍ତ ପରୀ । ହସନ୍ତ ପରୀ-

 

ସଙ୍ଗେ ସଙ୍ଗେ ମଙ୍ଗୁଳୁକୁ ଆଦେଶ ଦିଆଗଲା ସେ ଆଉ ସର୍ଦ୍ଦାରଙ୍କୁ ମଦ ସେବା କରେଇବନି । ଆଜିଠୁ ସେ କାମ କମିର । କମିର ଦରମା ବୃଦ୍ଧି ପାଇଲା ଦଶ ଟଙ୍କା ।

 

ମଙ୍ଗୁଳୁ ଭାବିଲା– ସେ ହେଲେ କମି ହେଇଥାନ୍ତା ।

 

ରଥିଆ ସଞ୍ଜପରେ କୁଆଡ଼େ ନଯାଇ ଘରେ ରହିଲା । ଝିଅର ଦରମା ବଢ଼ିଛି । କାମର ସମୟ ବଦଳିଛି । ଯାହା ପଇସା ଟିକିଏ ଠୁଳେଇଲେ ରଥିଆ ଫେରିବ ଗାଁକୁ । ଝିଅକୁ ବାହାଦେଇ ସେଇଆଡ଼େ ରହିବ । ସହରର ଜଞ୍ଜାଳରେ ଏତେ ଘାଣ୍ଟି ହେବନି । ବଡ଼ ଲୋକଙ୍କୁ ଏ ପୋଷାଏ– ମୋଟା ଦରମା ପାଇବେ, ଭଲ ଖାଇବେ, ଭଲ ପିନ୍ଧିବେ, ଆମୋଦ ପ୍ରମୋଦ କରିବେ । ତେବେ ସିନା ସହରଟା ଭଲ । କିନ୍ତୁ ଗରିବ ଲୋକ ଦିନଯାକ ଖଟିବେ ,ମୁଠାଏ ଖାଇବାକୁ ପଇସା ଅଣ୍ଟିବନି-। ସେଥିରେ ଯଦି ନିଶାପାଣି ଚାଲିଲା କହିଲେ ନସରେ । ସେ ପରି ସହରକୁ ଆସିଲେ କ’ଣ ଭଲ ? ଖାଲି ବିଜୁଳି ଆଲୁଅ କଳପାଣି କ’ଣ ସରଗକୁ ନେବ ?

 

ଆଜି ରଥିଆ ନିଜେ ରାନ୍ଧୁଛି ମଞ୍ଜାରାଇ । ଗାଁରେ ସାହୁ ବାରିରୁ ମାଗିଆଣି ରଥିଆ କେତେ ଖାଇଚି । ଏଠି ତ ସବୁ କିଣା । ଏକ ଫୁଟର ମଞ୍ଜାକୁ ଛଅ ପଇସା ଦେଇ କିଣି ଆଣିଚି । କମି ବାଟି ଦେଇଯାଇଚି ମସଲା । ରଥିଆ ଚୂନି ଚୂନି କରି କାଟୁଚି ।

 

ମଙ୍ଗୁଳୁ ଆସି ବସିଲା–କମି ଆସି ନାଇଁ କି ମଉସା? ରଥିଆ କହିଲା–ନା, ଆଜିଠାରୁ କ’ଣ କାମର ସମୟ ବଦଳିଚି । ‘ନିଆଁ ଟିକିଏ ଫୁଙ୍କ’ କହି ମଙ୍ଗୁଳୁ ଗଞ୍ଜେଇ ଚିଲମଟା ବଢ଼େଇଦେଲା । ଗଞ୍ଜେଇ ! ବୁଦ୍ଧି ନ ଥିଲେ ବୁଦ୍ଧି ଆଣିଦିଏ । ବଳ ନଥିଲେ ବଳ, ପ୍ରେରଣା ନଥିଲେ ପ୍ରେରଣା ସବୁ ଆଣିଦିଏ । କେଉଁ ଦିନୁ ପିଇନି । ହାତରେ ଧରି ଶୋଷିବାକୁ ଯାଉଚି ମନେ ପଡ଼ିଗଲା– ସେ ଶପଥ ନେଇଚି ଝିଅ ଆଗରେ, ସୂର୍ଯ୍ୟ ଦେବତାଙ୍କ ଆଗରେ, ଆଉ ନିଶା ଛୁଇଁବନି-। ବଢ଼ାଇଦେଲା ମଙ୍ଗୁଳୁ ହାତକୁ । କହିଲା–ନା, ମଙ୍ଗୁଳୁ, ମୁଁ ଶପଥ କରିଚି ଆଉ ନିଶା ଛୁଇଁବିନି-। ତୁ ପି । ମୋ ସଙ୍ଗେ କଥା ହୋ ।

 

ମଙ୍ଗୁଳୁ କହି ଚାଲିଲା–ଆଜି ଗେଲୀ ଆସିଥିଲା । ତୁମକୁ କାହିଁକି କେତେ ଖୋଜୁଥିଲା । ଏବେ ଶୁଖିଯାଇଛି ବହୁତ ।

 

ରଥିଆ କହିଲା–ୟା ତା କଥା ମୋତେ କହନା । ତୋ କଥା ମୋତେ କହ ।

 

ମଙ୍ଗୁଳୁ କହିଲା– ଆଉ କମି ର କ’ଣ ଦରମା ବଢ଼ିଲା ? ହେଲେ ଏତିକି ଟଙ୍କାରେ ଝିଅ ପକ୍ଷରେ ଏପରି କାମଟା ଠିକ୍‍ ନୁହେଁ ।

 

ରଥିଆ କାବା ହୋଇ ପଚାରିଲା–କି କାମ ?

 

ମଙ୍ଗୁଳୁ ଆଶ୍ଚର୍ଯ୍ୟ ହୋଇ କହିଲା–ତୁ ଜାଣିନୁ ? ଆଜିଠୁ ପରା କମି ମଦ ପରଷିବ ସାହୁକୁ ?

 

ରଥିଆ ଗର୍ଜି ଉଠିଲା–କ’ଣ କହୁଚୁ ମଙ୍ଗୁଳୁ ? ଏଇ କାମ ଦେଇଚି ସର୍ଦ୍ଦାର ? ମୁଁ ଜାଣେ, ସର୍ଦ୍ଦାରଟା କେଡ଼େ ପାଜି । ମଙ୍ଗୁଳୁ ମୋର ମଞ୍ଜାରନ୍ଧା ସେତିକି ଥାଉ । ମୁଁ ଏହିକ୍ଷଣି ଚାଲିଲି । ମୋ ଝିଅକୁ ନେଇଆସିବି । ଚାକିରି ନ ହେଲା ନାହିଁ । କିରେ ! ବାଳୁଙ୍ଗା ହେଲୁ ବୋଲି ଆମ ପିଲାଙ୍କୁ ବାଳୁଙ୍ଗା କରିବୁ ନା କ’ଣ ?

 

ଠେଙ୍ଗାଟାଏ ଧରି ବାହାରୁଥାଏ ରଥିଆ । ମଙ୍ଗୁଳୁ ବୁଝାଇଲା–ରହ, କମି ଫେରୁ । ତାକୁ ପଚାରି ଯାହା କରିବୁ ।

 

ଥଣ୍ଡା ପଡ଼ିଲା ରଥିଆ । ଚାଲିଲା ମଞ୍ଜା ତରକାରି ।

 

କମିର ଆଜି ସୁନ୍ଦର ନୂତନ ପୋଷାକ । ସୁନ୍ଦର ଅତର ବାସନାରେ ଦିହ ତା’ର ଫାଟି ପଡ଼ୁଚି । ଏପରି ବେଶ ହେବାକୁ ସର୍ଦ୍ଦାର ଚାହିଁଚି । କମି ବାରଣ ନକରି ସେପରି ବେଶ ଧରିଚି । ସେ ତ ମୋହିନୀ ମନ୍ତ୍ର । ସର୍ଦ୍ଦାରର ଚକ୍ଷୁ ଇନ୍ଦ୍ରିୟ ବଶୀଭୂତ ହେଉ । ତା’ ପରେ କମି ତାର ଉପାୟ କରିବ ।

 

କମି ପ୍ରଥମେ ଶୁଣାଇ ଦେଇଚି– ମଦସେବା ବେଳେ ସର୍ଦ୍ଦାରଙ୍କ ପାଖରେ କୌଣସି ତରୁଣୀ ବା ପୁରୁଷ ବନ୍ଧୁ ରହିପାରିବେନି ।

 

ସର୍ଦ୍ଦାର ଭାବିଚି– ଏହା ଉତ୍ତମ ପ୍ରସ୍ତାବ । ଏଥିରେ କମି ମନଇଚ୍ଛା ଛତ୍ରେ ଛତ୍ରେ ଫୁଟି ଉଠିଚି ।

 

କମି ପାଖରେ ବସିଚି । ଠାଣି ଦେଖାଇଚି । ସର୍ଦ୍ଦାର ଉଚ୍ଚାଟ ହୋଇ ଧରିବାକୁ ଗଲାବେଳ ଖସିଯାଇଚି । ସର୍ଦ୍ଦାର ଭାବିଚି– ଅଭିସାରର ଏଇଟା ପ୍ରଥମ ଅଙ୍କ– ପ୍ରଥମ ଦୃଶ୍ୟ ।

 

ତାପରେ କମି ଯାଇଚି ମଦଷ୍ଟକ୍‍ ଥିବା ଘରକୁ । ଫିଟାଇଚି ବୋତଲ । ସେଇ ବିଦେଶୀ ରଙ୍ଗାପାଣିଗୁଡ଼ିକ ପକାଇଦେଲେ ସେଇ ରଙ୍ଗ ସରବତ ଭରିଚି ବୋତଲରେ । ସର୍ଦ୍ଦାର ଯେ ସ୍ୱାଦରୁ ମଦ ବାରି ନ ପାରନ୍ତା ଏମିତି ନୁହେ । ସେ ଆଜି କମି ରୂପରେ ବିଭୋର । ତାର ଠାଣି, ତାର ପୋଜ ସହରୀ ନକଲି ତରୁଣୀମାନଙ୍କଠାରୁ କେତେ ଗୁଣ ରେ ଭଲ ! ମଫସଲରେ ଥିଲା ବୋଲି ସିନା କମି ଏପରି ଦିଶୁଥିଲା । ଓ ଓଲି ପରି ହେଉଥିଲା । ଏବେ ଅସଲୀ ସହରୀ ଚାଇଁ ଶିଖିଚି ।

 

ରଙ୍ଗାପାଣି ରୂପକ ସରବତ ପାଣି ପିଇଚାଲିଚି ସର୍ଦ୍ଦାର । ମନରେ ଅସ୍ଥିରତା । କେତେବେଳେ କମି ତାର ସର୍ବସ୍ୱ ଦେବ । ବାହାରିଆ ଭଙ୍ଗୀରୁ କେତେବେଳେ ଯାଏ ମଧୁ ଆସ୍ୱାଦନ କରିବ ସର୍ଦ୍ଦାର ! ସେ ତ ଚାହେଁ ଦୈହିକ ସୁଖ । ଟିକିଏ ଭିଡ଼ି ନେଇଥିବ କମିକୁ । କମି ଆଉଜି ଯାଇ ହଜାଇ ଦେବାକୁ ଯାଉଥିବ । ସର୍ଦ୍ଦାର ବିଭୋର ହୋଇ ଚୁମ୍ବନ ଆଙ୍କି ବସୁଥିବାବେଳେ ଖସି ଆସୁଥିବ କମି ।

 

ଅଧୀର ହୋଇପଡ଼ିଲେ ସର୍ଦ୍ଦାର । ପୁଣି ସେ ବ୍ୟାକୁଳତା । କମି, ଆସ, ତୁମ ଅଧର ପାନ ନ କଲେ କ’ଣ ତୃପ୍ତି ମିଳିବ ?

 

କମି କହିଲା– ଅଧର ପାନରେ ଯଦି ସବୁ କଥା, ତେବେ ରଙ୍ଗା ବୋତଲ ଫିଙ୍ଗିଦେବା ।

 

ସର୍ଦ୍ଦାର କୁଣ୍ଠା ପ୍ରକାଶ କରି କହିଲା–ଫିଙ୍ଗିବା କମି, ଫିଙ୍ଗିବା । ଥରେ ଅଧର ପାନ କରିବାକୁ ଦିଅ ତ ଆଗେ ।

 

କମି କହିଲା– ଅବିଶ୍ୱାସ କରୁଛ ସର୍ଦ୍ଦାର ! ଅଧର ପାନ ବିଶ୍ୱାସ ଉପରେ ହୁଏ । ରଙ୍ଗାପାଣି ଯେତେବେଳେ ସେତେବେଳେ ।

 

ମୋର ଟାଇମ୍‍ ଶେଷ ହେଲା । ମୁଁ ଯାଉଚି ।

 

ଅଧୀର ହୃଦୟରେ ଚାହିଁଛନ୍ତି ସର୍ଦ୍ଦାର । ଏ କି ଅଭିନୟ !

 

ରାନ୍ଧିସାରି ରଥିଆ ବସିଛି । ଝିଅଟା କେତେବେଳେ ଆସିବ ? ମନଟ ତାର ସୁଖ ନାହିଁ-। ମଦୁଆ ସର୍ଦ୍ଦାର । ମଦ ନିଶାରେ ନିଜେ କିପରି ଗେଲୀ ପାଖକୁ ଧାଏଁ । ସର୍ଦ୍ଦାର ଯଦି କିଛି ଅଘଟଣ ଘଟେଇଥିବ, ଝିଅ ମୋର ଡରିଯିବଣି । ମଫସଲୀ ଝିଅ– ପବିତ୍ରା, ସରଳା । ସହରର ମଇଳା ଗନ୍ଧକୁ ନିଜର କରିପାରିନି । ସେ କ’ଣ ଭାବିବ ? ଗାଁରେ ମାନିଆ । ନିଜ ଜାତିର-। ସେ କ’ଣ କରୁଥିଲା ବୋଲି କେତେ ହଲା ଲାଗିଲା, ସେଇଠୁ ଝିଅକୁ ଆଣିଚି ସହର । ସେ କ’ଣ ଶେଷରେ ତାକୁ ମଦୁଆମାନଙ୍କ ଶିକାର କରିବାକୁ ଛାଡ଼ିଦେବ ? ବାପା ହିସାବରେ ସେ ତାହା ସହି ପାରିବ ?

 

ବସ୍ତିର ନନ୍ଦ ସେଇବାଟେ ଯାଉଥିଲା । ‘କ’ଣ କରୁଚୁ ଭାଇ’ ବୋଲି କହି ପଶି ଆସିଲା । ‘କ’ଣ କରିବି ଆଉ, ଝିଅଟାର କାମ ସମୟ କ’ଣ ବଦଳିଲା ଯେ ଏତେବେଳେ ଯାଏ ଆସିନି । ଅନେଇ ବସିଚି ।

 

ନନ୍ଦ କହିଲା– ରଥିଆ ଭାଇ, ଯା ହେବାର ହେଉ ଝିଅକୁ ରାତି ସମୟରେ ପଠେଇବୁନି-। ସର୍ଦ୍ଦାରଟା ଭଲ ଲୋକ ନୁହେଁ । ତା’ବିରୁଦ୍ଧରେ ଅନେକ କୁଲି ଲୋକ ମାତିଲେଣି-। କୁଲିଙ୍କ ପଇସା ଖାଉଚି । ସବୁବେଳେ ମଦ ନିଶାରେ ଟଳମଳ । ଏବେ କମ୍ପାନୀ ପାଖରେ ଦରଖାସ୍ତ ପଡ଼ିବ-। ପୁଣି ସର୍ଦ୍ଦାରକୁ ନିକାଲି ଦିଆଯିବ । ଆମେ ତ ସିଧା କମ୍ପାନୀଠାରେ କାମ କରିବା, ମଜୁରୀ ପାଇବା । ଏ ସର୍ଦ୍ଦାରଟା ମଝିରେ କାହିଁକି ମାରିନେବ ?

 

ମଙ୍ଗୁଳୁ ବାହାରି ପଡ଼ି କହିଲା– ଠିକ୍‍ କଥା ଭାଇ !ଏଇ ଆନ୍ଦୋଳନଟା ଜୋରରେ ଚାଲୁ-

 

ମଙ୍ଗୁଳୁ ପୁଣି ବସା ଭିତରକୁ ଚୁଲିଟା ଜାଳିଦେବାକୁ ଚାଲିଗଲା । ନନ୍ଦ କହିଲା–ବୁଝିଲୁ ଭାଇ, ଏଇ ମଙ୍ଗୁଳୁଟା ଭଲ ଲୋକ ନୁହେଁ । ଏଠି ଭଲେଇ ହେବ, ସର୍ଦ୍ଦାର ଆଗରେ ଚୁଗୁଲି କରିବ-

 

‘ମୁଁ ଜାଣେ, ମୁଁ ଜାଣେ’ ବୋଲି ରଥିଆ ପାଟି କଲାବେଳକୁ ପୁଣି ମଙ୍ଗୁଳୁ ବାହାରି ପଡ଼ି କହିଲା–ହଁ ବା ମଉସା ! ଖାଲି ମଦ, ମାଇକିନିଆ । ଘରେ ତାର ପରା ଭାରିଯା । ଥରେ ଆଇଥିଲେ ଏଠିକି । ରାଣୀଟାଏ ବି ସରି ହେବନି । କିନ୍ତୁ କ’ଣ ହେବ ? ମଦ ପିଇ କୁଆଡ଼ର ବେଶ୍ୟାଗୁଡ଼ାଏ ଧରି ନାଟ ଲଗେଇଚି । ଘରୁ ବହୁତ ଥର ଚିଠି ଆଇଲାଣି ଯିବାକୁ, କିନ୍ତୁ ସେ କାହିଁକି ଯିବ ?

 

କମି ଫେରିଲା ସର୍ଦ୍ଦାରର ଜିପ୍‍ ଗାଡ଼ିରେ । ଡ୍ରାଇଭର ଉତ୍ତାରି ଦେଇ ନମସ୍ତେ କରି ଫେରିଗଲା । ମଙ୍ଗୁଳୁ ଭାବିଲା– ଭାଗ୍ୟ ଫିଟିଲା କମିର, ଫାଟିଲା ତାର । ମାଗଣା ରଙ୍ଗାପାଣି ଅସମ୍ଭବ । ତେବେ କମିଟା ଖରାପ ହେଉ । ସତୀ ଶିରୋମଣି ସାଜିଛି । ମଙ୍ଗରାଜ ସର୍ଦ୍ଦାର ଯେତେବେଳେ ମଦରେ ଟଳମଳ–କେତେ ସତୀଙ୍କ କରୁଣ ନିବେଦନ ବୃଥା ହୋଇଚି । ବାଘଟାଏ ସେ । ଭୀଷଣ ଲୋକଟାଏ । ଭୀଷଣ ମଧ୍ୟ ସେ ରଙ୍ଗାପାଣି । ।

 

ଧରମୁ ସାହୁଏ ଲାଗିଛନ୍ତି କିମିତି ଗୋଟାଏ ତାରିଖରେ ମକଦ୍ଦମାଟା ତୁଟିଗଲେ ବେଶୀ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ଅବକାରୀ ବାବୁ କହିଲେ–ମାନିଆ ଯଦି ମଙ୍ଗିଯାଏ ତେବେ ଏକା ଦିନକେ ଶେଷ ।

 

ଧରମୁ ମାନିଆକୁ କାନେ କାନେ ଶିଖାଉଥାନ୍ତି–ପୁଅ ମାନି ଯିବୁ । ପାଞ୍ଚ ପଚାଶ ଯାହା ଜୋରିମାନା ହୋଇଯିବ ଦେଇ ପକାଇ ଚାଲିଯିବୁ । ଏଇଟା ଅସତ୍ୟ ସହର । ସମସ୍ତେ ଅନାଇ ବସିଛନ୍ତି ମହକିଲଠାରୁ ମାରିବା ପାଇଁ । ଓକିଲ, ମୁକ୍ତାର, ଚପରାସୀ, ପେସ୍କାର ସମସ୍ତଙ୍କର ଗୋଟାଏ ଆଶା । ଦେବାଟା ବେଆଇନ୍‍ ନେବାଟା ବେଆଇନ୍‍ । ନଇଲେ ଯେଉଁ ହଇରାଣ? ଇଆଡ଼େ ଯେତିକି ରହିବ, ସିଆଡ଼େ ସେତିକି ଉଡ଼ିବ ।

 

ମାନିଆ ତୁନି ପଡ଼େ । ଦୁନିଆଟା ସ୍ୱାର୍ଥପର । ସାହୁର ଗୌରବ ରକ୍ଷା ଲାଗି ମାନିଆ ବେଡ଼ି ପିନ୍ଧିଚି । କିନ୍ତୁ ସାହୁ କହୁଚି ମାନିଯିବ । ପାଞ୍ଚ ପଚିଶ ଜୋରିମାନା ଦେଇ ଗାଁକୁ ଫେରିଯିବ । କିନ୍ତୁ ମାନିଆ ନାଁରେ ଯେଉଁ କଳଙ୍କଟା ସରକାରୀ କାଗଜରେ ରହିଯିବ, ସେଇଟା ସାହୁ ଉଡ଼ାଇ ଦେଇପାରିବ କି ?ମାନିଆ ମିଛଟା ସତ ବୋଲି ମାନିବନି । ଅନ୍ୟାୟକୁ ଆଝିବୁଜି ପ୍ରଶ୍ରୟ ଦେବନି । ହାକିମ ହୁକୁମାଙ୍କୁ ଲାଞ୍ଚଖୋର କରିବନି । ସେ ସତକଥା କହିବ ଧର୍ମ ପଥରେ ଚଳିବ । ସେ ଶୁଣିଚି ଧର୍ମର ଜୟ ହୁଏ । ହାର ହେଲେ ସେ ଖୁସି । ମିଛଟାଏ ମାନିଚି ମିଛକୁ ଲୋପ କରିବାକୁ । ‘କଣ୍ଟକେ ନୈବ କଣ୍ଟକମ୍‍’ । ସେଇ ନୀତି ମାନିଆକୁ ବତାଇନି । ସେ ସ୍ୱତଃ କରିଚି । ସାହୁର ନିମକ ଖାଏ । ସାହୁ ଗଞ୍ଜେଇ ଗଛ ପୋତିନି । ଏ ଗୋଟିଏ ମାୟାଜାଲ । ସେ ମାୟାଜାଲରେ ବୁଢ଼ା ଧରମୁ ପଡ଼ିଗଲେ ମୁସ୍କିଲ୍‍ । ମାନିଆ ଯୁବକ । ସ୍ୱାଧୀନ ଦେଶର ଯୁବକ । ଗୌରବ । ବାହୁର ବଳ । ମନରେ ଟାଣ । ସେ ଲଢ଼ିବ । ମିଛ, ଅନ୍ୟାୟ ଦୂର କରିବ । ମଣିଷ ପରି ସମସ୍ତେ ବଞ୍ଚି ରହିବା ହକ୍‍ଦାର । ସାରା ଦେଶରେ ଯେ ଯେଉଁଠି ଥାନ ଥିଲେ ରହିପାରେ । ଗୋଟିଏ ଗାଁ, ଗୋଟିଏ ଜମି ଦଳେ ଲୋକଙ୍କର ଏକଚାଟିଆ । ସବୁ ବିରୁଦ୍ଧରେ ଲଢ଼ିବା ତାର ଜୀବନର ବ୍ରତ । ସେ କାହିଁକି କାହା ଶିଖାରେ ପଡ଼ିବ ।

 

ମାଜିଷ୍ଟ୍ରେଟ୍‍ ସାହେବ ପହଞ୍ଚିଲେ । କଚେରୀ ସରଗରମ । ଗଞ୍ଜେଇ ଗଛ ସହ ଆସାମୀ ଜବତ । କ’ଣ ଦଣ୍ଡ ମିଳିବ ଦେଖିବାକୁ ବହୁତ ଲୋକ ଜମିଛନ୍ତି । ମାନିଆ ସହର ଆଗରୁ ଦେଖିନି ହେଲେ ତାର ଡର ନାହିଁ କେଉଁ କଥାକୁ । ସେ ଦୋଷୀ ନୁହେଁ । ମାନିଆ ବୀର ଭାବରେ ଗାରଦରେ ଠିଆ ହେଲା ।

 

ସାହେବ ପଚାରିଲେ– ତୁମେ ଦୋଷୀ ନା ନିର୍ଦ୍ଦୋଷ ।

 

ଗମ୍ଭୀର ଭାବରେ ମାନିଆ ଉତ୍ତର ଦେଲା– ସେ ନିର୍ଦ୍ଦୋଷ ।

 

ଅବକାରୀ ବାବୁଙ୍କର ମନ ଫିକା ପଡ଼ିଗଲା । ଧରମୁକୁ ଭଲ ଲାଗିଲାନି । ପିଲାଟା ଠକିଲା । ଭଲ କଥା କିଏ ପୁଅକୁ ଜାମିନରେ ନେବ ଦେଖିବା !

 

ତା’ପରେ ସାହେବ ପଚାରିଲେ–ସାକ୍ଷୀ ପ୍ରମାଣ ଯୋଗାଇ ପାରିବ? ମାନିଆ ସଦର୍ପେ ଉତ୍ତର ଦେଲା – ମୋ ପାଇଁ ସାକ୍ଷୀ ଦେବେ ଦେବେନ୍ଦ୍ର ବାବୁ ।

 

ତା’ପରେ ସାହେବ ପଚାରିଲେ– ତୋର କିଏ ଜାମିନ୍‍ଦାର ଅଛି ?

 

ମାନିଆ କହିଲା–ମୁଁ ତ କାହାକୁ କହିନି । ଯାହାର ବିଶ୍ୱାସ ହେବ ସେ ନେଇପାରେ ।

 

ତା’ପରେ ଚିହ୍ନିବା ଲୋକ ଭାବୁଥିଲେ–ଧରମୁ ବୋଧେ ଜାମିନରେ ନେବ । ଧରମୁ ସେ ବିଷୟରେ ନୀରବ । ଏତେ ହଲାପଟାରେ ପଶେ କିଏ ? ଯାହା କରମ ଯେ ଭୋଗିବ । ମୋ ନାଁରେ ତ କେଶ୍‍ର ଗନ୍ଧ ନାହିଁ । ରିପୋର୍ଟ ତ ହୋଇଚି ମାନିଆ ବାଡ଼ିରୁ ବାହାରିଲା ବୋଲି । ଯଦି ମାନିଆ ମାନି ରାଜି ହୋଇଥାନ୍ତା କମ୍‍ ଜୋରିମାନା ହୋଇଥାନ୍ତା । ସେତିକି ଦେଇ ହଳିଆକୁ ମୁକୁଳାଇ ଦେଇଥାନ୍ତି ଧରମୁ ସାହୁକାର ଭାବରେ । ମାନିଆ ବୋଧେ ଦେବେନ୍ଦ୍ର ଶିଖାରେ ପଡ଼ିଲା ! ସେ ତ ନ ଥିଲା ? ସେ ନ ଥିଲେ ତାର ଚର ନ ଥିବେ ? କିଏ କ’ଣ ବତାଇ ଦେଇଥିବ ? ସେ ଯେବେ ଫାଙ୍କିଲା– ତାର କ’ଣ ଯାଏ ? ଲଡ଼ୁ ବାରବୁଲା ବାଉରି । ତାକୁ କିଏ ଅମାନତରେ ନେବ । କୁଆଡ଼େ ପଳାଇଗଲେ ମଣିଷ ତଳି ତଳାନ୍ତ ହେବ । ପଡ଼ୁ ହାଜତରେ । ବେଶୀ ଦିନ ଲଢ଼ି ନପାରି ଦଣ୍ଡ ପାଇବ ।

 

ଏ କ୍ଷଣି ଅବକାରୀ ବାବୁଙ୍କର ଭାଳେଣୀ । ସାକ୍ଷୀମାନଙ୍କୁ କିଛି ନ ଜଣାଇ ସେ ରିପୋର୍ଟରେ ଲେଖି ଦେଇଛନ୍ତି– ଗଞ୍ଜେଇ ଗଛ ମାନିଆ ବାଡ଼ିରୁ ବାହାରିଲା ବୋଲି । ସେ ଭାବିଥିଲେ ମାନିଆ ତ ମାନିଯିବ । ଏତେ ସାକ୍ଷୀଗୁହା ଦରକାର ପଡ଼ିବନି । ମାତ୍ର ମାନିଆ ଯେମିତି ଫାଙ୍କିଲାଣି, ଆଉ ଦେବେନ୍ଦ୍ର ବାବୁକୁ ସାକ୍ଷୀ ମାନିଲାଣି, । ବ୍ୟାପାରଟା ଅଡ଼ୁଆ ହେବ । ପୁଣୀ ଧରମୁକୁ ହାତ କଲେ– ଧରମୁ ସାକ୍ଷୀମାନଙ୍କୁ ନ ଶିଖାଇଲେ ଚଳିବନି ।

 

ଧରମୁ କହିଲା–ହଁ, କିନ୍ତୁ ସେଗୁଡ଼ା ପେଟବିକଳିକ ଲୋକ । ତାଙ୍କୁ ଆଜ୍ଞା କିଛି ପଇସା ଧରେଇଦେଲେ ସେମାନେ ସବୁ କହିବେ ।

 

ଅବକାରୀ ବାବୁ କହିଲେ– ତେବେ ସେତକ ତୁମକୁ ଲାଗିଲା ।

 

ଧରମୁ କହିଲା– ଆଜ୍ଞା, ମୁଁ ଆଉ ପଇସା ଦେଇପାରିବିନି । କୁଆଡ଼ୁ ଦେବି ? ଗଞ୍ଜେଇ ଗଛ ମୁଁ ଲଗାଇନି । କିଏ ଏପରି କଲା ଭଗବାନଙ୍କୁ ଗୋଚର । ଲୋକନିନ୍ଦାରୁ ରକ୍ଷା ପାଇବା ଲାଗି ମୁଁ ଆପଣଙ୍କୁ ସେତକ ଧରେଇଦେଲି । ଏବେ ତ ଦେଖୁଛନ୍ତି– ସେଲ ଟିକସ୍‍, ଇନକମ୍‍ ଟିକସ୍‍, କୃଷି ଟିକସ୍‍, କେନାଲ ଟିକସ୍‍ କେତେ ଟିକସ୍‍ ବସୁଚି । ଦାମ ଗୁଡ଼ା ଏତେ ଚଢ଼ା ହୋଇଯାଇଚି ଯେ ଲୋକ କିଣୁ ନାହାନ୍ତି । ତେଣେ ହାତସଫେଇ କି କଳାବଜାର କରନ୍ତେ, ଦେବେନ୍ଦ୍ର ବାବୁ ଜଗି ବସିଛନ୍ତି । ସେଥିରେ ଆପଣମାନଙ୍କୁ କେତେ ହେଲେ ଦେଇପାରିବ?

 

ଅବକାରୀ ବାବୁ ନୀରବ ରହିଲେ । ଏହି ଲୋକଗୁଡ଼ାକ ଏହିପରି ବେଇମାନ୍‍ । କାମ ଥିଲାବେଳେ ଖୋସାମତ କରି ଲାଞ୍ଚ ଧରେଇବେ । ଅଭାବ କାହାର ନାହିଁ । ଲୋଭ କାହାର ନାହିଁ-? ଯାଚିଲା ମାଲ କିଏ ଛାଡ଼େ । ଏବେ ଯେତେବେଳେ ଖସିଯାଇଚି, କେତେ ବାଲିଙ୍ଗି ବତଉଚି-

 

ଅବକାରୀ ବାବୁ ଭରତକୁ ଡକାଇଲେ । ଗଉରାକୁ ସଙ୍ଗରେ ଧରି ଭରତ ବାବୁଙ୍କ ବସାରେ ପହଞ୍ଚିଲା । ବାବୁ ବହୁତ ଆଦର କଲେ । ଖାଇବାକୁ ଚୋସ୍ତ ଦେଲେ । ଗଉରା ବଡ଼ ଖୁସି-। ଭଲ ବାବୁ । ଅମୀର ମିଞ୍ଜାସ । ଖର୍ଚ୍ଚୀ ଲୋକ ।

 

ଭରତ କହିଲା–ହବନି ! ବଡ଼ଲୋକର ପୁଅ । ଅମାପ ଧନ ସମ୍ପତ୍ତି । ବାବୁ ନିଜେ ଆସି ପଚାରିଲେ– କ’ଣ ଖାଇବ ଭରତ ? କ’ଣ ଖାଇବ ଗଉରା ?

 

ଗଉରା କହିଲା– ଏତିକି ଖାଇବାକୁ ତ ପେଟ ନାହିଁ । ଆଉ କ’ଣ ଖାଇବି ? ଭରତ କହିଲା–ଏଇ ଗଉରାଟିକୁ ଖଣ୍ଡିଏ ଚପରାସୀ କାମରେ ଲଗାଇ ଦିଅନ୍ତୁ । ଗଉରା– ମା’ ବାପା କରି ଖାଇଲା ପାଖରେ ବି ମୁଣ୍ଡିଆ ମାରି ପକାଉଥିବ । ଖିଆପିଆ ଶେଷ ହେବାପରେ ବାବୁ ଆରମ୍ଭ କଲେ–ଧରମୁକୁ ବଞ୍ଚାଇବାପାଇଁ ମୁଁ ମାନିଆ ବାଡ଼ିରୁ ଗଞ୍ଜେଇ ଗଛ ବାହାରିଲା ବୋଲି ଲେଖିଲି । ସାକ୍ଷୀମାନଙ୍କୁ କହିବାକୁ କହିବାରୁ ଖେଳିଲା ମୋ ସାଙ୍ଗରେ ।

 

ଗଉରା ହଠାତ କହି ପକାଇଲା– ବେଇମାନ ଲୋକଟା ସେ ଆଜ୍ଞା ! ଦେଖୁନ, ହଳିଆଟାକୁ ଫସାଇ ଦେଇ ଜାମିନରେ ନେଲାନି ।

 

ଭରତ କହିଲା–ଆମକୁ ଟିକିଏ ପଚାରିଲାନି ! ମାନିଆର ନିଜର ଡିହ ନାହିଁ । ମଶାଣି ଜମିରେ ଡିହ ପକାଇଚି । ତାର ସେପରି ବାଡ଼ି ନାହିଁ ଯେଉଁଠି ଏତେ ବଡ଼ ଗଞ୍ଜେଇ ଗଛ ରଖିପାରେ । ତେବେ ଯାହାହେଉ କେବଳ ମୁଁ ଆଉ ଗଉରା ସାକ୍ଷୀ ରହିଲେ ସବୁ ହେଇଯିବ ।

 

ଗଉରା କହିଲା–ପାନେ ଦେବା କି ଆଜ୍ଞା, ଧରମୁକୁ ?

 

ବାବୁ ପଚାରିଲେ– କିପରି ?

 

ଗଉରା କହିଲା– ଆଜ୍ଞା, ତାର ତାଳ ବଣରେ ଆଉରି ଗଞ୍ଜେଇ ଗଛ ଭରିଛି । ସେଦିନ ସବୁ କହିଦେଲେ ବିଚାର ଅଡ଼ୁଆରେ ପଡ଼ିଯିବ ବୋଲି ଲୁଚାଇଦେଲି । ଏବେ ଆପଣଙ୍କ ପରି ହାକିମଙ୍କୁ ଯଦି ଠକିଲା, ତାକୁ ଆଉ ଦୟାକରି ଲାଭ ନାହିଁ ।

 

ବାବୁଙ୍କ ମୁହଁ ଉଜ୍ଜ୍ୱଳ ହୋଇଉଠିଲା । ବାବୁ ଗଦ୍‍ଗଦ୍‍ ହୋଇ ଗଉରାକୁ କହିଲେ–ଏଇ କେଶ୍‍ଟା ସରୁ , ତୋତେ ନିଶ୍ଚୟ ଚପରାସୀ କାମ କରେଇଦେବି । ଭଲ କୁକୁଡ଼ା ରଖିଥିବୁ ।

 

ଧରମୁ ସକାଳୁ ଘରକୁ ଗଲେ । ସୁଲୋଚନା ତେଣେ କାନ୍ଦି କାନ୍ଦି ଆଖି ଫୁଲିଯାଇଚି । ଧରମୁ ସାନ୍ତ୍ୱନା ଦେଇ ବହୁତ କହିଲେ, ତାଙ୍କର ଆଉ କିଛି ହେବନି । ମାନିଆଟା ପରଶିଖାରେ ପଡ଼ି ଦୋଷ ମାନିଲାନି, ନଚେତ୍‍ ଖଲାସ ହୋଇଥାନ୍ତା । ଅଳପ ଜୋରିମାନା ପଡ଼ିଥାନ୍ତା । ଯାହା କ୍ଷତି ହେବାର ହେଲାଣି । ସେ ତ ଦେବୀଙ୍କ କୋପ । ଏ ଦେବେନ୍ଦ୍ରଟା ବଳି ବନ୍ଦ କରାଇଲା । ସେଇଦିନୁ ଠାକୁରାଣୀ ଯେତେ ବିପଦ ପକାଇଲେଣି । ମୁକୁଳାଇ ଆଣିଥାନ୍ତି ମାନିଆକୁ । ସେ ହେଲାନି । ମକଦ୍ଦମା ଚାଲିବ । ସରକାର ସଙ୍ଗେ କେତେ ଲଢ଼ିବ ? ପୁଣି ଜେଲ ଯିବ ।

 

ସୁଲୋଚନା ଜିଭ କାମୁଡ଼ି ପକାଇ କହିଲେ–ମା’ ଛେଉଣ୍ଡ, ବାପା ଛେଉଣ୍ତ ପିଲାଟା । କିଏ ନା କିଏ ଏମିତି କଲା, ବିଚରା ଜେଲ ଯିବ । ତାକୁ ମୁକୁଳାଇ ଆଣିଲନି ?

 

ଧରମୁ କହିଲା– କି କଥା କହୁଚି ? ମୁକୁଳାଇ ଆଣିବାଟା କ’ଣ ଏତେ ସହଜ ହୋଇଚି-? କେତେ ଅମଲାଙ୍କୁ କେତେ ପାଉଣା ! କି ସ୍ୱାଧୀନ ହେଲାରେ ଦେଶ ! ପାଉଣା ତ ବଢ଼ି ଚାଲିଚି-। ଆଜିକାଲି କେଉଁ ବିଶ୍ୱାସ ? କୁଆଡ଼େ ପଳେଇଗଲେ ମଣିଷର ଅବସ୍ଥା ଅକୁଳାଣ ହେବ ।

 

ସୁଲୋଚନା ଚିଡ଼ି ଉଠିଲେ– କି ନିଆଁଲଗା ମଣିଷ ମ ? ତମ ପାଇଁ ପିଲାଟା ହାତରେ କଡ଼ି ପଡ଼ିଲା । ତୁମେ ଟଙ୍କାକୁ ଡରି ତାକୁ ଜାମିନରେ ଆଣିଲନି ! ବାବୁକୁ ଏତେ ଶହ ଗଣିଦେଲ-?

 

ନାରଣ ମଳିକ ଡାକ ପକାଇଲା– ସାହୁ, ଅବକାରୀ ବାବୁ ଆସିଛନ୍ତି । ଡାକୁଚନ୍ତି !

 

ଧରମୁ ହସି କହିଲେ–କେତେବେଳେ ଘୋଡ଼ା ଉପରେ ସବାର ତ କେତେବେଳେ ସବାର ଉପରେ ଘୋଡ଼ା । ସେତେବେଳେ ବାବୁ କେମିତି ହାଙ୍କଡ଼ କାଢ଼ୁଥିଲେ ଏବେ କେମିତି ଦଉଡ଼ୁଛନ୍ତି, ଦେଖୁଛ ତ ମଳିକ ପୁଅ ?

 

ନାରଣ ମଳିକ କହିଲା–ତୁମେ ସବୁ ବାବୁ ବଡ଼ଲୋକ, ତୁମକୁ ସିନ ତାର ମରମ ଜଣା ! ଆମେ ତ ଛଅଟଙ୍କିଆ ସରକାରୀ ଚାକର । ଯେ ଆସିଲା ବହେ ହାଙ୍କଡ଼ କାଢ଼ିକି, ଗଲା ।

 

ଧରମୁ ପାନକଳେ ପାଟିରେ ଭରି ହସି ହସି ଚାଲିଲେ । କହିଲେ– କୁଆଡ଼େ ପୁଣି ହଜୁରଙ୍କର ପାଦ ପଡ଼ିଲା ?

 

ବାବୁ କହିଲେ ତୁମ ଆଡ଼େ ନ ଆସିଲେ ଚଳିବ ।

 

ଧରମୁ ଗୋଟାଏ ପୁରୁଖାପଣିଆ ଦେଖେଇ କହିଲେ–ସେ କଥାକୁ ଏତେ ଖାତିର କାହିଁକି ? ଯୋ ହୋଏଗା ଦେଖା ଯାଏଗା ।

 

ବାବୁ କହିଲେ–ହେଉ ଚାଲ ତୁମ ତାଳବଣ ଆଡ଼େ । କେତେ ତାଳବଣ ଅଛି ଦେଖିବା । ତାଳମିଶ୍ରି ତିଆରି ହୋଇପାରିବ କି ନାହିଁ ଗୋଟେ ରିପୋର୍ଟ ଦିଆଯିବାର ଅଛି । ଧରମୁ ଚାଲିଲେ । ଆଉ କେତେ ଲୋକ ବି ଗଲେ । ଗଉରା ଖାଲି ମୁରୁକିହସା ମାରୁଥାଏ । କହୁଥାଏ– ତାଳ ମିଶ୍ରି ହଉ ହଉ ପୁଣି ତାଡ଼ି ପିଆ ହେବ । ବାବୁ କହୁଥାନ୍ତି–ହାତକଡ଼ି ।

 

‘ବାପ୍‍ ଲୋ, ହାତକଡ଼ିକୁ ମୋର ଭାରି ଡର’ କହି ଗଉରା ଗାଡ଼େଇ କରି ଧରମୁ ସାହୁ ଆଡ଼କୁ ଚାହୁଁଥାଏ ।

 

ତାଳବଣ ମଝିକୁ ଗଲେ । ବହୁତ ଦିନ ହେଲା ଏଆଡ଼େ ଧରମୁ ଆସି ନାହାନ୍ତି । ଆଖି ତାଙ୍କର ଖୋସି ହୋଇଗଲା । ଏତେ ଗଞ୍ଜେଇ ଗଛ କୁଆଡ଼େ ଆସିଲା ଏଠିକି ? ଏସବୁ ଦେବୀର ମାୟା । ଥରେ ବଳି ଖାଇନି ବୋଲି ଶହେ ଗୁଣ କ୍ଷତି କରେଇବ ସେ । ହେଲେ ଦେବେନ୍ଦ୍ର ବାବୁର କାହିଁକି କିଛି ହଉନି ?

 

ଅବକାରୀ ବାବୁ ବାଘ ପରି ଆଖି ଲାଲ କରି ପକାଇ କହିଲେ–ଦେଖ ଧରମୁ, ତୁମେ ଲୁଚି ଲୁଚି ଆଚ୍ଛା ପାଣି ପିଉଛି ! ତା’ପରେ ହାତରେ ପଡ଼ିଗଲା ଲୁହାର କଡ଼ି । ଧରମୁ ଭରତକୁ କହିଲା ହଜାର ଟଙ୍କା ଦେବି । ବାବୁ ହଜାର ଟଙ୍କା ଦେବି । ବାବୁଙ୍କୁ କହ ଛାଡ଼ିଦେବେ ।

 

ବାବୁ ଭରତକୁ ଡାକିଲେ–କିଛି ଶୁଣୁନ ତା’ କଥା । ଏପରି ଲୋକଠୁ ଟଙ୍କା ଖାଇବା ଯୋଗାଏନି । ଏ ଗୋଟେ ମଣିଷ ଖିଆ ବାଘ । ସୁବିଧା ପଡ଼ିଲେ ଏ ନିଜ ଲୋକଙ୍କୁ ଭସେଇଦେବ ମଝି ନଈରେ ।

 

ଭରତ ବୁଢ଼ାକୁ ତୁନୀ ତୁନୀ କହିଲା– ପରେ ଦେଖିବା । ଏ କ୍ଷଣି ବାବୁଙ୍କ ରାଗିବା ବେଳ-। ଧରମୁ କହିଲେ– ବାବୁ, ଜାମିନ ପାଇଁ ଯେତେ ଟଙ୍କା ଲାଗିବ ମୁଁ ଆଗ ଭରତ ପାଖରେ ଜମା କରିବି ।

 

ବାବୁ ନିଷ୍ଠୁର ହସଟାଏ ହସିଲେ । କହିଲେ– ଗୋଡ଼ ଥରେ ଖସିଚି ବୋଲି ସବୁଥର ଖସିବ ନାହିଁ ଧରମୁ ! ମୁଁ ବୋକା ନୁହେଁ । ମୁଁ ଆଖିବୁଜି ଦୁଧ ପିଏନି । ଲୋକ ଦେଖି କାମ କରେ । ତୁମ ପରି ଗୋଖର ସାପଠାରୁ କିଛି ଗୋଟିଏ ଆଶା କରିବାମାନେ ନିଜେ ବିଷକୁ ଜାଣିଶୁଣି ପିଇବା-। ରଖ ତୁମର ଟଙ୍କା । ମକଦ୍ଦମା ଲଢ଼ । କିନ୍ତୁ ଧରମୁ ସାହୁ ତ ଆଉ ସମ୍ମାନ ଫେରି ପାଇବନି-! ଦେଖୁଛ କିପରି ଲୁହାର କଙ୍କଣ ତୁମ ହାତକୁ ମଣ୍ଡି ଦେଲାଣି ! ଭଲ ଦିଶୁଚି ତ । ବେଳ ପଡ଼ିଲେ ମୁହଁକୁ ଚାହିଁବନି । ଟଙ୍କା ଟଙ୍କା ଭାରତ ସରକାରଙ୍କ ଟ୍ରେଜେରୀ ଯେମିତି !

 

ଧରମୁ ଚୁପ୍‍ । ଆଖିରେ ଲୁହ । କିଏ ପିଠିରେ ପଡ଼ିବ ? ମାନିଆତ ହାଜତରେ । ଆଉ ସମସ୍ତେ ସୁଖର ସାଥୀ । ଦେବେନ୍ଦ୍ର ବାବୁ ହେଲେ ଆସନ୍ତେ ! ସେ ତ ଯାଇଛନ୍ତି ଗୋଟେ ରୋଗୀର ଚିକିତ୍ସାକୁ ଘୋଡ଼ାପଦାକୁ । କେଉଁ ବିପଦ ନ ପଡ଼ିଛି ଏ ବର୍ଷ ! ହଇଜା, ବସନ୍ତ– ବସନ୍ତ, ହଇଜା । ସମସ୍ତେ ଭାବୁଛନ୍ତି ଦେବୀର କୋପ ।

 

ଗାଁ ମଝିରେ ଧରମୁ ନିଆହେଲେ । ହାତରେ କଡ଼ି ।

 

ପାପର ପ୍ରାୟଶ୍ଚିତ ।

 

ଚଇତାମତ ପବନ । ଗଉରା ଆଜି ବିଜୟ ମଦରେ ଉଲ୍ଲସିତ । ତାର ଆଜି ପୂରା ବିଜୟ-। ମାନିଆ ହାତରେ କଡ଼ି । ଧରମୁ ହାତରେ କଡ଼ି । ଯେଉଁ ପାପ କରୁଥିଲେ ଫଳ ପାଇଛନ୍ତି-। ଏ ଯୁଗରେ ଧର୍ମ କେମିତି କାମ କରୁଛି, ଗଉରା ବୁଝିପାରୁନି । ସେ ତ ନିଜ ପାପ ପାଇଁ ଧରା ପଡ଼ୁନି ! କଳିଯୁଗରେ କି ଧରମ ହେ ! ବନେଇ ଚୂନେଇ କରିବା ଜାଣିଲେ କଳାକୁ ଧଳା । ଏତେ ବିଜୟ ପରେ ଜେମି କ’ଣ ତାକୁ ବାହା ହେବନି । ଏଥର ଧମକେଇବାକୁ ପଡ଼ିବ, ତୋ ବାଡ଼ିରୁ ଗଞ୍ଜେଇ ଗଛ ବାହାରିବ ବୋଲି କହି ଗଉରା ଡରାଇବ ଜେମିକୁ ଓ ଜେମି ବୋଉକୁ । ତେବେ ଝିଅ ନ ମଙ୍ଗି ଯିବ କୁଆଡ଼େ ।

 

ସେଦିନ ରାତିରେ ଯେଉଁ ଡାହାଣୀ ବାହାରିଥିଲା–ତାକୁ କିନ୍ତୁ ଗଉରାର ଭାରି ଡର । ଆଜି ଗୁଣିଆଠାରୁ ଗୋଟାଏ ଡେଉଁରିଆ କିଣିଛି । ଏଥର ଡାହାଣୀ କ’ଣ କରିବ ?

 

ପହିଲି ପହର ରାତି ଗଡ଼ିଲାଣି । ଜେମି ଓ ଜେମୋବୋଉ ପେଟରେ ଓଦାକନା ଦେଇ ଶୋଇଛନ୍ତି । ସାହୁକାର ତ ବନ୍ଧା ହୋଇଯାଇଚି । ତା’ ଘରେ ଚୁଲୀ ଅଜଳା । ଜେମିକୁ କିଏ ମୂଲ ଦଉଚି ? ବାପ ତାର ରେଙ୍ଗାମରେ ରହିଲା ଯେ ଆଉ ଆଇଲା ନାହିଁ । କେତେ ନାରଖାର ହେଉଥିବ ମା, ଝିଅ ! ହେଲେ କୁଆଡ଼େ ଉଠି ପଳେଇବେ ।

ଏଇପରି ଭାବି ମା, ଝିଅ ଦୁହେଁ ବସିଥାନ୍ତି । ଗଉରା କବାଟରେ ହାତ ମାଇଲା । କହିଲା–ଜେମି ବୋଉ ମାଉସୀ, ବଡ଼ ଅଡ଼ୁଆ କଥା, କବାଟ ଟିକିଏ ଫିଟା ତ !

କବାଟ ଫିଟାଇଲା ଜେମି ବୋଉ । ଗଉରା ଅତି ଆପଣାର ପରି କହିଲା– ଶୁଣିଲୁ ମାଉସୀ, ସାହୁ ତୋତେ ଧରେଇବ ବୋଲି ଯୋଗାଡ଼ କରୁଚି । ତା’ ହାତରେ ତ କୁଢ଼ କୁଢ଼ ଟଙ୍କା । କେତେ ହଜାର ଧରେଇ ଦେବ । କହିବ– ଜେମି, ଜେମିବୋଉ ଆମ ଘରେ କାମ କରନ୍ତି । ସେମାନେ ଗରିବ । ପଇସା ଲୋଭରେ ଏମିତି କରିଥିବେ । ସେ ନୂଆ ପଲମର ଭରତ ମୋତେ କହୁଥିଲା, ତୁ ତ ଜାଣୁ, ଗଉରା ଥାଉ ଥାଉ ତୋତେ ଏପରି କରାଇ ଦବନି । ଗୋଟେ କାମ କରେ-। ଜେମିକୁ ମୋ ହାତରେ ବେଗେ ସଅଁପି ଦେ । କାମ କରୁନୁ ବୋଲି ଫାଙ୍କିଦେବା । ମୋତେ ଅବକାରୀ ବାବୁ ଭାରି ସୁପ୍ରସନ୍ନ । ଏ କେଶ୍‍ଟା ପରେ ମୁଁ ଅବକାରୀ ପିଅନ ହେଉଚି-। ନଚେଇଦେବି ନିଶାଖୋରବାଲାଙ୍କୁ । ବହୁତ ପଇସା ଆସିବ । ଜେମି ତ ତୋର ରାଜରାଣୀ ହେବ-। ଗଞ୍ଜେଇ ପ୍ରଭାବରେ ଗପି ଯାଉଚି ଗଉରା ।

ଜେମି ସେତେବେଳକୁ ଉଠି ପଳାଇଲାଣି ତା ଅନ୍ଧାରିଆ ଘରକୁ । ସେ ଆଶଙ୍କା କଲାଣି କ’ଣ ଗୋଟେ ବିପଦ ପଡ଼ିବ ଏକ୍ଷଣି । ଆଗରୁ ପ୍ରସ୍ତୁତ କରି ସେ ରଖିଲାଣି ନୂଆ ଖଜୁରୀ ଛାଞ୍ଚୁଣୀ । କଣ୍ଟାଗୁଡ଼ାକ ଖୁବ୍‍ ମୁନିଆ । ଯଦି ଦେହରେ ଗଳିଯିବ ରକତ ବୋହି ପଡ଼ିବ ।

 

ଗଉରା ସବୁ କଥା ଶୁଣିବା ପରେ ବୁଢ଼ୀ କହିଲା–ଦେଖ୍‍ ଝିଅଟାକୁ ପଚାର । ସେ ସିନା ବାହା ହେବଲୋ ପୁଅ ! ଆଜିକାଲି ଇଚ୍ଛାବର କାଳ ହେଲା । ମା’ କଥା କ’ଣ ରହୁଚି?

 

ଗଉରା ଚାଲିଲା ଜେମି ପାଖକୁ । ଆଜି ତଇତାଳି ପବନ ତାକୁ ପାଗଳ କରିଚି । ସେଇ ପାଗଳାମି ପୁଣି ଜମାଟ ବାନ୍ଧିଚି ଜେମିର ଅତି ନିକଟରେ । ପ୍ରେମଟା ତ ଭୟରେ ହୁଏନି ! ସେଥିପାଇଁ ଗଉରା ଆରମ୍ଭ କରିଚି ତାର ସାବଲୀଳ ଭଙ୍ଗୀ । ଜେମି, ଜେମିଲୋ ତୁ ଯେ ମୋର ହରଗଉରା । ତୋତେ ପିନ୍ଧିଲେ ମୋତେ ଖାସା ଲାଗିବ ଲୋ ! ଅକାରଣେ କାହିଁକି ତୋର ରୂପକୁ ଜମାଇ ରଖିଚୁ ? ଆ, ଆଜି ପରିକା ରାତି । ଗଉରା ଜିତା ପଟ ଲୋ ! ତୋ ବର ଜିତା ପଟ ଲୋ । କାହାକୁ ଆଉ ରୁଷୁଚୁ ! ଧରମୁ ତ ଜେଲରେ ! ମାନିଆ ତ ଜେଲରେ । ଧରମୁ ଫେରିଲେ ଆଉ ଏ ଜାଗା ମାଡ଼ିବନି । ସେ ଜାଣିବ ଗଉରା ଏଠାରେ ଗୋଟିଏ ବାଘ । ତାକୁ ସାହୁ ମାରି ପାରିବନି । ମାନିଆ ଫେରିଲେ ତୋତେ କେବେ ନେବନି ଜେମି ! ସେ ବଞ୍ଚିଛି କମି ଆଶାରେ । କମି ବି ତ ଭଲ ପିଲା । ଭଲ ପାଇଚି ସେ ତାକୁ । ନିଶ୍ଚେ ବିଭା ହେବ ।

 

ଆଉ କାହିଁକି ଗୁମାନ କରିଚୁ ସୁନ୍ଦରି ! ଆ, ଆ, ସାଥୀହରା ଗଉରା ଜୀବନଟାକୁ ସରସ କର । ତା’ ସଙ୍ଗେ ସଙ୍ଗେ ତୁ ବି ସରସ ହୋଇଉଠ ।

 

ଜେମିର ଦେହରେ ଯେମିତି ଏ କଥାଗୁଡ଼ାକ ଛୁଞ୍ଚି ପରି ଫୋଡ଼ି ହୋଇଯାଉଥାଏ । କିଛି ନ କହି ନିର୍ବେଦ ପରି ବସିଥାଏ । ମା’ ଉପରେ ମନଟା ତାର କଡ଼ କଡ଼ ଡାକୁଥାଏ । ୟାରି ଲାଗି ମଣିଷ ଏତେ ହରକତ ହଉଚି ।

 

ଗଉରା ପାଖକୁ ଲାଗିଗଲା । ଜେମିର ନରମ ଦେହରେ ଟିକେ ଘଷି ହୋଇଯାଇ ସ୍ୱର୍ଗସୁଖ ଅନୁଭବ କଲା । ତା’ ପରେ ଆଉଜାଇ ଆଣୁଥିବାବେଳେ ବସିଗଲା ପିଠିରେ ଛାଞ୍ଚୁଣି ମୁଠାର ନିର୍ମମ ପାହାର ଦୁଇଟି । ପାଗଳାମି ଛାଡ଼ିଗଲା ଗଉରାର । ଭାବିଲା ଏଇଟା ବି ପ୍ରୀତି ଉପହାର ଭିତରେ ଯିବ । ପୁଣି କୁଣ୍ଢାଇ ଧରିଲା । ଜେମିର ଶେଷ ଅସ୍ତ୍ର ତାର ଦାନ୍ତ । ଖୁବ୍‍ ଜୋରରେ ଲଗାଇଦେଲା ।

 

ବିକଳରେ ଦଉଡ଼ିଗଲା ଗଉରା । କହିଲା– ମାଉସୀ, ତୋ ଝିଅକୁ ମୁଁ ଯଦି ପଠାଣ ନ ଦେଖେଇଚି ମୋ ନାଁ ଗଉରା ନୁହେଁ ।

 

ମଣିଷଟା ମଣିଷଗୁଡ଼ାଙ୍କୁ କ’ଣ କାମୁଡ଼ିବ । ହାତଟା ବାତିଯିବ ! ଔଷଧ କେଉଁଠୁ ପାଇବ-? ଦେବେନ୍ଦ୍ର ବାବୁ ପାଖକୁ ଔଷଧ ପାଇଁ ଯିବନି ଗଉରା । ବହୁତ ଫଟେଇ ପଚାରିବେ । ରାତିରେ କଲରାପତର ଦି’ଟା ବାଟି ଲଗାଇଦେଲା ଖୁବ୍‍ ଗଞ୍ଜେଇ ଶିଷିନେଲା । କଷ୍ଟ ଯାହା ହେଲେ ବି ନିଦରେ ଶୋଇପଡ଼ିଲା ।

 

ଜେମି ରାଗରେ ଜରଜର । ‘ମା’ ହୋଇ ତୋର ଏ କି ଆଚରଣ ?’ କହି ଜେମି ପଳାଇଲା । ଏକ ନିଶ୍ୱାସ ରେ କହି ପକାଉଛି । ବାଟରେ ମଇଁଷିଆଳ ଗଉଡ଼ଟା ପେତେଣୀ ବୋଲି ଭାବି ଗଛମୂଳେ ତୁନୀକରି ଠିଆ ହୋଇଗଲେ । ଝାଡ଼ା ହୋଇଗଲା ତାଠୁ ଗୋଟାଏ ଠିଆରେ ଠିଆରେ । ସଇଁ ସଇଁ ହୋଇ ଜେମି ଯାଇ ଠିଆହେଲା ଦେବେନ୍ଦ୍ର ବାବୁଙ୍କ ଦୁଆରେ ।

 

‘ବାବୁ, ବାବୁ’ ଡାକ ଛାଡ଼ିଲା ଜେମି । ବାବୁଘରେ ନ ଥାନ୍ତି । ତାଙ୍କ ସ୍ତ୍ରୀ ମାଧୁରୀ କବାଟ ଫିଟାଇଲେ –କ’ଣ ଜେମି, ଏତେ ରାତିରେ?

 

ଥରୁଥାଏ ଜେମି – ସେମିତି ଗୋଟାଏ ଜରୁରୀ କାମ ଅଛି ।

 

ମାଧୁରୀ କହିଲା– ବସ୍‍ ଆ ଘରେ । ବାବୁ ଯାଇଛନ୍ତି ଘୋଡ଼ା ପଦାକୁ ରୋଗୀ ଦେଖି । ଏଇନେ ଫେରୁଥିବେ ।

 

କୁନି ପଚାରୁଛି–ମା’, ନଈ କେଉଁଠୁ ବାହାରିଚି ?

 

ମାଧୁରୀ ଉତ୍ତର ଦେଲେ– ପାହାଡ଼ରୁ ।

 

କୁନି ପଚାରିଲା– ପାହାଡ଼ କେଉଁଠି ଥାଏ ?

 

ମାଧୁରୀ ଉତ୍ତର ଦେଲେ – ମାଟି ଉପରେ, ବହୁତ ଦୂରରେ ।

 

କୁନି ପଚାରିଲା– ପାହାଡ଼କୁ ପାଣି କୁଆଡ଼ୁ ଆସିଲା ?

 

ମାଧୁରୀ ଉତ୍ତର ଦେଲେ– ମେଘରୁ ।

 

କୁନି କହିଲା– ମା’ ମେଘ କୁଆଡ଼ୁ ଆସିଚି ?

 

ମାଧୁରୀ କହିଲେ– କେତେ ଚେଣ୍ଟେଇ ହଉଚୁ ମ ! ବାପାକୁ ପଚାରିବୁ । ‘କ’ଣ ବାପାକୁ ପଚାରିବ?’ କହି ଦେବେନ୍ଦ୍ର ବାବୁ ପଶି ଆସିଲେ ।

 

ମାଧୁରୀ ହସିପକାଇ କହିଲେ–ମେଘ କୁଆଡ଼ୁ ଆସିଲା ?

 

କୁନି କହିବା ସେ କଥା । ରହ ଖାଇପିଇ ସାରିଲେ ମନେ ପକାଇବୁ । ଏ କିଏ ? ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଦେବେନ୍ଦ୍ର ।

 

‘ଜେମି ଆଜ୍ଞା’ କହି ଜେମି କଇଁ କଇଁ ହୋଇ କାନ୍ଦିଲା ।

 

ଦେବେନ୍ଦ୍ର ବାବି ବିଚଳିତ ହୋଇପଡ଼ିଲେ । ତେଣେ ରୋଗୀର ଅବସ୍ଥା ସାଙ୍ଘାତିକ । ସେଠି ସମସ୍ତେ କାନ୍ଦୁଛନ୍ତି । ଏଣେ ଜେମିର କ’ଣ ହୋଇଚି ଯେ ସେ କାନ୍ଦୁଚି । ଖାଲି କାନ୍ଦ, କାନ୍ଦ । ଦୁଃଖରେ ଦେଶଟା ସଢ଼ି ଯାଉଚି ଯେମିତି । ତେବେ କାନ୍ଦଟା ଶୁଭ ଲକ୍ଷଣ ନୁହେଁ । କାନ୍ଦିଲେ କ’ଣ ଦୁଃଖ ଦୂର ହେବ ? ବିପଦ କମିବ ? ଧୈର୍ଯ୍ୟ ଧରି ଲଢ଼ିଲେ ସିନା ବିପଦ ଉଡ଼ିଯିବ ? ଦୁଃଖ ମିଳେଇଯିବ ?

 

ପୁଣୀ ଜେମିକୁ ଲକ୍ଷ୍ୟକରି ପଚାରିଲେ– ଜେମି କଥା କ’ଣ ।

 

ଜେମି ସବୁ କହିଗଲା । ମନର ଦୁଃଖ ଅନ୍ୟଠି ପ୍ରକାଶ କରିଦେଲେ ଦୁଃଖ କମିଯାଏ । ମୁଣ୍ଡଟା ହାଲୁକା ଲାଗେ । ତେଣୁ ଅସରନ୍ତି ସୁଅ ପରି କହିଚାଲିଚି, ଜେମି ଗଉରାର ତା’ପ୍ରତି ବାରମ୍ୱାର ଆକ୍ରମଣ ଓ ତାର ଗଉରାକୁ ପ୍ରତି-ଆକ୍ରମଣ । ସେ କିପରି ମାନିଆ ଓ ଧରମୁକୁ ବନ୍ଧାଇ ଅଛି । ତାଳବଣରେ ଗଞ୍ଜେଇ ପୋତି ଏପରି କାଣ୍ତ ଭିଆଇଚି । ଏବେ ମୋତେ ଧମକାଉଚି ବନ୍ଧାଇବ ପଠାଣ ହାତରେ । ତା’ ସଙ୍ଗରେ ନୂଆ ପଲମର ଭରତ ମିଶିଚି । ଏ କ୍ଷଣୀ ଗଉରା ଘରେ ବି ଗଞ୍ଜେଇ ବାହାରିବ । ଭରତ ଘରେ ଅଫିମ ବାହାରିବ । ଏମାନଙ୍କୁ ଧରା ନ ପକାଇଲେ ଚଳିବେନି ।

 

ଆଉ ମୋର ମାଆଟା ଖରାପ । କୌଣସି ମନ୍ଦ ଲୋକକୁ ଜବତ କରୁନି । ସବୁବେଳେ ସମସ୍ତେ ମୋତେ ହଇରାଣ କରୁଛୁ । ମୁଁ ନିଜ ସୁବିଧାରେ ବଞ୍ଚିବାକୁ ଇଚ୍ଛା କରୁଚି । ହୋଇପାରିବ କି ନାଇଁ ବାବୁ ?

 

ଦେବେନ୍ଦ୍ର ବାବୁଙ୍କ ମୁହଁ ଗମ୍ଭୀର ହୋଇଗଲା । ହୋଇ ପାରିବ ଜେମି ! ସ୍ୱାଧୀନ ଦେଶରେ ବଞ୍ଚି ରହିବାର ସ୍ୱାଧୀନତା ସମସ୍ତଙ୍କର ଅଛି । ଆଚ୍ଛା, ରାତିରେ ତୁ ଏକୁଟିଆ ଘରକୁ ଯିବୁ କିପରି ?

 

‘ମୁଁ ଆଉ ଘରକୁ ଫେରିବିନି ବାବୁ!’ କହି ଜେମି କାନ୍ଦିଲା ।

 

ଦେବେନ୍ଦ୍ର ବାବୁ କହିଲେ–ନା ଜେମି, ଦୁଷ୍ଟ ଲୋକଙ୍କୁ ଡରିଲେ ସେମାନେ ଡରେଇବେ । ଡରିବା ମଣିଷର କାମ ନୁହେଁ । ସେମାନଙ୍କୁ ବୀର ପରି ଦବେଇବାକୁ ହେବ ।

 

ନିଜେ ନେଇ ଜେମିକୁ ଘରେ ଛାଡ଼ିଲେ । ବାଉରି ସାହି ଲୋକଙ୍କୁ ଡକାଇ ସଫା ସଫା ଶୁଣାଇଦେଲେ– ଦେଖ, ତୁମ ସାଇରେ ରାଣ୍ଡିଖଣ୍ଡି ଲୋକଙ୍କ ଘରେ ଦୁଷ୍ଟ ଲୋକ ଉତ୍ପାତ ଲଗାଇଛନ୍ତି। ଏ କଥା ସବୁ ଦେଖୁନ ? କୁଆଡ଼େ ଗଲା ଗଉରା ?

 

ସମସ୍ତେ ଗଉରାକୁ ଡାକ ପକାଇଲେ । ମାତ୍ର ଗଉରା କହିଲା– ଭାରି ଜର । ଉଠି ପାରିବିନି । କାଲି ସକାଳେ ବାବୁଙ୍କୁ ଦେଖା କରିବି କହିଦେ ।

 

ତା’ପରେ ଦେବେନ୍ଦ୍ର ବାବୁ କହିଲେ–ଦେଖ, ଜେମି ଘରେ ଯେପରି କେହି କିଛି ନ କରନ୍ତି ସମସ୍ତେ ଟିକିଏ ଦେଖିବ ।

 

ଜମି ବୋଟାରଉ ତ ଲଡ଼ବଡ଼ିଆ ପ୍ରକୃତି । କେତେ ହେଲେ ଜଗିବ ? ସମସ୍ତେ ଏଇ ଗୋଟେ କହୁଥାନ୍ତି ।

 

ଜେମି ବୋଉ ସମ୍ଭାଳି ପାରିଲାନି । ଦଉଡ଼ି ଆସିଲା–କ’ଣ ମୋ ନାଁରେ ବନେଇ ଚୁନେଇ କହୁଚରେ ରାଣ୍ଡର ପୁଏ ! ମୋର ଗିରସ୍ତ ରେଙ୍ଗାମରୁ ନ ଫେରିବାରୁ ସମସ୍ତଙ୍କର ବହପ ବଢ଼ି ଯାଉଚି । ଦେଖତ ବାବୁ, ଆପଣ ଏମାନଙ୍କୁ ଠିକ୍‍ କରି ଦିଅନ୍ତୁତ !

 

ଦେବେନ୍ଦ୍ର ବାବୁ ଫେରିଲେ । ତାପରେ ଗଉରା ବାହାରିଲା । ବଡ଼ ପାଟି କରି କହିଲା– ଆରେ ତୁମ ବାଉରିଗୁଡ଼ାଙ୍କ ମୁଣ୍ଡରେ ଗୋବର ଅଛିରେ ଗୋବର ଅଛି । ହଇରେ, ତମ ସାହିର କଳି ଅନ୍ୟ ଲୋକ ଆସି କ’ଣ ତୁଟାଇବାକୁ କହିବେ, ଦେବେନ୍ଦ୍ର ବାବୁ । ହଇହେ ମିଠାଗୁଣ୍ଡ ଟିକେ ଦେଇ ଚାରି ପଇସା ନେଉଛି ଯୁବଦଳ ଗଢ଼ି ଯେ ଗାଁ କୁ ଗାଁ ଖରାପ କରୁଚି, ସେ ଗୋଟିଏ କ’ଣ ଆମକୁ କହିବରେ । ତୁମେମାନେ ବିଚାର କର ତ ? ଜେମି କାହିଁକି ଏତେ ରାତିରେ ଦେବେନ୍ଦ୍ର ବାବୁଙ୍କ ଘରକୁ ଯାଇଥିଲା ? ତାଙ୍କ ସାଙ୍ଗରେ କାହିଁକି ଆସିଲା ? ତମେ ଆମେ କିଏ ହେଇଥିଲେ କେତେ କଥା ଉଠାନ୍ତାଣି । ଦେବେନ୍ଦ୍ର ବାବୁ ବୋଲି ସବୁ ଯାଉଚି ।

 

କମିର ଦାଦି ଆଜିଯାଏଁ ଗଉରା କଥାରେ ପାଳି ଧରୁଥିଲା । ମାତ୍ର ଗୋଟାଏ କଥା ସେ ସହି ପାରିଲାନି । ଗଉରା ଯେଉଁଠୁ କହିଲା– ତୁମେ ସବୁ ବାଉରୀଗୁଡ଼ାକ, ତୁମ ମୁଣ୍ଡରେ କିଛି ନାହିଁ–ପାଟିକରି ଉଠିଲା ସେ କହିଲା– ଆବେ ଟୋକାର ମୁହଁ ବଢ଼ିଯାଉଚି । ଆବେ, ଆମେ ସବୁ ବାଉରି ଆଉ ତୁ କ’ଣ ବ୍ରାହ୍ମଣ ସାଆନ୍ତ ? କ’ଣ ଗୋଟାଏ ପାଲା ଜମଉଛୁ ? ଆବେ, ନୂଆ ପଲନ ଭରତ ସଙ୍ଗରେ କ’ଣ ଦୋସ୍ତ ଜମଉଚୁ? ଆମ ଗାଁର ସାହୁକୁ ବନ୍ଧେଇ ଦେଇଚୁ ? ମୁଁ ସବୁ ଜାଣେ । ଏଠି ନାଗର ସାଜିଛୁ !

ଗଉରା ବି ନିଆଁ ବାଣ– ଓଃ କାଟିଗଲା ! ଝିଆରୀଜୁଆଁଇ ତୋର ମାମୁଁ ଘର ଗଲେ ନା-!

କମିର ଦାଦି ଏକଦମ୍‍ ଧୈର୍ଯ୍ୟ ହରାଇ ମାରିବାକୁ ଚିହିଁକି ଆସୁଥିଲା, ଅନ୍ୟମାନେ ଧରିପକାଇଲେ । ଯିଏ ଯୁଆଡ଼େ ଘରକୁ ଶୋଇବାକ ଗଲେ । ମାତ୍ର ଦୁହିଁକୁ ନିଦ ହେଲାନି । ଗଉରା ଭାବୁଥାଏ, କିପରି କମିର ଦାଦିକୁ ବନ୍ଧାଇବ । କମିର ଦାଦି ଭାବୁଥାଏ କିପରି ଗଉରାକୁ ବନ୍ଧାଇବ ।

ସକାଳ ହେଲା । ଧାନକଟା ସରିଗଲାଣି । ବାଉରାଣୀମାନେ ମୁଠିଶାଗ, ପିତାଶାଗ ତୋଳିବାକୁ ବାହାରି ଗଲେଣି ।

ଗଉରା କାହାକୁ କିଛି ନ କହି ଛୁଟିଲା ନୂଆ ପଲମ । ଭରତ ପାଖରେ ସବୁ କହି ଆଗ ହାତ ପାଇଁ ଔଷଧ ମଲମ ଆଣିବ । ତା’ପରେ ଚାଲିଲା ମନ୍ତ୍ରଣା । ଗଉରା ତାର ଦୁଃଖର କାହାଣୀ କହିଗଲା । କିପରି କମିର ଦାଦିକୁ ମିଛ କେଶରେ ପକାଇବାକୁ ହେବ, ଜେମିକୁ କେମିତି କରାୟତ କରାଯିବ, ସବୁ ଗୁହାରି ଶୁଣାଇଲା । ଭରତ ଆଗ ଔଷଧର ବ୍ୟବସ୍ଥା କରାଇଦେଲା । କେଶ ନେଇ କହିଲା–ଟିକିଏ ଅପେକ୍ଷା କର । ବାବୁ ଯେଉଁ ଦୁଇଟି କେଶ୍‍ ଧରିଛନ୍ତି କ’ଣ ହଉଚି ଦେଖ । ଖାଲି ହାତକଡ଼ି ପକାଇଦେଲେ ଯେ ମକଦ୍ଦମା ଜୟ ହୋଇଗଲା ସେପରି ଠିକ୍‍ ନୁହେଁ । ଗୋଟାଏ ମକଦ୍ଦମାରେ ଜିତିବା ଗୋଟାଏ ଗଡ଼ ଜିଣିବା ପରି । ପଇସା ଥିଲେ, ଓକିଲ ମୁକ୍ତିଆର ଧରିଲେ ସତଟା ମିଛ, ମିଛଟା ସତ ।

କମି ଦାଦି ରାଗେନି । ଯଦି ରାଗିଲା ତେବେ ସେ ପ୍ରତିଶୋଧ ନନେଇ ଛାଡ଼ିବନି । ଆଜି ତାର ଝୁଙ୍କ ଉଠିଛି । ଗଉରାକୁ ଧରେଇଦେବ । ସେ ଜାଣେ ଅବକାରୀ ବଡ଼ ବାବୁଙ୍କର ସାନବାବୁ ସଙ୍ଗେ ପଡ଼େନି । କାରଣ ବଡ଼ବାବୁ ସବୁ ପଇସା ମାରିଦିଅନ୍ତି । ସାନବାବୁ ବିଚରା ଶୁଖି ଠାଉ ଠାଉ । ଏତେଗୁଡ଼ିଏ ପିଲା କବିଲା ନେଇ ଚଳିବା ତାଙ୍କ ପକ୍ଷେ ମୁସ୍କିଲ । ଚାଲିଲା ସାନବାବୁଙ୍କ ପାଖକୁ । ସବୁ ବିଷୟ କହିଲା । ସାନବାବୁ ଖୋଜୁଥିଲେ, କୁଆଡ଼ୁ କେଶ୍‍ ଗୋଟେ ଦିଟା ମିଳୁ । ନ ହେଲେ ସରକାରୀ କ’ଣ ଭାବିବେ, ମୁଁ କିଛି କାମ କରୁନି ।

ଗଉରା ଫେରି ଆସି ଘରେ ଥାଏ । ସାନବାବୁ ଆଉ ଦୁଇଟି ଚପରାସୀକୁ ନେଇ ଆସିଲେ । ଗଉରାକୁ ଡକାଇଲେ । ସାନବାବୁ କହିଲେ– ଆମେ ତୁମ ଘର ସର୍ଚ୍ଚ କରିବୁ । ଗଉରା ବାହାପିଆ ଦେଖେଇ କହିଲା– ତୁମେ କିଏ ହୋ, ତୁମର ଉପର ହାକିମ ତ ମୋ ଘରେ ପଶି ନାହାନ୍ତି, ତୁମେ ପଶିବ ?

ସାନବାବୁଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା । ଚୁଟିଆ । ସାନବାବୁ, ବଡ଼ବାବୁ । ଆବେ, ତୋତେ ବଡ଼ ହୋଇଥିବେ । ମୋତେ ନୁହେଁ । ଡେରି ନ କରି ସେମାନେ ପଶିଲେ । ଦଶ ସେର ଗଞ୍ଜେଇପତ୍ର ଜବତ କରାଗଲା । ସାକ୍ଷୀଗୁହା ଠିକ୍‍ କରି ଚାଲାଣ କରିଦେଲେ । ସାନବାବୁ ଗଉରାକୁ । ତାପରେ ତାଙ୍କର ଭରତ ଉପରେ ବହୁଆଗରୁ ରାଗ ଥିଲା । ସବୁବେଳେ ବଡ଼ବାବୁଙ୍କୁ ଘରେ ରଖୁଥିବ । ସାନବାବୁଙ୍କୁ ବୋଇଲେ ମୋଟେ ଖାତିର ନାହିଁ । ଭରତ ଯେଉଁଠି ଅଫିମ ରଖେ ସମସ୍ତେ ଜାଣନ୍ତି । ବାବୁ ଆଗ ତା କମିଜ ଚୋରା ପକେଟରୁ ଦୁଇ ଭରି ଅଫିମ ଜବତ କଲେ । ପୁଣି କାର୍ଡ଼ ନାହିଁ କି କିଛି ନାହିଁ । ସେ ବି ଚାଲାଣ । ଏ ଦୁଇଟା ଗ୍ରହ ଚାଲାଣ । ଏ ଦୁଇଟା ଗ୍ରହ ଚାଲଣ କରି ସାନବାବୁ ଆଶ୍ୱସ୍ତି ମାରିଲେ । ବଡ଼ବାବୁଙ୍କ ମକଦ୍ଦମାର ସରକାରୀ ସାକ୍ଷୀ ସାନବାବୁଙ୍କ ମକଦ୍ଦମାର ମୁଦାଲା । ଏପରି ବିଭାଗୀୟ ସହଯୋଗ ଶୁଣୀ ସମସ୍ତେ କାବା ହୋଇଗଲେ ।

 

ଯେତେବେଳେ ସାନବାବୁ ଯାଇ କେଶ୍‍ ବିଷୟରେ ଖବର ଦେଲେ,ବଡ଼ବାବୁ ବଡ଼ ଖପା-। ତୁମେ ଅପଦାର୍ଥ, କିଛି ଜାଣିବନି । ସବୁବେଳେ ପିଇଦେଇ ମାତାଲଙ୍କ ପରି ଗଡ଼ୁଥିବ । ହୁଣ୍ଡାରାମ ହୁଦସ୍ତିଆ ଯାହାକୁ ତାହାକୁ ଧର ପଗଡ଼ । କ’ଣ ବଳେଇ ଯାଇଥିଲା ଏ କେଶଟା ସରିଥିଲେ ପରେ ଧରିଥିଲେ କ’ଣ ହେଇ ନଥାନ୍ତା ।

 

ସାନବାବୁ ସହୁଛନ୍ତି କେତେକେ ? କହିବସିଲେ– ମୁଁ ଦୁଇବୋତଲ ପିଇଲେ ଆପଣ ତ ବୋତଲେ ପିଉଥିବେ । ଆପଣ ପାଞ୍ଚଶହ ପକାଇଲେ ମୁଁ ଯେ ଖଡ଼ାନାସ୍ତି ଦିବାକର ।

 

ବାଉରି ସାହିର ନାଟକୀୟ ଅଭିନୟ ଦେବେନ୍ଦ୍ର ବାବୁଙ୍କ କାନରେ ପଡ଼ିଲା । ଦେବେନ୍ଦ୍ର ବାବୁ କହିଲେ– ଭଲ ହେଲା । ଦୋଷୀଦଣ୍ଡ ପାଉ ।

 

ମାନିଆଟା କିନ୍ତୁ ନିର୍ଦ୍ଦୋଷ । ତାକୁ ଜାମିନରେ ଆଣିବାକୁ ହେବ । ସକାଳ ଦଶଟା । ଦେବେନ୍ଦ୍ର ବାବୁ ସାଇକେଲ ଖଣ୍ଡେ ଧରି ଚାଲିଲେ । କଚେରୀରେ ପହଞ୍ଚି ମାନିଆକୁ ଜାମିନରେ ଆଣିବାରେ ବ୍ୟସ୍ତ ରହିଲେ । ପ୍ରଥମେ ମାଜିଷ୍ଟ୍ରେଟ୍‍ ଦେବେନ୍ଦ୍ରବାବୁଙ୍କୁ କହିଲେ– ବାଉରି ଲୋକ । ଏପରି କାମ କରିଥିବ । କାହିଁକି ଗୋଟିଏ ବର୍ଡ଼ନ୍‍ ମୁଣ୍ଡକୁ ନେବେ ।

 

ଦେବେନ୍ଦ୍ର ବାବୁତ ମୁହଁରେ ବଜେଇବା ଲୋକ । କହିଲେ–ଯେଉଁ ମାଜିଷ୍ଟ୍ରେଟ୍‍ ଆଗରୁ ଭାବିନେବ ଲୋକ ଟା ଦୋଷୀ ସେ କ’ଣ ଠିକ୍‍ ବିଚାର କରିପାରିବ । ଆପଣ କ୍ଷ୍ଣକ ଆଇନ ପରା କହୁଛି–ଦୋଷୀ ପଛକେ ଦଣ୍ଡ ନ ପାଉ ନିର୍ଦ୍ଦୋଷୀ ଖଲାସ ହେଇଯାଉ । ଆମେ ଜାଣୁ ମାନିଆ ନିର୍ଦ୍ଦୋଷ । ସେଥିପାଇଁ ଠିକ୍‍ କରିବୁ କେଉଁ ହାକିମ ମାନେ ଠିକ୍‍ ଯେ କରିବ ।

 

ସେତିକିବେଳେ ଧରମଙ୍କୁ ଶଶୁର ନଟବର ସାଆନ୍ତ ଆସି ପହଞ୍ଚିଗଲେ । ଧରମୁଙ୍କୁ ବି ଜାମିନ୍‍ ରେଳ ନେବେ । ଦେବେନ୍ଦ୍ର ବାବୁ ଣ୍ଗକ ଉଦ୍ୟମ ରେ ଜାମିନ ମିଳୀଗଲା । ଦୁହେଁ ଜେଲ ହାଜତରୁ ଖଲାସ ହୋଇ ଘରକୁ ଫେରିଲେ ।

 

ଧରମୁ ମାନିଆ କୁ ଡାକିଲେ ଆ ଆମ ଘରେ ଖାଇପିଇ ଯୀବୁ ।

 

ମାନିଆ ଉତ୍ତର ଦେଲା– ମୋର ଯଥେଷ୍ଟ ଶକ୍ତି ଅଛି ରାନ୍ଧି ଖାଇବାକୁ । ସୁବିଧାବାଦୀ ସାହୁକାର ଅନୁବାଦି ମୁଁ ଆଉ ଚାହେଁନା । ମାନିଆ ତାର ସେହି କୁଡ଼ିଆରେ ରହିବ । ଗଉରା କି ଧରମୁ କେହି ତାକୁ ଉଠେଇ ପାରିବେ ନାହିଁ । ଜମି ଟ ଗୋଟାଏ ଲୋକ ର ନୁହେଁ ସମସ୍ତଙ୍କର ।

 

ସିଧା ମାନିଆ ଚାଲିଲା ତାର କୁଡ଼ିଆ । କୁଟା ଜାଳି ରନ୍ଧାବଢ଼ା କରି ତାର ଖିଆପିଆ ଶେଷ କଲା । ଦୁଃଖ ନାହିଁ, ଶୋଚନା ନାହିଁ ସେ ଦୋଷ କରିନି । ଦଣ୍ଡ ସେ ପାଇବନି । ହାତକଡ଼ି ନେଇଛି ସାହୁର ମାନରକ୍ଷା ଲାଗି । ସେଇଟା କେବଳ ଘଟିଚି ଅସାଧୁ ସଙ୍ଗ ନେଇ । ଧରମୁ ଅସାଧୁ, ଠକ, ଅନ୍ୟାୟୀ,ଚରିତ୍ରହୀନ । ତାରି ଅଧୀନରେ କାମ କରି ମାନିଆ ଟିକିଏ ଭାଗ ପାଇଗଲା ପାପର ।

ରାତିରେ ଜେମିବୋଉ ଆସିଚି । ଜେମି ସଙ୍ଗରେ ଥାଏ । କେତେ ଦୁର୍ଦ୍ଦଶା କହି କାନ୍ଦିଛି । ମାନିଆ କିଛି ଜବାବ ଦେଇନି । କହିଚି–ନିଜ ଗୋଡ଼ରେ ଠିଆ ହୋଇ କାମ କର । ୟା କଥା ତା’ କଥାରେ ପଡ଼ି କାମ କଲେ ସୁବିଧା ହେବନି । ଫେରି ଯାଇଛନ୍ତି ସେମାନେ ।

ମାନିଆର ମନେ ପଡ଼ିଛି କମି । କେଡ଼ୁଟିଏ ହେବଣି ? ଆଉ କ’ଣ ଜେଲ ଯାଇଥିବା ମାନିଆକୁ ପସନ୍ଦ କରିବ । ଆଗଥିଲା ମାନିଆ ବାରବୁଲା ଏବେ ହେଲା କଏଦୀ । ଜୀବନର ଏ ଗୋଟାଏ ଗତି । ତଥାପି କମି ଯଦି ଠିକ୍‍ ପିଲା ହେଇଥିବ, ସ୍ନେହ ଯଦି ତାର ଦୃଢ଼ ହୋଇଥିବ, ସେ ଠିକ୍‍ ମାନିଆକୁ ନିଶ୍ଚୟ ଭଲ ପାଇବ । ସ୍ନେହ ତ ସୁଖର ସାଥୀ ନୁହେଁ, ଦୁଃଖର ମଧ୍ୟ ।

ଏଇପରି ଭାବନାର ଅନନ୍ତ ଢେଉ ମଧ୍ୟରେ ମାନିଆକୁ ନିଦ ହୋଇଯାଇଛି । କୁଡ଼ିଆଟି ଆଜି ହସି ଉଠୁଛି । କିଏ ସେଠି ରହିବ ମାନିଆ ବିନା । ମଶାଣି ପାଖ । ଡାଆଣି, ଚିରଗୁଣି, ପେତେଣୀ ଖାଇଯିବେଟି । ମାନିଆକୁ ସେମାନେ ଦେଖା ଦିଅନ୍ତିନି । ମାନିଆ ତ ଗୋଟାଏ ଭୂତ । ତାକୁ ଏଗୁଡ଼ାକ କ’ଣ ଡରାଇବେ । ମୂଷା ବି ଆସିଛି ମାତ୍ର ବଣା ଆଉ ପକାଇ ପାରିନି । କାଇଦା କରିଛି ମାନିଆ । ମାନିଆର ନିଦ ଭାଙ୍ଗିଚି । ପୁଷିଟିଏ ଥିଲେ ଆହା ସାଥୀଟିଏ ହୋଇଥାନ୍ତା । କା’ଟି ପରି ସୁଖରେ ଭାଗି ହୋଇଥାନ୍ତା ସେ ଗଉରାର କୀର୍ତ୍ତି ।

ପାହାନ୍ତାଟାରୁ କୁନିର ନିଦ ଭାଙ୍ଗିଗଲା । ସେ ଆଉ ଶୋଇବାକୁ ଚାହେଁନି । କଥାବାର୍ତ୍ତା କରିବାକୁ ଭାରି ତାର ଇଚ୍ଛା । ମା’ ଚାହାନ୍ତି ଆଉ ଟିକିଏ ଶୋଇବେ । ଆଖି ମାଡ଼ି ମାଡ଼ି ପଡ଼ୁଚି । ଏ ପିଲାଟା ଆଖିରେ ନିଦ ନାହିଁ କହିଲେ–‘ଯା, ବାପା ପାଖକୁ ଯା ।’

 

ଖୁସି ହୋଇ କୁନି ଅଜାଡ଼ି ହୋଇପଡ଼ିଲା ବାପାଙ୍କ ଛାତି ଉପରେ । ପଚାରିଲା– ବାପା, କାଲି ମୋ ପାଇଁ ବଲ୍‍ କିଣିଦେବ ।

 

ବାପା କହିଲେ– ହଁ ।

 

କୁନି–ବଲ୍‍ କାହିଁରେ ତିଆରି ?

 

ବାପା–ରବରରେ ।

 

କୁନି–ରବର କେଉଁଠୁ ଆସେ ?

 

ବାପା–ଏକପ୍ରକାର ଗଛରୁ ।

 

କୁନି–ସେ ଗଛ କେଉଁଠି ମିଳେ ?

 

ବାପା–ଭୂଗୋଳ ପଢ଼ିଲେ ଜାଣିବୁ ।

 

କୁନି କୁଦି ପଡ଼େ । ଭୂଗୋଳ ପଢ଼ିଲେ ସେ ଜାଣିବ ରବର କେଉଁଠୁ ମିଳେ। ସେ ପେଣ୍ଡୁ ତିଆରି କରିବ ।

 

କାଉ ଡାକିଲ– କାଆ,କାଆ ।

 

କୁନି ମଶାରି ଟେକି ଚାହିଁଲା । ରାତି ପାହିଗଲାଣି । ପାଟିକଲା–ବାପା, ଉଠ,ବୋଉ ଉଠ । ଦିନ ହେଲାଣି ଶୋଇଚ କ’ଣ ମ ? ମାଧୁରୀ ହସି ଉଠିଲେ–ଏ ପିଲାଟା କ’ଣ ଶୁଆଇ ଦେବ-? କୁନି ପୁଣି ପଚାରିଲା– ବାପା, ନିତି ସକାଳୁ କାଉ କାହିଁକି ଆମେ ବାପାଙ୍କୁ ପଚାରିଲା ବାପା କାଉ କାହିଁକି ଆମ ଦୁଆର ରେ ବୋବାଏ ?

 

ବାପା ବୁଝାଇ ଦିଅନ୍ତି– କାଉ ଏକା ଆମ ଦୁଆର ବୋବାଏନି, ସବୁରି ଦୁଆରେ ବୋବାଏ । ସେ ନିତି ଠିକ୍‍ ବେଳେ ଉଠେ । ବୋବାଇ କରି ଶୋଇଥିବା ଲୋକଙ୍କୁ ଉଠିବାକୁ କହିଦିଏ ।

 

ଦେବେନ୍ଦ୍ର ବାବୁ ଶୀଘ୍ର ତାଙ୍କର ନିତ୍ୟକର୍ମ ଶେଷ କଲେ । ନିଶା ନିବାରଣ କାମ ଆଗେଇ ନେବାକୁ ହେବ । ଶୁଭସ୍ୟ ଶୀଘ୍ରମ୍‍ । ମଣିଷର ଶତ୍ରୁ ଯଥା ଦେହର ରୋଗ, ଅଣ୍ଟାର ଛୁରୀ ଦି ପଟିଆ ଛୁରୀ ଲୋକ, ସେମାନଙ୍କୁ ଯେତେ ଶୀଘ୍ର ଦୂର କରିବ ଭଲ । ନଇଲେ ସେମାନେ ମଣିଷକୁ ହରକତ କରିବେ । ଯୁବଦଳ ସଙ୍ଗେ ଦେବେନ୍ଦ୍ର ବାବୁ ଗାଁର ପ୍ରତି ଦୁଆରକୁ ଗଲେ । କାହ ଘରେ କିଏ ନିଶା ଖାଏ ? କେଉଁ ପ୍ରକାର ନିଶା? ଅଫିମିଆର କାର୍ଡ଼ ଅଛି କି ନାହିଁ ? କେତେ ବର୍ଷର ଅଫିମିଆ ? ଛୁଆମାନଙ୍କୁ କେଉଁମାନେ ଖୁଆନ୍ତି ? କେତେ ଲୋକ ଡରୁଥାନ୍ତି । ଗାଁରେ ତିନି ତିନିଟା ଲୋକ ବନ୍ଧା ହୋଇଗଲାଣି । ସତ କହିଲେ ସେପରି ବିପଦ ପଡ଼ିବ । ଏ ଯୁଗରେ ସତ କହିଲେ ମରିବ । ବନେଇ ଚିନେଇ ସତକୁ ମିଛ, ମିଛକୁ ସତ କଲେ ସୁନାପୁଅ । ସେଇଟା କେତେଦିନ ? ଯେ ସତ୍ୟ ସେ ସବୁଦିନିଆ ଆଉ ଯାହା ଅଢ଼େଇ ଦିନିଆ । ଅଧର୍ମର ଜୟ ଘର ପୋଡ଼ିରେ, ନଇ ବଢ଼ିରେ, ମଡ଼କ ମହାମାରୀରେ, ଧରିବାନ୍ଧି ମକଦ୍ଦମା ରେ ନିର୍ମୂଳ ହେବ ।

 

ଯେଉଁଟି ଦେବେନ୍ଦ୍ର ବାବୁ ଜାଣିପାରନ୍ତି ଲୋକଟା ଲୁଚାଉଚି, ସେଠି ବୁଝାନ୍ତି । କେଶ୍‍ ହେବନି ବୋଲି କହନ୍ତି । ତଥାପି କେତେ ଲୁଚାନ୍ତି । ସେଗୁଡ଼ାକ ସହଜ ଲୋକ ନୁହନ୍ତି । ବାହାରେ ଭଦ୍ରଲୋକ । ନୀତି ବୟାନ କରିବେ ଚାଣକ୍ୟଙ୍କ ପରି । ମାତ୍ର ଲୁଚେଇ ଲୁଚେଇ ସବୁ କାରବାର । ସେମାନେ କାର୍ତ୍ତିକ ମାସରେ ଆମିଷ ଭକ୍ଷଣ ତ୍ୟାଗ କରିବେ ମାତ୍ର ଗେଡ଼େଇ ମାଛ ଧରି ଛାଡ଼ଖାଇରେ ଖାଇବାକୁ ସାଇତି ରଖିବେ । ନିଶା ଖାଇବା ମହାପାପ କହିବେ । ରାତିରେ ପାଞ୍ଚଦଶ ଏକାଠି ହୋଇ ଗଞ୍ଜେଇ ଟାଣିବେ । ନଇଲେ ଗୁଲି ଖାଇବେ । ସେମିତି ଦଳେ ସାମାଜିକ ରୋଗ ରହିବେ । ତେବେ ସୂର୍ଯ୍ୟ କିରଣରେ ଯେପରି ମଇଳା ବିଶୁଦ୍ଧ ହୁଏ, ଖୋଲା ପବନରେ ଯେମିତି ଦେହ ଭଲ ରହେ ସେମିତି ଉନ୍ନତ ସମାଜରେ ସେମାନେ ବଦଳି ଯିବେ । କେତେବେଳେ ସମାଜ ମଣିଷକୁ ଗଢ଼େ । ଦୁହିଁଙ୍କ ମଧ୍ୟରେ ପାରମ୍ପରିକ ସମ୍ପର୍କ ।

 

ନିଜ ଗାଁରେ ତଥ୍ୟ ସଂଗ୍ରହ ପରେ ସଭାର ଆୟୋଜନ ହେଲା ଗାଁ ମଣ୍ଡପରେ । ଲୋକମାନଙ୍କୁ ବୁଝାଇ ଦିଆଯିବ । ତା’ ବାଦ ମାନିଆ, ଗଉର, ଧରମୁଙ୍କ କେଶ ପଡ଼ିବ । ଗୋଟାଏ ଆବର୍ଜନା ସଫ କରିଦେଲେ ବାହାରକୁ ଆଦର୍ଶ ଦେଖେଇଦେଲେ ସମସ୍ତେ ଭଲ କଥା ଆଡ଼କୁ ଆକୃଷ୍ଟ ହେବେ । ଚୋରକୁ ଖାଲି ଉପଦେଶ ଦେଲେ ବା ବନ୍ଦୀଶାଳରେ ଅତ୍ୟାଚାର କଲେ ସେ ବଦଳେନି । ଜେଲରୁ ଆସିଲେ ସେ ପୁଣି ଚୋରି କରେ ମାଡ଼ ଖାଏ । ମାତ୍ର ବାହାର ଦୁନିଆରେ ଚୋରି ଛଡ଼ା ଅନ୍ୟକିଛି ଉପାୟ ଦେଖାଯାଏନି । ବନ୍ଦୀଶାଳାଟା ଶିକ୍ଷାଗାରାରେ ହେବା ଉଚିତ । ଦୋଷୀର ମନସ୍ତତ୍ତ୍ୱ ବିଶ୍ଳେଷଣ କରି ତାକୁ ସମାଜ ଉପଯୋଗୀ କରିବା ଉଚିତ । ସେଇପରି ଏକ୍‍ସସାଇଜ୍‍ ବିଭାଗ ବାନ୍ଧିନେଇ ଜୋରିମାନା କରିଦେଲେ କି କୁହାଳିଆ ଲୋକ ନିଶା ଖାଅନି ବୋଲି ଉପଦେଶ ଦେଇଦେଲେ କି ସରକାର ଆଇନ କରିଦେଲେ ନିଶା ନିବାରଣ ହୋଇଯିବନି । ସେଥିପାଇଁ ଲୋକଙ୍କ ହୃଦୟରେ ଦୃଷ୍ଟିକୋଣର ପରିବର୍ତ୍ତନ ଲୋଡ଼ା । ଏଇପରି ଦେବେନ୍ଦ୍ର ବାବୁ ଭାବି ପକାଇ ଘରକୁ ଗଲେ ।

 

ସେତେବେଳକୁ ଘୋଡ଼ାପଦାର ଅନେକ ଲୋକ ବସିଛନ୍ତି । ଔଷଧ ପତ୍ର ଠିକ୍‍ କରି ତମକୁ ଦେଇଦେଲେ । ହଇଜା ବ୍ୟାପକ ଆକାର ଧରିଲାଣି । ପ୍ରତିଷେଧମୂଳକ ଔଷଧ ଦରକାର । ଯୁବଦଳରୁ ଜଣକୁ ପଠାଇଲେ । ହେଲ୍‍ଥ ଅଫିସର ସବୁ ଶୁଣିଲେ । ବଡ଼ ଅଡ଼ୁଆ କଥା । ଔଷଧ ଥିଲେ ଲୋକ ନାହିଁ । ଲୋକ ଥିଲେ ଔଷଧ ନାହିଁ । ଏବେ ଚାରିଆଡ଼େ ହଇଜା ଲାଗିଲା । କେବଳ ଆମର କେତୋଟି ଲୋକ କ’ଣ କରିବେ ?

 

ତଥାପି ଦେଶର ଲୋକଗୁଡ଼ାକ ମରିଯିବା ବି ଠିକ୍‍ ନୁହେଁ । ଆଜି ଆମେ ବାବୁ ହୋଇ ସୁବିଧାରେ ଅଛେଁ । ଟିକିଏ କ’ଣ ହେଲେ ଆମ୍ବୁଲାନ୍‍ସରେ ଯାଇ ଡାକ୍ତରଖାନାରେ ପଡ଼ିବା । ଚିକିତ୍ସା ମିଳିବ । ମନରେ ଦମ୍ଭ ଅଛି ।

 

କୌଣସି ମତେ ଦୁଇଜଣ କର୍ମଚାରୀଙ୍କୁ ଔଷଧ ପତ୍ର ସହ ପଠାଇଦେଲେ ।

 

ସଞ୍ଜ, ପଲ୍ଲୀବଧୂ ଚଉରାମୂଳେ ବତୀ ଦେଇ ଶୁଭମନାସି ଗଲାଣି ନିଜ ସ୍ୱାମୀ ଓ ସନ୍ତାନମାନଙ୍କ ଲାଗି । ରନ୍ଧାବଢ଼ା ଦିନରୁ ସରିଛି । ଅଧିକାଶ ଖାଇ ସାରିଲେଣୀ । ହଳିଆମାନେ ଗାଈବଳଦମାନଙ୍କୁ ଖୋଇ ପେଇ ପାଳ ପକାଇ ଦେଲେଣି । ମଶା ଘଉଡ଼ାଇବା ପାଇଁ ଘଷିଗୁଣ୍ତ ଥୋଡ଼ାଏ ଜାଳି ଦେଲେଣି । ସମସ୍ତେ ସଭାକୁ ଯିବେ । କିଏ ଲୁଚାଇ କରି ଖାଏ, ତା କଥା କ’ଣ ହେବ ? କିଏ ଲୁଚାଇ କରି ବିକେ, ତାର ଜୀବିକା ବୁଡ଼ିବ କି କିଛି କିନାରା ମିଳିବ ? କାହାକୁ ଧଇଁ କାଶ ଧରିବାଦିନୁ ଚୋରା ଅଫିମ କିଣି ଖାଉଚି, ସେ କିପରି ବଞ୍ଚିବ ? ଛୁଆଗୁଡ଼ା ହଗି ହେଲେ କେମିତି ହେବ ? ସମସ୍ତଙ୍କର ସେଥିରେ ସମ୍ବନ୍ଧ । ସଭାମଣ୍ଡପ ଆଜି ଭରପୂର । ବନ୍ୟାପୀଡ଼ିତ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ସଭା ଡାକିଲେ ଦଶଭାଗରୁ ଭାଗେ ଲୋକ ହୁଅନ୍ତିନି ।

ଦେବେନ୍ଦ୍ରବାବୁ ଆରମ୍ଭ କଲେ ଭାଷଣ–ଭାଇ ଓ ଭଉଣୀମାନେ ଆମେ ଆଜି ସ୍ୱାଧୀନ ଦେଶରେ ବାସ କରୁଛେ । ଆଗରୁ ବିଦେଶୀମାନେ ଏ ଦେଶ ଶାସନ କରୁଥିଲେ । ସେମାନେ ଆମକୁ ମଦୁଆ କଲେ ସେମାନଙ୍କର କ୍ଷତି ହେଉନଥିଲା । ବଂର ମଦୁଆ, ମାତାଲ ଅଶିକ୍ଷିତ କରି ଅଧିକ କାଳ ଶାସନ କରିବାକୁ ଏମିତି କରୁଥିଲେ । ଆଜି ଦେଶକୁ ଆଗେଇ ନେବାର ଭାର ଆମ ଉପରେ । ଆମେ ଯଦି ନିଶା ଖାଇ ବୁଲୁ, କିଛି କଥା ମୁଣ୍ଡ ନ ନେଉ, ଚୋରି ନାରୀ କରୁ, ନିଜ ସ୍ତ୍ରୀକୁ ମାଡ଼ ଦେଉ, ତେବେ ଦେଶରେ ବେଶୀଦିନ ତିଷ୍ଠି ପାରିବନି । ଅନ୍ୟ ଦେଶ ସଙ୍ଗେ ତାଳ ପକାଇ ଆମକୁ ଚାଲିବାକୁ ପଡ଼ିବ । ସେମାନେ କେତେ ନୂଆ କଥା କରିଗଲେଣି, ଆମେ ସେ କଥା ଭାବିବା ଉଚିତ ।

କିଏ କହିପାରେ ସାହେବମାନେ ତ ମଦ ପିଅନ୍ତି, ସେମାନେ କିପରି ନୂଆ କଥା ବାହାର କଲେ? ସେମାନେ ଶୀତ ଦେଶର ଲୋକ । ମଦକୁ ସେମାନେ ଖାଦ୍ୟ ରୂପରେ ଖାଆନ୍ତି । ଆମ ଦେଶ ଗରମ ଦେଶ । ଆମ ଦେଶର ମଦ ଖାଦ୍ୟ ନୁହେଁ । ଏହା ଗୋଟେ ଅନାବଶ୍ୟକ ଦ୍ରବ୍ୟ , ଗୋଟାଏ ନିଶା । ସେମାନେ ମଦ ପିଇ ମାତାଲ ହୁଅନ୍ତିନି । ଆମେ ମାତାଲ ହୋଇ ନାନା ଅବାଞ୍ଛିତ କାମ କରୁଁ ।

ଏଣୁ ପ୍ରଥମେ ଆମ ଗାଁରେ କୌଣସି ପ୍ରକାର ନିଶା ଦ୍ରବ୍ୟ ବ୍ୟବହାର କରିବା ନାହିଁ । ସେଥିରେ କେତୋଟି କଥା ଉଠିପାରେ । ଯେଉଁମାନଙ୍କର ଅଫିମ ଅଭ୍ୟାସ କରିସାରିଲେଣୀ ସେମାନେ ଔଷଧ ନେଇ ଆସ୍ତେ ଆସ୍ତେ କମେଇ ଦେବେ ଓ ଶେଷରେ ଛାଡ଼ିଦେବେ ।

 

ଛୁଆମାନଙ୍କୁ ଅଫିମ କୌଣସି କାରଣରୁ ଦିଆଯିବା ଅନୁଚିତ । ସେମାନଙ୍କୁ ରୋଗ ହେଲେ ଔଷଧ ଦିଆଯାଉ । ଭଲ ଭାବରେ ରହିଲେ ଭଲ ଖାଦ୍ୟ ପାଇଲେ ଶିଶୁମାନେ ବେଶୀ ରୋଗରେ ପଡ଼ିବେନି ।

 

ଅନ୍ୟ ନିଶା ଛାଡ଼ିଦେଲେ ମଣିଷର କ୍ଷତି ହେବନି । ଏଣୁ ପ୍ରତ୍ୟେକ ନରନାରୀ ଶପଥ କରନ୍ତୁ–ଆଜିଠାରୁ ନୂଆ କେହି ନିଶା ଖାଇବାକୁ ଅଭ୍ୟାସ କରିବେନି । ପୁରୁଣା ଲୋକ ଆସ୍ତେ ଆସ୍ତେ ଅଭ୍ୟାସ ଛାଡ଼ିବେ ।

 

ଅନେକ ଲୋକ ଚୁପ୍‍ ରହିଲେ । ନ୍ୟସ୍ତସ୍ୱାର୍ଥ କେତେକ ଲୋକ ଠିଆହୋଇ ପ୍ରଶ୍ନ ପଚାରିବାକୁ ଇଚ୍ଛା ପ୍ରକାଶ କଲେ ।

 

ସ୍ୱାଧୀନ ଦେଶର ମତବ୍ୟକ୍ତ କରିବାର ଅଧୀକାର ସମସ୍ତଙ୍କର ଅଛି । ଗୋଟାଏ ବିଷୟ ସନ୍ଦେହ ଦୂର ନ ହେଲେ ଲୋକ କିପରି ସେ ବିଷୟ ପସନ୍ଦ କରିବେ ? ପ୍ରଶ୍ନ ପଚାରିବାକୁ ଅନୁମତି ଦିଆଗଲା ।

 

ନାଥ ଦାସ ଠିଆ ହୋଇ କହିଲା– ମୁଁ ତ ମହାଦେବ ପୂଜା କରେ । ସେଠି ତ ଚାରି ପଇସାର ଗଞ୍ଜେଇ ନ ହେଲେ ନ ଚଳେ ! ବାବାଙ୍କ ମୁଣ୍ଡରେ ନ ଘଷିଲେ ପ୍ରଳୟ ହେବ ।

 

ଦେବେନ୍ଦ୍ର ବାବୁ ଉତ୍ତର ଦେଲେ–ଭାରତ କାହାରି ଧର୍ମରେ ଆଞ୍ଚ ଆଣିବାକୁ ଚାହେଁନି । ତେବେ ଆମେ ହିନ୍ଦୁମାନେ ଭାବିବା ଉଚିତ, ଗଞ୍ଜେଇ ନଦେଲେ ମହାଦେବ ପ୍ରକୃତରେ କ’ଣ କରିବେ ନା କ’ଣ ! ଏସବୁ ପ୍ରଥା ଆଗରୁ ଚାଲିଆସିଚି ବୋଲି ଚଳୁଚି । କିନ୍ତୁ ଆମ ଆଗର ମନ୍ଦ କଥାଗୁଡ଼ିକ ଉଠାଇଦେବା । ଏଣୁ ମହାଦେବଙ୍କୁ ଗଞ୍ଜେଇ ନଦେଇ ଦେଖାଯାଉ କ’ଣ ହେବ ?

 

ନାଥ ଦାସ କହିଲେ– ଆରବର୍ଷ ତ ଅଷ୍ଟମୀ ବଳି ବନ୍ଦ କଲ ଯେ ଦେଖେ ଧରମୁକୁ କେତେ ବିପତ୍ତି । ଗାଁ ରେ କେତେ ମାଲିକମକଦ୍ଦମା । ପୁଣି ମହାଦେବଙ୍କୁ ଗଞ୍ଜେଇ ବନ୍ଦ କଲେ କ’ଣ ହେବ କେଜାଣି ?

 

ଧରମୁ ମନଟା କଥାଟା ବେଶ୍‍ ଆସୁଥାଏ । ସେଥିପାଇଁ ତ ତାର ବିଲେଇ କାମୁଡ଼ାଠାରୁ ଆରମ୍ଭ ହାତକଡ଼ି ପର୍ଯ୍ୟନ୍ତ ସବୁ ବିପତ୍ତି ।

 

ଦେବେନ୍ଦ୍ର ବାବୁ କହିଲେ–ଏଥିର ମୋର ବିଶ୍ୱାସ ନାହିଁ । ଧରମୁଙ୍କ ବିପତ୍ତି ପାଇଁ ତାଙ୍କ ଚରିତ୍ର ଦାୟୀ । ଦେବୀ କାହିଁକି ଆଉ କାହାକୁ ଅଡ଼ୁଆରେ ପକାଉ ନାହାନ୍ତି ?

 

କୁଳିଆ ଜାନି ପଚାରିଲା– ମୋର ତ ଝାଡ଼ୁଆଣୀ ପୂଜାରେ ମଦ ନହେଲେ ନଚଳେ । ମୁଁ କ’ଣ କରିବି ?

 

ଦେବେନ୍ଦ୍ର ବାବୁ କହିଲେ–ପୁଣି ସେଇ ଏକ ପ୍ରକାର ପ୍ରଶ୍ନ । ସେ ସବୁ ବନ୍ଦ କଲେ କିଛି ହେବନି ବୋଲି ମୋର ଧାରଣା ।

 

କୁଳିଆ ଜାନି କହିଲା– ତମ କଥାରେ ପଡ଼ି ଆମେ ବନ୍ଦ କରିବୁ । ଆମ କୁଳ ବୁଡ଼ିଲେ କିଏ ପାଣି ଟିକିଏ ଦେବ ।

 

ଦେବେନ୍ଦ୍ର ବାବୁ କହିଲେ–ଗୋପବନ୍ଧୁ ଦେହ ଛାଡ଼ିଲେ । ଦେଶବାସୀ ତାଙ୍କ ଆତ୍ମାର ଭଲଗତି ପାଇଁ ପ୍ରାଥନା କଲେ । ସେପରି କାମ କର । ଗାଁ ବାଲା ସମସ୍ତେ ପାଣି ଦେବେ ।

 

କୁଳୀଆ ଜାନି କହିଲା–କେଜାଣି ବାବୁ ଏପରି କଥା ଆମ ବୋପା ଅଜାକାଳେ ଶୁଣି ନଥିଲା ।

 

ଦେବେନ୍ଦ୍ର ବାବୁ କହିଲେ–ବୋପା ଅଜା କାଳଠାରୁ ଏ କାଳ ଅଲଗା । ଏ କାଳକୁ ଆମେ ନୂଆ କରି ଗଢ଼ିବାକୁ ଲାଗିଛୁ । ଜୀବନରେ ନୂଆ କଥା ଦରକାର ନୂଆ ନ ହେଲେ ଖାଲି ପୁରୁଣାରୁ କେତେ ଆନନ୍ଦ ପାଇବା ?

 

ଏଇପରି ଗୁଡ଼ିଏ ପ୍ରଶ୍ନର ଉତ୍ତର ଦେଇ ଦେବେନ୍ଦ୍ର ବାବୁ ଶପଥ କରାଇନେଲେ– ନୂଆକରି କେହି ନିଶା ଖାଇବେ ନାହିଁ । ଯେଉଁମାନେ ଖାଉଛନ୍ତି, ସେମାନେ ଆସ୍ତେ ଆସ୍ତେ ଛାଡ଼ିବେ-। ଦିଅଁ ଦେବତାକୁ ମଦ ଭୋଗ ଦେବା ଦରକାର ନାହିଁ । ସେଇଟା ବଳିଦାନ ପରି ଗୋଟିଏ ଧର୍ମ ନାମରେ ବ୍ୟଭିଚାର ।

 

ନାଥ ଦାସ, କୁଳିଆ ଜାନି ଏକାଠି ବସି କ’ଣ ଟୁପ୍‍ଟାପ୍‍ ହେଲେ ।

 

ତା’ପରେ ପଡ଼ିଲା ଗାଁର ମକଦ୍ଦମା କଥା । ଦେବେନ୍ଦ୍ର ବାବୁ ଗୋଟେ ବେସରକାରୀ କମିଟି ଗଢ଼ିଲେ । ସେଥିରେ ଧରମୁ, ମାନିଆ, ଗଉରା, କମିଦାଦି ଆଦିଙ୍କର ସାକ୍ଷ୍ୟ ନିଆଗଲା ।

 

ଧରମୁ କହିଲେ– ମୁଁ କେବେ ଗଞ୍ଜେଇ ଗଛ କେଉଁଠାରେ ପୋତିନି । ପ୍ରଥମ ଦିନ ବରଗଛ ମୂଳେ ଏତେ ବଡ଼ ଗଞ୍ଜେଇ ଗଛ ଦେଖି ମୋ ହାଲୁକ ଶୁଖିଗଲା । ଅବକାରୀ ବାବୁ ମୋତେ ବାନ୍ଧିବାର କଥା । ମାନିଆ ମୋର ନିକମସଚ୍ଚା ଚାକର । ସେ କହିଲା– ସେ ଗଛ ପୋତିଛି ସାହୁର ମାନରକ୍ଷା ଲାଗି । ମାନିଆ ବନ୍ଧାହେଲା । ମୋର କିଛି ପଇସା ଶ୍ରାଦ୍ଧ ହେଲା । ମୁଁ ମିଛରେ ମାନିଆ ବାଡ଼ିରୁ ଗଛ ମିଳିଲା ବୋଲି ବାବୁଙ୍କୁ ଶିଖାଇଲି । ବାବୁ ମଙ୍ଗିଗଲେ । ତାଙ୍କର ଆଶା ଥିଲା ମାନିଆ ହଁ କରିବ । ମକଦ୍ଦମା ଅଡ଼ୁଆ ହେବନି । କିନ୍ତୁ ଯେତେବେଳେ ମାନିଆ ମନାକଲା ବାବୁ ସାକ୍ଷୀମାନଙ୍କୁ ଶିଖାଇବାକୁ କହିଲେ । ସେଥିପାଇଁ ବାବୁ ରାଗିଲେ । ମୁଁ ଜାଣେନା ତାଳବଣରେ କିଏ ଗଞ୍ଜେଇ ଲଗେଇଚି । ବାବୁ ସକାଳୁ ଆସି ତାଳବଣରୁ ଗଛ ପାଇଲେ । ମୋତେ ବାନ୍ଧିନେଲେ-

 

ମାନିଆ କହିଲା–ମୁଁ ପୋଖରୀ ହୁଡ଼ାରେ ଅନେକବେଳେ କାମ କରେ । ବରକୋଳି ଗଛମୂଳେ ଏପରି ଗଛ କେବେ ଦେଖିନି । ସେଦିନ ହଠାତ୍‍ ଏପରି ଗଛ କୁଆଡ଼ୁ ଆସିଲା ବୋଲି ସନ୍ଦେହରେ ପଡ଼ିଲି । ସାହୁ ଏଥିରେ ନିର୍ଦ୍ଦୋଷ । ତାର ମାନରକ୍ଷା ଲାଗି ମୁଁ ବିପଦ ବରିଲି । ଭାବିଥିଲି ସାହୁ ଲଢ଼ିବ । ପ୍ରକୃତ ଦୋଷୀ ବାହାରିବ । ମାତ୍ର ଆପଣା ସାର୍ଥୁକ ସାହୁ ମୋତେ ଜାମିନିରେ ବି ଆଣିଲାନି । ଶେଷରେ ଦେବେନ୍ଦ୍ର ବାବୁ ମୋତେ ମୁକୁଳାଇଲେ ।

 

ଜେମି କହିଲା–ଗଉରା ମୋ ପ୍ରତି ପାପ ଆଶା ରଖି ଆସିଛି । ମୋର ଓ ମୋ ମାଆର ଅନୁଗ୍ରହ ପାଇବା ପାଇଁ କହିଚି । ସେ ତାଳବଣରେ ଗଞ୍ଜେଇ ଲଗାଇଥିଲା । ସେ ପତ୍ର ସେ ଆଣି ସେ ପିଏ ଓ ବିକେ । ମାନିଆ ସାହୁ ଉପରେ ଧାନକଟା ବେଳୁ ତାର ରାଗ । ସେଇ ରାଗରେ ସେ ଏମିତି କରିଛି ।

 

କମି ଦାଦି କହିଲା–ମୁଁ ଜାଣେ, ଗଉରା ଏପରି ଗଞ୍ଜେଇ କାରବାର କରେ । ଅନେକ ଚୋରା ଲୁଚାରେ କରୁଛନ୍ତି । ଯହା କଥା ଯେ କରୁଛି ବୋଲି ମୁଁ ତୁନୀ ପଡ଼ିଥାଏ । ପିଲାର ବାହାପିଆ ଗୁଣ ବଢ଼ିଲା । ଶେଷରେ କହିଲା, ବାଉରିଗୁଡ଼ାକର ମୁଣ୍ଡରେ ଗୋବର । ମୋର ଧିଅ ସହିଲାନି । ବେଶ୍‍, ତାକୁ ଧରେଇଦେଲି ।

 

ଦେବେନ୍ଦ୍ର ବାବୁ କହିଲେ–ଅବଶ୍ୟ ଯା ହେବାର ହୋଇଯାଇଚି । ଆମ ଗାଁର ସମସ୍ତ କୁଟୁମ୍ବ ଲୋକ ପରି । ଏ ସବୁ ଗଲତି ଗାଁରେ ତୁଟାଇ ବେଆଇନ କାମ ବନ୍ଦ କରିଥିଲେ ଭଲ ହୋଇଥାନ୍ତା । ତେବେ ଗଉରା ଅଣ୍ଟି ଛୁରୀ ତଣ୍ଟି କାଟିଲା ପରି କାମ କରିଚି । ତା’ ଫଳ ସେ ପାଇ ଫେରୁ । ତା’ପରେ ଆମେ ତାକୁ ବଦଳେଇ ଦେବା ।

 

ଏ କେଶ୍ ସୁବିଧାରେ ତୁଟିବା ଲାଗି ମୁଁ ଚେଷ୍ଟା କରିବି ।

 

ସଭା ଭଙ୍ଗା ହେଲା । ଲୋକମାନେ ନାନାପ୍ରକାର କଥାଭାଷା ହୋଇ ଫେରିଲେ ।

 

ଏ ଭିତରେ ଧରମୁ ମାନିଆକୁ ବହୁତ ବାର ଡକାଇ ପଠାଇଲାଣି ହଳିଆ ରଖିବା ଲାଗି-। ମାନିଆ ମନା କରିଦେଇଚି । ଆଉ ବର୍ଷିକିଆ ଚାକର ହୋଇ କାମ କରିବନି । ମୂଲ ଲାଗିବ-। ସ୍ୱାଧୀନ ଭାବରେ ଚଳିବ । ହାତରେ ତାର ବଳ । ଦେହରେ ଶକ୍ତି । ନିଜେ ଖଟି କାମ କଲେ କାହା ପ୍ରତି ଅନ୍ୟାୟ ଅନୁରକ୍ତି ଦେଖାଇବାକୁ ପଡ଼ିବନି ।

 

ତାର ମନ ଯାଇଚି ଖଜୁରୀ ଗୁଡ଼ ଆଡ଼େ । ଯେଉଁ ରସରେ ଖାଲି ମଦ ତିଆରି ହୋଇ ଲୋକ ଖରାପ ହେଉଥିଲେ । ସେଇ ରସରୁ ଗୁଡ଼ ତିଆରି ହେବ । ତାକୁ ଖାଇଲେ ଲୋକ ସ୍ୱାଦ ପାଇବ, ଅଥଚ ମାତାଲ ହୋଇ ନୀଚ ସ୍ତରକୁ ଖସିଯିବନି ।

 

ଦେବେନ୍ଦ୍ର ବାବୁକ ପରାମର୍ଶରେ ମାନିଆ ଲାଗି ପଡ଼ିଛି । ଦୁନିଆଯାକ ଥଟ୍ଟାରେ ଉଡ଼ାଉ ଦଉଛନ୍ତି– ସମବାୟ ଅନୁଷ୍ଠାନଗୁଡ଼ିକ କେଉଁଠି ମୁଣ୍ଡଟେକି ଠିଆ ହେଲାଣି ! ବାର ଲୋକର କଥା କାହାରି ନୁହେଁ । କେତେବେଳେ ସେକ୍ରେଟାରୀ କେତେବେଳେ ପ୍ରେସିଡେଣ୍ଟ, କେତେବେଳେ କିଏ ପୁଳାଏ ମାରିଦେଲେ ସବୁ ଶେଷ । ଦେଖିନ, ଗତ କଣ୍ଟ୍ରୋଲ ଯୁଗରେ କେତେ ସମବାୟ ଷ୍ଟୋର ଚିନି, କିରାସିନି, ଲୁଗା ଆଦି ବିକିବାକୁ ବାହାରି ପଡ଼ିଲେ ! କେତେ ଧାନ ଏଜେଣ୍ଟ ଅନୁଷ୍ଠାନ ଗଢ଼ାଗଲା । କେଉଁଟା ଭଲ ଉଧେଇଲା ? କିଛିଦିନ ପରେ ସବୁ ସଫା । ଅଡ଼ିଟର ରିପୋର୍ଟ ଛାଡ଼ୁଥିବ ଖାଲି କ୍ଷତି, ଅପବ୍ୟୟ, ଅଯଥା ଅଯଥା କାମ । କଣ୍ଟ୍ରୋଲବେଳେ କେଉଁଟା ହୋଇପାରିଲାନି ବୋଲି ଏବେ ଯେ ନ ହୋଇପାରିବ ଆର କ’ଣ ମାନେ ଅଛି । ସେଥିପାଇଁ ଦେବେନ୍ଦ୍ର ବାବୁ ଲାଗିପଡ଼ିଛନ୍ତି । ସେ ଦେଖେଇବାକୁ ଚାହାନ୍ତି ସମବାୟ ଅନୁଷ୍ଠାନ ଅନୁସାରେ କିପରି ନୂଆ କାମ ଯୋଗ୍ୟତାର ସହ କରାଯାଇପାରେ । ସେଥିପାଇଁ ମାନିଆ ହେଉଚି ନିଷ୍ଠାପର କର୍ମୀ ।

 

ସେଠି ଲୋକେ ତାଡ଼ିପିଆ ଭୁଲିଗଲଣି । ଗୁଡ଼ ତିଆରି କରିବା ନିଶା ସମସ୍ତଙ୍କୁ ଲାଗିଛି । ସ୍ତ୍ରୀ ଲୋକ ଘରକାମ ଅନ୍ୟାନ୍ୟ ମୁଲପାତି ଲାଗୁଛନ୍ତି । ବୟସ୍କ ଦକ୍ଷ ଚମାରମାନେ ଖଜୁରୀ ଗଛ ଗୁଡ଼ ତିଆରିରେ ସୋସାଇଟି ତରଫରୁ ନିଯୁକ୍ତି ହୋଇଚନ୍ତି । ଅନ୍ୟ ବେକାର ଲୋକକୁ କାମ ରେ ଲଗାଇବା ପାଇଁ ଗୋଟିଏ ବଡ଼ ପୋଖରୀ ଖୋଳା ଯିବାର ଅନୁମାନ କରାଯାଉଚି । ଦୁଇଜଣ ଲୋକଙ୍କୁ ସୋସାଇଟି ତରଫରୁ ଟ୍ରେନିଂ ପାଇଁ ପଠାଯାଇଛି । ସେମାନେ ଟାଇଲସ ତିଆରି କରି ଶିଖିବେ । ପ୍ରତିବର୍ଷ ଘରପୋଡ଼ିର ଭୟ । ପାଳ ଛୁଆଣି ପରେ ବିପଦ ଉପରେ ବିପଦ । ଦୀନ ଦୁଃଖ ସମ୍ବଳ ସବୁ ସର୍ବଗ୍ରାସୀ ନିଆଁରେ ପୋଡ଼ି ପୋଛି ହୋଇଯାଉଚି । ସେମାନେ ଆସିଲେ ଟାଇଲ ତିଆରି କରିବେ । ଛାତଗୁଡ଼ିକ ଲୋକେ ଟାଇଲରେ ଛପର କଲେ ନିଆଁ ଭୟ କମିବ ।

 

ଏଇସବୁ ଯୋଜନା ଭିତରେ ଲୋକ ଅଳସୁଆ ହେବାକୁ ସୁଯୋଗ ପାଉ ନାହାନ୍ତି । ପୁରୁଷ, ସ୍ତ୍ରୀ ଉଭୟେ କାମ କରି କିଛି କିଛି ଘରକୁ ଆଣୁଥିବାରୁ ଅଭାବ ସେତେ ବାଧୁନି । ଆଉ ମାଡ଼ ନାହିଁ, ଗାଳି ନାହିଁ । ସ୍ତ୍ରୀ ଲୋକମାନଙ୍କ ପିଠି ସ୍ୱାମୀ ମାନଙ୍କ ମାଡ଼ରୁ ଟିକିଏ ଅବସର ନେଲାଣି-। ସୁନାର ସଂସାର, ରାମରାଜ୍ୟ ହୋଇଯିବ ଏଇପଟେ ।

 

ଜେମି ଦେଖୁଚି ଧରମୁ ଏହି କ୍ଷଣୀ ବିପଦରେ ପଡ଼ିଥିବାରୁ କିଛି ବୋଲି କିଛି କହୁନି । ଟିକିଏ ସେଇଥିରୁ ମୁକୁଳିଲେ ପୁଣି ସେଇ କାମ କରିବ । ମଣିଷ ପ୍ରକୃତି ମଲେ ଯାଏ । ତାର କିଏ ଯାଉଚି ସାହୁକାର ପାଖକୁ । ସେ ଯାଇ ଯୋଗ ଦେଇଚି ସୋସାଇଟି କାମରେ । ସୋସାଇଟିର କାରଖାନା ଅଞ୍ଚଳ ସଫା କରିବାକୁ ଜେମିକୁ କାମ ଦିଆଯାଇଛି । ସେଇ କାମଟା ଜୀବନ ଧାରଣ ପାଇଁ କରୁଛି ତା’ ଲକ୍ଷ୍ୟ କିନ୍ତୁ ଭିନ୍ନ । ସମାଜରେ ଗଉରା ଓ ଧରମୁ ପରି ହୀନଚରିତ୍ରର ପରି ଲୋକ କମ୍‍ ନାହାନ୍ତି । ଏମାନେ ସମାଜର ନର୍ଦ୍ଦମା । ଏଗୁଡ଼ାଙ୍କ ବିରୁଦ୍ଧରେ କିଛି ଗୋଟାଏ ନକଲେ ତାରି ଅନେକ ଭଉଣୀ ଏଇ ବାଘଙ୍କ କବଳରେ ପେଷି ହୋଇଯିବ ।

 

ପାଠ ପଢ଼ିନି, ହେଲେ ବୁଦ୍ଧି ଅଛି ଜେମିର । ଡବଡ଼ବୀ କଥାକୁହାଳୀ । ଅବସରବେଳେ ସ୍ତ୍ରୀଲୋକମାନକୁ ଜମଉଚି ଜେମି । ସ୍ତ୍ରୀମାନେ ନିଜର ସମ୍ମାନ ରକ୍ଷା କରିବା ଦରକାର । ସେଥିପାଇଁ ନିଜ ନିଜର ସ୍ୱାମୀମାନଙ୍କୁ ଠିକ୍‍ ବାଟରେ ଚଳାଅ । ସ୍ୱାମୀ ଯଦି ନିଶା ଖାଉଚି ତାକୁ ବାରଣ କର, ତା’ ସହିତ ଅସହଯୋଗ କର । ସ୍ୱାମୀ ଯଦି ଅଳସୁଆ ହଉଚି ତାକୁ କାମ କରିବାକୁ ଅବସ୍ଥା ସୃଷ୍ଟି କର । ଭକ୍ତି ରଖ ସ୍ନେହ ରଖ; ମାତ୍ର ଅନ୍ୟାୟକୁ ମୁଣ୍ଡପାତି ସହି ନିଅନି ।

 

ଝିଅକୁ ସୁବିଧା ଦିଅ । ତାର ମନଲାଖି ବର ସେ ବାଛି ନେଉ । ସେଥିରେ ଅଶାନ୍ତି ନଥିବ । ଅସୁବିଧା ଉପୁଜିଲେ ସେ ନିଜ ଦୋଷ ମଣି ନିଜେ ରହିବ । ଅଭିଆଡ଼ା ଯୁବତୀ-ଯୁବତୀଙ୍କର ଦାମ୍ପତ୍ୟ ମିଳନ କରାଇବାରେ ସାହାର୍ଯ୍ୟ କର । ଆଉ ଜବରଦସ୍ତି ପଶୁ ପରି ସତୀତ୍ୱ ଲଣ୍ଠନ ପ୍ରଶୟ ଦିଅନି । ଅନିଚ୍ଛା ପ୍ରଣୟ ଅବୈଧ । ସେଥିରେ ସମାଜରେ ବିଷକୀଟ ସଂଚରି ସମାଜକୁ ଅସୁସ୍ଥ କରି ପକାଇବ ।

 

ଏପରି ଭାବନାର ଖିଅ ଧରି ଜେମି କାମ କରୁଛି । ମା, ଝିଅ ଦୁହେଁ ଚଳୁଛନ୍ତି । ଜେମି ବୋଉ ଆଉ ପାପ ଆଶାରେ ମନରେ ଥାନ ଦେଉନି । ସେ ଭାବିଥିଲା ଝିଅର ବୟସ ବେଳେ ପାପ ପ୍ରଣୟରେ କିଛି ଧନ ରୋଜଗାର କରିବ । ସେଇ ଧନରେ ଝିଅକୁ ବାହା ଦେବ । ତାର ବାପା ତ ରେଙ୍ଗାମରେ ରହିଲା । ଫେରିଲାନି କିନ୍ତୁ ସେ ପାପ ତାର ମଉଳିଚି । ଜେମି ଥରକୁ ଥର ବାଧା ଦେଇଚି । ତାର ଅସ୍ତ୍ରରେ ସେ ହିଂସା କରିଚି । ସେଇଟା ତାର ପାପ ନୁହେଁ ହିଂସା ପ୍ରାଣୀକୁ ହିଂସା କରାଯାଇପାରେ । ଆତ୍ମାରକ୍ଷା ପାଇଁ ହିଂସାର ସାହାର୍ଯ୍ୟ ନିଆଯାଇପାରେ । ସେପରି ନ କରିଥିଲେ ଜେମି ଆଜି କଳଙ୍କିନୀ ହୋଇଥାନ୍ତା । ସମାଜ ତାକୁ ଘୃଣା ଚକ୍ଷୁରେ ଦେଖିଥାନ୍ତା । ନାକ ଟେକିଥାନ୍ତା-। ବାରଦ୍ୱାର ଶୁଣ୍ଡିପିଣ୍ତା ହୋଇଥାନ୍ତା ଜେମି । ଆଜି କିନ୍ତୁ ଅବସ୍ଥା ସେପରି ନୁହେଁ । ମା ତାର ବୁଝିଛି ଝିଅ ସୁନା । ସେ ନିଜ ବଳରେ ନିଜର ମାନ ରଖିଛି । ଜଗତ ଜାଣିଛି ଡବଡ଼ବୀ ଝିଅ କୁଳଟା ନୁହେଁ-। କଥା କହିବାଟା ଅନ୍ୟାୟ ନୁହେଁ । ହାତେ ଓଢ଼ଣା ପକାଇବାଟା ଲଜ୍ଜ୍ୟାଶୀଳତା ନୁହେଁ-। ମୁହଁ ଖୋଲି କଥା କହିବ । ଲୁଚି ଲୁଚି ପ୍ରଣୟ କରିବନି ।

 

କାଳୁ ଜାନି, ନାଥଦାସ ଅଡ଼ୁଆରେ ପଡ଼ିଛନ୍ତି । ଗଞ୍ଜେଇ ମହାଦେବ ନ ପାଇଲେ ଚଳିବ ସିନା, ନାଥ ଦାସ ଟିକିଏ ନ ଟାଣିଲେ ଦେହରେ ଜୋର ଆସିବ କୁଆଡ଼ୁ ? ଦେବୀ ମଦ ନ ପିଇଲେ ରହିବ ସିନା, କାଳୁ ଜାନି ନ ପିଇଲେ ବୁଦ୍ଧି ତାର ବଣା ହୋଇଯିବ । ସେ ଦୁହିଁଙ୍କର ଗୋଟିଏ ଯୋଜନା ଚାଲିଲା ଗାଁରେ । କିଛି ଗୋଟାଏ ଉତ୍ପାତ ଆରମ୍ଭ କରାଇବା । ତାର କାରଣ ସ୍ୱରୂପ କହିବା–ଦେବୀର କୋପ ବା ମହାଦେବଙ୍କ କୋପ । ଯେତେବେଳେ ଲୋକ ଡରିଯିବେ, ଦେବେନ୍ଦ୍ର ବାବୁ ବିରୁଦ୍ଧରେ ଲଢ଼ିବେ । ସେତେବେଳେ ମଦ ମିଳିବ, ଗଞ୍ଜେଇ ଆସିବ । ସେଇଟା ନହେଲେ ଲୁଣ ଡାଲି ଚାଉଳ ସଂସାରଟା କ’ଣ ଭଲ ମ!

 

କାଳୁ ଜାନି ଯାଇ ସୋସାଇଟି କାରଖାନାରେ ପହଞ୍ଚିଲା । ଖଜୁରୀ ରସ ଟିକିଏ ମାରିଲା-। ଦେବୀ କହିଛନ୍ତି । ମାନିଆ ବାହାରି ପଡ଼ି କହିଲା–ଆମେ ଦେବୀକୁ ରସ ଦେଇପାରିବୁନି-। ଗୁଡ଼ ଦେଲେ ଟିକେ ଦେଇପାରୁ ।

 

କାଳୁ ଜାନି ରାଗି କରି ଫେରିଗଲା ।

 

ସେଦିନ ରାତିଟା ମେଘୁଆ ହୋଇଥାଏ । ମୁହଁକୁ ମୁହଁ ଦିଶୁ ନଥାଏ । କାଳୁ ଜାନି ପେତେନୀ ବେଶ, ନାଥ ଦାସ ମହାଦେବ ବେଶ ସାଜି ବାହାରିଲେ । ଖଜୁରୀ ଗଛରେ ଦିଆଯାଇଥିବା ସବୁ ମାଠିଆକୁ ବାଟୁଳିରେ ଟେକା ପକାଇ ଭାଙ୍ଗିଲେ । ତା’ ପରେ ସୋସାଇଟି ଘରେ ବହୁତ ଟେକା ପଡ଼ିଲା । ଲୋକେ ପଦାକୁ ବାହାରିଲାବେଳେକୁ କେହି ନାହିଁ ।

 

ସକାଳୁ ସୋସାଇଟି କାରଖାନାରେ ଗୋଟାଏ ହାଲ୍ଲୋଲ ପଡ଼ିଲା । ମାଠିଆଗୁଡ଼ିକ ଭାଙ୍ଗିଗଲା କିପରି? ମାନିଆ ଭାବିଲା–କ’ଣ ସତରେ ଦେବୀ କୋପ କଲେ କି ? ସେଦିନ କାଳୁ ଜାନି ପୂଜା କରୁଥାଏ । ତାଠି ଠାକୁରାଣୀ ବିଜେ ହୁଅନ୍ତି । କେତେ ଲୋକରୁଣ୍ଡ ହୋଇଥାନ୍ତି ରୋଗରୁ ମୁକ୍ତ ହେବାଲାଗି । କାଳୁ ଜାନି କାହାକୁ ଫୁଲ କାହାକୁ ଚାଉଳ ଟିକେ ପକାଇ ଦେଇ ଭଲ ହେଇଯିବ ବୋଲି କହୁଥାଏ । ଶେଷକୁ ଜାନି ଅବତରିଲା–ଆରେ କଲା ମୋର ମଦ ବନ୍ଦ କଲରେ–ବାଡ଼ି ପଡ଼ିବ । ନିଆଁ ଲାଗିବ । ସୋସାଇଟ ଭାଙ୍ଗିଯିବ । ମୋର ଖାଦ୍ୟକୁ ଗୁଡ଼ ବନଉଚି । ମୋତେ ଟିକେ ରସ ଦଉନ ରେ !

 

ନାଥ ଦାସ ଥାଇ ମା’କୁ ଶାନ୍ତ କରାଉଥାଏ–‘‘ତୋର ଏମାନେ ପିଲା, ଏମାନେ କ’ଣ ଜାଣନ୍ତି । ଯେ କରଉଚି ତାଙ୍କୁ ଦେଖେଇଦେ ।’’ ଲୋକ କେତେଜଣ ଯୋଡ଼ହାତ ହୋଇ ସେଇଆ କହୁଥାନ୍ତି । ମାନିଆର ଗୋଟାଏ ସନ୍ଦେହ ହେଲା । ବାହାରିପଡ଼ି କହିଲା– ମୁଁ କାଳିସୀ ପରୀକ୍ଷା କରିବାକୁ ଚାହେଁ ।

 

ଜାନି ବେଶୀ ଥରିଲ–ଏଁ, ମୋତେ ତୁ ପରୀକ୍ଷା କରିବୁ ! ଅଳପ ବଅସରେ ଯିବୁରେ ! ବହପ ତୋର ବଢ଼ି ଗଲାଣିରେ !

 

ମାନିଆ କହିଲା– ସମସ୍ତେ ଯିବେ ଲୋ ମାଆ ! ସେଥିପାଇଁ ମାନିଅ ଡରିନି। ମୁଁ ପରୀକ୍ଷା କରିବି ।

 

ଜାନି କହିଲା– ପରୀକ୍ଷା କର । କିନ୍ତୁ ଅଳପ ବୟସରେ ମରିବୁ ।

 

ମାନିଆ ହାତ ମୁଠା କରି ପଚାରିଲା– କ’ଣ ଧରିଚି ହାତରେ ?

 

ଜାନି କହିଲା– ମନ୍ଦାର ଫୁଲ ।

 

ହାତ ଖୋଲିଲା ବେଳକୁ ଧୂଆଁ ପତ୍ର ।

 

ଭଣ୍ଡ, ଭଣ୍ଡ ମାନିଆ କୁଦି ପଡ଼ିଲା । ଲୋକ ବି ପାଟିକରି ଉଠିଲେ । କାଳୁ ଜାନି ଅଚେତ ହୋଇପଡ଼ିଲା । ଦେବୀ ପଳାଇ ଗଲେ । ଲୋକ ଭଣ୍ଡ ଜାନି, ଭଣ୍ଡ ଜାନି କହି ଚମ୍ପଟ ।

 

ଚାରିଆଡ଼େ ଶୂନ୍‍ଶାନ ହୋଇଗଲା । ଜାନି ଉଠି ନାଥ ଦାସକୁ କହିଲେ– ଏଇ ମାନିଆ ସବୁ ବିଗାଡ଼ୁଚି । ପୁତା ଏକୁଟିଆ ରହୁଚି । ତାକୁ ଟିକିଏ ରାତିରେ ଭଲକରି ଡରେଇବା ।

 

ଦେବେନ୍ଦ୍ର ବାବୁଙ୍କ ଆଗରେ କଥା ପଡ଼ିଲା । ଖଜୁରୀ ରସ ମାଠିଆଗୁଡ଼ାକ କିଏ ଭାଙ୍ଗୁଚି-? ବାବୁ କହିଲେ–ପିଇବାକୁ ଇଚ୍ଛାଥିବା ଲୋକ ନିଶ୍ଚେ ଭାଙ୍ଗୁଥିବେ । ତେବେ କିଛି କାହାକୁ କହନି । ନୂଆ ମାଠିଆ ଲଗାଅ । ବାହାର କରିବା ତାର କାରଣ ।

 

ନାରଣ ମଳିକକୁ ଦେବେନ୍ଦ୍ର ବାବୁ ଡାକିଲେ । ନାଥ ଦାସ କାଳୁଜାନିଙ୍କ କାର୍ଯ୍ୟକଳାପ ଲକ୍ଷ୍ୟ କରିବାକୁ ଚୁପ୍‍ ଚୁପ୍‍ କହିଲେ । ତାକୁ ସୋସାଇଟ ତରଫରୁ ପାଞ୍ଚଟଙ୍କା ବେତନ ଦିଆଯିବ ବୋଲି ଶୁଣାଇଲେ । କାରଣ ସେ ବୁଝୁଛନ୍ତି ଚଉକିଆଙ୍କ ଦରମା କାମ ତୁଳନାରେ ବହୁତ କମ୍‍ । ସେଦିନୁ ମନ୍ତ୍ରୀଙ୍କୁ କହିଲେଣି । ଫଳାଫଳ କିଛି ଜଣାପଡ଼ୁନି ।

 

ଗରିବର ଲୋଡ଼ା ଟଙ୍କା । ସେ କିଣିବ ଦାନା, କନା ଏଣୁ ପଇସା ପାଇଲେ ତାର ବଢ଼ିବ ଉତ୍ସାହ । ନାରଣ ଲାଗିଚି । କିପରି ଭଲ କାମଟାଏ କଲେ ସରକାରଠାରୁ ସାର୍ଟିଫିକେଟ ପାଇବ। ସେଦିନ ରାତିରେ ଖାଇପିଇ ରାତି ଅଧକୁ ପହରା ଦେଇ ବାହାରିଲା । ଡାକିଲା ଯାଇ ନାଥଦାସ କାଳୁଜାନି ଘରେ । ଘର ଲୋକ କହିଲେ–ସେମାନେ ଆଜି କେଉଁ ଗାଁ ଯାଇଛନ୍ତି ।

ନାରଣ ମଳିକର ସନ୍ଦେହ ହେଲା । ଭାବିଲା, ମାନିଆ ପାଖକୁ ଯିବ । ତାକୁ ସାଙ୍ଗକରି ସୋସାଇଟ କାରଖାନା ଆଡ଼େ ବୁଲିଆସିବ । କାଳେ ପୁଣି ମାଠିଆଗୁଡ଼ାକ ଭାଙ୍ଗିଯିବ । ଚୁପ୍‍ଚାପ୍‍ ହୋଇ ଆସୁଥାଏ । ମାନିଆ ଚାଳପାଖରେ ନିଆଁହୁଳା ଦେଖାଗଲା । ନାରଣ ମଳିକ ଚମକି ପଡ଼ିଲା, ମଶାଣି ପାଖ । ଚିରଗୁଣୀ ଆସିଥିବ କି ? ପରେ ଭାବିଲା, ରାଜକାର୍ଯ୍ୟରେ ଚିରଗୁଣୀ ବି ଆଡ଼େଇ ହେଇଯିବ । ନାରଣ ପୁଣି ନିକଟକୁ ଆସି ଦେଖିଲା ଦୁଇଟି ଲୋକ ଦିଶୁଛନ୍ତି । ନାରଣ ମଳିକ ଚାଲାକ କରି ଘରର ପଛପଟେ ଲୁଚିଗଲା । ଟିକିଏ ଟିକିଏ ଉଣ୍ଡୁଥାଏ । ସେମାନେ ନିଆଁହୁଳା ଧରି ଚାଳକୁ ଲଗାଇବାକୁ ଯାଉଛନ୍ତି । ନାରଣ ମଳିକ ଗୋଟେ ରଡି ଛାଡ଼ିଲା। ହଠାତ୍‍ ଏମାନଙ୍କୁ ହାତରୁ ନିଆଁହୁଳା ଖସିପଡ଼ିଲା । ଦଉଡ଼ି ପଳାଉ ପଳାଉ ମାନିଆର କଣ୍ଟା ଗୋଛାରେ ଦାସର ଲୁଗା ଲାଗିଗଲା । ଲୁଗା ଛଡ଼ାଇବାକୁ ବେଳ ନାହିଁ । ବିକଳରେ ପଳାଉ ପଳାଉ ଲୁଗା ଖସିଗଲ । ଦାସ ଏଇନା ଉଲଗ୍ନ । ଯିବ କିପରି ? ମଶାଣି ଆଡ଼କୁ ଦଉଡ଼ିଲା ।

ପାଟିରେ ମାନିଆର ନିଦ ଭାଙ୍ଗିଗଲା । ମାନିଆ ପଦାକୁ ବାହାରି ସବୁ କଥା ଶୁଣିଲା । ବାଉରି ସାହିଯାକ ଉଠି ଆସିଲେ ।

 

ମାନିଆ କମିଦାଦିକୁ ଘର ଜଗାଇ ମଶାଣି ଆଡ଼େ ଗଲା । ଏବେ ଗୋଟାଏ ଲୋକ ପୋଡ଼ା ହୋଇଥାଏ । ପାଖରେ ଗୋଟେ ବେରୁହାଁ ମସିଣା ପଡ଼ିଥିଲା । ସେଇଟା ନାହିଁ । ଲୋକଟା କ’ଣ ମସିଣା ଗୁଡ଼ାଇ ହୋଇ ପଳାଇଚି ? ନାରଣକୁ ସଙ୍ଗରେ ଧରି ଛୁଟିଲେ । ନାଥଦାସ ଘରଆଡ଼େ । ନାଥଦାସର ସ୍ତ୍ରୀ ତାକୁ ଏପରି ଅବସ୍ଥାରେ ଦେଖି କହିଲା– ମଲା ମର ! ଲୁଗା କୁଆଡ଼େ ଗଲା । କେଉଁଠୁ ଏ ମଶିଣାଗୁଡ଼ାଇ ହୋଇ ଆଇଚ ବା ? ନାଥ କହୁଛି– ତୁନି ହ ଲୋ ତୁନି ହ । ମହାଦେବଙ୍କ କୋପ । ଗଞ୍ଜେଇ ଭୋଗ ମିଳୁନି । ଏପରି ଅଘଟଣ ଘଟୁଚି । ମାନିଆ ଦାଣ୍ଡରୁ ଡାକ ପକାଇଲା– ନାଥ ଦାସ ଏଇ ନିଅ ମହାଦେବ ଲୁଗା ପଠେଇ ଦେଇଛନ୍ତି ।

 

ନାଥ ଦାସ ରାଗିଗଲେ । ମହାଦେବ କ’ଣ ଏଡ଼େ ଓଲୁ? ବାଉରି ହାତରେ ଲୁଗା ପଠେଇବେ ? ଯାଆ ଯାଆ ମୋର ଲୁଗା ଦରକାର ନାହିଁ । ଏହା କହି ମହାଦେବଙ୍କ ପଣ୍ଡା ବାହାରିଲେ ନାହିଁ ।

 

ମାନିଆ ପୁଣି ଡରାଇଲା । ଲୁଗା ନ ନେଲେ ତୁମ ଘରେ ନିଆଁ ଲାଗିଯିବ । ଏଇ ନିଆଁ ହୁଳା ପଡ଼ିଲା ।

 

ଦାସଙ୍କ ସ୍ତ୍ରୀ କଲିକାଲିଆ ହୋଇ ବାହାରକୁ ଆସିଲା । ମାନିଆ ଓ ନାରଣଠୁ ସବୁ କଥା ଶୁଣିଲା । ରାଗ ତମ ତମ ହୋଇ ଘଇତାକୁ ଭିଡ଼ି ଭିଡ଼ି ଆଣିଲା । କହିଲା– ସତ କୁହ । ଲୁଚାଇଲେ ପଇତା ଛିଣ୍ଡାଇଦେବି ।

 

ଦାସ କହୁଥାଏ–ରହ ଲୋ, ତୋ ପିଠି ଗଲୁ କଲାଣି । କେଉଁଦିନୁ ହୋଇନି । ସ୍ତ୍ରୀ ଉନ୍ମତ୍ତ ବାଘୁଣୀ ପରି କୁଦିପଡ଼ି କହୁଥାଏ – କହ ସେ ଲୁଗା କେଉଁଠି କିମିତି ଛାଡ଼ିଲୁ ? ଜାନି ସଙ୍ଗେ ମୈତ୍ର ବସିଚୁ । ଗାତ ଚୁଲି ବସିଚୁ । ସେଇଟାର ବାପରେ ଠିକ୍‍ ନାହିଁ ବୋଲି ତୋର ନାହିଁ ?

 

କାଳୁ ଜାନି ଶୋଇ ନ ଥାଏ । ଶୁଣୁଥାଏ । ଯେତେବେଳେ ତା ନାଁ ପଡ଼ିଲା, ଜବର ଠେଙ୍ଗା ଧରି ଦଉଡ଼ିଲା–କିଏ ମୋ ନାଁ ଧରୁଚି ? ମୁଁ କାହାର ଖାଏ ନା ଧାରେ ! ହଁ, ହୁସିଆର । ଦାସିଆଣୀ ଚିହିଙ୍କି ଉଠିଲେ–କିଛି ଖାଇନୁ ? କୁଆଡ଼େ ୟାଙ୍କୁ ନେଇଯାଇ ମରିଥିଲୁ ? ଲୁଗା କୁଆଡ଼େ ଗଲା ୟାଙ୍କର ଯେ ମଶାଣିର କତରା ଗୋଟାଏ ଗୁଡ଼ାଇ ହୋଇ ଘରକୁ ଆଇଚି । କି ଅଘଟଣ କଥା ମ ! ଏଗୁଡ଼ାଙ୍କୁ କ’ଣ ଧରମୁ ଛାଡ଼ିଲାଣି କି ?

କାଳୁ ଜାନି ନାରଣ ମଳିକକୁ ସାକ୍ଷୀ କରି କହିଲା–ଦେଖ ମଳିକପୁଅ ! ତୁ ମୋତେ ଦେଖିଚୁ । ମୁଁ କାହାର କଥା ସହିବା ଲୋକ ନୁହେଁ । ବ୍ରାହ୍ମୁଣ ଫାମୁଣ ମୁଁ ଜାଣେନି ।

ନାଥ ଦାସ ଆଉ ସହି ପାରିଲାନି । କହିଲା–ହେ, ମୋ ଜାତିକୁ ଅପମାନ ଦଉଚୁ ! ମୋ ସାଙ୍ଗେ ଯାଇନୁ ? ନିଆଁ ହୁଳା କିଏ ଲଗାଉଥିଲା ମାନିଆ ଚାଳରେ ? ଖସି ପଳାଇ ଆସିଲୁ । ମୋ ଗୋଡ଼ଟା କଣ୍ଟାରେ ପଡ଼ିଗଲା ବୋଲି ଏତେସରି ହେଲି । ଟିକିଏ କ’ଣ ଟାକିଲୁ ? ଆଚ୍ଛା ବନ୍ଧୁଟିଏ ମ ତୁ !

ମଣିଷକୁ ଖାପଚରେ ପକାଇଦେଇ ଚମ୍ପଟ ।

ଆଶା ବୈତରଣୀ ନଦୀ । ଆଶାରେ କିନ୍ତୁ ମାନବ ବଞ୍ଚେ । ଆଜି ନ ହେଲେ, କାଲି ହେବ । ନୁଆ ଲେଖକ ଲେଖା ଖଣ୍ଡେ ପଠାଏ । ମାଗାଜିନରେ ବାହାରିବ । ତେବେ ତାର ଶ୍ରମ ସଫଳ ହୋଇଚି ବୋଲି ଜାଣିବ । ବ୍ୟାକୁଳ ହୋଇ ଖୋଲି ଦେଖିବ ତାର ଲେଖା ବାହାରି ନାହିଁ । ଆଜି ନ ବାହାରିଲେ କାଲି ବାହାରିବ । ଅଳ୍ପ ବେତନଭୋଗୀ ଭାବେ ଏଇ ମାସରେ ସଞ୍ଚୟ କରିବ-। ଲୁଣ, ଚାଉଳ,ଡାଲି, ଆଳୁ କିଣୁ କିଣୁ ଦରମା ଖତମ୍‍ । ଏ ମାସରେ ହୋଇପାରିଲାନି, ଆର ମାସରେ ରଖିବ । ବାରବାଟୀ ଲଟେରୀ ଟିକଟ କିଣେ ନିଅଣ୍ଟିଆ ଲୋକେ । ଲଟେରୀ ଫଳ ବାହାରେ ଦିଲ୍ଲୀର କିଏ ପାଇଚି । ଏଥର ନ ହେଲେ ଆର ଥରକୁ ପାଇବ । ଏହିପରି ସର୍ଦ୍ଦାର ମଙ୍ଗରାଜ ଭାବୁଚନ୍ତି–କମି ଆଜି ନିଜର ହେଲାନି, କାଲି ହେବ ।

 

ରଙ୍ଗାପାଣି ଆଉ କାଟୁ କରୁନି । ସେ ଉନ୍ମାଦ ଆସୁନି । ସର୍ଦ୍ଦାର ଟିକିଏ ବିସ୍ମିତ ହେଉଛନ୍ତି-। ବେଶୀ ଅର୍ଡ଼ର ଦେଲାରୁ ବୋଧେ କମ୍ପାନୀ ଠକୁଚି । ନିଜେ ଏଥର ଯାଇ ଖରିଦ କରିବେ-। ସର୍ଦ୍ଦାର କହନ୍ତି–କମି, ଏଣିକି ମଦ କାହିଁକି ନିଶା ଲାଗୁନି ?

 

କମି ହସେ । ଦେହରୁ ଟକିଏ ଲୁଗା ଖସାଇଦିଏ । ସର୍ଦ୍ଦାର ଉଚ୍ଚାଟ ହୋଇ ଠିଆ ହୋଇପଡ଼ନ୍ତି । ପୁଣି କଚାଡି ହୋଇ ବସି ପଡ଼ନ୍ତି । କମି କହେ–ନିଶା ପରା ଲାଗୁନି, ଇମିତି କାହିଁକି ହଉଚ ?

 

ସର୍ଦ୍ଦାର ପୁଣି ଢଳିଢଳି କହନ୍ତି–ଏ ରଙ୍ଗାପାଣିର ନିଶା ନୁହେଁ କମି, ଏଇଟା ତୁମ ରୂପର ନିଶା ।

 

କମି ପୁଣି ଦେହରୁ ଲୁଗା ଖସାଇ କହେ–

 

ତେବେ ସର୍ଦ୍ଦାର, ସେ ରଙ୍ଗାପାଣି ଆଉ ପିଅନ୍ତୁ ନାହିଁ । ଅଯଥା ଯେଉଁଗୁଡ଼ା ନିଶା ଆଣୁନି, କାହିଁକି ସେଥିରେ ପଇସା ଖର୍ଚ୍ଚ କରିବେ ? ସେଇ ପଇସା ମୋତେ ଦିଅନ୍ତୁ ସର୍ଦ୍ଦାରଜୀ ! ମୋର କାମ ଏଣିକି ତୁମକୁ ରୂପ ନିଶାରେ ଘାରିବା ।

 

ବାଃ, ବାଃ, ଉତ୍ତମ ପ୍ରସ୍ତାବ ! କମି-ତେବେ ସେ ରଙ୍ଗାପାଣିର ବୋତଲ ଭାଙ୍ଗି ଗଡ଼ାଇଦେବି ଆଜି । ଚାଲ, ନିଜ ହାତରେ ମୁଁ ଭାଙ୍ଗିବି । ତୁମର ରୂପର ପୂଜାରୀ ମୁଁ, ରଙ୍ଗାପାଣିର ନୁହେଁ ।

 

ସର୍ଦ୍ଦାର ଆଜି ଉନ୍ମତ୍ତ । ରୂପର ନିଶା । ବୋତଲ ଉପରେ ବୋତଲ ଆଣି ପିଟି ଗୁଣ୍ଡା କରୁଚି । ଯେ ଦେଖୁଚି ସେ କହୁଚି ଏ କ’ଣ ସର୍ଦ୍ଦାର ପାଗଳ ନା କ’ଣ ? ସର୍ଦ୍ଦାରର ଏ ଉନ୍ମାଦ ମଧ୍ୟରେ କମି ଫେରିଆସିଚି ଘରକୁ । ସର୍ଦ୍ଦାର ସବୁ ପିଟି ପିଟି ଯେତେବେଳେ ଫେରିଚି, କମି ନାହିଁ-। କମି ଗଲା କୁଆଡ଼େ ? କମି, କମି, କମି କହି ସର୍ଦ୍ଦାର ପଶି ଆସିଛି ଘରକୁ । ଏଇ କମି ଖେଳୁଛି ମୋ ସାଙ୍ଗରେ । ଏତେ ଖେଳୁଚ ! ଆରେ ସେ ଦର୍ପଣ ଭିତରେ ତୁମେ କ’ଣ କରୁଚ ? ଆସ, ତୁମ ପାଇଁ ଯେ ମୋର ଅଙ୍କ-ପଲଙ୍କ ଖାଲି ଅଛି । ଆରେ ହସୁଚ ତୁମେ କିରି କିରି ହୋଇ ! ଉପହାସ କରୁଚ ମୋର ବ୍ୟାକୁଳତା ଦେଖି ! ଯାହା କର, ତୁମେ ଆସ ତ । ତୁମର ଯେଉଁ ଅଧର-! ଯେଉଁ ଠାଣି ! ମଃ ? କେତେ ଭଙ୍ଗୀ ତୁମକୁ ଜଣା ! ଅଭିନୟ କରି ଜାଣନା କ’ଣ ? ଆସ ମ, ମୁଁ ଆଉ କେତେ ଅପେକ୍ଷା କରିବି ?

 

ଉନ୍ମତ୍ତ ହୋଇ ସର୍ଦ୍ଦାର ଉଠି ଧାଇଁଚି କାନ୍ଥର ସେ ବଡ଼ ଦର୍ପଣ ଆଡ଼କୁ । ଝୁଣ୍ଟି ପଡ଼ିଚି ଟେବୁଲଟା ଖୁବ୍‍ ଜୋରରେ । ନିର୍ଘାତ କଚଡ଼ାଟାଏ ଖାଇ ତଳେ ପଡ଼ିଚି ସର୍ଦ୍ଦାର । ମୁଣ୍ଡ ଜଖମ । ହଠାତ୍‍ ଶବ୍ଦ ଶୁଣି ଦଉଡ଼ି ଆସିଚି ପୂଜାରୀ ।

 

କ’ଣ ହେଲା ? ବାବୁଙ୍କ ମୁଣ୍ଡରୁ ରକତ !

 

କେତେ ଲୋକ ଜମା ହୋଇଗଲେ । ହଠାତ୍‍ ଜଣେ ଫୋନ୍‍ କରିଦେଲେ ଡାକ୍ତରଙ୍କୁ । ଉଚ୍ଚ ଫିସ୍‍ ମିଳିବ । ଡାକ୍ତର ଛୁଟିଲେ କାରରେ ମୁଣ୍ଡରେ ପଟି ବନ୍ଧାଗଲା । ସେତେ ଭୀଷଣ ନୁହେଁ । କିଛି ସମୟ ପରେ ଚେତା ଆସିଚି ସର୍ଦ୍ଦାରର । ବୁଝିପାରିନି କ’ଣ ହେଲା ତାର ? ସେ ପଚାରୁଚି–ଡାକ୍ତର, ମୋର କ’ଣ ହେଲା ?

ଡାକ୍ତର ହସି ହସି କହିଲେ–କିଛି ହୋଇନି । ତେବେ ନିଶା ଟିକିଏ ଜୋରରେ ବୋଧେ ଧରିଥିଲା । ମନର ବିକାର ହୋଇ ସେପରି ଘଟିଲା । ଗୋଟାଏ କଥା ସର୍ଦ୍ଦାରଜୀ, ଆଉ ମଦ ମୋଟେ ପିଅନି । ତୁମର ‘ହାର୍ଟ’ ବଡ଼ ଉଇକ୍‍ । କେତେବେଳେ ‘ଫେଲ୍‍’ ମାରିପାରେ ।

ସର୍ଦ୍ଦାର ସ୍ମରଣ କଲେ–ନା, ସେ ଯେଉଁ ନିଶା ପିଇଥିଲେ ତାହା ତ ଧରୁ ନ ଥିଲା । କମିର ରୂପରେ ପାଗଳ ହୋଇ ସେ ସବୁ ବୋତଲ ଭାଙ୍ଗିଛନ୍ତି । ମନର ଭ୍ରମ ହୋଇଗଲା ବୋଧେ-

ସର୍ଦ୍ଦାର ଅର୍ଡ଼ର ଦେଲେ–କମିକୁ ବୋଲାଓ ।

ସଙ୍ଗେ ସଙ୍ଗେ କମି ପାଖକୁ ଜିପ୍‍ ଧାଇଁଲା । କମି ସବୁ ଖବର ଶୁଣି ମଧ୍ୟ ଅବିଚଳିତ । ଖୁବ୍‍ ପରିଷ୍କାର ଧଳା ପୋଷାକ ପିନ୍ଧି ଆସି ପହଞ୍ଚିଲା ! ବର୍ତ୍ତମାନ ଗୋଟିଏ ନର୍ସ କମି । ସାରା ରାତି ଉନ୍ନିଦ୍ର ରହି ସେବାରେ ଲାଗିଗଲା ।

ମାନସିକ ବିକାର । ମାତ୍ର ମନର ଉଲ୍ଲାସକାରିଣୀ ପୁଣି ପାଖକୁ ଆସିଲେ ଆଧି, ବ୍ୟାଧି ସବୁ ସହଜରେ ଉପଶମ ହୋଇଯାଏ । କମି ଏ ଅବସ୍ଥାରେ କିଛି ବିପଦ ଆଶଙ୍କା କରିନି । ନାରୀ ସେ, ସେବାକାରିଣୀ । ରୋଗୀ ମନରେ ଆନନ୍ଦ ଆଣି ସୁସ୍ଥ କରିବା ତାର କାମ ।

 

ମଝିରେ ମଝିରେ ଉନ୍ମାଦ ଉଠୁଚି । ସୁରା, କମି, କମି, ସୁରା । ପୁଣି କମୁଚି । ଏଇପରି ଅବସ୍ଥାରେ ରାତି ଖାଡ଼େ ଖାଡ଼େ ପାହିଚି ।

 

ସକାଳ ହୋଇଚି । ଦିନ ଆସିଚି । କଳକାରଖାନାର ଯନ୍ତ୍ରଦାନବ ରଡ଼ି ଉଠିଛନ୍ତି । ଚାଲିଛି ରେକ୍‍ସା, ମଟର, ଟ୍ରାମ୍‍, ହକର, ମେହେନ୍ତର, ଲୋଫର୍‍ । କିଏ କାହା ପାଇଁ ଅପକ୍ଷା କରୁଚି-? ସର୍ଦ୍ଦାର ଶୋଇଛନ୍ତି ଟିକିଏ ସୁସ୍ଥରେ । କମି ତାଙ୍କର କିରାଣୀ ବାବୁଙ୍କୁ କହି ନିଜ ନାଁରେ ଟେଲିଗ୍ରାମ୍‍ କରିଚି ସର୍ଦ୍ଦାରଙ୍କ ସ୍ତ୍ରୀ ପାଖକୁ । –ସ୍ୱାମୀ ବିପନ୍ନ । ଶୀଘ୍ର ଆସ ।

 

ଟେଲିଗ୍ରାମ ପାଇ ସ୍ତ୍ରୀ ଯମୁନା ବିଚଳିତ ହୋଇ ପଡ଼ିଛନ୍ତି । ଅବଶ୍ୟ ସ୍ୱାମୀ ତାଙ୍କର ମଦ୍ୟପ, ବେଶ୍ୟାସକ୍ତ ; ତଥାପି ସେହି ତାଙ୍କର ସ୍ୱାମୀ, କାଚ ସିନ୍ଦୂରର ଉତ୍ସ, ଅର୍ଥାଗମର ଖଣି । ସ୍ୱାମୀ ସଙ୍ଗେ ଦୈହିକ ମିଳନ ଅବଶ୍ୟ ଖୁବ୍‍ କମ୍‍ ହୋଇଚି ଯମୁନାଙ୍କର ।

 

ଯମୁନା ସବୁ ଶୁଣନ୍ତି । ମାତ୍ର କପାଳକୁ ଆଦରି ରହନ୍ତି । ସ୍ୱାମୀ ଦେବତା । ସ୍ୱାମୀ ଧର୍ମର ଉତ୍ସ । ଯମୁନା ଧର୍ମପ୍ରାଣା ମା’ଙ୍କ ଦ୍ୱାରା ପାଳିତା । ସବୁ ଶୁଣି ସେ ନୀରବ ରହନ୍ତି । କେବଳ ନିନ୍ଦନ୍ତି ସେଇ ତରୁଣୀମାନଙ୍କୁ, ଯେଉଁମାନେ ତାଙ୍କ ରୂପ ମୋହରେ ସ୍ୱାମୀଙ୍କୁ ତାଙ୍କ ବାନ୍ଧି ରଖିଛନ୍ତି । ସ୍ୱାମୀ ବୋଇଲେ ସେ ବୁଝନ୍ତି ମାସିକ ଶହ ଶହ ଟଙ୍କାର ମନିଅର୍ଡ଼ର ।

 

“ଏଇ କମି କିଏ ? ମୋରି ପରି ଜଣେ ନାରୀ । ଉପକାରିଣୀ ଭଉଣୀ ନିଶ୍ଚୟ, ନଚେତ୍‍ ଖବର କାହିଁକି ପଠାନ୍ତା । କି ଏଇ ନାରୀ ବାନ୍ଧି ରଖିଥିଲା ମୋର ସ୍ୱାମୀଙ୍କୁ ? ଅସୁବିଧାରେ ପଡ଼ି ଏପରି କରିଚି ?”

 

ଯାହା ହୋଇଥିଲେ ବି ଯିବାକୁ ହେବ । କାଚ ତ ବଜ୍ର ରହିବା ଦରକାର । ସଙ୍ଗେ ସଙ୍ଗେ ଚାକରଟିଏ ଧରି ବଳଦ ଗାଡ଼ିରେ ବାହାରିଲେ ଷ୍ଟେସନ୍‍ । ଦୁଇ ଦିନର ବାଟ । ଯିବେ ତ । ଆଉ କ’ଣ କରିପାରିବେ ?

 

ବାରବୁଲା

ସର୍ଦ୍ଦାରଙ୍କର ଚେତନା ଆସୁଚି । ପୁଣି କମି, କମି କହି ପଡ଼ି ଯାଉଛନ୍ତି । ଡାକ୍ତର କହୁଛନ୍ତି–ଏଇ କମି କୌଣସି କାରଣରୁ ମନର ବିକାର ବଢ଼ାଇ ଦେଇଚି । ଡାକ୍ତର ତେଣୁ କହିଯାଇଛନ୍ତି କମିକୁ–ତୁମେ ଭଲ ପୋଷାକ ପିନ୍ଧ । ମିଠା କଥା କହ । ରଙ୍ଗାପାଣି ଦବାର ଛଳନା କର । ତେବେ ସର୍ଦ୍ଦାର ତୁମର ଭଲ ହୋଇଯିବେ ।

 

କମି ସେଇପରି କରିଚି ଅଭିନୟ । ଅଭିନୟଟା ସତ ନୁହେଁ । ମଣିଷ ଜୀବନଟା ଅଭିନୟ । ଜୀବନଟା ସତ ନୁହେଁ । ସତ ନୁହେଁ କିମିତି ? ଜୀବନଟା ସତ । ତାକୁ ଗଢ଼ିପାରିଲେ ସତ । ତାକୁ ଗଢ଼ି ନ ପାରିଲେ ମିଥ୍ୟା । ଗାନ୍ଧୀଙ୍କ ଜୀବନ ସତ ନୁହେଁ ? ବୁଦ୍ଧଙ୍କ ଜୀବନ ସତ ନୁହେଁ-? ସବୁ ସତ । ଆଦର୍ଶ ଦରକାର । ଆଦର୍ଶ କମିର କ’ଣ ?

 

କମି ରଙ୍ଗାପାଣି ଦବନି, ରଙ୍ଗାପାଣି ଦବାର ଅଭିନୟ କରିବ । ରୂପ ଦେବନି, ରୂପ ଦେବାର ଅଭିନୟ କରିବ କେବଳ । ଅଭିନୟ ସରିଲେ ଅଭିନେତା ଅଭିନେତ୍ରୀ କ’ଣ ? ସାଧାରଣ ମଣିଷ । ତାଙ୍କର ପ୍ରକୃତ ବାସ୍ତବ ମୂର୍ତ୍ତି ସେପରି ଅଭିନୟ ସରିଲେ କମି କମି, ସର୍ଦ୍ଦାର ସର୍ଦ୍ଦାର । ସେଇପରି ବଦଳାଇବାକୁ ଚାହେଁ କମି । ସର୍ଦ୍ଦାରକୁ ଭଲ ମଣିଷ କରି ଗଢ଼ିବ କମି ।

 

ଦାଣ୍ଡ ଦୁଆରେ କୋଚ୍‍ ଲାଗିଲା । ଯମୁନା ଓହ୍ଲାଇ ଆସିଲେ । କମି ନମସ୍କାର କଲା ଅନୁମାନ କରି । ଯମୁନା ସ୍ୱାମୀଙ୍କ ପାଖରେ ବସି ଆଉଁସିଦେଲେ । କଇଁ କଇଁ କାନ୍ଦି ଉଠିଲେ । ପୁଣି ଉଠିଲା ଉନ୍ମାଦ–କମି, କମି !

 

“ଅଛି ମୁଁ ସର୍ଦ୍ଦାରଜୀ !” କହି କମି ସର୍ଦ୍ଦାର ପାଖେ ବସିଲା । ରଙ୍ଗାପାଣିର ଅଭିନୟ ।

 

ଯମୁନା ମନରେ ଘୃଣା ଓ ସନ୍ଦେହ ।

 

ଭାଟିଦାରର ଭାଲେଣି ବଢ଼ି ଚାଲିଚି । ସର୍ଦ୍ଦାରଜୀ ବେମାର । ତାଙ୍କୁ ବେକୁବ୍‍ କରି ରଖିଚି କମି । ଏଣେ ରଥିଆ ମତେଇ ଚାଲିଚି ଲୋକଙ୍କୁ ମଦ ନ ପିଇବାକୁ । କିଛି ଗୋଟାଏ କୁଚକ୍ର ନ କଲେ ଆଉ ଚଳିବନି ।

 

ମଙ୍ଗୁଳୁକୁ ଭାଟିଦାର ଡକାଇଲେ । ହାଲଚାଲ ସବୁ ପଚାରିଲେ । ସର୍ଦ୍ଦାରଙ୍କ ଏପରି ହେବାର କାରଣ କ’ଣ ? ରଥିଆକୁ କିପରି ଜବତ୍‍ କରାଯିବ ? ସବୁ ବିଷୟରେ ଆଲୋଚନା ଚାଲିଲା ।

 

ମଙ୍ଗୁଳୁ ପ୍ରସ୍ତାବ ଦେଲା–ଆଗ ରଥିଆକୁ ନିମନ୍ତ୍ରଣ କରି ଭଲ ଖାଇବାକୁ ଦବା । ପୁଣି ମଦ ପିଆଇବା । ଝିଅ ପାଇଁ ତାର ଟଙ୍କା, ସଉକାନିଆ ଜିନିଷ ଦବା । ତାହାହେଲେ ସେ ଆଉ ଆନ୍ଦୋଳନ କରିବନି । ସେଥିରେ ଯଦି ନ ହୁଏ, ପରେ ଦେଖିଲା କାମ କରିବାକୁ ହେବ ।

 

ଭାଟିଦାର ମଙ୍ଗୁଳୁକୁ ସାବାସ୍‍ କରି ବୋତଲେ ମଦ ପିଆଇଲା । ମଙ୍ଗୁଳୁ କହିଲା–ଖାଲି ପିଇଲେ କ’ଣ ହେବ ? ଚିଡ଼ିଆ ଲୋଡ଼ା ।

ଭାଟିଦାର ଚାକରାଣୀ ଦୁଲୀକୁ ଇସାରା ଦେଲେ । ସେଥିପାଇଁ ଦୁଲୀର ପରୁଆ ନାହିଁ । ମଙ୍ଗୁଳୁ ତାର ଅଭୀଷ୍ଟ ସିଦ୍ଧକରି ବସାକୁ ଫେରିଲା । କମି ଫେରିନି । ମଙ୍ଗୁଳୁ ରଥିଆ ସଙ୍ଗେ ଆଳାପ ଲଗାଇଲା–ଜାଣିଲୁ ମଉସା, ଭାଟିଦାରଟା ବଡ଼ ଭଲ ଲୋକ । ମୋତେ ଆଜି ଡକାଇଥିଲା । କାଲି କ’ଣ ଗୋଟାଏ ଭୋଜି ଦଉଚି ତାର ଗ୍ରାହକମାନଙ୍କୁ । ତୋତେ ବି ମୋ ହାତରେ କହି ପଠେଇଚି ।

ରଥିଆ କେଉଁଦିନୁ ଭୋଜି ଖାଇନି । ଭୋଜି ବୋଇଲେ ପାଟିରୁ ତାର ଲାଳ ବୋହିଯାଉଚି । କହିଲା–ଯିବାର ମୋର ଇଚ୍ଛା ଅଛି ଯେ କିନ୍ତୁ ନିଶାପାଣିକୁ ମୋତେ ଡର ।

ମଙ୍ଗୁଳୁ କହିଲା–ସେମିତି କିଛି ନାହିଁ । ସେଠି ତ ତୋତେ ଗୋଟାଏ ସୁବିଧା ମିଳିବ । ସମସ୍ତଙ୍କୁ କହିବାକୁ ପଡ଼ିବ । ଭୋଜିକୁ ଭୋଜି ଖାଇବା, ମଦ ପିଇବାକୁ ବାରଣ କରିବା । ଆମକୁ କ’ଣ ଲଗା ?

କମି ଫେରିଆସିଚି । ଏବେ ଝିଅଟା ହାରିଗଲାଣି । ସର୍ଦ୍ଦାରଟା ଆଚ୍ଛା ପାଗଳ ହେଲା ! ରଥିଆ ପଚାରିଲା–କ’ଣ ସର୍ଦ୍ଦାରଙ୍କ ଧିଅ ଟିକିଏ ଭଲ ଅଛି ?

କମି କହିଲା–ହଁ, ଟିକିଏ ଭଲ ଅଛି । ତାଙ୍କ ସ୍ତ୍ରୀ ଆସି ପହଞ୍ଚିଲେଣି । ଏଣିକି ହେପାଜତ୍‍ କରିବାକୁ ଲୋକ ହୋଇଗଲେ । ଭଲ ହୋଇଯିବେନି କ’ଣ ? ସବୁବେଳେ ନିଶା ଖାଇ ଖାଇ ମୁଣ୍ଡ ଭ୍ରମିଯାଇଚି ।

ଖାଇପିଇ ଶୋଇବାକୁ ଯାଉଚି କମି, ପୁଣି ଆସି ଜିପ୍‍ ଦୁଆରେ ଠିଆ ହେଲା । ସର୍ଦ୍ଦାର ମୂର୍ଚ୍ଛା ଯାଉଛନ୍ତି । ଡାକ୍ତର କହିଲେ–କମି ନ ଆସିଲେ ସେ କମିବନି । କମି ପୁଣି ସୁନ୍ଦର ବେଶ ଧରି ବାହାରିଲା ।

ମଙ୍ଗୁଳୁ ମନେ ମନେ ଭାବିଲା–କି ମୋହିନୀ ମନ୍ତର ଜାଣିଚି ଲୋ ମା ! ନିଜର ଭାରିଯା ଥାଉ ଥାଉ କମି ନ ଗଲେ ହଉନି ! ଆଉ କେତେ ଦିନ ଗଲେ କମି ମୋତେ ତ ସେପରି କରିବ । ଦୁର୍ଗା ଲୋ ଏ ମା । ଯେତେ ମହିଷାସୁରଙ୍କୁ ମାରିବ ।

ମଙ୍ଗୁଳୁ ତୁଚ୍ଛାକୁ ହେଲେ ପିଠି ବାଡ଼େଇ ହେଉଥିଲା ମଶା କାମୁଡ଼ିଲା ପରି । ରଥିଆ ଡାକ ପକାଇଲା–ଶୋଇ ନାହୁଁ କି ମଙ୍ଗୁଳୁ ! ଆ ଗପ କରିବା । ଭାଟିଦାର କ’ଣ କ’ଣ ଭୋଜି କରିବ-? ମାଛ, ମାଂସ କରିବ ନା ? ମାଂସଟା ଭଲ ରାନ୍ଧି ଜାଣନ୍ତି ଏ ସହରରେ । ଆମ ଗାଁରେ ଯେଉଁ ରାନ୍ଧନ୍ତି ନାଁ !

ମଙ୍ଗୁଳୁ ଭାବିଲା–ଠିକ୍‍ ପାଳି ପଡ଼ିଚି । କହିଚାଲିଲା ଧରା ଶିରାବଣ ମେଘ ପରି–ମାଂସର ଦୁଇ ତିନି ପ୍ରକାର ତରକାରୀ ହବ । ମିଠାଭାତ, ଡାଲି, ଖିରୀ, ଖଟା । ସବୁ ହବ ।

ମଙ୍ଗୁଳୁ ଭାବିଲା–କେତେ ଖାଲି ବସି ଗପ କରୁଥିବ ! ଗଞ୍ଜେଇ ଚିଲମଟା ସାଜି ଦି ଫୁଙ୍କା ଦେଲା । ନେ ବା ମଉସା, ଗଞ୍ଜେଇ ଟିକିଏ ପିଇଥା ।

 

‘ଗଞ୍ଜେଇ !’ କହି ରଥିଆ ଉଠି ବସିଲା । ଗଞ୍ଜେଇ । ବଡ଼ ଆରାମ ଲାଗେ । ଖାଲି ଖାଲି ଲାଗୁଥିଲେ ସେ ଗୋଟାଏ ସାଙ୍ଗ । ମନରେ ଦୁଃଖଥିଲେ ସେ ଆଣେ ସୁଖ । ହାତରେ ଧରି ମୁହଁରେ ଲଗାଇବାକୁ ଯାଉଥିଲା, ଫେରାଇଦେଲା ମଙ୍ଗୁଳୁକୁ । ନେଇଯା ମଙ୍ଗୁଳୁ, ମୁଁ ଶପଥ କରିଚି । ସୂର୍ଯ୍ୟଙ୍କ ନାଁରେ ଶପଥ କରିଚି । ଝିଅ ଆଗରେ ଶପଥ କରିଚି । ଆଉ ନିଶାପାଣି ଛୁଇଁବନି ।

 

ମଙ୍ଗୁଳୁ ସବୁ ଶୋଷି ତା ବସାକୁ ଶୋଇବାକୁ ଯାଇଚି । ରଥିଆ କବାଟଟି ମେଲାକରି ଶୋଇଚି । ଝିଅ କେତେବେଳେ ଆସିବ ।

 

ଆଗରେ ଆସି ଠିଆହେଲା ଜିପ୍‍ । ଡ୍ରାଇଭର ଡାକ ପକାଇଲା–ରଥିଆ, ରଥିଆ !

 

ଚମକି ପଡ଼ି ଉଠିଲା ରଥିଆ । “କ’ଣ ବାବୁ ?”

 

“ଆରେ କମି କାହିଁ ? ସର୍ଦ୍ଦାରଜୀ ମୂର୍ଚ୍ଛା ଯାଉଛନ୍ତି ।”

 

“ଏଁ, ଝିଅ ପରା ଜିପ୍‍ ଗାଡ଼ିରେ କେତେବେଳୁ ଗଲାଣି ।”

 

“ବଡ଼ା ତାଜିବ୍‍ କା ବାତ୍, ରଥିଆ !”

 

“କ’ଣ କହୁଚ, ବାବୁ ? ଝିଅକୁ ମୋର କିଏ ନେଲା ?”

 

ଅଧୀର ହୋଇପଡ଼ିଲା ରଥିଆ । ମଙ୍ଗୁଳୁକୁ ଡାକ ପକାଇଲା । ମଙ୍ଗୁଳୁକୁ ଡାକ ପକାଇଲା । ମଙ୍ଗୁଳୁ ମଧ୍ୟ କାବା ହେଲା । କମିକୁ ଆଉ ନେଲା କିଏ ? ଡାକୁର ମଟର ବୋଧେ ! ଅଳଙ୍କାର କେତେଖଣ୍ଡ ସର୍ଦ୍ଦାର ଦେଇଥିଲା । ଯେଉଁ ରୂପ, ସମସ୍ତେ ଟଳିବେ ।

 

ଡ୍ରାଇଭର ଡାକିଲା–ଅନ୍ତତଃ ଥାନାରେ ଜଣାଇ ସର୍ଦ୍ଦାର ଘରେ କହିଆସିବୁ ଆ ରଥିଆ ! ଆଚ୍ଛା ବେକୁବ୍‍ ଗୋଟାଏ ଝିଅ ଆଣି ଆମକୁ ପକାଉଚି ଉଠାଉଚି । ବେଗେ ପଳା ବେ ଗାଁ, ଏ ସହର ତୁମକୁ ସହିବନି ।

 

ମଙ୍ଗୁଳୁ ବି ସଙ୍ଗରେ ଗଲା । ମନେ ମନେ ଭାବୁଥାଏ–ଠିକ୍‍ ହୋଇଚି । ଟୋକୀ ଛଇ ଦେଖଉଥିଲା । ସର୍ଦ୍ଦାରକୁ ପାଗଳ କଲା । ଏବେ ଯାଉ । ଆଉ କ’ଣ ସତୀ ସାବିତ୍ରୀ ଥିବ କମି ? ଆଲୋ କମି, ତୋତେ ଆଉ କିଏ ଛୁଇଁବ ଲୋ ! ତୁ ଅପବିତ୍ରା ହେଲୁ ଆଜିଠୁ ।

 

ଡାକ୍ତର କମିର ହରଣଚାଳ କଥା ଶୁଣି ଚକିତ ହୋଇଗଲେ । ତେବେ କମିର ବିଷୟ ପୁଲିସକୁ ଜଣା । ରୋଗର ଚିକିତ୍ସା ଡାକ୍ତରର ଦାୟିତ୍ୱ । ସର୍ଦ୍ଦାରଙ୍କ ସ୍ତ୍ରୀ ଯମୁନାଙ୍କୁ ଡାକ୍ତର ପରାମର୍ଶ ଦେଲେ–ଭଲ ସୁନ୍ଦର ପୋଷାକ ପିନ୍ଧି କମି ପରି ଅଭିନୟ କର । ମୁଣ୍ଡର କ୍ଷତ ଭଲ ହୋଇଗଲାଣି । ଖାଲି ମାନସିକ ବିକାର କମିଗଲେ ସର୍ଦ୍ଦାର ଠିକ୍ ବାଟକୁ ଆସିଯିବେ ।

 

ସର୍ଦ୍ଦାରଙ୍କୁ ଦେଖିବାକୁ ଅନେକ ଲୋକ ଆସନ୍ତି । ସମସ୍ତେ କହନ୍ତି–ଅତ୍ୟଧିକ ନିଶାପାନ ଓ ବେଶ୍ୟାମାନଙ୍କ ସଙ୍ଗେ ମିଳନ ଲାଗି ସର୍ଦ୍ଦାର ଏପରି ରୋଗ ଭୋଗୁଚି । ପାପର ଗୋଟିଏ ସୀମା ଅଛି । ଶେଷକୁ କମି ବୋଲି ଯେଉଁ ବାଉରାଣୀ ଟୋକିଖଣ୍ଡକ, ସେଇ ତ କମି ଆଲଗାଇଚି । ଶୁଣାଯାଉଚି ତାକୁ କାଲି ରାତିରେ କିଏ ନେଇ ପଳାଇଚି । କିଏ କାହିଁକି ନେବ ମ ? ପଇସା କମେଇବାକୁ–

 

ଯମୁନା କାବା ହୋଇଗଲେ । ଯେଉଁ ଟୋକୀ ଅଭିନୟ କରୁଥିଲା ସେ ବାଉରାଣୀଣୀ ! ସବୁ ସାରିଲେ । କେତେ ବର୍ଷର ପୁରୁଣା ଖାନ୍‍ଦାନ ଘର । ମାନ ଥିଲା ଗୋଟାଏ ୟାଙ୍କର ଘରର । ସବୁ ଗଲା । ବେଶ୍ୟାଗୁଡ଼ାକର କେଉଁ ଜାତି ଠିକ୍‍ ଥିବ ! ୟାଙ୍କର କାୟା ଅପବିତ୍ର । ମନ ମଧ୍ୟ ତଦ୍ରୂପ-

 

ଆଜି ମଙ୍ଗୁଳୁ ସୁବିଧା ପାଇଚି ଯମୁନାଙ୍କ ଆଗେ ଚୁଗୁଲି କରିବାକୁ । କହି ବସିଲେ–ମା’ ଗୋ, ଆଗେ ମୁଁ ମଦ ପିଆଉଥିଲି ଯେ ଅଳ୍ପ ଦିଏ । ସର୍ଦ୍ଦାରଙ୍କୁ ବହୁତ ବୁଝାଏ । ପାଗଳାମି ଇମିତି ହୁଏନି । ଏଇ କମି ଆସିଲା ଦିନୁ ସର୍ଦ୍ଦାର ତାକୁ ଝୁରି ଝୁରି ପାଗଳ ହେଲେ । ଶେଷକୁ ମୋ କାମ ସିଏ କଲା । କିମିତି ବେଶି ମଦ ପିଆଇଲା କି କ’ଣ ଦେଲା । ବୈଠକ ଘରେ କିମିତି ପଡ଼ିଲେ ଭଗବାନକୁ ଗୋଚର । ଏବେ ଇମିତି ଦଶା । ଏଥର ମା’ ତୁମେ ଆଇଲଣି । ସର୍ଦ୍ଦାରଙ୍କୁ ଠିକ୍‍ ବାଟକୁ ଆଣ । କମି ତ କୁଆଡ଼େ ଗଲାଣି । ଯଦି ଫେରେ ତାକୁ ଆଉ ଏଠାରେ କାମ ଦିଅନି । ସେ ଯାଇ କମ୍ପାନୀ କାରଖାନାରେ କାମ କରୁ ।

 

ଯମୁନା ସବୁ ଶୁଣନ୍ତି । ଘୃଣାରେ ତାଙ୍କ ମନଟା ଭରିଯାଏ । କମି ମୋର ଭଉଣୀ ପରି । ଜାଣୁଚି ସର୍ଦ୍ଦାର ମୋର ବର । ତାକୁ ଏପରି ଅସତ୍‍ ବାଟକୁ ଟାଣୁଚି । ମାଇକିନିଆ ନିଶ୍ୱାସ ପଡ଼ିବନି-!

 

ପୁଣି ଉଠିଛି ସର୍ଦ୍ଦାରର ପାଗଳାମି । ଯମୁନା ଅଭିନୟ କରିବାକୁ ଶିଖିଥାନ୍ତି । ଅଭିନୟ ଚାଲିଲା । ସର୍ଦ୍ଦାର ଶାନ୍ତ ପଡ଼ିଲେ ।

 

କିଛି ସମୟ ପରେ ଭାଟିଦାର ଆସିଲେ । ଯମୁନାଙ୍କୁ ନମସ୍କାର କଲେ । କହିଲେ–ମା’ ସର୍ଦ୍ଦାରଜୀକା ଦେହ କିମିତି ଅଛି ?

 

ଅଚିହ୍ନା, ଅଜଣା ଲୋକଙ୍କୁ ଯମୁନା କଥା କହୁଛନ୍ତି କିପରି ? ତୁନୀ ହୋଇ ବସିରହିଲେ-। ମଙ୍ଗୁଳୁ ସବୁ ବୁଝାଇଦେଲା । ସର୍ଦ୍ଦାରଜୀ ଆଖି ଠାରିଲେ ମଙ୍ଗୁଳୁକୁ ।

 

ମଙ୍ଗୁଳୁ ବାହାରକୁ ଗଲା । ସର୍ଦ୍ଦାର ପଚାରିଲେ–କ’ଣ ରଥିଆକୁ ହାତ କଲୁ ? ମଙ୍ଗୁଳୁ ଉତ୍ତର ଦେଲା–ହାତ କରିଥିଲି । ସେ ଭୋଜିକୁ ଯାଇଥାନ୍ତା । ମାତ୍ର ତା ଝିଅଟାକୁ କାଲି କିଏ ମଟରରେ ନେଇଯାଇଚି ।

 

ଆଶ୍ଚର୍ଯ୍ୟ ହୋଇ ଭାଟିଦାର ପଚାରିଲେ–କିଏ ନେଇ ଯାଇଚି ? ହଉ ହଉ, ଠିକ୍‍ ଲାଗିଚି-। ତୁ ତାକୁ କହିବୁ–ତୋ ଝିଅକୁ ଖୋଜି ଏବ ଭାଟିଦାର । ଯେମିତି ହେଉ ଧରିନେବୁ ତାକୁ ଆଜି-

 

ମଙ୍ଗୁଳୁ ସମ୍ମତି ଜଣାଇଲା । ସର୍ଦ୍ଦାରଜୀ ଫେରିଲେ ।

 

ଯମୁନା ମଙ୍ଗୁଳୁକୁ ଡାକି ଅର୍ଡ଼ର ଦେଲେ–ତୋତେ ଆଜି କୁଆଡ଼େ ଯିବାକୁ ହେବନି । କିରାଣୀବାବୁଙ୍କୁ କହ–କମି କୁଆଡ଼େ କିପରି ଅନ୍ତର୍ଦ୍ଧାନ ହେଲା ? ମଙ୍ଗୁଳୁ ଡରିଲାଣି । ଆଜି ସର୍ଦ୍ଦାରର ଭୋଜିକୁ ଯିବାକୁ ହେବ । ମା’ କ’ଣ ଏପରି ଅର୍ଡ଼ର ଦେଲେଣି ! ହଉ ଦେଖାଯିବ । ବୁଦ୍ଧିଥିଲେ କେତେ କଥା କରିହେବ । କିରାଣୀ ବାବୁଙ୍କୁ ସଙ୍ଗରେ ଧରି ମଙ୍ଗୁଳୁ ଥାନାକୁ ଗଲା । ରଥିଆ ମୁଣ୍ଡରେ ହାତ ଦେଇ ବସିଚି । ଝିଅର ଖବର ନ ପାଇଲେ ସେ ଥାନା ବାରଣ୍ଡାକୁ ଉଠିବନି । ଅନ୍ନ ଜଳ ସ୍ପର୍ଶ କରିବନି । କି ଲାଭ ବଞ୍ଚିଲେ ଆଉ ? ଝିଅକୁ ଆଣିଥିଲେ ସହର । ପଇସା କମେଇ ଘରକୁ ଫେରିବ । ଝିଅକୁ ବାହା ଦବ । ଝିଅର ସୁନ୍ଦର ସଂସାର ଦେଖିଲେ ମନ ତାର ଆନ୍ଦରେ ନାଚି ଉଠିବ ।

 

ଥାନାବାବୁ କହିଲେ–ଆପଣମାନେ ଅସ୍ଥିର ହେଲେ ଚଳିବନି । ଏ ସହର । ଏପରି ଘଟଣା ଲାଗିରହିଚି । ଆମର ତଦନ୍ତ ଚାଲିଛି । ଗୁଇନ୍ଦାମାନେ ଲାଗିଚନ୍ତି, ଜଣାପଡ଼ିବ ଯେ ।

 

ରଥିଆ, ଯା ଘରକୁ । ଖିଆପିଆ କର । ଏମିତି ଭାଳିବସିଲେ ଚଳିବ ? ଝିଅକୁ ରାତିରେ ଏଣେ ତେଣେ ପଠାଉଚୁ । ମଟରରେ କିଏ । ମନ୍ଦ ଅଭିପ୍ରାୟ ରଖି ନେଇଯାଇଥିବ । ତେବେ ଝିଅ ତୋର ଫେରିବ ବୋଲି ଆଶା । ଏତେ ଭାବନା କରନି ।

 

ମଙ୍ଗୁଳୁ ଧରିନେଲା ରଥିଆକୁ । ଦୁହେଁଯାକ ସର୍ଦ୍ଦାର ଘରେ ସେଦିନ ରହିଲେ । ସର୍ଦ୍ଦାରଙ୍କ ଅବସ୍ଥା ସେଇପରି ଥାଏ । ମଝିରେ ମଝିରେ ବାଉଳି ହେଉଥାନ୍ତି । ଯମୁନା ସ୍ୱାମୀଙ୍କ ହିତ ଲାଗି ଡାକ୍ତରଙ୍କ ପରାମର୍ଶ ଅନୁସାରେ କାମ କରୁଥାନ୍ତି ।

 

ସଇତାନି ପିପାସାର ଅବସାନ ଅବଶ୍ୟମ୍ଭାବୀ । କମିର ରୂପ ସର୍ଦ୍ଦାରକୁ କରିଚି ପାଗଳ । ଏକା ତାକୁ ନୁହେଁ । ତାକୁ ପାଇବା ପାଇଁ ଭଦ୍ରତାର ସୀମା ଟପି ବେଆଇନ୍‍ କରିବାକୁ ପଛାଇ ନାହିଁ ଏଇ ମଣିଷ । ନିଶା ତ, ରୂପର ନିଶା, ମଦର ନିଶା ଏକ କଥା ।

 

ନିଶାର ମୋହ ମୋହ ଚିରନ୍ତନୀ ସୃଷ୍ଟିର ବିକାଶପଥରେ ସହାୟକ ନୁହେଁ, ପ୍ରତିବନ୍ଧକ ମାତ୍ର ।

 

ରଥିଆର ସେଇ ଗୋଟାଏ ଭାବନା । କୁଆଡ଼େ ଗଲା କମି ? ନଈକେ ବାଙ୍କ୍‍, ଦେଶକେ ଫାଙ୍କ୍‍ । ଭାବନାରେ ବି ଫାଙ୍କ୍‍ ।

 

ଧରମୁ ସବୁ କ୍ଷତି ସହିଲେ ମଧ୍ୟ ତାଙ୍କୁ ବାଧୁ ନ ଥାନ୍ତା; ମାତ୍ର ମାନିଆ ପରି ଚାକର ହରାଇ ସେ ଗୋଟାଏ ମସ୍ତବଡ଼ କ୍ଷତି ସହିଛନ୍ତି । ଜେମି ଗଲେ ତାଙ୍କର କ୍ଷୋଭ ନାହିଁ । ଜେମିକୁ କାମ କରିବା ଉଦ୍ଦେଶ୍ୟରେ ଧରମୁ ରଖି ନ ଥିଲେ । ଉଦ୍ଦେଶ୍ୟ ଥିଲା ଭିନ୍ନ । ଜେମିକୁ ଏପରି ଲୋଭାଇ ଖଳ ପ୍ରକୃତିକୁ ଟିକିଏ ଚରିତାର୍ଥ କରିଥାନ୍ତେ । ମାତ୍ର ଏ ବୟସରେ ସେପରି କଞ୍ଚାଖାଇ ଡାହାଣୀ ସଙ୍ଗେ ପ୍ରଣୟ କରିବା ଧରମୁ ଆଉ ପସନ୍ଦ କରୁ ନାହାନ୍ତି । ଯେଉଁଦିନୁ ଗଉରାର କୁଚକ୍ରରେ ଧରମୁ ହାତରେ କଡ଼ି ପଡ଼ିଲା, ସେଦିନୁ ଧରମୁ ନିଜର ମାନ ବହୁଗୁଣରେ ହରାଇ ବସିଚନ୍ତି ।

 

ଅଦାଲତ ଅବଶ୍ୟ ଠିକ୍‍ ନ୍ୟାୟ ଦେଇଚି । ମାନିଆ ନିର୍ଦ୍ଦୋଷରେ ଖଲାସ । ଧରମୁ ନିଜର ଅସାବଧାନତା ଦୃଷ୍ଟିରୁ ନିର୍ଦ୍ଦୋଷରେ ଖଲାସ । ଧରମୁ ନିଜର ଅସାବଧାନତା ଦୃଷ୍ଟିରୁ ଜୋରିମାନା ଦେଇଛନ୍ତି । ଭରତ କିଛି ଜୋରିମାନେ ଦେଇ ଖଲାସ ହୋଇଚି । ମାତ୍ର ଗଉରାର କେହି ସାହାପକ୍ଷ ନାହିଁ । ସେ ତା କର୍ମର ଫଳ ଭୋଗିଚି । ଦୁଇମାସ ଜେଲଦଣ୍ଡ ଭୋଗିବାକୁ ହେଉଚି ତାକୁ । ଯେଉଁ ଅବକାରୀ ବାବୁ ଦିନକେ ପାଞ୍ଚଶହ ଗଣି ନେଇଥିଲେ, ସେ ସନ୍ଦେହରେ ପଡ଼ିଛନ୍ତି କର୍ତ୍ତୃପକ୍ଷଙ୍କର । ବର୍ତ୍ତମାନ ସସ୍‍ପେଣ୍ଡ । ଏଣୁ କଳିକାଳରେ ଧର୍ମ ନାହିଁ ବୋଲି କଥାଟିକୁ କେହି ବିଶ୍ୱାସ କରୁ ନାହାନ୍ତି ।

 

ଧରମୁ କିନ୍ତୁ ମନେ ମନେ ରାଗିଲେଣି ଦେବେନ୍ଦ୍ର ବାବୁଙ୍କ ଉପରେ । ଆଗେ ତ ଯାହା ଡରାଉଥିଲେ, ଏବେ ଚାକରାଟିକୁ ନେଇ ଗୁଡ଼ରନ୍ଧା କାମରେ ଲଗାଇଲେଣି । ଜେମି ବି ଯାଇ ସେଠି କାମ କରୁଚି । ଜାତି ଅଜାତି ସମସ୍ତଙ୍କର ମେଳ । ସେଠି ବୋଧେ ଘାଣ୍ଟତିଅଣ ନୀତି ଚାଲିଚି-। ଦେବେନ୍ଦ୍ର ବାବୁ ଇମିତି କେଉଁ ବଡ଼ ଲୋକ କି ? ମିଠା ଗୁଣ୍ଡ ଔଷଧ ବିକି ପଇସା କମାନ୍ତି-। ଜମିବାଡ଼ି ବେଶୀ ନାହିଁ । ଖାଲି ଖଦଡ଼ ପିନ୍ଧି ମନ୍ତ୍ରୀ, ବାବୁ ଭାୟାମାନଙ୍କୁ ହାତମୁଠାରେ ରଖି ଗୋଟାଏ ଫନ୍ଦି ଫିକର କରି ଚଳୁଛନ୍ତି ।

 

ଏଇ ଲୋକାଗୁଡ଼ାକ ଲାଗି ଗାଁରେ ଆଉ ରହି ହବନି । ମଣିଷ ଚାଷ ଦେଖିବ ନା ଦୋକାନ କାମ କରିବ ! ଭାଗବଖରା ହେଲେ ଲଗାଇ ଦିଅନ୍ତା, ଏଣିକି ତ ବଡ଼ ବଡ଼ ଆଇନା । ଚାଷୀ ନେବ ତିନି ଭାଗ, ଜମିବାଲା ନେବ ଏକ ଭାଗ । କେତେ ସିଆଣିଆ ପୁଅରେ ! ଜମି କିଣିଲା କିଏ ? ତାକୁ ହାଣି କୁଟି ହେପାଜତ କଲା କିଏ ? ଆଉ ଚାଷୀ ନବ ସବୁ ।

 

ଆମେ କ’ଣ ଦେଶର ପ୍ରଜା ନୋହୁଁ । ଆମର କ’ଣ ଶକ୍ତି ନାହିଁ ? ଧରମୁ ଦେବୀଙ୍କ ସାମନାରେ ଠିଆ ହୋଇ ପ୍ରତିଜ୍ଞା କଲା–ମୁଁ ଆଉ କେବେ ନିଶା ଖାଇବନି । ପରଝିଅ ଓ ବୋହୂଙ୍କୁ ଆଉ ଆଖେଇବିନି । ରକ୍ଷାକର ମା, ମୁଁ ନରବଳି ବନ୍ଦ କରିନି । ଦେବେନ୍ଦ୍ରବାବୁ ବନ୍ଦ କରିଚି । ତୁ ତାକୁ ଦେଖା ମା ! ମୋ ଉପରେ ରାଗ ଖାଲି ସାଧିଲେ କ’ଣ ହବ ମା !

 

ଏଣିକି ଧରମୁ ଗୋଟାଏ ଉପାୟ ଖଞ୍ଜି କିପରି ଖଜୁରୀ ଗୁଡ଼ରୁ ଲୋକଗୁଡ଼ାଙ୍କୁ ଫିଟିକାଇବାକୁ ହେବ ତାର ଉପାୟରେ ରହିଲେ । ନିତି ଦୋକାନ ଘରେ ଭାଗବତ ପଢ଼ା ଚାଲିଲା । ପାନ ବିଡ଼ି ବଣ୍ଟା ହୁଏ । ଶେଷବେଳକୁ ଉଖୁଡ଼ା ବଣ୍ଟାଯାଏ । ସବୁ ନୀତି ସିନା ଆମେ ଚାଲୁ କରିବା । ପେଟପୂରା ଖାଇବାକୁ ନ ମିଳିଲେ ଲୋକମାନଙ୍କର ବିଚାରବୁଦ୍ଧି ରହେନି । ଉଖୁଡ଼ା ଓ ବିଡ଼ିର ଲୋଭରେ ପ୍ରତିଦିନ ଲୋକ ଜମୁଛନ୍ତି । ନାଥ ଦାସ ହେଉଛନ୍ତି ପୂଜାରୀ । କାଳୁଜାନି ଯୋଗାଡ଼ କରିବା, ଲୋକଙ୍କ ବସିବାର ସୁବିଧା ଆଦି କାମ ତୁଲାନ୍ତି !

 

ଧରମୁ ଅନ୍ୟ ଉପାୟ ନ ଦେଖି ବାଉରିସାହିର ଦୁଇଜଣଙ୍କୁ ହଳିଆ ରଖିଛନ୍ତି । ସେମାନଙ୍କୁ ଧରମୁ ନାଁ ଦେଇଛନ୍ତି ଧତାଡ଼ାମାଧିଆ ନମ୍ବର ୧, ନମ୍ବର ୨ । କାରଣ ସେମାନେ ଚଉଆଖିଆ ନୁହନ୍ତି । ନିଜର ପରି କାମ କରିପାରୁ ନାହାନ୍ତି । ମନରୁ ଫାନ୍ଦି କୌଣସି କଥା କରନ୍ତିନି-। ସୁଲୋଚନାଙ୍କ ମନଲାଖି ଡଙ୍କା କେହି ତିଆରି କରି ଦେଉ ନାହାନ୍ତି ।

 

ସୁଲୋଚନା ସବୁବେଳେ ଖିଟ୍‍ଖିଟ୍‍ । ନିଆଁ ଲଗା ଚାକର ଦୁଇଟା ରଖିଛନ୍ତି ଯେ କେଉଁ କାମକୁ ନୁହନ୍ତି । ମାନିଆ ପରା ଚାକରକୁ ବିଗିଡ଼େଇ ଦେଲେ । ପଇସା ସରି ଯାଉଥିଲା ! ଜାମିନରେ ଆଣିଥିଲେ ୟାଙ୍କର କ’ଣ ହୋଇଥାନ୍ତା ? ଏବେ ଆଉ ପଇସା ସରୁନି ! ଯେଉଁ କାମ ବେଳାକେ ହେଉଥିଲା, ଏଇନା ଦୁଇବେଳା । ଆଜି ଟାଣ କରି ସୁଲୋଚନା ଶୁଣାଇ ଦେଇଛନ୍ତି–ସେ ଭାଗବତ ପାଲା ଛାଡ଼ । ମୋ ଘର ଏତେ ଧାନ ନାହିଁ ନିତି ଉଖୁଡ଼ା କରିବାକୁ । ଭଲ ଚାକର ଗୋଟାଏ ଆଣ । ଘର କାମ ମୁଁ ଏକା କରିପାରିବିନି ।

 

ଧରମୁଙ୍କୁ ବୁଦ୍ଧି ବାଉଳା । ସୁଲୋଚନା ରାଗିଲେ ପୃଥ୍ୱୀ କମ୍ପିବ । ଧରମୁ ପୃଥିବୀରେ ଦୁଇ ଜଣ । ନେ ନାହିଁ, ଲେଞ୍ଜେରା ନାହିଁ । ବାର ବ୍ରତ, ତେର ଓଷା କରି ମଧ୍ୟ ସନ୍ତାନ ଗୋଟିଏ କୋଳରେ ଧରିପାରି ନାହାନ୍ତି । ସେଥିପାଇଁ ସୁଲୋଚନା ସବୁବେଳେ ବିରକ୍ତ । ସେ ଭାବନ୍ତି, ସ୍ୱାମୀଙ୍କ ଦୋଷରୁ ଏପରି ଘଟୁଚି । ପରଝିଅ ବୋହୂଙ୍କୁ ଆଖି ଦେଇ ୟାଙ୍କର ପୁଅ ହଉନି । ଧରମୁ ଅବଶ୍ୟ ବାହାରେ କିଛି କହନ୍ତିନି । କିନ୍ତୁ ତାଙ୍କର ଦୋଷ ବୋଲି ସେ ମନେ ମନେ ସ୍ୱୀକାର କରନ୍ତିନି-। କିନ୍ତୁ ତାଙ୍କର ଦୋଷ ବୋଲି ସେ ମନେ ମନେ ସ୍ୱୀକାର କରନ୍ତିନି । ବାଉରିସାହିରେ ଅନେକ ଛୁଆ ତାଙ୍କ ପରି ଦେଖାଯାନ୍ତି । ଏଣୁ ସେ କିପରି ଅକ୍ଷମ ଲୋକ ହେଲେ ? ହେଲେ ବି ସେ ସୁଲୋଚନାଙ୍କୁ ଭଲ ପାନ୍ତି । ଗୃହଲକ୍ଷ୍ମୀ ସେ । ତାଙ୍କ ଲାଗି ଯେତେ ଧନ । ଖୁବ୍‍ ଡରନ୍ତି ବି ଧରମୁ-

 

ଏ ଯେଉଁ ଭାଗବତ ପାଲା ଧରମୁ ଧର୍ମ ଅର୍ଜିବାକୁ କରୁ ନାହାନ୍ତି । ଲୋକଙ୍କୁ ହାତରେ ରଖିବାକୁ ହବ । ନ ହେଲେ ଦେବେନ୍ଦ୍ରବାବୁଙ୍କୁ ଆଉ ପାରି ହବନି । ନିଶା ଉଠାଇବାକୁ ତ ଜୋରରେ ଲାଗିଲା । ସେଥିରେ ଲୋକଗୁଡ଼ାଙ୍କୁ ଲୋଭ ଦେଖାଇ ହେବନି । ଆଉ ଏପରି ଭାଗବତ, ଉଖୁଡ଼ା, ଚୁଡ଼ାଘଷା, କଦଳୀ ଚକଟା । ଆମ ଦେଶର ଲୋକେ ଧର୍ମବିଶ୍ୱାସୀ । ଅସଲ କଥା ଧର୍ମ ବୁଝନ୍ତୁ, ନ ବୁଝନ୍ତୁ ଭାଗବତ ଶୁଣିଲେ ପାପ ନାଶ ଯିବ ବୋଲି ଲୋକେ ଭାବନ୍ତି । ଏଣୁ ଏପରି ଗୋଟାଏ ନୀତିରେ ଲୋକଙ୍କୁ ହାତମୁଠାରେ ନ ରଖିଲେ କିଛି କାମଟାଏ କରି ହବନି ।

 

ସୁଲୋଚନାଙ୍କୁ ବୁଝାଇଦେଲେ ଧରମୁ ମନର କଥା । ସୁଲୋଚନା କହିଲେ–ପେଟରେ ପେଟେ ଗୁହ ରଖି କ’ଣ କାମ କରିବ ? କାହିଁକି ଦେବେନ୍ଦ୍ର ପରି ପରର ଉପକାର କରି ଲୋକଙ୍କୁ ହାତରେ ରଖୁନ ? ଏତେ କପଟ କଥା କ’ଣ ଗୋଟାଏ ମ ?

 

ଧରମୁ ପୋଖତ ମନ୍ତବ୍ୟ ଦେଇ କହିଲେ–ବୁଝିଲେ, ପୃଥ୍ୱୀଟା କପଟରେ ହଁ ଚଳୁଚି । ମହାଭାରତ ଶୁଣିନ ? କୃଷ୍ଣ କିମିତି ମହାରଥୀମାନଙ୍କୁ ମରାଇଲେ ! କପଟରେ ନା ?

 

ସୁଲୋଚନା ତୁନୀ ପଡ଼ିଲେ । ଦେଖ ବାବୁ ! ପଛେ ହାନି ଲାଭ ହେଲେ କହିବନି ଏକା ।

 

ଦେବେନ୍ଦ୍ର ବାବୁଙ୍କୁ ଅକ୍ଳାନ୍ତ ଚେଷ୍ଟାରେ ଆଖପାଖରେ ହଇଜା କମି ଗଲାଣି । ପାଣି ସିଝାଇ ପିଇବାକୁ ଦେବେନ୍ଦ୍ର ବାବୁ ବୁଝାଇଛନ୍ତି ଲୋକଙ୍କୁ । ମୃତ୍ୟୁର ବିଭୀଷିକା ଦେଖି ଲୋକେ ଡରି ଯାଇଛନ୍ତି । ଲୋକେ ବୁଝିଲେଣି ଆଉ ଧୂପଦୀପ ଦେଇ ହଇଜା ରୋଗ କମେଇ ହବନି । କାଳିସୀ ହଇଜା ଛଡ଼ାଇ ପାରିବନି । ଏ ଗୋଟାଏ ପୋକରୁ ହୁଏ, ପୋକରୁ । ଖାଇବା ଜିନିଷରେ ପେଟକୁ ଯାଏ । ପିଇବା ପାଣିରେ ପେଟକୁ ଯାଏ ! ମାଛି ଖାଇବା ଜିନିଷରେ ବସିଲେ ପୋକ ଛାଡ଼ିଦିଏ । ଗରମ ଖାଇବା, ଫୁଟାପାଣି ପିଇବା ଲୋକେ ପାଳନ କରୁଛନ୍ତି ।

 

ଆଖପାଖରେ ପ୍ରାୟ ଆଉ ନିଶା କେହି ଖାଉ ନାହାନ୍ତି । ପୁରୁଣା ଅଫିମିଆମାନେ କମାଇ ଦେଲେଣି । କେତେକ ଅନ୍ୟ ଔଷଧ ଖାଇ ବିଲକୁଲ ଛାଡ଼ି ଦେଲେଣି । କେବଳ ଗୋଟାଏ କଥା ଶୁଣାଯାଉଚି । ଟୁଣୁଟୁଣୁକିଆ ବଇଦମାନେ ମୋଦକ ତିଆରି କରୁଚନ୍ତି । ମାତ୍ର ସେଥିରେ ବେଶୀ ଗଞ୍ଜେଇ ଭାଗ ଦେଇ ଦେଉଥିବାରୁ ଲୋକେ ଏକ୍ଷଣି ସେଇଟା ଖାଇବାରେ ମାତିଛନ୍ତି । ସେଥିରେ ବି ଟିକିଏ ନିଶା ନିଶା ଆସୁଚି । ବେଶୀ ନାଥ ଦାସ ଏଇଟା ପ୍ରଚାର କରାଇଛନ୍ତି । ଗଞ୍ଜେଇ ଭୋଗ ଲଗେଇବାକୁ ସିନା ଗାଁରେ ମନା ହୋଇଚି, ମୋଦକ ତ ମନା ନାହିଁ । ଏବେ ଦେଉଳରେ ଦାସେ ମୋଦକ ଭୋଗ କରୁଚନ୍ତି । ଭୋଗ ବାହାନରେ ନିଶାଖୋରମାନେ ବହୁତ ମୋଦକ ଭୋଗ କରିବାରେ ଲାଗିଛନ୍ତି । ତାକୁ ଦେଖି କାଳୁ ଜାନି ବି ଠାକୁରାଣୀଙ୍କଠାରେ ସେଇ ନୀତି ଚଳାଇଛନ୍ତି ।

 

ସେ ବିଷୟଟା ବୁଝିବାକୁ ହେବ । ତା’ ଆଗରୁ ପୁଣିଥରେ ମନ୍ତ୍ରୀକୁ ଭେଟିବାକୁ ହେବ । ସେମାନେ ନିଶା ଉଠାଇବାକୁ କି ଯୋଜନା କରିଛନ୍ତି ? ବେସରକାରୀ ଉଦ୍ୟମକୁ କି ଦୃଷ୍ଟିରେ ଦେଖୁଛନ୍ତି ? ସେଥିପାଇଁ ଦେବେନ୍ଦ୍ର ବାବୁ ପ୍ରସ୍ତୁତ ହୋଇଗଲେ । ଏଇନେ ଖରାଦିନ । ସାଇକେଲ ସ୍ୱଚ୍ଛନ୍ଦରେ ଯାଉଚି । ମାତ୍ର ଗୋଟାଏ ଅସୁବିଧା–ସଡ଼କଗୁଡ଼ାକ ପିଟା ହୋଇ ସମାନ ହୋଇନି । ବର୍ଷାଦିନେ ଶଗଡ଼ ଯିବା ଆସିବା କରି ମଝିରେ ଖାଲି ଦୁଇପଟେ ମାଟି ଉଠିଛି । ଏ ସଡ଼କରେ ଯେ ସାଇକେଲ ଚଳେଇବ ତାର ବାଲାନ୍‍ସ ଖୁବ୍ ଭଲ ଥିବା ଉଚିତ । ନ ହେଲେ ଯଦି ଟିକିଏ ଚକ ଏପଟ ସେପଟ ହୋଇଯିବ ଚଢ଼ାଳି ମାରିବ ମାଙ୍କଡ଼ଚିତ୍‍ । ଗୋଡ଼ହାତ ଛିଣ୍ଡିଯିବ । ରାଲେ ଗାଡ଼ି ଉଧେଇବ ନାହିଁ ସେଥିରେ । ସେଥିପାଇଁ ଦେବେନ୍ଦ୍ର ବାବୁ ଆଗର ପୁରୁଣା ହର୍‍କୁଲସ୍‍ ଗାଡ଼ି ଖଣ୍ଡକ ବିକୁ ନାହାନ୍ତି । ପୁଣି ଭାବୁଛନ୍ତି–ଆଗ କାଳଟା ଭଲ ନା ଏବ କାଳଟା ଭଲ ! ଆଗର ଗାଡ଼ି ଏଡ଼େ ମଜବୁତ୍‍, ଏବଟା କାହିଁକି ଏତେ ଦୁର୍ବଳ ! ପ୍ରଗତିର ଏଇଟା ତ ଶୁଭ ଲକ୍ଷଣ ନୁହେଁ ।

 

ଯାହାହେଉ ବାଟରେ ଦଶ ଥର ଏଠି ସେଠି ଓହ୍ଲେଇ ଦେବେନ୍ଦ୍ର ବାବୁ ମନ୍ତ୍ରୀ ଥିବା ସହରରେ ପହଞ୍ଚିଲେ । ଏଥର ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହାନ୍ତି । ସରକାରୀ ନୀତି କିପରି ବଦଳୁଚି, ନିଶା ନିବାରଣ ପାଇଁ କି ପନ୍ଥା ଏମାନେ କରୁଚନ୍ତି ଗୋଟାଏ ସାଫ୍‍ ସାଫ୍‍ ଆଲୋଚନା ହେବ । ଅସୁବିଧା କେତେ ଦେଖାଇବେ । କିନ୍ତୁ ସେଇ ଅସୁବିଧା ଲାଗି ନିଶା କାରବାର ବେଶୀ ଦିନ ଚଳାଇ ହେବନି । ଯାହାହେଉ ଏ କଥାଟା ମାଡ଼ି ମକଚି କରିବାକୁ ହେବ । କେଉଁଥିରେ ଲୋକଙ୍କର ଆପତ୍ତି ନ ହେବ ? ରାଜ୍ୟ ପୁନର୍ଗଠନ ହେଲା, ସମସ୍ତେ ଖୁସି ହୋଇପାରିଲେ ? କେତେ ସତ୍ୟାଗ୍ରହ, ଧର୍ମଘଟ, ଗୁଳି, ପୋଡ଼ି, ଗୁଣ୍ଡାମି, ଅସହିଷ୍ଣୁତା ଦେଶସାରା ବ୍ୟାପିଗଲା । ସ୍ୱାଧୀନ ଦେଶରେ ମଧ୍ୟ ବିପ୍ଳବର ବହ୍ନି ଦେଖାଦେଇ ଦେଶର ସୁନାମକୁ କ୍ଷୁର୍ଣ୍ଣ କଲା ; ତଥାପି ସରକାର ସାମାନ୍ୟ ଅଦଳ ବଦଳ କରି ଗୋଟାଏ କଥା କରିଗଲେ । ତଦ୍ଦ୍ୱାରା ଅଳ୍ପ ବ୍ୟୟ ହେବ ଶାସନ ବିଭାଗରେ ।

 

ଭାରତର ଐକ୍ୟ ବଢ଼ିବ । ସେଇପରି ନିଶା ନିବାରଣଟା କାହିଁକି ହୋଇ ନ ପାରିବ ?

 

ରାତି ଆଠଟା ସମୟରେ ମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କଲେ । ସେତେବେଳକୁ ମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କଲେ । ସେତେବେଳକୁ ମନ୍ତ୍ରୀ ରୁଷିଆର ଅଗ୍ରଗତି ନେଇ ଖଣ୍ଡେ ମାଗାଜିନ୍‍ ପଢ଼ୁଥାନ୍ତି । ଦେବେନ୍ଦ୍ର ବାବୁ ପୁରୁଣା କର୍ମୀ । ତ୍ୟାଗ ଅଛି ତାଙ୍କର । କ୍ଷମତାର ଲୋଭ ତାଙ୍କୁ ଗ୍ରାସିନି । ସେ ଚାହିଁଥିଲେ ଭୋଟ ପାଇ ମନ୍ତ୍ରୀ ମଧ୍ୟ ହୋଇ ପାରିଥାନ୍ତେ । ମନ୍ତ୍ରୀ ହୋଇ କାମ ଚଳେଇବାକୁ ତାଙ୍କର ଯଥେଷ୍ଟ ଯୋଗ୍ୟତା ଅଛି । ହୃଦୟ ବି ଅଛି । ପ୍ରଧାନମନ୍ତ୍ରୀ ସମ୍ମାନର ସହିତ ଗ୍ରହଣ କଲେ । ଆସନ ମଧ୍ୟ ଦେଲେ । ଖୁବ୍‍ ଆଗ୍ରହର ସହିତ ପଚାରିଲେ–କୁଆଡ଼େ ଆସିଲେ ଦେବେନ୍ଦ୍ର ବାବୁ !

 

ଦେବେନ୍ଦ୍ର ବାବୁ ଗମ୍ଭୀର ଭାବରେ କହିଲେ–ଆସିଲି ଆପଣମାନେ ଆମ ଗାଁଗହଳର କ’ଣ ସୁବିଧା କରୁଛନ୍ତି ବୁଝିବାକୁ ।

 

ମନ୍ତ୍ରୀ କହିଲେ–ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା କଥା ପଢ଼ିଲାଣି । ପ୍ରଥମ ଯୋଜନାରେ କେତେକ ବିଶୃଙ୍ଖଳା ଦେଖାଦେଲା । ସେଗୁଡ଼ିକ ଏଥର ଦୂର କରି କାମ କରିଗଲେ, ଗାଁଗହଳର ଉନ୍ନତି ହେବ । ଗାଁରେ କିପରି ଭଲ ଘର ହେବ ରାସ୍ତାଘାଟ ହେବ, ପିଇବା ପାଣି ମିଳିବ, ଲୋକଙ୍କ ଆର୍ଥିକ ଅବସ୍ଥା ଉନ୍ନତ ହେବ, ସେସବୁ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ବଳିଷ୍ଠ ବେସରକାରୀ ନେତୃତ୍ୱ ଦରକାର । ଆଶାକରେ ଆପଣ ଅଗ୍ରଣୀ ହେବେ ।

 

ଦେବେନ୍ଦ୍ର ବାବୁ କହିଲେ–ଭେଟିବାକୁ ଆସିଲି ବୋଲି ଏପରି ପଚାରି ଦେଲେ ନା, ନଇଲେ ଦେବେନ୍ଦ୍ର ବାବୁଙ୍କ ନେତୃତ୍ୱକୁ କିଏ ପଚାରେ ? ଆମେ ତ ପଡ଼ିରହିଲୁ ଏପରି ଜାଗାରେ ଯେ ବର୍ଷାଦିନେ ପଦାକୁ ବାହାରିବା ଦୁଷ୍କର । ଖରାଦିନେ ବି ଥୋଡ଼େ ଦିନ ନୂଆ ସାଇକେଲ୍‍ଶିଖାଳି ହାତରେ ସାଇକେଲ ଚଳାଇ ନେଇକରି ଯିବା କାଠିକ୍‍ର ପାଠ । ପୁରୁଖା ଶିଖାଳିମାନେ ବି କଚଡ଼ା ଖାଇ ଗୋଡ଼ ହାତ ଭାଙ୍ଗୁଚି । ହଇହେ, କେବେ ଆମ ଆଡ଼କୁ ସଡ଼କ ଖଣ୍ଡିଏ ଭଲ ହେବ ?

 

ମନ୍ତ୍ରୀ କହିଲେ–ସେଇଟା ବାରିକମିସ୍ତ୍ରୀ ବିଭାଗ ମନ୍ତ୍ରୀଙ୍କଠାରୁ ଟିକିଏ ବୁଝିନେବେ । ମୋର ଯେତେ ଦୂର ମନ ହୁଏ, ଏଇ ଭିତରେ ସେ କାମ ଆରମ୍ଭ ହୋଇଯିବ ।

 

ଦେବେନ୍ଦ୍ର ବାବୁ କହିଲେ–ଏ ବିଭାଗ, ସେ ବିଭାଗ ହୋଇ ମଣିଷ ଥକିବ । କିନାରା ଟିକିଏ ପାଇବା ମୁସ୍କିଲ । ହଉ, ପଞ୍ଚବାର୍ଷିକ ଯୋଜନାରେ ଦେଶ ନିଶ୍ଚୟ ଆଗେଇବ । ସେଥିରେ ନିଶ୍ଚୟ ସାହାଯ୍ୟ ମିଳିବ ଯଦି ସରକାରଙ୍କ ପକ୍ଷରୁ ସହଯୋଗ ମନୋଭାବ ମିଳେ । ତେବେ ଦେଶଟାକୁ ମଦୁଆବିହୀନ କରିବାକୁ କି ଯୋଜନା ହୋଇଚି । ପୂରାପୂରି ଉଠିବାର ବ୍ୟବସ୍ଥା ହୋଇଚି କି ?

 

ମନ୍ତ୍ରୀ କହିଲେ–ରାଜସ୍ୱ ବିଭାଗ ମନ୍ତ୍ରୀ ଭଲରୂପେ ବୁଝାଇ ଦେବେ । ତେବେ ପୂରା ଉଠିବାର ବ୍ୟବସ୍ଥା ବୋଧେ ହୋଇନି । ଏଥର ଆଉ କେତେଟା ଜିଲ୍ଲାରେ ମଦ ଉଠାଇ ଦିଆଯାଇଛି-। ଅଫିମ, ଗଞ୍ଜାଇ କୋଟା କମାଇ ଦିଆଯାଇଛି ।

 

ଦେବେନ୍ଦ୍ର ପଚାରିଲେ–ତଦ୍ଦ୍ୱାରା ରାଜସ୍ୱ ବଢ଼ିଛି ନା କମିଛି ?

 

ମନ୍ତ୍ରୀ କହିଲେ–ତାର ସଠିକ୍‍ ବିବରଣୀ ବିଭାଗୀୟ ମନ୍ତ୍ରୀ ଠିକ୍‍ କହି ପାରିବେ । ମୋର ଯାହା ଆଶା, ରାଜସ୍ୱ ସେଇ ଦିଗରୁ କମିନି, ସାମାନ୍ୟ ବଢ଼ିଛି ।

 

ଦେବେନ୍ଦ୍ର ବାବୁ କହିଲେ–ଏପରି ନୀତି ଆପଣଙ୍କ ସରକାର କିପରି ଯୋଗ୍ୟ ବୋଲି ଭାବୁଛନ୍ତି ? ପ୍ରକାରାନ୍ତରେ ଅସାଧୁ ବେପାର ଲାଗି ସୁବିଧା ଦିଆଯାଉନି କି ?

 

ମନ୍ତ୍ରୀ କହିଲେ–କ’ଣ କରିବା ? ଯୋଜନା କାର୍ଯ୍ୟକାରୀ କରିବାକୁ ଅଜସ୍ର ଟଙ୍କା ଦରକାର । ତା’ପରେ ବଢ଼ି ଫଳରେ କେତେ ସ୍ଥାନରେ ରାଜସ୍ୱ ଛାଡ଼ିବାକୁ ପଡ଼ୁଚି । ଲୋକଙ୍କଠାରେ କ୍ରୟଶକ୍ତି କମିବା ଫଳରେ ବିକ୍ରିବଟା କମ୍‍ ହଉଚି । ଏଣୁ ବିକ୍ରି ଟିକସରେ ଆୟ କମ୍‍ ହଉଚି । ଇନ୍‍କମ୍‍ ଟାକ୍‍ସ୍‍ ଦେବାକୁ ଦେବାକୁ ଅନେକ ଲୋକେ ଠକି ଦଉଛନ୍ତି । ଏଣୁ ପୂରା କମାଇଦେଲେ ରାଜସ୍ୱ ଏକବାରେ କମିଯିବ । ସବୁ ଅଚଳ ଧରିବ । ଅବସ୍ଥା ବିଶ୍ୱାସ ଯୋଗ୍ୟ ଅବସ୍ଥାରେ ନ ଥିଲେ ବାହାର ଋଣ ବି ମିଳିବନି । ଫଳରେ କିପରି କାମ ସବୁ ହୋଇପାରିବ ?

 

ଦେବେନ୍ଦ୍ର ବାବୁ କହିଲେ–ଏଇଟା ଆପଣଙ୍କ ସରକାରଙ୍କର ନୀତି ? କଥାରେ ଅଛି–ଗୋଦରା କୋଡ଼େ ଯେତେ ମାଡ଼େ ସେତେ । ଆପଣମାନେ ଯୋଜନାକୁ ରୂପରେଖ ଦେବେ ବୋଲି କ’ଣ ଦଳେ ରୁଗ୍‍ଣ, ଅସୁସ୍ଥ, ଅସୁନ୍ଦର ଲୋକ ସମାଜ ଭିତରେ ରଖିବେ ? ଆପଣ ଉନ୍ନତିକର ଯୋଜନାକୁ ଉପଭୋଗ କରିବା ଲାଗି ଉପଭୋଗ କରିବା ଲାଗି ଉପଯୁକ୍ତ ଜନତା ଦରକାର । ତେବେ ସିନା ସହଯୋଗ ମିଳିବ ! ସେଥିପାଇଁ ଲୋକଙ୍କର ବୁଝାମଣା ଶକ୍ତି ବଢ଼ାଇବାକୁ ହେବ । ଏଇ ବୁଝାମଣା ଶକ୍ତି ନିଶାଖୋର ଲୋକ ଥିଲେ କ’ଣ ହୋଇପାରିବ ?

 

ମନ୍ତ୍ରୀ କହିଲେ–ଆମେ କ’ଣ ନିଶା ବ୍ୟବହାର ଚାଲୁ ରଖିବାକୁ ଚାହୁଁଛୁ ? ଆସ୍ତେ ଆସ୍ତେ ଉଠାଉଛୁ ।

ଦେବେନ୍ଦ୍ର ବାବୁ ହସିପକାଇ କହିଲେ–ଯେଉଁ ରୋଗ କ୍ରନିକ୍‍ ଧରିଲାଣି ତାକୁ ତଡ଼ିବାକୁ ଡେରି ଲାଗିବ । ମାତ୍ର ସରକାର ସେଥିରେ କୋହଳ ହେବା ଅସଙ୍ଗତ । ମୋ ମତରେ ଏକବାରେ ଉଠାଇ ଦେବାକୁ ହେବ ।

 

ମନ୍ତ୍ରୀ କହିଲେ–ଆପଣ ଶାସନ ବାହାରେ ଥିବାରୁ ସେପରି କହୁଛନ୍ତି । ଆମେ ବି ବାହାରେ ଥିଲାବେଳେ ସେପରି କହୁଥିଲୁ । ଏକବାର ଉଠାଇଦେବାରେ କେତେଗୁଡ଼ିଏ ଅସୁବିଧା ଅଛି ଦେବେନ୍ଦ୍ର ବାବୁ !

 

ପ୍ରଥମତଃ ରାଜସ୍ୱହାନି । ଦ୍ୱିତୀୟତଃ ଆମ ଦେଶରେ କେତେକ ସମାଜ ଧର୍ମ ନାମରେ ପର୍ବପର୍ବାଣିରେ ନିଶାର ବ୍ୟବହାର ଦାବି କରୁଛନ୍ତି । ତା’ପରେ ଆମ ଦେଶଟା ଧର୍ମନିରପେକ୍ଷ ରାଷ୍ଟ୍ର-। ନାନା ଆଡ଼ୁ ବିଦେଶୀ ଅତିଥି ଆସୁଛନ୍ତି । ସେମାନେ ନିଶାଦ୍ରବ୍ୟ କେତେକ ଖାଦ୍ୟରୂପେ ବ୍ୟବହାର କରନ୍ତି । ସେମାନଙ୍କ ପାଇଁ ନିଶା ରଖିବାକୁ ପଡ଼ିବ । ଏଇସବୁ କାରଣରୁ ଏବେ ନିବାରଣ ଆଇନ୍ ପାଶ ହୋଇଥିଲେ ମଧ୍ୟ କେତେକ ସ୍ଥଳରେ ମଦ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଅବଶ୍ୟ ବ୍ୟାପକ ଭାବରେ ବ୍ୟବହାର ପାଇଁ ପ୍ରଶୟ ଦିଆଯାଇନି ।

 

ଦେବେନ୍ଦ୍ର ବାବୁ କହିଲେ–ଏସବୁର ପକ୍ଷପାତୀ ମୁଁ ନୁହେଁ । ସେପରି ସୁବିଧା ଦେଇବସିଲେ କୌଣସି କଥାରେ ଲୋକଙ୍କୁ ସନ୍ତୁଷ୍ଟ କରି ହବନି । ଓଡ଼ିଶାରେ ଲୁହାକାରଖାନା ବସିଲେ ଯଦି ଅନ୍ୟ ପ୍ରଦେଶ ବିରୋଧ କରେ, ଅନ୍ୟଠି ବସିଲେ ଯଦି ଓଡ଼ିଶା ପ୍ରତିରୋଧ କରେ, ତେବେ ସରକାର କାହାକୁ ସନ୍ତୁଷ୍ଟ କରିବେ ? ସବୁ ରାଜ୍ୟ ତ ସମାନ ।

 

ମୋ ମତରେ ନିଶା ବ୍ୟବହାର ପୂରାପୂରି ଉଠୁ । ପର୍ବପର୍ବାଣିରେ ବ୍ୟବହାର ପାଇଁ, ବିଦେଶୀଙ୍କ ବ୍ୟବହାର ପାଇଁ କୌଣସି ସୁବିଧା ରଖା ନ ଯାଉ । କାରଣ ସାପ ଦେହରେ ଟିକିଏ ପ୍ରାଣ ଥିଲେ ସେ ପୁଣି ବଞ୍ଚିଉଠେ । ସେଇପରି ନିଶା ବ୍ୟବହାରର ଟିକିଏ ମଉକା ରହିଲେ ସେ ପୁଣି ବ୍ୟାପିବ । ଚୋରା ଲୁଚା ମୁହଁ ଦେଖାବେଶ୍‍ ହେବ । ସେସବୁ ଛାଡ଼ । ନିଶା ପୂରା ଉଠାଇଦିଅ-

 

ଔଷଧ ରୂପେ ଯେଉଁ ନିଶା ଜିନିଷ ଦରକାର, ତାହା କେବଳ ଔଷଧ ତିଆରି କରୁଥିବା କମ୍ପାନୀକୁ ଦିଆଯାଉ । ସେଥିରେ ସରକାରଙ୍କର ପ୍ରତ୍ୟେକ୍ଷ କଠୋର ନିୟନ୍ତ୍ରଣ ବ୍ୟବସ୍ଥା ରହୁ ।

 

ମନ୍ତ୍ରୀ କହିଲେ–ହଉ, ରାଜସ୍ୱ ନେଇ କ’ଣ କରାଯିବ ?

 

ଦେବେନ୍ଦ୍ର ବାବୁ କହିଲେ–ତୁମର ଅର୍ଥନୀତି ବିଶାରଦମାନେ ଥାଉଁ ଥାଉଁ ମୁଁ କ’ଣ ପରାମର୍ଶ ଦେଇପାରିବି ? ବିଭିନ୍ନ ବିଭାଗରୁ ବ୍ୟୟସଙ୍କୋଚ କର । ମୋଟା ଦରମା ପାଉଥିବା କର୍ମଚାରୀ ସଂଖ୍ୟା ବେଶୀ ବଢ଼ାଅନି । ସଭା, ସମିତି, ଶୋଭାଯାତ୍ରା, ଉତ୍ସବ ପାଳନ ବ୍ୟୟବହୁଳ କରନି । ବରଂ ଉନ୍ନତିମୂଳକ ଯୋଜନାର କିଛି ଅଂଶ କମାଇ ନିଶା ନିବାରଣ ଫଳରେ କ୍ଷତି ହେଉଥିବା ରାଜସ୍ୱ ପୂରଣ କର । ନିଶା ଉଠିଗଲେ ଯେଉଁ ସଚ୍ଚରିତ୍ର, ଉନ୍ନତି ଜନତା ବାହାରିବେ ସେ ବି କ’ଣ ପ୍ରଗତିମୂଳକ ଯୋଜନା ଗୋଟାଏ ନୁହେଁ ?

 

ପରେ ଉନ୍ନୟନ ଯୋଜନା ଫଳରେ ଯେତେବେଳେ ଲୋକଙ୍କର ଆର୍ଥିକ ଅବସ୍ଥା ସଚ୍ଛଳ ହୋଇଯିବ, ସେତେବେଳେ ଟିକିଏ ଟିକସ ବଢ଼ାଇଦେବ । ଶିକ୍ଷାର ଉନ୍ନତି ଲାଗି ଗୋଟାଏ ଟିକସ୍‍ ବସାଯାଇପାରେ । ତଦ୍ଦ୍ୱାରା ଯଦି ଶିଷାଦାନ ବ୍ୟାପକ ହୁଏ, ତେବେ ଲୋକଙ୍କ ଅପ୍ରିୟ ହେବାର ଅବକାଶ ନ ଥିବ । ରାଜସ୍ୱଟା ପୂରଣ ଆସ୍ତେ ଆସ୍ତେ ହୋଇଯିବ । ଏଇଟା ବେଶୀ ବଡ଼ କଥା ନୁହେଁ । ସେଥିପାଇଁ ମନ ଦରକାର । ହାର୍ଦ୍ଦିକତା ଦରକାର ।

 

ମନ୍ତ୍ରୀ କହିଲେ–ପୁଣି ହଠାତ୍‍ ଉଠାଇଦେଲେ ଅନେକ କର୍ମଚାରୀ ବେକାର ହେବେ । ତାଙ୍କୁ ଥଇଥାନ କରିବା ଦାୟିତ୍ୱ ତ ସରକାରଙ୍କର ।

 

ଦେବେନ୍ଦ୍ର ବାବୁ କହିଲେ–ତୁମର ନୂତନ ଯୋଜନାରେ କର୍ମଚାରୀ ଲାଗୁଛନ୍ତି । ପୋଲିସ୍‍, ରେଲବାଇ ଆଦି କାମରେ ନୂଆ ଲୋକ ହଠାତ୍ ନ ରଖି ଏମାନଙ୍କୁ ରଖିଦେବ । ଏତେ ବଡ଼ କଣ୍ଟ୍ରୋଲ ବିଭାଗର କର୍ମଚାରୀ ଥଇଥାନ ହେଉଛନ୍ତି । ଏମାନେ ରହିଯିବେ ।

 

ମନ୍ତ୍ରୀ କହିଲେ–ଆର ବିଧାନସଭା ଅଧିବେଶନକୁ ଏ ବିଷୟଟା ନିଶ୍ଚୟ କରାଯିବ ।

 

ସେଠାରୁ ଫେରି ଦେବେନ୍ଦ୍ର ବାବୁ ଆରଥରକୁ ଯେଉଁ ମଦ ଦୋକାନରେ ବସିଥିଲେ ସେଠାକୁ ଗଲେ । ଲକ୍ଷ୍ୟକଲେ, କିଣା ବିକା ଟିକିଏ କମ୍‍ ଅଛି । ଦେବେନ୍ଦ୍ର ବାବୁ ପଚାରିଲେ–ବିକାବିକି କିପରି ଚାଲିଚି ?

 

ମେନେଜର କହିଲେ–ଏକଦମ୍‍ ବେକାର, କଡ଼ା ଆଇନ୍‍ ହୋଇଯାଇଚି । ଏକାବେଳେ ଉଠାଇଦେଲେ ହେଲେ ଅନ୍ୟ ଧନ୍ଦା ଦେଖିବାକୁ ପଡ଼ନ୍ତା ।

 

ଦେବେନ୍ଦ୍ର ବାବୁ ତାକୁ କହିଲେ–ଆସ୍ତେ ଉଠିଯିବ । ଦେଖ୍‍ ମେନେଜର ବାବୁ, ନିଶାଖୋର ଲୋକ କମିଲେ ଆମ ଦେଶଟା ଆଗେଇଯିବ ।

 

କୌଣସି ତନ୍ମୟ ନ ହୋଇ ମେନେଜର ଉତ୍ତର ଦେଲେ–ତା ସତ, ମାତ୍ର ନିଶାଖୋର ତ ଏହାଦ୍ୱାରା କମୁ ନାହାନ୍ତି । ଏବେ ମୋଦକ ବିକୁଥିବା କବିରାଜଙ୍କର ଲାଭ ହୋଇଚି । ସେ ମୋଦକ ନାଁକୁ ମୋଦକ, ବେଶୀ କିନ୍ତୁ ଗଞ୍ଜେଇ । ନିଶାଖୋର୍‍ ଯେ, ସେ କାହିଁକି ସହଜେ ଛାଡ଼ିପାରିବେ ? କୌଣସି ପ୍ରକାରେ ଚଳେଇବ ।

 

ସେଇକଥା ଗାଁରେ ଶୁଣିଥିଲେ ଦେବେନ୍ଦ୍ର । ଏଇ ରୋଗଟା ସହରରୁ ବୋଧେ ଗାଁକୁ ସୋକ୍ରମିଛି । ଖରାପ କଥାଗୁଡ଼ାକ ତ ଆଗ ସଂକ୍ରମେ । ଏ ବିଷୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଙ୍ଗେ ସାକ୍ଷାତ କରିବାକୁ ପଡ଼ିବ ।

 

ସକାଳୁ ଟିକିଏ ନଈକୂଳ ଆଡ଼େ ବୁଲି ବାହାରିଲେ । ପଢୁଥିଲାବେଳେ ବୁଲିଆସନ୍ତି ଇଆଡ଼େ । ଅନେକେ ସ୍ୱାସ୍ଥ୍ୟ ଭଲ ହେବା ଆଶାରେ ବୁଲନ୍ତି । କିନ୍ତୁ ଦେବେନ୍ଦ୍ର ବାବୁ ବେଶୀ ବାଟ ଆଗେଇ ପାରିଲେନି । ଗନ୍ଧରେ ନାକ ଫାଟି ପଡୁଚି । ଲୋକଗୁଡ଼ାକ ସେଇଠି ବାଲିଟାରେ ବସି ମଳ ତ୍ୟାଗ କରୁଥାନ୍ତି । ଲୋକ ଦେଖିଲେ ବି ଉଠୁ ନାହାନ୍ତି । ଏ କି ସ୍ୱାସ୍ଥ୍ୟ ବ୍ୟବସ୍ଥା ! ପୁଲିସ୍‍ ଦିନା କେତେକ ଜଗିଥିବାରୁ ଭଲ ଥିଲା । କହି ନାକରେ ତରୁଣୀଟିଏ ହାତ ରଖି ବେଗେ ବେଗେ ଚାଲି ଯାଉଥାଏ ।

 

ଦେବେନ୍ଦ୍ର ବାବୁଙ୍କୁ ମଉକା ମିଳିଲା । ଏତେ ଦିନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବେ । ତାଙ୍କୁ ଗୋଟାଏ ଭୁଲ୍‍ ଦେଖାଇ ନ ଦେଲେ ଜନସାଧାରଣଙ୍କୁ ମନ୍ତ୍ରୀ କାହିଁକି ଖାତିର୍‍ କରିବେ ! ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଦଶଟା ବେଳେ ଗସ୍ତରେ ଯିବାର ଥାଏ । ଯାହାହେଉ ଦେବେନ୍ଦ୍ର ବାବୁଙ୍କୁ ଦେଖା ନ କଲେ ସେ ରଖେଇ ଦେବେନି । ସବୁ ପତ୍ର ପତ୍ରିକାରେ ଖୋଲା ଚିଠି ଦେବେ । କିଏ ଏତେ ଅଡ଼ୁଆରେ ପଡ଼େ । ଭେଟ ହେଲା । ଦେବେନ୍ଦ୍ର ବାବୁ ସବୁବେଳେ ନାକରେ ହାତ ମାରୁଥାନ୍ତି । ମନ୍ତ୍ରୀ କିଛି କାରଣ ଜାଣି ପାରୁ ନ ଥାନ୍ତି । କେଉଁଠି କ’ଣ ମୂଷା ମରିଚି କି ? ତାଙ୍କ ନାକକୁ ଗନ୍ଧାଉ ନ ଥାଏ । ତେବେ ତାଙ୍କୁ ଥଣ୍ଡା ହୋଇଥିବାରୁ ସେ ସନ୍ଦେହରେ ପଡ଼ୁଥାନ୍ତି । ପଚାରିଲେ–ଦେବେନ୍ଦ୍ର ବାବୁ, କ’ଣ କିଛି ଦୁର୍ଗନ୍ଧ ହେଉଚି କି ?

 

ଦେବେନ୍ଦ୍ର ବାବୁ କହିଲେ–ଆପଣଙ୍କୁ ଜଣା ପଡ଼ୁନି ?

 

ମନ୍ତ୍ରୀ କହିଲେ–ନା, ଟିକିଏ ଥଣ୍ଡା ହୋଇଚି ।

 

ଦେବେନ୍ଦ୍ର ବାବୁ ଟିକିଏ ରହସ୍ୟକରି କହିଲେ–ଆପଣ ଏଇ ଥଣ୍ଡା ରୋଗଟା ସହରଯାକ ବିଛେଇ ଦିଅନ୍ତୁ । ତେବେ କାହାକୁ କିଛି ଗନ୍ଧାଇବ ନାହିଁ ।

 

ମନ୍ତ୍ରୀ ବୁଝିପାରିଲେନି । ପଚାରିଲେ–କ’ଣ କଥାଟା କୁହନ୍ତୁ ସଫା ସଫା । ମୋର ଗସ୍ତରେ ଯିବାର ଅଛି ।

 

ଦେବେନ୍ଦ୍ର ବାବୁ କହିଲେ–ଏଇ ସହରରେ ତ ଆଉ ରହି ହବନି । ଏଣୁ ଗସ୍ତରେ ଆପଣଙ୍କୁ ଯିବାକୁ ପଡ଼ିବ । ଟିକିଏ ନଈ କୂଳେ କୂଳେ ଯିବେ । ତେବେ ଗନ୍ଧ ବାରି ପାରିବେନି ।

 

ମନ୍ତ୍ରୀ ଠଉରାଇ ନେଲେ । କହିଲେ–କଡ଼ା ଆଇନ ଜାରି ହୋଇଚି । ପୋଲିସ୍‍ର ଅବହେଳା । ମୁଁ ପୋଲିସ୍‍ ବିଭାଗ ମନ୍ତ୍ରୀଙ୍କୁ ଜଣାଇ ଦେଉଚି ।

 

ଦେବେନ୍ଦ୍ର ବାବୁ ହସିଦେଇ କହିଲେ–ମନ୍ତ୍ରୀଙ୍କୁ ଖବର ଦେଲେ, ପୋଲିସ୍‍ ଜଗିଲେ କ’ଣ ହେବ ? ବାହାରୁ ନିତି ଆସୁଥିବା ଲୋକଙ୍କ ପାଇଁ କେଇଟି ସର୍ବସାଧାରଣ ପାଇଖାନା କରାଇଛନ୍ତି-?

 

ମନ୍ତ୍ରୀ କହିଲେ–ଏଇ ତ ମ୍ୟୁନିସିପାଲିଟିରେ ସବୁବେଳେ ଗୋଳମାଳ । ଏବେ ସରକାର ହାତକୁ ନେଇ ତାର ବ୍ୟବସ୍ଥା କରିବେ ।

 

ଦେବେନ୍ଦ୍ର ବାବୁ କହିଲେ–ତା କିପରି ହେବ ? ସ୍ୱାଧୀନ ଦେଶର ଲୋକସାଧାରଣ ନିଜେ ଦାୟିତ୍ୱ ତୁଲାଇଲେ ଭଲ ନା !

 

ମନ୍ତ୍ରୀ କହିଲେ–ହଁ, ତା କିଏ ନାହିଁ କରୁଛି ? କିନ୍ତୁ ଯାହା ଦେଖାଯାଉଚି ଲୋକେ ଭଲ ତୁଲାଇ ପାରୁ ନାହାନ୍ତି । ସେଥିପାଇଁ ହାତକୁ ନେବାକୁ ପଡ଼ୁଛି ।

 

ଦେବେନ୍ଦ୍ର ବାବୁ କହିଲେ–ଆପଣ ଯାହା କରନ୍ତୁ ସହରର ଭ୍ରମଣ ସ୍ଥାନଗୁଡ଼ିକୁ ଟିକିଏ ସଫା ରଖିବାର ବ୍ୟବସ୍ଥା କରନ୍ତୁ । ନଇଲେ ଦେଶର ମାନ ମହତ୍‍ ଯିବ ।

 

ମନ୍ତ୍ରୀ ଉଠିବାର ଉପକ୍ରମ କରି କହିଲେ–ସେସବୁ ହୋଇଯିବ ଦେବେନ୍ଦ୍ର ବାବୁ, ଆପଣ ଗାଁ ଗହଳର କଥା ଦେଖନ୍ତୁ ।

 

ଦେବେନ୍ଦ୍ର ବାବୁ କହିଲେ–ହଁ, କହିବେନି କାହିଁକି ? ସହରରେ ଆପଣମାନେ ଥାଇ ଏପରି ଆଦର୍ଶ ଏଖାଇଲେ ଗାଁଗଣ୍ଡା ସୁଧୁରି ଯିବନି କ’ଣ ?

 

ଆଉ ଗୋଟାଏ କଥା, ଏଣେ ନିଶା ନିବାରଣ ହୋଇ ମଦ, ଅଫିମ ବିକ୍ରି କମିଲାବେଳକୁ ଗଞ୍ଜେଇ ଉପରେ ମାଡ଼ । କବିରାଜମାନେ ମୋଦକ ନାମରେ ବେଶୀଭାଗ ଗଞ୍ଜେଇ ପକାଇ ମିଠା ଗୁଳି ବିକୁଛନ୍ତି । ସେଥିପ୍ରତି ନଜର ନ ଦେଲେ ଆଉ ଚଳିବନି ।

 

ଦେଖ, ଆମ ଗାଁରେ ଆମେ ନିଶା ବ୍ୟବହାର ପ୍ରାୟ ବନ୍ଦ କରି ସାରିଲୁଣି । ମାତ୍ର ମୋଦକ ବ୍ୟବହାର ଚାଲିବାର ଏବେ ଶୁଣିକରି ସହର ଆସିଥିଲି । ଏଠାରେ ବି ସେଇକଥା ଶୁଣୁଛି-

 

ମନ୍ତ୍ରୀ କହିଲେ–ସେଥିପାଇଁ ବ୍ୟବସ୍ଥା ହୋଇଯାଉଚି । କବିରାଜମାନେ ଲାଇସେନ୍‍ସ କରିବେ । ମୋଦକଗୁଡ଼ିକ ବିକ୍ରି ପୂର୍ବରୁ ପରୀକ୍ଷା କରାଯାଇ ଉପଯୁକ୍ତ ବିବେଚିତ ହେଲେ ବଜାରକୁ ଯିବ । ଚୋରା ଲୁଚା କାମ ପାଇଁ ନୂତନ ଗୁଇନ୍ଦା ପ୍ରଥା ଗୋଟାଏ ଚାଲୁ କରିବାର ମସୁଧା କରାଯାଉଛି ।

 

ସେଥିପାଇଁ ଚିନ୍ତା କରନ୍ତୁନି ।

 

ଦେବେନ୍ଦ୍ର ବାବୁ ଦେଖିଲେ, ମନ୍ତ୍ରୀ ଗସ୍ତରେ ଯିବା ଲାଗି ବ୍ୟସ୍ତ । ବେଶୀ ସମୟ ନଷ୍ଟ ନ କରି ଘରକୁ ଫେରିବାକୁ ଉଦ୍ୟତ ହେଉଥାନ୍ତି । ଯୁବଦଳରୁ ଦୁଇଜଣ ଓ ମାନିଆ ଆସି ପହଞ୍ଚିଲେ । ମାନିଆ ଟିକିଏ ଅସ୍ଥିର ଦେଖାଯାଉଥାଏ । କଥା କ’ଣ ବୋଲି ଦେବେନ୍ଦ୍ର ବାବୁ ପଚାରିଲେ । ମାନିଆ କହି ଚାଲିଲା–କମି ଦାଦା ପାଖକୁ ଖବର ଆସିଛି । ଟାଟାରେ କମିକୁ କିଏ ହରଣଚାଳ କରିଚି । ତାର ବାପା ରଥିଆ ସେଥିରେ ଅଧୀର ହୋଇ ଡକାଇ ପଠାଇଛି । କମିଦାଦାର ଘରେ ତାର ସ୍ତ୍ରୀ ଅଖଞ୍ଜିଆ । ସେ ମୋତେ ପଠାଉଚି । ମୁଁ ଯିବି । କେଉଁ ବାଟେ ଯିବି ବଢ଼ାଇ ଦିଅ ।

 

ଦେବେନ୍ଦ୍ର ବାବୁ ଅଧୀର ନ ହେବାକୁ କହିଲେ । ଷ୍ଟେସନରୁ ଟିକଟ କଟାଇଦେଇ ଖଡଗପୁରରେ ଗାଡ଼ି ବଦଳାଇ ଯିବା ଲାଗି ପରାମର୍ଶ ଦେଲେ । କମି ମିଳିଲେ ସମସ୍ତଙ୍କୁ ଧରି ଫେରିଆସିବା ପାଇଁ ଉପଦେଶ ଦେଲେ ।

 

ଗାଡ଼ି ଛାଡ଼ିଦେଲା । ପରିଚିତ ମୁହଁଟିମାନ ଲୁଚିଗଲା । ମାନିଆ ଏକ୍ଷଣି ସଂପୂର୍ଣ୍ଣ ନୂଆ ଲୋକଙ୍କ ମେଳରେ ବସି ବାହାରିଚି ଟାଟା । ବହୁତ ଦିନର ସ୍ମୃତି । କମି ତାର ନିଜର ହୋଇ କେତେ ସେବା କରିଛି । ଅଷ୍ଟମୀ ରାତିର ମଧୁଚୁମ୍ବନ ଏବେ ବି ତାଜା ରହିଛି । ନାରଣ ମଳିକ ସେ କଥା ଲକ୍ଷ୍ୟ କରିଚି କି ନା କହି ହେବନି । ମାତ୍ର ଚାନ୍ଦବିମଣ୍ଡିତ ଆକାଶ ସବୁ ଦେଖିଚି । ସେଇ ସାଥୀଟି ତାର ଯାଇଥିଲା ସହର । ପଇସା ଆଣି ଫେରିବ । ମାନିଆର କୁଡ଼ିଆରେ ସୁନ୍ଦର ଘର ଠିଆ ହେବ-

 

ସେଇ କମି ମୋର ସହରରେ ହରଣଚାଳ ! ଏ କି ସହର ଲୋ ମା ! ମଣିଷକୁ ମଣିଷ କ’ଣ ହରଣଚାଳ କରିବ ? ସମସ୍ତେ ତ ବଞ୍ଚିରହିବାର ଅଧିକାର ପାଇଛନ୍ତି । ସ୍ୱାଧୀନ କାମ, ବୁଲା ଚଲା ସଭିଏଁ କରିପାରିବେ । ଏ ଅଘଟଣ କଥା ଗୋଟାଏ କ’ଣ ? ମଣିଷ ରାଇଜଟା କ’ଣ ଜଙ୍ଗଲ ହୋଇଗଲା କି ? ମଣିଷ ମନ କ’ଣ ବାଘ ପରି ହିଂସ୍ର ହୋଇଉଠିଲା କି ?

 

ନିଷ୍ଠାପର କର୍ମୀଟିଏ ଗଲା ବାହାରି । ଯାଉ, କମି ତାର ପ୍ରଣୟିନୀ । ଜୀବନ । କର୍ମର ଉତ୍ସ । ବିପଦର ସାଥୀ । ଠିକ୍‍ ବନ୍ଧୁ । ନ ଗଲେ ଚଳିବ କିପରି ? ଭଗବାନ ତାହାର ମଙ୍ଗଳ କରନ୍ତୁ-। ୟା ବୋଲି ସୋସାଇଟିର କାମ ଖିଲାପ କାହିଁକି ହେବ ? ଜଣେ କିଏ ବାହାରିଗଲେ ଗୋଟାଏ ଅନୁଷ୍ଠାନର ଦୃଢ଼ତା ଅଛି ବୋଲି ଯଦି ଭୁଷୁଡ଼ି ପଡ଼େ, ତାହାହେଲେ ଅନୁଷ୍ଠାନର ଦୃଢ଼ତା ଅଛି ବୋଲି ଜାଣିବ କିମିତି ? ଅବଶ୍ୟ ଅନୁଷ୍ଠାନରେ ଜଣେ ଜଣେ ନିଷ୍ଠାପର କର୍ମୀ ଥିଲେ ଅନୁଷ୍ଠାନ କର୍ମଠ ହୋଇଉଠେ । ପ୍ରତ୍ୟେକ ସହକର୍ମୀ ନିଜକୁ ସେଇ ଆଦର୍ଶରେ ସଜାଡ଼ିବାକୁ ଭାବନ୍ତି-। କିନ୍ତୁ ତା ବୋଲି ସେ ଜଣକ ଚାଲିଗଲେ ପ୍ରତ୍ୟେକ କର୍ମୀ ହୃଦୟର ବଳ ହରାଇବା ଅନୁଚିତ ।

 

ଦେବେନ୍ଦ୍ର ବାବୁ କର୍ମୀମାନଙ୍କୁ ବୁଝାଇଦେଲେ । କାମ ଖୁବ୍‍ ଆଗେଇଗଲା । ଚମାରମାନେ ଆଉ ମଦ ବିକ୍ରି ଉଠି ଯାଇଥିବାରୁ ବେକାର ନାହାନ୍ତି । ସମବାୟ କାମ । ଗୁଡ଼ ତିଆରି । ଖଜୁରୀ କୋଳି ଆଉ ବିଦେଶରୁ ରପ୍ତାନି କରିବାକୁ ହେବନି । ଦେବେନ୍ଦ୍ର ବାବୁଙ୍କ ଏଇ ଅନୁଷ୍ଠାନ ଚାରିଆଡ଼େ କୋଳି ରପ୍ତାନି କରିବାର ବ୍ୟବସ୍ଥା କରିଛନ୍ତି । ତା ସାଙ୍ଗକୁ ଖଜୁରୀ ଗଛର ପ୍ରତ୍ୟେକ ଜିନିଷ ଯେପରି କାମରେ ଲାଗିପାରିବ ତାର ବ୍ୟବସ୍ଥା କରାଯାଇଚି । ଖଜୁରୀର ନାନା ଜାତି ପହଁରା ତିଆରି ହେଉଚି । ସେଗୁଡ଼ିକ ବିଭିନ୍ନ ରଙ୍ଗରେ ରଙ୍ଗା ଯାଇଥିବାରୁ ବେଶ ସୁନ୍ଦର ଦେଖାଯାଉଚି । ଖଜୁରୀପଟି ବି ତିଆରି ହୋଇଚି । ସେ ପଟିରେ ବି ନାନାପ୍ରକାର ରଙ୍ଗ ଦିଆଯାଉଚି । ବାଘ, ହରିଣ, ଅନ୍ୟାନ୍ୟ ଚିତ୍ରସବୁ ଅଙ୍କା ଯାଉଚି । ଆସନ ବି ତିଆରି ହେଉଚି । ବ୍ୟାଗଗୁଡ଼ିକ ଦେଖିବାକୁ ଚମତ୍କାର । ବ୍ୟବସାୟଟି ଆଗେଇ ଚାଲିଛି । ବହୁତ ଲୋକ କାମ ପାଇଲେଣି । ଅଭାବ, ଅନାଟନ କମୁଚି । ନିଶାପାଣି ବିନା ମଣିଷ ବି ବଞ୍ଚିପାରେ, ଆନନ୍ଦ ଉପଭୋଗ କରିପାରେ, ଜୀବନ ସରସ ହୁଏ–ଏକଥା ଦେବେନ୍ଦ୍ର ବାବୁ ପ୍ରମାଣ କରିଦେଲେଣି ପ୍ରାୟ-

 

ସବୁ ସମୟରେ ଜିରାରୁ ଶିରା କାଢ଼ିବା ଲୋକ ବି ଅଛନ୍ତି । ମୂଲିଆ ଶ୍ରେଣୀର ଲୋକେ ସୋସାଇଟି ଆଡ଼କୁ ଆକୃଷ୍ଟ ହୋଇ ଚାଲି ଯାଉଛନ୍ତି । ସେଠି ଉଚିତ ମୂଲ ମିଳୁଚି । ସେଥିରେ ମଳି ଧୂଳି ନାହିଁ । ଏହା ଛଡ଼ା ଗୁଡ଼, କୋଳି, ଅନ୍ୟାନ୍ୟ ଜିନିଷ ବି ମଝିରେ ମଝିରେ ଦିଆଯାଉଚି । ଶ୍ରମିକର ଶ୍ରମ । ମୁନାଫା, ଲାଭରେ ବେଶୀ କ’ଣ ଦରକାର ? ଖାଲି ବ୍ୟବସାୟ ଚଳିବା ଭଳି ଲାଭ ନିଆଯାଇଚି । କାଳେ କେତେବେଳେ କ୍ଷତି ହୋଇପାରେ, ବ୍ୟବସାୟ ମାନ୍ଦା ପଡ଼ିପାରେ, ସେଥିପାଇଁ କିଛି ଅଂଶ ଲାଭ ରିଜର୍ଭ ରଖାଯାଉଚି । ବାକି ଲାଭାଂଶ ସଭ୍ୟ ଓ ଶ୍ରମିକମାନଙ୍କୁ ଦିଆଯାଉଚି । ସେଠି କାମ ନ କରି ଧରମୁଙ୍କର କାମ କରୁଚି କିଏ ? ଧରମୁ ସବୁବେଳେ ଚିଡ଼ୁଛନ୍ତି-। ଯେତେ କାମ କଲେ ମନକୁ ଆସୁନି । ସବୁବେଳେ ସେଇ ମାନିଆ ଉପଲକ୍ଷ୍ୟ ।

 

ତଥାପି ଭାଗବତ ବୋଲା ଚାଲିଚି । ଉଖୁଡ଼ା ବଣ୍ଟା ହେଉଚି । ଦିନେ ଦିନେ ମୋଦକ ଭୋଗ ଲାଗି ଲୋକମାନଙ୍କୁ ବଣ୍ଟା ଯାଉଚି । ସବୁ ସରିବା ପରେ ଏବେ ଧରମୁ ନିତି ମନ୍ତ୍ରଣା ଦେବାକୁ ଲାଗିଛନ୍ତି । ସୋସାଇଟି କାମ କେଇଦିନ ? କୁଆଡ଼େ ଫସରଫାଟି ଯିବ । ଏଇ କଣ୍ଟ୍ରୋଲ ବେଳେ ଲୁଗା ସିଣ୍ଡିକେଟ୍‍ ହୋଇଥିଲା । ଲୁଗାର ମୋଟା ବେପାର କରୁଥିଲା । ଚିରଞ୍ଜି ଲାଲ ବି କରୁଥିଲା ସେଇ ବ୍ୟବସାୟ । ଚିରଞ୍ଜିଲାଲ ହେଲା ଲକ୍ଷପତି । ସିଣ୍ଡିକେଟ୍‍ କେଇଟା ଦିନରେ ମୂଳରୁ ଗଲା । ପାଞ୍ଚଜଣିଆ କାରବାର କାହାର ନୁହେଁ । ସମସ୍ତେ ନିଜ ନିଜର ଫନ୍ଦା ଦେଖ । ମୋ ପାଖରେ କାମ କର । ବେଶୀ ପଇସା ଦେବି । ଲୁଗା ଦେବି । ଚଦର ଦେବି । ଘର ତୋଳିଦେବି ।

 

କାଳୁ ଜାନି ଠିଆ ହୋଇ ହୋଇ କହିଲା–ଦେବୀଙ୍କୁ ମଦରସ ଭୋଗ ବନ୍ଦ ହେଲା । ସେ ସୋସାଇଟି ଆଉ ରହିବ ? ଆଉ ଅଳ୍ପଦିନ ।

 

ନାଥ ଦାସ ମୁଣ୍ଡକୁ ଆଉଁସି କହିଲେ–ମହାଦେବ ବାବା ମୋତେ ନିତି ସ୍ୱପ୍ନଉଛନ୍ତି–ମୋର ଗଞ୍ଜେଇ ବନ୍ଦ କଲ । ଭୂଇଁକମ୍ପ ହେବ ।

 

ଲୋକମାନେ ଶୁଣନ୍ତି । ଘରକୁ ଫେରନ୍ତି । ଗଉରା ଫେରିଥାଏ । ତାର ଅବଶ୍ୟ ସମସ୍ତଙ୍କ ଉପରେ ରାଗ । ହେଲେ ବି ଦେବେନ୍ଦ୍ର ବାବୁଙ୍କ ଉପରେ ରାଗ । ହେଲେ ବି ଦେବେନ୍ଦ୍ର ବାବୁଙ୍କ ଉପରେ ରାଗଯାକ ଠୁଳ । ତାଙ୍କ ଲାଗି ସେ ଜେଲ ଭୋଗିଲା । ସାହେବକୁ କ’ଣ ଶିଖାଇଲେ, ନଇଲେ ଚପରାସୀ କାମପାଇ ବାବୁ ବନିଥାନ୍ତା । ମଝିରେ ମଝିରେ ଆସି ଧରମୁକୁ ଧମକାଇ ପଇସା ଆଦାୟ କରିଥାନ୍ତା । ସେ ସାହୁଙ୍କ ଅନୁଗ୍ରହପ୍ରାର୍ଥୀ । ଚାକିରି କରିବାକୁ ଭାରି ଇଚ୍ଛା-। ସାହୁଏ ପ୍ରଥମେ ଡରିଲେ–ଏଇଟା କାଳସର୍ପ । ଏହାକୁ ଘରେ ବାନ୍ଧିଲେ କେତେବେଳେ କ’ଣ କରି ପକାଇବ । ପ୍ରଥମେ ଧରମୁ ଅମଙ୍ଗ ହେଉଥିଲେ । ମାତ୍ର ଗଉରା ବହୁତ କାନ୍ଦିଲା-। ନେହୁରା ହେଲା । ଯେ ସେତେବେଳେ କାନ୍ଦଣା ଦେଖିବ, ତରଳିବ । ସୁଲୋଚନାଙ୍କ ଆଖିରୁ ବି ଲୁହ ବୋହି ପଡ଼ିଲା । ଗ୍ରହ ଖରାପଥିବାରୁ ପିଲାଟା ଏପରି କାମସବୁ କରୁଥିଲା ।

 

ସୁଲୋଚନାଙ୍କ ସୁପାରିଶରେ ଗଉରା କାମ ପାଇଛି ଧରମୁଙ୍କୁ ଅଧୀନରେ । ଲୋକ କିପରି ଯୋଗାଡ଼ କରି ଧରମୁଙ୍କୁ ଚାଷବାସ ଚଳିବ ସେଇ କାମ କରିବ ଗଉରା । ସାହୁଏ ମାନିଆ ପରି ଚାକର ପାଇ ନାହାନ୍ତି ସତ, କାମ ଚଳିବା ଭଳି ପାଇଛନ୍ତି । ଆଉ ଗୋଟିଏ ସୁବିଧା ହୋଇଚି ଦେବେନ୍ଦ୍ର ବାବୁଙ୍କ ନାଁ ଧଇଲେ ତାର ନାହିଁ ଡେଇଁଚି । ଏଣୁ ସୋସାଇଟି ବିରୁଦ୍ଧରେ ଯେ କୌଣସି କାମ କରିବାକୁ ସୁବିଧା ହେବ ।

 

ଏଇ ମର୍ମରେ କାମ ଚାଲିଲା । ନିଶାପାନ କେବଳ ମଣିଷର ମଣିଷପଣିଆ ନଷ୍ଟ କରେନି, ମଣିଷର ବର୍ବର ପ୍ରବୃତ୍ତି ମଧ୍ୟ ନିଶା ସେବନଠାରୁ ଆଉରି ଭୟଙ୍କର । ସେଇ ପ୍ରବୃତ୍ତି ମଧ୍ୟରେ ଥାଏ ଈର୍ଷା, ହିସାଂ, ପ୍ରତିଶୋଧଲିପ୍‍ସା । ସଜ ମାଉଁସରେ ପୋକ ପକାଇବା ପାଇଁ ଏମାନେ କାମ କରନ୍ତି । ଶାନ୍ତିପୂର୍ଣ୍ଣ ବାତାବରଣରେ ଏମାନେ ଅଶାନ୍ତିର ନିଆଁ ଜଳାଇ ଦିଅନ୍ତି । ପ୍ରଗତି, ଅଗ୍ରଗତି ସାମୟିକ ପଛେଇଯାଏ । ମାତ୍ର ସେମାନଙ୍କର ଅବସାନ ହୁଏ ନିଶ୍ଚୟ । ଯେ ସତ୍ୟ । ଯେ ସୁନା, ସେ ସୁନା । ସତ୍ୟ ଓ ଧର୍ମର ଜୟ ଚିରସ୍ଥାୟୀ । ଅସତ୍ୟ ଓ ଅଧର୍ମର ଜୟ ପାଣିଫୋଟକା ।

 

ଗଉରା, ଧରମୁ, କାଳୁ ଜାନି ଓ ନାଥ ଦାସ ଅଧର୍ମର ବୀଜ ।

 

ମାନିଆ ପହଞ୍ଚିଲା ଟାଟାରେ । ନୀଡ଼ହୀନ ଚଢ଼େଇ ପରି ଏଣେ ତେଣେ ବୁଲିଲା ଘଡ଼ିଏ-। ଖାଲିଟାରେ କମିର ବାପକୁ ଦେଖାକଲେ କି ଲାଭ ? କମିକୁ ଧରି ଯଦି ସେ ଦେଖା ଦେବ ତେବେ ରଥିଆ ହସିବ । ମାନିଆ ହସିବ । କମି ନାଚିବ । ସେଇ ତାଳରେ ମାନିଆ ରଚିବ କଳ୍ପିତ ଧରଣୀ । କଳ୍ପନା କ’ଣ ବାସ୍ତବ ହୁଏନି ? ବେଳେ ବେଳେ ହୁଏ । ବୈଜ୍ଞାନିକ କଳ୍ପନା କରିଥିଲା ଚଢ଼େଇ ପରି ଉଡ଼ିବ । ତାହା ବାସ୍ତବରେ ପରିଣତ ହୋଇଚି । ମାନିଆ କଳ୍ପନା କରିଚି କମି ସହ ତାର ସଂସାର ଗଢ଼ିବ । କୁଟୁମ୍ବ ରଖିଯିବା ତ ତାର ଦରକାର । ବାପ, ମା ସିନା ଚାଲିଗଲେ-। ସେମାନେ ତ ବଂଶ ରଖିଗଲେ । ମାନିଆ ବଂଶ ରଖି ନ ଗଲେ ସେ ଆଉ ବଡ଼ କାମ କରିବ କଅଣ-?

 

ମାନିଆ ସହରତଳିରେ ବୁଲୁଥାଏ । ଭାଟିଦାର ନିଶ ଦୁଇଟା ମୋଡ଼ି ସେଇ ବାଟେ ଯାଉଥାଏ । ଏଇ ବାରବୁଲା ପରି ଯୁବକଟି ମଫସଲରୁ ଆସିଚି ବୋଧେ । ସହରର କିଛି ଜାଣି ନ ଥିବାରୁ ଏଣେତେଣେ ବୁଲୁଚି । ୟାକୁ ଯୁଆଡ଼େ ମଡ଼ାଇବ ସିଆଡ଼େ ମାଡ଼ିବ । ଭାଟିଦାର ପିଲାଟିକୁ ଡାକି ପଚାରିଲେ କାମ କରିବା ପାଇଁ ତାର ଇଚ୍ଛା କି ନାହିଁ । ମାନିଆ କାମ କରିବାକୁ ଇଚ୍ଛା ପ୍ରକାଶ କଲା । କାରଣ ଏତେବଡ଼ ସହରରେ କାମ ନ ଧରିଲେ ଖାଇବ କେଉଁଠି ? ପର ଆଶ୍ରାରେ ଖାଇବା ତାର ଇଚ୍ଛା ନୁହେଁ ।

 

ଭାଟିଦାର ତାକୁ ସଙ୍ଗରେ ଧରି ସର୍ଦ୍ଦାରଙ୍କ ଘରଆଡ଼େ ବୁଲିଗଲେ । ସର୍ଦ୍ଦାରଙ୍କ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇନି । ଯେତେବେଳେଠାରୁ କମିକୁ କିଏ ନେଇ ପଳାଇଚି, ତାଙ୍କର ଭ୍ରମ ଆହୁରି ବଢ଼ିଛି । ନିଶାର ମୋହ ତାଙ୍କର ଆଉ ନାହିଁ । ରୂପର ମୋହ ବି ଭାଙ୍ଗିଯାଇଚି-। ରୂପର ମୋହ ମେଣ୍ଟାଇବାକୁ ଯମୁନା ଦେବୀ କୌଣସି ଗୁଣରେ କମ୍‍ ନାହାନ୍ତି । ଏଣୁ ଆଉ ତରୁଣୀମାନଙ୍କର ବୀଭତ୍ସ ମେଳାରେ ରହିବାକୁ ତାଙ୍କର ମନ ବଳୁନି । ଏ ବିତୃଷ୍ଣା ଆଣିଚି କମି-। କମି ତାଙ୍କର ଜ୍ଞାନଗୁରୁ । ସର୍ଦ୍ଦାରଙ୍କ ଆଖି ଆଗରେ ନାଚୁଚି ସେ ଝିଅର ଛବି । କି କୋତରା ଲୁଗା ପିନ୍ଧି ଆସିଥିଲା ବାଉରାଣୀ ଝିଅ ! ପାଟିରୁ କଥା ବାହାରୁ ନ ଥିଲା । ସର୍ଦ୍ଦାର ହିଁ ତାକୁ ସଜାଡ଼ିଥିଲେ ଆଧୁନିକା କରି ନିଜର ରୂପଲାଳସା ଯଜ୍ଞରେ ପୂଜାରିଣୀ କରିବାକୁ । ମାତ୍ର ସେ ରୂପସୀ ହୋଇ ତାଙ୍କୁ ନରକରେ ଘାଣ୍ଟିନି । ଅଣାଇଛି ବିକାର, ଭ୍ରମ । ସେଇ ହିଁ ହୋଇଚି ମଦୁଆ ସର୍ଦ୍ଦାର ପକ୍ଷରେ ଆଶୀର୍ବାଦ । ସେ ଆଉ ମଦୁଆ ହେବାକୁ ଚାହେଁନି । ସେ ହେବାକୁ ଚାହେଁ ବିଚାରବୁଦ୍ଧି ସମ୍ପନ୍ନ ମଣିଷ । ମାତ୍ର କମି ଗଲା କୁଆଡ଼େ ? ଯେ ତାର ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଲା, ତାକୁ ଚୋର ଡକାୟତ ହାତରେ ଛାଡ଼ିଦେଇ ସର୍ଦ୍ଦାର ନିଶ୍ଚିତ ହୋଇ ନ ପାରେ ।

 

ଭାଟିଦାର ଉପସ୍ଥିତ ହେଲେ । ‘କି ସର୍ଦ୍ଦାରଜୀ, କିମିତି ?’

 

ସର୍ଦ୍ଦାର କହିଲେ–ମନର ବିକାର ମୋର ବେଳେ ବେଳେ ହଉଚି । କମିଟାକୁ କିଏ ନେଇଗଲା ।

 

ଭାଟିଦାର କହିଲେ–ହେଉ, କିଛି ପରବାୟ ନାହିଁ । ଏଇପରି କେତେ ଯାଉଛନ୍ତି । ଏକଥା ନିଶ୍ଚୟ ଯେ ତାକୁ କେହି ମାରିବା ପାଇଁ ନେଇନି । ନେଇଥିବ ଉପଭୋଗ୍ୟା ରକ୍ଷିତା କରି ରଖିବା ପାଇଁ । ଭଲ ଖାଇବ, ଭଲ ପିନ୍ଧିବ । ବାଉରାଣୀ ଝିଅ ପକ୍ଷରେ ଆଉ ବେଶୀ ସୁଖ କୁଆଡ଼ୁ ମିଳନ୍ତା ? କିନ୍ତୁ ଆପଣଙ୍କର ଭଲ ସେ କରିନି । ମଦପିଆ ବନ୍ଦ କରେଇଦେବାରୁ ନାଡ଼ି ନିସ୍ତେଜ ହୋଇଗଲା । ଏଣୁ ଏପରି ଭ୍ରମ ଜାତ ହେଲା । ଫଳରେ ଆପଣଙ୍କର କ୍ଷତି, ଆମର କ୍ଷତି ।

 

ଏତେ ବିପଦରେ ସୁଦ୍ଧା ତାର ବାପଟା ବଦଳିଲାନି । ଦିନେ ଭୋଜି କରି ଡକାଇଲି । ମଦ ପିଇବାକୁ ବହୁତ ଲୋଭ ଦେଖାଇଲି । ମାତ୍ର ସେ ମଙ୍ଗିଲାନି । ନିଶାଖିଆ ବନ୍ଦ କରିବାକୁ ସେ ଅଣ୍ଟାଭିଦ ଠିଆ ହୋଇଚି । କହୁଚି–କମି ଯାଉ । ଏପରି ଶହ ଶହ ଝିଅ କୁଆଡ଼େ ଯାଉନ୍ତୁ । ନିଶାପିଆ ସେ ବନ୍ଦ କରାଇବାକୁ ଚେଷ୍ଟା କରିବ । ଶହେ ଝିଅଙ୍କ ହରଣଚାଳ ବଦଳରେ ଯଦି ଲକ୍ଷ ଲକ୍ଷ ଲୋକ ନିଶାପାନରୁ ଦୂରେଇଯିବେ, ଦେଶରେ ସେ ଝିଅଗୁଡ଼ିକଙ୍କର ବିପଦ ହେବନି । ମଦ ଯେପରି ନିଶା, ଝିଅ ପ୍ରତି ପାପ ଆଶା ସେପରି ନିଶା । ଗୋଟିଏ କମିଲେ ଆରଟି କମିବ । ଏଣୁ ସେ ଆହୁରି ଜୋରରେ ପ୍ରଚାର କରୁଚି । କୁଲିମାନଙ୍କୁ ମତାଇବାକୁ ସୁବିଧା ହୋଇଚି କମିର ହରଣଚାଲ ନେଇ । ସେମାନେ ଠିକ୍‍ କରିଛନ୍ତି–ମଦ ଦୋକାନ ଲୁଟି କରିବେ । ମଦୁଆଙ୍କୁ ପିଟିବେ-। କମିକୁ ନ ପାଇବା ପର୍ଯ୍ୟନ୍ତ ସହରକୁ ହୁଲସ୍ତୁଲ କରିବେ ।

 

ସର୍ଦ୍ଦାର କହିଲେ–କରନ୍ତୁ ମିଆଁଜୀ ! ସେଇଟା ଦରକାର । ମଦ ମୋର ସର୍ବନାଶ କରିଚି-। ମୋର ଶରୀର, ମନକୁ ଏକବାରେ ଆବିଳ କରିପକାଇଚି । ମୋର ପଇସା ଅଛି । ଘରେ ମୋର ଜମି ଅଛି । ଅଭାବ ନାହିଁ । ପ୍ରଚୁର ଧନର ସଦ୍‍ବ୍ୟବହାର କରିବାର ଥିଲା ମୋର । କେତେ ଅନାଥ ଶିଶୁ ବୁଲୁଛନ୍ତି ରାଜପଥରେ । ତାଙ୍କ ପାଇଁ ଭବନ ତିଆରି କରିଥାନ୍ତି । କୁଲିବସ୍ତିରେ ସ୍କୁଲ ଖୋଲିଥାନ୍ତି । ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଚେଷ୍ଟା କରିଥାନ୍ତି । ଅଜସ୍ର ଇସା ଉଡ଼ାଇ ଦେଇଚି ଏଇ ରଙ୍ଗାପାଣି ଆଉ କାମିନୀ-କାଞ୍ଚନ ମୋହରେ । ପରିଣାମରେ ବିକାର ।

 

ଏଣୁ ବୁଝ ମିଆଁ ! ମଦ ଦୋକାନଟି ତୁମର ତାଡ଼ିଦିଅ, ପୋଡ଼ିପକାଅ । ପଇସା ନିଅ, ଭଲ ବ୍ୟବସାୟ କର । ଯଥେଷ୍ଟ ପଇସା ମିଳିବ ତୁମକୁ । ଆଉ ଏ ହୀନ କାମରେ ମାତି ଅଯଥା ନର୍ଦ୍ଦମାର ନାଳକୀଟ ପରି ଆମେ ସଢ଼ିବାନି କି ଆମର ଏଇ ଲୋକଙ୍କୁ ସଢ଼ାଇବାନି । ଏ କୁଲି ଆମରି ଲୋକ, ଆମରି ରକ୍ତ । ଏମାନଙ୍କୁ ଧରି ଆମର ଆୟ । ଏମାନଙ୍କୁ ଭଲରେ ରଖିଲେ ଆୟ ବଢ଼ିବ । ସେ ଧନ ସତ୍‍କାର୍ଯ୍ୟରେ ଲାଗିବ । ଏପର୍ଯ୍ୟନ୍ତ ଏଇ କୁଲିମାନଙ୍କୁ ଠକି, ନିଶାଖୋର କରି ମୁନାଫା ଉଠାଉଥିଲି । କିନ୍ତୁ ସେ ମୁନାଫା ଯାଇଚି ରଙ୍ଗାପାଣି ଆଉ ବିକାରରେ ।

 

ହେ ମିଆଁ ! ରଥିଆ ଯଦି ନିଶା ଉଠାଇବାକୁ ଆନ୍ଦୋଳନ କରୁଚି, ସେ ଆନ୍ଦୋଳନର ନେବି ମୁଁ ନେତୃତ୍ୱ ।

 

ଭାଟିଦାର ବେଶୀ ସମୟ ଅପେକ୍ଷା କଲେନ । କାରଣ ସର୍ଦ୍ଦାରଙ୍କ ବାଚାଳତା କମିନି । ଅସୁସ୍ଥ ମନର ବିକାର କେବଳ ତାଙ୍କର ପାଗଳାମି । ଭଲ ଅଛି । ସେ ଆଜି ଚେଷ୍ଟା କରିବ କମିର ରୂପ ଯୌବନ ଉପଭୋଗ କରିବାକୁ । ତା’ପରେ ଯାଇ ଜଣାଇବ ସର୍ଦ୍ଦାରକୁ ସେଇ ଶୁଭ ଖବର । ସେତେବେଳେ ହୁଏତ ସର୍ଦ୍ଦାର ନିଜ ଅବସ୍ଥାକୁ ଆସିଯିବ ବା ବେଶୀ ପାଗଳ ହେବ । ଯେମିତି ହେଲେ ଲାଭ ହେବ ଭାଟିଦାରର । ରଥିଆଟାକୁ ବାଡ଼େଇ ପୁଣି ପଠାଇଦେବ ଡାକ୍ତରଖାନାକୁ । କୁଲିଙ୍କ ବଳ କେତେ ? ଗୋଟି ଗୋଟି ହୋଇ ପୁଣି ଗଡ଼ିବେ । ଦିନେ ବିନା ପଇସାରେ ବାଣ୍ଟି ଦେଲେ ଆର ଦିନକୁ ସବୁ ଫତେ ।

 

ଏପରି ଭାବି ଭାଟିଦାର ଯାଉଥାନ୍ତି । ମାନିଆ ପଚାରିଲା–ବାବୁ, ସର୍ଦ୍ଦାର କିମିତି ପାଗଳ ଥିଲା ପରି ଜଣାଯାଉଛନ୍ତି ।

 

ସର୍ଦ୍ଦାର କହିଉଠିଲେ–ବିଲକୁଲ୍‍ । ତୋର ନାଁ କ’ଣ ରେ ପିଲା ?

 

ମାନିଆ ଉତ୍ତର ଦେଲା–ଗୋଲାପ ।

 

ଗୋଲାପ । ଭଲ ନାଆଁଟିଏ । ବୁଝିଲୁ ଗୋଲାପ, ରଥିଆ ବୋଲି ଗୋଟିଏ ବାଉରି । ଭାରି ନିଶା ଖାଉଥିଲା । ତାର ଗୋଟିଏ ସୁନ୍ଦରୀ ଝିଅ କମିକୁ ଆଣି ସର୍ଦ୍ଦାର ପାଖେ କାମ କରେଇଲା । କମି ମଦ ପିଆଏ ସର୍ଦ୍ଦାରକୁ । କମି ରୂପରେ ସର୍ଦ୍ଦାର ପାଗଳ । ତାକୁ କିଏ ନେଇଯାଉଚି । ସେଥିପାଇଁ ସବୁ ବିକାର ଏଇ ସର୍ଦ୍ଦାରର ।

 

ସେଇ ରଥିଆ ପୁଣି ଗେଲି ଘାସିଆଣୀ ସଙ୍ଗେ ପାପକାମରେ ଲଟରପଟର ହୋଇ ମାଡ଼ ଖାଇଲା । ସେଇଦିନୁ ତାର ଆସିଚି ଚେତନା । ଲୋକଙ୍କୁ ମତାଉଚି । ମୋର ବ୍ୟବସାୟ ମାନ୍ଦା କରୁଚି । ଭାଟିଦାର କହିଚାଲିଲା ।

 

ମାନିଆ ମନରେ ଘୋର ସନ୍ଦେହ ଓ ଘୃଣା । ରଥିଆ ତେବେ କମିକୁ ଆଣିଥିଲା ମଦ୍ୟପିମାନଙ୍କର ଶିକାର କରିବାକୁ ? ତେବେ ମନପରୀ କମି ଆଜି ଆଉ ପବିତ୍ର ନ ଥିବ । ଜଣେ ମଦ୍ୟପିକୁ ମଦ ଯୋଗାଉଥିଲା । ଆଉ ଜଣେ ମଦ୍ୟପି ବୋଧେ ନେଇ ଲୁଚାଇଚି । ତଥାପି ହଠାତ୍ ଲୋକଙ୍କ କଥାରେ ବିଶ୍ୱାସ କରିବା ଠିକ୍‍ ହେବନି । ସହର ଏ । ଚାଲବାଜି ଏଠାରେ କମ୍‍ ହେଉ ନ ଥିବ ।

 

ଆଗେ କିଛିଦିନ ଚାକିରି କଲେ କଥାଟା ଜଣାପଡ଼ିବ ।

 

ମଦ ଦୋକାନରେ କାମ କରୁଚି ମାନିଆ । ମଦକୁ ଯେ ଘୃଣା କରେ, ସେ ଏବେ ମଦଗନ୍ଧରେ କାମ କରୁଚି । ୟା ବୋଲି ତାର ଚରିତ୍ର ଖରାପ ହୋଇଗଲା ଭାବିବା ଠିକ୍‍ ହେବନି । କମିର ସନ୍ଧାନ କାଳେ ମିଳିବ ସେଇ ଉଦ୍ଦେଶ୍ୟରେ ମାନିଆ ଆଜି ମଦ ଗନ୍ଧ ସହି କାମରେ ଲାଗିପଡ଼ିଛି ।

 

ସନ୍ଧ୍ୟାବେଳ । ଭାଟିଦାର ନିଜର ସୁନ୍ଦର କୋଠରୀରେ ବସିଥାନ୍ତି । ପାଖରେ ମଙ୍ଗୁଳୁ, ସର୍ଦ୍ଦାରଙ୍କ ଡ୍ରାଇଭର । ସ୍ପେଶାଲ ମଦର ବରାଦ । ଭାଟିଦାର ମାନିଆକୁ ଅର୍ଡ଼ର ଦେଉଥାନ୍ତି । ମାନିଆକୁ କାମ ଜଣା । ବେଶ୍‍ ମୁନିବର ବରାଦ ମୁତାବକ ମଦ ଯୋଗାଉଥାଏ । ସେମାନଙ୍କର କଥାର ଛନ୍ଦ ବୁଝିବାକୁ ମାନିଆ ବହୁତ ହୁସିଆର ଥାଏ ।

 

ପ୍ରଥମେ ମଙ୍ଗୁଳୁ ପଚାରୁଥାଏ–ଏ ଲୋକଟିକୁ କେଉଁଠୁ ପାଇଲ ? ବେଶ୍‍ କାମ କରିଜାଣେ ।

 

ଭାଟିଦାର ବାହାଦୁରୀ ଦେଖାଇ କହୁଥାନ୍ତି–ଆମେ ସେମିତି ବାଛି ଜାଣୁ । ଚାକର ଅଭାବ ନାହାନ୍ତି । ବାଛିପାରିବା ହେଉଚି କାଠିକ୍‍ର ପାଠ । ଏ ଲୋକଟା ମଫସଲରୁ ଆସି ବୁଲୁଥିଲା । ମୁଁ ତାକୁ ପାଇଗଲି ।

 

ଡ୍ରାଇଭର କହିଲା–ବେଶ୍‍, ଏଇଟାକୁ ଦିନା କେତେ ରଖନ୍ତୁ । ମଫସଲରୁ ଆସିଚି । ବେଶି ଖଟିବ । ପାଉଣା ବି ବେଶି ନବନି । ସହରୀ ଟୋକାଙ୍କ ପରି ଫିସାଦି କାଢ଼ିବନି ।

 

ମଫସଲୀ ଚାକରଙ୍କ ନିନ୍ଦା ପ୍ରଶଂସା ମିଶା ମନ୍ତବ୍ୟ ଓ ମଫସଲ ନେଇ ଏମାନଙ୍କରର ଧାରଣା ସମ୍ବନ୍ଧରେ ମାନିଆର ଯଥେଷ୍ଟ ଜ୍ଞାନ ହୋଇଗଲା ।

 

ତା’ପରେ ଭାଟିଦାର ଆରମ୍ଭ କଲେ–ଚିଡ଼ିଆ କିମିତି ଅଛି ?

 

ଡ୍ରାଇଭର କହୁଥାଏ–ଭଲ, କିନ୍ତୁ ମନଟା ତାର ସୁଖ ନାହିଁ ।

 

ଭାଟଦାର କହିଲା–ସୁଖ ରହିବ କିପରି ? ନିର୍ଜନ କୋଠରୀରେ ସେପରି ଚିଡ଼ିଆ, ସୁଖ ଲାଗିବ କିମିତି ? ତାଙ୍କର ଯେ ସବୁବେଳେ ମଦୁଆ ସାଙ୍ଗ ଲୋଡ଼ା । ଡ୍ରାଇଭରଜୀ, ଆଜି ଜିପ୍‍ଟା ଟିକିଏ ଆଣନ୍ତୁ । ଦେଖି ଆସିବା ।

 

ମଙ୍ଗୁଳୁ, ରଥିଆ କିପରି ଅବସ୍ଥାରେ ?

 

ମଙ୍ଗୁଳୁ କହିଲା–ସେ ତ ପାଗଳ ପରି ହଉଚି । କେତେବେଳେ କମି କମି ଡାକ ପକଉଚି ତ କେତେବେଳେ ବସ୍ତି ସାରା ବୁଲି ନିଶା ଛାଡ଼, ନିଶା ଛାଡ଼ କହୁଚି । ହେଲେ ଏବେ ଆଉ କେହି ତା କଥା ଶୁଣୁ ନାହାନ୍ତି । ପାଗଳ ହୋଇଗଲା ବୋଲି ସଭିଏଁ ରଥିଆକୁ ଭାବୁଛନ୍ତି ।

 

ଭାଟିଦାର ଗୋଟାଏ ବିକଟ ହସଟାଏ ହସି କହିଲେ–ଠିକ୍‍ ହୋଇଚି । ବାପ ପାଗଳ, ପ୍ରଣୟ ଆଶାରେ ସର୍ଦ୍ଦାର ମଙ୍ଗରାଜ ପାଗଳ । ମୁଁ ଆଜି ସେ ସୁନ୍ଦରୀକୁ ନିଜର କରିବାକୁ ଚେଷ୍ଟା କରିବି ।

 

ଡ୍ରାଇଭର କହିଲା–ଆପଣ ଏକା ! ଆମକୁ କିଛି ଭାଗ ଦେବେନି ! ଭାଟିଦାରଙ୍କ ସୋର ବୁଡ଼ିଲାଣି–ଆରେ ଚାଲ । ଦେଖାଯିବ ।

 

ମଙ୍ଗୁଳୁ ମନରେ କାହିଁକି ଗୋଟାଏ ଦୟା ଆସୁଥାଏ । ବିଜାତୀୟ ମଦ୍ୟପି ଏମାନେ । ସମାଜରେ ୟାଙ୍କର ଗୋଟାଏ କି ଥାନ ? ଏଇମାନେ ତାର ସ୍ୱଜାତୀୟ କମିକୁ ଅପବିତ୍ର କରିବେ ? ସର୍ଦ୍ଦାର ନିଆରା । ଏମାନଙ୍କର ଶିକାର ଲାଗି କମିକୁ ମଙ୍ଗୁଳୁ ଥାଇ କରାଇ ଦେବନି । କଲେ ଧର୍ମହାନି ହେବ ତାହାର । ତଥାପି ଏମାନଙ୍କ ସଙ୍ଗେ ଯାଇ ଜାଗାଟିକୁ ଠିକ୍‍ କରିବାକୁ ହେବ । ତା’ପରେ ଗୋଟାଏ ଉପାୟ ଠିକ୍‍ କରିବାକୁ ପଡ଼ିବ ।

 

ଅର୍ଦ୍ଧରାତ୍ରି । କୋଳାହଳ ପ୍ରାୟ ଆଉ ନାହିଁ । ଡ୍ରାଇଭର ଜିପ୍‍ ଧରି ପହଞ୍ଚିଲା । ସମସ୍ତେ ବସି ଚାଲିଲେ ଏକ ନିର୍ଜନ ଥାନ ଆଡ଼େ । ମାନିଆ ଦିଅଁକୁ ଡାକୁଥାଏ–କମି ଯେପରି ଏମାନଙ୍କ ହୀନ ଉଦ୍ଦେଶ୍ୟର ଶିକାର ନ ହେଉ । ରାତି ପାହିଲେ ସେ ତାର ଉପାୟ ମେଲିବ ।

 

ଜିପ୍‍ ଯାଇ ସଡ଼କଠୁ ଖଣ୍ଡେ ଦୂର ଛୋଟିଆ ରାସ୍ତା ଦେଇ ସୁନ୍ଦର କୋଠାଘର ପାଖରେ ପହଞ୍ଚିଲା । ଏଇଟା ଭାଟିଦାରଙ୍କ ନୂଆ ଘର । ସେଇ ଘରେ କମିକୁ ଅଟକ ରଖାଯାଇଛି । ସବୁଦିନ ଡ୍ରାଇଭର ଯାଇ ପ୍ରୀତି ଭିକ୍ଷା କରୁଚି । ମାତ୍ର କମି ଅଚଳ ଓ ଅଟଳ ।

 

ଆଜି ଭାଟିଦାର ଯାଇ ପହଞ୍ଚି କମି ରୂପର ବହୁ ପ୍ରଶଂସା କଲେ । କେତେ ଅନୁନୟ ବିନୟ କଲେ । ତାଙ୍କର ଚାଟୁବାକ୍ୟ ‘ଦେହି ପଦପଲ୍ଲବ ମୁଦାରମ୍‍’କୁ ବି ବଳି ପଡ଼ିଲା । ମାତ୍ର କମି ସେ ସୁଅରେ ଯାଇନି । ସେ ରୋକ୍‍ ଠୋକ୍‍ ଶୁଣେଇ ଦେଇଚି–ମଦୁଆମାନଙ୍କ ସଙ୍ଗେ ସେ ପ୍ରୀତି କାରବାର କରିପାରିବନି । ସେ ଜଣଙ୍କୁ ଦୁନିଆରେ ପ୍ରେମ କରେ । ନୂଆ ପ୍ରେମିକ ତାର ଲୋଡ଼ା ନାହିଁ ।

 

ଭାଟିଦାର ଫେରି ଆସିଚି । ମାତ୍ର ଶୁଣାଇ ଦେଇଚି–କାଲି ଯଦି କମି ସ୍ୱେଚ୍ଛାରେ ପ୍ରୀତିଦାନ ନ କରେ, ଜବରଦସ୍ତ ନୀତି ପ୍ରୟୋଗ କରାଯିବ ତାରି ବାପ ସାମନାରେ । କିଏ ରଖିବ ଦେଖି ?

ଭାଟିଦାର ଫେରି ଗୋଲାପକୁ ସବୁ କଥା ଜଣାଇଚି । ସେ ସଙ୍ଗରେ ଆଉ କାହାକୁ ନେବନି । କେବଳ ଡ୍ରାଇଭର । ବେଶୀ ଲୋକରେ ମୂଷା ମରିବନି ।

 

ମଙ୍ଗୁଳୁ ଡ୍ରାଇଭରଠାରୁ ସବୁ କଥା ଶୁଣିଥାଏ । ସେ କାଲିଠାରୁ ଭାଟିଦାର କଥା ପସନ୍ଦ କରୁନି । ଯେତେହେଲେ କମି ତାର ଭଉଣୀ ପରି । ଏକ ଦେଶର ଲୋକ । ବିଦେଶରେ ପଡ଼ିଛନ୍ତି । ସେଠି ଥରେ ଏପରି ଅପମାନ ସହିବା ମାନେ ଜାତିଟାକୁ ଦୁର୍ବଳ ବୋଲି ଭାବିବା । ମଙ୍ଗୁଳୁ ଚେଷ୍ଟାକରି ସର୍ଦ୍ଦାରଙ୍କ ସ୍ତ୍ରୀଙ୍କୁ କହିଛି ଜିପ୍‍ଗାଡ଼ି ସଂଧ୍ୟା ପରେ କୁଆଡ଼େ ନ ପଠାଇବାକୁ । ଆଜି ସେଥିରେ ବିପଦ ଅଛି ।

 

ତାପରେ ମଙ୍ଗୁଳୁ ଥାନବାବୁଙ୍କୁ ସବୁ କଥା ଜଣାଇଚି । ମାତ୍ର ସେ ବିଷୟଟି ଉପରେ ଗୁରୁତ୍ୱ ଦେଇ ନାହାନ୍ତି । କେବଳ ଗୋଟିଏ କନେଷ୍ଟବଳ ଲକ୍ଷ୍ୟ କରିବାକୁ ପଠାଇଛନ୍ତି ।

 

ମଙ୍ଗୁଳୁ ଭାଟିଦାରର ହୃଦୟ ପରୀକ୍ଷା କରିବାକୁ କହିଲା–ମିଆଁ ସାହେବ, ଆଜି ମୋତେ ଟିକିଏ ନେବନି । ଭାଟିଦାର କହିଲେ–ନା, ଆଜି ସୁବିଧା ନାହିଁ ।

 

ମଙ୍ଗୁଳୁ ବସିଥାଏ ଏକୁଟିଆ । ମାନିଆ ଆସି କହିଲା–ଆଜି ଭାଟିଦାର ଖୁବ୍‍ ମନ୍ଦ ଅଭିପ୍ରାୟ ରଖିଛି । ମୁଁ ତାର ଚାକର । ନିମକ ଖାଉଚି । ହେଲେ ବି ଅନ୍ୟାୟକୁ ମୁଁ ପସନ୍ଦ କରେନି । ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ମୋର କାମ । ମୋର ଜୀବନ ଚାଲିଯିବ ପଛେ, ଅନ୍ୟାୟ ବିରୁଦ୍ଧରେ ଠିଆ ହବାକୁ ପଛାଇବିନି । ଆମର ଗୋଟାଏ ଉପାୟ କର । ଯାଇ ନାରୀର ମାନରକ୍ଷା କରିବା । ତା’ ନ ହେଲେ ଏ ଖରାପ ଲୋକଗୁଡ଼ାକ ପାପର ଭାର ବଢ଼ାଇଦେବେ ।

 

ମଙ୍ଗୁଳୁ ସାହସ ବାନ୍ଧିଲା । ଏ ଲୋକଟାକୁ ଆଗରୁ ସେ କିମିତି ସନ୍ଦେହ ଚକ୍ଷୁରେ ଦେଖୁଥିଲା । ସି:ଆଇ:ଡି ବୋଧେ । ଠିକ୍‍ ସମୟରେ ମଙ୍ଗୁଳୁ ଆସି ପହଞ୍ଚିବ ବୋଲି କହି ଚାଲିଗଲା-। ସହରରେ ଜଣେ ଘରୋଇ ସେବକ ଥାଆନ୍ତି । ବିପଦ ଆପଦରେ ଯେ ଡାକିଲେ ସେ ସାହାଯ୍ୟ ଦିଅନ୍ତି । ମଙ୍ଗୁଳୁ ଯାଇ ସବୁ କଥା ଜଣାଇଲା । ସେବକ ଗୋଟିଏ ମଟର ଯୋଗାଡ଼ କଲେ-। ମଟରଟି ଶବ୍ଦହୀନ ।

 

ରାତି ପୁଣି ଅର୍ଦ୍ଧ ହୋଇଆସିଚି । ନିରାଶ ମନରେ ଡ୍ରାଇଭର ଆସି ଜଣାଇଲା–ଆଜି ଜିପ୍‍ ଛାଡ଼ିବାକୁ ମାଲିକାଣୀର ମନା । ସେ ଆଉ ସର୍ଦ୍ଦାର ଜିପ୍‍ ଆଣି ପାରିଲାନି । ଭାଟିଦାର ସେ କଥାକୁ ଖାତିର କରିନି । ପଇସା ଥିଲେ ମଟର ଭଡା କ’ଣ କିଛି ସମୟ ପାଇଁ ମିଳିବନି ? ଜଣେ ବଡ଼ ବ୍ୟବସାୟୀଙ୍କ ମଟର ଭଡ଼ା କରି ନେଲେ ।

 

ମଟର ଚାଲିଯାଇଚି ଠିକ୍‍ ସମୟରେ । କମି ଆଜି ନିଜକୁ ବିପନ୍ନ ମନେ କରୁଚି । ତଥାପି ମନର ବଳ ଭାଙ୍ଗିନି ।

 

ସେବକ ଥାନାରୁ ଜରୁରୀ ପରିସ୍ଥିତି ସମ୍ଭାଳିବା ପାଇଁ ଚାରି ଜଣ କନେଷ୍ଟବଳ ନେଲେ । ରଥିଆ, ମଙ୍ଗୁଳୁ, ମାନିଆକୁ ବସାଇ ମଟରଟି ମଙ୍ଗୁଳୁର ନିର୍ଦ୍ଦେଶରେ ସେଇ ନୂଆ କୋଠାଆଡ଼ିକି ଚାଲିଲା । ଚୁପ୍‍ ଚୁପ୍‍ ଖଣ୍ଡେ ଦୂରରୁ ଓହ୍ଲାଇ ସମସ୍ତେ କୋଠା ପାଖ ଅନ୍ଧାରିଆ ଗଛମୂଳ ପାଖରେ ବସିଲେ ।

 

ଭାଟିଦାର ମିନତି କରୁଥାଏ । ଲଙ୍କାର ରାବଣ ସୀତାଙ୍କୁ ଅନୁନୟ କଲା ପରି ଭାଟିଦାର ଅଭିନୟ କରୁଚି । ଡ୍ରାଇଭର ବି ପାଳି ଧରୁଚି । ଏଇପରି ବହୁ ସମୟ ଧରି ଚାଲିଚି । ଏତେବେଳେ ଗୁଇନ୍ଦା ଗୋଟିଏ ସ୍ତ୍ରୀ ବେଶ ଧରି ସେଇ କୋଠରୀର ପାଖରେ ଥାଆନ୍ତି । ଗୁଇନ୍ଦା ଜାଣନ୍ତି, ଭାଟିଦାରଙ୍କ ସ୍ତ୍ରୀ ସ୍ୱାମୀଙ୍କ ନାଁ ଧରି ଡାକନ୍ତି ଅବଦୁଲ ଜୀ । ସେତେବେଳେ ଭାଟିଦାରଙ୍କ ମନରେ ଭୟ ଆସିଯାଏ । ଯେତେ ନିଶା ଲାଗିଥିଲେ ବି ଭାଙ୍ଗିଯାଏ । ସେ ମୂଷା ପରି ଥିରିହୋଇ ବସିପଡ଼ନ୍ତି ।

 

ସମସ୍ତଙ୍କ ମନରେ ଗୋଟିଏ ଆତଙ୍କ ଜାଗି ଉଠୁଥାଏ । କମି ଜୀବନ ପାଇବ କି ନାହିଁ ! ହଠାତ୍‍ ଗୋଟାଏ ଚିତ୍କାର ଶୁଭିଲା ନାରୀକଣ୍ଠର । ସେତେବେଳେ ଗୁଇନ୍ଦା ପାଟି କରି ଉଠିଲେ–ଅବଦୁଲଜୀ ! ଭାଟିଦାର ଫେରିଆସି କହିଲେ–ତୁମେ ଏଠାରେ ?

 

ଗୁଇନ୍ଦା ମୁହଁକୁ ଲୁଚାଇ ଛଳନା ସ୍ୱରରେ କହୁଥାନ୍ତି–ନ ଆସନ୍ତି କିମିତି ? ତୁମେ ଏପରି ଅଘଟଣ କାମ କରୁଛ ? ସେଥିରୁ ବାରଣ କରିବା ତ ମୋର କାମ ।

 

ଭାଟିଦାର ରାଗିଗଲେ–ନା, ନା, ସବୁଥର ମୁଁ ତୁମକୁ ଡରେ । ଆଜି ପାରିବିନି । ତୁମେ ପରଦା ତେଜି ଏତେ ବାଟ କାହା ସଙ୍ଗେ ଆସିଛ ? ତୁମକୁ ଶାସ୍ତି ଦେବି । ଡ୍ରାଇଭର, ଯାଅ ତ ବନ୍ଧୁକଟା ଆଣ ମଟରରୁ ।

 

ଏଇ ସମୟରେ ଗୁଇନ୍ଦା ହୁଇସିଲ ମାରିଦେଇଚି । ପୋଲିସ ଦୁଇ ଜଣ ଭାଟିଦାରକୁ, ଦୁଇ ଜଣ ଡ୍ରାଇଭରକୁ ଧରି ହାତକଡ଼ି ଲଗାଇ ଦେଇଛନ୍ତି । ତା’ପରେ ସମସ୍ତେ ଦଉଡ଼ିଛନ୍ତି କମିକୁ ଦେଖିବାକୁ । କମି ଅଚେତ ହୋଇପଡ଼ିଛି । ଭୟରେ ସେପରି ହୋଇଯାଇଥିବ । ପାଣି ଛିଞ୍ଚି ବିଞ୍ଚାବିଞ୍ଚି କରିବା ପରେ କମି ଚେଇଁ ଉଠିଛି । ଆନନ୍ଦ ତାର କହିଲେ ନ ସରେ । ବାପ, ମାନିଆ ଦୁହେଁ ଆଜି ଏଇଠି । ଏଇ ରାତିଟା ତା’ ପକ୍ଷରେ ଥିଲା କାଳ । ସେ କାଳ ଯାଇଛି । କମି ଆଜି ମନୁଷ୍ୟର ରାକ୍ଷସ ପ୍ରକୃତିରୁ ରକ୍ଷା ପାଇଚି । ତା’ପରେ ଦୁଇଟି ମଟରରେ ସମସ୍ତେ ଯାଇ ଥାନାରେ ପହଞ୍ଚିଲେ ।

 

ଏତେବଡ଼ କେସ୍‍ ସେବକ ଗୁଇନ୍ଦା ଧରିଛନ୍ତି । ପୋଲିସ୍‍ ପକ୍ଷର ସାଧୁବାଦ । ମାତ୍ର ଗୁଇନ୍ଦା କହିଲେ–ଏଥିରେ ମୋର କିଛି ବାହାଦୂରୀ ନାହିଁ । ଏସବୁର ଖବର ମଙ୍ଗୁଳୁ ମୋତେ ଦେଇଥିଲା । ସେତେବେଳେ ହାତ କଡ଼ି ଥାଇ ମଧ୍ୟ ଭାଟିଦାର କଡ଼ମଡ଼ କରି ଦାନ୍ତ ଚୋବାଇ ପକାଉଥାନ୍ତି ।

 

ଆସାମୀମାନଙ୍କୁ ହାଜତରେ ରଖାଯାଇ ଅନ୍ୟମାନଙ୍କୁ ଛାଡ଼ ମିଳିଲା । ସେଠୁ ସମସ୍ତେ ଯାଇ ସର୍ଦ୍ଦାରଙ୍କ ଘରେ ପହଞ୍ଚିଲେ । ମାତ୍ର ସମସ୍ତେ ନିଦ୍ରିତ । ସକାଳେ ସବୁ ବିବରଣୀ ଜଣାଇବାକୁ ଠିକ୍‍ କରି ବସାକୁ ଗଲେ । ରଥିଆ ପକ୍ଷରେ ଆଜି ଉତ୍ସବର ଦିନ । ଡେରି ହୋଇଥିବାରୁ ରଥିଆ ରାନ୍ଧି ସମସ୍ତଙ୍କୁ ଖାଇବାକୁ ଦେଇଚି ।

 

ତାପରେ କମିକୁ ତାର ଏଇ ଦୁଃଖ ବର୍ଣ୍ଣନା କରିବାକୁ ରଥିଆ କହିଚି–ବସ୍ତିଯାକର ଲୋକ ରୁଣ୍ଡ ।

 

କମି କହି ଚାଲିଚି–ପ୍ରଥମରେ ଯେଉଁ ଜିପରେ ମୁଁ ଗଲି ସେଇଟା ସର୍ଦ୍ଦାରଙ୍କର । ତାଙ୍କର ଡ୍ରାଇଭର ବି ଚଳାଉଥାଏ । ମାତ୍ର ସେ ସର୍ଦ୍ଦାର ଘରକୁ ନ ନେଇ ମୋତେ ସେଇ କୋଠାଘର ଆଡ଼େ ନେଇଗଲା ଘରେ ବନ୍ଦକରି କହିଲା–ପାଟି କଲେ ଆଉ ଜୀବନରେ ଫେରିବୁନି । ସବୁବେଳେ ଦୁଇ ଜଣ ବିକଟାଳ ଲୋକ ହାତରେ ଖଣ୍ଡା ଧରି ଜଗିଥାନ୍ତି ।

 

ଭାଟିଦାର, ଡ୍ରାଇଭର ଏମାନେ ଅନେକ ଥର ଯାଆନ୍ତି । ଏମାନେ ଗଲେ ଜଗୁଆଳ ଦୁଇଟି କୁଆଡ଼େ ପଳାନ୍ତି । ଏ ଦୁହେଁ ପାପ ଆଶାରେ ବହୁତ ବିନତି କରନ୍ତି । ମଦୁଆଙ୍କ ସଙ୍ଗରେ ମୋର ସେପରି ହେବନି ବୋଲି ମୁଁ କହେ ।

 

ଆଜି ଥିଲା ଶେଷ ରାତ୍ରି । ସେମାନେ ବଳ ପ୍ରୟୋଗ କରିଥାନ୍ତେ । ସେଥିରେ ବାଧା ଘଟିଥିଲେ ମୋର ବାପକୁ ହତ୍ୟା କରିଥାନ୍ତେ ।

 

ଯାହାହେଉ, ଭଗବାନ ମୋତେ ରଖିଛନ୍ତି ।

 

ସମସ୍ତେ କାବା ହେଉଥାନ୍ତି । ଏ କି ଅନ୍ୟାୟ ମ ରାଇଜରେ ! ସ୍ୱାଧୀନ ହେଲାରୁ ପୁଏ ତ ଅମରମତା ହଉଚନ୍ତି ।

 

ସର୍ଦ୍ଦାର ବସି ଭାବୁଚନ୍ତି । ସେ ବେମାର ପଡ଼ି କୁଆଡ଼େ ଯାଇପାରିଲେନି । ତାଙ୍କର ସେବା କରିବାକୁ ଯାଇ କମି କୌଣସି ଦୁରାତ୍ମା ହାତରେ ପଡ଼ିଲା । ବର୍ତ୍ତମାନ ତାର ଅବସ୍ଥା କିପରି ଥିବ ? କମି ତାଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିଚି । ପ୍ରକୃତ ରୂପର ଶିକ୍ଷା ଦେଇପାରିଚି । କିଏ ସୁନ୍ଦର ? ଯାହା ଆଖିକୁ ଦିଶେ, ତାହା ନୁହେଁ । ଯାହା ମନକୁ ତୃପ୍ତ କରେ, ତାହା ସୁନ୍ଦର । ସାଧାରଣ ଖାଦ୍ୟ ଓ ପାନୀୟରେ ସର୍ଦ୍ଦାର ଭଲ ସ୍ୱାସ୍ଥ୍ୟ ରଖୁଛନ୍ତି । ସ୍ତ୍ରୀ ଯମୁନାଙ୍କ ସେବା ପରିଚର୍ଯ୍ୟାରେ ବେଶ୍‍ ସେ ପ୍ରଫୁଲ୍ଲ । ତାଙ୍କରି ସ୍ନେହମିଶା ଆଳାପ, ବ୍ୟବହାର ସର୍ଦ୍ଦାରଙ୍କୁ ଅମିୟ ଆନନ୍ଦ ଦେଇପାରିଛି । ତାଙ୍କରି ଭିତରେ ସେ ରୂପଲାଳସା ଚରିତାର୍ଥ କରିବା ଲାଗି ଯଥେଷ୍ଟ ସମ୍ଭାର ପାଇଛନ୍ତି ।

 

ଆଜି ସେ ଉଦ୍‍ଗ୍ରୀବ । କମିର ଅନ୍ୱେଷଣରେ ନିଶ୍ଚୟ ଯିବେ । ମଙ୍ଗୁଳୁକୁ ଡାକ ପକାଇଲେ । ମଙ୍ଗୁଳୁ ଜୀ, ହାଁ କହି ଆସି ପହଞ୍ଚିଲା । ଡ୍ରାଇଭରକୁ ଡାକିବାକୁ ଅର୍ଡ଼ର ଦେଲେ ସର୍ଦ୍ଦାର-। ମଙ୍ଗୁଳୁ ଠିଆହେଲା । ସାହେବ କହିଲେ–ଜଲଦି ବୋଲାଓ । ମଙ୍ଗୁଳୁ ପ୍ରକାଶ କଲା–ଡ୍ରାଇଭର ଥାନା ହାଜତରେ ।

 

ସର୍ଦ୍ଦାର ବିସ୍ମିତ ହେଲେ । କାରଣ ଗୋଟି ଗୋଟି କରି ମଙ୍ଗୁଳୁ ବୁଝାଇଲା । ପକ୍‍କା ସଇତାନାଟା ଥିଲା ତେବେ । ଯାଉ, ତାର ଫଳ ସେ ଭୋଗୁ । ବର୍ତ୍ତମାନ କମିକୁ ଦେଖିବାକୁ ସର୍ଦ୍ଦାର ବ୍ୟଗ୍ର ହୋଇଉଠିଲେ । ମଙ୍ଗୁଳୁ ଡାକି ଆଣିବାକୁ ଗଲା । ରଥିଆ କହିଲା–ନାଇଁରେ ବାବୁ, ମୁଁ ଆଉ ଏକା ମୋ ଝିଅକୁ ଏ ସହରରେ ଛାଡ଼ିବିନି । ଆମେ ସମସ୍ତେ ଯିବୁ ।

 

କମି ଆଜି ସାଧାରଣ ପୋଷାକ ପିନ୍ଧି ବାହାରିଲା । ଚାକଚକ୍ୟ ନାହିଁ । ମୁହଁ ପ୍ରସନ୍ନ । ଗମ୍ଭୀରତା ମଧ୍ୟରେ ସୌନ୍ଦର୍ଯ୍ୟ ପ୍ରତିଭାତ । ସେ ସୌନ୍ଦର୍ଯ୍ୟରେ ଉନ୍ମାଦ ନାହିଁ । ଅସ୍ଥିରତା ନାହିଁ । ସମସ୍ତେ ଯାଇ ସର୍ଦ୍ଦାରଙ୍କ ପାଖରେ ପହଞ୍ଚି ଜୁହାର କଲେ ।

 

ସର୍ଦ୍ଦାର ତନ୍ମୟ ହୋଇଗଲେ । ଭାଷା ତାଙ୍କର ମନୋଭାବକୁ ବିଜୁଳି ପରି ପ୍ରକାଶ କରିଦେଲା । ସେ କହିଚାଲିଥାନ୍ତି–କମି, ତୁ ମୋର ଗୁରୁ, ତୁ ମୋର ଜୀବନର ନୂତନ ଗତିବିଧାୟକ-। ତୋ ଲାଗି ତୋର ମଦୁଆ ମୁନିବ ଆଜି ଭଲ ହୋଇ ଘୃଣା କରିଚି ରଙ୍ଗାପାଣିକୁ । ରୂପର ଏକ ନୂତନ ଉଦାହରଣ ଦେଇଚୁ କମି ! ଆଖିକୁ ଯାହା ସୁନ୍ଦର ଦିଶେ, ତାହା ସବୁବେଳେ ପ୍ରକୃତରେ ସୁନ୍ଦର ନୁହେଁ । ତୋର ଏଇ ଶିକ୍ଷା ଆଗରୁ ମୁଁ ଅସଂଖ୍ୟ କୁତ୍ସିତ ରମଣୀ ମେଳରେ ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲି । ଆଜି କିନ୍ତୁ ସେମାନେ ଘୃଣାର ପାତ୍ର । ମୁଁ ମୋର ସ୍ତ୍ରୀଙ୍କୁ ଚିହ୍ନିବାର ସୁଯୋଗ ପାଇଚି । ହସିବ ମୋର ପରିବାର କମି ! ଆଜି ମୁଁ ତୋର ରୂପର ପୂଜାରୀ ନୁହେଁ । ତୁ ମୋର ଝିଅ-। ତୁ ମୋତେ ପାପ ପଙ୍କରୁ ଟାଣି ଆଣିଚୁ । ଭଗବାନ ତୋର ମଙ୍ଗଳ କରନ୍ତୁ ।

 

କମି ଏକଲୟରେ ଶୁଣୁଥାଏ । ଚକ୍ଷୁରେ ତାର ଆନନ୍ଦାଶ୍ରୁ । ଆଜି କମି ମୁହଁରେ ପବିତ୍ର ହସର ଆଭା । କମି ଡାକିଲା–ବାପା, ଆଜି ଆପଣଙ୍କର ପ୍ରକୃତିରେ ପରିବର୍ତ୍ତନ ଆସିଥିବା ଦେଖି ଖୁସି ହେଲି । ମଫସଲର ବାଉରାଣୀ ଝିଅ । ଆସିଥିଲି ବାଉରାଣୀ ବେଶରେ । କଥା କହି ଶିଖି ନ ଥିଲି । କଥା କହି ଶିଖିଚି । ନିଜକୁ ବହୁଗୁଣରେ ଉନ୍ନତି କରିଚି ସହରରେ, ଯେଉଁଠାରେ ଅସତ୍ୟ କାରବାର କିଛି ଶିଖିଚି । ମଦ, ଗଞ୍ଜେଇ, ଅଫିମ ଆଦି ନିଶାର ଫଳ ବିଷୟରେ ମୋର ଯଥେଷ୍ଟ ଧାରଣା ହୋଇଚି । ଏଇ ନିଶା ମଣିଷ ଦେହରୁ ମଣିଷପଣିଆଟି ହରାଇ ନେଉଚି । ସେଥିପାଇଁ ମୁଁ ଅଭିଯାନ ଆରମ୍ଭ କରିଚି ।

 

ଆଜିଠାରୁ ମୋର ସଙ୍କଳ୍ପ–ଏଇ କୁଲିବସ୍ତିରୁ ନିଶା ବ୍ୟବହାର ସଂପୂର୍ଣ୍ଣରୂପେ ଉଠାଇ ସାରିଲେ ମୋର କର୍ତ୍ତବ୍ୟ ଶେଷ ହେବ । ତା’ପରେ ମୁଁ ଫେରିବି ମଫସଲ । ଜନ୍ମମାଟିର ପାଣି ପବନରେ କାମ କରି ବେଶ ଆନନ୍ଦ ପାଇବି ।

 

ସର୍ଦ୍ଦାର ଦୃଷ୍ଟି ପଡ଼ିଲା ସେ ନୂତନ ଯୁବକ ମାନିଆ ଉପରେ । “ଆରେ ! ଏ ଯୁବକଟି କିଏ ? ସେଦିନ ତ ଭାଟିଦାର ମିଆଁ ସଙ୍ଗରେ ଏଠାକୁ ସେ ଆସିଥିଲା !”

 

ରଥିଆ ଆଗଭର ହୋଇ କହିଲା–ଏ ପିଲାଟି ଆମ ଗାଁର । ମା ଛେଉଣ୍ଡ, ବାପ ଛେଉଣ୍ଡ-। ନିଜ ଶିଙ୍ଗରେ ମାଟି ତାଡ଼ି ସେ ମଣିଷ ହୋଇଚି । କାମର ମଣିଷ ସେ । ଆମର ବିପଦ ପଡ଼ିଥିବାରୁ ଆସିଥିଲା । ଦୈବଯୋଗରୁ ଭାଟିଦାର ସଙ୍ଗେ ଭେଟ ହେଲା । କମିକୁ ଉଦ୍ଧାର ନ କଲେ ସେ ଆମକୁ ଦେଖା ଦବନି ବୋଲି ପ୍ରତିଜ୍ଞା କରିଥିଲା । କମି ଯେ ରାକ୍ଷସ ଭାଟିଦାର କବଳରୁ ରକ୍ଷାପାଇ ଫେରିଲା, ଏଥିରେ ମାନିଆର ଯଥେଷ୍ଟ ତ୍ୟାଗ ଓ ପରିଶ୍ରମ ଅଛି । ସର୍ଦ୍ଦାର ଯୁବକଟିକୁ ପ୍ରଶଂସା କଲେ ।

 

ସର୍ଦ୍ଦାର ନିଜ ବାସଭବନରେ ଖିଆପିଆର ଯୋଗାଡ଼ କଲେ ।

 

ମାନିଆ ଖାଲି ବଲବଲ କରି ଦେଖୁଚି ।

 

ଧରମୁ ଭାବୁଥାନ୍ତି–ଦେବେନ୍ଦ୍ରଟା କାଲି ଔଷଧ ବିକି ଚଳୁଥିଲା । ଏବେ ତା’ର ଛଇ ଦେଖ-। ଲୋକଗୁଡ଼ାଙ୍କୁ ମତାଇ ସୋସାଇଟି ଗଢ଼ି ସେଠି ବେଶ୍‍ ପଇସା ନିଜେ କମାଇଲାଣି । ଏପରି ଯଦି ସବୁ କାମ କରାଇ ନିଏ, ବେଶୀ ଜମିବାଲା ଚାଷ କରିବେ କିପରି ? ଶେଷରେ କହିବ–ଜମିତକ ସୋସାଇଟିକୁ ଦିଅ । ଜଣିକିଆ ଦୋକାନ ଚଳିବ କିପରି ?

 

ସବୁଆଡ଼େ ସେ ଘୋଷଣା କଲା–ଯେ ତା ପାଖରେ କାମ କରିବ, ସୋସାଇଟିରେ ଦିଆଯାଉଥିବା ଦରମାର ଦେଢ଼ଗୁଣ ଦିଆଯିବ । ଶ୍ରମିକଙ୍କ ଭିତରୁ ଆଗପଛ ହୋଇ କେତେ ଜଣ ପଳେଇଲେ । ଧରମୁ ସେମାନଙ୍କୁ ବେଶ୍‍ ଲୋଭ ଦେଖାଇ ଖାଇବା, ପିଇବାର ବନ୍ଦୋବସ୍ତ କରିଦେଲା । ଦରମା ବି ବେଶ୍‍ ଦେଲା । ସେମାନଙ୍କର ଅବସ୍ଥା ଦେଖି ଆଉ କେତେକ ଲୋକ ବି ସୋସାଇଟିରୁ ବାହାରି ଆସିଲେ । ଗଉରାର ନେତୃତ୍ୱରେ ଧରମୁ ବହୁତ ଲୋକ ପାଇଗଲେ ।

 

ସୋସାଇଟିରୁ ଲୋକ କମିଲେ ମଧ୍ୟ ଦେବେନ୍ଦ୍ର ବାବୁ ବିଚଳିତ ନୁହନ୍ତି । ଏଇଟା ସମବାୟ ଅନୁଷ୍ଠାନ । ସମସ୍ତଙ୍କର ସହଯୋଗରେ ସୁବିଧା କରିବା କଥା । ଏଥିରେ ପ୍ରତିଯୋଗିତା କରି ବେତନ ବୃଦ୍ଧି କରିବା ଅନୁଚିତ । ବ୍ୟକ୍ତିଗତ ବ୍ୟବସାୟୀର ଲାଭ କ୍ଷତି ହେଲେ ନିଜେ କପାଳ ଆଦରି ରହିବ । ସମବାୟ ଅନୁଷ୍ଠାନର କ୍ଷତି ହୋଇଗଲେ ଅନେକ ଲୋକ କ୍ଷତିରେ ପଡ଼ିବେ । ସମବାୟ ପ୍ରତିଷ୍ଠାନର ସମ୍ମାନ କମିବ । ଲୋକେ ଏଥିରେ ଆସ୍ଥା ହରାଇବେ । ଯେତିକି ଶ୍ରମିକ ରହିଲେ, ସେତିକିରେ କାମ ଚାଲୁ କରାଗଲା । ଅନ୍ୟ ଆଡୁ ଲୋକ ଆସି ଯୋଗ ଦିଅନ୍ତି । ଠିକ୍‍ ଏଇ ସମୟରେ ଅନେକ ଭାଗଚାଷୀ ବେକାର ହୋଇଯାଇଥାନ୍ତି । ଆଇନ୍‍ ସେମାନଙ୍କୁ ଚାରି ଭାଗରୁ ତିନି ଭାଗ ଫସଲ ଦେବାକୁ ଅଧିକାର ଦେଇଚି । ଭାଗଚାଷୀଙ୍କୁ ସାତ ଏକରରୁ ବେଶୀ ଥିବା ଜମିମାଲିକ ଉଚ୍ଛେଦ କରିପାରିବ ନାହିଁ ବୋଲି ମଧ୍ୟ ନିୟମ ଚାଲୁଚି । କିନ୍ତୁ ମାନୁଚି କିଏ ? ସ୍ୱାର୍ଥ ଛାଡ଼ୁଚି କିଏ ? କେତେପ୍ରକାର କୌଶଳ ପ୍ରୟୋଗ କରାଯାଉଚି । ଯେଉଁ ଜମିମାଲିକ ସହରରେ ଚାକିରି କରି ବହୁଦିନୁ ଭାଗଚାଷ କରି ଆସୁଥିଲା, ସେ ଆଜି ହାତରେ ଚଷୁଚି । ଘରେ ତାର କୁଟୁମ୍ବ ଛାଡ଼ିଦେଇ ହଳିଆ ରଖି ଚାଷର ଆୟୋଜନ କରିଚି । ଆତ୍ମସମ୍ମାନ ଥିବା କେତେକ ଭାଗଚାଷୀ ହଳିଆ ହେବାକୁ ପସନ୍ଦ କରୁ ନାହାନ୍ତି । ସେମାନେ ଆସି ଦେବେନ୍ଦ୍ର ବାବୁଙ୍କ ପାଖରେ ରୁଣ୍ଡ ।

 

ଦେବେନ୍ଦ୍ର ବାବୁ ଭାବୁଛନ୍ତି–ଖାଲି ଆଇନ୍‍ କଲେ ସବୁ ଜିନିଷ ସୁଧୁରେ ନାହିଁ । ଏକଥା ସମସ୍ତେ ଜାଣନ୍ତି । ଆଇନର ଉଚିତ ପ୍ରୟୋଗ ଦରକାର । ଆଇନ୍‍ ବ୍ୟବସାୟୀ ଏ ଦିଗରେ ଗରିବ ଚାଷୀର ପକ୍ଷ ନେବା ଉଚିତ । ପଇସା କମେଇବା ଲାଗି ଯଦି ଧନୀ ମହକିଲ ସପକ୍ଷରେ ଏପରି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତି, ପ୍ରଗତିମୂଳକ ଯୋଜନା ଆଗେଇବ କିପରି ?

 

ତାଙ୍କର ନୂତନ ଚିନ୍ତାଧାରା–ବ୍ୟକ୍ତିଗତ ଜମିମାଲିକ ରହିବା ଅନୁଚିତ । ଗୋଟିଏ ଗାଁକୁ କେନ୍ଦ୍ର କରି ଆଖପାଖ ଅଞ୍ଚଳର ଜମି ସେଇ ଗାଁର ହେବା ଉଚିତ । ପ୍ରକୃତରେ ଯେଉଁମାନେ ଗାଁରେ ରହି ଜମିରେ କାମ କରିବେ ସେଇମାନେ ହେବେ ଫସଲର ଅଧିକାରୀ । ବିଦେଶରେ ଚାକିରି କରି, ଓକିଲାତି କରି ପଇସା ଜମେଇବା, ଗାଁର ଜମିରୁ ଫସଲ ନେଇ ଚଳିବା ତେଲିଆ ମୁଣ୍ଡରେ ତେଲ ପରି । ସେମିତି ହେଲେ ଗରିବ ଲୋକ ଜମି ପାଇବ କୋଉଠୁ ? ଧନୀ ହାତରେ ପଇସା । ଜମି ସେ କିଣିପାରିବ, ଚାକର ରଖି ପାରିବ । ଗରିବ ପଡ଼ି ରହିଥିବ । କିନ୍ତୁ ତାଙ୍କ ଭାବନା କାର୍ଯ୍ୟକାରୀ ହୋଇପାରିଲେ ଭାଗଚାଷୀ ଓ ଜମିମାଲିକ ମଧ୍ୟରେ ସଂଘର୍ଷ ରହିବନି ।

 

ଏପରି ଏକ ଧାରଣା ନେଇ ସେ ପ୍ରଚାର ଆରମ୍ଭ କରିଦେଲେ । ପ୍ରଥମେ କଥାଟା ଅଡ଼ୁଆ ଅଡ଼ୁଆ ଜଣାଗଲା । ମାତ୍ର କ୍ରମେ କ୍ରମେ ଅନେକ ଜମିମାଲିକ ଏଇ ଯୋଜନାର ଭଲଦିଗ ବୁଝି ପାରୁଛନ୍ତି । କେବଳ ଯେଉଁମାନେ ବିଦେଶରେ ଚାକିରି କରୁଛନ୍ତି, ଯେଉଁମାନଙ୍କର ବେଶୀ ଜମି ଅଛି, ସେଇମାନେ ଏ ଧାରଣାର ବିରୋଧ କରୁଛନ୍ତି । ସେଥିରେ ଦେବେନ୍ଦ୍ରବାବୁ ବେଶୀ ବିଚଳିତ ନୁହନ୍ତି । ଯେକୌଣସି ନୂଆ କଥା ଚାଲୁକଲେ ସେଇପରି ହେବ । ଦଳେ ପସନ୍ଦ କଲେ, ଦଳେ ବିରୋଧ କରିବେ । କିନ୍ତୁ ବହୁ ଲୋକ ଯେତେବେଳେ ଏଥିରେ ସହଯୋଗ କରିବେ, ବିରୋଧକାରୀମାନେ ଆପେ ଆପେ ଦବିଯିବେ । ଏ କଥାଟାର ଉଦ୍ଦେଶ୍ୟ ମନ୍ଦ ନୁହେଁ । ସବୁ ଲୋକଙ୍କ ଅବସ୍ଥା ସଚ୍ଛଳ ରହିବ । ଗ୍ରାମର ଆୟ ବଢ଼ିବ । କାହାର ପୁଷମାସ, କାହାର ସର୍ବନାଶ ଯୋଗ କମିବ ।

 

ନିଶା ନିବାରଣ ସଙ୍ଗେ ସଙ୍ଗେ ଯୁବଦଳ ଏଇ ପ୍ରଚାର ଚଳେଇବାରେ ବ୍ୟସ୍ତ । ଏଥିରେ ବେଶୀ ଫଳ ନ ହେଲେ ଅନ୍ୟ ଏକ ଯୋଜନା ଦେବେନ୍ଦ୍ରବାବୁ ପରିକଳ୍ପନା କରିଛନ୍ତି । ମୂଲିଆମାନେ ଯେତିକି ମୂଲ ପାଉଛନ୍ତି, ସେତକ ଯଥେଷ୍ଟ ନୁହେଁ । ଦୈନନ୍ଦିନ ମଜୁରି ବା ବର୍ଷିକିଆ ଦରମା ବ୍ୟତୀତ ସେମାନେ ଫସଲରୁ ଗୋଟାଏ ଅଂଶ ଅମଳ ବେଳେ ପାଇବା ଉଚିତ । ଏଇ ଆନ୍ଦୋଳନ ଚାଲୁ କରିବାକୁ ମଧ୍ୟ ଯୁବଦଳକୁ ନିର୍ଦ୍ଦେଶ ଦେଇଛନ୍ତି ।

 

ଗରିବ, ଅଭାବଗ୍ରସ୍ତ ଶ୍ରମିକ । ଯେଉଁଆଡ଼ୁ ଦୁଇ ପଇସା ଅଧିକ ମିଳିବାର ସୂଚନା ମିଳିବ ସେଇ ଆଡ଼କୁ ମାଡ଼ିଯିବେ । ଶ୍ରମିକମାନେ ଏଥର ଫସଲ ଅମଳବେଳେ ସେଇପରି ଏକ ଆନ୍ଦୋଳନ କରିବେ ବୋଲି ସ୍ଥିର କରି କାମ ଚଳେଇଛନ୍ତି । ସମବାୟ ପ୍ରତିଷ୍ଠାନ ବି ଧୀରେ ଧିରେ ଆଗେଇ ଚାଲିଚି । ଆତ୍ମସମ୍ମାନ ଥିବା ଶ୍ରମିକ ଏଥିରେ କାମ କରୁଛନ୍ତି । ଏଠି କେହି କାହାର ପ୍ରଭୁ ନୁହେଁ । ସମସ୍ତେ ମାଲିକ ବୋଲି ମନେକରି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଆସନ୍ତା ବର୍ଷକୁ କୃଷିଶାଖା ଖୋଲିବାର ପ୍ରସ୍ତାବ ଅଛି ।

 

ଏସବୁ ହାଲ ଦେଖି ଧରମୁ ପ୍ରମାଦ ଗଣିଲେଣି । ଦେବେନ୍ଦ୍ର ବାବୁ ସେବକ, କର୍ମୀ, ଅହିଂସାର ଅବତାର । ଏସବୁ ଆନ୍ଦୋଳନ ଭିଆଉଛନ୍ତି କାହିଁକି ? ସୋସାଇଟିରୁ ଶ୍ରମିକ ବାହାରି ଆସିବାରୁ ତ ! ଏଇଟାକୁ ଅହିଂସାର ଗୋଟାଏ ବିକାର କୁହାଯାଇପାରେ । ଏପରି ଭାବି ଧରମୁ ଅସ୍ଥିର ହୋଇପଡ଼ିଲେ । ରାଗ ତାଙ୍କ ଦେହରେ ଆଜି ଭୀଷଣ ରୂପ ନେଲା ।

 

ଧରମୁ ଦାଣ୍ଡଘରେ ଗୁପ୍ତ ମନ୍ତ୍ରଣା ବସିଲା । ଗଉରା, କାଳୁଜାନି, ନାଥ ଦାସ ଆସି ବସିଲେ । ଦେବେନ୍ଦ୍ର ବାବୁ ସବୁ ପ୍ରକାର ବିଭ୍ରାଟ ସୃଷ୍ଟି କରୁଚି । ଦେବଦେବୀମାନେ ଅସନ୍ତୁଷ୍ଟ ହେବାରୁ ଏପରି ସବୁ ଘଟୁଚି । ତାଙ୍କୁ ଗୋଟାଏ ଶିକ୍ଷା ଦେବାକୁ ପଡ଼ିବ । ସବୁ କାମ ସ୍ୱାର୍ଥ ନ ଥିବା ପରି ଦେବେନ୍ଦ୍ର ବାବୁ କରେ । କେବଳ ସେ ତାର ପୁଅ କୁନିକୁ ବେଶୀ ଭଲପାଏ । ସେଠି ତାର ସାଂସାରିକ ଜୀବନ ପ୍ରତି ମମତା ଥିଲା ପରି ବୋଧହୁଏ । କୌଣସି ପ୍ରକାରେ ତାର ପୁଅକୁ ଲୁଚାଇ କରି ଆଣିବାକୁ ହେବ । ତାପରେ ପ୍ରଚାର ଚାଲିବ, ଦେବୀଙ୍କ ମାୟାରେ ଦେବେନ୍ଦ୍ରଙ୍କ ପୁଅ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଚି । ଦେବୀପୂଜା, ମଦ ଭୋଗ କରି ଏସବୁ ଆନ୍ଦୋଳନରୁ ନିବୃତ୍ତ ରହିଲେ ପୁଅ ମିଳିପାରେ । ସେଥିରେ ଯଦି ଲୋକଟା ନ ବଦଳେ, ତେବେ ରାତିରେ ତାକୁ କାଳୁ ଜାନି ପୂଜାକରୁଥିବା ଦେବୀଙ୍କ ପାଖରେ ଛାଡ଼ି ଦିଆଯିବ । ସେଠି ରାତିରେ ପିଲାଟି ଡରି ଡରି ମରିଯିବ । ସକାଳୁ ସମସ୍ତେ ଦେଖିବେ । ଦେବେନ୍ଦ୍ର ବାବୁ ଜାଣିବେ ଦେବୀଙ୍କ କୋପ । ମନ ତାଙ୍କର ମରିଯିବ । ସବୁ କାମ ଛାଡ଼ି ଘରେ ବସିବେ । ଆନ୍ଦୋଳନ କୁଆଡ଼େ ଉଭେଇଯିବ ।

 

କୁନିକୁ ହରଣଚାଳ କରିବା ଭାର ରହିଲା ଗଉରା ଉପରେ । ଗଉରା ଆଉ ଚାଷବାସ କାମ ଦେଖେନି । ସେ ଯାଇଁ ଗାଁ ପିଲା ଖେଳୁଥିବା ଜାଗାରେ ବସେ । ସେମାନଙ୍କୁ କେତେ ଖେଳ ବତାଏ । ଡାଳମାଙ୍କୁଡ଼ି ଖେଳାଏ । ଏଇପରି ପିଲାମାନଙ୍କୁ ସେ ହାତ କରୁଥାଏ । ବେଳେ ବେଳେ ପିଜୁଳି ଆଣି ବାଣ୍ଟେ । କଦଳୀ ଖାଇବାକୁ ଦିଏ । ଏସବୁ ଧରମୁ ଯୋଗାଉଥାନ୍ତି ।

 

ପିଲା ମନ । ହିଂସା, କପଟତାର ବହୁଦୂରରେ । ଖେଳ ତାଙ୍କର ପ୍ରିୟ ଜିନିଷ । ପ୍ରତ୍ୟେକ ଲୋକ ପାଇଁ ସ୍ନେହ । ପିଲାମାନେ ଗଉରାର ଅତି ଆପଣାର ହୋଇ ପଡ଼ିଛନ୍ତି । ଗଉରାର ଭିତରି ଉଦ୍ଦେଶ୍ୟ କିଏ ବୁଝିବ ? ସମସ୍ତେ ଭାବନ୍ତି, ଏଇଟା ବେକାର ବୁଲୁଛି । ଧରମୁକୁ ଠକାଠକି କରି କ’ଣ ଦୁଇଟା ଖାଉଚି ।

 

ଜେମି ଏସବୁ ଦେଖି ଦେବେନ୍ଦ୍ର ବାବୁଙ୍କ ସ୍ତ୍ରୀକୁ ସତର୍କ କରି ଦେଇଚି–ପିଲାକୁ ବେଶୀ ହାଣ୍ଡରେ ବୁଲାଇବନି ।

 

କମି ତ ବିପଦରୁ ରକ୍ଷା ପାଇଚି, ମାନିଆ ଆଉ ସହରରେ ରହିବ କାହିଁକି ? ମଫସଲରେ ତାର ଜନ୍ମ । ମଫସଲରେ ତାର କର୍ମଭୂଇଁ । ଗଫଲତିପୂର୍ଣ୍ଣ ସହରରେ ରହି ବେଶୀଦିନ ଘାଣ୍ଟି ହେବାକୁ ତାର ଇଚ୍ଛା ନାହିଁ । ସେ ଶୁଣାଇ ଦେଇଚି–ମଉସା, କମିକୁ ଉଦ୍ଧାର କରିବା ଲାଗି ମୁଁ ଧାଇଁ ଆସିଥିଲି ଏଠାକୁ । ତୁମ ଭାଇବୋହୂ ଅଖଞ୍ଜିଆ ଥିବାରୁ ତୁମ ଭାଇ ଆସିପାରିଲେନି । ବର୍ତ୍ତମାନ କାମ ସରିଛି । ମୁଁ ଫେରିଯାଏ ମୋର କାମକୁ । ସେଠାରେ ନୂଆ ନୂଆ କାମ ଚାଲିଚି । ନିଶା ନିବାରଣ ଉଦ୍ୟମ ବହୁଦୂର ଆଗେଇଚି । କେତେ ନୂଆ ନୂଆ କଥା ଦେବେନ୍ଦ୍ର ବାବୁ କରାଉଛନ୍ତି । ମୁଁ ନ ଥିଲେ ସେ ନିଜକୁ ଅସହାୟ ମନେ କରୁଥିବେ ।

 

ରଥିଆ କହିଲା–ଯିବା ବାପା, ଯିବା । ସମସ୍ତେ ସାଙ୍ଗ ହୋଇ ଯିବା । ଏଇ କୁଲି ବସ୍ତିରୁ ନିଶା ବ୍ୟବହାର ଉଠାଇ ସାରିଲେ ମୋର ପ୍ରଥମ କାମ ଶେଷ ହେବ । କମିକୁ ତୁମ ହାତରେ ଛନ୍ଦିଦେଲେ ମୋର ଏ ଜୀବନରେ ଦ୍ୱିତୀୟ କାମ ଶେଷ ହେବ । ମୁଁ ହସିବି, ନାଚିବି । ଦିନ ଗଣିବି କେଉଁଦିନ ମଶାଣିରେ ମିଶିବାକୁ । ବହୁତ ନିଶା ଖାଇଚି । ଅନ୍ୟାୟ କରିଚି । ସେଗୁଡ଼ିକ ଜୀବନକୁ କିପରି ଘାଣ୍ଟି ଚକଟି ଖରାପ କରିଦିଅନ୍ତି, ତାହା ମୁଁ ଭଲକରି ବୁଝିଛି । ଏବେ ବହୁ ଦିନ ହେଲା ନିଶା ଛାଡ଼ିଲିଣି । ମତେ ବଡ଼ ଆରାମ ଲାଗୁଚି । ପାପ ଆଶା ମୋର ଆଉ କାହିଁରେ ନାହିଁ । ମୁଁ ଏକ୍ଷଣି ପୋଡ଼ା ସୁନା ପରି ନିର୍ମଳ । ଏଇ ବସ୍ତିରେ ମୋ ପରି ଅନେକ କୁଲି ଭାଇ ନିଶାରେ ମାତିଛନ୍ତି । ପଇସା ଅଣ୍ଟୁନି ପିଲାଙ୍କୁ ମୁଠାଏ ଦାନା, ଖଣ୍ଡେ କନା ଦବାକୁ । ଭାଟିଦାର ସବୁ ନେଇଯାଏ । ମୁଁ ଗୋଟାଏ ପରିବର୍ତ୍ତନ ଆଣିଚି । ଭାଟିଦାର ବନ୍ଧା ହୋଇଯାଇଚି । ଭାଟିଦାର ଯିଏ ହେଲେ ଆସିବ । ନିଶାଖିଆଳି ଏକଜୁଟ ହୋଇ ନିଶା ନ ଛାଡ଼ିଲେ ଭାଟିଦାର ବାହାରିବେ । ସରକାର ନିଲାମ ଦେବେ-। ପଇସା ଲାଭ ହେବ ଠିକାଦାରର । ଯିଏ ହେଲେ ଠିକା ଧରିବେ ନିଶ୍ଚୟ । କେତେବେଳେ ଏଇଟା କମିବ ? ଯେତେବେଳେ ଏଇ କୁଲିଭାଇ ନିଶା ଛାଡ଼ିଦେବେ, ଭାଟିଦାରର ବିକ୍ରି କମିବ-। ଏଣୁ ସେ ଆଉ ନିଲାମ ଧରି ଏଠାରେ ଆଡ଼ା ଜମାଇବନି ।

 

ରଥିଆର ଏଇ କାମରେ ସର୍ଦ୍ଦାର ଆଜି ପୂର୍ଣ୍ଣପ୍ରାଣରେ ସହଯୋଗ କରୁଚି । ମଣିଷ ହୋଇଚି ସର୍ଦ୍ଦାର । କୁଲିର ମଙ୍ଗଳ ବିଧାନ କରିବ । ପ୍ରତିଦିନ ସଞ୍ଜକୁ ସଭା ହଉଚି । ନିଶାର ଅପକାରିତା ବିଷୟରେ ବୁଝାଯାଉଚି । ମା, ଭଉଣୀଙ୍କ ସମ୍ମାନ ରଖିବାକୁ ଉପଦେଶ ଦିଆଯାଉଚି । ଭାଟିଦାରର ଅପକର୍ମ ଲାଗି ଜନତା ତାତି ଉଠୁଛନ୍ତି । ରଥିଆ କିନ୍ତୁ ସମସ୍ତଙ୍କୁ ଶାନ୍ତ ରହି ନିଶା ଛାଡ଼ିଦେବାକୁ କହୁଚି ।

 

ମୂଳୁ ମାଇଲେ ଯିବ ସରି

ଦେବଙ୍କ ସଙ୍ଗେ କିଂପା କଳି ।

 

ନିଶା ନ ଖାଇଲେ ଭାଟିଦାର କିଛି କରି ନ ପାରେ ।

 

ମଙ୍ଗୁଳୁର ପରିବର୍ତ୍ତନ ଆସିଚି । ମାନିଆର କି ପବିତ୍ର ସ୍ନେହ ! କମିର ବିପଦ ପଡ଼ିବା ଶୁଣି ଏତେ ବାଟ ନୂଆକରି ଏକା ଚାଲିଆସିଚି । ଚଞ୍ଚଳତା ନାହିଁ । ରୂପ ଆସ୍ୱାଦନ ଲାଗି ବ୍ୟାକୁଳତା ମଧ୍ୟ ନାହିଁ । କେଡ଼େ ନିର୍ବିକାର ଭାବରେ ଦୁହେଁ ମିଶୁଛନ୍ତି । ଗୋଟିଏ ବଖରାରେ ସମସ୍ତେ ରହୁଚନ୍ତି-। ଦୁର୍ଘଟଣା କିଛି ନାହିଁ । ସେ ବି ମାନିଆ ସଙ୍ଗେ ମିତ ବସି ତାରି ଆଦର୍ଶ ଧରିଲାଣି ।

 

କମି ତାର ମା, ଭଉଣୀମାନଙ୍କୁ ବୁଝାଇ ଚାଲିଛି । କଏ ସେମାନଙ୍କ ମଧ୍ୟରୁ ପିଉଥିଲେ ବା ଅନ୍ୟ ନିଶା ଖାଉଥିଲେ ଛାଡ଼ିଦିଅନ୍ତୁ । ନିଜର ସ୍ୱାମୀମାନଙ୍କୁ ଜବତ କରନ୍ତୁ । ସ୍ୱାମୀର ମନରେ ଆନନ୍ଦ ଆଣିବା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରନ୍ତୁ । ଭଲ ଖାଇବାକୁ ଦିଅନ୍ତୁ । ମିଠା କଥା କହନ୍ତୁ । ସ୍ୱାମୀର ମନରେ ଆନନ୍ଦର ଢେଉ ଖେଳାନ୍ତୁ । ତେବେ ନିଶାରେ ଅପବ୍ୟୟ ହେଉଥିବା ପଇସା ଭଲ କାମରେ ଲାଗିପାରିବ । ଭଲ ଖାଇବ, ଭଲ ପିନ୍ଧିବ, ପିଲାମାନଙ୍କୁ ପାଠ ପଢ଼ାଇବ, ଭଲ ଘର ତିଆରି କରି ସୁସ୍ଥ, ସୁନ୍ଦର, ଉତ୍ତମ ମଣିଷ ହୋଇ ବଞ୍ଚିବ । କେହି ଘୃଣା କରିବେନି । ମଇଳା କୋତରା ଲୁଗା ଦେଖି କେହି ନାକ ଟେକିବେନି । ମଦୁଆଟା ଆସୁଚି ବୋଲି କରଛଡ଼ା ଦେବେନି । ଯୁକ୍ତି କରିବାର ଜ୍ଞାନ ରହିବ । ନିଜର ଦାବି ହାସଲ କରିବାର ସୁବିଧା ମିଳିବ ।

 

ମଙ୍ଗୁଳୁ, ମାନିଆ ମଧ୍ୟ ସେଇ ଲକ୍ଷ୍ୟରେ ବିଭିନ୍ନ ବସ୍ତିରେ ବୁଲୁଚନ୍ତି । ସମସ୍ତ କୁଲି ହୃଦୟରେ ନବ ଜାଗରଣ, ନବ ଚେତନା, ଉନ୍ମାଦ ସୃଷ୍ଟି । ନିଶା ଖାଉଥିବାରୁ ମାଲିକ ଠକି ପାରୁଚି । ନିଜର ଦାବି ପ୍ରତି କୁଲି ସଚେତନ ହୋଇପାରୁନି । ଏକ୍ଷଣି ବିଚାରବୁଦ୍ଧି ପ୍ରକାଶ ପାଇଲଣି ।

 

ଉପଯୁକ୍ତ ସମୟ ଦେଖି ନିଶା ନିବାରଣୀ ସଂଘ ଗଢ଼ାଗଲା । ରଥିଆ ସେଥିରେ ମୁଖ୍ୟ । ପ୍ରତ୍ୟେକ ବସ୍ତିରୁ ପ୍ରତିନିଧି ରହିଲେ । ପ୍ରସ୍ତାବ ହେଲା–ସଂଘରୁ ପାଞ୍ଚଜଣ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଭେଟିବେ । ଦାବି କରିବେ–ବସ୍ତି ଅଞ୍ଚଳରେ ଯେପରି କୌଣସି ନିଶା ଦୋକାନ ନ ରୁହେ ।

 

ପ୍ରଥମେ ସେମାନେ ଲେଖିକରି ଦେଖା କରିବାକୁ ଅନୁମତି ମାଗିଲେ । କମ୍ପାନୀ କର୍ତ୍ତୃପକ୍ଷ ଏପରି ଏକ ଚିଠି ପାଇ ବିଚଳିତ ହୋଇଗଲେ । କୌଣସି ଏକ ଜାଗରଣ ହେଲେ କମ୍ପାନୀ କର୍ତ୍ତୃପକ୍ଷ ଡରନ୍ତି । ଆଜିକାଲି କେତେ ମତବାଦ । କେତେବେଳେ କେଉଁ ଦଳ ରାଜନୈତିକ ମୁନାଫା ଉଠାଇବା ଲାଗି କେତେପ୍ରକାର ପ୍ରଚାର କରନ୍ତି, ମତାନ୍ତି, ଧର୍ମଘଟ କରାନ୍ତି । ଦେଶର ଉତ୍ପନ୍ନ ଦ୍ରବ୍ୟ କମେ । କମ୍ପାନୀ ମାଲିକ ରାଗିଯାନ୍ତି । ଧନର ଗର୍ବରେ କାରଖାନା ବନ୍ଦ କରନ୍ତି । ଶାନ୍ତିରକ୍ଷା ନାମରେ ଗୁଳି ଚଳେ । କେତେ ନିରୀହ ଶ୍ରମିକ ଟଳି ପଡ଼ନ୍ତି । ପ୍ରତିଶ୍ରୁତି ଦିଆଯାଏ । ଧର୍ମଘଟ ଭାଙ୍ଗେ । ପରେ ଯେଉଁ କମିଟି ଶ୍ରମିକର ଦାବି ଅନୁସନ୍ଧାନ କରେ, ସେଥିରେ ନାନାପେଞ୍ଚ ସୃଷ୍ଟି ହୁଏ । ଫଲରେ କାହାରି ଲାଭ ହୁଏନି । ତେବେ ଏ ପ୍ରକାର ଜାଗରଣକୁ ଦବାଇବା ଅପେକ୍ଷା ସମାଧାନ ମନୋବୃତ୍ତି ଅଧିକ ଉପଯୋଗୀ ।

 

ଏଣୁ ପାଞ୍ଚଜଣିଆ କମିଟିକୁ ଦେଖା କରିବା ଲାଗି ଗୋଟିଏ ନିର୍ଦ୍ଧିଷ୍ଟ ଦିନ ଦିଆଗଲା ।

 

ନିକଟରେ ପଣାଜାତ । ସବୁ ପିଲାଏ ଜାତ ଦେଖି ଯାଇଛନ୍ତି । କୁନି ଚାଲିଯାଇଚି ପିଲା ମେଳରେ । ପିଲା ମନରେ କୌତୁହଳ । କେତେ ଦୋକାନ ବସିଚି । ଘଣ୍ଟାଏ ଲାଗିବ ଜାତ । ସେଥିରେ ଗୁଡ଼ିଆ ବିକିବ ଦୁଇ ତିନି ମାସ ପାଇଁ ଲାଭ କରିବା ଭଳି । ଧାଡ଼ିକି ଧାଡ଼ି ମୁଢ଼ି, ଉଖୁଡ଼ା, ମୁଆଁ, ସନ୍ଦେଶ, ମିଠେଇ, ଗୋଲାପଜାମୁ । ଧୂଳି ଉଡ଼ି ପଡ଼ୁଚି । ମାଧି ସାହୁ ଭଲ ନଡ଼ିଆକୋରା ତିଆରି କରିଚି । ଧୋବ ଫରଫର । ଲୋଭ ହୋଇଯିବ । ଗୋଦରା ବେଙ୍ଗି ସାହୁ ସହରରୁ ଧାଇଁ ଆସିଚି । ଲଗେଇଚି ଚୁଲୀ । ଆଳୁର ଗୋଟାଏ ଭଲ ଦମ୍‍ ତିଆରି କରିଚି । ପୁରି ଖାଲି ଛାଣି ଯାଉଚି । ଲୋକଙ୍କର ଭିଡ଼ ସେଇଠି । ଯେ ଦେଖିବ ଭାବିବ ଏ ଲୋକଗୁଡ଼ା କ’ଣ ଖାଇବାକୁ ଆସିଚନ୍ତି ନା ଜାତ ଦେଖିବାକୁ ଆସିଚନ୍ତି !

 

ଆଉ ଗୋଟିଏ ଧାଡ଼ିକୁ ଗଲେ ମାଟିକଣ୍ଢେଇ, ରବରପେଣ୍ଡୁ, ପାନିଆ, ସାବୁନ୍‍, ବାସନା ତେଲ, ଅତର, ପାଉଡ଼ର, ସିନ୍ଦୁର, ମୁଣ୍ଡକଣ୍ଟା, ଚହଟ ଚିକ୍‍କଣ ନକଲି ସୁନାର ଶାଢ଼ୀ କ୍ଲିପ୍‍ ସବୁ ସଜା ହୋଇଚି । ସେଇ ବାଟେ ଗଲେ ଆଖି ଖୋସି ହୋଇଯାଉଚି । ଅନ୍ୟ ଏକ ପାଖରେ ପରିବା ଭଳିକି ଭଳି । ଶୁଖୁଆ ଯେ ଯାହାକୁ ଯେତେ । ଭଲ ନଈକୂଳିଆ କଲରାରେ ସେପାଖଟା ସବୁଜ ସବୁଜ ଦେଖାଯାଉଥାଏ ।

 

କୁନି ସବୁ ପିଲାଙ୍କ ସଙ୍ଗେ ବୁଲୁଥାଏ । କାଳସି ଆସିଗଲେ । ହଠାତ୍‍ ଲୋକଗହଳି ହୋଇଗଲା । ଯେ ଯୁଆଡ଼େ ଧାଇଁଲେ । ଗୁହାରିଆ ପଡ଼ିଥିବା ଲୋକଙ୍କୁ କାଳିସୀ କ’ଣ କହିବ ? କାହାକୁ ଔଷଧ ଦବ ? କାହାକୁ ଗୋଇଠା ମାରିବ ? ଏଇଟା ଦେଖିବାକୁ ସମସ୍ତେ ଧାଇଁଗଲେ ।

 

ଏଇଟା ପଡ଼ିଲା ଗଉରାକୁ ସୁଯୋଗ । “ଆସ କୁନି, ଦେଖିଯିବା” କହି କୁନିକୁ ନେଇଗଲା । ଲୋକଗହଳରେ ବୁଲି ସଂଜ ହୋଇଗଲା । କୁନିକୁ ଭୁଲାଇ ଗଉରା ନେଇ ରଖିଲା କାଳୁ ଜାନି ଘରେ । କହିଲା–ଏଇଥର ଦେବେନ୍ଦ୍ର ବାବୁ ଯିବ କୁଆଡ଼େ ?

 

ରାତି ଆସି ପହରେ ହେଲାଣି । ଜାତ ତ କେତେବେଳୁ ଭାଙ୍ଗିବଣି । କୁନି ଏତେବେଳେ ଯାଏ ଗଲା କୁଆଡ଼େ ? ମାଧୁରୀ ଅଧୀରା ହୋଇପଡ଼ିଲେ । ଏକୋଇରବଳା ବିଶିକେସନ । ଗାଁରେ ପିଲାଙ୍କୁ ପଚାରିଲେ । କେହି କହି ପାରିଲେନି । ସମସ୍ତେ ଭାବିଥିଲେ କୁନି କାହା ସଙ୍ଗରେ ଆସିଥିବ ବୋଲି ।

 

ମାଧୁରୀ କରିବେ କ’ଣ ? ଦେବେନ୍ଦ୍ର ବାବୁ ଘରେ ନାହାନ୍ତି । ମନ୍ତ୍ରୀ କ’ଣ ଖବର ପଠାଇଲେ ଯେ ଯାଇଚନ୍ତି । କେତେବେଳେ କ’ଣ ଘରେ ରହିବେ ? ପିଲାଟା ଯେ ଅମାନିଆ ହଉଥିବ । ମନା କରୁଥିଲି ଜାତକୁ ଯାଆନା । ଏକାଟିଆ ପଳାଇଲା । ଏବେ କୁଆଡ଼େ ହଜିବଣି । ରାତିରେ ଧନ କେଉଁଠି ରହିବ ? ଏମିତି ବ୍ୟସ୍ତହୋଇ ମାଧୁରୀ କାନ୍ଦିବାକୁ ଲାଗିଲେ ।

 

ସୋସାଇଟି କାରଖାନାର ଜଣେ କର୍ମଚାରୀଙ୍କ ପାଖକୁ ଖବର ଗଲା । ହଠାତ୍‍ ଯୁବଦଳ ବାହାରି ପଡ଼ିଲେ । ସେମାନେ ଜାତ ପାଖକୁ ଯାଇ ଖୋଜିଲେ । ଡକାଡକି କଲେ । କିଛି ଜଣା ପଡ଼ିଲାନି । ସମସ୍ତେ ଫେରି ମାଧୁରୀଙ୍କୁ ଅଧୈର୍ଯ୍ୟ ନ ହେବାକୁ ବୁଝାଇଲେ । ସେଠୁ ରାତି ରାତି ଦୁଇ ଜଣ ଗଲେ ଥାନା । ସବୁ ବିଷୟ ଜଣାଇଲେ । ଆଉ ଦୁଇଜଣ ସାଇକେଲ ଧରି ବାହାରିଲେ । ସଡ଼କ ପିଟା ହୋଇଗଲାଣି । ଖାଲି କେଉଁଠି କିମିତି ବହେ ଧୂଳି । ସେଥିରେ ସାଇକେଲ ପଡ଼ିଗଲେ ଓହ୍ଲାଇବାକୁ ପଡ଼ୁଛି । ଯାହାହେଉ, ଦେବେନ୍ଦ୍ର ବାବୁଙ୍କ କାମ, ଏଥିରେ ପଛେଇଲେ ଚଳିବ ?

 

ଥାନାବାବୁ ବି ସଙ୍ଗେ ସଙ୍ଗେ ଚାରିଆଡ଼କୁ ଖବର ପଠାଇବାର ବନ୍ଦୋବସ୍ତ କଲେ । ଚଉକିଆମାନଙ୍କୁ ଦୃଷ୍ଟି ରଖିବାକୁ କହିଲେ ।

 

ସାଇକେଲ ଚଢ଼ାଳିମାନେ ରାତିରେ ପହଞ୍ଚି ଠିକ୍‍ଣା ଜାଗାରେ ଦେବେନ୍ଦ୍ର ବାବୁଙ୍କୁ ସବୁ କଥା ଜଣାଇଲେ । ଦେବେନ୍ଦ୍ର ବାବୁ ଟିକିଏ ବିଚଳିତ ହୋଇପଡ଼ିଲେ । ଜାତରୁ ପିଲାଟା କୁଆଡ଼େ ଯିବ ? କାହାକୁ ନ ପାଇ କୁଆଡ଼େ ଯାଇଥିବ । କାଳବିଳମ୍ବ ନ କରି ଘରକୁ ଫେରିଲେ । ନିଶା ରାତି-। ଜନମାନବର ଶବ୍ଦ ନାହିଁ । ବାଦୁଡ଼ି ଓ ରାତ୍ରି ପକ୍ଷୀମାନେ କେବଳ ଫଡ଼ ଫଡ଼ ହୋଇ ଉଡ଼ି ଯାଉଥାନ୍ତି । ତାଙ୍କର ସଙ୍ଗୀ ଦୁଇଜଣ ବଡ଼ ବରଗଛ ପଡ଼ିଲେ ଶଙ୍କି ଯାଉଥାନ୍ତି । ଏଇ ଗଛରେ ବୁଢ଼ା ବ୍ରହ୍ମରାକ୍ଷସ ଅଛି । ଯାହାହେଉ ଚାଲିଥାନ୍ତି ଯାତ୍ରୀ । ଦେବେନ୍ଦ୍ର ବାବୁଙ୍କର ଗୋଟିଏ ମାତ୍ର ଚିନ୍ତା କୁନି-

 

ଏମାନେ ପହଞ୍ଚୁ ପହଞ୍ଚୁ ରାତି ପାହିଗଲା । ରାତିରେ କାଳୁ ଜାନି କୁନିକୁ କାନ୍ଧେଇ ଅନ୍ୟ ଗାଁକୁ ନେଇଯାଇ ତାର ବନ୍ଧୁ ଘରେ ରଖିଆସିଛି । କାରଣ ଏଇଠି ଏରହିଲେ କେତେବେଳେ ଜଣାପଡ଼ିଯିବ । ସେମାନଙ୍କ ଦଳ ପ୍ରଚାର କରିବାରେ ଲାଗିଛନ୍ତି–ଏଇଟା ଦେବୀଙ୍କ କୋପ । ଠିକ୍‍ ସଂକ୍ରାନ୍ତି ଦିନ ହଜିଛି । ଠାକୁରାଣୀଙ୍କଠି ବଳି ଭୋଜା, ମଦ ରସ ନ ଦେଲେ ପିଲା ମିଳିବା କାଠିକ୍‍ର ପାଠ । ନାଥ ଦାସ କହୁଚି–ସେ ମହାଦେବଙ୍କୁ ସ୍ମରଣ କରିଥିଲା । ମହାଦେବ ସ୍ୱପ୍ନେଇଛନ୍ତି–ମୋର ଗଞ୍ଜେଇ ଟିକକ ବନ୍ଦ କଲା । ତା’ ପୁଅ ଆଉ ସହଜେ ନ ଫେରେ ।

 

ଏସବୁ କଥା ଦେବେନ୍ଦ୍ରଙ୍କ କାନରେ ବାଜିଲା । ବାଜେ କଥା । ପୁଅ ନ ମିଳୁ । ଦେଶର ସମସ୍ତ ଜନତା ତାଙ୍କର ପୁଅ । ଗୋଟିଏ ପୁଅ ହଜିଗଲେ କ’ଣ ହେବ ? ବଞ୍ଚିକରି ଥିଲେ ଭାରତରେ ରହିବ । କିଏ ମାରି ଦେଇଥିଲେ ଦେଇଥିବ । ସେଦିନ ଏବେ ବେଙ୍ଗପାଣିଆ ଗୁଳି ଚୋଟରେ ମରିଗଲା । କ’ଣ ତା’ ମା ବାପ ରହିଲେନି ? କିନ୍ତୁ ନୀତିରୁ ବିଚ୍ୟୁତ ହେବା ମଣିଷର କାମ ନୁହେଁ ।

 

ନିଶା ନିବାରଣ ଆନ୍ଦୋଳନଜନିତ ଜାଗରଣ । ମେନେଜର ଗମ୍ଭୀର ଭାବରେ ବସିଥାନ୍ତି-। ରଥିଆ ତାର ପାଞ୍ଚଜଣିଆ କମିଟି ସହ ପ୍ରବେଶ କଲା ।

 

ମେନେଜର ପଚାରିଲେ–ତୁମ ଆନ୍ଦୋଳନର ଲକ୍ଷ୍ୟ କ’ଣ ?

 

ରଥିଆ–କୁଲିଭାଇ କେହି ନିଶା ଖାଇବେନି । ଭାଟି ଏଠାରୁ ଉଠିଯିବ ।

 

ମେନେଜର–କୁଲିଭାଇମାନେ ନ ଖାଇ ପାରନ୍ତି । ଭାଟିଦାର ତ ସରକାରଙ୍କୁ ଲାଇସେନ୍‍ସଫି ଦେଇ ଠିକା ପାଇଚି, ତାକୁ ଆମେ କେମିତି ଉଠାଇବା ?

 

ରଥିଆ–ସରକାର ତ ଖାଲି ମଦ ପିଆଇ ପଇସା ନେଲେ ଚଳିବନି । ଲୋକଙ୍କ ଭଲ ପାଇଁ ଲାଇସେନ୍‍ସଫି ଫେରାଇଦେଇ କ’ଣ ଭାଟି ଉଠାଇଦେବା ଅସମ୍ଭବ ?

 

ମେନେଜର–କରିବସିଲେ କିଛି ଅସମ୍ଭବ ନୁହେଁ । ତେବେ ଯାହାର ଫିକର କରି ଯେ ଚଳୁଚି । କାହା ଦାନାପାଣିରେ ଆମେ କାହିଁକି ଧୂଳି ଦେବା ?

 

ରଥିଆ–ୟା ବୋଲି ଚୋରାତ ଚୋରି କରି ଦାନା କମାଉଚି । ତାକୁ କାହିଁକି ବନ୍ଧାଯାଇ କଏଦୀଖାନାରେ ପକାଯାଉଚି ?

 

ମେନେଜର–ସେଇଟା ପରା ସମାଜ ବିରୋଧୀ କାମ ।

ରଥିଆ–ଆଉ ମଦ ପିଆଇବା ସମାଜବିରୋଧୀ କାମ ନୁହେଁ ?

ମେନେଜର–ତୁମ ଆମକୁ ସେପରି ହୋଇପାରେ । ସରକାର ଯେତେବେଳେ ସେଇଟା ଉଠାଇ ନାହାନ୍ତି, ଠିକା ଦଉଚନ୍ତି, କେତେବେଳେ ବଡ଼ ବଡ଼ ଭୋଜିରେ ମଦ ବ୍ୟବହାର ହଉଚି, କେଉଁ ଜାତିରେ ଜାତୀୟ ଓ ସାମାଜିକ ପର୍ବରେ ନିହାତି ଦରକାର ପଡ଼ୁଚି, ସେପରିସ୍ଥଳେ ଏଇଟା ସମାଜବିରୋଧୀ କାମ ବୋଲି କିପରି କହିବା ?

ରଥିଆ–ସରକାର ବୋଇଲେ ଆମଠୁ ଭୋଟ ପାଇ ଯାଇଥିବା ପ୍ରତିନିଧି ତ ? ଯେଉଁଟା ସମାଜବିରୋଧୀ ବୋଲି ଧରାଯାଇନି ଅଥଚ ପ୍ରକୃତରେ ସମାଜବିରୋଧୀ, ସେଇଟା ସରକାରଙ୍କୁ ଜଣାଇ ଦେବାକୁ ପଡ଼ିବ ।

ମେନେଜର–ସେଇଟା ଆମେ କାହିଁକି କରିବା ? ସରକାର ଭାବିଚିନ୍ତି କରିବେ । ଆମେ ମଦ ନ ପିଇଲେ ଗଲା । ଭାଟିଦାର ବଳେ ଠିକା ଛାଡ଼ିଦେବ ।

ରଥିଆ–ଆଜ୍ଞା, ନିଆଁ ପାଖେ ଜଉ । ସହଜେ କ’ଣ ଥୟ ପଡ଼ିବ ? ମଣିଷର ଲୋଭ । ପାଖରେ ଦେଖିଲେ ଇଚ୍ଛା ହେବ । ସଂସାରରେ କେଇଟା ମଣିଷ ମନ ଥୟ କରିପାରନ୍ତି ?

ମେନେଜର–ତୁମେ ଯାହା କହ, ସରକାରଙ୍କୁ ଏକଥା ଜଣାଇବା ଆମର ବିବେଚନାରେ ଠିକ୍‍ ନୁହେଁ । ତୁମେ ଆନ୍ଦୋଳନ ନ କରି ଲୋକଙ୍କୁ ବୁଝାଇଦିଅ । କେହି ପିଇବାକୁ ଚାହିଁଲେ ଜବରଦସ୍ତ କରନି ।

 

ରଥିଆ–ଆପଣମାନେ ଡରିପାରନ୍ତି । ଆମର ଡରିବାର କାରଣ ନାହିଁ । ଆମେ ଶ୍ରମିକ-। ମୁଣ୍ଡଝାଳ ତୁଣ୍ଡରେ ମାରି ଆମେ ଦୁଇ ପଇସା ପାଉଁ । ସେଇ ପଇସା ନିଏ ଭାଟିଦାର । ଆମର ଭୁଲ ସେଇଟା । ମାତ୍ର ହାଡ଼ଭଙ୍ଗା ପରିଶ୍ରମ ପରେ ସେଇଟା ଟିକିଏ ମନରେ ଆଣେ ବଳ-। ବୁଦ୍ଧି ଆମର କମ୍‍ । ଅଶିକ୍ଷିତ ଆମେ । ଏଣୁ ଶିକ୍ଷିତ ଭାଇମାନେ ଦୁର୍ଗତିରୁ ଆମକୁ ରକ୍ଷା କରିବା ନିହାତି ଦରକାର । ଯାହା କର, ଏଇ ଆନ୍ଦୋଳନ ଆମେ ଚଳାଇବୁ । ଭାଟିଦାର ପକ୍ଷରୁ ଯଦି ବାଧା ଦିଆଯାଏ, ତେବେ ସୃଷ୍ଟି ହେବ ଦଙ୍ଗା । ସେତେବେଳେ କମ୍ପାନୀ ସୁରୁଖୁରୁରେ ଚାଲିବ ତ ?

 

ଏପରି କହି ରଥିଆ ଯାଇ ସର୍ଦ୍ଦାରଙ୍କୁ ଭେଟିଲା । ସର୍ଦ୍ଦାର କହିଲେ–ସେଥିପାଇଁ ଭାବନା କରନି । ସରକାରଙ୍କୁ ଆମେ ଜଣାଇବା । ସରକାର ନ ଶୁଣିଲେ ଭୋଟବେଳେ ଆମେ ଦେବା ତାର ଜବାବ । ଜନମଙ୍ଗଳ ରାଷ୍ଟ୍ରରେ ଲୋକଙ୍କୁ ମଦୁଆ କରି ରାଜସ୍ୱ ଆଦାୟ କରାଯାଇ ନ ପାରେ-

 

ଏଇଦିନଠାରୁ ଦିନାକେତେ ଚାଲିଲା ସଭା, ଶୋଭାଯାତ୍ରା, ପ୍ରଚାର । କୁଲିବସ୍ତିର ଏ ଆନ୍ଦୋଳନ ଭିତରେ ଗୁଣ୍ଡାଲୋକେ ତାଙ୍କ କାମରେ ଲାଗିଛନ୍ତି । ଚୋରି ଧମକ ଚାଲିଛି । ନାଗରିକମାନେ ଜୀବନକୁ ବିପନ୍ନ ମନେକଲେଣି । ପୁଣି କାଳେ ସାମ୍ପ୍ରଦାୟିକ ଦଙ୍ଗା ଲାଗିଯିବ । ନିକଟରେ ଗୋଟିଏ ଧର୍ମ ପୁସ୍ତକ ଲାଗି ଗୋଳମାଳ ଲାଗି ଗଲାଣି । ବିଚାରବୁଦ୍ଧି ଉନ୍ନତ ନ ହେଲେ ଏପରି ଗୋଳମାଳ ଘଟେ । ଏତେ ବିରାଟ କାରଖାନା । ଭାରତର ଗୌରବ । ଏଠାରେ ଗୋଟାଏ ଆନ୍ଦୋଳନ ବେଶୀ ଦିନ ବଞ୍ଚାଇ ରଖିବା ବିପଜ୍ଜନକ । ଗୋଟିଏ ବିଷୟରେ ଆନ୍ଦୋଳନ ହେଉଁ ହେଉଁ ପାଞ୍ଚ କଥାରେ ହେବ । କେତେବେଳେ କେଉଁ କଥା ।

 

ଏ ସବୁ ଗଣ୍ଡଗୋଳ ମୂଳରେ ସର୍ଦ୍ଦାର ମଙ୍ଗରାଜଙ୍କ କୁଲିବସ୍ତି । ସେଥିରେ ମଙ୍ଗରାଜଙ୍କ ସମର୍ଥନ ଅଛି ।

 

କମ୍ପାନୀ କର୍ତ୍ତୃପକ୍ଷ ବିବ୍ରତ ହୋଇ ମଙ୍ଗରାଜଙ୍କୁ ଡକାଇଲେ । ସତର୍କ କରାଇଦେଇ କହିଲେ–ଦେଖ ସର୍ଦ୍ଦାରଜୀ, ତୁମର କୁଲିମାନେ ଏପରି ଗଣ୍ଡଗୋଳ ଭିଆଉଚନ୍ତି; ତୁମେ ସେମାନଙ୍କୁ ସତର୍କ କରିଦିଅ । ନଚେତ୍‍ ତୁମର ଲାଇସେନ୍‍ସ ରଦ୍ଦ କରାଯିବ ।

 

ମଙ୍ଗରାଜ ଖୁବ୍‍ ବେଖାତିରିଆ ହସଟାଏ ହସିଲେ । କହିଲେ–ମଙ୍ଗରାଜ ଆଉ ଏ କାମ କରିବାକୁ ଆଗ୍ରହୀ ନୁହେଁ । ତାର ଘର ଅଛି । ଧନ ଅଛି । ବହୁତ କମେଇଚି ପଇସା । ଉଡ଼ାଇଚି ରଙ୍ଗାପାଣିରେ । ନିଷ୍ଫଳ ମନେ କରିଚି ଏସବୁ ।

 

ନିଶା ମଣିଷର ଶତ୍ରୁ । ଏଇଟା ଏଠୁ ଉଠିବା ଦରକାର । ମୁଁ ମନା କରିବା ପରିବର୍ତ୍ତେ ଏଇଥିରେ ସକ୍ରିୟ ଅଂଶ ଗ୍ରହଣ କରିବି । ଆପଣମାନେ ଯାହା ଶାସ୍ତି ବିଧାନ କରିପାରନ୍ତି ।

 

ଭାଟିଦାର ଜାମିନରେ ଖଲାସ ହୋଇ ଆସିଛି । ଏଣେ ମୋକଦ୍ଦମାରେ ଲଢ଼େଇ । ସେଣେ ଆନ୍ଦୋଳନ । ସରକାର ଶୁଣିବାକୁ ନାରାଜ । କମ୍ପାନୀ କର୍ତ୍ତୃପକ୍ଷ ବି ଥା, ଥା, ମା, ମା କହୁଛନ୍ତି । କେଉଁ କଥା ମଣିଷ କରିବ ?

 

ଭାଙ୍ଗିଯିବେ ପଛେ, ମୁଣ୍ଡ ନୁଆଁଇବା ତାଙ୍କ ଜାତକରେ ନାହିଁ । ଭଲ ଗୁଣ୍ଡା ଦଶଟା ମଗାଇଛନ୍ତି । ଯା ହେବାର ହେବ । ସେମାନେ ପିଟିବେ । ଯେ ମଦ ପିଇବା କଥା ମନା କରିବ, ତାକୁ ପିଟିବେ । ମାଡ଼କୁ ମହାଦେବ ଡରନ୍ତି ।

 

ଗୋଟିଏ ରାତ୍ରି । ବିରାଟ ଶୋଭାଯାତ୍ରା ଆଗେଇ ଚାଲିଚି । ମଦ ଛାଡ଼, ନିଶା ଛାଡ଼–ଭାଟିଦାର, ହୁସିଆର । ଆଗରେ ରଥିଆ, ମାନିଆ । ସବୁ ବସ୍ତି ପରିକ୍ରମା କରି ଶୋଭାଯାତ୍ରା ଭାଟିଆଡ଼କୁ ଆଗେଇଲା । ସେଠାରେ ଜନତା କିଛି ସମୟ ଠିଆହୋଇ ଭାଟିଦାର, ଭାଟି ଛାଡ଼ ବୋଲି ଚିତ୍କାର କଲେ । ଗୁଣ୍ଡାମାନେ ସହୁଛନ୍ତି କେତେକେ ? ଲୁଚିକରି ଜନତା ଭିତରେ ପଶିଗଲେ-। କିଏ ଜଣେ ଜଣକୁ ଠେଲିଦେଲା । ସେଠୁ କନ୍ଦଳ ଆରମ୍ଭ ହେଉ ହେଉ ଠେଲା ପେଲା ଲାଗି ବିଧାମାଡ଼ ଚାଲିଲା । ଗୁଣ୍ଡାମାନେ ଏଇ ସୁଯୋଗରେ ପିଟାପିଟି ଆରମ୍ଭ କରିଦେଲେ । ଉତ୍ତ୍ୟକ୍ତ ଜନତା ଭାଟି ଆଡ଼କୁ ଆଗେଇଗଲେ । ଲୋକମାନଙ୍କୁ ବାହାରିଯିବାକୁ ନିର୍ଦ୍ଦେଶ ଦେଲେ । ମଦଥିବା ଭାଣ୍ଡ ଆଣି କଚିବାକୁ ଯାଉଥିଲେ, ରଥିଆ ମନାକଲା–ଭାଟିଦାରକୁ କହିଦେବା ଆମର କାମ-। ଦଙ୍ଗାରେ ଲାଭ କ’ଣ ? ସେତିକିବେଳେ ରଥିଆ ମୁଣ୍ଡରେ ପାହାର ବସିଲା । ଜନତା ଆହୁରି ଉତ୍ତ୍ୟକ୍ତ ହୋଇ ଧ୍ୱଂସମୁଖୀ ହୋଇପଡ଼ିଲେ ।

 

ସଙ୍ଗେ ସଙ୍ଗେ ପୋଲିସ ଆସି ଘଉଡ଼ାଇଦେଲା । ଜନତା ପଳାଇଲେ । ରଥିଆ ବେହୋସ ହୋଇ ପଡ଼ିଥାଏ । ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଗଲା ।

 

କଡ଼ା ପୋଲିସ ଭାଟି ଚାରିପଟେ ମୁତୟନ ହେଲେ । ବସ୍ତିକୁ ବସ୍ତି ଶାନ୍ତିରକ୍ଷା କରାଗଲା-

 

କମି ମନରେ ପୁଣି ଭୟ । ଏ ସହର ଛାଡ଼ିବାକୁ ହବ । ଭଲ କାମରେ ଆଗେଇଗଲେ ବି ଏଠାରେ ମାଡ଼, ବିପଦ । ଗାଁଗୁଡ଼ିକ ଆମର କେତେ ଭଲ । ମାନିଆ କହୁଥାଏ–ସେଇଟା ଭ୍ରମ ଧାରଣା । ଗାଁରେ ଦେବେନ୍ଦ୍ର ବାବୁ ମଧ୍ୟ ଏଇପରି ବାଧା ପାଉଛନ୍ତି । ସେ ନିଜେ ଉପକାର କରିବାକୁ ଯାଇ ଜେଲ ହାଜତ ପର୍ଯ୍ୟନ୍ତ ମାଡ଼ିଛନ୍ତି । ସବୁଠାରେ ଏଇ କଥା । ମଣିଷଠାରେ ଦୁଇ ପ୍ରକାର ଭାବ–ଭଲ ଓ ମନ୍ଦ । ମନ୍ଦଟି ଦୂର ନ ହେଲେ ଏ ପ୍ରକାର ଦଙ୍ଗା ଚାଲିଥିବ ।

 

କମ୍ପାନୀ କର୍ତ୍ତୃପକ୍ଷ ଦେଖିଲେ, ଭାଟି ଏଠାରୁ ଅନ୍ତତଃ ଅନ୍ୟ ସ୍ଥାନକୁ ନ ଉଠାଲେ ଏପରି ଅଶାନ୍ତି ଲାଗିରହିଥିବ । ବହୁ ଲୋକର ସମାବେଶ । କାହାର ମିଞ୍ଜାସ କିମିତି ! ଏଥିରେ ଶାନ୍ତିର ବାତାବରଣ ନ ରହିଲେ କାମ ଅଚଳ । ସରକାରଙ୍କୁ ଏ ବିଷୟରେ ଲେଖାଲେଖି କଲେ ।

 

ଦଙ୍ଗାରେ ଆହତ ଲୋକଙ୍କର ଚିକିତ୍ସାଭାର ନିଜେ କମ୍ପାନୀ ବହନ କଲେ । ଏ ଗୋଳମାଳ ପୋଲିସ ହାତକୁ ଦେଇ ଅଶାନ୍ତି ବଢ଼ାଇବା ଅବିବେଚିତ । ତେଣୁ ଭଲ ବୁଝାମଣା ରାଜିନାମାରେ ଗୋଳମାଳ ତୁଟାଇ ଦିଆଗଲା ।

 

କ୍ରମେ ରଥିଆ ଅସୁସ୍ଥ ହୋଇଗଲା । ସହରରେ ଦୁଇଥର ସେ ବିଶେଷ ଭାବରେ ଆହତ-। ଥରେ ନିଜ ଦୋଷର ପ୍ରାୟଶ୍ଚିତ ଲାଗି, ଆଉଥରେ ମାନବର ହିଂସା ଓ ଅନ୍ଧତା ନେଇ-। ତଥାପି ସେ ଦବନି । ତାର ମନ ସଦାପ୍ରଫୁଲ୍ଲ । ଗରିବ ସେ । କୁଲି । ହାଡ଼ଭଙ୍ଗା କାମର ମଣିଷ-। ଉପାର୍ଜିତ ଆୟ ମଣିଷ ପରି ଖର୍ଚ୍ଚ କରିବ । ନିଶା, ମଦ, ଅଫିମ ବିକୃତ ମନର ବିଳାସ । ସେଗୁଡ଼ା କୁଲି କାହିଁକି ବ୍ୟବହାର କରି ତାର ଗରିବ ପରିବାରକୁ ଅନାହାରରେ ମାରି ସଢ଼ାଇବ ? ସେଇ ତାର ଲକ୍ଷ୍ୟ । ପୁଣି ପ୍ରଚାର କରିବାରେ ଲାଗିଗଲା ।

 

ସରକାର ଚିଠି ପାଇଲେ । କେବଳ ଏତିକି ନୁହେଁ, ବହୁଆଡ଼ୁ ଲୋକେ ଦାବି କରୁଛନ୍ତି ନିଶା ନିବାରଣ ପାଇଁ । ସରକାର ଭାବିଲେ–ଆମ ସ୍ୱାଧୀନତାର ପ୍ରଧାନ ହାସଲକାରୀ ପୂଜ୍ୟ ପିତାଜୀ ଗାନ୍ଧୀ ସବୁବେଳେ ଉପଦେଶ ଦେଉଥିଲେ–ଅବସର ସମୟରେ ନିଶାପାନକାରୀମାନଙ୍କ ପାଖକୁ ଯାଅ । ସେମାନଙ୍କ ହୃଦୟରେ ପ୍ରବେଶ କର । ନିଶାର ଅପକାରିତା ବୁଝାଅ । ସେମାନେ ପରିହାର କରିବେ ।

 

ସେତେବେଳେ ଦେଶ ଥିଲା ପରାଧୀନ । ଆଜି ଦେଶ ସ୍ୱାଧୀନ ହେବାର ନଅ ବର୍ଷ ହୋଇଗଲାଣି । ଆମ ଲୋକଙ୍କୁ ମଣିଷ କରିବାର ଦାୟିତ୍ୱ ଆମର । ରାଜସ୍ୱହାନି ଭୟରେ ଏ ନିଶା କାରବାରଟା ଚାଲୁ ରଖାଯାଇ ନ ପାରେ । ତୁରନ୍ତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡକାଯାଇ କେନ୍ଦ୍ର ସରକାର ସଭା କଲେ । ସେଠାରେ ମତାମତ ନିଆଗଲା । କେତେକ ବିଶେଷ କାର୍ଯ୍ୟରେ ନିଶା ବ୍ୟବହାର ରଖା ଯାଇ ବାକି ଉଠାଇଦେବାକୁ କେତେକ ମତ ଦେଲେ । ବହୁ ବାଦାନୁବାଦ ଉପରେ ସ୍ଥିର ହେଲା–ନିଶା କେବଳ ଔଷଧ ପତ୍ରରେ ବ୍ୟବହାର ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହୃତ ହୋଇପାରିବନି । ଯେଉଁ ଅନୁଷ୍ଠାନସବୁ ଔଷଧ ତିଆରି କରିବେ, ସେମାନେ ସେମାନଙ୍କ ସରକାରୀ ନିୟନ୍ତ୍ରଣାନୁଯାୟୀ ନିଶାଜାତ ଦ୍ରବ୍ୟ ଯୋଗାଇ ଦିଆଯିବ । ଏଇ ମର୍ମରେ ନିଷ୍ପତି ହୋଇ ଆଇନର ଚିଠା ହେଲା ।

 

କିଛି ଦିନ ପରେ ଆଇନ ସଭାରେ ସେ ଆଇନ ପାଶ୍‍ ହୋଇଗଲା । ସବୁ ରାଜ୍ୟ ସରକାରଙ୍କ ନିକଟକୁ ଆଦେଶ ଆସିଗଲା ।

 

ଯେଉଁଦିନ ଏଇ ଆଇନ ଚାଲୁ ହେଲା, ରଥିଆର ଆନନ୍ଦ କହିଲେ ନ ସରେ । କୁଲି ବସ୍ତିର ବିରାଟ ସଭାରେ ରଥିଆକୁ ସମ୍ବର୍ଦ୍ଧନା ଦିଆଗଲା । ସେ ହେଉଚି କୁଲିମାନଙ୍କର ଆଲୋକ । ସେମାନଙ୍କୁ ଜୀବନର ସାଧୁମାର୍ଗଟି ବତାଇ ଏଇଚି ରଥିଆ । ହୃଦୟର କୃତଜ୍ଞତା ସମସ୍ତେ ଜଣାଇଲେ । ତା’ପରେ ରଥିଆ କହିଲା–ମୋର ମୋର କର୍ତ୍ତବ୍ୟ ପାଳନ କରିଚି । ଏଣିକି ଭାଇମାନେ, ନିଶା ତ ଦେଶରୁ ଉଠିଚି, ସମସ୍ତେ ଭଲ ହେବାକୁ ଚେଷ୍ଟା କର । ମୁଁ ଏଥର ଘରକୁ ଫେରିବି । ମୋର କର୍ତ୍ତବ୍ୟ ସେଠାରେ ମଧ୍ୟ ପାଳନ କରିବାର ଅଛି ।

 

ସହର ଛାଡ଼ିବା ପୂର୍ବରୁ ରଥିଆ, କମି ସର୍ଦ୍ଦାରଙ୍କୁ ଭେଟି ଗ୍ରାମକୁ ଯିବାର ଅଭିପ୍ରାୟ ଜଣାଇଲେ । ସର୍ଦ୍ଦାରଙ୍କ ଆଖି ସଜଳ ହୋଇଉଠିଲା । ଭଲ ଯୋଗରେ କମି ଆସିଥିଲା ତାଙ୍କ ପାଖକୁ । ଦିନେ ସେ ତାର ରୂପରେ ପାଗଳ ହୋଇ ଉଠିଥିଲେ । ସମ୍ଭୋଗର ମୋହ ଘାରିଥିଲା । ମାତ୍ର କମିର ମହତ ଚେଷ୍ଟା ତାଙ୍କୁ ନରକ ପଥରୁ ଟାଣିଆଣି ମଣିଷ କରିଚି । କମି ତାଙ୍କର କନ୍ୟା । ବହୁ ଧନରତ୍ନ ଦେଇ ସର୍ଦ୍ଦାର ସେମାନଙ୍କୁ ବିଦାୟ ଦେଲେ । ଖାଲି ରଥିଆକୁ ଚୁପ୍‍ ଚୁପ୍‍ କରି କହିଲେ–ତୋର ଠିକ୍‍ଣା ଦେଇଯା । କମିର ବିବାହ ବେଳେ ନିମନ୍ତ୍ରଣ କରିବୁ ରଥିଆ !

 

ମଣିଷ କେତେ ଦିନ ଅବା ରହିବ ? ସ୍ନେହ, ସହାନୁଭୂତି ମଣିଷର ଏଇ ଦୁଇଦିନିଆ ଜୀବନକୁ ଆନନ୍ଦିତ କରେ । ଏଇ ଆନନ୍ଦ ବଳରେ ମଣିଷ ଅମରତ୍ୱ ପାଏ । ଯାଅ ବନ୍ଧୁ ! ସୁଖରେ ଦିନ କଟାଅ । ତୁମର ଏଇ ପୁରୁଣା ବନ୍ଧୁଟିକୁ ଭୁଲିବ ନାହିଁ ।

 

ସ୍ନେହରେ ବନ୍ଧା ମଣିଷ । ଯେତେବେଳେ ଗୋଟିଏ ସମାଜକୁ ବିଦାୟ ଦେଇ ଅନ୍ୟତ୍ର ଯାଏ, ମନରେ ଦୁଃଖ ଆସେ । କର୍ମଚାରୀ କାମ କରେ ବିଦେଶରେ । ସେଇଟା ତାର ଘର ନୁହେଁ । କନ୍ତୁ ସେଠାରୁ ଅନ୍ୟ ଜାଗାକୁ ଗଲାବେଳେ ମନରେ ଦୁଃଖ ହୁଏ । ସେ ଉଚ୍ଚପାହ୍ୟାରେ ଭଲ ଜାଗାକୁ ଯାଇପାରେ ; ମାତ୍ର ଦୁଃଖ ନିଶ୍ଚୟ ଆସିବ । ବିଦାୟ ହିଁ ଦୁଃଖ ।

 

ଅସତ୍ୟ ସହରକୁ ସତ୍ୟ ସହରରେ ପରିଣତ କରି ରଥିଆ, କମି, ମାନିଆ ଘରକୁ ଫେରିଲେ । ମଙ୍ଗୁଳୁ ଭାବିଲା–ସେ ଆଉ ରହି କ’ଣ କରିବ ? ଦିନେ ସେ କମିକୁ ପାପ ଆଖିରେ ଦେଖି ଥିଲା । ମାତ୍ର କମି ଯେ ସୁନା । ତାର ସଂସର୍ଗରେ ଆସିଲେ ଲୋକ ଭଲ ହେବ ସିନା, ଖରାପ ହେବାର ଆଶଙ୍କା ନାହିଁ । ମଙ୍ଗୁଳୁ ରଥିଆକୁ ଜଣାଇଲା–ମୋତେ ତୁମ ସଙ୍ଗରେ ନେଇଚାଲ ଭାଇ, ତୁମମାନଙ୍କ ପରି ଭଲ ଜୀବନ କଟାଇ ଦେଶଟାକୁ ଭଲ ବାଟକୁ ଆଣିବା ମୋର ଭାରି ଇଚ୍ଛା-

 

ରଥିଆ ମନା କରିବାର କିଛି କାରଣ ନାହିଁ । ସମସ୍ତେ ତ ଗୋଟିଏ ଦେଶର ମଣିଷ । ନିଜ ପାଇଁ ଓ ଦେଶ ପାଇଁ କାମ କରିଗଲେ ଗଲା ।

 

ଦେବେନ୍ଦ୍ର ବାକୁ ପୁତ୍ରର ଅନୁସନ୍ଧାନ କରି ନିରାଶ ହେଲେ । ମନବଳ ଭାଙ୍ଗିଯାଇ ନ ଥାଏ । କିନ୍ତୁ ପୁତ୍ରର ଉଦ୍ଧାର ପାଇଁ ସେ ପଥର ଦିଅଁର ପୂଜା କରିବାକୁ ଚାହାନ୍ତନି । ବଳି, ମଦ ଦେବା ତାଙ୍କ ବିବେକବିରୁଦ୍ଧ । ୟା ବୋଲି ସେ ନାସ୍ତିକ ନୁହନ୍ତି । ଏକେଶ୍ୱରବାଦୀ । ଈଶ୍ୱର ଅନନ୍ତ, ଅବ୍ୟକ୍ତ । ଅନ୍ତରର ସ୍ନେହ, ଭକ୍ତିଦ୍ୱାରା ଦେବତାଙ୍କୁ ଆରାଧନା କରାଯାଏ । ସେଥିପାଇଁ ଭୋଗରାଗ, ମଦ, ମାଛ, ବଳି ଆବଶ୍ୟକ ନାହିଁ । ସେଥିପାଇଁ ଗଙ୍ଗାଧର କହିଛନ୍ତି–ଯାହାସବୁ ସଂସାରରେ ଅଛି ତାହାସବୁ ଭଗବାନଙ୍କର । ତେଣୁ ତାଙ୍କୁ କୌଣସି ପାର୍ଥିବ ବସ୍ତୁଦ୍ୱାରା ପୂଜା କରିବା ଅସମ୍ଭବ ।

 

ଆଜି ତାଙ୍କର ପୁଅ ହଜିଛି । ହୁଏ ତ ଜୀବନରେ ଆଉ ଅଛି କି ନାହିଁ ଜାଣିବା କଷ୍ଟକର । କିଛି ଚିନ୍ତା ନାହିଁ । ଏଇ ତ ଆମର ଗୋପବନ୍ଧୁ ନିଜର ପିଲାଟାକୁ ଘରେ ବେମାରରେ ଥିବା ଅବସ୍ଥାରେ ଛାଡ଼ିଦେଇ ଚାଲିଗଲେ ବନ୍ୟାକ୍ଲିଷ୍ଟ ଜନତାର ସେବାରେ । ଫେରିଲାବେଳକୁ ପୁଅ ତାଙ୍କର ଜୀବନରେ ନ ଥିଲା । ସେଥିପାଇଁ ଅଧୀର ନ ହୋଇ ସେ ଦେଶର ଶତଶତ ବୁଭୁକ୍ଷୁ ସନ୍ତାନଙ୍କୁ ନିଜର ସନ୍ତାନ ବୋଲି ମନେ କରୁଥିଲେ । ସେଇପରି ଦେବେନ୍ଦ୍ର ବାବୁଙ୍କର ପୁଅ କୁଆଡ଼େ ଯାଇଚି । ଯାଉ । ଦେଶ ଅଛି । ଦେଶରେ ଅଗଣିତ ସନ୍ତାନ ତାଙ୍କର ଅଛନ୍ତି ।

 

ସମ୍ବାଦ ପହଞ୍ଚିଚି । ସରକାର ନିଶା ଉଠାଇ ଦେଇଛନ୍ତି । ସଫଳତା । ଯେଉଁ ଆଦର୍ଶରେ ଦେବେନ୍ଦ୍ର ବାବୁ ଲାଗିଥିଲେ, ସେ ଉଦ୍ଦେଶ୍ୟ ଆଜି ସବୁଆଡ଼ୁ ପୂରଣ ହୋଇଚି । ଅଧିକାଂଶ ବୁଦ୍ଧିଜୀବୀ ଜନତା ମାଦକଦ୍ରବ୍ୟର ଅପକାରିତା ବୁଝିପାରି ଶୁଦ୍ଧ ନିର୍ମଳ ହୋଇଚନ୍ତି । କାଁ ଭାଁ ଜଣେ ଅଧେ ଏପର୍ଯ୍ୟନ୍ତ ଏକଥା ବୁଝିପାରି ନାହାନ୍ତି । ବୁଝିବେ । ଡେରି ହୁଏ ଏସବୁ ବ୍ୟବସ୍ଥା ।

 

ନିଶାବିହୀନ ଜନତାକୁ ନୂତନ କର୍ମ ଦିଗରେ ଆଗେଇ ନେବାକୁ ହେବ । ଅଦୂରରେ ଝରଣା । ଏଥିରୁ ଜଳ ସଂଗ୍ରହ କରି ଜଳସେଚନର ବ୍ୟବସ୍ଥା କରିପାରିଲେ ବର୍ଷସାରା ଫସଲ ଅମଳ କରାଯାଇ ପାରିବ । ସବୁ କଥାରେ ଖାଲି ସରକାରଙ୍କୁ ଅନାଇ ବସିବା ଠିକ୍‍ ନୁହେଁ । ସରକାର କେଉଁଠୁ ଆଣିବେ ? ଆମଠୁ ଟିକସ ନେବେ, ନ ହେଲେ ଦେଶ ଓ ବିଦେଶରୁ ଋଣ ଆଣିବେ । ଏଇ ଋଣ ପରିଶୋଧ କରିବାକୁ ପଡ଼ିବ । କେତେବେଳେ କାହାକୁ ଆନୁଗତ୍ୟ ଦେଖାଇବାକୁ ହେବ । ଆନୁଗତ୍ୟ ନ ଦେଖାଇଲେ ମଧ୍ୟ ମୋହବତ ରହିବ । ଏପରି ଅବସ୍ଥାରେ ଏଇ କ୍ଷୁଦ୍ର ଯୋଜନାକୁ ଲୋକେ ମିଳିମିଶି କରିପାରିଲେ ସମସ୍ତେ ଉପକୃତ ହେବେ । ଏଇ ଆଦର୍ଶ ଗ୍ରାମେ ଗ୍ରାମେ ପ୍ରସାରଲାଭ କରିବ । ଯେଉଁଠି ସୁବିଧା ଥିବ ସେଠି ଲୋକେ ଏପରି ଜଳସେଚନ ଯୋଜନା କରି ଲାଭବାନ ହେବେ । ଏଇ ମର୍ମରେ ପରବର୍ତ୍ତୀ ସଂଧ୍ୟାରେ ସଭା ଡକାଗଲା । ସରକାର ନିଶା ଉଠାଇ ଦେଇଥିବାରୁ ଲୋକେ ଦେବେନ୍ଦ୍ର ବାବୁଙ୍କ ବିଶ୍ୱାସ କରିଛନ୍ତି । ଏଣୁ ସଭାରେ ବହୁତ ଲୋକ ରୁଣ୍ଡ ହେଲେ । ଦେବେନ୍ଦ୍ର ବାବୁ ପ୍ରସ୍ତାବ କଲେ–ଭାଇମାନେ, ଆଜି ଆମ ଦେଶରୁ ନିଶା ଉଠିଯାଇଛି । ଏଣିକି ଆମେ ଅନ୍ୟ ନିଶାରେ ଲାଗିବା । ତା ଅର୍ଥ ନୂଆ ପ୍ରକାର ମୋଦକ ଖାଇବା ନୁହେଁ । ଆମର କ’ଣ ଦରକାର ? ପ୍ରଥମେ ଦାନା, କନା । ଆଜିକାଲି ଖାଲି ମୁଠିଏ ଖାଇ, ଖଣ୍ଡିଏ ପିନ୍ଧ ଗାଁଟି ଭିତରେ ପଡ଼ିରହିଲେ ଚଳିବନି । ଦେଶ ବିଦେଶର କଥା ଜାଣିବାକୁ ହେବ । ଆମେ ସବୁ ଯେଉଁ ବିଷୟ ଜାଣିନେ, ସେ ବିଷୟ ଜାଣିବା । ଆମ ଅବସ୍ଥାର ଉନ୍ନତି କରିପାରିଲେ ଆମେ ଆଉ ଖରାପ ଚିନ୍ତା କରିବାକୁ ସମୟ ପାଇବାନି । ପରର ଅନିଷ୍ଟ କରିବା, ହିଂସାସା, ଅନିଷ୍ଟ ଭାବନା କିଛି ଆମର ରହିବନି ।

 

ପ୍ରଥମ ପ୍ରସ୍ତାବ ହେଉଚି ସମସ୍ତଙ୍କ ଜମି ମିଶାଇ ଏକାଠି ଚାଷ କରିବା । ନାଳର ପାଣି ଗୋଟିଏ ବଡ଼ ବନ୍ଧରେ ଆବଦ୍ଧ କରି ନାଳ ଖୋଳି ଖରା ଓ ଶୀତଦିନେ ପାଣି ମଡ଼ାଇବା । ସବୁବେଳେ ଫସଲ ଆମଦାନୀ କରି ଦାନା-କନାର ବ୍ୟବସ୍ଥା କରିବା ।

 

ଦ୍ୱିତୀୟରେ ଆମର ଏଇ ପାଖେ କେତୋଟି କୁଟୀରଶିଳ୍ପ ପ୍ରସାର କରାଯାଇପାରେ; ଯଥା–ବାଉଁଶ, କାଇଁଚ, ଖଜୁରୀ, ବେତ, ବେରୁହାଁ, ତାଳପତ୍ର, ମାଟିପାତ୍ର, କଣ୍ଢେଇ, ଲୁଗାବୁଣା ଆଦି-। ଏସବୁର ପ୍ରସାର କରାଯାଇପାରିଲେ ବର୍ଷସାରା ଲୋକଙ୍କୁ କାମ ମିଳିବ । ଆବଶ୍ୟକ ଖର୍ଚ୍ଚ ବାଦ ଯେଉଁ ଧନ ବଳିବ ସେଥିରେ ପାଠାଗାର, ରେଡ଼ିଓ ଆଦି ରଖି ଆମର ଜ୍ଞାନ ବଢ଼ାଇବା ।

 

ଲୋକମାନେ ଏସବୁ ଶୁଣିଲାବେଳେ ସ୍ୱପ୍ନରେ ଭାସିଲା ପରି ହେଉଥାନ୍ତି । ଦେବେନ୍ଦ୍ର ବାବୁ ସେମାନଙ୍କୁ ଆଠ ଦିନ ସମୟ ଦେଲେ । ଏବର୍ଷ ଚାଷ ଆଗରୁ ସ୍ଥିର ହୋଇଗଲେ ଏ ଦିଗରେ କିଛି କାମ ଆରମ୍ଭ ହୋଇଯିବ ।

 

ସଭା ଭଙ୍ଗ ହେଲା । ସମସ୍ତେ ଗଲେ । ଧରମୁ, କାଳୁ ଜାନି, ନାଥ ଦାସ, ଗଉରାଙ୍କର ପୁଣି ଗୁପ୍ତମନ୍ତ୍ରଣା ବସିଲା । ଏଇ ରାତିରାତି ଦେବେନ୍ଦ୍ରଙ୍କ ପୁଅକୁ ଆଣି ଠାକୁରାଣୀଙ୍କଠି ଛାଡ଼ି ଦିଆଯିବ । କାଲିକୁ ଯଦି ମରିଯାଇଥିବ, ତେବେ ଦେବେନ୍ଦ୍ର ବାବୁ ଅଧୀର ହୋଇ ଏ ଯୋଜନାସବୁ କରିପାରିବେନି । ଏପରି ହେଲେ ଧରମୁ ସାହୁକାରର ଘୋର କ୍ଷତି ହେବ । ଧରମୁ ପ୍ରକାଶ୍ୟରେ ଏମାନଙ୍କୁ ଶୁଣାଇଦେଲା–ଯଦି ଦେବେନ୍ଦ୍ରଟାକୁ ଜବତ କରିପାରିବେ, ଏମାନେ ସାହୁଙ୍କଠାରୁ ଦୁଇ ମାଣ ଲେଖାଏଁ ଜମି ପାଇବେ ।

 

କାଳୁ ଜାନି ରାତାରାତି ଯାଇ କୁନିକୁ ବନ୍ଧୁ ଘରୁ ଆଣିଲା । ଆଖି ଦୁଇଟି ବାନ୍ଧି ଓ ହାତ ଦୁଇଟି ବାନ୍ଧି ତାର ଜଙ୍ଗଲୀ ଠାକୁରାଣୀଙ୍କପାଖେର ପିଲାଟିକୁ ଛାଡ଼ିଦେଇ ଘରକୁ ପଳାଇଆସି ଖାଇପିଇ ଶୋଇଥାଏ । ମଝିରେ ମଝିରେ ପିଲାଟି କାନ୍ଦି ଉଠୁଥାଏ । ପାଟିଟା ବାନ୍ଧିଦେଇ ଆସିବ ବୋଲି କାଳୁ ଜାନି ଭାବୁଥାଏ । ପୁଣି କ’ଣ ଭାବିଲା–ଏ ଆଡ଼କୁ ରାତିରେ କିଏ ଆଉ ଆସିବ ? ସେଇଠି ଥାଇ ମରୁ । କାନ୍ଦି କାନ୍ଦି ମଲେ ଦେବୀ ଆହୁରି ସନ୍ତୁଷ୍ଟ ହେବେ ।

 

ଯାହାକୁ ରଖିବେ ଅନନ୍ତ

କି କରିପାରେ ବଳବନ୍ତ ?

 

ରାତି ଅଧରୁ ବଳିପଡ଼ିଲାଣି । ନୀଡ଼ମୁଖୀ ବିହଙ୍ଗ ପରି ଫେରୁଛନ୍ତି ଟାଟାରୁ ଫେରନ୍ତା ଯାତ୍ରୀ–ରଥିଆ, ମାନିଆ, ମଙ୍ଗୁଳୁ ଓ କମି । ଚାରି ଜଣ ଥିବାରୁ ରାତାରାତି ପଳାଇ ଆସୁଛନ୍ତି । ଗାଁର ଠାକୁରାଣୀଙ୍କ ବାଟେ ଆସିବାକୁ ହେବ । ଏଇ ଠାକୁରାଣୀ ଗାଁଠାରୁ ପ୍ରାୟ ଅଧମାଇଲ ଦୂରରେ ଗୋଟିଏ ଜଙ୍ଗଲରେ ଥାଆନ୍ତି । କାଳୁ ଜାନି ଏହାଙ୍କର ପୂଜକ । ଏମାନେ ସେଇ ବାଟେ ଆସୁଥାନ୍ତି, ହଠାତ୍‍ ଗୋଟିଏ କାନ୍ଦଣା ଶୁଭିଲା । ସମସ୍ତେ ଆଶ୍ଚର୍ଯ୍ୟ ହେଲେ–ଏତେ ବେଳେ କିଏ ଏଠାରେ କାନ୍ଦୁଚି ? ମନରେ ଭୟ ହେଲେ ବି ସମସ୍ତେ ଆଗେଇଲେ । ପିଲାଟିଏ ବସିଛି । ଆଖି, ହାତ ବନ୍ଧା ହୋଇଚି । ଏ କ’ଣ ?

 

କେଉଁ ପୁରାତନ କାଳରେ ଜାନି ବଂଶ ଏଇଠାରେ ନରବଳି ଦେଉଥିଲେ ବୋଲି ଲୋକେ କହନ୍ତି । ମାତ୍ର ବିଂଶ ଶତାବ୍ଦୀରେ ସେ କଥା ତ ସମ୍ଭବ ନୁହେଁ । ତଥାପି ବୋଧେ ଜାନି ଏକଥା କରିଥାଉ, ନଚେତ୍‍ କିଏ ଡକାଏତ ଏପରି କରିଥାଉ । ମାନିଆ କହିଲା–ଯାହା ହେଉ, ମଣିଷ ଛୁଆକୁ ଦେବୀ ଖାଇବାର ଅଧିକାର କେଉଁଠୁ ପାଇଲା ? ପଥର ଦେବୀ, ଯାହାକୁ ମଣିଷ ଟେକି ଫିଙ୍ଗି ଦେଇପାରେ, ସେ କ’ଣ ମଣିଷ ଖାଇବ ? ପଶିଯାଇ ହାତଗୋଡ଼ ଫିଟାଇଦେଲା । ଯେମିତି ଦେଖି ପକାଇଲା ଛାତି ତାର ଦପ୍‍ ଦପ୍‍ ପଡ଼ିଲା । ଏ ଯେକୁନି ! କିଏ ଏମିତି କରିଚି ? ଦେବେନ୍ଦ୍ର ବାବୁ କିପରି ତୁନି ହୋଇ ବସିଛନ୍ତି ? ପିଲାଟି ଏତେ ଲୋକଙ୍କୁ ଦେଖି ଡରିଯାଉଥାଏ । ପରେ ମାନିଆକୁ ଚିହ୍ନି ପାରିଲା । ମାନିଆ, ମାନିଆ ଚିତ୍କାର କରି ପିଲାଟି କାନ୍ଦି ପକାଇଲା । କହିଲା–ମାନିଆ, ମୋତେ ବାପା, ବୋଉଙ୍କ ପାଖକୁ ନେଇ ଚାଲ ।

 

ପିଲାଟିକୁ ବେଶୀ କିଛି ନ କହି ଏମାନେ ନେଇଚାଲିଲେ ସିଧା ।

 

କାଳୁ ଜାନି ଟିକିଏ ଜାଣିପାରିଲା । କାହାକୁ କିଛି ନ କହି ସେ ଚାଲିଗଲା କୁଆଡ଼େ । ତା’ ସ୍ତ୍ରୀକୁ କହିଗଲା–ମୁଁ ଝାଡ଼ାଫେରି ଆସେ ।

 

ସେତେବେଳକୁ ଦେବେନ୍ଦ୍ର ବାବୁଙ୍କର ନିଦ ଭାଙ୍ଗିଲାଣି । ସ୍ତ୍ରୀ ମାଧୁରୀ ବାହୁନି କାନ୍ଦୁଥାନ୍ତି-। ଯେତେହେଲେ ମା । ଦଶମାସ ଗର୍ଭଧରି ଜନ୍ମ ଦେଇଛନ୍ତି । ଥନରୁ କ୍ଷୀର ପାନ କରାଇ ଏଡ଼ୁଟିଏ କରି ବଢ଼ାଇଛନ୍ତି । କି ସୁନ୍ଦର ଗୁଲୁରୁ ଗୁଲୁରୁ କଥା କହି କହି ବଢ଼ି ଆସିଥିଲା ପିଲାଟି-। କେତେ ରକମ୍‍ର ପ୍ରଶ୍ନ ପଚାରି ଅସ୍ଥିର କରିଦିଏ । ଦେବେନ୍ଦ୍ର ବାବୁ ଜୀବନ-ଦର୍ଶନ ଆଲୋଚନା କରି ଯେତେ ବୁଝାଇଲେ ବି ନାରୀମନ ସେଇଟା ବୁଝିବାକୁ ନାରାଜ ।

 

କୁନିକୁ ଧରି ସମସ୍ତେ ପହଞ୍ଚିଲେ । କୁନି ଡାକ ପକାଇଲା–ବାପା, ବୋଉ ! ଚମକି ପଡ଼ିଲେ ଏମାନେ । ଆରେ କୁନି କୁଆଡ଼ୁ ଏତେବେଳେ ଆସିଲା ? ପ୍ରେତ ନିଶ୍ଚୟ । କୁନିକୁ କିଏ ମାରିଦେଇଚି ବୋଧେ । ମାନିଆ ଡାକ ପକାଇଲା–ବାବୁ, ବାବୁ, ଆସ । ତୁମ କୁନିକୁ ଆମେ ପାଇଛୁ । ସେମାନେ ଭାବିଲେ ଭୂତ ଡାକୁଛି ଆମକୁ ଭଣ୍ଡିବ ବୋଲି । କିନ୍ତୁ ଦେବେନ୍ଦ୍ର ବାବୁ ପ୍ରକୃତିସ୍ଥ ହୋଇ ଉଠିଆସିଲେ । ଭୂତ, ପ୍ରେତ କୁଆଡ଼ୁ ଆସିଲେ ? ଏଗୁଡ଼ିକ ମନର ବିକାର ମାତ୍ର । କବାଟ ଫିଟାଇ ଦେଖିଲେ, ପ୍ରକୃତରେ ମାନିଆ ସଙ୍ଗେ ଆଉ ତିନି ଜଣ ଓ ତାଙ୍କର ପୁଅ ।

 

ଆରେ, ମୋର କୁନି ବୋଲି କୁଣ୍ଢାଇ ପକାଇଲେ ଦେବେନ୍ଦ୍ର । ଏଠି ତାଙ୍କର ମାନବିକ ଦୁର୍ବଳତା ଚମତ୍କାର ଫୁଟି ଉଠିଲା । ବାତ୍ସଲ୍ୟ ତାର ନିଜ ରୂପ ନେଇ ପ୍ରତିଭାତ ହେଲା । ମାଧୁରୀ ଦଉଡ଼ିଆସି କୁଣ୍ଢାଇ ପକାଇଲେ । କି ସୁନ୍ଦର ମିଳନ ! ରଥିଆ ଅଭିଭୂତ ହୋଇପଡ଼ିଲା । କମି ବି । ମଙ୍ଗୁଳୁ ଏ ଅଭିନୟ ଦେଖି ଖାଲି ଆଶ୍ଚର୍ଯ୍ୟ ହେଉଥାଏ–କଥା କ’ଣ ବୋଲି ।

 

ମାଧୁରୀ ଧଡ଼ପଡ଼ କରି ଜଳଖିଆ ସଜାଡିଲେ । ଏତେ ବାଟରୁ ଆସିଛନ୍ତି ଏମାନେ । କେଉଁଠି ଖାଇବେ ? ତାପରେ ହଜିଲା ନିଧି ମିଳିଛି । ଘରେ ଯାହା କିଛି ଭଲ ଖାଇବା ଜିନିଷ ଥିଲା, ସବୁ ଯତ୍ନକରି ଖୁଆଇଲେ । ତା’ପରେ ରଥିଆ ବର୍ଣ୍ଣନା କଲା ତାର ଟାଟା ଇତିହାସ । ଦେବେନ୍ଦ୍ର ବାବୁ କୁନି ହଜିବା ବିଷୟ ନେଇ ସବୁ କଥା କହିଲେ । ରଥିଆ ରାଗିଉଠିଲା । କହିଲା–ସକାଳୁ ଏହାର ତଦନ୍ତ କରାଇବା ନିହାତି ଦରକାର ।

 

ନିଶା ନିବାରଣ କଥା ପଡ଼ିଲା । ଦେବେନ୍ଦ୍ର ବାବୁ ଆନନ୍ଦରେ ଗଦ୍‍ଗଦ୍‍ ହୋଇଗଲେ । ସେ ଯେଉଁ ଲକ୍ଷ୍ୟରେ ଗାଁରେ କାମ କରୁଥିଲେ, ରଥିଆ, କମି ସେଇ ଲକ୍ଷ୍ୟରେ କାମ କରିଛନ୍ତି ସହରରେ । ବିଶେଷତଃ କମି ଯେଉଁ ଭୂମିକା ଗ୍ରହଣ କରିଚି, ତାହା ବାସ୍ତବିକ୍‍ ରୋମାଞ୍ଚକାରୀ ।

 

ଗପୁ ଗପୁ ରାତି ପାହିଲା । ଟାଟାଯାତ୍ରୀ ବାଉରି ସାହିକୁ ଫେରିଲେ । କମି ଓ ତାର ବାପା ନିଜ ଘରକୁ ଗଲେ । ମାନିଆ, ମଙ୍ଗୁଳୁ ମାନିଆର କୁଡ଼ିଆରେ ଆଶ୍ରା ଧରିଲେ । ବାଉରି ସାହିର ସମସ୍ତେ ରୁଣ୍ଡ ହୋଇପଡ଼ିଲେ । କମିଟି କେଡେ ସୁତୁରା ହୋଇଚି । କେଉଁଠି ହଜିଥିଲା । ଆହା, ମା ଛେଉଣ୍ଡ ପିଲା କହି ଜେମିବୋଉ ବ୍ୟସ୍ତ ହୋଇ ପଡ଼ୁଥାନ୍ତି । ଜେମି ଖବର ପାଇ ଧାଇଁଆସିଲା । କମି ସଙ୍ଗେ ବହୁ ଦିନ ପରେ ମିଳନ । ସାଥୀ ଦୁଇଟି ବହୁ ସମୟ ଧରି କଥାବାର୍ତ୍ତା ହେଲେ । ତା’ପରେ ଯେଝା କାମରେ ଯିଏ ଗଲେ ।

 

ନାରଣ ମଳିକ ସକାଳୁ ଶୁଣାପାଇ ସିଧା ଯାଇଚି ଥାନା । ଥାନା ବାବୁଙ୍କୁ ଜଣାଇଲା କୁନିର ମିଳିବା ଖବର । ବଡ଼ ତାଜୁବ କଥା । ଥାନା ବାବୁ ଡେରି ନ କରି ଝପଟିଲେ ଦେବେନ୍ଦ୍ର ବାବୁଙ୍କ ଘରକୁ । ସ୍ୱାଧୀନ ଦେଶରେ ଏତେ ବଡ଼ ଅପରାଧ ! ଅନ୍ୟାୟ ! ଘୋର ଅନ୍ୟାୟ ! ଥାନାବାବୁ ପହଞ୍ଚି ପିଲାଟିକୁ ବଡ଼ ଆଦର କଲେ । ଗେଲେଇ ଗେଲେଇ ଯାତ ଆଡ଼ୁ କଥାଟି ଆରମ୍ଭ କରି ବସିଲେ । କୁନି ସବୁ କହିଲା–ଗଉରା କିପରି ଭୁଲେଇଆଣି କାଳୁ ଜାନି ଘରେ ରଖିଲା । କାଳୁ ଜାନି କେଉଁ ଗାଁକୁ ନେଇଗଲା । ରାତିରେ ଆଣି ଆଖି, ହାତ ବାନ୍ଧି ଦିଅଁଙ୍କ ପାଖରେ ପକାଇଦେଲା-। କେତେବେଳକୁ ମାନିଆ ତାକୁ ରକ୍ଷାକଲା ।

 

ଥାନାବାବୁଙ୍କ ରକ୍ତ ଗରମ ହୋଇଉଠିଲା । କାଳୁ ଜାନି, ଗଉରାକୁ ଆରେଷ୍ଟ କରିବାକୁ ହେବ । ବାବୁ ଧପଡ଼ିଲେ । କାଳୁ ଜାନି ନାହିଁ । ତା ସ୍ତ୍ରୀ କହିଲା–ପାହାନ୍ତା ପହରୁ ଝାଡ଼ା ଯାଇଚି ଯେ କାହିଁ ଫେରିନି । ଗଉରା ପାଖକୁ ଧପଶିଲେ । ଧରମୁ କହିଲେ–ଗଉରା ବିଲରେ । ଧରମୁଙ୍କ ପିଳେହି ପାଣି ହେବାକୁ ବସିଲାଣି । ବିଲକୁ ଗଲାବେଳକୁ ଗଉରା କୁଆଡ଼େ ଚମ୍ପଟ । ଧରମୁ ଟିକିଏ ଆଶ୍ୱସ୍ତି ମାରିଲେ । ଏଇନା ଏଗୁଡ଼ା ଧରାପଡ଼ିଲେ ଧରିବାନ୍ଧି ଧରମୁକୁ ପକାଇବେ । ନାଥ ଦାସ ଖାଲି ସବୁଆଡ଼େ ଲୁଙ୍ଗୁରୁ ପୁଙ୍ଗୁରୁ ହୋଇ ଉଣ୍ଡୁଥାଏ ।

 

ଥାନାବାବୁ ବିଫଳମନୋରଥ ହୋଇ ଫେରିଲେ । ଆସାମୀ ଦୁଇଟା ଫେରାର । ନାରଣ ମଳିକକୁ ବାବୁ ବହୁତ ଶୋଧିଲେ । ତୁ ବେକୁବ୍‍ । ଆଗ କୁନିଠୁ ବୁଝି ଲୋକ ଦୁଇଟାଙ୍କୁ ଅଟକାଇ ରଖି ସିନା ଖବର ଦେଇଥିଲ ହୋଇଥାନ୍ତା । ଏବେ ଅନିଶା ରଖ । ଏତିକି କହି ବାବୁ ଫେରିଗଲେ । ଚାରିଆଡ଼େ ହୁଲିଆ ଜାରି କରି ଦିଆଗଲା ।

 

ଦେବେନ୍ଦ୍ର ବାବୁ ଭାବିଲେ–ପିଲା ତ ମିଳିଲାଣି । ଯାଉ ଗଉରା । ଯାଉ କାଳୁ । ଅନୁତାପ କରି ଫେରନ୍ତୁ । ମଣିଷର ପ୍ରକୃତି ଗୋଟାଏ । ତାକୁ ତ ସଜାଡ଼ିବାକୁ ହେବ ।

 

ସୋସାଇଟିର କାମ ବିପୁଳ ଉତ୍ସାହରେ ଚାଲିଲା । ମାନିଆ ଫେରିଚି । ମଙ୍ଗୁଳୁ ଯୋଗଦେଇଚି । କମି, ଜେମି । ଆନନ୍ଦର, ସଂସାର । ଜେମି ବୁଝିନେଇଚି, କମି ଫେରିଚି । ମାନିଆର ସେ ବନ୍ଧା । ମାନିଆ ସଙ୍ଗେ ଯେଉଁ ସାଙ୍ଗଟି ଭଲ ମଣିଷଟିଏ ତ ! ଏପରି ଭାବି କେତେ ଥର କମିକୁ ତା କଥା ପଚାରେ । କମି କହେ–ତୋ ପାଇଁ ବର ଧରି ଆଣିଚୁ । ଭାବନା କରନି ।

 

ଅଧିକାଂଶ ଚାଷୀ ଜମି ସମର୍ପି ଦେଇଛନ୍ତି ସୋସାଇଟି ହାତରେ । କୋଠାଚାଷର ଆୟୋଜନ ଚାଲିଚି । ନୂଆ କଥା, ନୂଆ କ’ଣ ହୋଇଯାଉଚି ? କେଉଁ ନଅଟା ନା ଛଅଟା ! ପିଣ୍ଡରେ ପାଣି ଦବାକୁ ଗୋଟାଏ ତ ଆଣିବ ?

 

ଧରମୁ କହିଲେ–ଆଉ କ’ଣ ଆଣିବି ? ସେକଥା ସୋସାଇଟି ବୁଝିବ ।

 

ବର୍ଷା-ଶରତ-ହେମନ୍ତ-ଶିଶିର । ଧାନକଟା ପୁଣି ଆରମ୍ଭ ହୋଇଚି । ମଙ୍ଗୁଳୁ, ମାନିଆ ଓଳିଏ କାମ କରି ଓଳିଏ ଘର ତୋଳିବାରେ ଲାଗିଛନ୍ତି । ଘରତୋଳା ନ ହେଲେ କୁଡ଼ିଆରେ କିପରି ଦାମ୍ପତ୍ୟ ଜୀବନ ଯାପିବେ ?

 

କାମର ମଣିଷ ଯେ ତାକୁ କ’ଣ କଷ୍ଟ ! ବସନ୍ତ ଆଗମନ ବେଳକୁ ଦୁଇବଖରା ଲେଖାଏଁ ଘରଠିଆ ହେଲାଣି । ଲିପାପୋଛା ନିଚିପର । ଯେପରି କମି, ଜେମିଙ୍କ ଆଗମନ ଓ ସୁଶୋଭନକୁ ସେମାନେ ଅପେକ୍ଷା କରିଛନ୍ତି ।

 

ବସନ୍ତ ପୁଣି ଆସିଛି । ମଳୟର ପରଶ । କୋକିଳର କୁହୁଗାନ । ପ୍ରକୃତିର ଅପରୂପ ନବଭୂଷା । ସେଇ ବେଶକୁ ସରସ କରି ବଢ଼ି ଉଠୁଛନ୍ତି କମି ଓ ଜେମି ମିଳନର ଅପେକ୍ଷାରେ ।

 

ଫସଲ ଅମଳ ହୋଇ ବଣ୍ଟାଯାଇଚି । ସୋସାଇଟି ଆନୁକୂଲ୍ୟରେ ମାନିଆ-କମି, ମଙ୍ଗୁଳୁ-ଜେମିର ବିବାହ ଆୟୋଜନ ହୋଇଚି । ରଥିଆ ଖବର ପଠାଇ ଦେଇଚି ସର୍ଦ୍ଦାର ମଙ୍ଗରାଜଙ୍କ ନିକଟକୁ । ବାସନ୍ତୀର ଅଭିସାର ନେଇ ଉଇଁଚି ଚତୁର୍ଦ୍ଦଶୀର ଜହ୍ନ । ଦୋଳିଳିବିଜେ କରିଚନ୍ତି ରାଧାକୃଷ୍ଣ ପୁରପଲ୍ଲୀର ପ୍ରାନ୍ତେ ପ୍ରାନ୍ତେ । ଏପରି ସମୟରେ ମିଳନ ହୋଇଯାଇଚି ବାରବୁଲା ମାନିଆର କମି ସଙ୍ଗେ, ମଙ୍ଗୁଳୁର ଜେମି ସଙ୍ଗେ । ହସିଛି ଧରଣୀ, ହସିଛି ପ୍ରକୃତି । ସୁନ୍ଦର ଏ ରୁଚିର ମିଳନ ।

 

ପୁନେଇ ଆଜି । ମେଳଣ । ଡାକବାଲା ଆସି ଡାକୁଚି–କମି ! ହାତରେ ତାର ଏକ ପାର୍ଶଲ । କମି କାବା ହେଲା । ପାର୍ଶଲ ନେଇ ପଚାରିଲା–କେଉଁଠୁ ଆସିଚି ?

 

ଉତ୍ତର ମିଳିଲା–ସର୍ଦ୍ଦାର ମଙ୍ଗରାଜ, ଟାଟାରୁ ।

 

ଖୁସିରେ ଖୋଲିଲା କମି । ଉପହାର । ଝିଅ ପାଇଁ ବାପର ଉପହାର ।

 

ମିଳନର ବାସରେ ବିତିଛି ମଧୁ ଯାମିନୀ । ପୁଣି ଆସିଛି ଅର୍ଦ୍ଧରାତ୍ରି । ମାନିଆର ନିଦ ଭାଙ୍ଗିଚି । ମାତ୍ର ଆଜି ମଶାକାମୁଡ଼ାରେ ଛଟପଟ ହେଉନି । ଆଜି ସାଥୀହରା ନୁହେଁ । ପାଖରେ ତାର ପ୍ରାଣପ୍ରିୟା କମି । ଆହା ! ପୁଷିଟା ଥିଲେ କେତେ ଖୁସିରେ ଦିନ କାଟିଥାନ୍ତା ଏକ୍ଷଣି ।

 

ମଧୁର ଆଳାପରେ ମାନିଆ ସମାପ୍ତ କରୁଚି ତାର ବାରବୁଲା ଜୀବନର ବନ୍ଧୁର ମସୃଣ କାହାଣୀପଥ ।

 

ମନ ତାର ଆଜି ପ୍ରଫୁଲ୍ଲ । ନିଶାହୀନ ଏ ଧରଣୀ କେତେ ସୁନ୍ଦର, ମଧୁର, ଜ୍ଞାନୀ । ରଥିଆ ପ୍ରାଣଭରି ଗାଇଉଠିଛି–

 

ଆଗେଇ ଚାଲ

ନବଯୁଆନ !

ଠେଲି ଘନଘଟା

ସୁନ୍ଦର କର

ଦେଶଟି ତୋର

ନୋହି ହଟହଟା ।

Image